ଡାଇବେଟିକ୍ ରେଟିନୋପାଥି

ଚକ୍ଷୁ ହେଉଛି ମଣିଷର ଗୋଟେ ସୁନ୍ଦରତମ ଅଙ୍ଗ । ଚକ୍ଷୁ ଦ୍ୱାରା ହିଁ ଦୁନିଆର ଏ ମନୋରମ ସୌନ୍ଦର୍ଯ୍ୟକୁ ଦେଖିହୁଏ । ତେଣୁ ଚକ୍ଷୁର ଉପଯୁକ୍ତ ଯତ୍ନ ନେବାରେ କେବେ ହେଲେ ଅବହେଳା କରିବା ଉଚିତ ନୁହେଁ । ଡାଇବେଟିକ୍ ରେଟିନୋପାଥି ହେଉଛି ଡାଇବେଟିସ୍ ବା ମଧୁମେହ ଜନିତ ଏକ ଚକ୍ଷୁରୋଗ । ବିକଶିତ ଦେଶମାନଙ୍କରେ ୩୦ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରେ ଦେଖାଯାଉଥିବା ଅନ୍ଧତ୍ୱର ଏକ ପ୍ରମୁଖ କାରଣ ହେଉଛି ଡାଇବେଟିକ୍ ରେଟିନୋପାଥି । ଡାଇବେଟିସ୍ ଦ୍ୱାରା ରେଟିନା ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ । ପ୍ରାରମ୍ଭିକ ଅବସ୍ଥାରେ ଡାଇବେଟିକ୍ ରେଟିନୋପାଥିର ଲକ୍ଷଣ ଦେଖାଯାଇନପାରେ କିମ୍ବା ଦୃଷ୍ଟିଶକ୍ତିରେ ସାମାନ୍ୟ ସମସ୍ୟା ଦେଖାଯାଇପାରେ; ମାତ୍ର ପରବର୍ତୀ ସମୟରେ ଏହା ଅନ୍ଧତ୍ୱର କାରଣ ହୋଇପାରେ । ନୂତନ ଭାବେ ଦେଖାଦେଇଥିବା ଡାଇବେଟିସ୍ ରୋଗୀଙ୍କ ମଧ୍ୟରୁ ଅନେକ ରୋଗୀଙ୍କ କ୍ଷେତ୍ରରେ ଉପଯୁକ୍ତ ଚିକିତ୍ସା ଓ ସଠିକ୍ ପରୀକ୍ଷା ଦ୍ୱାରା ଏହାକୁ ହ୍ରାସ କରାଯାଇପାରିବ । ଡାଇବେଟିସ୍ ରୋଗ ଯେତେ ଅଧିକ ପୁରୁଣା ହୋଇଥାଏ, ଡାଇବେଟିକ୍ ରେଟିନୋପାଥି ଦେଖାଯିବାର ଆଶଙ୍କା ସେତେ ଅଧିକ ହୋଇଥାଏ । ଭିଜନ୍ ଲସ୍ ଏକ୍ସପର୍ଟ ଗ୍ରୁପ୍ର ତଥ୍ୟରୁ ଜଣାପଡିଛି ଯେ, ୨୦୨୦ ମସିହାରେ ସମଗ୍ର ବିଶ୍ୱରେ ପ୍ରାୟ ୧ ମିଲିୟନ୍ ଲୋକ ଡାଇବେଟିକ୍ ରେଟିନୋପାଥି ଯୋଗୁଁ ଅନ୍ଧ ହୋଇଥିଲେ ଏବଂ ପ୍ରାୟ ୩ ମିଲିୟନ୍ରୁ ଉର୍ଦ୍ଧ୍ୱ ଲୋକଙ୍କ ଦୃଷ୍ଟିଶକ୍ତି ମଧ୍ୟମ ଧରଣରୁ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା ।

ବର୍ତମାନ ସମଗ୍ର ବିଶ୍ୱରେ ଏହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଲାଣି । ବିକାଶଶୀଳ ଦେଶମାନଙ୍କରେ ମଧ୍ୟ ଡାଇବେଟିସ୍ ବା ମଧୁମେହ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି; ସେଇ ଅନୁପାତରେ ଡାଇବେଟିକ୍ ରେଟିନୋପାଥି ବି ବୃଦ୍ଧି ହେବାରେ ଲାଗିଛି । ଭାରତରେ ମଧ୍ୟ ଏହା ବହୁଳ ଭାବେ ପରିଲକ୍ଷିତ ହୋଇଥାଏ । ଏହି ବୃଦ୍ଧି ହାରକୁ ହ୍ରାସ କରିବା ପାଇଁ ଶୀଘ୍ର ତଥା ସଠିକ୍ ରୋଗ ନିରୂପଣ ଏବଂ ଉପଯୁକ୍ତ ଚିକିତ୍ସା ଆବଶ୍ୟକ । ଅବଶ୍ୟ ଏସବୁର ମୂଳରେ ପ୍ରଚୁର ଜନସଚେତନତା ଜରୁରୀ ଅଟେ ।
ବର୍ତମାନ ଡାଇବେଟିସ୍ ବା ମଧୁମେହ ବହୁଳ ଭାବେ ଦେଖାଯାଉଛି । ଡାଇବେଟିସ୍ ଦ୍ୱାରା ଶରୀରର ଅନେକ ଅଙ୍ଗ ପ୍ରଭାବିତ ହୋଇଥାଏ । ଡାଇବେଟିସ୍ ରୋଗୀଙ୍କ ଠାରେ ଯଦି ସୁଗାର୍ ବା ଶର୍କରାର ମାତ୍ରା ନିୟନ୍ତ୍ରଣରେ ରହିଲା ନାହିଁ, ତେବେ ପରବର୍ତି ସମୟରେ ସେମାନଙ୍କ ଠାରେ ଡାଇବେଟିକ୍ ରେଟିନୋପାଥି ଦେଖାଯିବାର ଆଶଙ୍କା ବୃଦ୍ଧି ପାଏ । ସାଧାରଣତଃ ଏହି ସମସ୍ୟା ପ୍ରାରମ୍ଭିକ ଅବସ୍ଥାରେ ବିଶେଷ ଭାବେ ଜଣାନପଡି ଗମ୍ଭୀର ସ୍ଥିତିକୁ ଆସିଲା ପରେ ଜଣାପଡ଼ିଥାଏ । ପ୍ରାରମ୍ଭିକ ଅବସ୍ଥାରେ ଚଷମାର ନମ୍ବର ବାରମ୍ବାର ବଦଳାଇବାକୁ ପଡ଼ିବା, ଆଖିରେ ପୀଡା ହେବା, ଆଖିରେ ଅନ୍ଧାର ଭଳି ଦେଖାଯିବା, ଦେଖିବାରେ କିଛି ସମସ୍ୟା ହେବା ବା କମ୍ ଦେଖାଯିବା, ଧୂଆଁଳିଆ ଦେଖାଯିବା, ରଙ୍ଗଗୁଡିକୁ ଠିକ୍ ଭାବେ ଚିହ୍ନି ନ ହେବା, ଆଖିରେ କିଛି ସ୍ପଟ୍ (ଦାଗ) ଭଳି ଦେଖାଯିବା, ରେଟିନାଲ୍ ହେମରେଜ୍ ଏବଂ ଦୃଷ୍ଟିହୀନତା (ଭିଜନ୍ ଲସ୍) ହେବା ଇତ୍ୟାଦି ଲକ୍ଷଣ ପରିଲକ୍ଷିତ ହୋଇଥାଏ । ଏସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଜଣେ ଅଭିଜ୍ଞ ଚକ୍ଷୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।
କୋଲେଷ୍ଟ୍ରଲ୍ ଓ ସୁଗାର୍ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଉଚ୍ଚ ରକ୍ତଚାପର ନିୟନ୍ତ୍ରଣ ମଧ୍ୟ ଜରୁରୀ । ଡାଇବେଟିସ୍ ରୋଗୀ ବର୍ଷକୁ ଅତିକମ୍ରେ ଥରେ ନିଜର ଚକ୍ଷୁ ପରୀକ୍ଷା କରାଇ ନିଅନ୍ତୁ । ଗର୍ଭବତୀ ମହିଳା ଯଦି ଡାଇବେଟିସ୍ରେ ଆକ୍ରାନ୍ତ ହୋଇଥିବେ ତେବେ ଚିକିତ୍ସକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରନ୍ତୁ । ଡାଇବେଟିସ୍ ବା ମଧୁମେହର ସଠିକ୍ ଚିକିତ୍ସା ପାଇଁ ଜଣେ ଅଭିଜ୍ଞ ଅନ୍ତଃସ୍ରାବୀ ଗ୍ରନ୍ଥିରୋଗ ବିଶେଷଜ୍ଞ ବା ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ଙ୍କ ପରାମର୍ଶ ମଧ୍ୟ ନେବା ଉଚିତ । ଚକ୍ଷୁର ଉପଯୁକ୍ତ ଯତ୍ନ ନିଅନ୍ତୁ । ଜଣେ ଅଭିଜ୍ଞ ଡାଏଟିସିଆନ୍ଙ୍କ ପରାମର୍ଶ କ୍ରମେ ସନ୍ତୁଳିତ ଆହାର ସେବନ କରିବା ଉଚିତ । ଯଦି ଡାଇବେଟିସ୍ ବା ମଧୁମେହ ନିରୁପିତ ହେଲା, ତେବେ ତୁରନ୍ତ ଜଣେ ଅଭିଜ୍ଞ ଚକ୍ଷୁରୋଗ ବିଶେଷଜ୍ଞଙ୍କ ପାଖରେ ନିଜର ଚକ୍ଷୁ ପରୀକ୍ଷା କରାଇ ନିଅନ୍ତୁ । ଯଦି ଡାଇବେଟିକ୍ ରେଟିନୋପାଥି ନାହିଁ ବୋଲି ଜଣାପଡିଲା, ତେବେ ବର୍ଷେ ପରେ ପୁଣି ଥରେ ଚକ୍ଷୁ ପରୀକ୍ଷା କରାନ୍ତୁ ।
ଋକ୍ତରେ ସୁଗାର୍ (ଶର୍କରା) ଓ କୋଲେଷ୍ଟ୍ରଲ୍ର ମାତ୍ରା ଅଧିକ ହେଲେ ତଥା ଶରୀରରେ ଉଚ୍ଚ ରକ୍ତଚାପ ହେଲେ ଡାଇବେଟିକ୍ ରେଟିନୋପାଥି ଦେଖାଯିବାର ଆଶଙ୍କା ରହିଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ଲଡ୍ ସୁଗାର୍ ଓ କୋଲେଷ୍ଟ୍ରଲ୍ର ମାତ୍ରା ହ୍ରାସ କରିବା ପାଇଁ ପ୍ରଚେଷ୍ଟା କରନ୍ତୁ । ଏହା ସହ ଉଚ୍ଚ ରକ୍ତଚାପର ଚିକିତ୍ସା ମଧ୍ୟ ଅନିବାର୍ଯ୍ୟ । ଯଦି ଡାଇବେଟିକ୍ ରେଟିନୋପାଥି ପ୍ରାରମ୍ଭିକ ଅବସ୍ଥାରେ ଅଛି, ତେବେ ପ୍ରତି ୬ ମାସରେ ଥରେ ଚକ୍ଷୁ ପରୀକ୍ଷା କରାନ୍ତୁ ଏବଂ ଯଦି ଏହା ଗୁରୁତର ଅବସ୍ଥାରେ ଅଛି ତେବେ ପ୍ରତି ୩ ମାସରେ ଥରେ ଚକ୍ଷୁ ପରୀକ୍ଷା କରାନ୍ତୁ । ଡାଇବେଟିସ୍ ଦ୍ୱାରା କେବଳ ଯେ ଡାଇବେଟିକ୍ ରେଟିନୋପାଥି ପରି ଚକ୍ଷୁ ସମସ୍ୟା ଉତ୍ପନ୍ନ ହୁଏ ତା’ ନୁହେଁ, ଏହା ଦ୍ୱାରା ଗ୍ଲୁକୋମା, ରେଟିନାଲ୍ ଡିଟାଜ୍ମେଂଟ୍, ଏବଂ ଅନ୍ଧତ୍ୱ ଭଳି ଚକ୍ଷୁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଥାଏ ।

ଅନେକ ଅତ୍ୟାଧୁନିକ ପଦ୍ଧତି ଦ୍ୱାରା ଡାଇବେଟିକ୍ ରେଟିନୋପାଥିର ସଠିକ୍ ନିରୂପଣ ଓ ଚିକିତ୍ସା ସମ୍ଭବ ହେଲାଣି । ଫଣ୍ଡସ୍ ଏକ୍ଜାମିନେସନ୍, ଅପ୍ଟିକାଲ୍ କୋହୋରେନ୍ସ ଟମୋଗ୍ରାଫି (ଓସିଟି) ଏବଂ ଏଫ୍ଏଫ୍ ଆଞ୍ଜିଓଗ୍ରାଫି ଆଦି ପଦ୍ଧତି ଏହି ରୋଗର ଶୀଘ୍ର ନିରୂପଣ ପାଇଁ ଖୁବ୍ ଉପଯୋଗୀ; ଯ’ଦ୍ୱାରା ଗୁରୁତର ଦୃଷ୍ଟିହୀନତାକୁ ଏଡାଇ ଦିଆଯାଇପାରିବ । ଆଂଟି-ଭିିଇଜିଏଫ୍ ଇଞ୍ଜେକ୍ସନ୍, ଅତ୍ୟାଧୁନିକ ଭାଇଟ୍ରେକ୍ଟୋମି ସର୍ଜରୀ ଏବଂ ଲେଜର୍ ଟ୍ରିଟମେଂଟ୍ ମଧ୍ୟ ଅତ୍ୟନ୍ତ ଉପଯୋଗୀ । ଦୃଷ୍ଟିହୀନତାର ପ୍ରତିକାର ପାଇଁ ସବୁଠୁ ମହତ୍ୱପୂର୍ଣ୍ଣ ବିଷୟ ହେଉଛି ମଧୁମେହର ଉପଯୁକ୍ତ ନିୟନ୍ତ୍ରଣ, ନିୟମିତ ଚକ୍ଷୁ ପରୀକ୍ଷା ଏବଂ ଶୀଘ୍ର ଚିକିତ୍ସା ।