ଡା. ବିଶ୍ୱଜିତ ନନ୍ଦ । ସମ୍ପ୍ରତି ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସପିଟାଲରେ ୟୁରୋଲେଜେିଷ୍ଟ (ମୂତ୍ରଶଲ୍ୟ ବିଶେଷଜ୍ଞ) ଭାବେ କାର୍ଯ୍ୟରତ । କିଡନି ପ୍ରତିରୋପଣ, ପ୍ରୋଷ୍ଟେଟ୍ ଗ୍ରନ୍ଥି ଚିକିତ୍ସା ଓ କିଡନି ଷ୍ଟୋନ୍ ଚିକିତ୍ସା ଇତ୍ୟାଦିରେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ୍ କମ୍ ସମୟ ମଧ୍ୟରେ ମୂତ୍ରଶଲ୍ୟ ଚିକିତ୍ସାରେ ଯଥେଷ୍ଟ ପ୍ରସିଦ୍ଧି ପାଇସାରିଲେଣି । ତାଙ୍କ ରଚିତ ନିବନ୍ଧ ଗୁଡିକ ଅନେକ ପତ୍ରପତ୍ରିକାରେ ପ୍ରକାଶିତ ହେଉଛି । ଉକୃଷ୍ଟ ରୋଗୀ ସେବା ପାଇଁ ସେ ବିଭିନ୍ନ ଅନୁଷ୍ଟାନ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ । ଆମାୟିକ ବ୍ୟବହାର ଦ୍ୱାରା ସହଜରେ ସମସ୍ତଙ୍କୁ ନିଜର କରିପାରନ୍ତି । ଡାକ୍ତରୀ ଜୀବନ ବ୍ୟତୀତ ସେ ଜୀବନକୁ ଜିଅଁନ୍ତି ଅନେକ ବାଗରେ, ନିଜର ବାଦଶାହୀ ମିଜାଜ୍‌ରେ । ସ୍ପୋର୍ଟସ୍‌, ବାଇକ୍ ରାଇଡିଂ, ଆଡଭେନ୍‌ଚର୍‌, ସାଇକ୍ଲିଂ, କ୍ରିକେଟ୍‌, ମ୍ୟୁଜିକ୍ ଆଦିରେ ତାଙ୍କର ରୁଚି ରହିଛି । ତାଙ୍କ ସହ ମିଶିଲେ ହିଁ ଜାଣିହୁଏ ତାଙ୍କ ବ୍ୟକ୍ତିତ୍ୱର ବ୍ୟାପକତା ।
ଆସନ୍ତୁ ଭେଟିବା ତାଙ୍କୁ ।

ଜଣକୁ କଷ୍ଟମୁକ୍ତ କରିବାର ଆନନ୍ଦ ଖୁବ୍ ନିଆରା
– ଡା. ବିଶ୍ୱଜିତ ନନ୍ଦ

ସ୍ୱା.ସ୍ୱ. – ଡାକ୍ତରୀ କ୍ଷେତ୍ରକୁ ଆସିବାର ବିଶେଷ କାରଣ?
ଡା. ନନ୍ଦ – ଆମେମାନେ ଯେତେବେଳେ ଛାତ୍ର ଥିଲୁ, ସେତେବେଳେ ମୁଖ୍ୟତଃ ଦୁଇଟି କ୍ୟାରିୟର ଉପରେ ବିଶେଷ ଧ୍ୟାନ ଦିଆଯାଉଥିଲା । ଗୋଟିଏ ହେଲା ଇଞ୍ଜିନିୟରିଂ ଓ ଅନ୍ୟଟି ହେଲା ମେଡ଼ିକାଲ୍ । ଏହା ବ୍ୟତୀତ ଆଉ ଗୋଟେ ହେଲା ସିଭିଲ୍ ସର୍ଭିସ୍ । ବାପାଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହେବ । ଏମବିବିଏସ୍ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଲି ଏବଂ ସିଟ୍ ପାଇଲି । ଏମବିବିଏସ୍ ପଢ଼ିବା ସମୟରେ ଶଲ୍ୟ ଚିକିତ୍ସା ପ୍ରତି ମୋର ଆଗ୍ରହ ବଢ଼ିଲା ଏବଂ ପରବର୍ତ୍ତୀ ସମୟରେ ୟୁରୋଲୋଜିକୁ ବାଛିଲି । ୟୁରୋଲୋଜିକୁ ବାଛିବାର କାରଣ ଏଇଆ ଥିଲା ଯେ ୟୁରୋଲୋଜି ଏମିତି ଏକ ବିଷୟ, ଯେଉଁଥିରେ ଲାପ୍ରୋସ୍କୋପିକ୍‌, ଏଣ୍ଡୋସ୍କୋପିକ୍ ଏବଂ ଓପନ୍ ସର୍ଜରୀ ସବୁ କିଛି କରିପାରିବ ।

 

ସ୍ୱା.ସ୍ୱ. – କିଡନି ଜନିତ ସମମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ କିଡ୍‌ନି ରୋଗରୁ ରକ୍ଷା ପାଇବା ପାଇଁ ପାଠକମାନଙ୍କୁ କ’ଣ ପରାମର୍ଶ ଦେବେ?
ଡା. ନନ୍ଦ – ଦେଖନ୍ତୁ, ସବୁଠୁ ବଡ଼ କଥା ହେଲା ଜୀବନଶୈଳୀରେ ପରିବର୍ତ୍ତନ । ବର୍ତ୍ତମାନ ସମୟରେ ସମସ୍ତେ ଏତେ ବ୍ୟସ୍ତ ବହୁଳ ଜୀବନ ଜିଉଁଛନ୍ତି ଯେ ସେମାନେ ଉପଯୁକ୍ତ ଜୀବନଶୈଳୀ ପାଳନ କରିପାରୁ ନାହାନ୍ତି । କିଡନି ରାଗରୁ ବର୍ତ୍ତିବାକୁ ହେଲେ ଶରୀରର ଓଜନ ନିୟନ୍ତ୍ରଣ ବା ସଠିକ୍ ଓଜନ ରଖିବା ତଥା ମେଦବହୁଳତାକୁ ଦୂରେଇବା ବହୁତ ଜରୁରୀ । ଏହା ସହ ନିଶା ସେବନ କରିବା ଉଚିତ ନୁହେଁ । ଉପଯୁକ୍ତ ମାତ୍ରାରେ ପାଣି ପିଇବା ମଧ୍ୟ ଆବଶ୍ୟକ । ଆଉ ଗୋଟେ ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରନ୍ତୁ ନାହିଁ ।

ସ୍ୱା.ସ୍ୱ. – ଓଡ଼ିଶାରେ ବର୍ତ୍ତମାନ ୟୁରୋଲୋଜିର କେଉଁ ସବୁ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ହେଲାଣି?
ଡା. ନନ୍ଦ – ଏବେ ଅନେକ ପ୍ରକାରର ଅତ୍ୟାଧୁନିକ ସୁବିଧା ଆମ ରାଜ୍ୟରେ ଉପଲବ୍ଧ ହେଲାଣି । ରୋଗୀମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ୁନାହିଁ । କିଡ୍‌ନି ପ୍ରତିରୋପଣ, ପ୍ରୋଷ୍ଟେଟ୍‌ର ଲେଜର୍ ଚିକିତ୍ସା, କିଡ୍‌ନି ଷ୍ଟ୍ରୋନ୍‌ର ଲେଜର୍ ଚିକିତ୍ସା ଇତ୍ୟାଦି ଅନେକ ସୁବିଧା ମିଳିଲାଣି ।

ସ୍ୱା.ସ୍ୱ. – ଆପଣ ଖୁବ୍ କମ୍ ସମୟରେ ୟୁରୋଲୋଜି ଚିକିତ୍ସାରେ ଅନେକ ସଫଳତାର ସିଡ଼ି ଚଢ଼ି ସାରିଲେଣି । ତେବେ ଏଇ ସଫଳତାକୁ କେଉଁ ଦୃଷ୍ଟିରେ ଦେଖନ୍ତି ଆପଣ?
ଡା. ନନ୍ଦ – ମୋ ଦୃଷ୍ଟିରେ ସଫଳତାର ଅର୍ଥ ହେଉଛି ଲୋକମାନଙ୍କ ଭଲପାଇବା ମିଳିବା । ମୋ ଚିକିତ୍ସାରେ ଯଦି ରୋଗୀମାନେ ଆରୋଗ୍ୟ ହେଉଛନ୍ତି, ସେଇଟା ମୋର ସଫଳତା । ପ୍ରଚୁର ଅର୍ଥ ଉପାର୍ଜନକୁ ମୁଁ କେବେ ମଧ୍ୟ ପ୍ରକୃତ ସଫଳତା ବୋଲି ବିବେଚନା କରେନାହିଁ । ରୋଗୀ ଆରୋଗ୍ୟ ହୋଇଯିବା ପରେ ତାଙ୍କର ଯେଉଁ ଆଶୀର୍ବାଦ ଟିକକ ମିଳେ, ସେଇଟା ହିଁ ମୋର ସଫଳତା ।

ସ୍ୱା.ସ୍ୱ. – ସବୁଠୁ ଖୁସିର ମୁହୂର୍ତ୍ତ?
ଡା. ନନ୍ଦ – ପ୍ରତ୍ୟେକ ମଣିଷର ଜୀବନରେ ସୁଖ ଓ ଦୁଃଖ ଉଭୟ ଥାଏ । ତେବେ ମୋର ସବୁଠୁ ଖୁସିର ମୁହୂର୍ତ୍ତ ହେଲା ଯେତେବେଳେ ରୋଗୀଟିଏ ମୋ ଚିକିତ୍ସା ଦ୍ୱାରା ଭଲ ହୋଇ ହସ ହସ ମୁହଁରେ ଘରକୁ ଯାଏ । ସତରେ ଆଜ୍ଞା, ଜଣକୁ କଷ୍ଟମୁକ୍ତ କରିପାରିବାର ଆନନ୍ଦ ଖୁବ୍ ନିଆରା ।

ସ୍ୱା.ସ୍ୱ. କିଛି ସ୍ମରଣୀୟ ଘଟଣା?
ଡା. ନନ୍ଦ – କିଛି ଘଟଣା ସବୁବେଳେ ସ୍ମରଣୀୟ ହୋଇ ରହିବ । ଯେତେବେଳେ ପୁଅ ଜନ୍ମ ହେଲା, ଯେଉଁଦିନ ଜୀବନରେ ପ୍ରଥମ ଥର ପାଇଁ ନିଜେ କିଡନି ଟ୍ରାନ୍‌ସପ୍ଲାଂଟ୍ କଲି ଏବଂ ଯେବେ ଆଥଲେଟିକ୍ ଚାମ୍ପିୟନ୍ ହୋଇଥିଲି ।

ସ୍ୱା.ସ୍ୱ. – ଆପଣ ଜଣେ ସ୍ପୋର୍ଟସମ୍ୟାନ୍ ବା ଖେଳାଳୀ । ଆପଣଙ୍କ ମତରେ ସ୍ପୋର୍ଟସର ଭୂମିକା କ’ଣ ରହିଛି ଜୀବନରେ?
ଡା. ନନ୍ଦ – ଯେଉଁମାନେ ଭଲ ସ୍ପୋର୍ଟସମ୍ୟାନ୍ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଖେଳାଳୀ ଜୀବନରେ ବିଭିନ୍ନ କ୍ଷେତ୍ରରେ ସଫଳ । ଖେଳ ଆମକୁ ମାନସିକ ଓ ଶାରୀରିକ ସ୍ତରରେ ଫିଟ୍ ରଖେ, ତ୍ୟାଗ ଶିଖାଏ, ଜିତିବା-ହାରିବା ଶିଖାଏ, ନେତୃତ୍ୱ ନେବା ଶିଖାଏ, ଟିମ୍ ସ୍ପିରିଟ୍ ବଢ଼ାଏ ତଥା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କାମ କରିବା ଶିଖାଏ । ତେଣୁ ଜୀବନରେ ସ୍ପୋର୍ଟସର ଭୂମିକା ଖୁବ୍ ମହତ୍ତ୍ୱପୂର୍ଣ୍ଣ ।

ସ୍ୱା.ସ୍ୱ. – ଅବସର କେମିତି କଟେ?
ଡା. ନନ୍ଦ – ସତ କହିବାକୁ ଗଲେ ମତେ ବିଶେଷ ଅବସର ମିଳେ ନାହିଁ । ତଥାପି ଯେତିକି ବି ମିଳେ, ତାକୁ ମୁଁ ଖୁବ୍ ଭଲ ଭାବେ ବିତାଏ । ମୁଁ ସମୟ ପାଇଲେ ମଧ୍ୟ ଖାଲିଟାରେ କେବେ ବସେନି ବା ବସିପାରେନି । କିଛି ନା କିଛି କରୁଥିବି । ଖୁବ୍ ଖେଳେ, ବିଭିନ୍ନ ଉପନ୍ୟାସ ପଢ଼େ, ଜିମରେ ବ୍ୟାୟାମ କରେ, ଗୀତ ଶୁଣେ । ସାଙ୍ଗମାନଙ୍କ ସହ ବୁଲାବୁଲି କରେ । ପରିବାର ସହ ସମୟ ବିତାଏ । ଘରେ ବହୁତ କୁକୁର ରଖିଛି । ତାଙ୍କ ସହ ବି ଖେଳେ । ସାଇକେଲ୍ ଚଳାଇବା ମଧ୍ୟ ମୋର ଅଧିକ ପସନ୍ଦ । ମୋର ବିଶେଷ ଦୁର୍ବଳତା ଦୁଇଟି ହେଲା – ଆଡଭେଞ୍ଚର୍ ଏବଂ ବାଇକ୍ ରାଇଡିଂ । ମୋ’ର ସ୍ପୋର୍ଟସ୍ ବାଇକ୍ ‘ଟ୍ରମ୍ପ୍‌’ରେ ସାଙ୍ଗସାଥିଙ୍କ ସହ ମିଶି ଲଙ୍ଗ୍ ଡ୍ରାଇଭରେ ଯାଏ । ଗାଡ଼ି ଚଳାଇବା ମୋର ଖୁବ୍ ପସନ୍ଦ । ଯେତିକି ବି ଅବସର ମିଳେ ତାକୁ ଖୁବ୍ ଉପଭୋଗ କରେ ।

ସ୍ୱା.ସ୍ୱ. – ଭବିଷ୍ୟତ ଯୋଜନା?
ଡା. ନନ୍ଦ – କିଛି ବଡ଼ ଭାବିନି ଆଜ୍ଞା । ସମୟ ଅନୁସାରେ ଯାହା ଯୋଜନା ହେବା କଥା ହେବ । ତେବେ ରୋଗୀ ସେବା ଠିକ୍ ଭାବେ ଚାଲୁଥାଉ । ଏତିକି ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ସ୍ୱା.ସ୍ୱ. – ‘ସ୍ୱାସ୍ଥ୍ୟ ସ୍ୱର’ ପାଇଁ କି ବାର୍ତ୍ତା ରହିଛି?
ଡା. ନନ୍ଦ – ‘ସ୍ୱାସ୍ଥ୍ୟ ସ୍ୱର’ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତା’ର ସାମାଜିକ ନିଷ୍ଠା, ଦାୟିତ୍ୱ ଏବଂ ଦାୟବଦ୍ଧତା ବଜାୟ ରଖିଛି । ଏହା ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛି । ମୁଁ ତ ଆରମ୍ଭରୁ ଏହା ସହ ଜଡ଼ିତ । ମୁଁ ଲକ୍ଷ୍ୟ କରିଛି ବିଭିନ୍ନ ରୋଗ ବିଷୟରେ ଜନସଚେତନତା ସୃଷ୍ଟିରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଆଉ ଏହି କାମ ଆଦୌ ସହଜ ନୁହେଁ । ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ବି ଏହା ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇନାହିଁ । ମୁଁ ‘ସ୍ୱାସ୍ଥ୍ୟ ସ୍ୱର’ର ଉନ୍ନତି କାମନା କରୁଛି ।