ଯେଉଁ କିଛି ଓଡିଆ ଡାକ୍ତର ବିଦେଶରେ ରହି ମଧ୍ୟ ଓଡିଶାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଚିନ୍ତା କରନ୍ତି, ସେମାନଙ୍କ ମଧ୍ୟରୁ ଡା. ଆଦିତ୍ୟ ସାମଲ ଅନ୍ୟତମ । ସୁଦୂର ଆମେରିକାରେ ଜଣେ କାର୍ଡିଓଲୋଜିଷ୍ଟ୍ ଭାବରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ତାଙ୍କରି ଉଦ୍ୟମରେ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଛି ଉତ୍କଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (ଉତ୍କଳ ହସ୍ପିଟାଲ୍‌) ।
ଆସନ୍ତୁ ଭେଟିବା ତାଙ୍କୁ ।

ରୋଗୀର ସମସ୍ୟା ଧୈର୍ଯ୍ୟର ସହ ଶୁଣିବା ଆବଶ୍ୟକ
– ଡା. ଆଦିତ୍ୟ ସାମଲ

ସ୍ୱା.ସ୍ୱ. – କାର୍ଡିଓଲୋଜିକୁ ଆସିବାର କିଛି ବିଶେଷ କାରଣ ଥିଲା କି?
ଡ. ସାମଲ – ମେଡ଼ିକାଲ କଲେଜରେ ପଢ଼ିଲାବେଳେ ଦେଖିଛି ହାର୍ଟ ବା ହୃଦୟ ଗୋଟିଏ ଛୋଟ ଅବୟବ; ହେଲେ ତାହା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସବୁବେଳେ ଚାଲୁଥିଲେ ବି ଏହା ହାଲିଆ ହୁଏ ନହିଁ । ତା’ର କାରଣ କ’ଣ? – ଏହା ଜାଣିବାକୁ ମୋର ପ୍ରବଳ ଆଗ୍ରହ ବଢ଼ିଲା । ହୃଦୟ ବିଷୟରେ ସବିଶେଷ ଜାଣିବାକୁ ଇଚ୍ଛା ହେଲା । ସେଥିପାଇଁ କାର୍ଡିଓଲୋଜିକୁ ଆସିଲି ।

ସ୍ୱା.ସ୍ୱ. – ଭାରତରେ ସେବା ନ କରି ଆମେରିକାରେ ସେବା ଯୋଗାଇଦେବାର କାରଣ କ’ଣ ରହିଛି?
ଡା. ସାମଲ – ଯେତେବେଳେ ମେଡିକାଲ କଲେଜରୁ ପାସ୍ କରି କାର୍ଡିଓଲୋଜିରେ ଟ୍ରେନିଂ ନେବାକୁ ଚାହିଁଲି, ସେତେବେଳେ ଓଡ଼ିଶାରେ ବିଶେଷ ଆନୁଷଙ୍ଗିକ ଉପକରଣ ଉପଲବ୍ଧ ନଥିଲା । ତେଣୁ ଆମେରିକାକୁ ଟ୍ରେନିଂ ପାଇଁ ଗଲି ଏବଂ ପରବର୍ତ୍ତୀ ଅବସ୍ଥାରେ ସେଠି ସେବା ଯୋଗାଇଦେଲି ।

ସ୍ୱା.ସ୍ୱ. – ଆମେରିକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଏବଂ ଭାରତର ଚିକିତ୍ସା ସେବା ବ୍ୟବସ୍ଥା ଭିତରେ ମୁଖ୍ୟ ତଫାତ୍ କ’ଣ?
ଡା. ସାମଲ – ଆମେରିକାର ସ୍ୱାସ୍ଥ୍ୟସେବା ଅବସ୍ଥା ଏ କ୍ଷେତ୍ରରେ ସହାୟକ ହୋଇଛି । ରୋଗ ହେବା ପୂର୍ବରୁ ମଧ୍ୟ ସେମାନେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତି । ପ୍ରାରମ୍ଭିକ ଅବସ୍ଥାରେ ରୋଗ ନିରୂପିତ ହୋଇପାରିଲେ ଚିକିତ୍ସା ସମ୍ଭବ ହୋଇପାରିଥାଏ । ଆମ ଭାରତରେ ଅଧିକାଂଶ ଲୋକ ନିଜର ଆର୍ଥିକ ଅସ୍ୱଚ୍ଛଳତା ଯୋଗୁଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିପାରନ୍ତି ନାହିଁ । ରୋଗ ହେବା ପୂର୍ବରୁ ନ ଆସି ରୋଗ ଅତ୍ୟଧିକ ଗୁରୁତର ହେବା ପରେ ଚିକିତ୍ସା ପାଇଁ ଆସନ୍ତି । ସେଥିପାଇଁ ଆମେରିକୀୟମାନଙ୍କଠାରୁ ଭାରତୀୟମାନଙ୍କ ଆୟୁ ଅପେକ୍ଷାକୃତ କମ୍ ।

ସ୍ୱା.ସ୍ୱ. -ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ କେଉଁ ଦୃଷ୍ଟିରେ ଦେଖନ୍ତି?
ଡା. ସାମଲ – ବିଗତ ୧୦ ବର୍ଷରେ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଘଟିଛି । ଅତ୍ୟାଧୁନିକ ଚିକିତ୍ସା ଉପକରଣ ଏବଂ ତାଲିମପ୍ରାପ୍ତ ଉତ୍ତମ ଚିକିତ୍ସକଙ୍କୁ ନେଇ ଓଡ଼ିଶାର ଚିକିତ୍ସା ବ୍ୟବସ୍ଥା ସମୃଦ୍ଧ ହେଲାଣି । ଏ ଦିଗରେ ସରକାର ବି ଖୁବ୍ ପ୍ରଚେଷ୍ଟା କରୁଛନ୍ତି । ଲୋକମାନେ ଆମ ରାଜ୍ୟରେ ଅନେକ ଚିକିତ୍ସା ସୁବିଧା ପାଇଲେଣି । ଇନ୍‌ସ୍ୟୁରାନ୍ସ କମ୍ପାନୀମାନେ ମଧ୍ୟ ଓଡ଼ିଶାର ଚିକିତ୍ସା ସେବା କ୍ଷେତ୍ରରେ ଖୁବ୍ ସକ୍ରିୟ ହେଲେଣି ଏବଂ ବିଭିନ୍ନ ପ୍ରକାରର ହେଲଥ ପଲିସି ମାଧ୍ୟମରେ ଲୋକମାନଙ୍କୁ ସେବା ଯୋଗାଇ ଦେଉଛନ୍ତି ।

ସ୍ୱା.ସ୍ୱ. – ଆପଣ ଜଣେ ପ୍ରସିଦ୍ଧ କାର୍ଡିଓଲୋଜିଷ୍ଟ । ତେବେ ଜଣେ କାର୍ଡିଓଲୋଜିଷ୍ଟ ଭାବେ ଆପଣଙ୍କ ସାମଗ୍ରିକ ଉପଲବ୍ôଧ କ’ଣ ରହିଛି?
ଡା. ସାମଲ – ଜଣେ କାର୍ଡିଓଲୋଜିଷ୍ଟ ଭାବରେ ମୁଁ ନିଜକୁ ଖୁବ୍ ଗର୍ବିତ ମନେକରେ । ଯେହେତୁ ମୁଁ ଅନେକ ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରିଛି ଏବଂ ବହୁତ ଜୀବନରକ୍ଷା କରିବାର ସୁଯୋଗ ପାଇଛି । ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ସବୁବେଳେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି ।

ସ୍ୱା.ସ୍ୱ. – ଆପଣଙ୍କ ମତରେ ହୃଦରୋଗ ନ ହେବା ପାଇଁ କେଉଁ ପ୍ରକାରର ଜୀବନଶୈଳୀ ଆପଣେଇବା ଉଚିତ?
ଡା. ସାମଲ – ପ୍ରଥମ କଥା ହେଲା ଆମର ଜୀବନଶୈଳୀ ଶୃଙ୍ଖଳିତ ହେବା ଆବଶ୍ୟକ । ମାନସିକ ଚାପକୁ କମାଇବାକୁ ପଡ଼ିବ । ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟକୁ ବର୍ଜନ କରରିବାକୁ ହେବ । ଧୂମପାନ ଓ ମଦ୍ୟପାନ ତ ପୂରା ଛାଡ଼ିବା ଉଚିତ । ନିୟମିତ ଶାରୀରିକ ବ୍ୟାୟାମ ଏକାନ୍ତ ଆବଶ୍ୟକ । କ୍ୟାଲୋରୀ ମାତ୍ରା ସଠିକ୍ ରହିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ । ନିୟମିତ ଡାକ୍ତରୀ ପରୀକ୍ଷା କରିବା ଉଚିତ । କୋଲେଷ୍ଟ୍ରଲ ମାତ୍ରା କମ୍ ହେବା ଆବଶ୍ୟକ । ଯଦି ଆପଣଙ୍କର ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଭଳି କିଛି ରୋଗ ରହିଛି, ତେବେ ତାହାକୁ ଆଦୌ ଅବହେଳା ନ କରି ତା’ର ଉପଯୁକ୍ତ ଚିକିତ୍ସା କରାନ୍ତୁ ।

ସ୍ୱା.ସ୍ୱ. – ଆପଣଙ୍କର ସଫଳତାର ମନ୍ତ୍ର?
ଡା. ସାମଲ – କଠିନ ପରିଶ୍ରମ ହେଉଛି ସଫଳତାର ମୂଳମନ୍ତ୍ର । ରୋଗୀ ପ୍ରତି ଯତ୍ନଶୀଳ ହେବା ଯେତିକି ଜରୁରୀ ରୋଗୀ ପ୍ରତି ସମ୍ମାନ ରହିବା ମଧ୍ୟ ସେତିକି ଜରୁରୀ । ରୋଗୀର ସମସ୍ୟା ଧୈର୍ଯ୍ୟର ସହ ଶୁଣିବା ଏକାନ୍ତ ଆବଶ୍ୟକ; ତା’ପରେ ଯାଇ ଜଣେ ସଫଳ ଚିକିତ୍ସକ ହୋଇପାରିବ ବୋଲି ମୋର ମତ ।

ସ୍ୱା.ସ୍ୱ. – ସବୁଠୁ ଖୁସିର ମୁହୂର୍ତ?
ଡା. ସାମଲ – ସତ କହିବାକୁ ଗଲେ ମୋ ପାଇଁ ଖୁସିର ମୁହୂର୍ତ ହେଉଛି ଯେଉଁଦିନ ମୁଁ ଏମବିବିଏସ୍ ପାସ୍ କଲି ଏବଂ ଡାକ୍ତର ଭାବେ ଯେଉଁଦିନ ମତେ ସାର୍ଟିଫିକେଟ୍ ମିଳିଥିଲା ।

ସ୍ୱା.ସ୍ୱ. – ଅବସର କେମିତି କଟେ?
ଡା. ସାମଲ – ଛୁଟିଦିନମାନଙ୍କରେ ମାଛ ଧରିବାକୁ ମତେ ଖୁବ୍ ଭଲ ଲାଗେ । ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ଗହଣରେ ଅବସର କାଟିବାକୁ ମୁଁ ପସନ୍ଦ କରେ ।

ସ୍ୱା.ସ୍ୱ. – ଭବିଷ୍ୟତ ଯୋଜନା? ଓଡ଼ିଶାକୁ ଫେରିବା ଯୋଜନା ରଖିଛନ୍ତି କି?
ଡା. ସାମଲ – ଓଡ଼ିଶାରେ ଆମେ ଉତ୍କଳ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସ (ୟୁଆଇଏମଏସ୍‌) ନାମକ ଏକ ହସ୍ପିଟାଲ ଖୋଲିଛୁ । ଏହି ହସ୍ପିଟାଲ୍ ଦ୍ୱାରା ଓଡ଼ିଶାର ଜନସାଧାରଣ ଅନେକ ଚିକିତ୍ସା ସୁବିଧା ପାଉଛନ୍ତି । ନ୍ୟୁକ୍ଲିଆର୍ ମେଡିସିନ୍ କ୍ଷେତ୍ରରେ ଏହା ଏକ ଅଗ୍ରଣୀ ଅନୁଷ୍ଠାନ । ୨୦୧୪ ମସିହାରେ ଆମେ ଓଡ଼ିଶାରେ ପ୍ରଥମ ଥର ପାଇଁ ‘ପେଟ୍ ସ୍କାନ୍‌’ ଆରମ୍ଭ କରିଥିଲୁ । ନିକଟ ଭବିଷ୍ୟତରେ ଆମ ହସ୍ପିଟାଲର କଳେବର ବୃଦ୍ଧି କରି ଆହୁରି ଆହୁରି ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ । ତେଣୁ ମୁଁ ବିଦେଶରେ ରହି ଏ ଦିଗରେ ଯଥା ସମ୍ଭବ ବ୍ୟବସ୍ଥା କରିପାରିବି । ଓଡ଼ିଶାରୁ ଦୂରରେ ରହି ମଧ୍ୟ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା କେମିତି ଉନ୍ନତ ହୋଇପାରିବ, ଓଡ଼ିଶାର ଲୋକେ କେମିତି ସୁଲଭ ମୂଲ୍ୟରେ ହାତ ପାଆନ୍ତାରେ ଅତ୍ୟାଧୁନିକ ଚିକିତ୍ସା ସେବା ପାଇପାରିବେ ସେ ଦିଗରେ ମୁଁ ଶତତ ଚେଷ୍ଟିତ ।

ସ୍ୱା.ସ୍ୱ. – ‘ସ୍ୱାସ୍ଥ୍ୟ ସ୍ୱର’ ସମ୍ପର୍କରେ ପଦେ?
ଡା. ସାମଲ – ଓଡ଼ିଆ ଭାଷାରେ ଏଭଳି ଏକ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ପତ୍ରିକା ପ୍ରକାଶନର ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ । ପତ୍ରିକାଟି ସୁନ୍ଦର ଓ ତଥ୍ୟଭିତ୍ତିକ ହେଉଛି । ‘ସ୍ୱାସ୍ଥ୍ୟ ସ୍ୱର’ରେ ଅନେକ ଉପାଦେୟ ବିଷୟବସ୍ତୁ ସ୍ଥାନିତ ହେଉଛି, ଯାହାକୁ ପଢ଼ି ପାଠକମାନେ ନିଶ୍ଚିତ ଭାବେ ଅନେକ କିଛି ଜାଣିପାରିବେ । ଆଗାମୀ ଦିନରେ ଏହି ପତ୍ରିକାର ଆହୁରି ଉନ୍ନତ ହେଉ ।