ଡା. ଚିତ୍ତରଞ୍ଜନ ମିଶ୍ର । କଟକ ଜିଲ୍ଲା ନିଆଳି ସ୍ଥିତ ଚିତ୍ତରଞ୍ଜନ ସେବା ସଦନର ନିର୍ଦ୍ଦେଶକ । ପ୍ରଖାତ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ । ଏହି ପରିଚୟ ବ୍ୟତୀତ ତାଙ୍କ ଆଉ ଏକ ପରିଚୟ ହେଉଛି ସେ ଓଡିଆ ସିନେମାର ଜଣେ ପ୍ରସିଦ୍ଧ ଅଭିନେତା । ଡାକ୍ତର ଭାବରେ ଯେତିକି ଦକ୍ଷ, ଅଭିନେତା ଭାବରେ ମଧ୍ୟ ସେତିକି ପୋଖତ । ବିଗତ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ନିଆଳି ଅଞ୍ଚଳରେ ନିରବଚ୍ଛିନ୍ନ ଭାବେ ଲୋକଙ୍କୁ ସ୍ୱାସ୍ୟ୍ଥ ସେବା ଯୋଗାଇ ଆସୁଛନ୍ତି ସେ । ସରକାରି ଚାକିରର ମୋହରେ ନପଡି ନିଜ ଗାଁରେ ହିଁ ଆରମ୍ଭ କରନ୍ତି ନିଜର ସ୍ୱାସ୍ଥ୍ୟ ଅନୁଷ୍ଠାନ । ଗାଁ ଲୋକେ ନିଜ ହାତ ପାହାନ୍ତାରେ ଉତ୍ତମ ଚିକିତ୍ସା ସେବା ପାଇପାରନ୍ତି । ଏତଦ୍‌ବ୍ୟତୀତ ଅନେକ ଲୋକଙ୍କ ଅନ୍ନସଂସ୍ଥାନର ମାଧ୍ୟମ ମଧ୍ୟ ହୋଇ ପାରିଛି ଚିତ୍ତରଞ୍ଜନ ସେବା ସଦନ । ଅନେକ ଓଡ଼ିଆ ଚଳଚିତ୍ର ତଥା ମେଗା ଧାରାବାହିକରେ ପ୍ରମୂଖ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଭଲପାଇବା ପାଇଛନ୍ତି । ସଚେତନଧର୍ମୀ କ୍ଷୁଦ୍ର ଚଳଚିତ୍ର ‘ଏମ୍‌ଡିଟି ଖାଅ କୁଷ୍ଠ ହଟାଅ’ ଓ ‘ସରିତା ଗାଥା’ ଇତ୍ୟାଦିରେ ଅଭିନୟ କରି ଆମ ରାଜ୍ୟରେ ତଥା ବିଦେଶରେ ମଧ୍ୟ ପରିଚିତି ପାଇଛନ୍ତି । ସ୍ୱାସ୍ଥ୍ୟ ସେବାରେ ତାଙ୍କ ଅବଦାନ ପାଇଁ ଅନେକ ସାମାଜିକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ବ୍ୟକ୍ତିଗତ ଜୀବନରେ ସେ ଖୁବ୍ ଶାନ୍ତ ଓ ସରଳ । ଅତ୍ୟନ୍ତ ଅମାୟିକ ।
ଆସନ୍ତୁ, ତାଙ୍କ ସହ କଥା ହେବା ।

ସ୍ୱା.ସ୍ୱ.: ସ୍ୱାସ୍ୟ୍ଥ ସେବାକୁ ଜୀବିକା ଭାବେ ଗ୍ରହଣ କରି କେତେ ଖୁସି ଆପଣ ?
ଡା. ମିଶ୍ର: ବହୁତ ଖୁସି । କାରଣ, ମାନବ ସେବାକୁ ମାଧବ ସେବା ବୋଲି କୁହାଯାଏ । ଯେଉଁମାନଙ୍କୁ ଏ ସୁଯୋଗ ମିଳିଥାଏ, ସେଇଟା ତାଙ୍କର ଭାଗ୍ୟରେ ଥାଏ ବୋଲି ମିଳିଥାଏ । ନିଜେ କେହି ଜାଣିଶୁଣି, ଯେମିତି ଆମେ ଇଚ୍ଛା କରି ଡାକ୍ତର ହେବୁ, ଇଚ୍ଛା କରି ଇଂଜିନିୟର୍ ହେବୁ, ସେଇଟା ବିଭିନ୍ନ ଉଦ୍ଦେଶ୍ୟ ରଖି ଜଣେ ଜଣେ କରିଥାନ୍ତି । ଆଉ କିଏ କିଏ ପ୍ରକୃତରେ ସେବା ମନୋଭାବ ରଖି ଆତ୍ମସନ୍ତୋଷ ପାଇବା ପାଇଁ କରିଥାନ୍ତି । ମୁଁ ଅବଶ୍ୟ କିଛି ଉଦ୍ଦେଶ୍ୟ ନ ରଖି ଦଉଦଉ ମେଡିକାଲ୍‌ରେ ଆଡ୍‌ମିଶନ୍ ପାଇଯାଇଥିଲି । କିନ୍ତୁ ପରେ ଡାକ୍ତର ଭାବେ ଦୀର୍ଘ ବର୍ଷ ଧରି କାମ କଲି, ସେଇଟା ମତେ ବହୁତ ଆନନ୍ଦ ଦେଇଛି । କାରଣ, ଆମ ପାଖକୁ ଲୋକମାନେ ଦୁଃଖରେ ଆସନ୍ତି ଓ ଆମ ପାଖରୁ ସେମାନେ ଖୁସି ହୋଇ ଫେରନ୍ତି । ସେଇଟା ଆମକୁ ଲାଗେ ଯେ, ଆମେ ଗୋଟେ ମଣିଷକୁ କଷ୍ଟରୁ ମୁକ୍ତି କରେଇ ପାରିଲୁ । ତାହା ହିଁ ଆମକୁ ବହୁତ ଆନନ୍ଦ ଦିଏ ।

ସ୍ୱା.ସ୍ୱ.: ଆପଣ ଚାହିଁଥିଲେ ସେତେବେଳେ ଭୁବନେଶ୍ୱର କିମ୍ବା କଟକକୁ ନିଜର କର୍ମସ୍ଥଳୀ ରୂପେ ବାଛି ପାରିଥାନ୍ତେ! ହେଲେ ତାହା ନ କରି ଗାଁରେ ରହିବାକୁ କେମିତି ଇଚ୍ଛା ପ୍ରକାଶ କଲେ? ତାହା ପୁଣି ସରକାରୀ ଚାକିରିର ମୋହକୁ ଆଡ଼େଇ ଦେଇ…!
ଡା. ମିଶ୍ର: ଏହା ସମ୍ଭବ ହେଲା, କାରଣ ମୁଁ ନିଜେ ଗାଁରୁ ଆସିଥିଲି । ଗାଁର ସୁବିଧା ଅସୁବିଧା ସବୁ ଭୋଗିଛି । ସହରରେ ରହିକରି ପାଠ ପଢ଼ିଲି । କଟକରେ ମେଡ଼ିକାଲ୍ ବି ପଢ଼ିଲି । ମେଡ଼ିକାଲ୍ ପଢ଼ିଲା ବେଳେ ଦେଖିଲି ଗାଁ ଲୋକେ ଭଲ ସ୍ୱାସ୍ଥ୍ୟ ସେବା ପାଇବାକୁ ଆସି ସହରରେ କେତେ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଅନ୍ତି! ଚିନ୍ତା କଲି, ଯଦି ଗାଁରେ ଗୋଟାଏ ଭଲ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ କରାଯିବ, ତେବେ ସେମାନେ ନିଜ ଘରପାଖେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସେବା ପାଇପାରିବେ ଏବଂ ସହରକୁ ଆସି ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ସବୁ ସୁବିଧା ନ ହେଲା ନାହିଁ, କିଛି ତ’ ଗୋଟେ ସୁବିଧା ପାଇପାରିବେ । ସେଥିପାଇଁ ଆମେ ଗାଁରେ ଏମିତି ଗୋଟେ ଅନୁଷ୍ଠାନ କରିବା ପାଇଁ ଚେଷ୍ଟା କରାହେଲା । ସହରରେ କରିଥିଲେ ସବୁ ଦୃଷ୍ଟିରୁ ବହୁତ ସହଜ ହୋଇଥାନ୍ତା, କିନ୍ତୁ ଗୋଟେ ଉତ୍ତମ ଲକ୍ଷ୍ୟ ନେଇ ଗାଁରେ ଏପରି ଏକ ଅନୁଷ୍ଠାନ ପ୍ରତିଷ୍ଠା କରିବା ଖୁବ୍ କଷ୍ଟସାଧ୍ୟ ଥିଲା । ଆଉ ତାହା କଷ୍ଟ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆମକୁ ଗଭୀର ଆତ୍ମସନ୍ତୋଷ ଦେଇଥାଏ ।

ସ୍ୱା.ସ୍ୱ.: ସ୍ୱାସ୍ଥ୍ୟ ସେବାରେ ଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ୍ୱ ସମୟର ଗୋଟେ ଲମ୍ବା ଯାତ୍ରା ! ଏ ଯାତ୍ରାରେ କେବେ କେବେ ପ୍ରତିବନ୍ଧକ ପାଇଛନ୍ତି କି ? ଯଦି ପାଇଛନ୍ତି, ତା’କୁ କେମିତି ଅତିକ୍ରମ କରିଛନ୍ତି ?
ଡା. ମିଶ୍ର: ପ୍ରତିବନ୍ଧକ ତ ସବୁ କ୍ଷେତ୍ରରେ ଥାଏ । ଯେଉଁମାନେ ପ୍ରତିବନ୍ଧକକୁ ଅତିକ୍ରମ କରନ୍ତି, ସେମାନେ ହିଁ ସଫଳ ହୁଅନ୍ତି । ଆଉ ଏଇ ମେଡ଼ିକାଲ୍ ପ୍ରଫେସନ୍‌ର ସବୁଠୁ ବଡ଼ ପ୍ରତିବନ୍ଧକ ହେଉଛି ଗାଁ । ଗାଁର ଅର୍ଥ ହେଉଛି, ଯେଉଁଠି ପ୍ରାୟ ସୁବିଧା ସୁଯୋଗ ନଥାଏ । ଇଲେ୍‌କ୍ଟ୍ରିସିଟି ସପ୍ଲାଏ ଠିକ୍ ନ ଥାଏ । ଯନ୍ତ୍ରପାତି ଠିକ୍ ନ ଥାଏ । ଟେଲିଫୋନ୍ ନଥାଏ । କମ୍ୟୁନିକେସନ୍ ନଥାଏ । ଟେକ୍ନିସିଆନ୍ ନଥାନ୍ତି । ଚଉତିରିଶ ପଇଁତିରିଶ ବର୍ଷ ତଳେ ଯେତେବେଳେ ଟ୍ରାନ୍ସପୋର୍ଟ ସିଷ୍ଟମ୍ ବି ବହୁତ ଖରାପ ଥିଲା, ସେତେବେଳେ ଏସବୁ ଅସୁବିଧା ଭିତରେ ବି ନିଜେ ଗୋଟେ ଅନୁଷ୍ଠାନ ଗଢ଼ିବା, ତା’କୁ ଲୋକଙ୍କ ପାଖରେ ବିଶ୍ୱାସ ଭାଜନ କରାଇବା, ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସକୁ ନିଜ ଉପରକୁ ଆଣିବା ଏବଂ ତା’ ସହିତ କେତେଗୁଡ଼ାଏ ଲୋକଙ୍କ ପାଇଁ କର୍ମ ସଂସ୍ଥାନର ବ୍ୟବସ୍ଥା ମଧ୍ୟ କରିବା- ଏସବୁ ସତରେ ବହୁତ କଷ୍ଟକର! କାରଣ, ଏକାଧାରରେ ଜଣେ ଭଲ ଚିକିତ୍ସକ ହେବାକୁ ପଡ଼ିବ, ପାଠ ଭଲ ଥିବା ଦରକାର । ତା’ ସହିତ କର୍ତ୍ତବ୍ୟନିଷ୍ଠ ଓ ପରିଶ୍ରମୀ ବି ହୋଇଥିବା ଆବଶ୍ୟକ । ସବୁଠାରୁ ବଡ଼ କଥା ହେଲା, ଜଣକର ପରିଚାଳନାଗତ ଦକ୍ଷତା ବି ସେଇମିତି ଥିବା ଦରକାର । ମ୍ୟାନେଜରିଆଲ୍ ସ୍କିଲ୍‌! କାରଣ, ବିଭିନ୍ନ ପ୍ରକାରର ଲୋକଙ୍କ ସହ ଡିଲ୍ କରିବା, କର୍ମଚାରୀମାନଙ୍କୁ ଠିକ୍ ଭାବେ କାମ କରିବାକୁ ପ୍ରବର୍ତ୍ତାଇବା ଏବଂ ପ୍ରତିକୂଳ ପରିସ୍ଥିତିରେ ବି ସବୁକିଛି କରି ତା’କୁ ସଫଳ କରାଇପାରିବା ସବୁଠୁ ବଡ଼ କଥା ।

ସ୍ୱା.ସ୍ୱ.: ଆପଣ ଓଡ଼ିଆ ଚଳଚିତ୍ର ଜଗତର ଜଣେ ପ୍ରସିଦ୍ଧ ଅଭିନେତା ଏବଂ ବୃତ୍ତିରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ । ତେବେ ଜଣେ ଅଭିନେତା ଓ ଜଣେ ଡାକ୍ତରର ଭୂମିକାକୁ ଏକା ସାଙ୍ଗରେ କେମିତି ତୁଲେଇ ପାରନ୍ତି? ଅସୁବିଧା ହୁଏନି?
ଡା. ମିଶ୍ର: ଅସୁବିଧା ତ ବହୁତ ହୁଏ । କିନ୍ତୁ ଭଗବାନଙ୍କ ଆର୍ଶିବାଦରୁ ଏକା ସାଙ୍ଗରେ ଦି’ଟା ଯାକ କାମ ଠିକ୍ ଭାବେ ତୁଲେଇ ହୁଏ । ଆମ ଶରୀରରେ ଏବଂ ମନରେ ଭଗବାନ ବୋଧହୁଏ ସେ ଦକ୍ଷତା ଦେଇଛନ୍ତି । କାରଣ, କାମ କରିବା ପାଇଁ ଶାରୀରିକ ଦକ୍ଷତା ସହିତ ମାନସିକ ଦୃଢ଼ତା ବି ଦରକାର । ସବୁବେଳେ ଅଳ୍ପ କାମ କରିବା ପରେ ଜଣେ ଯଦି ଅନୁଭବ କରିବ ଯେ ମୁଁ ହାଲିଆ ହୋଇଗଲିଣି, ସେ ଆଉ କାମ କରିପାରିବନି । ଏ ହାଲିଆ ହୋଇପଡିବାର ମାନସିକତା ହିଁ ବଡ଼ କଷ୍ଟ ! ସେଇଟାକୁ ମୁଁ ଆଜି ପର୍ଯ୍ୟନ୍ତ ଆସିବାକୁ ଦେଇନି ।
ଯେତେବେଳେ ଡାକ୍ତର ଭାବେ କାମ କରେ, ସେତେବେଳେ ସମ୍ପୂର୍ଣ୍ଣ ଭାବରେ ଜଣେ ଭଲ ଡାକ୍ତର ତା’ ରୋଗୀକୁ କିଭଳି ଚିକିତ୍ସା କରିବ ଏବଂ ରୋଗୀ କେମିତି ଭଲ ହେବ, ସେଇଟାକୁ ମୁଁ ଧ୍ୟାନ ଦିଏ । ଆଉ ଯେତେବେଳେ ମୁଁ ଅଭିନୟକୁ ଆସେ, ସେତେବେଳେ ମୁଁ ନିଜେ ଡାକ୍ତର ବୋଲି ଭୁଲିଯାଏ । ଅଭିନେତା ଭାବେ ଯେଉଁ ଚରିତ୍ରକୁ କରୁଥାଏ, ତା’କୁ କେମିତି ଠିକ୍ ଭାବେ ଉପସ୍ଥାପିତ କରିପାରିବି, ସେ ଦିଗରେ ଧ୍ୟାନ ଦିଏ ।
ତେଣୁ ଅନେକ ସମୟରେ ଦି’ଟାକୁ ଅଲଗା କରି ରଖିଲେ ହିଁ ମାନସିକ ଚାପ କମ୍ ହୁଏ ଏବଂ ଗୋଟେ ଅନ୍ୟକୁ ସାହାଯ୍ୟ କରେ ।

ସ୍ୱା.ସ୍ୱ.: ଜଣେ ଚିକିତ୍ସକ ଭାବେ ଆପଣଙ୍କ ସାମଗ୍ରିକ ଅନୁଭୂତି କ’ଣ ରହିଛି ?
ଡା. ମିଶ୍ର: ଭାରତବର୍ଷର ଅନେକ ରାଜ୍ୟ ଅପେକ୍ଷା ଆମ ଓଡ଼ିଶାରେ ଡ଼ାକ୍ତରୀ ପାଠଟା ବହୁତ ଭଲ ପଢ଼ାହୁଏ । ଆମର ଓଡ଼ିଆ ଡାକ୍ତରମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବହୁତ ଦକ୍ଷତା ପ୍ରଦର୍ଶନ କରି ଭଲ ନାଁ କରିଛନ୍ତି । କିନ୍ତୁ ଓଡ଼ିଶାରେ କେତେଗୁଡ଼ିଏ ଅସୁବିଧା ଅଛି, ଯାହା ଫଳରେ ଆମେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ମାନକୁ ବହୁତ ଆଗକୁ ନେଇ ପାରୁନାହୁଁ । ତା’ର କାରଣ ସମସ୍ତେ ଅନୁଭବ କରୁଥିବେ, ଜାଣୁଥିବେ । ବିଭିନ୍ନ କାରଣ ଅଛି । ବିଭିନ୍ନ କ୍ଷେତ୍ରରେ ଅସୁବିଧା ଅଛି । ମୁଁ ବ୍ୟକ୍ତିଗତ ଭାବରେ ଗ୍ରାମାଞ୍ଚଳକୁ ଗୁରୁତ୍ୱ ଦେଇଥିଲି, ଆଉ ଏଥିପାଇଁ ନିଜର ଗାଁରେ ସ୍ୱାସ୍ଥ୍ୟ ଅନୁଷ୍ଠାନଟିଏ କରିବାଟା ମତେ ଅଧିକ ଆତ୍ମସନ୍ତୋଷ ଦେଇଛି । ନିଜର ଜନ୍ମମାଟିରେ ଗୋଟେ ପରିଚୟ ସୃଷ୍ଟି ହୋଇପାରିଛି, ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଆସିଛି । ଗୋଟେ ଡ଼ାକ୍ତର ଜୀବନରେ ସବୁଠୁ ବଡ଼ ସଫଳତା ଆଉ କ’ଣ … !! ଯଉଠିକି ଯିବ, ଲୋକମାନେ ଚିହ୍ନିବେ ଜଣେ ଡାକ୍ତର ଭାବରେ! ଇଏ ଜଣେ ଭଲ ଡାକ୍ତର ବୋଲି କହିବେ! ଶହେରୁ ଶହେ ରୋଗୀକୁ କୌଣସି ଡାକ୍ତର ତ ଭଲ କରିପାରିବେ ନାହିଁ । ଶତକଡ଼ା ଅଶୀଭାଗ ଯିଏ କରୁଛି, ସେ ଜଣେ ଭଲ ଡ଼ାକ୍ତର । ବିଗତ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ପାରୁପର୍ଯ୍ୟନ୍ତ ରୋଗୀଙ୍କ ସେବା କରିଛି, ଈଶ୍ୱରଙ୍କ ଆର୍ଶିବାଦରୁ ନିଜର ଅନୁଷ୍ଠାନଟିଏ ଗଢ଼ିପାରିଛି ତଥା ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବରେ ଲୋକଙ୍କ ସ୍ନେହ- ଶ୍ରଦ୍ଧା-ଆର୍ଶିବାଦ ଯେତିକି ପାଇଛି, ସେତିକିରେ ମୁଁ ସନ୍ତୁଷ୍ଟ ।

ସ୍ୱା.ସ୍ୱ.: ଜଣେ ଅଭିନେତା ଭାବେ ଆପଣଙ୍କ ସାମଗ୍ରିକ ଅନୁଭୂତି କ’ଣ ରହିଛି ?
ଡା. ମିଶ୍ର: ଅଭିନେତା ଭାବରେ ହୁଏତ ଅନେକ ଲୋକଙ୍କ ଦୁଃଖ ରହିଯାଏ, ହେଲେ ମୋର ସେମିତି ନାହିଁ । ଦୀର୍ଘ ଚାଳିଶ ବର୍ଷ ଧରି ଅଭିନୟ କରୁଛି । ମଂଚ ହେଉ, ରେଡ଼ିଓ ହେଉ, ଟେଲିଭିଜନ୍ ହେଉ, ସିନେମା ହେଉ, ସବୁ କରୁଛି । କିନ୍ତୁ ଜଣେ ଅଭିନେତା, ଯିଏ ସମ୍ପୂର୍ଣ୍ଣ ସମୟ ଅଭିନୟକୁ ଦେଇପାରିଛି, ସେତିକି ମୁଁ କେବେ ହେଲେ ଦେଇପାରିନାହିଁ । ଅଭିନେତା ଭାବରେ କାମ କରିବା ପାଇଁ ମୋର ଦକ୍ଷତାକୁ ଚାହିଁ ମୁଁ ସମୟ ବି ଦେଇପାରିନି । ବହୁତ ଅଭିନେତା, ଅଭିନେତ୍ରୀ ବା କଳାକାର ଅଛନ୍ତି, ଯେଉଁମାନେ ବହୁତ କଷ୍ଟ କରିଛନ୍ତି, ବହୁତ ଷ୍ଟ୍ରଗଲ୍ କରିଛନ୍ତି, ନିଜକୁ ଗୋଟେ ସ୍ଥାନକୁ ନେବା ପାଇଁ । କିନ୍ତୁ ମୋର ଓଲ୍‌ଟା ! ମୋ ଲାଇଫ୍‌ଟା ସମ୍ପୂର୍ଣ୍ଣ ଅଲଗା । କଲେଜ୍ କ୍ୟାରିୟରରେ ଡ୍ରାମା କଲା ବେଳକୁ ମତେ ସିନେମାରେ ନେବାପାଇଁ ବହୁତ ଲୋକ ଇଚ୍ଛା କରିଛନ୍ତି, ଡ଼ାକିଛନ୍ତି, ଟାଣିଛନ୍ତି ! କିନ୍ତୁ ମେଡ଼ିକାଲ୍ କଲେଜର ଜଣେ ଭଲ ଛାତ୍ର ହିସାବରେ ଚିନ୍ତା କରିଛି- ମୁଁ କେଉଁଟାକୁ ପ୍ରାଥମିକତା ଦେବି ? ଆଉ ସ୍ୱତଃ ମୁଁ ପ୍ରାଥମିକତା ଦେଇଛି ମୋର ମେଡ଼ିକାଲ୍ ପ୍ରଫେସନକୁ! ଅଭିନୟକୁ ସବୁବେଳେ ମୋର ଗୋଟେ ହବି ଭାବରେ ରଖିଛି ଏବଂ ସେଇଟାକୁ ସବୁବେଳେ ବଜାୟ ରଖିଛି । ମଝିରେ ମଝିରେ ସିନେମା କରିଛି, ଧାରାବାହିକ ବି କରିଛି । କିନ୍ତୁ ବହୁତ ଗୁଡ଼ାଏ କରିବା ପାଇଁ ଯେଉଁ ସୁବିଧା ସୁଯୋଗ ମୋ’ ପାଖକୁ ଆସିଛି, ମୁଁ ତାକୁ ଠିକ୍‌ରେ ଉପଯୋଗ କରିନାହିଁ । ହେଲେ ସେଥିପାଇଁ ମୋର ଦୁଃଖ ବି ନାହିଁ ! କାରଣ, ଗୋଟାଏ ମଣିଷ ସବୁଆଡ଼ୁ କରିବା କଷ୍ଟକର ।

ସ୍ୱା.ସ୍ୱ.: ବ୍ୟସ୍ତ୍ୟବହୁଳ ଦିନଚର୍ଯ୍ୟାରେ ମାନସିକ ଚାପକୁ ମ୍ୟାନେଜ୍ କରନ୍ତି କେମିତି ?
ଡା. ମିଶ୍ର: ବୋଧହୁଏ ସେଇଟା ଆମେ ତ’ ନିଜେ କରୁନା, ଭଗବାନ ସେଭଳି ଦକ୍ଷତା ଦେଇକି ଛାଡ଼ିଛନ୍ତି । ସୁଖରେ ବହୁତ ଖୁସି ହବା, ଦୁଃଖରେ ବହୁତ ଦୁଃଖୀ ହବା, ରାଗିଗଲେ ବହୁତ ଜୋରରେ ଦୀର୍ଘ ସମୟ ଧରି ରାଗିବା, ଯେ କୌଣସି ଗୋଟେ ରିଆକସନକୁ ବେଶୀ ସମୟ ଧରି ରଖିବା ଦ୍ୱାରା ଚାପ ବଢ଼ିଥାଏ । ମାନସିକ ଚାପକୁ ଲାଘବ କରିବାର ବଡ଼ ସୂତ୍ର ହେଉଛି- କୌଣସି ଜିନିଷକୁ ସରିିୟସଲି ନ ନେବା ! ସବୁ ଜିନିଷକୁ ଯଦି କମ୍ ପରିମାଣରେ ଆଉ କଂଟ୍ରୋଲ୍ ଭିତରେ କରାଯାଏ, ତା’ହେଲେ ମାନସିକ ଚାପ ନିଶ୍ଚିତ ଭାବେ କମ୍ ରହିବ । ଜଣେ ଯଦି ସବୁବେଳେ କିଛି ନା କିଛି କାମ ଭିତରେ ନିଜକୁ ବ୍ୟସ୍ତ ରଖେ, ତା’ହେଲେ ତା’ର ଭାବିବା ଓ ଖାଲି ବସିକରି ଚିନ୍ତା କରିବାର ଏ ଚାପଟା ଆଉ ଅଧିକ ହେବନି । କାରଣ, ସେ ସବୁବେଳେ କିଛି ନା କିଛି କରିବାକୁ ଚାହିଁବ ଓ ସେଥିରେ ହିଁ ତା’ର ଅଧିକାଂଶ ସମୟ ବିତିଯିବ ।

ସ୍ୱା.ସ୍ୱ.: ଆପଣ ଏବେ ବି ଫିଟ୍‌! ତେବେ ଏଇ ଫିଟନେସର ରହସ୍ୟଟା ଆମ ପାଠକଙ୍କୁ ଟିକେ ବତେଇବେ କି ?
ଡା. ମିଶ୍ର: ଫିଟର ଅର୍ଥ ଦି’ଟା- ଶାରୀରିକ ସୁସ୍ଥତା ଓ ମାନସିକ ସୁସ୍ଥତା । ଜଣକର ମାନସିକ ଶକ୍ତି ଯଦି ଅଧିକ, ସେ ଲୋକ ଗୋଡ଼ ନ ଥାଇ ଦୌଡ଼ିକରି ଅଲମ୍ପିକରେ ପଦକ ଜିତିପାରୁଛି ! ଆଉ କେଉଁ ଲୋକର ଡ଼ାହାଣ ହାତ କଟିଗଲା ପରେ ମଧ୍ୟ ବାଁ ହାତରେ ପିସ୍ତଲ୍ ଚାଳନା କରି ସେ ଦି’ ଦି’ଟା ଅଲମ୍ପିକ୍‌ରେ ଚମ୍ପିଅନ୍ ହୋଇପାରୁଛି! ମୋ ପାଇଁ ଫିଟ୍ ରହିବାର ଅର୍ଥ- କୌଣସି ଗୋଟିଏ ଜିନିଷକୁ ଅଧିକ ନ କରିବା! ଅତ୍ୟଧିକ ଖାଇବା, ଅତି ଅଳ୍ପ ଖାଇବା, ଅତ୍ୟଧିକ ଅଳସୁଆ ହବା ବା ଅତ୍ୟଧିକ ପରିଶ୍ରମ କରିବା ଆଦି ଯେଉଁଟା ନିଜ ଉପରେ କ୍ଷତି ପହଂଚାଇବ; ସେସବୁ ନ କରିବା । ସବୁକୁ ଗୋଟେ ବାଲନ୍ସ କରି ବା ସନ୍ତୁଳିତ ଭାବରେ ଜୀବନକୁ ଚଳେଇଲେ ନିଶ୍ଚୟ ଜଣେ ଅଧିକା ଦିନ କାମ କରିପାରିବ ଏବଂ ଭଲ ଭାବେ କରିପାରିବ । ଆଉ ସବୁବେଳେ ସବୁ ଜିନିଷ ପ୍ରତି ସକାରାତ୍ମକ ମନୋଭାବ ରହିବାଟା ମଧ୍ୟ ନିହାତି ଆବଶ୍ୟକ ।

ସ୍ୱା.ସ୍ୱ.: ଓଡ଼ିଶାର ସାମ୍ପ୍ରତିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଆପଣଙ୍କ ମତ କ’ଣ ?
ଡା. ମିଶ୍ର: ଭାରତବର୍ଷରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ତ ଅନେକ ଗୁଡ଼ିଏ ପରିବର୍ତ୍ତନ ହୋଇଛି । ଓଡ଼ିଶାରେ ବି ହୋଇଛି । ଆଗରୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ସରକାରୀ ଥିଲା, ଏବେ ବେସରକାରୀ ସ୍ତରରେ ବହୁତ ଗୁଡ଼ିଏ ବଡ଼ ବଡ଼ ହସପିଟାଲ୍ କଟକ- ଭୁବନେଶ୍ୱର ପରି ସହରରେ ହୋଇଗଲାଣି । କର୍ପୋରେଟ୍ ହସ୍‌ପିଟାଲ୍ ମାନେ ଆସୁଛନ୍ତି । ଯେଉଁମାନଙ୍କ ପାଖରେ ଅର୍ଥର କୌଣସି ପ୍ରତିବନ୍ଧକ ନାହିଁ, ସେମାନଙ୍କୁ ଉନ୍ନତ ମାନର ଚିକିତ୍ସା ବି ମିଳୁଛି । କିନ୍ତୁ ଏବେ ମଧ୍ୟ ଓଡିଶାରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଆର୍ଥିକ ଅନଗ୍ରସରତା କାରଣରୁ ଭଲ ଚିକିତ୍ସାର ସୁବିଧା ନେଇ ପାରୁନାହାନ୍ତି । ମୌଳିକ ଚିକିତ୍ସା ସୁବିଧା ତ ପାଉଛନ୍ତି, କିନ୍ତୁ କିଛି ଗୋଟେ କ୍ରିଟିକାଲ୍ ଡ଼ିଜିଜ୍ ହେଲା ଓ ତା’ ପାଇଁ କିଛି ସ୍ପେଶାଲ୍ ଟ୍ରିଟ୍‌ମେଂଟ୍ ଦରକାର ପଡ଼ିଲା, ତେବେ ସବୁ ଲୋକ ସେଇ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି ।
ବର୍ତ୍ତମାନ ସରକାରୀ ସ୍ତରରେ ଯେତେଗୁଡ଼ିଏ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା ଆସିଛି, ସେଇଟା ନିଶ୍ଚୟ ସବୁଠାରୁ ଭଲ ବ୍ୟବସ୍ଥା । ସ୍ୱାସ୍ଥ ବୀମା ହେଲେ ହିଁ ଗୋଟେ ଲୋକ ଯେ କୌଣସି ହସପିଟାଲ୍‌କୁ ଯିବାକୁ ସାହସ କରିବ ଓ ଇଚ୍ଛା ବି କରିବ । ସରକାର ସେଥିପାଇଁ ଯେତେସବୁ ସରକାରୀ କାର୍ଯ୍ୟକ୍ରମ କରୁଛନ୍ତି, ସେଥିରେ ଯଦି ସ୍ୱାସ୍ଥ୍ୟ ବୀମାକୁ ବେଶୀ ଗୁରୁତ୍ୱ ଦେବେ ଏବଂ ତା’ ପାଇଁ ଅଧିକରୁ ଅଧିକ ବ୍ୟୟ ବରାଦ କରିବେ, ତେବେ ଯାଇ ଲୋକ ନିଜେ ତା’ର ଇଚ୍ଛାରେ ହସପିଟାଲ୍ ବାଛିବ! ତା’ପରେ ଯାଇ ସେ ସନ୍ତୁଷ୍ଟ ହୋଇପାରିବ । ତା’କୁ ଗୋଟେ ସ୍ୱାନ୍ତନା ମିଳିବ ଯେ, ମତେ ଠିକ୍ ସ୍ୱାସ୍ଥ୍ୟ ସେବା ମିଳୁଛି ! ତେଣୁ ସେଇଟା ବେଶୀ ଦରକାର ଏବଂ ଆଗକୁ ହେବ ବୋଲି ଆଶା କରୁଛି ।

ସ୍ୱା.ସ୍ୱ.: ଭବିଷ୍ୟତ ଯୋଜନା?
ଡା. ମିଶ୍ର: ଆମର ବୃତ୍ତିଗତ ଜୀବନର ଶେଷ ପର୍ଯ୍ୟାୟରେ ଆମେ ଉପସ୍ଥିତ ହେଲୁଣି । ଏପଟେ ମୋର ନନ୍‌-ପ୍ରଫେସନାଲ୍ ଲାଇଫ୍‌ର ବା ଅଭିନୟର ବି ଶେଷ ପର୍ଯ୍ୟାୟ । ତେଣୁ ଭବିଷ୍ୟତ ବିଷୟରେ ନିଜ ପାଇଁ ବିଶେଷ କିଛି ଭାବିବାର ନାହିଁ । ତଥାପି ମୋ’ର ସ୍ୱାସ୍ଥ୍ୟ ଅନୁଷ୍ଠାନ, ଯା’ ଉପରେ ନିର୍ଭର କରି ପଚାଶଟି ପରିବାର ବଞ୍ଚୁଛନ୍ତି ଏବଂ ଯା’ ପାଇଁ ଲୋକମାନେ ନିଜ ଘର ପାଖରେ ବି ବହୁତ କିଛି ସ୍ୱାସ୍ଥ୍ୟ ସୁବିଧା ପାଉଛନ୍ତି, ସେ କେମିତି ଆଗକୁ ଯିବ, ସେଥିପାଇଁ ବିଭିନ୍ନ ଯୋଜନା ଚାଲିଛି ।
ଅଭିନୟ କରି କରି ଦୀର୍ଘ ଚାଳିଶ ବର୍ଷ ପରେ ଏବେ ଭାବୁଛି ଯେ, କିଛି ଭଲ କାର୍ଯ୍ୟକ୍ରମ, ସିନେମା ହେଉ ବା ସିରିଏଲ୍‌, ତା’ର ପ୍ରଯୋଜନା କରିବା । ଭବିଷ୍ୟତରେ ପୁରା ବ୍ୟବସ୍ଥିତ ଉପାୟରେ ଗୋଟେ ପ୍ରଯୋଜନା ସଂସ୍ଥା କରିବା ପାଇଁ ଚିନ୍ତା କରୁଛି ।

ସ୍ୱା.ସ୍ୱ.: ସ୍ୱାସ୍ଥ୍ୟ ସ୍ୱର ସମ୍ପର୍କରେ ପଦେ … ।
ଡା. ମିଶ୍ର: ସତରେ ଏହା ଏକ ବହୁତ ଭଲ ପ୍ରୟାସ । ସ୍ୱାସ୍ଥ୍ୟ ସ୍ୱର ଟିମକୁ ଧନ୍ୟବାଦ । ଓଡ଼ିଶାରେ ମଝିରେ ମଝିରେ ସ୍ୱାସ୍ଥ୍ୟ ସମ୍ପର୍କିତ ପତ୍ରିକା ପ୍ରକାଶିତ ହୋଇଛି; କିନ୍ତୁ ବେଶୀ ଦିନ ଠିକଭାବେ ଚାଲି ପାରିନାହିଁ । ସ୍ୱାସ୍ଥ୍ୟ ସ୍ୱର ଯଦି ତା’ର ସ୍ୱରକୁ ଖୁବ୍ ଛୋଟିଆରୁ ଆରମ୍ଭ କରି ଧିରେ ଧିରେ ବହୁତ ବଡ଼ ସ୍ୱରରେ ପରିଣତ କରିପାରିବ, ତା’ହେଲେ ନିଶ୍ଚୟ ଖୁସି ଲାଗିବ । ଏବଂ ସେଇଟା ମୁଁ କାମନା କରୁଛି । ଆଶା କରୁଛି, ଜଗନ୍ନାଥଙ୍କ ଆର୍ଶିବାଦରୁ ନିଶ୍ଚୟ ସଫଳତା ମିଳିବ । ସ୍ୱାସ୍ଥ୍ୟ ସ୍ୱର ସହ ମୋର ଶୁଭେଚ୍ଛା ସବୁବେଳେ ରହିଛି ଓ ରହିଥିବ ।


# Humble Request to all the esteemed Readers, plz visit our SWASTHYA SWARA YOUTUBE CHANNEL  & SUBSCRIBE our channel.