
ଆୟୁର୍ବେଦ ଚିକିତ୍ସା ଜଗତରେ ପ୍ରଫେସର୍ ଡା. କାମଦେବ ଦାସ ଏକ ଜଣାଶୁଣା ନାଁ । ବିଭିନ୍ନ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ମାନଙ୍କରେ ଦୀର୍ଘ ଦିନ ଧରି ଅଧ୍ୟାପନା ପରେ ଶେଷରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଅଧ୍ୟକ୍ଷ ହୋଇ ଅବସର ଗ୍ରହଣ କରିଛନ୍ତି । ଅଧ୍ୟାପନାରେ ଯେତିକି ଛାତ୍ରଛାତ୍ରୀଙ୍କ ପ୍ରିୟ, ଚିକିତ୍ସା କ୍ଷେତ୍ରରେ ମଧ୍ୟ ସେତିକି ଲୋକପ୍ରିୟ । ଅବସର ପରେ ମଧ୍ୟ ରୋଗୀ ସେବାରେ ବ୍ୟସ୍ତ । ଏବେ ବି ଜ୍ଞାନ ଆହରଣରେ ବ୍ୟସ୍ତ; ରୀତିମତ୍ ପଢ଼ନ୍ତି ଆୟୁର୍ବେଦ ଚିକିତ୍ସାର ବିଭିନ୍ନ ପୁସ୍ତକ । ଆୟୁର୍ବେଦ ପାଇଁ ବହୁତ କିଛି କରିବାର ଇଚ୍ଛା ତାଙ୍କର ।
ଆସନ୍ତୁ ତାଙ୍କ ସହ କଥା ହେବା ।
ସ୍ୱା.ସ. : ଆୟୁର୍ବେଦକୁ କେମିତି ଆସିଲେ?
ଡା. ଦାସ : ପ୍ରଥମେ ମୁଁ ବୁର୍ଲା ଇଞ୍ଜିନିୟରିଂ କଲେଜ୍ରେ ସିଟ୍ ପାଇଥିଲି । ହେଲେ ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ମୁଁ ଆଡ୍ମିସନ୍ ନେଇ ପାରି ନ ଥିଲି । ଆଇଏସସି ପାସ୍ କଲା ପରେ ଥରେ ପୁରୀ ମନ୍ଦିର ଯାଇଥିଲି । ସେଠି ଜଣେ ଚିହ୍ନା ବଡଭାଇଙ୍କୁ ଦେଖିଲି, ଯିଏକି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ପଢ଼ୁଥିଲେ । ସିଏ ମତେ କଲେଜ୍ ବୁଲାଇ ଦେଖାଇଲେ । ସେଇଠି ହିଁ ମୋ’ର ଆୟୁର୍ବେଦ ପଢ଼ିବା ପାଇଁ ଇଚ୍ଛା ହେଲା । ସେତେବେଳେ ବି.ଏ.ଏମ.ଏସ୍ ପଢ଼ିବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ୍ୟୁଲେସନ୍ ଥିଲା । ମୋ’ର କିନ୍ତୁ ଆଇଏସସି ଥିଲା । ତଥାପି ବି.ଏ.ଏମ.ଏସ.ରେ ଆଡମିସନ୍ ନେଲି । ଫଳରେ ସାଙ୍ଗମାନେ ମଧ୍ୟ ମତେ ଚିଡଉଥିଲେ- ଆଇଏସସି ପରେ କାହିଁକି ଯାଉଛୁ ସେ ଚେରମୂଳୀ ପାଠ ପଢ଼ିବାକୁ! ହେଲେ ମୁଁ କାହା କଥାରେ ଧ୍ୟାନ ନ ଦେଇ ଆୟୁର୍ବେଦ ପଢ଼ାରେ ଲାଗିଲି । ଫାଷ୍ଟ୍ ଇୟରରେ ସଂସ୍କୃତ ଥିଲା, ପ୍ରଥମେ ଟିକେ ଟିକେ ଅଡୁଆ ଲାଗିଲା । କିନ୍ତୁ ପରେ ପରେ ସବୁ ଠିକ୍ ହୋଇଗଲା । ଆନଟୋମି ଓ ଫିଜିଓଲୋଜି ପଢ଼ିଲା ବେଳେ ଆହୁରି ଭଲ ଲାଗିଲା । ଭଲ ପଢ଼ୁଥିବାରୁ ୫୦ ଟଙ୍କାର ସ୍କଲାରସିପ୍ ମଧ୍ୟ ମିଳିଲା । ପ୍ରତିବର୍ଷ ସ୍କଲାରସିପ୍ ମିଳିଲା । ବି.ଏ.ଏମ.ଏସ୍. ପାସ୍ କରୁ କରୁ ସେଇ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ମେଡିକାଲ୍ ଅଫିସରର ଚାକିରି ମିଳିଯାଇଥିଲା । ତା’ପରେ କେରଳ ଆୟୁର୍ବେଦିକ୍ କଲେଜ୍ରୁ ରସଶାସ୍ତ୍ର ବିଭାଗରେ ଇନ୍ ସର୍ଭିସ୍ ପିଜି କଲି । ଅବସର ନେବାର ୬ ମାସ ଆଗରୁ ଉତ୍କଳ ୟୁନିଭର୍ସିଟିରେ ପିଏଚଡି ରେଜିଷ୍ଟ୍ରେସନ୍ କରିଥିଲି ଏବଂ ପରେ ପିଏଚଡି ଡିଗ୍ରୀ ପାଇଲି ।
ସ୍ୱା.ସ. : ଆୟୁର୍ବେଦ ଏତେ ପୁରୁଣା ଚିକିତ୍ସା ଶାସ୍ତ୍ର ହୋଇଥିବା ସତ୍ତେ୍ୱ କାହିଁକି ଏହାର ବିଶେଷ ଉନ୍ନତି ହୋଇନାହିଁ? ବା ଯେଉଁ ସ୍ତରକୁ ଯିବା କଥା ସେଇ ସ୍ତରକୁ ଏଯାଏଁ ଯାଇ ପାରିନାହିଁ କାହିଁକି?
ଡା. ଦାସ : ମୋ ମତରେ ତିନୋଟି କାରଣ ଏଥିପାଇଁ ଦାୟୀ ।
ପ୍ରଥମ କାରଣ ହେଉଛି ଆୟୁର୍ବେଦ ଚିକିତ୍ସକମାନଙ୍କ ମଧ୍ୟରେ କିଛିଟା ଆତ୍ମବିଶ୍ୱାସର ଅଭାବ । ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ଏଭଳି ଶିକ୍ଷା ଦେବା ଆବଶ୍ୟକ, ଯେମିତି ସେମାନଙ୍କ ଭିତରେ ଆୟୁର୍ବେଦ ଚିକିତ୍ସାକୁ ନେଇ ଆତ୍ମବିଶ୍ୱାସ ବୃଦ୍ଧି ହେବ ।
ଦ୍ୱିତୀୟ କାରଣ ହେଉଛି ଚିକିତ୍ସା ଜ୍ଞାନ ପରବର୍ତ୍ତୀ ପିଢ଼ିକୁ ସଠିକ୍ ଭାବେ ନ ଦେବା କିମ୍ବା କିଛି ଲେଖା ପ୍ରକାଶିତ ନ ହେବା ଫଳରେ ଅନେକ ଗୁଡିଏ ଉପାଦେୟ ଚିକିତ୍ସା ପଦ୍ଧତି ଧିରେ ଧିରେ ଲୁପ୍ତ ହୋଇ ଯାଉଛି ।
ତୃତୀୟରେ ହେଉଛି ସରକାରୀ ପ୍ରୋତ୍ସାହନର ଅଭାବ ।
ସ୍ୱା.ସ. : ଆୟୁର୍ବେଦ ମହାବିଦ୍ୟାଳୟ ମାନଙ୍କରେ ଆପଣ ଦୀର୍ଘ ବର୍ଷ ଧରି ଅଧ୍ୟାପନା ବୃତ୍ତିରେ ଥିଲେ । ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ବି.ଏ.ଏମ.ଏସ, ଏମ.ଡି. ଆଦି ସବୁ ସ୍ତରର ପାଠ୍ୟଖସଡ଼ା ପରିବର୍ତ୍ତନ ହେବା ଉଚିତ ବୋଲି ଆପଣ ଭାବନ୍ତି କି?
ଡା. ଦାସ : ମୋ ମତରେ ଥିଓରିଟିକାଲ୍ ଆସପେକ୍ଟ ସହ ବହୁ ପରିମାଣରେ ପ୍ରାକ୍ଟିକାଲ୍ ଆସ୍ପେକ୍ଟକୁ ମଧ୍ୟ ଦୃଷ୍ଟି ଦେବାକୁ ପଡିବ । ପାରମ୍ପାରିକ ପାଠ୍ୟଖସଡ଼ା ସହ ଆଧୁନିକତାକୁ ବି ଗ୍ରହଣ କରିବାକୁ ପଡିବ । ଆୟୁର୍ବେଦ ଚିକିତ୍ସା ମଧ୍ୟ ବୈଜ୍ଞାନିକ ପଦ୍ଧତିର ଚିକିତ୍ସା ବୋଲି ଅଧ୍ୟାପକ ମାନେ ଛାତ୍ରଛାତ୍ରୀଙ୍କୁ ବିଶ୍ୱାସ ଦେବା ଆବଶ୍ୟକ । ଯ’ଦ୍ୱାରା ଛାତ୍ରଛାତ୍ରୀମାନେ ପାସ୍ କଲା ପରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
ସ୍ୱା.ସ. : ଆପଣ ଜଣେ ସୁନାମଧନ୍ୟ ଚିକିତ୍ସକ । ତେବେ ଏ ଚିକିତ୍ସକ ଜୀବନର ସାମଗ୍ରିକ ଅନୁଭୂତି କ’ଣ ରହିଛି?
ଡା. ଦାସ : ଆୟୁର୍ବେଦ ବିଷୟରେ ଭାବିଲେ ଲାଗେ ଯେ, ମୁଁ କାଣିଚାଏ ମାତ୍ର ଗ୍ରହଣ କରିପାରିଛି । ହେଲେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ଠାରୁ ବହୁତ ଭଲ ପାଇବା ମିଳିଛି । ବିଭିନ୍ନ ଆୟୁର୍ବେଦିକ୍ କନଫରେନ୍ସରେ ଓଡିଶାର ଟେକ ରଖିଛି । ୧୫ ରୁ ୨୦ ଜଣ ଛାତ୍ରଛାତ୍ରୀଙ୍କ ପି.ଜି. ଗାଇଡ୍ ହୋଇଛି ଏବଂ ୧୦ ରୁ ୧୨ ଜଣ ଛାତ୍ରଛାତ୍ରୀଙ୍କ ପି.ଏଚ.ଡି. ଗାଇଡ୍ ହୋଇଛି । ଏବେ ଖୁସି ଲାଗୁଛି ଯେ, ଆୟୁର୍ବେଦ ଖାଲି ଚିକିତ୍ସାରେ ସୀମିତ ନ ରହି ଲାଇଫ୍ ଷ୍ଟାଇଲ୍ରେ ସମ୍ପୃକ୍ତ ହୋଇ ସାରିଲାଣି ।
ମୁଁ ଏବେ ବି ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇପାରୁନାହିଁ, ଆହୁରି ଆହୁରି ଆୟୁର୍ବେଦ ପଢ଼ୁଛି । ପଢ଼ିବାର ସମାପ୍ତି ନାହିଁ । ଆୟୁର୍ବେଦକୁ ନେଇ ଆହୁରି ବହୁତ କିଛି କରିବାର ଇଚ୍ଛା ।
ସ୍ୱା.ସ. : ଯୁବପିଢ଼ିର ଆୟୁର୍ବେଦ ଚିକିତ୍ସକ ମାନଙ୍କୁ କ’ଣ ପରାମର୍ଶ ଦେବେ?
ଡା. ଦାସ : ଔଷଧି, ଆହାର ଓ ଆଚାର ରସାୟନ- ଏ ସମସ୍ତଙ୍କ ସମ୍ମିଶ୍ରଣରେ ହିଁ ଚିକିତ୍ସା ସମ୍ଭବ । ତତସହିତ ଆତ୍ମବିଶ୍ୱାସ ମଧ୍ୟ ଏକାନ୍ତ ଆବଶ୍ୟକ । ପଇସା ପ୍ରତି ଧ୍ୟାନ ନ ଦେଇ ଚିକିତ୍ସାରେ ଧ୍ୟାନ ଦେବା ଉଚିତ ।
ସ୍ୱା.ସ. : ସ୍ୱାସ୍ଥ୍ୟ ସ୍ୱର ସମ୍ପର୍କରେ ପଦେ …?
ଡା. ଦାସ : ‘ସ୍ୱାସ୍ଥ୍ୟ ସ୍ୱର’କୁ ଦେଖି ଭାରି ଖୁସି ଲାଗିଲା । ବହୁତ ଭଲ ପତ୍ରିକା । ଖୁବ୍ ସୁନ୍ଦର ଭାବେ ତଥା ସରଳ ଶବ୍ଦରେ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ବହନ କରୁଛି । ଆର୍ଶିବାଦ କରୁଛି ଏ ପତ୍ରିକାର ଉତ୍ତରୋତ୍ତର ଉନ୍ନତି ହେଉ ।