
ଆମ୍ରି ହସ୍ପିଟାଲ୍ସ, ଭୁବନେଶ୍ୱରରେ ଅଭିଜ୍ଞ ଗ୍ୟାଷ୍ଟ୍ରୋଇଂଟେଷ୍ଟାଇନାଲ୍ ସର୍ଜନ ଡା. ସୌମେନ୍ ରୟ ଏକ ଜଟିଳ ଅସ୍ତ୍ରୋପଚାର କରି ଜଣେ ମହିଳାଙ୍କ ପେଟରୁ ଦୁଇ ବର୍ଷ ଧରି ରହିଥିବା ଗଜ୍ କନାକୁ ଅପରେସନ୍ ଦ୍ୱାରା ବାହାର କରିଛନ୍ତି । ଫଳରେ ମହିଳାଙ୍କ ଜୀବନରକ୍ଷା ହେବା ସହ ଦୀର୍ଘ ଦୁଇବର୍ଷ ଧରି ଭୋଗୁଥିବା ଅସହ୍ୟ ପେଟବ୍ୟଥା ଓ ପେଟଫୁଲାରୁ ଆରୋଗ୍ୟଲାଭ କରିଛନ୍ତି । ୨୦୧୯ ଫେବୃଆରୀ ମାସରୁ ତାଙ୍କ ପେଟରେ ସର୍ଜିକାଲ୍ ଗଜ୍କନାଟିଏ ରହିଯାଇଥିଲା, ଯେଉଁଥିପାଇଁ ତାଙ୍କ ପେଟବ୍ୟଥା ଓ ପେଟଫୁଲା ଲାଗିରହୁଥିଲା ।
ଘଟଣାରୁ ପ୍ରକାଶ ଯେ, ଓଡିଶାର ଫୁଲବାଣୀରେ ଜଣେ ୩୫ ବର୍ଷୀୟ ମହିଳାଙ୍କ ଫେବୃଆରୀ ୨୦୧୯ରେ ସିଜରିଆନ୍ ସେକ୍ସନ୍ ଦ୍ୱାରା ପ୍ରସବ ହୋଇଥିଲା । ତା’ପରେ ପରେ ତାଙ୍କର ପେଟବ୍ୟଥା, ପେଟଫୁଲା ବଢ଼ିବାରେ ଲାଗିଲା ଓ ଅନେକ ସମୟରେ ଜ୍ୱର ଲାଗିରହିଲା । ଅନେକ ହସ୍ପିଟାଲ୍କୁ ଯାଇ ଦେଖାଇଲା ପରେ ବି କୌଣସି ସୁଫଳ ମିଳିଲା ନାହିଁ । ଏପରିକି ବିଗତ ଦୁଇବର୍ଷ ଭିତରେ ତାଙ୍କର ପେଟବ୍ୟଥା ଓ ସଂକ୍ରମଣ ଦୂର କରିବା ପାଇଁ ଦୁଇଥର ଲାପ୍ରୋସ୍କୋପିକ୍ ଅପରେସନ୍ ମଧ୍ୟ କରାଯାଇଥିଲା । କିନ୍ତୁ ତା’ ସତ୍ୱେ ବି ସେ ଆରୋଗ୍ୟଲାଭ କରିନଥିଲେ ଓ ସଂକ୍ରମଣ ବଢ଼ି ଚାଲିଲା । ସେମାନେ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ୍କୁ ଆସି ଅଭିଜ୍ଞ ଗ୍ୟାଷ୍ଟ୍ରୋଇଂଟେଷ୍ଟାଇନାଲ୍ ସର୍ଜନ ଡା. ସୌମେନ୍ ରୟଙ୍କ ସହ ପରାମର୍ଶ କରିଥିଲେ । ରୋଗୀକୁ ସମ୍ପୂର୍ଣ୍ଣ ପରୀକ୍ଷାନିରୀକ୍ଷା କରି ଡା. ରୟ ଏକ ବଡ ଅପରେସନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ସମସ୍ତ ପ୍ରସ୍ତୁତି ସରିବା ପରେ ଦୀର୍ଘ ୬ ଘଂଟାର ଏକ ଅପରେସନ୍ ଚାଲିଲା । ଏହି ଅପରେସନ୍ ଚାଲିଥିବା ସମୟରେ କୋଲନ୍ ଓ ଆବ୍ଡୋମିନାଲ୍ ୱାଲ୍ ମଝିରେ ଏକ ଗଜ୍କନା ରହିଥିବାର ଡାକ୍ତର ଦେଖିଥିଲେ ଏବଂ ତାଙ୍କର ଇଂଟେଷ୍ଟାଇନ୍ରେ କିଛି ଷ୍ଟିଚ୍ ପକାଇ ଅତି ସତର୍କତାର ସହ ଅନେକ ଶ୍ରମ ସ୍ୱୀକାର କରି ତା’କୁ ବାହାର କରିଦେଇଥିଲେ ।
ଅସ୍ତ୍ରୋପଚାର ସଫଳ ହେଲା ଓ ମହିଳା ଜଣକ ଧିରେ ଧିରେ ଆରୋଗ୍ୟ ହେବାରେ ଲାଗିଲେ । ଡା. ରୟ କହିଛନ୍ତି- ‘ଅପରେସନ୍ ପରେ ରୋଗୀଙ୍କ ଠାରେ କୌଣସି ପ୍ରକାରର ପୋଷ୍ଟଅପରେଟିଭ୍ କମ୍ପ୍ଲିକେସନ୍ ଦେଖାଯାଇନଥିଲା ଏବଂ ହସ୍ପିଟାଲ୍ରେ ଦଶ ଦିନ ରହି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେ ଏବେ ଘରକୁ ଫେରିଯାଇଛନ୍ତି ।’
‘ଆମ୍ରି ହସ୍ପିଟାଲ୍ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଉପକରଣ ଓ ଉତ୍ତମ ଭିତ୍ତିଭୂମିରେ ଅଭିଜ୍ଞ ଚିକିତ୍ସକମାନେ ସ୍ୱାସ୍ଥ୍ୟସେବା ଯୋଗାଉଥିବାରୁ ଏଭଳି ଜଟିଳ ଅସ୍ତ୍ରୋପଚାର ମଧ୍ୟ ସମ୍ଭବପର ହୋଇପାରୁଛି’ ବୋଲି ମତ ରଖିଛନ୍ତି ଭୁବନେଶ୍ୱର ଆମ୍ରି ହସ୍ପିଟାଲ୍ର ଆସିଷ୍ଟାଂଟ୍ ଭାଇସ୍ ପ୍ରେସିଡେଂଟ୍ ତଥା ଇନ୍ଚାର୍ଜ ୟୁନିଟ୍ ହେଡ୍ ଶ୍ରୀମତି ନୀଲାଞ୍ଜନା ମୁଖେର୍ଜୀ ।