
ଓଡ଼ିଶାରେ କାର୍ଡିଓଲୋଜିର ଜନକ ଭାବେ ଜଣାଶୁଣା ପ୍ରଫେସର ଡାକ୍ତର ଯଦୁନାଥ ପ୍ରସାଦ ଦାସ ବା ଡା.ଜେ.ପି. ଦାସ । ୧୯୭୯ ମସିହାରେ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜରେ ସେ ପ୍ରଥମ କରିି ହୃଦରୋଗ ଚିକିତ୍ସା ବିଭାଗ ଆରମ୍ଭ କରିଥିଲେ । ୧୯୮୭ରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ କଟକ ରାଣୀହାଟଠାରେ ନିଜ ହାର୍ଟ କ୍ଲିନିକ୍ ସ୍ଥାପନା କରି ରୋଗୀସେବା କରି ଆସୁଛନ୍ତି । ସେ ଜଣେ ସୁନାମଧନ୍ୟ ଚିକିତ୍ସକ, ଚିତ୍ରକର ଓ କବି ଭାବେ ଓଡ଼ିଶାରେ ପରିଚିତ । ଓଡ଼ିଆ କବିତା ବହି ‘ନୀଳ ତରଙ୍ଗ’, ଇଂରାଜୀ କବିତା ବହି ‘ଇଣ୍ଟିମେଟ୍ ହ୍ୱିସ୍ପର୍ସ’, ରେଖାଚିତ୍ର-ଜଳରଙ୍ଗ-ତୈଳରଙ୍ଗର ଚିତ୍ରକୁ ନେଇ ଦୁଇଟି ମନୋଗ୍ରାଫ୍ ‘ମ୍ୟୁଜ୍ ଅଫ୍ ହାର୍ଟ’ ଏବଂ ‘ଡାଏଲଗ୍ ହାର୍ଟ ଟୁ ହାର୍ଟ’ ଆଦି ତାଙ୍କର ସୃଜନଶୀଳତାର ସ୍ୱାକ୍ଷର ବହନ କରେ । ଅନେକ ସାମାଜିକ ସଂସ୍ଥା ସହ ସେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
ଆସନ୍ତୁ, ତାଙ୍କ ସହ କଥା ହେବା ।
ସ୍ୱା.ସ୍ୱ : କାର୍ଡିଓଲୋଜି ପ୍ରତି କେମିତି ଆକୃଷ୍ଟ ହେଲେ?
ଡା. ଦାସ : ପଢ଼ିଲାବେଳୁ କାର୍ଡିଓଲୋଜି ପ୍ରତି ମୋର ଆଗ୍ରହ ଥିଲା । ମେଡିସିନ୍ରେ ପୋଷ୍ଟ ଗ୍ରାଜୁଏସନ୍ ସରିଲା ପରେ ଯେତେବେଳେ ଇଂଲଣ୍ଡ ଗଲି ପଢ଼ିବା ପାଇଁ ମୋର ଇଚ୍ଛା ହେଲା ଆଉ ଟିକେ କାର୍ଡିଓଲୋଜି ଉପରେ ପଢ଼ିବା ପାଇଁ । ଏମ୍ଆର୍ସି ପରୀକ୍ଷାରେ ପାସ୍ କରିଗଲି । ତା’ପରେ ସେ ଦେଶରେ ରହିବି କି ନାହିଁ ଭାବିଲି । ମୁଁ ଚାହୁଁନଥିଲି ବାହାର ଦେଶରେ ପୂରା ରହିଯିବା ପାଇଁ । ଯଦିଓ ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ୟୁରୋପ୍ ସବୁଆଡ଼ୁ ମତେ ଅଫର୍ ଥିଲା । ବାପା, ମା’ ଚାହୁଁଥିଲେ ମୁଁ ଭାରତକୁ ଫେରିଆସି କିଛି କରିବା ପାଇଁ । ତେଣୁ ଫେରିଲି । ଏସ୍ସିବିରେ ଜଏନ୍ କଲି । ମେଡ଼ିସିନ୍ ବିଭାଗରେ ଯୋଗ ଦେଲି । କିନ୍ତୁ ଏସ୍ସିବିରେ କାର୍ଡିଓଲୋଜି ବିଭାଗ ଆରମ୍ଭ କରିବାକୁ ଚାହିଁଲି । ସେତେବେଳେ ଭାରତରେ କେବଳ ଦୁଇଟି ସ୍ଥାନରେ କାର୍ଡିଓଲୋଜି ବିଭାଗ ଥାଏ । ପ୍ରଥମ ହେଉଛି ଏମ୍ସ ଓ ଅନ୍ୟଟି ସିଏମ୍ସି, ଭେଲୋର୍ । ହାୟର୍ ସ୍ପେଶାଲିଟି ଡିଗ୍ରୀ ନ ଥିଲେ ସେ ସମୟରେ ଜଣେ ପ୍ରଫେସର ହୋଇ ପାରିବ ନାହିଁ ବୋଲି ନିୟମ ଥିଲା । ସେହି କୋର୍ସ ପାଇଁ ଭାରତରେ କେବଳ ଦୁଇ ଚାରୋଟି ସିଟ୍ ଥିଲା । ତେଣୁ ମୁଁ ପାଇବି କି ନାହିଁ ସନ୍ଦେହରେ ଥିଲି । ତଥାପି ଆବେଦନ କଲି । କିନ୍ତୁ ସୌଭାଗ୍ୟ ସିଏମ୍ସି, ଭେଲୋର୍ରେ ଡିଏମ୍ (କାର୍ଡିଓଲୋଜି) ପଢ଼ିବା ପାଇଁ ମୁଁ ମନୋନୀତ ହୋଇଥିଲି । ଏହା ୧୯୬୬ ମସିହାର କଥା ।
ସ୍ୱା.ସ୍ୱ : ଦୀର୍ଘ ୬୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଆପଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଆସୁଛନ୍ତି । ତେବେ ଏ ଦୀର୍ଘ ଯାତ୍ରାର ଅନୁଭୂତି କ’ଣ ରହିଛି?
ଡା. ଦାସ : ୧୯୫୭ରେ ମୋର ଚାକିରି ଆରମ୍ଭ ହୋଇଥିଲା ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକରେ । ବ୍ଳକ ମେଡିକାଲ୍ ଅଫିସର ଭାବରେ ଜଏନ୍ କରିଥିଲି । ସେହି ସମୟରେ ସେ ଅଂଚଳ ପୂରା ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ହସ୍ପିଟାଲ୍ରେ କେବଳ ମୁଁ ଓ ମୋର ଜଣେ ପିଅନ । ବ୍ଳକ୍ ଅଫିସ୍ ବାରଣ୍ଡାରେ ରହିଲି । ମୋର ଜଣେ ସାଙ୍ଗ ବାରୁଣି ବାବୁଙ୍କ ସାନଭାଇ ସହିତ ରହିଲି । ସେ ସେଇଠି ଓଭର୍ସିୟର ଥିଲା । ଲୋକ ପ୍ରଥମେ ମେଡ଼ିକାଲ୍କୁ ଆସୁନଥିଲେ । ଏମିତିକି ମୁଁ ପଶୁ ଡାକ୍ତର ନା ମଣିଷ ଡାକ୍ତର ବି ଲୋକ ପ୍ରଶ୍ନ କରୁଥିଲେ । ମୋର ଡାକ୍ତରୀ ବ୍ୟାଗ୍ ଦେଖି ଲୋକମାନେ ଭୟରେ ପଳାନ୍ତି । ଏହାପରେ ମୁଁ ସବୁଆଡ଼େ ବୁଲି ସମସ୍ତଙ୍କୁ ବୁଝେଇ ଏପରିକି ହାଟକୁ ବି ଯାଇ ଲୋକଙ୍କୁ ବୁଝାଇ ମେଡ଼ିକାଲ୍ ଆସିବାକୁ ପ୍ରବର୍ତ୍ତାଉ ଥିଲି । ଧୀରେ ଧୀରେ ଲୋକ ମେଡ଼ିକାଲ୍କୁ ଆସିଲେ । ଦେଢ଼ ବର୍ଷ ପରେ ମୁଁ ସେ ସ୍ଥାନ ଛାଡ଼ି ଆସିଲା ବେଳକୁ ପ୍ରତ୍ୟହ ପ୍ରାୟ ୧୫୦ ରୋଗୀ ହେଉଥିଲେ । ତା’ପରେ ଅନେକ କଥା । ବହୁ କଷ୍ଟରେ କାର୍ଡିଓଲୋଜି ଡିପାର୍ଟମେଣ୍ଟ ଆରମ୍ଭ କରାଗଲା । ୧୯୭୪ ମସିହାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପେସ୍ମେକର୍ ଲଗା ଯାଇଥିଲା । ସେସମୟରେ ଆନୁସଙ୍ଗିକ ସୁବିଧା ସୁଯୋଗ ତଥା ଯନ୍ତ୍ରପାତି ପୂର୍ଣ୍ଣମାତ୍ରାରେ ଉପଲବ୍ଧ ନଥାଇ ବି ବହୁତ ରିସ୍କ ନେଇ କରାଯାଇଥିଲା । ବଡ଼କଥା ହେଉଛି, ମୁଁ କାହାଠୁ ଏଯାଏଁ ଅନ୍ଫେୟାର୍ ୱେରେ ଟଙ୍କାଟିଏ ବି ରୋଜଗାର କରିନି । ବହୁତ ଲୋକଙ୍କୁ ଆଜି ବି କ୍ଲିନିକ୍ରେ ମାଗଣାରେ ଚିକିତ୍ସା ସେବା ଦେଇଥାଏ । ମୋ ବାପା ପୋଷ୍ଟ ଅଫିସ୍ରେ ଆକାଉଣ୍ଟାଣ୍ଟ ଥିଲେ । ସେ ଥିଲେ ଗାନ୍ଧିବାଦୀ ଏବଂ ବେଶ୍ ଶୃଙ୍ଖଳିତ । ମୁଁ ତାଙ୍କରି ଆଦର୍ଶକୁ ଅନୁକରଣ କରିଆସିଛି ଏଯାବତ୍ । ଏମିତିକି ୧୯୮୭ରେ ସ୍ୱେଚ୍ଛାକୃତ ଅବସର ନେଇ ରୋଗୀସେବା ଜାରିି ରଖିଛି । ମୋ ଜୀବନ ଯାତ୍ରାରେ ପତ୍ନୀ ଡକ୍ଟର ଗାୟତ୍ରୀ ଦାସଙ୍କ ଭୂମିକା ବହୁତ ରହିଛି । ତାଙ୍କ ପ୍ରେରଣା ତଥା ନିରନ୍ତର ସହାୟତା ମତେ ଆଗକୁ ବଢ଼ିବାରେ ଯଥେଷ୍ଟ ସାହାଯ୍ୟ କରେ । ସେ କସ୍ତୁରବା ଗାନ୍ଧୀ ନ୍ୟାସନାଲ୍ ମେମୋରିଆଲ୍ ଟ୍ରଷ୍ଟରେ ଭାଇସ୍ ଚେୟାରପର୍ସନ୍ ଭାବେ ସେବା କରି ଆସୁଛନ୍ତି ।
ସ୍ୱା.ସ୍ୱ : କେବଳ ଡାକ୍ତରୀ ସେବା ନୁହେଁ, ଆପଣ କବିତା ଲେଖନ୍ତି । ଚିତ୍ର ବି ଆଙ୍କନ୍ତି । ଆପଣଙ୍କ ପେସା ପାଇଁ ସେସବୁ କିଭଳି ସାହାଯ୍ୟ କରିଛି?
ଡା. ଦାସ : ଚିତ୍ର ଓ କବିତାରୁ ମତେ ମାନସିକ ଶାନ୍ତି ମିଳେ । ବଡ଼ ବଡ଼ ଚିତ୍ର ବି ମୁଁ ଦୁଇ ଘଣ୍ଟା ଭିତରେ ଆଙ୍କିଦିଏ କାରଣ ମୁଁ ପୁଣି କେତେବେଳେ ସମୟ ପାଇବି ମୁଁ ବି ଜାଣିନଥାଏ । ତେଣୁ ଆରମ୍ଭ କଲା ମାତ୍ରେ ସାରିଦିଏ । ମୋର କ୍ଲିନିକ୍ରେ ମଧ୍ୟ ଜଣେ ରୋଗୀକୁ ଦେଖିସାରି ଆଉ ଜଣେ ରୋଗୀ ଆସିବା ଭିତରର ଯେଉଁ ବ୍ୟବଧାନ, ସେତିକି ଭିତରେ ବି ମୁଁ ଚିତ୍ର ଆଙ୍କୁଥାଏ ନଚେତ୍ କବିତା ଲେଖୁଥାଏ ।
ସ୍ୱା.ସ୍ୱ : ଓଡ଼ିଶାର ଲୋକମାନଙ୍କୁ ସାଧାରଣତଃ କେଉଁ କେଉଁ ହୃଦ୍ରୋଗ ହୁଏ?
ଡା. ଦାସ : ର୍ୟୁମାଟିକ୍ ଭାଲ୍ଭ ରୋଗ, ରକ୍ତଚାପ, କୋରୋନାରୀ ହାର୍ଟ ଡିଜିଜ୍ ବା ହାର୍ଟ ଆଟାକ୍ ଆଦି ହୃଦ୍ରୋଗ ହୋଇଥାଏ । ର୍ୟୁମାଟିକ୍ ଭାଲ୍ଭ ରୋଗରେ ଭାଲ୍ଭ ରିପ୍ଲେସ୍ମେଣ୍ଟ ଦରକାର ପଡ଼ିଥାଏ । ରକ୍ତଚାପକୁ ୨୫% ରୋଗୀ ଅବହେଳା କରି ଆଡଭାନ୍ସଡ୍ ଷ୍ଟେଜ୍ରେ ଡାକ୍ତରଙ୍କ ନିକଟକୁ ଆସନ୍ତି । ତମାଖୁ, ବିଡ଼ି, ଖଇନି ଖାଇବା ଦ୍ୱାରା ଅଳ୍ପ ବୟସରେ ହାର୍ଟ ଆଟାକ୍ ହେବାର ଆଶଙ୍କା ଥାଏ ।
ସ୍ୱା.ସ୍ୱ : ହୃଦ୍ରୋଗ ନ ହେବା ପାଇଁ କ’ଣ ପ୍ରତିକାର କରିବାକୁ ପଡ଼ିବ?
ଡା. ଦାସ : ଡାଏବେଟିସ୍କୁ ନିୟନ୍ତ୍ରଣ କଲେ ହାର୍ଟ ଡିଜିଜ୍ର ଆଶଙ୍କାକୁ କିଛି ପରିମାଣରେ ଏଡ଼ାଇ ଦିଆଯାଇ ପାରିବ । ଫାଷ୍ଟଫୁଡ୍, ଛେନା, କ୍ଷୀର, ଅଣ୍ଡା, ଚିଙ୍ଗୁଡ଼ି, ବଡ଼ମାଛ ଆଦି କୋଲେଷ୍ଟ୍ରଲ୍ ବଢ଼ାଏ । ତେଣୁ ଏହି ସବୁ ଖାଦ୍ୟ ଖାଇବା ଅନୁଚିତ । ଆନିମଲ୍ ଫ୍ୟାଟ୍କୁ ମଧ୍ୟ ଆଭଏଡ୍ କରିବା ଉଚିତ ।
ସ୍ୱା.ସ୍ୱ : ସାମ୍ପ୍ରତିକ ସମୟରେ ଓଡ଼ିଶାର କାର୍ଡିଓଲୋଜି ଚିକିତ୍ସା ସୁବିଧା ସମ୍ପର୍କରେ ଆପଣ କ’ଣ କହିବେ?
ଡା. ଦାସ : ଏବେ କାର୍ଡିଓଲୋଜିର ସବୁ ପ୍ରକାର ସୁବିଧା ହୋଇଗଲାଣି । ଆଞ୍ଜିଓପ୍ଲାଷ୍ଟି, ହାର୍ଟସର୍ଜରୀ, ଷ୍ଟେଣ୍ଟଲଗାଯିବା ଆଦି ବହୁତ ପ୍ରକାରର ଚିକିତ୍ସା ପଦ୍ଧତି ଉପଲବ୍ଧ ହେଲାଣି । ରୋଗୀମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ୁନି ।
ସ୍ୱା.ସ୍ୱ : ଆପଣ ଏବେ ମଧ୍ୟ ଖୁବ୍ କର୍ମଠ ତଥା ଚଳଚଞ୍ଚଳ । ଏହା କେମିତି ସମ୍ଭବ କରିପାରିଛନ୍ତି?
ଡା. ଦାସ : ପ୍ରକୃତ କଥା ହେଉଛି, ମୁଁ ମୋର କାମକୁ ଏନ୍ଜୟ କରେ ।
ସ୍ୱା.ସ୍ୱ : ସ୍ୱାସ୍ଥ୍ୟ ସ୍ୱର ସମ୍ପର୍କରେ ପଦେ…
ଡା. ଦାସ : ବହୁତ ଭଲ ପତ୍ରିକା । ଓଡ଼ିଶାରେ ଏଭଳି ଏକ ପତ୍ରିକାର ଆବଶ୍ୟକତା ଥିଲା । ଏଭଳି ଏକ ପତ୍ରିକାର ଉନ୍ନତି ପାଇଁ ସମସ୍ତେ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ଉଚିତ । ଏହି ପତ୍ରିକାର ଭବିଷ୍ୟତ ନିଶ୍ଚିତ ଭାବେ ଉଜ୍ଜ୍ୱଳ ।