ଡା. ସୁତପା ବିଶ୍ୱାସ । ସ୍ପର୍ଶ ହସ୍ପିଟାଲ, ଭୁବନେଶ୍ୱରର ପାଥୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ । ରୋଗ ନିଦାନରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି ତାଙ୍କର । ବିଶେଷକରି କ୍ୟାନସର୍ ରୋଗ ନିରୂପଣରେ ସେ ସିଦ୍ଧହସ୍ତ । ପିଲାଦିନ କଟିଛି ମୁମ୍ବାଇରେ । ମୁମ୍ବାଇସ୍ଥିତ ଜି.ଏସ୍‌. ମେଡ଼ିକାଲ କଲେଜରୁ ଏମବିବିଏସ୍ ଏବଂ ଏଲଟିଏମଏମସି ଆଣ୍ଡ୍ ଏଲଟିଏସଜିଏଚରୁ ଏମ୍‌.ଡି. (ପାଥୋଲୋଜି) କରିଛନ୍ତି । ରୋଗୀସେବା ତାଙ୍କ ଜୀବନ । ତାଙ୍କର ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକଶିତ ହୋଇ ଅନେକ ପାଠକୀୟତା ସାଉଁଟିଛି । ସ୍ୱାସ୍ଥ୍ୟବୋରେ ତାଙ୍କ ଅବଦାନ ପାଇଁ ଅନେକ ସାମାଜିକ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବ୍ୟକ୍ତିଗତ ଜୀବନରେ ସେ ଖୁବ୍ ସ୍ନେହୀ, ଶାନ୍ତ ଓ ସରଳ ।
ଆସନ୍ତୁ ତାଙ୍କୁ ଭେଟିବା ଏଥରର ସାକ୍ଷାତକାରରେ ।

ରୋଗ ନିରୂପଣରେ ପାଥୋଲୋଜିଷ୍ଟଙ୍କ ଭୂମିକା ସମ୍ପର୍କରେ ଲୋକ ସଚେତନ ହେଲେଣି
– ଡା. ସୁତପା ବିଶ୍ୱାସ

ସ୍ୱା.ସ୍ୱ.-ଡାକ୍ତର ହେବାକୁ କାହିଁକି ଇଚ୍ଛା ପ୍ରକାଶ କଲେ?
ଡା. ସୁତପା- ମୁମ୍ବାଇର ଗୋଟିଏ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ । ପରିବାରରେ ବାପା ଏକୁଟିଆ ରୋଜଗାରକ୍ଷମ ବ୍ୟକ୍ତି । ଘରେ ମୁଁ, ମୋ ସାନଭଉଣୀ, ମା’ ଓ ବାପା । ବାପାଙ୍କ ଦେହ ସବୁବେଳେ ଖରାପ ରହୁଥିଲା, କାରଣ ତାଙ୍କ ଫୁସଫୁସ୍ ଧୀରେଧୀରେ ଅକାମୀ ହୋଇଯାଉଥିଲା । ସବୁବେଳେ ତାଙ୍କୁ ଡାକ୍ତରଖାନା ନେବାକୁ ପଡ଼ୁଥିଲା । ଘରେ ବି ଅକ୍ସିଜେନ୍ ସିଲିଣ୍ଡର୍ ରଖାଯାଇଥିଲା । ମାଆ ପାରୁପର୍ଯ୍ୟନ୍ତ ବାପାଙ୍କ ସେବା କରୁଥିଲେ । ଭାରି ଦୁଃଖର ଦିନ ଥିଲା ସେସବୁ । ମୁଁ ସବୁବେଳେ ଭାବୁଥିଲି ବଡ଼ ହେଲେ ଡାକ୍ତର ହେବି ଓ ବାପାଙ୍କୁ ଠିକ୍ କରିଦେବି । ତ’ ପିଲାଟି ଦିନରୁ ଡାକ୍ତର ହେବାର ଇଚ୍ଛା ମନ ଭିତରେ ଜାଗ୍ରତ ହୋଇଥିଲା । ଡାକ୍ତରମାନଙ୍କ ସାମାଜିକ ସମ୍ମାନ ମଧ୍ୟ ଖୁବ୍ ଊର୍ଦ୍ଧ୍ୱରେ । ରୋଗୀଟିଏର ଦୁଃଖ କଷ୍ଟ ଦୂର କରିଦେଲେ ସେ କେତେ ଯେ’ ଖୁସି ହୁଏ, ତାହା ଶବ୍ଦରେ ମଧ୍ୟ ବର୍ଣ୍ଣନା କରିହେବ ନାହିଁ । ଆଉ ଗୋଟେ କଥା, ଆମ ପରିବାରର ଆର୍ଥିକ ସ୍ଥିତି ଯେହେତୁ ସେତେଟା ଭଲ ନଥିଲା, ବଡ଼ ହେଲା ପରେ ଘରର ଆର୍ଥିକ ସ୍ୱଚ୍ଛଳତା ଆଣିବାର ଦାୟିତ୍ୱ ମଧ୍ୟ ମୋର ରହିଥିଲା । ପିଲାଟି ଦିନରୁ ଭଲ ପଢ଼ୁଥିଲି । ଦଶମ ଶ୍ରେଣୀରେ ସୋସିଆଲ୍ ଷ୍ଟଡିରେ ଅଲ୍ ଇଣ୍ଡିଆ ମେରିଟ୍ ସାର୍ଟିଫିକେଟ ପାଇଥିଲି । ଯୁକ୍ତ ଦୁଇ ବିଜ୍ଞାନରେ ଫିଜିକ୍ସରେ ୧୦୦ରୁ ୯୯ ମାର୍କ ରଖିଥିବାରୁ ଅଲ୍ ଇଣ୍ଡିଆ ର‌୍ୟାଙ୍କିଙ୍ଗ୍‌ରେ ଆସିଥିଲା । ଯେହେତୁ ଭଲ ପଢ଼ୁôଥଲି ପ୍ରଥମ ଥର ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଥିଲି ।

ସ୍ୱା.ସ୍ୱ.-ପାଥୋଲୋଜିରେ ଏମ୍‌ଡି କରିବାକୁ କାହିଁକି ମନସ୍ଥ କଲେ?
ଡା. ସୁତପା- ମୋର ପ୍ରଥମ ଚଏସ୍ ଥିଲା ମେଡିସିନରେ ଏମ୍‌ଡି କରିବାକୁ । କିନ୍ତୁ (ହସି) ମେରିଟରେ ମେଡ଼ିସିନ୍ ହୋଇନଥିଲା ଏବଂ ଏମ୍‌.ଏସ୍‌. (ସର୍ଜରୀ)ରେ ସିଟ୍ ମିଳିଥିଲା । ମତେ କାହିଁକି କେଜାଣି ସର୍ଜରୀରେ ପିଜି କରିବାକୁ ଇଚ୍ଛା ହେଲା ନାହିଁ । ତା’ପରେ ପାଥୋଲୋଜିରେ ପିଜି ମିଳିଲା । ଆଉ ଦେଖିବାକୁ ଗଲେ ପାଥୋଲୋଜି ଏକ ବିଶାଳ ବିଭାଗ । ରୋଗ ନିଦାନରେ ଏବଂ ଗବେଷଣା ପାଇଁ ଏଥିରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏସବୁ କଥା ଭାବି ପାଥୋଲୋଜିରେ ପିଜି କରିବାକୁ ଚାହିଁଥିଲି ।

ସ୍ୱା.ସ୍ୱ.-ରୋଗ ନିରୂପଣ ଓ ନିଦାନରେ ଜଣେ ପାଥୋଲୋଜିଷ୍ଟଙ୍କ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲେ ବି ଅନ୍ୟ ଡାକ୍ତରଙ୍କ ଭଳି ସାମାଜିକ ପ୍ରତିଷ୍ଠା ନାହିଁ ବୋଲି ଆପଣ ଅନୁଭବ କରନ୍ତି କି?
ଡା. ସୁତପା- (ହସି) ହଁ, ଏକଥା କିଛି ମାତ୍ରାରେ ସତ ଯେ, ପାଥୋଲୋଜିଷ୍ଟମାନେ ରୋଗ ନିରୂପଣ ଓ ନିଦାନରେ ପ୍ରମୂଖ ଭୂମିକା ନିର୍ବାହ କରୁଥିଲେ ବି ଅନେକ କ୍ଷେତ୍ରରେ ପର୍ଦ୍ଦା ପଛର ନାୟକ ହୋଇ ରହିଯାଆନ୍ତି । କିନ୍ତୁ ପୂର୍ବ ଅପେକ୍ଷା ଏବେ ପରିସ୍ଥିତି ବହୁତ ବଦଳି ଗଲାଣି । ପାଥୋଲୋଜିଷ୍ଟଙ୍କ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ହେଉଛି । ଲୋକମାନେ ମଧ୍ୟ ଧୀରେ ଧୀରେ ସଚେତନ ହେବା ଆରମ୍ଭ କଲେଣି ଯେ, ରୋଗ ନିରୂପଣରେ ଜଣେ ପାଥୋଲୋଜିଷ୍ଟଙ୍କ ଭୂମିକା କେତେ ଅଧିକ! ସ୍ୱାସ୍ଥ୍ୟସେବାରେ ଭିତ୍ତିିଭୂମିର ବିକାଶ ସଙ୍ଗେ ସଙ୍ଗେ ପାଥୋଲୋଜିଷ୍ଟମାନଙ୍କ ଅତ୍ୟାଧୁନିକ ଉପାୟରେ କାର୍ଯ୍ୟ କରିବାର ସୁଯୋଗ ମିଳିପାରୁଛି ।

ସ୍ୱା.ସ୍ୱ.-ଓଡ଼ିଶାର ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆପଣଙ୍କ ମତ କ’ଣ?
ଡା. ସୁତପା- ୨୦୦୬ରେ ମୁଁ ଓଡ଼ିଶା ଆସିଲି । ଏଇ ୧୫-୧୬ ବର୍ଷର ଅଭିଜ୍ଞତାରୁ କହୁଛି, ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅଭୂତପୂର୍ବ ଉନ୍ନତି ଘଟୁଛି । ଧୀରେଧୀରେ ସମସ୍ତ ପ୍ରକାର ଅତ୍ୟାଧୁନିକ ନିଦାନ ଉପକରଣ ଉପଲବ୍ଧ ହେବାରେ ଲାଗିଲାଣି । ଓଡ଼ିଶାର ଅନେକ ସ୍ଥାନ ବୁଲି ସ୍ୱାସ୍ଥ୍ୟ ସଚେତନତା ଶିବିର ତଥା କ୍ୟାନସର୍ ସ୍କ୍ରିନିଂ ଟେଷ୍ଟ ସବୁ କରିଛି । ଏବେ ପ୍ରାୟ ପ୍ରତି ହସ୍ପିଟାଲରେ ପାଥୋଲୋଜିଷ୍ଟଙ୍କ ସେବା ମିଳିପାରୁଛି । ଏବେ ଆଉ କ୍ୟାନସର୍ ପରୀକ୍ଷା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁନାହିଁ । ତେବେ ଏଠାରେ ମୁଁ ଗୋଟିଏ କଥା କହିବାକୁ ଚାହେଁ ଯେ, ସ୍ୱାସ୍ଥ୍ୟସେବାର ଅତ୍ୟାଧୁନିକ ଉନ୍ନତି କେବଳ କଟକ-ଭୁବନେଶ୍ୱରରେ ସୀମିତ ନ ରହି ସମସ୍ତ ଜିଲ୍ଲା ତଥା ବ୍ଳକ ମୁଖ୍ୟାଳୟରେ ଉପଲବ୍ଧ ହୋଇପାରିଲେ ଗାଁ ଗହଳିର ପ୍ରତ୍ୟେକ ରୋଗୀ ଉପକୃତ ହୋଇପାରନ୍ତେ । ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଆହୁରି ଉଦ୍ୟମ ଆବଶ୍ୟକ ବୋଲି ମୋର ମନେହୁଏ ।

ସ୍ୱା.ସ୍ୱ.-ଏବେ ଓଡ଼ିଶାରେ ରୋଗ ନିଦାନ ପାଇଁ କେଉଁ ସବୁ ଅତ୍ୟାଧୁନିକ ପରୀକ୍ଷା ଉପଲବ୍ଧ ହେଲାଣି?
ଡା. ସୁତପା- ବର୍ତ୍ତମାନ ଓଡ଼ିଶାରେ ଅନ୍ୟ ବିକଶିତ ରାଜ୍ୟ ଭଳି ପ୍ରାୟ ସମସ୍ତ ପ୍ରକାରର ଅତ୍ୟାଧୁନିକ ରୋଗ ନିରୂପଣ ପଦ୍ଧତି ଉପଲବ୍‌ଧ ହେଲାଣି । ଯଥା ହିଷ୍ଟୋପାଥୋଲୋଜି(ବାୟୋପସି), ଇମ୍ୟୁନୋହିଷ୍ଟୋକେମେଷ୍ଟ୍ରି, ଫ୍ଲୋସାଇଟୋମେଟ୍ରି(ବ୍ଳଡ୍ କ୍ୟାନ୍‌ସର), ପିସିଆର୍‌(ଏଚଆଇଭି, ଟିବି), ଇମ୍ୟୁନୋଇଲେକ୍ଟ୍ରୋଫୋରୋସିସ୍‌(ମଲଟିପୁଲ୍ ମାୟୋଲୋମା), ବୋନମ୍ୟାରୋ ବାୟୋପସି ଓ ସେଲ୍ ବ୍ଳକ୍ ଷ୍ଟଡି ଇତ୍ୟାଦି ଅନ୍ୟତମ । ଏହାଛଡ଼ା ମଧ୍ୟ ଆହୁରି ଅନେକ ନିଦାନ ପଦ୍ଧତି ଉପଲବ୍ଧ ହେଲାଣି, ଯ’ଦ୍ୱାରା ରୋଗ ନିରୂପଣ ସହଜରେ ଓ ଶୀଘ୍ର ହୋଇପାରୁଛି ।

ସ୍ୱା.ସ୍ୱ.-ଅବସର କେମିତି କଟେ?
ଡା. ସୁତପା- ଅବସର ମିଳିଲେ ଘର କାମ କରେ । ଛୁଆମାନଙ୍କୁ ସମୟ ଦିଏ । ମୁଁ ଡାକ୍ତର ହେଲେ ବି ମା’ଟିଏ । ଛୁଆମାନଙ୍କ ସବୁ କାମ ମତେ ହିଁ କରିବାକୁ ପଡ଼େ । ବେଳେବେଳେ କପଡ଼ାରେ ଚିତ୍ର କରିବାକୁ ବି ଭଲ ଲାଗେ । ଭାରତନାଟ୍ୟମ୍ ନୃତ୍ୟ ଆଗରୁ କରୁଥିଲି । ଏବେ ଓଡ଼ିଶୀ ଶିଖୁଛି; ସତରେ ଓଡ଼ିଶୀର ମୁଦ୍ରା ତଥା ଛନ୍ଦ ତାଳ ଖୁବ୍ ସୁନ୍ଦର । ରୋଷେଇ କରିବାକୁ ମତେ ଖୁବ୍ ଭଲ ଲାଗେ । ଯେତେବେଳେ ଟିକେ ଦୀର୍ଘ ସମୟର ଅବସର ମିଳେ, ଓଡ଼ିଶା ବାହାରକୁ ସମସ୍ତେ ବୁଲିବାକୁ ଯାଉ । ପରିବାର ଗହଣରେ ସମୟ ବିତେଇବାକୁ ଭଲ ଲାଗେ । ଯେହେତୁ ଆମେ ଦି’ ଜଣ ଡାକ୍ତର, ଅବସର ମିଳିବା ସବୁବେଳେ ସମ୍ଭବପର ହୋଇନଥାଏ । ହେଲେ ଟିକେ ସମୟ ମିଳିଲା ମାନେ ପାଇଲା ପରିବାର ସହ ସମୟ ବିତାଇଥାଉ ।

ସ୍ୱା.ସ୍ୱ.-ସ୍ମରଣୀୟ ଘଟଣା କିଛି କହିବେ କି?
ଡା. ସୁତପା- ଦେଖନ୍ତୁ, ଘଟଣା-ଦୁର୍ଘଟଣା ଉଭୟ ସ୍ମରଣୀୟ ହୋଇ ରହିଥାନ୍ତି । ଜୀବନରେ ତ ଖାଲି ଭଲ ସମୟ ଆସେ ନାହିଁ, ଖରାପ ସମୟ ମଧ୍ୟ ଆସେ । ୨୦୧୭ ମସିହା ଠାରୁ ଅଗଷ୍ଟ ମାସ ଆସିଲା ମାତ୍ରେ ଛାତିରେ ଛନକା ପଶିଯାଏ । ୨୦୧୭ ଅଗଷ୍ଟ ମାସରେ ହଜବ୍ୟାଣ୍ଡ୍ ସ୍ୱାଇନଫ୍ଲୁରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ । ଏପରିକି ତାଙ୍କର ବଂଚିବା ଆଶା ମଧ୍ୟ କ୍ଷୀଣ ହୋଇଯାଇଥିଲା । ବଡ଼ କଷ୍ଟରେ ସେ ଭଲ ହୋଇଥିଲେ । ସେଇ ଦୁର୍ଘଟଣାକୁ ଭୁଲିଆସିବା ବେଳକୁ ୨୦୧୮ ଅଗଷ୍ଟରେ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇ ପୁଅ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଥିଲା । ବହୁତ କଷ୍ଟରେ ପୁଅ ମଧ୍ୟ ଭଲ ହୋଇଥିଲା । ଆମେ ତ’ ଆଶା ଛାଡ଼ିଦେଇଥିଲୁ । ଈଶ୍ୱରଙ୍କ ଦୟାରୁ ଆମ ପରିବାର ସୁରକ୍ଷିତ ରହିପାରିଲା ।
ଡାକ୍ତର ଜୀବନରେ ବହୁତ ଭଲ ଭଲ ଅନୁଭୂତି ମଧ୍ୟ ଆସିଥାଏ । ବଂଶୀତା ନାମରେ ୪/୫ ବର୍ଷର ଛୋଟ ଝିଅଟିକୁ କ୍ୟାନସର୍ ହୋଇଯାଇଥିଲା । ହଜବ୍ୟାଣ୍ଡ୍ ଓ ମୁଁ ଉଭୟ ପାରୁପର୍ଯ୍ୟନ୍ତ ଚିକିତ୍ସା କରିବାରୁ ଈଶ୍ୱରଙ୍କ ଆଶୀର୍ବାଦରୁ ସେ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇଯାଇଥିଲା । ଚିକିତ୍ସା କରିବାର ସମୟ ଭିତରେ ତାଙ୍କ ପରିବାର ଲୋକ ଆମକୁ ଖୁବ୍ ନିଜର କରିନେଇଥିଲେ ଏବଂ ଆମମାନଙ୍କ ମଧ୍ୟରେ ଗୋଟେ ଘରୋଇ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା । ବଂଶୀତା ଏବେ ବଡ଼ ହୋଇଗଲାଣି । କଲେଜେରେ ପଢ଼ୁଛି । ବଂଶୀତାର ଜନ୍ମଦିନରେ ବଂଶୀତା ଓ ତା’ ପରିବାରର ସମସ୍ତେ ଆସି ହସପିଟାଲରେ ଆମ ସହ କେକ୍ କାଟନ୍ତି । ସତରେ ସେ ଏକ ଅଲଗା ପ୍ରକାର ଅନୁଭୂତି ।
ଆହରି ଅନେକ ରହିଛି । (ହସି) କହିବସିଲେ କ’ଣ ପତ୍ରିକାରେ ଜାଗା ହେବ!!

ସ୍ୱା.ସ୍ୱ.-ଭବିଷ୍ୟତ ଯୋଜନା କ’ଣ ରହିଛି?
ଡା. ସୁତପା- ଦେଖନ୍ତୁ, ମୋର ସବୁବେଳେ ଗବେଷଣାରେ ଖୁବ୍ ଆଗ୍ରହ । ଭବିଷ୍ୟତରେ ମଲିକ୍ୟୁଲାର୍ ଆଣ୍ଡ୍ ଜେନେଟିକ୍ ଷ୍ଟଡି ବିଷୟରେ ଗବେଷଣା କରିବାକୁ ଯୋଜନା ରହିଛି । ଏହା ସହ କ୍ୟାନସର୍ ରୋଗର ନିଦାନ ଓ ଚିକିତ୍ସା ପାଇଁ ଏକ ଉନ୍ନତମାନର ହସ୍ପିଟାଲ ସ୍ଥାପନ କରିବା ପାଇଁ ଆମର ଯୋଜନା ଚାଲିଛି । ହଜ୍‌ବ୍ୟାଣ୍ଡଙ୍କ ସହ ସବୁବେଳେ ପାଦରେ ପାଦ ମିଶାଇ ଚାଲିବାରେ ମୋର ଆନନ୍ଦ । ସେ ଯାହା ଯୋଜନା କରିବେ, ସବୁଥିରେ ସାମିଲ ହୋଇ କାର୍ଯ୍ୟ କରିବି ।
କ୍ୟାନସର୍ ସଚେତନତା ପାଇଁ ଓଡ଼ିଶା ସାରା ସଚେତନତା ଶିବିର କରିବାକୁ ଯୋଜନା ରଖିଛି । ଜୀବନରେ ତ ଯୋଜନା ବହୁତ ରହିଛି । ଦେଖାଯାଉ, ଈଶ୍ୱରଙ୍କ ଆଶୀର୍ବାଦରୁ କେତେ ସଫଳ ହେଉଛି ।

ସ୍ୱା.ସ୍ୱ.- ‘ସ୍ୱାସ୍ଥ୍ୟସ୍ୱର’ ସମ୍ବନ୍ଧରେ ପଦେ କୁହନ୍ତୁ ।
ଡା. ସୁତପା- ‘ସ୍ୱାସ୍ଥ୍ୟସ୍ୱର’ ପାଇଁ ପ୍ରଥମେ ଆପଣଙ୍କ ଟିମକୁ ଧନ୍ୟବାଦ ଦେବି । ଓଡ଼ିଶାରେ ଏତେ ସୁନ୍ଦର, ସାବଲୀଳ ସ୍ୱାସ୍ଥ୍ୟ ପତ୍ରିକାଟିଏର ଆବଶ୍ୟକତା ଥିଲା । ଏହା ଦ୍ୱାରା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ପାଉଛି । ‘ସ୍ୱାସ୍ଥ୍ୟସ୍ୱର’ର ଭବିଷ୍ୟତ ନିଶ୍ଚିତ ଭାବେ ଉଜ୍ଜ୍ୱଳ, ଏଥିରେ ସନ୍ଦେହ ନାହିଁ ।

_____________________________________________________________________________________

# Humble Request to all the esteemed Readers, plz visit our SWASTHYA SWARA YOUTUBE CHANNEL  & SUBSCRIBE our channel.