ଆଡମିରାଲ୍ ଡା. ସଲିଲ୍ କୁମାର ମହାନ୍ତି, ଏସ୍‌.ଏମ୍‌., ଭି.ଏସ୍‌.ଏମ୍‌. । ବିଶିଷ୍ଟ ଶଲ୍ୟ ଚିକିତ୍ସକ । ଭାରତୀୟ ନୌସେନାରେ କାଟିଛନ୍ତି ନିଜର ଚାକିରି ଜୀବନ । ଚିଫ୍ ଅଫ୍ ଦି ନାଭାଲ୍ ଷ୍ଟାଫ୍ କମେଣ୍ଡେସନ୍ କାର୍ଡ (୧୯୮୫), ବିଶିଷ୍ଟ ସେବା ମେଡାଲ୍ (୧୯୮୭), ସର୍ଜନ୍ ରିଅର୍ ଆଡମିରାଲ୍ ଏଚ୍ ଏଲ୍ ଭାଟିଆ ମେମୋରିଆଲ୍ ସିଲଭର୍ ମେଡାଲ୍ (୧୯୯୩) ଏବଂ ସେନା ମେଡାଲ୍ (୨୦୦୦) ଭଳି ସମ୍ମାନରେ ସେ ସମ୍ମାନିତ । ଅବସର ପରେ ମୁମ୍ବାଇର ଜସଲୋକ୍ ହସପିଟାଲ୍‌ର ମେଡିକାଲ୍ ଡାଇରେକ୍ଟର୍ ଭାବେ ଏବଂ ପରେ ଭୁବନେଶ୍ୱର ଆମ୍ରି ହସ୍ପିଟାଲ୍‌ର ଭାଇସ୍ ପ୍ରେସିଡେଂଟ୍ ଭାବେ କିଛି ବର୍ଷ କାର୍ଯ୍ୟ କରିଛନ୍ତି । ତାଙ୍କର ରଚିତ ବହୁ ନିବନ୍ଧ ଅନେକ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଶ୍ରଦ୍ଧା ପାଇଛନ୍ତି । ବ୍ୟକ୍ତିଗତ ଜୀବନରେ ସେ ବେଶ୍ ଶୃଙ୍ଖଳିତ ଓ ମାର୍ଜିତ ।
ଆସନ୍ତୁ ତାଙ୍କୁ ଭେଟିବା…

ଓଡ଼ିଶା ଡାକ୍ତର କୌଣସି ଗୁଣରେ କମ୍ ନୁହନ୍ତି
– ଆଡମିରାଲ୍ ଡା. ସଲିଲ୍ କୁମାର ମହାନ୍ତି

ସ୍ୱାସ୍ଥ୍ୟ ସ୍ୱର : ଡାକ୍ତରୀ କ୍ଷେତ୍ରକୁ କେମିତି ଆସିଲେ?
ଡା. ମହାନ୍ତି : ମୋର ଛୋଟବେଳୁ ଡାକ୍ତର ହେବାର ଅଭିଳାଷ ଥିଲା । ଘରେ ସମସ୍ତେ ଚାହୁଁଥିଲେ ମୋତେ ଜଣେ ଆଇଏଏସ୍ ଅଫିସର ଭାବରେ ଦେଖିବାକୁ । ହେଲେ ମୋର ତ ଡାକ୍ତର ହେବାକୁ ମନ । ବେଷ୍ଟ ଟେନଥରେ ଥିବାରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ କଟକରେ ଏମବିବିଏସ୍ ପଢ଼ିବାକୁ ସୁଯୋଗ ମିଳିଲା ।

ସ୍ୱାସ୍ଥ୍ୟ ସ୍ୱର : କଟକରୁ ପଢା ସରିଲା ପରେ ଓଡ଼ିଶା ବାହାରକୁ ଯିବାର କାରଣ କ’ଣ?
ଡା. ମହାନ୍ତି : ଆମେମାନେ ଯେତେବେଳେ ଏମବିବିଏସ୍ ପାସ୍ କଲୁ, ସେତେବେଳେ ଆମ ପାଇଁ କେବଳ ସରକାରୀ ପ୍ରାଇମେରୀ ହେଲଥ ସେଂଟରରେ ଚାକିରି କରିବା ହିଁ ଏକମାତ୍ର ସୁଯୋଗ ଥିଲା । କିମ୍ବା ଅତି ବେଶିରେ ମେଡିକାଲ୍ କଲେଜରେ ଚାକିରି, ଯାହାକି ସମସ୍ତଙ୍କ ଭାଗ୍ୟରେ ବି ନଥାଏ । ଏଠି ଅନ୍ୟ କିଛି ବିକଳ୍ପ ନଥିଲା । ଆଉ ସେତେବେଳର ପିଏଚସିଗୁଡ଼ିକର ଦୁରବସ୍ଥା କହିଲେ ନ ସରେ । ତେଣୁ ମୁଁ ବାହାରକୁ ଯିବାକୁ ଚାହିଁଲି । ମୁଁ ପିଲାଦିନରୁ ଶୃଙ୍ଖଳିତ । ତେଣୁ ମତେ ଗୋଟିଏ ଶୃଙ୍ଖଳିତ କାର୍ଯ୍ୟ କ୍ଷେତ୍ର ଆବଶ୍ୟକ ଥିଲା, ଯାହାକି ସେନା ବାହିନୀରେ ମୁଁ ପାଇଲି ।

ସ୍ୱାସ୍ଥ୍ୟ ସ୍ୱର : ପୁଣି ଓଡ଼ିଶାକୁ ଫେରିବାର କାରଣ?
ଡା. ମହାନ୍ତି : ଦୀର୍ଘ ୩୫ ବର୍ଷ ସେନାରେ କାର୍ଯ୍ୟ କଲା ପରେ ଅବସର ଗ୍ରହଣ କଲି । ତା’ପରେ ଜସଲୋକ୍ ହସ୍ପିଟାଲ୍‌, ମୁମ୍ବାଇରେ ଦୀର୍ଘ ବର୍ଷ ଧରି ମେଡିକାଲ୍ ଡାଇରେକ୍ଟର୍ ଭାବରେ କାର୍ଯ୍ୟ କଲି । ଏମିତି ୪୦ ବର୍ଷ ବାହାରେ ରହିବା ପରେ ମୁଁ ଚିନ୍ତା କଲି ଓଡ଼ିଶା ପାଇଁ କିଛି କରିବାକୁ । ଓଡ଼ିଶାରେ ରହି ଡାକ୍ତରମାନଙ୍କ ପାଇଁ ଏକ ଉପଯୁକ୍ତ କର୍ମକ୍ଷେତ୍ର ପ୍ରସ୍ତୁତ କରିବାକୁ ଭାବିଲି ଏବଂ ଓଡିଶାରେ କିପରି ଆମର ଓଡିଆ ଡାକ୍ତରଙ୍କ ପାଇଁ ପ୍ରକୃଷ୍ଟ କ୍ଷେତ୍ର ତିଆରି ହେବ, ତା’ପାଇଁ ମୋର ଉଦ୍ୟମ ଆରମ୍ଭ ହେଲା । ଏତିକିବେଳେ ଆମ୍ରି ହସ୍ପିଟାଲ୍‌, ଭୁବନେଶ୍ୱର ଶାଖାରେ ଭାଇସ୍ ପ୍ରେସିଡେଂଟ୍ ଭାବରେ କାର୍ଯ୍ୟ କରିବାର ସୁଯୋଗ ମିଳିଲା । ୨୦୧୩ରୁ ୨୦୧୭ ମସିହା ଯାଏଁ ଏଇଠି କାମ କଲି ଏବଂ ଏଇ ଚାରି ବର୍ଷରେ ମୁଁ ମୋର ଅଭିଜ୍ଞତା ଏବଂ ପୂର୍ଣ୍ଣ ପ୍ରଚେଷ୍ଟା ଦ୍ୱାରା ଆମ୍ରି ହସ୍ପିଟାଲକୁ ଆଗକୁ ଆଣିବାରେ ସକ୍ଷମ ହେଲି । ଏହା ମତେ ଆନନ୍ଦ ଦିଏ । ଆମ୍ରି ହସ୍ପିଟାଲ୍‌ରେ ଡାକ୍ତରମାନଙ୍କ ପାଇଁ ଉନ୍ନତମାନର କାର୍ଯ୍ୟକ୍ଷେତ୍ର ପ୍ରସ୍ତୁତ ହୋଇପାରିଛି ।

ସ୍ୱାସ୍ଥ୍ୟ ସ୍ୱର : ସାଧାରଣତଃ ଦେଖାଯାଏ ଯେ, ସେନାବାହିନୀରୁ ଅବସର ପ୍ରାପ୍ତ ଡାକ୍ତରମାନଙ୍କୁ ହସ୍ପିଟାଲମାନଙ୍କରେ ପ୍ରଶାସନିକ ଦାୟିତ୍ୱ ଦିଆଯାଇଥାଏ । ଏହାର କାରଣ କ’ଣ ବୋଲି ଆପଣ ଭାବନ୍ତି?
ଡା. ମହାନ୍ତି : ଆପଣ ଜାଣନ୍ତି ସେନା ଗୋଟିଏ ଶୃଙ୍ଖଳିତ ସଂଗଠନ । ଡାକ୍ତର ହେଲେ ବି ଆମମାନଙ୍କୁ ପ୍ରଶାସନିକ ଦାୟିତ୍ୱ ମଧ୍ୟ ତୁଲାଇବାକୁ ପଡିଥାଏ । ତେଣୁ ସେ ଅବଧିରେ ପ୍ରଶାସନିକ ପ୍ରଶିକ୍ଷଣ ମିଳିଥାଏ, ଯେଉଁଟା ଭବିଷ୍ୟତରେ କାର୍ଯ୍ୟକାରୀ ହୋଇପାରିଥାଏ ।

ସ୍ୱାସ୍ଥ୍ୟ ସ୍ୱର : ଆର୍ମି ଡାକ୍ତର ଏବଂ ସିଭିଲିଆନ୍ ଡାକ୍ତରମାନଙ୍କ ମଧ୍ୟରେ ବୃତ୍ତିଗତ ପାର୍ଥକ୍ୟ କ’ଣ ରହିଛି?
ଡା. ମହାନ୍ତି : ମୁଁ ପୂର୍ବରୁ କହିଛି, ଆର୍ମିରେ ଶୃଙ୍ଖଳାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ, ଅନ୍ୟ କୌଣସି ବ୍ୟବସ୍ଥା ବା ଅନୁଷ୍ଠାନରେ ସେଭଳି ଅନୁଶାସନ ଦେଖିବାକୁ ମିଳିନଥାଏ । ସେନାବାହିନୀରେ କାର୍ଯ୍ୟ କରଥିବା ଡାକ୍ତରମାନଙ୍କୁ ପ୍ରାଇଭେଟ୍ ପ୍ରାକ୍ଟିସ୍ କରିବାର ଅନୁମତି ନଥାଏ । ସେଠି ଟ୍ରମା କେୟାର୍ ବା ଦୁର୍ଘଟଣା ଜନିତ ଚିକିତ୍ସା ବ୍ୟବସ୍ଥା ଖୁବ୍ ଉନ୍ନତ ଏବଂ ଅତ୍ୟାଧୁନିକ ।

ସ୍ୱାସ୍ଥ୍ୟ ସ୍ୱର : ଓଡ଼ିଶାର ସାମ୍ପ୍ରତିକ ସ୍ୱାସ୍ଥ୍ୟସେବା ସମ୍ପର୍କରେ କ’ଣ କହିବେ?
ଡା. ମହାନ୍ତି : ମୁଁ ଖୁବ୍ ଖୁସି ଯେ, ବିଗତ ଦଶ ବର୍ଷ ଭିତରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଘଟିଛି । ସରକାର ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌), ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (ସିଏମ୍‌ଆର୍‌ଏଫ୍‌) ଓ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ଆଦି ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ରୋଗୀମାନଙ୍କୁ ବହୁତ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ତେଣୁ ଆଜିର ଏଇ ଉନ୍ନତ ସ୍ୱାସ୍ଥ୍ୟସେବା ବିଷୟରେ ସରକାରଙ୍କ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ । ଏହାଛଡ଼ା ବିଭିନ୍ନ କର୍ପୋରେଟ୍ ହସ୍ପିଟାଲମାନଙ୍କରେ ମଧ୍ୟ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେଲାଣି । ତେଣୁ ରୋଗୀ ଚିକିତ୍ସା ପାଇଁ ବାହାରକୁ ଯିବାଟା ଯଥେଷ୍ଟ ହ୍ରାସ ପାଇଲାଣି । ଓଡ଼ିଶାର ଡାକ୍ତରମାନେ ମଧ୍ୟ ବାହାର ଡାକ୍ତର ତୁଳନାରେ କୌଣସି ଗୁଣରେ କମ୍ ନୁହନ୍ତି । ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ଅନେକ ଓଡ଼ିଆ ଡାକ୍ତର ଏବେ ଓଡ଼ିଶାମୁହାଁ ହେଲେଣି, ଯାହା ଆମ ରାଜ୍ୟ ପାଇଁ ଏକ ଶୁଭ ସଂକେତ ।

ସ୍ୱାସ୍ଥ୍ୟ ସ୍ୱର : କିଛି ସ୍ମରଣୀୟ ଘଟଣା?
ଡା. ମହାନ୍ତି : ଅନେକ ଅଛି, କେଉଁଟା କହିବି? କାର୍ଗିଲ୍ ଯୁଦ୍ଧକୁ ଅଙ୍ଗେ ନିଭାଇଛି । ୧୩୦୦ରୁ ଊର୍ଦ୍ଧ୍ୱ ଆଘାତପ୍ରାପ୍ତ ସୈନିକଙ୍କୁ ଚିକିତ୍ସା କରିଛି । ଆର୍ମଡ୍ ଫୋର୍ସ ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ (ଏଏଫଏମ୍‌ସି), ପୁନେରେ ପ୍ରଥମ ଥର ପାଇଁ ଲାପ୍ରୋସ୍କୋପିକ୍ ଯନ୍ତ୍ର ସାହାଯ୍ୟରେ ଅପରେସନ୍ କରିବା ମଧ୍ୟ ମୋ ପାଇଁ ସ୍ମରଣୀୟ । ଆଉ ଥରେ ଜଣେ ମହିଳା ରୋଗୀଙ୍କ ପ୍ରସବ ସମୟରେ ମୃତ ଛୁଆ ବାହାରିଲା ଏବଂ ସେ ଗୁରୁତର ହୋଇଗଲେ । ତାଙ୍କ ହାର୍ଟ ପମ୍ପିଙ୍ଗ୍ କରିବା ବନ୍ଦ କରିଦେଇଥିଲା । ଟାଇମ୍ ନଥିଲା, ତଥାପି ସବୁ ପ୍ରକାର ପ୍ରଚେଷ୍ଟା କରାଯାଇଥିଲା । କିଛି ବି କାମ ଦେଲାନି, ସେ ରୋଗୀ ସଙ୍ଗେ ସଙ୍ଗେ ମରିବା ଏକ ପ୍ରକାର ନିଶ୍ଚିତ ଥିଲା । ମୁଁ ଆଉ ଆଗପଛ ନ ବିଚାର ନ କରି ଫଟାକ୍ କିନା ଛାତିରେ ଇନ୍‌ସିଜନ୍ (କାଟି) ଦେଇ ସିଧା ହାର୍ଟକୁ ମୋ’ ହାତରେ ପମ୍ପିଙ୍ଗ୍ କରିବା ଆରମ୍ଭ କଲି । ଭଗବାନଙ୍କ କି ଆଶୀର୍ବାଦ, ହାର୍ଟ କାମ କରିବା ଆରମ୍ଭ କଲା ଓ ରୋଗୀ ଷ୍ଟେବୁଲ୍ ହେଲେ । ତା’ପରେ ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଉପଚାର କରାଗଲା ଏବଂ ରୋଗୀଟି ବଂଚିଗଲେ ।
ମୋର ଅନ୍ୟ ଏକ ଅବିସ୍ମରଣୀୟ ଘଟଣା ହେଉଛି ସେନାକାଳରେ ଭାରତର ପଂଚମ ଆଣ୍ଟାରଟିକା ଅଭିଯାନରେ ଭାଗ ନେବା ପାଇଁ ମତେ ସୁଯୋଗ ମିଳିବା । ପ୍ରଥମ ଓଡିଆ ଡାକ୍ତର ହିସାବରେ ଏ ଅଭିଯାନରେ ଭାଗ ନେଇଥିଲି ଏବଂ ୬ ମାସ ପର୍ଯ୍ୟନ୍ତ ଏଭଳି ବରଫିଲା ଦେଶରେ ବିତାଇଥିଲି ଏବଂ ନାନା ପ୍ରକାର ବୈଜ୍ଞାନିକ ଗବେଷଣାରେ ସହାୟତା କରିଥିଲି ।
ମୋ’ ପାଇଁ ଆଉ ଗୋଟେ ସ୍ମରଣୀୟ ଘଟଣା ହେଉଛି, ‘ଆଡମିରାଲ୍ ଏଚ୍ ଏଲ୍ ଭାଟିଆ ମେମୋରିଆଲ୍ ସିଲଭର୍ ମେଡାଲ୍ ଅଫ୍ କାର୍ଡିଆକ୍ ଇମରଜେନସି’ ସମ୍ମାନରେ ସମ୍ମାନିତ ହେବା ।
ଏଇମିତି ଆହୁରି ଅନେକ ଘଟଣା ରହିଛି, ଯାହା ସବୁଦିନ ମାନସପଟରେ ତାଜା ହୋଇ ରହିଥିବ ।

ସ୍ୱାସ୍ଥ୍ୟ ସ୍ୱର : ଆପଣ ତ ନୌସେନାବାହିନୀରେ ଯୋଗ ଦେଇଥିଲେ । ତେବେ କାର୍ଗିଲ୍ ଯୁଦ୍ଧରେ ସାମିଲ୍ ହେବାକୁ ସୁଯୋଗ କେମିତି ପାଇଥିଲେ?
ଡା. ମହାନ୍ତି – ସେନାବାହିନୀର ଡାକ୍ତରମାନେ ଜଳ, ସ୍ଥଳ ଓ ଆକାଶ ସବୁଥିରେ ଭାଗ ନେଇପାରିବେ । ଉଦାହରଣ ସ୍ୱରୂପ, ମୁଁ ଯେତେବେଳେ ମୁମ୍ବାଇର ନୌସେନା ହସପିଟାଲର ସର୍ବୋଚ୍ଚ ଅଧିକାରୀ ଥିଲି ସେହି ସମୟରେ ଆମ ହସ୍‌ପିଟାଲରେ ସ୍ଥଳ ବାହିନୀ ଓ ବାୟୁ ସେନାର ଡାକ୍ତରମାନେ ମଧ୍ୟ ମୋ ସହିତ କାର୍ଯ୍ୟ କରୁଥିଲେ ।

ସ୍ୱାସ୍ଥ୍ୟ ସ୍ୱର : ଅବସର କେମିତି କଟେ?
ଡା. ମହାନ୍ତି – ମୁଁ ବୁଲିବାକୁ ବହୁତ ଭଲପାଏ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିବନ୍ଧ ଲେଖିବା ବି ମୋର ଗୋଟେ ରୁଚି । ଗଳ୍ପ ଲେଖେ । ବଗିଚା କାମ କରେ । ଅନେକ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଅଛି, ଯା’ଦ୍ୱାରା ମୁଁ ସମାଜସେବା କରିପାରେ । ପରିବାର ସହ ସମୟ ବିତେଇବାକୁ ଭଲ ଲାଗେ ।

ସ୍ୱାସ୍ଥ୍ୟସ୍ୱର : ଭବିଷ୍ୟତ ଯୋଜନା?
ଡା. ମହାନ୍ତି : ଯୋଜନା ତ ବହୁତ । ମୋର ସବୁ ଅନୁଭୂତିକୁ ନେଇ ଗୋଟିଏ ବାୟୋଗ୍ରାଫି ଲେଖିବାକୁ ଇଚ୍ଛା । ଓଡ଼ିଶା ପାଇଁ ଆହୁରି କିଛି କରିବାକୁ ଇଚ୍ଛା । ସୁଯୋଗ ମିଳିଲେ ନିଜ କ୍ଷମତା ଅନୁସାରେ ଗରିବ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ କିଛି ଉନ୍ନତିମୂଳକ କାମ କରିବାର ଇଚ୍ଛା ।

ସ୍ୱାସ୍ଥ୍ୟସ୍ୱର : ସ୍ୱାସ୍ଥ୍ୟସ୍ୱର ପାଇଁ ପଦେ?
ଡା. ମହାନ୍ତି : ମୁଁ ବହୁତ ଖୁସି ଯେ ଆମ ଓଡ଼ିଶାରେ ମଧ୍ୟ ଏଭଳି ଏକ ସୁନ୍ଦର ସ୍ୱାସ୍ଥ୍ୟ ପତ୍ରିକା ପ୍ରକାଶିତ ହେଉଛି । ଏଥିରେ ଯେଉଁ ବିଷୟଗୁଡ଼ିକ ସ୍ଥାନିତ ହେଉଛି, ତାହା ନିଶ୍ଚିତ ଭାବରେ ସମାଜ ପାଇଁ ଉପାଦେୟ । ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମସ୍ତ ବିଭାଗକୁ ଏଥିରେ ପ୍ରକାଶ କରୁଥିବାରୁ ଏହା ସମାଜର ସବୁ ବର୍ଗରେ ଲୋକପ୍ରିୟତା ହାସଲ କରୁଛି । ଆଗାମୀ ସମୟରେ ଏହାର ଆହୁରି ଉନ୍ନତି ଘଟୁ, ଏହା ହିଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ।