
ଡା. ମଣିରାମ ଜେନା
ବିଶେଷଜ୍ଞ, ପ୍ରାଣୀ ଚିକିତ୍ସା ପଲିିକ୍ଲିନିକ୍
ଶହୀଦ ନଗର, ଭୁବନେଶ୍ୱର
କିଛି ବର୍ଷ ତଳେ ଆମ ରାଜ୍ୟରେ ଜାପାନୀ ଜ୍ୱର ବା ଜାପାନିଜ୍ ଏନ୍ସେଫାଲାଇଟିସ୍ ରୋଗ ଅନେକ ଜୀବନହାନି ଘଟାଇଥିଲା । ଏହି ରୋଗ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳରେ ବ୍ୟାପକ ଧନଜୀବନ ନଷ୍ଟ କରିଥିଲା । ଅନୁନ୍ନତ ଏବଂ ଅଶିକ୍ଷିତ ଲୋକମାନେ ଏବଂ ସେମାନଙ୍କର ପିଲାମାନେ ମୁଖ୍ୟତଃ ଏହି ରୋଗର ଶୀକାର ବନିଥିଲେ । କିନ୍ତୁ ସେହି ଜିଲ୍ଲାର ଶିକ୍ଷିତ ଅଞ୍ଚଳରେ ଏହି ରୋଗର ପ୍ରାଦୁର୍ଭାବ ଆଦୌ ଜୀବନଘାତକ ଅବସ୍ଥାରେ ନ ଥିଲା । ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ ଆଲୋଚନା କରିବାର ସମୟ ଉପଗତ ହୋଇଛି । ଆମ ଓଡ଼ିଶାର ଜନସାଧାରଣ ଏହି ରୋଗ ବିଷୟରେ ଉତ୍ତମ ରୂପେ ଅବଗତ ହୋଇ ଏହାର ପ୍ରତିକାର ଏବଂ ସଠିକ୍ ଚିକିତ୍ସା ଗ୍ରହଣ କରିବା ଦିଗରେ ସାମାନ୍ୟ ସଚେତନ ହେଲେ ଆମ୍ଭର ଶ୍ରମ ସାର୍ଥକ ହେବ ।
ଜାପାନୀ ଜ୍ୱର ବା ଜାପାନିଜ୍ ଏନ୍ସେଫାଲାଇଟିସ୍ ଏକ ରୋଗ ଯାହାକି ମାଈକ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ । ଏହି ରୋଗ ଜାପାନିଜ୍ ଏନ୍ସେଫାଲାଇଟିସ୍ ଭୂତାଣୁ ଦ୍ୱାରା ହୋଇଥାଏ । ତେବେ ମନୁଷ୍ୟ ଏହି ରୋଗର ପ୍ରାଥମିକ ପୋଷକ ନୁହେଁ । ଆକସ୍ମିକ ଭାବରେ ଏହି ରୋଗର ଭୂତାଣୁ ମନୁଷ୍ୟ ଶରୀରରେ ପ୍ରବେଶ କରିଥାଏ । ଏହା ଏକ ଦୁର୍ଘଟଣା ବ୍ୟାପାର ମାତ୍ର । କିନ୍ତୁ ଏହି ଜାପାନୀ ଜ୍ୱର ରୋଗର ଭୂତାଣୁ ମୁଖ୍ୟତଃ ପଶୁ ଯଥା ଘୁଷୁରି ଏବଂ ପାଣିରେ ରହୁଥିବା ପକ୍ଷୀ ଯେପରିକି ବଗ, କଣ୍ଟିବଗ, ପାଣିକୁଆମାନଙ୍କୁ ସଂକ୍ରମିତ କରିଥାଏ । ଏମାନଙ୍କ ଶରୀରକୁ ପ୍ରାଥମିକ ଭାବରେ ରୋଗର ଭୂତାଣୁ ଆକ୍ରମଣ କରିଥାଏ । ମାତ୍ର ମଣିଷ ଶରୀର ଏହାର ପ୍ରାଥମିକ ଗନ୍ତବ୍ୟସ୍ଥଳୀ ନୁହେଁ । ଏହି ଭୂତାଣୁ ମନୁଷ୍ୟ ଶରୀରରେ ଅଧିକ ପରିମାଣରେ ମିଳେ ନାହିଁ ଏବଂ ଭୂତାଣୁ ଅଧିକ ସମୟ ମଣିଷ ଶରୀରରେ ରହିପାରେ ନାହିଁ ।
ଜାପାନୀ ଜ୍ୱର ମଣିଷ ଶରୀରରୁ ଅନ୍ୟ ସୁସ୍ଥ ଶରୀରକୁ ସଂକ୍ରମିତ ହୋଇପାରେ ନାହିଁ । ସଂକ୍ରମିତ ଘୁଷୁରିକୁ କାମୁଡ଼ିଥିବା ମଶା ମଣିଷକୁ କାମୁଡ଼ିଲେ ମନୁଷ୍ୟକୁ ଏହି ରୋଗ ହୋଇଥାଏ । ଏହି ରୋଗ ମୁଖ୍ୟତଃ ଏସିଆ ମହାଦେଶର ଗ୍ରାମୀଣ ଅଞ୍ଚଳ ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଧିକତର ଭାବରେ ଏହାର କାୟା ବିସ୍ତାର କରିଥାଏ ।
ରୋଗର ଲକ୍ଷଣ :
ଅଧିକାଂଶ କ୍ଷେତ୍ରରେ ଜାପାନୀଜ୍ୱର ସଂକ୍ରମଣ କୌଣସି ଲକ୍ଷଣ ଦେଖାଇନଥାଏ । ଅନ୍ୟ କ୍ଷେତ୍ରରେ ସଂକ୍ରମିତ ରୋଗୀର ୧ ପ୍ରତିଶତରୁ କମ୍ କ୍ଷେତ୍ରରେ ସ୍ନାୟୁଜନିତ ସମସ୍ୟା ଯଥା – ମୁଣ୍ଡବିନ୍ଧା ଓ ମସ୍ତିଷ୍କ ସୂକ୍ଷ୍ମକୋଷରେ ସଂକ୍ରମଣ ହୋଇଥାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ-
– ଜ୍ୱର ହୁଏ
– ରୋଗୀ ମୂର୍ଚ୍ଛା ହୋଇଯାଏ
– ବେକ ମାଂସପେଶୀ କଠିନ ହୋଇଯାଏ
– ମୁଣ୍ଡ ବେଳେବେଳେ ଠିକ୍ ରହେ ନାହିଁ
– ଶରୀରକୁ କମ୍ପ ଆସିଥାଏ
– ପାରାଲିସିସ୍ ହୋଇଥାଏ
– ଶରୀରର ସମନ୍ୱୟ ରହେ ନାହିଁ
– ଅତି ଗୁରୁତର କ୍ଷେତ୍ରରେ ଯଦି ଚିକିତ୍ସା କରାନଯାଏ ତେବେ ଚିର ଦିନ ପାଇଁ ସ୍ନାୟୁମାନଙ୍କୁ ନଷ୍ଟ କରିଦିଏ ଅବା ମୃତ୍ୟୁମୁଖରେ ପକାଇପାରେ ।
ନିଦାନ :
ଜାପାନୀ ଜ୍ୱର ନିଦାନ ସକାଶେ ମସ୍ତିଷ୍କ ଓ ସୁଷୁମ୍ନା କାଣ୍ଡ ସଂଲଗ୍ନ ତରଳ ପଦାର୍ଥ ପରୀକ୍ଷା କରିବା ଉଚିତ । ଏହା ଦ୍ୱାରା ଭୂତାଣୁକୁ ଚିହ୍ନଟ କରାଯାଇପାରିବ । ଯେଉଁ ରୋଗୀମାନଙ୍କର ଦୀର୍ଘଦିନର ସ୍ନାୟବିକ ସମସ୍ୟା ଥିବ ଏବଂ ଯେଉଁ ଅଞ୍ଚଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଥିବ ସେହି ଅଞ୍ଚଳର ଲୋକମାନେ ଏହି ପରୀକ୍ଷା କରି ରୋଗ ନିରୁପଣ କରିପାରିବେ ।
ଜାପାନୀ ଜ୍ୱର କିପରି ବ୍ୟାପେ?
ଏହି ରୋଗ ମାଈ କ୍ୟୁଲେକ୍ସ ମଶା କାମୁଡ଼ିବାରୁ ହୋଇଥାଏ । ଯଦି ମଶା ବଗ, କଣ୍ଟିଆବଗ ଅବା ଘୁଷୁରିମାନଙ୍କୁ କାମୁଡ଼ିଲା ପରେ ଆସି ସୁସ୍ଥ ମଣିଷକୁ କାମୁଡ଼େ ତେବେ ସୁସ୍ଥ ମଣିଷ ଶରୀରରେ ଜାପାନିଜ୍ ଏନ୍ସେଫାଲାଇଟିସ୍ ଭୂତାଣୁ ପ୍ରବେଶ କରି ରୋଗ କରାଏ ।
ଏହି ରୋଗ ମୁଖ୍ୟତଃ ଗ୍ରାମାଞ୍ଚଳ ଏବଂ ସହରତଳି ତଥା ବସ୍ତି ଅଞ୍ଚଳରେ ଅଧିକ ହୋଇଥାଏ । ମାଈ କ୍ୟୁଲେକ୍ସ ମଶା ରାତିରେ କାମୁଡ଼ିବାକୁ ପସନ୍ଦ କରେ । ଏହି ମଶା ଦୂଷିତ ଜଳ, ନାଳ ନର୍ଦ୍ଦମା, ଗଡ଼ିଆ, ଧାନବିଲ ଏବଂ ଦଳଭର୍ତ୍ତି ଅପରିଷ୍କାର ପୋଖରୀମାନଙ୍କରେ ପ୍ରଜନନ କରି ଅଣ୍ଡା ଦେଇ ବଂଶ ବିସ୍ତାର କରେ । ଏହି ମଶାମାନେ ଘୁଷୁରି, ଗାଈ, ମଇଁଷି ଏବଂ ବଗ, କଣ୍ଟିଆବଗମାନଙ୍କୁ ମୁଖ୍ୟତଃ କାମୁଡ଼ିଥାନ୍ତି । ଯଦି ମଣିଷମାନେ ଗୁହାଳ ପାଖରେ ଶୁଅନ୍ତି ବା ଗୋଟିଏ ଘରେ ଘୁଷୁରି ସହିତ ରାତ୍ରିଯାପନ କରନ୍ତି ଅବା ମଣିଷ ଘର ଘୁଷୁରିଘରର ଖୁବ୍ ନିକଟରେ ଥାଏ ତେବେ ମଶାମାନେ ଘୁଷୁରିକୁ କାମୁଡ଼ିଲା ପରେ ଅଘଟଣ ପରି ମଣିଷମାନଙ୍କୁ କ୍ୱଚିତ କାମୁଡ଼ିଥାଏ । ଫଳରେ ରୋଗ ସଂକ୍ରମଣ କରେ ମଣିଷକୁ । ଅବିଭକ୍ତ କୋରାପୁଟ ଜିଲ୍ଲାର ଜାପାନୀ ଜ୍ୱର ପାଇଁ ଏହି ପ୍ରକାର ସାମାଜିକ ଅବସ୍ଥା ଓ ଲୋକମାନଙ୍କର ଅଜ୍ଞତା ଓ ଅପରିଚ୍ଛନ୍ନତା ଦାୟୀ ।
ଚିକିତ୍ସା :
ଜାପାନୀ ଜ୍ୱର ପାଇଁ କିଛି ସ୍ୱତନ୍ତ୍ର ଚିକିତ୍ସା ନାହିଁ । ଲକ୍ଷଣଗୁଡ଼ିକର ସଠିକ୍ ପରିଚାଳନା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ମଧ୍ୟରେ ଯନ୍ତ୍ରଣା ନିବାରକ ଔଷଧ ପ୍ରୟୋଗ, ଜ୍ୱର କମାଇବା ଔଷଧ ପ୍ରଦାନ, ଆଣ୍ଟିବାୟୋଟିକ୍ ଓ ସାଲାଇନ୍ (ଫ୍ଲୁଇଡ୍ ଥେରାପି)ର ପ୍ରୟୋଗ ଅନିବାର୍ଯ୍ୟ ଅଟେ । ରୋଗୀକୁ ପିଇବା ନିମନ୍ତେ ପ୍ରଚୁର ପାଣି ଦେବା ଆବଶ୍ୟକ ।
ଯେଉଁ ରୋଗୀମାନେ ସ୍ନାୟବିକ ଲକ୍ଷଣ ପ୍ରଦର୍ଶନ କରୁଥିବେ ବା ବାଉଳି ଚାଉଳି ହେଉଥିବେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ଆବଶ୍ୟକୀୟ ଚିକିତ୍ସା ସକାଶେ ।
ବର୍ତ୍ତମାନ ଜାପାନିଜ୍ ଏନ୍ସେଫାଲାଇଟିସ୍ ବା ଜାପାନୀ ଜ୍ୱରର ପ୍ରତିକାର ନିମନ୍ତେ ଟୀକା ଉପଲବ୍ଧ ହେଲାଣି । ଏହି ଟୀକା ୨ ମାସର ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନଙ୍କୁ ଦିଆଯାଇପାରିବ । ଗର୍ଭବତୀ ମହିଳାମାନେ ଏହି ଟୀକା ନେଇପାରିବେ ନାହିଁ । କିନ୍ତୁ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ଜରୁରୀ ଅଟେ । ଯେଉଁ ଲୋକମାନେ ୩୦ ଦିନରୁ ଅଧିକ ସମୟ ରୋଗର ପ୍ରାଦୁର୍ଭାବ ଥିବା ଅଞ୍ଚଳରେ କଟାଉଥିବେ ଅଥବା ବସ୍ତି ଓ ସନ୍ତସନ୍ତିଆ ଅଞ୍ଚଳ ତଥା ଘୁଷୁରି ରହୁଥିବା ଅଞ୍ଚଳମାନଙ୍କରେ ରହୁଥିବେ ସେମାନେ ଏହି ଟୀକା ନେବା ଜରୁରୀ ।
ଜାପାନିଜ୍ ଏନ୍ସେଫାଲାଇଟିସ୍ ଟୀକା ଦୁଇଟି ମାତ୍ରାରେ ଦିଆଯାଏ । ପ୍ରଥମ ମାତ୍ରାଟି ଦିଆଯିବାର ୨୮ ଦିନ ପରେ ଦ୍ୱିତୀୟ ମାତ୍ରା ଟୀକା ଦିଆଯାଏ । ତେବେ ଟୀକା ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।
ପ୍ରତିକାର :
ସର୍ବଦା ସତର୍କତା ହିଁ ଚିକିତ୍ସା ଅପେକ୍ଷା ଶ୍ରେୟସ୍କର । ଜାପାନୀ ଜ୍ୱର ମୁଖ୍ୟତଃ କ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ । ତେଣୁ ମଶା କାମୁଡ଼ାଠାରୁ ସର୍ବଦା ସତର୍କ ରହିବା ଉଚିତ । ନାଳ, ନର୍ଦ୍ଦମା, ଗଡ଼ିଆ ଇତ୍ୟାଦି ପରିଷ୍କାର ରଖିବା ଉଚିତ । ପୋଖରୀମାନଙ୍କରେ ମଶା ଲାର୍ଭା ଖାଉଥିବା ମାଛ ଛାଡ଼ିବା ଉଚିତ । ଏହି ମଶା ରାତିରେ କାମୁଡ଼ିଥାଏ । ତେଣୁ ରାତିରେ ମଶା ଘଉଡ଼ାଇବା କଏଲ୍, ତେଲ ଇତ୍ୟାଦି ବ୍ୟବହାର କରନ୍ତୁ । ନିଶ୍ଚିତ ଭାବରେ ମଶାରୀ ଟାଙ୍ଗି ଶୁଅନ୍ତୁ । ଶୋଇବା ଘର ନିକଟରେ ଗୁହାଳ ରଖନ୍ତୁ ନାହିଁ । ଯଦି ଘୁଷୁରି ପାଳୁଥିବେ ତେବେ ସେମାନଙ୍କ ସାଥିରେ ଶୁଅନ୍ତୁ ନାହିଁ । ଘୁଷୁରି ଗୁହାଳଠାରୁ ନିରାପଦ ଦୂରତାରେ ନିଜର ଶୋଇବା ଘର ବନାନ୍ତୁ । ଚୋରି ହୋଇଯିବା ଭୟରେ ଘୁଷୁରିମାନଙ୍କୁ ସେମାନଙ୍କ ଗୁହାଳରେ ଜଗି ଶୋଉଥିଲେ ମଶାରୀ ବ୍ୟବହାର କରନ୍ତୁ । ଘର ଚାରିପଟେ ପାଣି ଜମିବାକୁ ଦିଅନ୍ତୁ ନାହିଁ । ପରିବେଶ ପରିଷ୍କାର କରନ୍ତୁ ଓ ନାଳ ନର୍ଦ୍ଦମା କରନ୍ତୁ ନାହିଁ । କେତେକ ସ୍ଥାନରେ ଏହି ରୋଗ ଘୁଷୁରୀମାନଙ୍କ ଦ୍ୱାରା ବ୍ୟାପୁଛି ବୋଲି ଲୋକେ ବିଷ ଦେଇ ଘୁଷୁରିମାନଙ୍କୁ ମାରି ଦିଅନ୍ତି ଗୁଜବ ଦ୍ୱାରା ପ୍ରେରିତ ହୋଇ । ଗୁଜବରେ କାନ ଦିଅନ୍ତୁ ନାହିଁ । ଘୁଷୁରି ନୁହେଁ, ମଶା ବଂଶ ନିପାତରେ ନଜର ଦିଅନ୍ତୁ । ସତ୍ୟକୁ ଜାଣନ୍ତୁ । ସୁସ୍ଥ ରୁହନ୍ତୁ । ଜାପାନୀ ଜ୍ୱର ପ୍ରାଦୁର୍ଭାବ ଥିବା ଅଞ୍ଚଳମାନଙ୍କରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଟୀକା ନେଇ ବାତାବରଣ ସୁସ୍ଥ ରଖନ୍ତୁ ।