
ମୋ ଏମ୍ବିବିଏସ୍ ପାଇବା ଖବର ଶୁଣି ବାପା ମା ଖୁସିରେ କାନ୍ଦି ପକାଇଥିଲେ
– ଡା. ପ୍ରଦୀପ୍ତ ଶେଖର ପାତ୍ର
ଖୁବ୍ କମ୍ ବୟସରେ ମଧ୍ୟ ଜଣେ ଭଲ ରିମାଟୋଲୋଜିଷ୍ଟ ଭାବେ ସେ ଯଥେଷ୍ଟ ନାଁ କମେଇ ସାରିଲେଣି । ରୋଗୀସେବା ହିଁ ତାଙ୍କ ଜୀବନର ବ୍ରତ । ସେ ହେଲେ ସମ୍ ହସ୍ପିଟାଲ୍, ଭୁବନେଶ୍ୱରରେ ରିମାଟୋଲୋଜି ଆଣ୍ଡ୍ ଇମ୍ୟୁନୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡା. ପ୍ରଦୀପ୍ତ ଶେଖର ପାତ୍ର । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତାଙ୍କର ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ରୋଗୀ ସେବା ବ୍ୟତୀତ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରି ଲୋକଙ୍କୁ ସଚେତନ କରିବାରେ ବି ତାଙ୍କର ରୁଚି ରହିଛି ।
ସବୁବେଳେ ଶାନ୍ତ, ସରଳ ଜୀବନଯାପନ କରିବାକୁ ଭଲ ପାଆନ୍ତି ସେ । ଠାକୁର ଅନୁକୂଳଚନ୍ଦ୍ରଙ୍କ ଭକ୍ତ । ସେ ଆଜି ଯାହା ବି କିଛି ସଫଳତା ପାଇଛନ୍ତି ସବୁ ତାଙ୍କ କରୁଣା ବୋଲି କହନ୍ତି ।
ଆସନ୍ତୁ କଥା ହେବା ତାଙ୍କ ସହ ।

ସ୍ୱାସ୍ଥ୍ୟ ସ୍ୱର : ଡାକ୍ତରୀ କ୍ଷେତ୍ରକୁ କେମିତି ଆସିଲେ?
ଡା. ପାତ୍ର : ମୋର ଜନ୍ମ ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଗାଁରେ ଗୋଟିଏ ମଧ୍ୟବିତ୍ତ ପରିବାରରେ । ବାପା ଗଣିତ ଶିକ୍ଷକ । ମୋ ପୂର୍ବରୁ ଆମର ଅଣରାଶି ବଂଶରେ କେହି ଜଣେ ବି ଡାକ୍ତର ନଥିଲେ । ଡାକ୍ତର ଛଡ଼ା ଇଞ୍ଜିନିୟର, ଲେକଚରର ବା ଚାଟାର୍ଡ ଆକାଉଣ୍ଟାଟାଣ୍ଟ୍ ଆଦି ଥିଲେ । ତେଣୁ ବାପା ଚାହୁଁଥିଲେ ଘରର କିଏ ଜଣେ ଡାକ୍ତରଟିଏ ହେଉ । ମୋର ନିଜର ବି ଡାକ୍ତର ହେବାର ଇଚ୍ଛା ଥିଲା । ମୋର ମନେ ଅଛି ଦଶମ ଶ୍ରେଣୀରେ ପଢ଼ିଲାବେଳେ ଇଂରାଜୀ ପରୀକ୍ଷାରେ ‘ୟୋର୍ ଏମ୍ ଅଫ୍ ଲାଇଫ୍’ ଶୀର୍ଷକରେ ରଚନା ପଡ଼ିଥିଲା । ମୁଁ ସେଥିରେ ଲେଖିଥିଲି ଡାକ୍ତର ହେବା ବିଷୟରେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ, କାରଣ ମୋର ଗଣିତରେ ବହୁତ ଭଲ ହେଉଥିଲା । ମ୍ୟାଟ୍ରିକ୍ରେ ୮୩% ନମ୍ବର ରହିଥିଲା । +୨ ବିଜ୍ଞାନ ପଢ଼ିଲି ବ୍ରହ୍ମପୁରସ୍ଥିତ ଖଲିକୋଟ କଲେଜରେ । ତା’ପରେ ଏମ୍ବିବିଏସ୍ ପାଇଁ କୋଚିଂ ନେଲି । ପ୍ରଥମ ଦୁଇ ବର୍ଷ ଭଲ ର୍ୟାଙ୍କ ରହିଲାନି । ତୃତୀୟ ବର୍ଷ ୨୦୫ ର୍ୟାଙ୍କ ରହିଲା । ହେଲେ ଦୁର୍ଭାଗ୍ୟକୁ ୨୦୨ ର୍ୟାଙ୍କରେ ଏମ୍ବିବିଏସ୍ ସିଟ୍ ପୂରଣ ହୋଇଗଲା । ତେଣୁ ବାଧ୍ୟ ହୋଇ ଏସ୍ସିବିରେ ଡେଣ୍ଟାଲ୍ରେ ନାମ ଲେଖାଇଥିଲି । ହେଲେ ବି ଆଶା ଛାଡ଼ି ନଥିଲି । ଘରର ଆର୍ଥିକ ସମସ୍ୟା ଥିଲା, ତେଣୁ ତିନି ବର୍ଷ କୋଚିଂରେ ପଇସା ଖର୍ଚ୍ଚ କରିବା ପରେ ଆଉ ଗୋଟେ ବର୍ଷ କୋଚିଂର ଖର୍ଚ୍ଚ ବହନ କରିବା ସମ୍ଭବପର ନଥିଲା ।
ଏସ୍ସିବିର ଓଲ୍ଡ ଜେଣ୍ଟ୍ସ ହଷ୍ଟେଲର ୨୦ ନମ୍ବର ରୁମ୍ରେ ରହି ବିଡିଏସ୍ ପଢ଼ିଲି । ମନରେ କିନ୍ତୁ ଆଶା ଥାଏ ଦିନେ ନା ଦିନେ ଏମବିବିଏସ୍ ଡାକ୍ତରଟିଏ ହେବି । ତେଣୁ ବିଡିଏସ୍ ପଢ଼ା ସାଙ୍ଗେ ସାଙ୍ଗେ ଏମବିବିଏସ୍ ପାଇଁ ପ୍ରସ୍ତୁତି ବି ଏକାସାଙ୍ଗେ ଚାଲିଥାଏ । ୨୦୦୧ରେ ଜେଇଇକୁ ଆଉ ଦୁଇ ମାସ ବାକି ଥାଏ । ସାର୍ମାନଙ୍କୁ କହି ୨ ମାସ ଛୁଟି ନେଲି ଓ ସେଇ ହଷ୍ଟେଲରେ ହିଁ ରହି ଖୁବ୍ ପରିଶ୍ରମ କରି ପଢ଼ିଲି । ଜେଇଇ ଆପ୍ଲିକେଶନ୍ ଫର୍ମରେ ବାପାଙ୍କ ଦସ୍ତଖତ ଆବଶ୍ୟକ ପଡ଼ୁଥିବାରୁ ଘରକୁ ଗଲି । ବାପା ପଚାରିଲେ – ‘ଆଉ କେତେ ଥର ଜେଇଇ ଦେବୁ?’ ମୁଁ କହିଲି – ‘ଏଇଟା ଲାଷ୍ଟ ଚାନ୍ସ ଦିଅନ୍ତୁ ।’ ବାପା ଆଉ କିଛି ନ କହି ଦସ୍ତଖତ କରି ଦେଲେ ।
ଭଲ ଭାବେ ପଢ଼ାପଢ଼ି କରି ସେଥର ଜେଇଇ ଦେଲି । ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଶୀର୍ବାଦ, ମା କଟକ ଚଣ୍ଡୀଙ୍କ ଆଶୀର୍ବାଦ ତଥା ବାପା-ମା’ଙ୍କ ଆଶୀର୍ବାଦରୁ ଭଲ ଫଳ ହେଲା । ଓଡ଼ିଶାରେ ମୋର ୨୧ ର୍ୟାଙ୍କ ରହିଲା । ଏ ଭଲ ଖବର ଶୁଣି ବାପା, ମା’ ଖୁସିରେ କାନ୍ଦି ପକାଇଲେ ।
ତା’ପରେ ଏସ୍ସିବିର ସେହି ୨୦ ନମ୍ବର ରୁମ୍ରେ ହିଁ ରହି ଏମ୍ବିବିଏସ୍ ପଢ଼ିଲି । ୨୦୦୮ରେ ଏମ୍ବିବିଏସ୍ ପାସ୍ କଲି । ତା’ପରେ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ରେ ୬ ମାସ ଜୁନିଅର ରେସିଡେଂଟ୍ (ଜେଆର୍) ଭାବେ କାମ କଲି । ସେଥିରୁ କିଛି ପଇସା ସଂଚୟ କରି ଚେନ୍ନାଇର ସ୍ପିଡ୍ କୋଚିଂ ସେଣ୍ଟର୍କୁ ଯାଇ ପିଜି ଏଂଟ୍ରାନ୍ସ ପାଇଁ ପ୍ରସ୍ତୁତି ଚଳାଇଲି । ଏ ସମୟରେ ବଡ଼ଭାଇ ଓ ବଡ଼ଭଉଣୀ ବହୁତ ଆର୍ଥିକ ସହାୟତା ଦେଇଛନ୍ତି । ୨୦୦୯ରେ ଅଲ୍ ଇଣ୍ଡିଆ ପିଜି ଏଂଟ୍ରାନ୍ସରେ ୯୭୮ ର୍ୟାଙ୍କିଙ୍ଗ୍ ରହିଲା । ଫାଷ୍ଟ କାଉନ୍ସିଲିଂରେ ବିଏଚ୍ୟୁରେ ଆନାସ୍ଥେସିଆ ପିଜି ମିଳିଲା । ସେଇଠି ଜଏନ୍ ବି କଲି । ହେଲେ ଆନାସ୍ଥେସିଆରେ ପିଜି କରିବାକୁ ଘରେ କେହି ବି ଏପରିକି ବାପା, ମା’ ମଧ୍ୟ ପସନ୍ଦ କଲେନି, ଯେହେତୁ ଆନାସ୍ଥେସିଆ ବିଭାଗରେ ଅନ୍ୟ ବିଭାଗ ଭଳି ଲୋକଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବାର ସମ୍ଭାବନା ନଥିଲା । ତେଣୁ ବିଭାଗ ପରିବର୍ତନ କରିବାକୁ ମନସ୍ଥ କଲି । ସେକେଣ୍ଡ୍ କାଉନ୍ସିଲିଂରେ ଭିଏସ୍ଏସ୍ ବୁର୍ଲାରେ ମେଡିସିନ୍ରେ ପିଜି ମିଳିଲା । ତେଣୁ ବୁର୍ଲାରେ ପିଜି ଜଏନ୍ କଲି । ଏହି ସମୟରେ ପ୍ରସିଦ୍ଧ ରିମାଟୋଲୋଜିଷ୍ଟ୍ ପ୍ରଫେସର ଡା. ବିଦ୍ୟୁତ୍ ଦାଶ ସାର୍ଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ମିଳେ । ପ୍ରକୃତରେ ତାଙ୍କ ସହ ମିଶିବା ପରେ ହିଁ ଜଣେ ରିମାଟୋଲୋଜିଷ୍ଟ ହେବାର ଇଚ୍ଛା ଜାଗ୍ରତ ହୁଏ । ସାର୍ଙ୍କ ଓପିଡି ରାତି ୮ଟା ଯାଏଁ ଚାଲୁଥିଲା । ଏପରିକି ଥରେ ଥରେ କରେଣ୍ଟ ପଳେଇଲା ପରେ ବି ମହମବତୀ ଆଲୁଅରେ ସାର୍ଙ୍କ ସହ ଅନେକ ରୋଗୀ ଦେଖୁଥିଲି । ଆଉ ଆମେ ସମସ୍ତେ ଜାଣୁ ଯେ, ରୋଗୀ ସେବା ପ୍ରତି ନିଜର ନିଷ୍ଠାପରତା ପାଇଁ ସାର୍ କେତେ ଲୋକପ୍ରିୟ! ତେଣୁ ସାର୍ଙ୍କ ସହ ମିଶିଲା ପରେ ମତେ ରିମାଟୋଲୋଜିଷ୍ଟଟିଏ ହେବା ପାଇଁ ପ୍ରେରଣା ମିଳିଲା ।
୨୦୧୨ରେ ପିଜି ସରିଲା । ତା’ପରେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ୍ଗ୍ରାଜୁଏଟ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ୍ (ଏସ୍ଜିପିଜିଆଇ)ରେ ଡିଏମ୍ (କ୍ଲିନିକାଲ୍ ଇମ୍ୟୁନୋଲୋଜି ଆଣ୍ଡ୍ ରିମାଟୋଲୋଜି) କରିବା ହିଁ ମୋର ଲକ୍ଷ୍ୟ ରହିଲା । ଏସ୍ଜିପିଜିଆଇ ହେଉଛି ଭାରତର ପ୍ରଥମ ଅନୁଷ୍ଠାନ, ଯିଏକି ରିମାଟୋଲୋଜି କନ୍ସେପ୍ଟକୁ ଭାରତକୁ ଆଣିଥିଲା । ୨୦୧୨ ଜୁଲାଇରୁ ଡିସେମ୍ବର ଯାଏଁ ଏସ୍ଜିପିଜିଆଇରେ ସିନିୟର ରେସିଡେଂଟ୍ (ଏସ୍ଆର୍) ଭାବେ କାର୍ଯ୍ୟ କଲି । ତା’ପରେ ସେଠି ୨୦୧୩ ଜାନୁଆରୀରୁ ଏପ୍ରିଲ୍ ମାସ ଯାଏଁ ରିସର୍ଚ୍ଚ ସ୍କୋଲାର ଭାବେ କାର୍ଯ୍ୟ କଲି । ସେହି ୨୦୧୩ରେ ହିଁ ଡିଏମ୍ ଏଂଟ୍ରାନ୍ସ ପରୀକ୍ଷାରେ ଉତୀର୍ଣ୍ଣ ହେଲି ଓ ସେଇଠି ଡିଏମ୍ କୋର୍ସ କଲି । ୨୦୧୬ରେ ସେଠୁ ଡିଏମ୍ ପାଠ୍ୟକ୍ରମ ସାରି ଓଡ଼ିଶା ଫେରିଲା ପରେ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲ୍ରେ ପୁଣି ଜଏନ୍ କଲି, ଯେହେତୁ ନିଜ ରାଜ୍ୟରେ ରୋଗୀ ସେବା ଯୋଗାଇ ଦେବାକୁ ଇଚ୍ଛା ଥିଲା ।
ତେବେ ମୁଁ ଏଠାରେ କହି ରଖିବାକୁ ଚାହେଁ ଯେ, ଏମ୍ବିବିଏସ୍, ଏମ୍ଡି ଓ ଡିଏମ୍ ଭିତରୁ ଏମ୍ବିବିଏସ୍ ପାଇବାଟା ମୋ ପାଇଁ ସବୁଠୁ କଷ୍ଟକର ଥିଲା । ଏମ୍ବିବିଏସ୍ ପାଇବା ହିଁ ମୋ ଜୀବନରେ ଏକ ସ୍ୱପ୍ନ ଥିଲା ।

ସ୍ୱାସ୍ଥ୍ୟ ସ୍ୱର : ସମ୍ପ୍ରତି ଓଡ଼ିଶାରେ ରିମାଟୋଲୋଜି ଆଣ୍ଡ୍ କ୍ଲିନିକାଲ୍ ଇମ୍ୟୁନୋଲୋଜି ବିଭାଗ କେଉଁ ଅବସ୍ଥାରେ ଅଛି?
ଡା. ପାତ୍ର : ଏବେ ବି ଓଡ଼ିଶାରେ ରିମାଟୋଲୋଜି ବିଭାଗଟି ନବଜାତକର ଅବସ୍ଥାରେ ଅଛି; ଏହାକୁ ବଡ଼ କରିବାର ଦାୟିତ୍ୱ ଆମର । କଥା ହେଉଛି ଏମ୍ବିବିଏସ୍ ଟ୍ରେନିଂରେ ରିମାଟୋଲୋଜିକୁ ଏତେଟା ଗୁରୁତ୍ୱ ଦିଆଯାଇନଥାଏ । ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଅନ୍ୟ ବିଭାଗ ଯଥା କାର୍ଡିଓଲୋଜି, ନେଫ୍ରୋଲୋଜି, ଗ୍ୟାଷ୍ଟ୍ରୋଏଂଟେରୋଲୋଜିଷ୍ଟ୍ ଇତ୍ୟାଦି ଅପେକ୍ଷା ରିମାଟୋଲୋଜି ବିଭାଗ ପ୍ରତି ସେତେଟା ସଚେତନତା ବୃଦ୍ଧି ପାଇନାହିଁ । ତେବେ ଏହାକୁ ଦୂର କରିବାକୁ ହେଲେ ମୋ ମତରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ରିମାଟୋଲୋଜିର ପ୍ରାଧାନ୍ୟ ବୃଦ୍ଧି କରିବା ଉଚିତ ।
ସ୍ୱାସ୍ଥ୍ୟ ସ୍ୱର : ରିମାଟୋଲୋଜି ଆଣ୍ଡ୍ ଇମ୍ୟୁନୋଲୋଜିରେ କେଉଁ କେଉଁ ରୋଗର ଚିକିତ୍ସା କରାଯାଏ?
ଡା. ପାତ୍ର : ଏହି ବିଭାଗରେ ଅଟୋଇମ୍ୟୁନ୍ ଡିଜିଜ୍ ବା ସ୍ୱରୋଗ ପ୍ରତିରୋଧକ କ୍ଷମତାର ଅନିୟନ୍ତ୍ରିତ ହେବା ଦ୍ୱାରା ଯେଉଁ ସବୁ ରୋଗ ହୋଇଥାଏ, ସେସବୁକୁ ଚିକିତ୍ସା କରାଯାଏ । ଯଥା – ଗଣ୍ଠିବାତ (ବା ରିମାଟଏଡ୍ ଆର୍ଥ୍ରାଇଟିସ୍) ଭସ୍କ୍ୟୁଲାଇଟିସ୍, ଗାଉଟ୍ ଓ ଯୋଗ୍ରେନ୍ ସିଣ୍ଡ୍ରୋମ୍ ଇତ୍ୟାଦି । ଏହାଛଡ଼ା ଶିଶୁମାନଙ୍କଠାରେ ବାରମ୍ବାର ଜ୍ୱର ଦେଖାଯିବା, ଲଗାତାର କାଶ ହେବା, ଚର୍ମରୋଗ ତଥା ବାରମ୍ବାର ଡାଇରିଆ (ପ୍ରାଇମେରୀ ଇମ୍ୟୁନୋଡ଼େଫିସିଏନ୍ସି ଡିଜିଜ୍) ଦେଖାଯିବା ଆଦି ମଧ୍ୟ ଏହି ବିଭାଗରେ ଚିକିତ୍ସା କରାଯାଏ ।

ସ୍ୱାସ୍ଥ୍ୟ ସ୍ୱର : ତେବେ ଏସବୁ ରୋଗର ଲକ୍ଷଣଗୁଡ଼ିକ ବିଷୟରେ କିଛି କହିବେ?
ଡା. ପାତ୍ର : ଦେଖନ୍ତୁ ଏହାର ଉତ୍ତର ତ ଖୁବ୍ ଲମ୍ବା ହେବ । ବୟସ, ଶାରୀରିକ ସ୍ଥିତି, ଲିଙ୍ଗ, ସମୟ ଇତ୍ୟାଦି ଅନୁସାରେ ଏସବୁ ରୋଗର ଲକ୍ଷଣ ଗୁଡିକ ଭିନ୍ନ ଭିନ୍ନ ହୋଇଥାନ୍ତି । ତଥାପି କିଛି ରୋଗର କେତୁଟା ସାଧାରଣ ଲକ୍ଷଣ ଅଳ୍ପରେ ଉଲ୍ଲେଖ କରୁଛି, ଯେମିତିକି ଏସବୁ ରୋଗର ଲକ୍ଷଣ ପ୍ରକାଶ ପାଉଥିଲେ ପାଠକମାନେ ତୁରନ୍ତ ଜଣେ ରିମାଟୋଲୋଜିଷ୍ଟଙ୍କ ପରାମର୍ଶ ଗ୍ରହଣ କରିବେ ।
ରିମାଟଏଡ୍ ଆର୍ଥ୍ରାଇଟିସ୍ର ଲକ୍ଷଣ – ମଧ୍ୟ ବୟସର ମହିଳାମାନେ ସକାଳୁ ଉଠିବା ପରେ ସେମାନଙ୍କ ହାତର ଛୋଟ ଛୋଟ ଗଣ୍ଠିରେ ବ୍ୟଥା ଓ ଅଧିକା ଶକ୍ତ ହୋଇଯିବା ଏହି ରୋଗର ପ୍ରଥମ ଲକ୍ଷଣ ଅଟେ । ଏହି ରୋଗରେ ରକ୍ତ ପରୀକ୍ଷାରେ ରିଉମାଟଏଡ଼୍ ଫ୍ୟାକ୍ଟର ଓ ଆଣ୍ଟି-ସିସିପି ଆଣ୍ଟିବଡ଼ି ମିଳିଥାଏ ।
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ର ଲକ୍ଷଣ – ସକାଳୁ ସକାଳୁ ଅଧଘଣ୍ଟା ବା ତଦୁର୍ଦ୍ଧ୍ୱ ସମୟ ଧରି ଯୁବକମାନଙ୍କ ଅଣ୍ଟାବ୍ୟଥା ହୋଇଥାଏ । ଏହାଛଡ଼ା ଗୋଡ଼ର ଅନ୍ୟ ଗଣ୍ଠି ବି ଫୁଲିଯାଇଥାଏ । ଆଖି ନାଲି ପଡ଼ିଯାଏ । ରକ୍ତ ପରୀକ୍ଷାରେ ଏଚ୍ଏଲ୍ଏ-ବି୨୭ ଜିନ୍ ଦେଖାଯାଏ ।
ସୋରିଆଟିକ୍ ଆର୍ଥ୍ରାଇଟିସ୍ର ଲକ୍ଷଣ – ଶରୀରରେ ସୋରିଆସିସ୍ (ଏକ ପ୍ରକାର ଚର୍ମରୋଗ) ଥିବା ସହିତ ବେଳେବେଳେ ଅଣ୍ଟାବ୍ୟଥା, ହାତର ଛୋଟ ଛୋଟ ଗଣ୍ଠି ବ୍ୟଥା, ଗୋଡ଼ର ଗଣ୍ଠି ବ୍ୟଥା ଓ ଆଣ୍ଠୁ ବ୍ୟଥା ଦେଖାଯାଏ ।
ଲୁପସ୍ର ଲକ୍ଷଣ – ଏହା ୨୦ ବର୍ଷରୁ ୫୦ ବର୍ଷର ମହିଳାଙ୍କୁ ପ୍ରଭାବିତ କରିଥାଏ । ଏହି ରୋଗରେ ମହୁଁରେ ନାଲି ଚିହ୍ନ ଦେଖାଯାଏ, କେଶ ଉପୁଡ଼ିଯାଏ, ପାଟିରେ ଘାଆ ହୁଏ, ଦୀର୍ଘଦିନ ଧରି ଜ୍ୱର ହୋଇଥାଏ, ପରିସ୍ରାରେ ପ୍ରୋଟିନ୍ ଯାଏ, ସାଇକୋସିସ୍ (ମସ୍ତିଷ୍କ ଆକ୍ରାନ୍ତ) ହୁଏ । ଏଥିରେ ଶରୀରର ଯେକୌଣସି ଅଂଶ ପ୍ରଭାବିତ ହୋଇପାରେ । ରକ୍ତ ପରୀକ୍ଷାରେ ଏଏନ୍ଏ ଏବଂ ଆଣ୍ଟି-ଡିଏସ୍ଡିଏନ୍ଏ ଆଣ୍ଟିବଡ଼ି ମିଳିଥାଏ ।
ଯୋଗରେନ୍ ସିଣ୍ଡ୍ରୋମ୍ର ଲକ୍ଷଣ – ଏହା ୨୫ ବର୍ଷରୁ ୬୦ ବର୍ଷର ମହିଳାମାନଙ୍କୁ ଅଧିକ ପ୍ରଭାବିତ କରିଥାଏ, ଯେଉଁଥିରେ ବାରମ୍ବାର ପାଟି ଶୁଖିଯିବା (ଡ୍ରାଏ ମାଉଥ୍), ଶୁଖିଲା ଖାଦ୍ୟ (ରୁଟି, ବିସ୍ୁଟ ଆଦି)ଖାଇ ନ ପାରିବା, ଅକାଳରେ ଦାନ୍ତ ଝଡ଼ିଯିବା, ଆଖି ଶୁଖିଲା ରହିବା ଏବଂ ବିନା କାରଣରେ ବି ହାଲିଆ ଲାଗିବା ଇତ୍ୟାଦି ଲକ୍ଷଣ ଦେଖାଯାଏ । ରକ୍ତ ପରୀକ୍ଷାରେ ଏଏନ୍ଏ, ଆଣ୍ଟି-ଆର୍ଓ, ଆଣ୍ଟି-ଏଲ୍ଏ ଆଣ୍ଟିବଡ଼ି ଦେଖାଯାଏ ।
ତେବେ ଏଠାରେ ମୁଁ ଗୋଟେ କଥା କହିବାକୁ ଚାହେଁ ଯେ, ରିମାଟୋଲୋଜି ରୋଗ ପ୍ରାରମ୍ଭିକ ଅବସ୍ଥାରେ ନିରୂପଣ ହୋଇପାରିଲେ ରୋଗ ନିୟନ୍ତ୍ରଣ ହୋଇପାରିବ ତଥା ରୋଗୀ ସାଧାରଣ ଜୀବନଯାପନ କରିପାରିବ ।

ସ୍ୱାସ୍ଥ୍ୟ ସ୍ୱର : ଓଡ଼ିଶାର ସାମ୍ପ୍ରତିକ ସେବା ବ୍ୟବସ୍ଥା ସମ୍ପର୍କରେ କ’ଣ ମତ ରଖିବେ?
ଡା. ପାତ୍ର : ବିଗତ ଦଶ ବର୍ଷ ମଧ୍ୟରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅଭୂତପୂର୍ବ ଉନ୍ନତି ଘଟିଛି । ଅନ୍ୟ ରାଜ୍ୟ ସହ ତୁଳନା କଲେ ଆମ ରାଜ୍ୟର ଚିକିତ୍ସା ଅପେକ୍ଷାକୃତ ସୁଲଭ ତଥା ଅତ୍ୟାଧୁନିକ ଅଟେ । ଏଠି ବି ପ୍ରାୟ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ହେଲାଣି । ଏଠି ମୁଁ ରିମାଟୋଲୋଜି ରୋଗୀଙ୍କ ବିଷୟରେ କହିବାକୁ ଚାହେଁ ଯେ, ଚାରି ପାଞ୍ଚବର୍ଷ ପୂର୍ବରୁ ରିମାଟୋଲୋଜି ରୋଗୀମାନେ ଯେଉଁ ସଂଖ୍ୟାରେ ଓଡ଼ିଶା ବାହାରକୁ ଯଥା ଲକ୍ଷ୍ନୌ ଏସ୍ଜିପିଜିଆଇ, ସିଏମ୍ସି ଭେଲୋର୍ ଓ ଦିଲ୍ଲୀ ଏମ୍ସ ଆଦିକୁ ଯାଉଥିଲେ, ବର୍ତମାନ ତାହା ଯଥେଷ୍ଟ କମିଯାଇଛି । କାରଣ ଏଇଠି ବି ସେମାନେ ହାତ ପାଆନ୍ତାରେ ସଫଳ ଚିକିତ୍ସା ପାଇପାରୁଛନ୍ତି ।
ତେବେ ବି ମୋ ମତରେ ଭୁବନେଶ୍ୱର-କଟକ ଛାଡ଼ି ଓଡ଼ିଶାର ଅନ୍ୟ ଅଂଚଳରେ ମଧ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅନେକ ଉନ୍ନତି କରିବାକୁ ହେବ ।
ସ୍ୱାସ୍ଥ୍ୟ ସ୍ୱର : ଆପଣଙ୍କ ସଫଳତାର ରହସ୍ୟ?
ଡା. ପାତ୍ର : ମୁଁ ଖୁବ୍ ଈଶ୍ୱର ବିଶ୍ୱାସୀ । ଠାକୁର ଅନୁକୂଳଚନ୍ଦ୍ରଙ୍କ ଭକ୍ତ । ମତେ ଲାଗେ ବାପା, ମା’ଙ୍କ ଆଶୀର୍ବାଦ, ଭାଇ ଭଉଣୀଙ୍କ ସ୍ନେହ ଏବଂ ମୋ ସ୍ତ୍ରୀଙ୍କ ସହଯୋଗ ଯୋଗୁଁ ହିଁ ମୁଁ ଏତେ ବାଟ ଆସିଛି ବୋଲି ମୋର ବିଶ୍ୱାସ । ଏହାଛଡ଼ା ମୁଁ ସବୁବେଳେ ସଚ୍ଚୋଟ ଓ ନିସ୍ୱାର୍ଥପର ଭାବେ ନୈତିକତା ଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ପ୍ରଚେଷ୍ଟା କରେ । ମୋ କାମକୁ ମୁଁ ଖୁବ୍ ଗୁରୁତ୍ୱ ଦିଏ ଏବଂ ମୁଁ ଭାବେ କର୍ମ ହିଁ ଭଗବାନ ।
ସ୍ୱାସ୍ଥ୍ୟ ସ୍ୱର : ସ୍ମରଣୀୟ ଘଟଣା?
ଡା. ପାତ୍ର : ମୋ ପାଇଁ ମୁଖ୍ୟତଃ ଦୁଇଟି ଘଟଣା ସ୍ମରଣୀୟ ହୋଇ ରହିଛି । ଗୋଟିଏ ହେଉଛି ଡେଣ୍ଟାଲ୍ ପଢ଼ିଲାବେଳେ ଏମ୍ବିବିଏସ୍ ପାଇବା ଏବଂ ଦ୍ୱିତୀୟରେ ଏସ୍ଜିପିଜିଆଇରେ ଡିଏମ୍ (ରିମାଟୋଲୋଜି ଆଣ୍ଡ୍ କ୍ଲିନିକାଲ୍ ଇମ୍ୟୁନୋଲୋଜି ) ପାଇବା ।
ଏହାଛଡ଼ା ରୋଗୀ ଚିକିତ୍ସା କରିବା ସମୟରେ ଅନେକ ଘଟଣା ସ୍ମରଣୀୟ ହୋଇଯାଇଛି । ଅନେକ ରୋଗୀ ଷ୍ଟ୍ରେଚର୍ରେ ବୁହା ହୋଇ ଆସୁଥିବେ ଏବଂ କିଛି ଦିନର ଚିକିତ୍ସା ପରେ ସେମାନେ ନିଜେ ନିଜେ ଚାଲି ଚାଲି ଯାଇ ପାରୁଥିବେ ତଥା ସାଧାରଣ ଜୀବନଯାପନ କରି ପାରୁଥିବେ, ସେଇ ଯେଉଁ ଆନନ୍ଦ ତାହା ଚିରଦିନ ସ୍ମରଣୀୟ ।

ସ୍ୱାସ୍ଥ୍ୟ ସ୍ୱର : ଅବସର କେମିତି କଟେ?
ଡା. ପାତ୍ର : ପରିବାର ଲୋକଙ୍କ ସହିତ ଘରେ ରହିବାକୁ ପସନ୍ଦ କରେ । ଟିକେ ସମୟ ପାଇଲେ ବୁଲିବା ପାଇଁ ବାହାରକୁ ଯାଏ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଭଲ ଲାଗେ । ଫିଲ୍ମ ଦେଖେ, ଗୀତ ଶୁଣେ ତଥା ସାଙ୍ଗସାଥିଙ୍କ ସହିତ ସମୟ ବିତେଇବା ଭଲ ଲାଗେ ।
ସ୍ୱାସ୍ଥ୍ୟ ସ୍ୱର : ଭବିଷ୍ୟତ ଯୋଜନା କ’ଣ ରହିଛି?
ଡା. ପାତ୍ର : ଦେଖନ୍ତୁ ଆଜ୍ଞା, ମୁଁ ଭବିଷ୍ୟତ ବିଷୟରେ ବିଶେଷ ଭାବେନାହିଁ । ମୁଁ ସବୁବେଳେ ବର୍ତ୍ତମାନକୁ ନେଇ ଖୁସି ଥାଏ । ତେବେ ଆମ ରାଜ୍ୟରେ ଗୋଟିଏ ଅତ୍ୟାଧୁନିକ ରିମାଟୋଲୋଜି ସେଣ୍ଟର୍ ସ୍ଥାପନ କରିବାର ସ୍ୱପ୍ନଟେ ରହିଛି, ଯେଉଁଠି ରୋଗୀମାନେ ଅତି କମ୍ ଖର୍ଚ୍ଚରେ ବା ସୁଲଭ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ପାଇପାରିବେ ।
ସ୍ୱାସ୍ଥ୍ୟ ସ୍ୱର : ‘ସ୍ୱାସ୍ଥ୍ୟ ସ୍ୱର’ ସମ୍ପର୍କରେ ପଦେ?
ଡା. ପାତ୍ର : ପ୍ରଥମେ ତ ‘ସ୍ୱାସ୍ଥ୍ୟ ସ୍ୱର’କୁ ବହୁତ ଧନ୍ୟବାଦ ଦେବି, ଯେହେତୁ ଓଡ଼ିଶାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି ଦିଗରେ ଏହା ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ଓଡ଼ିଆ ଭାଷାରେ ଏଭଳି ଏକ ପତ୍ରିକା ପ୍ରକାଶିତ ହେବା ନିଶ୍ଚିତ ଭାବେ ପ୍ରଶଂସନୀୟ । ଦ୍ୱିତୀୟରେ ଏଭଳି ସୁନ୍ଦର ପତ୍ରିକାର ପ୍ରକାଶନଜନିତ ଉଦ୍ୟମ ତଥା ଉତ୍ସାହକୁ ମୁଁ ବେଶ୍ ହୃଦୟଙ୍ଗମ କରିପାରୁଛି । ଠାକୁର ଅନୁକୂଳଚନ୍ଦ୍ରଙ୍କ ପାଖରେ ଏହାର ଉନ୍ନତି ମୁଁ କାମନା କରୁଛି ।