ଡା. ସିନି ଏସ୍ ଭେନୁଗୋପାଲ୍ । ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ । ବନ୍ଧ୍ୟାଦୋଷର ଚିକିତ୍ସା ତଥା ଅନ୍ୟାନ୍ୟ ସ୍ତ୍ରୀ ରୋଗ ଚିକିତ୍ସାରେ ତାଙ୍କର ଯଥେଷ୍ଟ ପ୍ରସିଦ୍ଧି ରହିଛି । ଖାରବେଳ ନଗର, ଭୁବନେଶ୍ୱରରେ ‘ଜେନିସ୍କ ଫର୍ଟିଲିଟି କେୟାର ଆଣ୍ଡ୍ ୱିମେନ୍ ହେଲ୍‌ଥ କ୍ଲିନିକ୍‌’ ନାମରେ ତାଙ୍କର ଏକ କ୍ଲିନିକ୍ ରହିଛି, ଯେଉଁଠାରେ ଅତ୍ୟାଧୁନିକ ପଦ୍ଧତିରେ ବନ୍ଧ୍ୟାଦୋଷ ଓ ବିଭିନ୍ନ ସ୍ତ୍ରୀ ରୋଗର ଚିକିତ୍ସା ହୁଏ ।
ସ୍ୱଭାବରେ ସେ ଖୁବ୍ ଶାନ୍ତ, ସରଳ ଓ ମିଷ୍ଟଭାଷୀ । ତାଙ୍କ ସହ ମିଶିଲେ ହିଁ ଜାଣିହୁଏ ତାଙ୍କ ବ୍ୟକ୍ତିତ୍ୱର ବ୍ୟାପକତା । ଲେଖାପଢ଼ା, ଚିତ୍ରାଙ୍କନ ଆଦିରେ ମଧ୍ୟ ତାଙ୍କର ରୁଚି ରହିଛି ।
ଆସନ୍ତୁ ତାଙ୍କ ସହ କଥା ହେବା ଏଥର ।

ପ୍ରଜନନ ସ୍ୱାସ୍ଥ୍ୟ ସଚେତନତାକୁ ଆହୁରି ବ୍ୟାପକ କରିବା ଉଚିତ
– ଡା. ସିନି ଏସ୍ ଭେନୁଗୋପାଲ୍‌

ସ୍ୱା. ସ୍ୱ. : ଡାକ୍ତରୀ କ୍ଷେତ୍ରକୁ କେମିତି ଆସିଲେ?
ଡା. ସିନି: ମୋ ମା’ଙ୍କ ଇଚ୍ଛା ଥିଲା ତାଙ୍କ ଝିଅ ଡାକ୍ତର ହୋଇ, ସମାଜର ସେବା କରୁ । ଏକଥା ଶୁଣି ଶୁଣି ପିଲାଟି ଦିନରୁ ମୋର ମଧ୍ୟ ଡାକ୍ତର ହେବା ଅଭିଳାଷ ହୋଇଥିଲା । ଆଉ ଚକିତ୍ସା ବୃତ୍ତି ହେଉଛି ଏକ ଆଦର୍ଶ ଏବଂ ଏକ ସମ୍ମାନାସ୍ପଦ ବୃତ୍ତି । ରୋଗ କଷ୍ଟ ଦୂର କରିପାରନ୍ତି ବୋଲି ତ ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ଅବତାର ବୋଲି ମଧ୍ୟ କୁହାଯାଏ । ତେଣୁ ଏଥିପାଇଁ ପ୍ରଚେଷ୍ଟା ଆରମ୍ଭ ହେଲା ଏବଂ ଈଶ୍ୱରଙ୍କ ଆଶୀର୍ବାଦରୁ ଡାକ୍ତରଟିଏ ହୋଇପାରିଲି । ରୋଗୀଙ୍କ କଷ୍ଟ ନିବାରଣରେ ମାଧ୍ୟମଟିଏ ହୋଇ ପାରୁଥିବାରୁ ନିଜକୁ ମୁଁ ଧନ୍ୟ ମନେକରୁଛି ।

ସ୍ୱା. ସ୍ୱ. : ବନ୍ଧ୍ୟାଦୋଷ କହିଲେ ପ୍ରକୃତରେ କ’ଣ ବୁଝିବା?
ଡା. ସିନି: ଦମ୍ପତି ଯଦି ସନ୍ତାନ ପ୍ରାପ୍ତି ପାଇଁ ପ୍ରଚେଷ୍ଟା ଆରମ୍ଭ କରିବାର ଏକ ବର୍ଷ ପର୍ଯ୍ୟନ୍ତ ଗର୍ଭସଞ୍ଚାର ବା କନସିଭ୍ ହେଲା ନାହିଁ, ତାହାକୁ ବନ୍ଧ୍ୟାଦୋଷ ବୋଲି ବୁଝାଯାଏ ।
ଟିକେ ଅଧିକ ବୟସର ଦମ୍ପତି (୩୫ ବର୍ଷ ବୟସରୁ ଅଧିକ) ଯଦି ସନ୍ତାନ ପ୍ରାପ୍ତି ପାଇଁ ପ୍ରଚେଷ୍ଟା ଆରମ୍ଭ କରିବାର ୬ ମାସ ମଧ୍ୟରେ ଗର୍ଭସଞ୍ଚାର ହେଲା ନାହିଁ, ତେବେ ଜଣେ ଅଭିଜ୍ଞ ବନ୍ଧ୍ୟାଦୋଷ ବିଶେଷଜ୍ଞ ବା ଫର୍ଟିଲିଟି କନସଲଟାଣ୍ଟଙ୍କ ପରାମର୍ଶ ନେବା ଉଚିତ ।

ସ୍ୱା. ସ୍ୱ. : ଆମ ସମାଜରେ ନିଃସନ୍ତାନ ଦମ୍ପତିଙ୍କ କ୍ଷେତ୍ରରେ ସାଧାରଣତଃ ସ୍ତ୍ରୀକୁ ସବୁବେଳେ ଦୋଷାରୋପ କରାଯାଏ । ତେବେ ସତରେ କ’ଣ ନିଃସନ୍ତାନ ହେବା ପଛରେ ଖାଲି ମହିଳାଙ୍କର ସମସ୍ୟା ଥାଏ?
ଡା. ସିନି: ଆପଣ ଗୋଟେ ଭଲ ପ୍ରଶ୍ନ ପଚାରିଛନ୍ତି । ଆମେ ମଧ୍ୟ ଦେଖୁଛୁ ସମାଜରେ ସ୍ତ୍ରୀ ଲୋକଙ୍କୁ ଏ କ୍ଷେତ୍ରରେ ବେଶି ଦୋଷାରୋପ କରାଯାଉଛି । କିନ୍ତୁ ମନେରଖନ୍ତୁ, ନିଃସନ୍ତାନ ହେବା ପଛରେ କେବଳ ଯେ ସ୍ତ୍ରୀ ଲୋକର ସମସ୍ୟା ଥିବ, ସେମିତି ଆଦୌ ମାନେ ନାହିଁ । ପୁରୁଷ ଲୋକର ସମସ୍ୟା ମଧ୍ୟ ଥାଇପାରେ । ତେଣୁ କାହାକୁ ବି ଦୋଷାରୋପ କରିବା ଆଦୌ ଉଚିତ ନୁହେଁ । ଆମ ସମାଜରେ ଏବେ ବି ସାମାଜିକ ସଚେତନତାର ଅଭାବ ଅଛି । ସେମିତିରେ ତ ଗୋଟେ ନିଃସନ୍ତାନ ଦମ୍ପତି ଖୁବ୍ ମାନସିକ ଅବସାଦରେ ଥାଆନ୍ତି, ସେଥିରେ ପୁଣି ସମାଜରେ ସେମାନଙ୍କୁ ନାନା କଟୁକଥା ଶୁଣିବାକୁ ମିଳେ ବା ସେମାନେ ସମାଲୋଚନାର ଶିକାର ହୋଇଥାନ୍ତି ।
ଚିନ୍ତାର ବିଷୟ, ପୁରୁଷ ବନ୍ଧ୍ୟାଦୋଷ କିନ୍ତୁ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଭବିଷ୍ୟତରେ ପୁରୁଷ ବନ୍ଧ୍ୟାଦୋଷ ବହୁଳ ପରିମାଣରେ ଦେଖାଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
ସେଥିପାଇଁ ଯେତେବେଳେ ବନ୍ଧ୍ୟାଦୋଷର ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଉଛନ୍ତି, ସ୍ୱାମୀ-ସ୍ତ୍ରୀ ଦି’ଜଣଯାକ ଯାଆନ୍ତୁ, ଯଦ୍ୱାରା ଏହାର ଚିକିତ୍ସାରେ ଶୀଘ୍ର ସଫଳତା ମିଳିପାରିବ ।

ସ୍ୱା. ସ୍ୱ. :ବନ୍ଧ୍ୟାଦୋଷର ଅତ୍ୟାଧୁନିକ ଚିକିତ୍ସା କ’ଣ ଉପଲବ୍ଧ ରହିଛି?
ଡା. ସିନି: ଏବେ ତ ବନ୍ଧ୍ୟାଦୋଷର ଅନେକ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ହେଲାଣି । ଯଥା – ଆଇଭିଏଫ୍ (ଇନଭାଇଟ୍ରୋଫର୍ଟିଲାଇଜେସନ୍‌) ଆଇସିଏସଆଇ (ଇଂଟ୍ରସାଇଟ୍ରୋପ୍ଲାଜମିକ୍ ସ୍ପର୍ମ ଇଞ୍ଜେକସନ) ଏବଂ ଆଇଏମଏସଆଇ (ଇଂଟ୍ରାସାଇଟ୍ରୋପ୍ଲାଜମିକ୍ ମର୍ଫୋଲୋଜିକାଲ୍ ନର୍ମାଲ୍ ସ୍ପର୍ମ ଇଞ୍ଜେକସନ୍‌) ଇତ୍ୟାଦି ।
ଆଗରୁ ବନ୍ଧ୍ୟାଦୋଷର ଚିକିତ୍ସା ପାଇଁ ନିଃସନ୍ତାନ ଦମ୍ପତିମାନେ ଓଡ଼ିଶା ବାହାରକୁ ଯିବାକୁ ପଡ଼ୁଥିଲା, ଯଉଥିପାଇଁ ତାଙ୍କୁ ଅନେକ ହଇରାଣ ହେବାକୁ ବି ପଡୁଥିଲା । ହେଲେ ଏବେ ଆମ ରାଜ୍ୟରେ ମଧ୍ୟ ଏସବୁ ସୁବିଧା ଉପଲବ୍ଧ ହେଲାଣି । ଆମ ଜେନିକ୍ସ ଫର୍ଟିଲିଟି ସେଂଟର୍‌ରେ ମଧ୍ୟ ଅନେକ ନିଃସନ୍ତାନ ଦମ୍ପତି ଚିକିତ୍ସା ଦ୍ୱାରା ସନ୍ତାନପ୍ରାପ୍ତ କରିଛନ୍ତି ।

ସ୍ୱା. ସ୍ୱ. : ଏସବୁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି କେତେ ସୁରକ୍ଷିତ?
ଡା. ସିନି: ଏହା ସମ୍ପୂର୍ଣ୍ଣ ସୁରକ୍ଷିତ । ପୂର୍ବରୁ ଯେଉଁ କିଛି ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଉଥିଲା, ଏବେ ଅତ୍ୟାଧୁନିକ ଉପଚାର ଫଳରେ ସେସବୁ ହ୍ରାସ ପାଇଛି । ହଁ, କିଛି ବିରଳ କ୍ଷେତ୍ରରେ ଅତି ସର୍ବନିମ୍ନ ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଏ, ଯାହାକୁ ସଠିକ୍ ଉପାୟରେ ନିରାକରଣ ମଧ୍ୟ କରାଯାଇପାରୁଛି ।
ତେଣୁ ନିଃସନ୍ତାନ ଦମ୍ପତିମାନେ ମନରେ କୌଣସି ପ୍ରକାର ଦ୍ୱିଧା ନ ରଖି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ସ୍ୱା. ସ୍ୱ. : ଏସବୁ ପଦ୍ଧତି କ’ଣ ବ୍ୟୟବହୁଳ?
ଡା. ସିନି: ସବୁ ପଦ୍ଧତି ବ୍ୟୟବହୁଳ ନୁହେଁ । ଯେତେ ଶୀଘ୍ର ଚିକିତ୍ସା ଆରମ୍ଭ ହେବ, ସେତେ ଅଳ୍ପ ଖର୍ଚ୍ଚରେ ସଠିକ୍ ଚିକିତ୍ସା ମିଳିପାରିବ । ବୟସ୍କ ଦମ୍ପତିମାନେ କିମ୍ବା ଯେଉଁମାନଙ୍କର କିଛି ଗମ୍ଭୀର ପ୍ରଜନନ ସମସ୍ୟା ଥିବ, ସେମାନଙ୍କ କ୍ଷେତ୍ରରେ ଚିକିତ୍ସା ଅନୁସାରେ ଖର୍ଚ୍ଚ ଟିକେ ଅଧିକ ହୋଇପାରେ ।

ସ୍ୱା. ସ୍ୱ. : ବନ୍ଧ୍ୟାଦୋଷର ପ୍ରତିକାର କେମିତି କରାଯାଇପାରିବ?
ଡା. ସିନି: ଦେଖନ୍ତୁ, ବନ୍ଧ୍ୟାଦୋଷର ସମ୍ପୂର୍ଣ୍ଣ ପ୍ରତିକାର ସେତେଟା ସହଜ ନୁହେଁ । ତଥାପି ଜୀବନଶୈଳୀରେ କିଛିଟା ପରିବର୍ତନ ଆଣିଲେ ବନ୍ଧ୍ୟାଦୋଷକୁ କେତେକାଂଶରେ ପ୍ରତିକାର କରାଯାଇପାରିବ; ଯଥା- ଧୂମପାନ ବର୍ଜନ, ମଦ୍ୟପାନରୁ ଦୂରେଇ ରହିବା, ନିୟମିତ ଶାରୀରିକ ବ୍ୟାୟାମ କରିବା, ସନ୍ତୁଳିତ ଆହାର ସେବନ କରିବା, ପର୍ଯ୍ୟାପ୍ତ ପରିମାଣରେ ଶୋଇବା, ମାନସିକ ଚାପରୁ ଦୂରେଇ ରହିବା ଓ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ ଆଦିରୁ ଯଥା ସମ୍ଭବ ଦୂରେଇ ରହିବା ଇତ୍ୟାଦି ।
ଯଦି ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଓ ହାଇ କୋଲେଷ୍ଟ୍ରଲ୍ ଭଳି ସମସ୍ୟା ଥିବ, ତେବେ ସେଗୁଡ଼ିକର ଉପଯୁକ୍ତ ଚିକିତ୍ସା କରାଇବା ଅତ୍ୟନ୍ତ ଆବଶ୍ୟକ ।
ଏଠାରେ ଆଉ ଗୋଟେ କଥା କହିବା ପାଇଁ ଚାହିଁବି, ଯଦି ସମ୍ଭବ ହୁଏ ତେବେ ବୟସ ଅଧିକ ହେବା ପୂର୍ବରୁ ବା ସଠିକ୍ ବୟସରେ ସନ୍ତାନପ୍ରାପ୍ତି ପାଇଁ ପ୍ରଚେଷ୍ଟା କରନ୍ତୁ ।

ସ୍ୱା. ସ୍ୱ. : ଓଡ଼ିଶାର ସାମ୍ପ୍ରତିକ ସ୍ୱାସ୍ଥ୍ୟସେବାର ସ୍ଥିତି ସମ୍ପର୍କରେ ଆପଣଙ୍କ ମତ କ’ଣ?
ଡା. ସିନି: ଯଦିଓ ପୂର୍ବାପେକ୍ଷା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅନେକ ଉନ୍ନତି ଘଟିଛି, ଲୋକଙ୍କ ସଚେତନତା ବୃଦ୍ଧି ପାଇଛି, ହେଲେ ବି ଏହା ଯଥେଷ୍ଟ ନୁହେଁ । ଆମକୁ ସ୍ୱାସ୍ଥ୍ୟସେବାରେ ଆହୁରି କାମ କରିବାକୁ ପଡ଼ିବ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ସ୍ୱାସ୍ଥ୍ୟସେବା ସହ ଆହୁରି ସଂଶ୍ଳିଷ୍ଟ କରିବାକୁ ପଡ଼ିବ ।
ସହରାଂଚଳ ଓ ଗ୍ରାମାଂଚଳ ଉଭୟରେ ସ୍ୱାସ୍ଥ୍ୟ ଶିକ୍ଷା ବା ‘ହେଲଥ ଏଜୁକେଶନ୍‌’କୁ ପ୍ରଚୁର ଗୁରୁତ୍ୱ ଦେବା ଆବଶ୍ୟକ । ଆଉ ‘ରିପ୍ରଡକ୍ଟିଭ୍ ହେଲଥ ଆୱାରନେସ୍‌’ ବା ‘ପ୍ରଜନନ ସ୍ୱାସ୍ଥ୍ୟ ସଚେତନତା’କୁ ମଧ୍ୟ ଆହୁରି ବ୍ୟାପକ କରିବା ଉଚିତ । କାରଣ ଆମେ ଦେଖୁଛୁ ନିଃସନ୍ତାନ ଦମ୍ପତିମାନେ ଆମ ପାଖକୁ ଚିକିତ୍ସା ପାଇଁ ଆସିବା ବେଳକୁ ସାଧାରଣତଃ ଅନେକ ବିଳମ୍ବ କରିଦେଇଥାନ୍ତି ବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ କ୍ଷତିକାରକ ଉପଚାର କରିବା ପରେ ଯାଇ ଆସିଥାନ୍ତି, ଯ’ଦ୍ୱାରା ବନ୍ଧ୍ୟାଦୋଷର ଚିକିତ୍ସାରେ ସଫଳତା ପାଇବା ବହୁତ କଷ୍ଟସାଧ୍ୟ ହୋଇଥାଏ ।
ସ୍ୱା. ସ୍ୱ. : ଆପଣଙ୍କ ସଫଳତାର ସୂତ୍ର?
ଡା. ସିନି: ମୋ ମତରେ ସଫଳତାର ଗୋଟିଏ ନିର୍ଦ୍ଦିଷ୍ଟ ସୂତ୍ର ନଥାଏ; ସଫଳତା ଅନେକ ବିଷୟ ଉପରେ ନିର୍ଭର କରେ । ମୁଁ ସବୁବେଳେ ମୋ କାର୍ଯ୍ୟ ପ୍ରତି ସଚ୍ଚୋଟ ରହେ ତଥା ପ୍ରଚୁର ପରିଶ୍ରମ କରେ । ରୋଗୀର ସମସ୍ୟାକୁ ସଠିକ୍ ଭାବରେ ବୁଝି ତାକୁ ସମାଧାନ କରିବାକୁ ଚେଷ୍ଟା କରେ । ଏହା ସହ ନିଜର ଦକ୍ଷତା ବୃଦ୍ଧି କରିବାକୁ ବିଭିନ୍ନ କନଫରେନ୍ସରେ ଅଂଶଗ୍ରହଣ କରେ ତଥା ସବୁବେଳେ ପଢ଼ାପଢ଼ି କରି ନିଜକୁ ଅପଡେଟ୍ କରେ ।
ଆଜିର ଏ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ ଟେକ୍ନୋଲୋଜି ଖୁବ୍ ଦ୍ରୁତଗତିରେ ବଦଳିବାରେ ଲାଗିଛି । ତେଣୁ ମୁଁ ଭାବେ ଟେକ୍ନୋଲୋଜିର ପ୍ରବାହରେ ସଠିକ୍ ଢଙ୍ଗରେ ସାମିଲ୍ ହୋଇପାରିଲେ ସଫଳତା ମିଳିବା ଅନେକାଂଶରେ ସମ୍ଭବପର ହୋଇଥାଏ ।

ସ୍ୱା. ସ୍ୱ. : ସ୍ମରଣୀୟ ମୁହର୍ତ୍ତ କ’ଣ ରହିଛି?
ଡା. ସିନି: ଯେତେବେଳେ ପ୍ରଥମ କରି ଏକୁଟିଆ ସ୍ୱାଧୀନ ଭାବରେ ଜଣେ ମହିଳାଙ୍କ ପ୍ରସବ କରାଇ ଛୁଆକୁ ତାଙ୍କ ହାତକୁ ଦେଇଥିଲି, ସେଇ ଖୁସିକୁ କେବେ ଭୁଲି ହେବ ନାହିଁ ।
ନିଃସନ୍ତାନ ଦମ୍ପତିମାନେ ପ୍ରଥମ ଦିନ ଖୁବ୍ ହତାଶାରେ ମୋ ପାଖକୁ ଚିକିତ୍ସା ପାଇଁ ଆସନ୍ତି ଏବଂ କିଛି ଦିନର ଚିକିତ୍ସା ପରେ ଯେତେବେଳେ ସେମାନେ ସନ୍ତାନଟିଏ ପାଆନ୍ତି, ତାଙ୍କ ଆଖିର କୃତଜ୍ଞତାର ଚାହାଣୀ ମୋ ପାଇଁ ପୂରା ସ୍ମରଣୀୟ ।

ସ୍ୱା. ସ୍ୱ. : ଅବସର କେମିତି କଟେ?
ଡା. ସିନି: କହିବାକୁ ଗଲେ ବ୍ୟସ୍ତବହୁଳ ଡାକ୍ତରୀ ଜୀବନରେ ଅବସର ମିଳିବା ସେତେଟା ସମ୍ଭବ ହୁଏ ନାହିଁ, ତଥାପି ଯେବେ ବି ଫୁରସତ ମିଳେ, ପରିବାର ସହ ସମୟ ବିତେଇବାକୁ ପସନ୍ଦ କରେ । ବହିପଢ଼ିବା, ଚିତ୍ର ଆଙ୍କିବା, ଗୀତ ଶୁଣିବା ଓ ଫିଲ୍ମ ଦେଖିବାକୁ ବି ପସନ୍ଦ କରେ । ଏହାଛଡ଼ା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବାକୁ ଭଲ ଲାଗେ ।
ଆଉ ଗୋଟେ କଥା (ହସି)… ଅନ୍ୟ ଝିଅଙ୍କ ପରି ମୋତେ ବି ସପିଂ କରିବାକୁ ଖୁବ୍ ଭଲ ଲାଗେ । ଟାଇମ୍ ମିଳିଲେ ସପିଂ କରୁଥାଏ । ମୋଟାମୋଟି ଭାବରେ କହିବାକୁ ଗଲେ ମୁଁ କାମକୁ ବି ସେତିକି ଉପଭୋଗ କରେ, ଯେତିକି ଅବସରକୁ ।

ସ୍ୱା. ସ୍ୱ. : ଭବିଷ୍ୟତ ଯୋଜନା?
ଡା. ସିନି: ବନ୍ଧ୍ୟାଦୋଷର ଚିକିତ୍ସାରେ ଆହୁରି କିଛି କରିବାର ଇଚ୍ଛା । ସମାଜର ସବୁ ବର୍ଗର ନିଃସନ୍ତାନ ଦମ୍ପତି ଯେମିତି ସୁଲଭ ମୂଲ୍ୟରେ ସନ୍ତାନପ୍ରାପ୍ତିର ଖୁସି ପାଇପାରିବେ, ସେ ଦିଗରେ କାମ କରିବି । ରିପ୍ରଡକ୍ଟିଭ୍ ହେଲଥ ଆୱାରନେସ୍ ଉପରେ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରେ କାମ କରିବାକୁ ଲକ୍ଷ୍ୟ ରଖିଛି ।

ସ୍ୱା. ସ୍ୱ. : ‘ସ୍ୱାସ୍ଥ୍ୟ ସ୍ୱର’ ସମ୍ପର୍କରେ ପଦେ?
ଡା. ସିନି: ସମାଜରେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପହଂଚାଇବାରେ ଏହା ଏକ ବଳିଷ୍ଠ ମାଧ୍ୟମର କାର୍ଯ୍ୟ କରୁଛି । ଲେଖା ସବୁ ସରଳ ଭାଷାରେ ପ୍ରକାଶିତ ହେଉଥିବାରୁ ପାଠକ ମହଲରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ମୁଁ ଆଉ ଗୋଟେ ଭଲ ବିଷୟ ଲକ୍ଷ୍ୟ କରିଛି, ଆପଣ ଲେଖା ସହ ସମ୍ବନ୍ଧିତ ଚିତ୍ରକୁ ମଧ୍ୟ ଯେପରି ଭଲ ଭାବରେ ସ୍ଥାନିତ କରନ୍ତି, ତାହା ଅତି ସୁନ୍ଦର ଲାଗିଥାଏ ଏବଂ ପାଠକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଅନେକ ଅସୁବିଧା ସତ୍ତ୍ୱେ ଏତେ ଶ୍ରମ ସ୍ୱୀକାର କରି ସୁନ୍ଦର ସ୍ୱାସ୍ଥ୍ୟ ପତ୍ରିକାଟିଏ ପ୍ରକାଶ କରୁଥିବାରୁ ଆପଣମାନେ ଧନ୍ୟବାଦର ପାତ୍ର ।