ଡା. ଜ୍ୟୋତି ରଞ୍ଜନ ପରିଡା । ସମ୍ ହସ୍‌ପିଟାଲ୍‌, ଭୁବନେଶ୍ୱରର ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗର ବିଭାଗୀୟ ମୂଖ୍ୟ । ଜଗତସିଂହପୁର ଜିଲ୍ଳାରେ ତାଙ୍କର ଜନ୍ମ । ପ୍ରଥମ ଓଡିଆ ଭାବେ ସେ ଏସ୍‌ଜିପିଜିଆଇଏମ୍‌ଏସ୍‌, ଲକ୍ଷ୍ନୌରୁ ଡି.ଏମ୍‌.(କ୍ଲିନିକାଲ୍ ଇମ୍ୟୁନୋଲୋଜି) ଶିକ୍ଷାରେ ସ୍ୱର୍ଣ୍ଣପଦକ ପାଇଛନ୍ତି । ୨୦୧୪ ମସିହାରେ ‘ପ୍ରଫେସର୍ ଆର୍‌. କେ. ଶର୍ମା ବେଷ୍ଟ କ୍ଲିନିସିଆନ୍ ଆୱାର୍ଡ’ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଏଯାବତ୍ ତାଙ୍କର ପ୍ରାୟ ୧୫ଟି ଗବେଷଣାତ୍ମକ ନିବନ୍ଧ ବିଭିନ୍ନ ଜାତୀୟ ଏବଂ ଆର୍ନ୍ତଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ । ଏହା ସହ ସେ ‘ଲୁପସ୍ ସହ ଜୀବନ’ ଓ ‘ମାଇ ଚାଇଲ୍ଡ ଇଜ୍ ଇନ୍ ପେନ୍‌’ ନାମକ ଦୁଇଟି ପୁସ୍ତକର ମଧ୍ୟ ରଚୟିତା । ବିଦେଶ ଯିବାର ସମସ୍ତ ସୁବିଧା ସୁଯୋଗକୁ ଆଡେଇ ଦେଇ ନିଜ ଲୋକଙ୍କ ସେବା କରିବାକୁ ଫେରିଆସନ୍ତି ଓଡିଶାକୁ । ଲୁପସ୍ ରୋଗୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏବଂ ସାଧାରଣ ଲୋକମାନଙ୍କ ମଧ୍ୟରେ ଲୁପସ୍ ବିଷୟରେ ସଚେତନତା ସୃଷ୍ଟି ପାଇଁ ଅନ୍ୟମାନଙ୍କ ସହାୟତାରେ ସେ ପ୍ରତିଷ୍ଠା କରିଛନ୍ତି ‘ଶ୍ରୀମତି ରଶ୍ମୀରେଖା ଲୁପସ୍ ଫାଉଣ୍ଡେସନ୍‌’ । ଓଡିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ୨୦୧୬ ମସିହାରେ ତାଙ୍କୁ ‘ଓଡିଶା ୟୁଥ୍ ଆଇକନ୍ ଆୱାର୍ଡ’ ମିଳିଛିି । ରୋଗୀସେବା ଯାହାଙ୍କ ଜୀବନ । ଖୁବ୍ ଶାନ୍ତ ସ୍ୱଭାବର । ସଫଳ ବ୍ୟକ୍ତିତ୍ୱ ।
ଆସନ୍ତୁ ଭେଟିବା ସେଭଳି ଜଣେ ସଫଳ ଯୁବ ଚିକିତ୍ସକଙ୍କୁ ।

୯୦% ରୋଗୀ ପାଉଥିବା ପେନିସିଲିନ୍ ଇଞ୍ଜେକସନ୍ ଅନାବଶ୍ୟକ
– ଡା. ଜ୍ୟୋତି ରଞ୍ଜନ ପରିଡା

ସ୍ୱା.ସ୍ୱ.- ‘ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି’ ବିଭାଗଟି କ’ଣ ଏବଂ ଆପଣ ଏହାକୁ ବାଛିବାର କାରଣ କ’ଣ ଥିଲା?
ଡା. ପରିଡା- ‘ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି’ ବିଭାଗଟି ଏକ ନୂଆ ବିଭାଗ । ଏହି ବିଭାଗରେ ଅଟୋଇମ୍ୟୁନ୍ ରୋଗର ଚିକିତ୍ସା କରାଯାଏ । ଆମ ଶରୀରରେ ରୋଗ ପ୍ରତିରୋଧକାରୀ ଶକ୍ତି ଯୋଗୁଁ ରୋଗ ସୃଷ୍ଟି ହୋଇପାରେ ନାହିଁ; କିନ୍ତୁ କିଛି କ୍ଷେତ୍ରରେ ଏହି ରୋଗ ପ୍ରତିରୋଧକାରି ଶକ୍ତି ହିଁ ଶରୀରରେ ରୋଗ ସୃଷ୍ଟିର କାରଣ ହୋଇଥାଏ ଏବଂ ଶରୀରରେ କ୍ଷତି ପହଞ୍ଚାଇଥାଏ । ଫଳରେ ଗଣ୍ଠିରେ ପ୍ରହାହ ହୋଇ ଗଣ୍ଠିବାତ ରୋଗ ହୋଇଥାଏ । ଯଦିଓ ଏହି ରୋଗରେ ଗଣ୍ଠିଗୁଡିକ ମୂଖ୍ୟତଃ ପ୍ରଭାବିତ ହୋଇଥାଏ; ଏହାକୁ ଛାଡି ମସ୍ତିଷ୍କ, ସ୍ନାୟୁ, ଚକ୍ଷୁ, ହୃଦୟ, ଫୁସ୍‌ଫୁସ୍‌, ଯକୃତ ଏବଂ ବୃକକ୍ ଆଦି ଅଙ୍ଗମାନଙ୍କର ମଧ୍ୟ କ୍ଷତି ଘଟିଥାଏ ।
ମୁଁ ଯେତେବେଳେ ଏସ୍‌ସିବିରେ ମେଡିସିନ୍ ପିଜି କରୁଥିଲି, ସେତେବେଳେ ଦେଖିଛି ଅନେକ ରୋଗୀ ଏହି ଅଟୋଇମ୍ୟୁନ୍ ରୋଗର ଶିକାର ହୋଇ ଚିକିତ୍ସା ପାଇଁ ଆସୁଥିଲେ । କିନ୍ତୁ ଅଜ୍ଞାନ ବଶତଃ ରୋଗ ଆରମ୍ଭ ହେବାର ବହୁ ବିଳମ୍ବରେ ଆସୁଥିଲେ । ଫଳରେ ସେତେବେଳକୁ କାହାର ଆଙ୍ଗୁଠି ବଙ୍କା ହୋଇ ସାରିଥିବ, କିଏ ଅର୍କମଣ୍ୟ ହୋଇ ସାରିଥିବ ବା ଅତ୍ୟଧିକ ବିଳମ୍ବ ହେଲେ କାହାର ମୃତ୍ୟୁ ମଧ୍ୟ ହୋଇଥାଏ । ଆମ ରାଜ୍ୟରେ ଏହି ରୋଗର ଚିକିତ୍ସା ପାଇଁ ଖୁବ୍ କମ୍ ଡାକ୍ତର ଅଛନ୍ତି । ସେହି ରୋଗୀମାନଙ୍କ କଷ୍ଟ ମୋ ମନକୁ ଖୁବ୍ ଆନ୍ଦୋଳିତ କରିଥିଲା । ତେଣୁ ମୁଁ ‘ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି’ ବିଷୟକୁୁ ବାଛିଥିଲି ।

ସ୍ୱା.ସ୍ୱ.- ଆର୍ଥ୍ରାଇଟିସ୍ ଚିକିତ୍ସାରେ ଆପଣ ଯଥେଷ୍ଟ ନାଁ କମାଇ ସାରିଲେଣି । ତେବେ ବର୍ତ୍ତମାନ ସୁଦ୍ଧା ଏଥିପ୍ରତି ପ୍ରକୃତ ଜନସଚେତନତା ସୃଷ୍ଟି ହୋଇପାରିନାହିଁ କାହିଁକି?
ଡା. ପରିଡା- କେବଳ ଓଡିଶାରେ ନୁହେଁ, ସାରା ଭାରତବର୍ଷରେ ‘ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି’ ବିଷୟଟି ଏକ ପ୍ରାରମ୍ଭିକ ଅବସ୍ଥାରେ ଅଛି । ଏବେ ବି ଏହି ରୋଗଗୁଡିକୁ ଅର୍ଥୋପେଡିକ୍ ଓ ମେଡିସିନ୍ ବିଭାଗର ଡାକ୍ତରମାନଙ୍କୁ ଦେଖିବାକୁ ପଡୁଛି । ମତେ ଲାଗେ ଏଥିପାଇଁ ଦୁଇଟି ଜିନିଷ ଦାୟୀ । ଗୋଟିଏ ହେଉଛି ରୋଗୀ ଓ ଡାକ୍ତରମାନଙ୍କ ମଧ୍ୟରେ ସଚେତନତାର ଅଭାବ ଏବଂ ଦ୍ୱିତୀୟରେ ଏହି ବିଭାଗରେ ଆବଶ୍ୟକତା ଅନୁଯାୟୀ ଯଥେଷ୍ଟ ଡାକ୍ତର ମଧ୍ୟ ନାହାନ୍ତି ।

ସ୍ୱା.ସ୍ୱ.- ଆର୍ଥ୍ରାଇଟିସ୍‌ର କେଉଁ କେଉଁ ଲକ୍ଷଣ ଦେଖାଗଲେ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ?
ଡା. ପରିଡା- ଗଣ୍ଠିରେ ଦରଜ ହେବା ଓ ଫୁଲା ରହିବା, ସକାଳୁ ଉଠିଲେ ଗଣ୍ଠି ପୀଡା ହେବା, ଖଟରେ କଡ ଲେଉଟେଇବା କଷ୍ଟକର ହେବା, ତଳେ ବସିବା ଉଠିବାରେ ଅସୁବିଧା ହେବା, ଲେଖାଲେଖିôରେ ଅସୁବିଧା ହେବା, ଅଟା ଚକଟିବାରେ ଅସୁବିଧା ହେବା ଏବଂ ଆଙ୍ଗୁଠି ଫୁଲି ଯାଇ ମୁଦି ବାହାରି ନ ପାରିବା, ଛୋଟେଇ ଛୋଟେଇ ଚାଲିବା, ଗୋଡ ଫୁଲିଯାଇ ଚଲାବୁଲାରେ ଅସୁବିଧା ହେବା, ଜ୍ୱର ହେବା ବା ଜରୁଆ ଜରୁଆ ଲାଗିବା ଆଦି ଲକ୍ଷଣ ଦେଖାଗଲେ ଜଣେ ଇମ୍ୟୁନୋଲୋଜିଷ୍ଟ ବା ର‌୍ୟୁମାଟୋଲୋଜିଷ୍ଟଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ ।

ସ୍ୱା.ସ୍ୱ.- ଆର୍ଥ୍ରାଇଟିସ୍ ରୋଗରେ ଗଣ୍ଠିଗୁଡିକୁ ଛାଡି ଆଉ କେଉଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହୋଇପାରେ?
ଡା. ପରିଡା- ଆଖି ପ୍ରଭାବିତ ହୋଇ ଅନ୍ଧତ୍ୱ ଆସିପାରେ । ହୃଦ୍ ରୋଗ ହେବାର ସମ୍ଭାବନା ହୋଇପାରେ । ୟୁରିକ୍ ଏସିଡ୍ ବୃଦ୍ଧି ହୋଇ ‘ଗାଉଟ୍‌’ ହୁଏ ଏବଂ ‘କିଡ୍‌ନି ଷ୍ଟୋନ୍‌’ ଓ ‘କିଡ୍‌ନି ଫେଲ୍ୟୁଅର୍‌’ ମଧ୍ୟ ହୋଇପାରେ । ଏହା ସହ ବେଳେବେଳେ ଫୁସ୍‌ଫୁସ୍ ଆକ୍ରାନ୍ତ ହୋଇ ‘ଇଣ୍ଟରଷ୍ଟିସିଆଲ୍ ଲଙ୍ଗସ୍ ଡିଜିଜ୍‌’ (ଆଇ.ଏଲ୍‌.ଡି.) ଦେଖାଯାଏ ଓ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହୋଇଥାଏ । ମସ୍ତିଷ୍କ ଓ ସ୍ନାୟୁ ପ୍ରଭାବିତ ହେଲେ ରୋଗୀ ଅପସ୍ମାର ଏବଂ ପକ୍ଷାଘାତ ରୋଗର ମଧ୍ୟ ଶିକାର ହୋଇଥାଏ ।

ସ୍ୱା.ସ୍ୱ.- ଗଣ୍ଠିବାତ ବା ଆର୍ଥ୍ରାଇଟିସ୍ ରୋଗର ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ କି?
ଡା. ପରିଡା- ଗଣ୍ଠିବାତ ବା ଆର୍ଥ୍ରାଇଟିସ୍ ରୋଗ ହେଉଛି ଡାଇବେଟିସ୍‌, ରକ୍ତଚାପ ଓ ଶ୍ୱାସ ରୋଗ ଭଳି ଏକ ଦୀର୍ଘସ୍ଥାୟୀ ରୋଗ । ଏହି ସବୁ ରୋଗରେ ସମ୍ପୂର୍ଣ୍ଣ ଆରୋଗ୍ୟ ନ ହେଲେ ବି ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗମାନଙ୍କୁ ନିୟନ୍ତ୍ରଣରେ ରଖିଲେ ଜଣେ ରୋଗୀ ସାଧାରଣ ଜୀବନଯାପନ କରିପାରିବ । ବହୁ ସମୟରେ ଉପଯୁକ୍ତ ଚିକିତ୍ସା ଉପଲବ୍ଧ ଥିଲେ ମଧ୍ୟ ଔଷଧର ପାଶ୍ୱର୍ ପ୍ରତିକ୍ରିୟା ପାଇଁ ରୋଗୀ ମଧ୍ୟରେ ଅହେତୁକ ଭୟ ଏବଂ ଅନେକ ଅନ୍ଧବିଶ୍ୱାସ ଯୋଗୁଁ ରୋଗୀମାନେ ଅସୁବିଧାରେ ପଡିଥାନ୍ତି । ତେଣୁ ଅଯଥା ଭୟଭୀତ ନ ହୋଇ ସଠିକ୍ ଡାକ୍ତରଙ୍କ ଉପଯୁକ୍ତ ପରାମର୍ଶ ନେଲେ ଏବଂ ନିୟମିତ ବ୍ୟବଧାନରେ ତାଙ୍କ ପାଖରେ ଦେଖାଇଲେ ରୋଗ ନିୟନ୍ତ୍ରଣରେ ରହିବା ସହ ପାଶ୍ୱର୍ ପ୍ରତିକ୍ରିୟାର ଭୟ ନ ଥାଏ ।

ସ୍ୱା.ସ୍ୱ.- ଓଡିଶାରେ ର‌୍ୟୁମାଟୋଲୋଜିର ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ହେଲାଣି କି?
ଡା. ପରିଡା- କିଛି ବର୍ଷ ଆଗରୁ ଓଡିଶାରେ ର‌୍ୟୁମାଟୋଲୋଜିର ବିଶେଷ ଚିକିତ୍ସା ସୁବିଧା ଉପଲବ୍ଧ ନ ଥିବାରୁ ରୋଗୀମାନେ ଚିକିତ୍ସା ପାଇଁ ବାହାରକୁ ଯାଉଥିଲେ । କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । ବର୍ତ୍ତମାନ ଆମ ରାଜ୍ୟରେ ମଧ୍ୟ ର‌୍ୟୁମାଟୋଲୋଜିର ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ହେଲାଣି । ସବୁ ପ୍ରକାରର ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ୍ ଫ୍ୟାସିଲିଟି ଯେପରିକି ଅଟୋ ଆଣ୍ଟିବଡି ଟେଷ୍ଟ୍ ଭଳି ରକ୍ତ ପରୀକ୍ଷା ଉପଲବ୍ଧ ହେଲାଣି । ରୋଗର ତୀବ୍ରତା ବଢ଼ିଲେ ତା’କୁ ନିୟନ୍ତ୍ରଣ ପାଇଁ ବାୟୋଲୋଜିକାଲ୍ ମେଡିସିନ୍ ବି ଉପଲବ୍ଧ ହେଲାଣି । ସମ୍ ହସ୍‌ପିଟାଲ୍‌ରେ ମସ୍କ୍ୟୁଲୋସ୍କେଲିଟାଲ୍ ଅଲ୍‌ଟ୍ରାସାଉଣ୍ଡ୍ ମେସିନ୍ ଦ୍ୱାରା ମଧ୍ୟ ରୋଗ ନିରୂପଣ କରାଯାଇପାରୁଛି । ଉଚ୍ଚ ତାଲିମ ପ୍ରାପ୍ତ ଡାକ୍ତରମାନେ ଆମ ରାଜ୍ୟରେ ସେବା ଯୋଗାଇ ଦେଉଛନ୍ତି ।

ସ୍ୱା.ସ୍ୱ.- ଜଣେ ସୁପରିଚିତ ଇମ୍ୟୁନୋଲୋଜିଷ୍ଟ ବା ର‌୍ୟୁମାଟୋଲୋଜିଷ୍ଟ ଭାବେ ଆପଣଙ୍କ ସାମଗ୍ରିକ ଉପଲବ୍ଧି କ’ଣ ରହିଛି?
ଡା. ପରିଡା- ଆର୍ଥ୍ରାଇଟିସ୍ ହେଉଛି ଏକ ଦୀର୍ଘସ୍ଥାୟୀ ରୋଗ । ତେଣୁ ଏହି ରୋଗ ବିଷୟରେ ରୋଗୀଙ୍କୁ ଶିକ୍ଷା ଦେବା ନିହାତି ଆବଶ୍ୟକ । ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ସୁସର୍ମ୍ପକ ରହିବା ଉଚିତ । ରୋଗୀ ଆରମ୍ଭରେ ଡାକ୍ତରଙ୍କ କଥା ମାନି ଚଳନ୍ତି, କିନ୍ତୁ ପରେ ପରେ ଅବହେଳା କରିଦିଅନ୍ତି । ଠିକ୍ ମାତ୍ରାରେ ଔଷଧ ଖାଆନ୍ତି ନାହିଁ ଏବଂ ବେଳେବେଳେ ବିଭିନ୍ନ ପ୍ରକାରର ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଲଗା ଉପଚାର କରିଥାନ୍ତି । ଏହି ସମୟରେ ବହୁ ରୋଗୀ ଅଲ୍‌ଟର୍‌ନେଟିଭ୍ ମେଡିସିନ୍‌ର ଔଷଧ ସେବନ କରନ୍ତି ଏବଂ ପରବର୍ତ୍ତୀ ଅବସ୍ଥାରେ ବେଶୀ ଅସୁବିଧାରେ ପଡନ୍ତି । ତେଣୁ ଏନେଇ ପ୍ରଚୁର ଜନ ସଚେତନତା ଆବଶ୍ୟକ ।
ଆଉ ଗୋଟେ କଥା ହେଉଛି ପେନିସିଲିନ୍‌ର ଅଯଥା ବ୍ୟବହାର ବନ୍ଦ ହେବା ଉଚିତ । ଆଗରୁ ଯେତେବେଳେ ଆର୍ଥ୍ରାଇଟିସ୍ ବିଷୟରେ ବିଶେଷ ସଚେତନତା ନ ଥିଲା, ସେତେବେଳେ ରୋଗୀମାନଙ୍କ ରକ୍ତର ଏଏସ୍‌ଓ ପରୀକ୍ଷା କରି ତାଙ୍କୁ ପେନିସିଲିନ୍ ଇଞ୍ଜେକସନ୍ ଦିଆଯାଉଥିଲା । କିନ୍ତୁ ଏବେ ଜଣାପଡୁଛି ଯେ, ୯୦% ରୋଗୀ ପାଉଥିବା ପେନିସିଲିନ୍ ଇଞ୍ଜେକସନ୍ ଅନାବଶ୍ୟକ । ବେଳେବେଳେ ଏହା ଭୟଙ୍କର ଆଲର୍ଜି କରାଇ ରୋଗୀକୁ ମୃତ୍ୟୁମୁଖକୁ ଟାଣି ନେଇଥାଏ । କେବଳ ଛୋଟ ଛୁଆଙ୍କୁ ହେଉଥିବା ର‌୍ୟୁମାଟିକ୍ ଫିଭର୍ ନାମକ ଏକ ରୋଗରେ ହିଁ ପେନିସିଲିନ୍ ଇଞ୍ଜେକସନ୍ ଦିଆଯିବା ଉଚିତ ।

ସ୍ୱା.ସ୍ୱ.- ଆପଣଙ୍କ ସଫଳତାର ମନ୍ତ୍ର?
ଡା. ପରିଡା- ବାପା-ମାଙ୍କ ଆର୍ଶିବାଦ ଏବଂ ଈଶ୍ୱରଙ୍କ କରୁଣା । ଆମେ ଈଶ୍ୱର ବିଶ୍ୱାସୀ ହେବା ଉଚିତ । ସଫଳତା ପାଇବା ପାଇଁ କୌଣସି ସର୍ଟକର୍ଟ ନାହିଁ । ଲକ୍ଷ୍ୟ ସ୍ଥିର କରି ସେହି ଦିଗରେ ଉଦ୍ୟମ କଲେ ସଫଳତା ନିଶ୍ଚିତ ମିଳିବ ।

ସ୍ୱା.ସ୍ୱ.- ସବୁଠୁ ଖୁସିର ମୁହୂର୍ତ୍ତ?
ଡା. ପରିଡା- ପ୍ରାୟତଃ ଆର୍ଥ୍ରାଇଟିସ୍ ରୋଗୀ ମୋ ପାଖକୁ ପ୍ରଥମ ଥର ଆସିଲା ବେଳେ ହ୍ୱିଲ୍ ଚେୟାର୍‌ରେ ଆସିଥାନ୍ତି ଏବଂ ରୋଗୀ ତଥା ତାଙ୍କର ସର୍ମ୍ପକୀୟ ବହୁତ ଆତଙ୍କିତ ଥା’ନ୍ତି । କିନ୍ତୁ କିଛିଦିନର ଚିକିତ୍ସା ପରେ ଯେତେବେଳେ ରୋଗୀ ଭଲ ହୋଇ ନିଜେ ଚାଲି ଚାଲି ଆସି ମତେ ମୁଣ୍ଡିଆଟେ ମାରେ, ତାହା ମତେ ସବୁଠୁ ବେଶୀ ଖୁସି ଦିଏ ।
ଅନେକ ଉଦାହରଣ ଅଛି । ହେଲେ ମୁଁ ଏବେ ଜଣଙ୍କ କଥା କହିଦିଏ । ରାଉରକେଲାର ମୀନତି ୱାରିୟର୍ ୧୦ ବର୍ଷ ଧରି କଷ୍ଟ ପାଉଥିଲେ; ଏପରିକି ସେ ଶଯ୍ୟାଶାୟୀ ମଧ୍ୟ ହୋଇପଡିଥିଲେ । ଅନେକ ରକମର ଚିକିିତ୍ସା ପରେ ଶେଷରେ ସେ ମୋ ପାଖକୁ ଚିକିତ୍ସା ପାଇଁ ଆସିଲେ । ଚିକିତ୍ସା ଆରମ୍ଭ ହେଲା । ଆଶ୍ଚର୍ଯ୍ୟ… ମାସେ ପରେ ସେ ଯେତେବେଳେ ମୋ ପାଖକୁ ନିଜେ ଚାଲି ଚାଲି ଚେକ୍‌ଅପ୍ ପାଇଁ ଆସିଲେ ଏବଂ ସେ ଏତେ ସୁସ୍ଥ ହୋଇଥିଲେ ଯେ, ହଠାତ୍ ମୁଁ ତାଙ୍କୁ ଚିହ୍ନି ପାରି ନ ଥିଲି!
ରୋଗୀଟିଏ ଭଲ ହେବାଟା ହିଁ ମୋ ପାଇଁ ବଡ ଖୁସି ।

ସ୍ୱା.ସ୍ୱ.- ଅବସର କେମିତି କଟେ?
ଡା. ପରିଡା- ସାଧାରଣତଃ ମୁଁ ସେତେଟା ଅବସର ସମୟ ପାଏନି । ସକାଳ ୮ଟା ରୁ ରାତି ୧୦ଟା ଯାଏଁ ଖୁବ୍ ବ୍ୟସ୍ତ ରହିବାକୁ ପଡେ । ତଥାପି ଯେତେବେଳେ ଟିକେ ଅବସର ପାଏ, ମୁଁ ମୋ ପରିବାରକୁ ହିଁ ସମୟ ଦିଏ । ମୋ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ବାହାରକୁ ବୁଲିବାକୁ ଯାଏ । ହିନ୍ଦୀ ସିନେମା ଦେଖିବା ମୋ’ର ଏକ ଦୁର୍ବଳତା ।

ସ୍ୱା.ସ୍ୱ.- ଭବିଷ୍ୟତ ଯୋଜନା?
ଡା. ପରିଡା- ଓଡିଶାରେ ଗୋଟିଏ ଅତ୍ୟାଧୁନିକ ‘ଆର୍ଥ୍ରାଇଟିସ୍ ଗବେଷଣା ଓ ଚିକିତ୍ସା କେନ୍ଦ୍ର’ ସ୍ଥାପନ କରିବା; ଯେଉଁଠି ଗୋଟେ ଛାତ ତଳେ ରୋଗୀଙ୍କୁ ସୁଲଭ ମୂଲ୍ୟରେ ଆର୍ଥ୍ରାଇଟିସ୍‌ର ଉତ୍ତମ ଚିକିତ୍ସା ଯୋଗାଇ ଦେଇ ହେବ । ଏବଂ ତାଙ୍କୁ ଅଯଥା ହଇରାଣ ହରକତ ହେବାକୁ ପଡିବ ନାହିଁ ।

ସ୍ୱା.ସ୍ୱ.- ‘ସ୍ୱାସ୍ଥ୍ୟ ସ୍ୱର’ ସର୍ମ୍ପକରେ ପଦେ?
ଡା. ପରିଡା- ମୁଁ ‘ସ୍ୱାସ୍ଥ୍ୟ ସ୍ୱର’କୁ ସାଧୁବାଦ ଜଣାଉଛି । ଡାକ୍ତରଙ୍କ କଥା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଯେଉଁ ଅସୁବିଧା ରହିଛି, ତାହା ‘ସ୍ୱାସ୍ଥ୍ୟ ସ୍ୱର’ ମାଧ୍ୟମରେ ନିଶ୍ଚିତ ଭାବରେ ଦୂର ହୋଇପାରିବ । ଜନ ସଚେତନତା ସୃଷ୍ଟି ହେବ । ‘ସ୍ୱାସ୍ଥ୍ୟ ସ୍ୱର’ର ସଫଳତା କାମନା କରୁଛି ।