ପ୍ରଫେସର୍ ଡା. କୃପାସିନ୍ଧୁ ପଣ୍ଡା । ପ୍ରଖ୍ୟାତ କ୍ୟାନସର୍ ଚିକିତ୍ସକ । ଆଜୀବନ ରୋଗୀ ସେବାରେ ବ୍ରତୀ । କଟକର ବହୁ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ । ରୋଗୀ ସେବାରେ ନିଜର ନିଷ୍ଠା ପାଇଁ ସେ ଅନେକ ସଂସ୍ଥା ଦ୍ୱାରା ସମ୍ବର୍ଦ୍ଧିତ । ସେ ଜଣେ ଉଚ୍ଚ କୋଟୀର ଲେଖକ ମଧ୍ୟ । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ଲେଖା ପ୍ରକାଶିତ ହୋଇ ପ୍ରଚୁର ପାଠକୀୟତା ସାଉଁଟିଛି । ଏତଦବ୍ୟତିତ “କ୍ୟାନସର୍‌: ଦ ଚିଲ୍ ଆଣ୍ଡ୍ ଦି ଚିଅର୍‌”, “ହ୍ୟାଣ୍ଡ୍ ବୁକ୍ ଅଫ୍ ଅଙ୍କୋଲୋଜି” ଓ “ଅଗ୍ନିଶିଖା କଲାମ୍‌” ଆଦି ପୁସ୍ତକ ତାଙ୍କ ଦକ୍ଷ ସୃଜନଶୀଳତାର ପରିଚୟ ଦିଅନ୍ତି ।
ଆସନ୍ତୁ ଭେଟିବା ସେଭଳି ଜଣେ ସଫଳ ଚିକିତ୍ସକଙ୍କୁ ।

ସ୍ୱା.ସ୍ୱ.- ଅଙ୍କୋଲୋଜିଷ୍ଟ୍ ହେବା ପାଇଁ କାହିଁକି ଆଗ୍ରହ ପ୍ରକାଶ କଲେ ?
ଡା. ପଣ୍ଡା- ସର୍ଜନ୍ ହେବାକୁ ଇଚ୍ଛା ଥିଲା । ସର୍ଜନ ହେଉ ହେଉ ସରକାରୀ ଚାକିରୀରେ କ୍ୟାନସରରେ ପୋଷ୍ଟିଂ ହେଲା । ସେଠୁ କ୍ୟାନସର୍ ପ୍ରତି ଆଗ୍ରହ ଆସିଲା । ସବୁ ଭଗବାନଙ୍କ ଇଚ୍ଛା । କ୍ୟାନସରରେ ଜଏନ୍ କଲା ପରେ ମୁଁ କ୍ୟାନସର୍ ଉପରେ କାମ କଲି ଏବଂ ଜଣେ କ୍ୟାନସର୍ ସର୍ଜନ ଭାବରେ ମୋ ଦ୍ୱାରା ଯାହା ଯାହା ହୋଇପାରିବ, ସେସବୁ କଲି । ସେ ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟାର ସମାଧାନରେ ଲାଗିଲି ।

ସ୍ୱା.ସ୍ୱ.- କ୍ୟାନସର୍ ହସପିଟାଲ୍ ସ୍ଥାପନ କରିବା ସମୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇଛନ୍ତ କି ?
ଡା. ପଣ୍ଡା- ନା ନା । ସେଟା ଗୋଟେ ଅଲଗା ଜିନିଷ । ୧୯୯୮ ମସିହାରେ ସରକାର ‘ନନ୍ ପ୍ରାକ୍ଟିସିଙ୍ଗ୍‌’ ଘୋଷଣା କଲେ । ମୁଁ କିନ୍ତୁ ପ୍ରାକ୍ଟିସ୍ କରିବାକୁ ଚାହୁଁଥିଲି । ତେଣୁ ସରକାରୀ ଚାକିରୀରୁ ମୁଁ ଭଲେଣ୍ଟାରି ରିଟାୟାଡମେଣ୍ଟ୍ ନେଇଗଲି । କାରଣ, ମୁଁ ସବୁବେଳେ ‘ପ୍ରିନସିପୁଲ୍ ଅଫ୍ ଲାଇଫ୍‌’କୁ ଫଲୋ କରେ । ସେତେବେଳେ ସରକାରଙ୍କୁ ଦିଆଯାଉଥିବା ଦରଖାସ୍ତରେ କେବଳ ଗୋଟେ ଧାଡ଼ି ଲେଖା ପଡ଼ୁଥିଲା- ‘ଆଇ ଏମ୍ ଇଣ୍ଟ୍ରେଷ୍ଟେଡ଼୍ ଫର୍ ଭଲେଣ୍ଟାରି ରିଟାୟାଡମେଣ୍ଟ୍ ।’ ଏଥିପାଇଁ କିଛି କାରଣ ଦର୍ଶାଇବାକୁ ପଡ଼ୁ ନ ଥିଲା । ତେଣୁ ମୁଁ ମୋର ଦରଖାସ୍ତରେ ଲେଖିଥିଲି-‘‘ଆଇ ଏମ୍ ଇଣ୍ଟ୍ରେଷ୍ଟେଡ଼୍ ଟୁ ଟେକ୍ ଭଲେଣ୍ଟାରି ରିଟାୟାଡମେଣ୍ଟ୍ ଆଣ୍ଡ ଷ୍ଟାର୍ଟ ମାଇ ଓନ୍ ପ୍ରାଇଭେଟ୍ ପ୍ରାକ୍ଟିସ୍ , ହ୍ୱିଚ୍ ମେ ବି ପରମିଟେଡ୍‌’ ଏବଂ ତାହା ଅନୁମୋଦିତ ହୋଇଯାଇଥିଲା । ତା’ପରେ ମୁଁ ମୋ’ର ହସ୍‌ପିଟାଲ୍‌ରେ ପୁରା ସମୟ ଦେଲି; ଯଦିଓ ହସ୍‌ପିଟାଲ୍ ୧୯୯୬ରୁ ଆରମ୍ଭ ହୋଇସାରିଥିଲା । ଅବଦୁଲ୍ କଲାମ୍ ମଧ୍ୟ କହିଛନ୍ତି- ‘ସ୍ୱପ୍ନ ଦେଖ । ଏଥିପାଇଁ ପରିଶ୍ରମ କର । ସଫଳତା ନିଶ୍ଚୟ ପାଇବ ।’

ସ୍ୱା.ସ୍ୱ.- କ୍ୟାନସର୍‌ର କିଛି ନିଦ୍ଦିଷ୍ଟ କାରଣ ଅଛି କି?
ଡା. ପଣ୍ଡା- ସବୁ ଜୀବର ସବୁ ବସ୍ତୁର ଏକ୍ସପାୟରି ଅଛି । ଯଦି କୌଣସି ଜୀବକୋଷ ନ ମଲା, ସ୍ୱତଃପ୍ରବୃତ ହୋଇ ବଢିଚାଲିଲା, ସେଇଥିରୁ କ୍ୟାନସର୍ ହୁଏ । ତେବେ କାହିଁକି ଏ ଜୀବକୋଷ ମରନ୍ତି ନାହିଁ ବା କାହିଁକି କ୍ୟାନସର୍ ହୁଏ, ତାହା ଏବେ ବି ଅଜଣା । ଆଜି ପର୍ଯନ୍ତ ବୈଜ୍ଞାନିକମାନେ ଏହାର ପ୍ରକୃତ କାରଣ ଜାଣି ପାରି ନାହାନ୍ତି । ଜୀବକୋଷର ଭିତର ଜିନିଷ ଆଜି ପର୍ଯନ୍ତ ପୁରା ଷ୍ଟଡ଼ି ହୋଇ ପାରି ନାହିଁ । ଯେତେ ଭିତରକୁ ଯାଉଛନ୍ତି, ସେଟା ସେତେ କମ୍ଲିକେଟେଡ୍ ହେଇ ହେଇ ଯାଉଛି । ତେଣୁ ଆଜିକାଲି କେହି ଆଉ ନାସ୍ତିକ ନାହାନ୍ତି । ସମସ୍ତେ ବିଶ୍ୱାସ କରନ୍ତି କିଛି ଗୋଟେ ଶକ୍ତି ଅଛି, ଯାହା ସମସ୍ତଙ୍କୁ କଂଟ୍ରୋଲ କରୁଛି । କେବଳ ଭୌଗୋଳିକ ସ୍ଥ୍‌ିତି ଓ ଅଭ୍ୟାସ ଅନୁସାରେ ବି କିଛି କ୍ୟାନ୍‌ସର ହୁଏ । ଉଦାହରଣ ସ୍ୱରୂପ ଭାରତ-ପାକିସ୍ତାନ ଆଦିରେ ତମାଖୁର ବହୁଳ ବ୍ୟବହାର ଯୋଗୁଁ ପାଟି କ୍ୟାନ୍‌ସର ବେଶି ଦେଖାଯାଏ । ବିଲାତ, ଆମେରିକାରେ ବେଶି ସ୍ମୋକିଂ କରୁଥିବାରୁ ତାଙ୍କର ଫୁସ୍‌ଫୁସ୍ କ୍ୟାନ୍‌ସର ଅଧିକ ଦେଖାଯାଏ । ଉତ୍ତର ଭାରତରେ ପିତ୍ତକୋଷ କ୍ୟାନସର୍ ଏବଂ ଦକ୍ଷିଣ ଭାରତରେ ପାକସ୍ଥଳୀ କ୍ୟାନସର୍ । ରିସର୍ଚ୍ଚ ଚାଲିଛି କିନ୍ତୁ ପ୍ରକୃତ କାରଣ ଜଣାପଡ଼ିନାହିଁ ।

ସ୍ୱ.ସ୍ୱ – କ୍ୟାନସରର ଅତ୍ୟାଧୁନିକ ଚିକିତ୍ସା ସବୁ କ’ଣ?
ଡା. ପଣ୍ଡା – କ୍ୟାନସରକୁ ପ୍ରଥମେ ଚିହ୍ନିବା ଉଚିତ । କନ୍‌ଫର୍ମ ଡାଇଗ୍ନୋସିସ୍ । ଫଟୋ, ସିଟିସ୍କାନ୍‌, ଏମ୍ ଆର୍ ଆଇ, ପେଟ୍ ସ୍କାନ ଆଦି ସବୁ ଫଟୋ ଦେଖି କ୍ୟାନ୍‌ସର ଜାଣିବା ପାଇଁ । ତା’ଛଡ଼ା ସେହି ଜାଗାରୁ ଛୁଂଚି ଫୋଡ଼ି, ଜୀବକୋଷ ନେଇ କି ମାଂସ ନେଇ ପରୀକ୍ଷା କଲା ପରେ ଜଣାପଡ଼େ । ତା’ପରେ ଦେଖାଯାଏ କେତେ ବାଟ ମାଡ଼ିଛି । ସେଇଠି ମାଡ଼ିଛି ଲସିକା ଗ୍ରନ୍ଥିରେ ନା ଦୂର ଜାଗାକୁ ଯାଇଛି ରକ୍ତରେ । ଏଲଏଲବିବି (ଲଙ୍ଗସ, ଲିଭର୍‌, ବୋନ୍‌, ବ୍ରେନ୍‌) କୋଉ ଯାଏଁ ଯାଇଛି, ତା’ପରେ ପ୍ଲାନ୍ ମ୍ୟାନେଜମେଣ୍ଟ୍ । ଯଦି ବେଶି ଜାଗାକୁ ମାଡ଼ିନି ବା ଯୋଉଠି ଆରମ୍ଭ ହୋଇଛି ସେଇଠି ଅଛି ତେବେ କାଟିକରି ବାହାର କରିଦେବ । କାରଣ ମୂଳୁ ମାଇଲେ ଗଲା ସରି । ଯଦି ଦୂର ଜାଗାକୁ ମାଡ଼ି ଯାଇଛି, ତେବେ ସର୍ଜରୀ କରାଯାଇ ପାରିବ ନାହିଁ, କେମୋଥେରାପି ଦିଆଯାଏ ।

ସ୍ୱା.ସ୍ୱ- ଓଡ଼ିଶାରେ କ୍ୟାନସର୍ ରୋଗର ଅତ୍ୟାଧୁନିକ ଚିକିତ୍ସା ଉପଲବ୍‌ଧ ହେଲାଣି କି?
ଡା. ପଣ୍ଡା – ଦେଖନ୍ତୁ, ପୃଥିବୀଟା ଏବେ ବହୁତ ଛୋଟ ହେଇଗଲାଣି । ଗୁଗୁଲ୍‌ରେ ଦେଖିଲେ ସାରା ପୃଥିବୀରେ କ’ଣ ହେଉଛି ଜାଣି ହେଉଛି । ସବୁ ଚିକିତ୍ସା ପ୍ରାୟ ସବୁଆଡ଼େ ମିଳିଗଲାଣି । ଯାହାର ପଇସା ଅଛି ସିଏ କୁଆଡ଼େ କୁଆଡ଼େ ବୁଲିଲେ । ଭାରତବର୍ଷର ଲୋକ ବି ଆମେରିକା ପଳଉଛନ୍ତି । ରୋଗୀକୁ ଆମେ ତ’ ସବୁବେଳେ ସତକଥା କହିଦେଉ ଯେ ତମର କ୍ୟାନ୍‌ସର ହେଇଛି । କାରଣ ଲକ୍ଷ ଲକ୍ଷ ରିସର୍ଚ୍ଚ ହୋଇ ଜଣାପଡ଼ିଛି ଯେ ରୋଗୀକୁ ତା’ ରୋଗ ବିଷୟରେ ସତ କଥା କହିଦେଲେ ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ତା’ ମନରେ ଶକ୍ତି ଆସିିବ । ଚିକିତ୍ସା ନେବାକୁ ସେ ରାଜି ହେବ । ଏକ ତୃତୀୟାଂଶ ରୋଗୀ ତ ଆଡଭାନ୍ସଡ ଷ୍ଟେଜ୍‌ରେ ଆସନ୍ତି । ତାଙ୍କୁ କେବଳ ପାଲିଆଟିଭ୍ କେୟାର୍ ଦରକାର । ଜଣେ କ୍ୟାନସର୍ ରୋଗୀଙ୍କ ପତ୍ନୀ ଲେଖିଛନ୍ତି ଏକ ସୁନ୍ଦର ଉପନ୍ୟାସ- ‘ଲିଭିଂ ୱିଥ୍ ଏ ଡାଇଙ୍ଗ୍ ମ୍ୟାନ୍‌’ । ଏହି ବହି ସମସ୍ତେ ଥରେ ପଢ଼ିବା ଉଚିତ । ଜଣେ ରୋଗୀକୁ କୌଣସି ଅବସ୍ଥାରେ ବି ଅବହେଳା କରାଯାଇ ପାରିବ ନାହିଁ । ଶେଷଯାଏଁ ଚିକିତ୍ସା କରାଯିବ । ଆମେ ଜାଣିଲେ ବି ସେ ଆଉ ଭଲ ହେବ ନାହିଁ, ତଥାପି ତାକୁ ଶେଷ ଅବସ୍ଥାରେ ମଧ୍ୟ କିଛିଟା ଆରାମ ଦେବାପାଇଁ, ସେ ଶାନ୍ତିରେ ରହିବା ପାଇଁ କିମ୍ବା ତା’ର ଯନ୍ତ୍ରଣା ଉପଶମ ପାଇଁ ଚିକିତ୍ସା ଦେବାକୁ ପଡ଼ିବ । ଆମକୁ ବହୁତ କିଛି କରିବାର ଅଛି । ଡାଇଗ୍ନୋସିସ୍‌ରୁ ଆରମ୍ଭ କରି ଟ୍ରିଟମେଂଟ ଯାଏଁ । ଯଦି ପ୍ରଥମାବସ୍ଥାରେ ରୋଗ ଚିହ୍ନଟ ହୋଇପାରିଲା ଏବଂ ଉପଯୁକ୍ତ ଯତ୍ନ ନିଆଯାଇ ପାରିଲା, ତେବେ କ୍ୟାନ୍‌ସରର ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ହୋଇପାରିବ । ଡାକ୍ତରମାନେ ଆହୁରି ସଚେତନ ହେବାକୁ ପଡ଼ିବ । ରୋଗୀମାନେ ବି ଯତ୍ନଶୀଳ ହେବା ଦରକାର । ପ୍ରକୃତ କଥା ହେଉଛି ‘ଆଇ ଟ୍ରିଟ୍ ହି କିୟୋର୍ସ’ । ମୁଁ ଚିକିତ୍ସା କରେ, ଭଗବାନ ଭଲ କରନ୍ତି ।

ସ୍ୱା.ସ୍ୱ- ସ୍ୱାସ୍ଥ୍ୟ ସ୍ୱର ସମ୍ପର୍କରେ କ’ଣ କହିବେ?
ଡା. ପଣ୍ଡା – ବହୁତ ଭଲ ଉଦ୍ୟମ । ଚେଷ୍ଟା ଜାରି ରଖିବା ଉଚିତ । ପୂର୍ବରୁ ମଧ୍ୟ କେହି କେହି ଏ ଦିଗରେ ପ୍ରୟାସ କରିଛନ୍ତି । ବଡ଼କଥା ହେଉଛି ନିୟମିତ ଭାବରେ ପତ୍ରିକାଟି ପ୍ରକାଶିତ ହେବା ଦରକାର । ସରକାରଙ୍କ ପକ୍ଷରୁ ମଧ୍ୟ ଏଥିପାଇଁ ପ୍ରୋତ୍ସାହନ ମିଳିବା ଉଚିତ । ଏଭଳି ସାଧୁ ଉଦ୍ୟମକୁ ସବୁ ସ୍ତରରୁ ସର୍ବଦା ସମର୍ଥନ ମିଳିବା ଉଚିତ ।