
ପ୍ରଫେସର ଡା. ଜୟନ୍ତ କୁମାର ଦାଶ । ଭୁବନେଶ୍ୱରସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକେୟାର୍ ହସ୍ପିଟାଲର ପ୍ଲାଷ୍ଟିକ୍ ଆଣ୍ଡ୍ କସ୍ମେଟିକ୍ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ । ଗଣିଆ, ଅବିଭକ୍ତ ପୁରୀ ଜିଲ୍ଲାରେ ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ । ବାପାଙ୍କ ନାମ ଡ. ଗୋପବନ୍ଧୁ ଦାଶ ଓ ମା’ଙ୍କ ନାମ ଜ୍ୟୋତ୍ସ୍ନାମୟୀ ଦାଶ । ବାପା ଓଡ଼ିଆ ପ୍ରଫେସର ଥିଲେ । ପ୍ରଫେସର ଡା. ଜୟନ୍ତ ଦାଶଙ୍କ ଉଦ୍ୟମରେ ସମ୍ ହସ୍ପିଟାଲ୍ରେ ସ୍ଥାପିତ ହୋଇଛି ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ‘ସ୍କିନ୍ ବ୍ୟାଙ୍କ’ । ଆଇଏସବିଆଇ ଫେଲୋସିପ୍ ଆୱାର୍ଡ (୨୦୧୩) ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ତଥା ଦ୍ୱିତୀୟ ଭାରତୀୟ ଡାକ୍ତର । ୨୦୧୪ରେ ଟାଇମସ ଅଫ୍ ଇଣ୍ଡିଆ ପକ୍ଷରୁ ସେ ପାଇଛନ୍ତି ହେଲଥ୍ ପାଇୟୋନିଅର୍ ସମ୍ମାନ । ୨୦୧୬ରେ ସେ ହରେକୃଷ୍ଣ ମହତାବ ଜୟନ୍ତୀ ସମ୍ମାନ ପାଇଛନ୍ତି । ୨୦୧୮ରେ ସେ ଚନ୍ଦ୍ରପ୍ରଭା ସେବା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହାଛଡ଼ା ସେ ଆହୁରି ଅନେକ ସମ୍ମାନରେ ସମ୍ମାନିତ । ଗବେଷଣାରେ ମଧ୍ୟ ବେଶ୍ ସକ୍ରିୟ । ତାଙ୍କର ଅନେକ ନିବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ଅନେକ ସାମାଜିକ ଅନୁଷ୍ଠାନ ସହ ଘନିଷ୍ଠ ଭାବେ ଜଡ଼ିତ । ପ୍ରକୃତରେ ଶ୍ରୀକ୍ଷେତ୍ରର ସେ ଜଣେ ସୁଯୋଗ୍ୟ ସନ୍ତାନ ।
ବ୍ୟକ୍ତିଗତ ଜୀବନରେ ସେ ବେଶ୍ ଶାନ୍ତ, ସରଳ । ଖୁବ୍ ଅମାୟିକ । ସେଭଳି ଜଣେ ପ୍ରସିଦ୍ଧ ଯୁବ ଚିକିତ୍ସକଙ୍କୁ ଆସନ୍ତୁ ଭେଟିବା ।
ପ୍ଲାଷ୍ଟିକ୍ ସର୍ଜରୀ ଆଧୁନିକ ଚିକିତ୍ସା ବିଜ୍ଞାନର ଗୋଟିଏ ଚମତ୍କାର
– ପ୍ରଫେସର ଡା. ଜୟନ୍ତ କୁମାର ଦାଶ

ସ୍ୱାସ୍ଥ୍ୟ ସ୍ୱର : ସର୍ବପ୍ରଥମେ ଆମେ ଜାଣିବାକୁ ଚାହିଁବୁ ଡାକ୍ତରୀ କ୍ଷେତ୍ରକୁ ଆପଣ ଆସିଲେ କେମିତି?
ଡା. ଦାଶ : ପିଲାଟି ଦିନରୁ ଦେଖିଛି ମୋ ମା’ଙ୍କ ଦେହ ପ୍ରାୟତଃ ଖରାପ ରହୁଥିଲା । ତେଣୁ ଡାକ୍ତରଟିଏ ହୋଇ ତାଙ୍କୁ ଭଲ କରିଦେବାର ଇଚ୍ଛାଟା ପିଲାଦିନୁ ଥିଲା । ଛୋଟବେଳେ ମୁଁ ଭଲ ପଢ଼ୁନଥଲି । ହେଲେ ଅଷ୍ଟମ ଶ୍ରେଣୀରେ ଯେତେବେଳେ ପୁରୀର ବିଶ୍ୱମ୍ଭର ବିଦ୍ୟାପୀଠରେ ନାମ ଲେଖାଇଲି, ସେତେବେଳେ ଶ୍ରୀଯୁକ୍ତ ବସନ୍ତ ମିଶ୍ର ହିଁ ମତେ ଭଲ ପାଠ ପଢ଼ିବାକୁ ପ୍ରେରଣା ଦେଲେ । ସେ ହିଁ ମୋ ପାଠପଢ଼ାକୁ ଏକ ନୂଆ ଦିଶା ଦେଇଥିଲେ । ଆଜି ଯାହା ବି ହୋଇଛି ସାର୍ ସଠିକ୍ ମାର୍ଗଦର୍ଶନ କରିଥିଲେ ବୋଲି ହୋଇପାରିଛି । ୧୯୯୨ରେ ଯୁକ୍ତ ଦୁଇ ସାରିଲା ପରେ ଲକ୍ଷ୍ନୌ ଯାଇଥିଲି ମେଡ଼ିକାଲ୍ କୋଚିଂ ନେବା ପାଇଁ । କାରଣ ସେତେବେଳେ ଓଡ଼ିଶାରେ ମେଡ଼ିକାଲ୍ କୋଚିଂର କନ୍ସେପ୍ଟ ସେତେଟା ଆରମ୍ଭ ହୋଇନଥିଲା । ଲକ୍ଷ୍ନୌରେ ମୋ ବଡ଼ଭାଇ ରହୁଥିଲେ, ତେଣୁ ତାଙ୍କରି ପାଖରେ ରହି କୋଚିଂ ନେଲି । ୧୯୯୩ରେ ମେଡ଼ିକାଲ୍ ପାଇଥିଲି ଓ ମୋର ର୍ୟାଙ୍କ୍ ୨୪ତମ ସ୍ଥାନରେ ଥିଲା ।

(With Teacher Basanta Mishra)
ସ୍ୱାସ୍ଥ୍ୟ ସ୍ୱର : ପ୍ଲାଷ୍ଟିକ୍ ସର୍ଜରୀ ପ୍ରତି ଲୋକଙ୍କ ସଚେତନତା ଏଯାଏଁ ବଢ଼ିନାହିଁ କାହିଁକି?
ଡା. ଦାଶ : ମୁଖ୍ୟ କଥା ହେଉଛି ଲୋକ ଏଯାଏଁ ଜାଣିପାରୁ ନାହାନ୍ତି ଏହା କେଉଁ ଅଙ୍ଗ ସହ ଜଡ଼ିତ । ଏହି ଚିକିତ୍ସା ପଦ୍ଧତିରେ ଗୋଡ଼ରୁ ମୁଣ୍ଡ ଯାଏଁ ଯାହା ବି ଡିଫେକ୍ଟ (ଖାଲିସ୍ଥାନ) ଓ ଡିଫର୍ମିଟି (ଅଙ୍ଗ ବିକୃତି) ଥିବ, ସେସବୁକୁ ସୁଧାରି ହେବ ତଥା ସ୍ୱାଭାବିକ କାର୍ଯ୍ୟକ୍ଷମ କରାଯାଇପାରିବ । ଫଳରେ ମଣିଷର ସୌନ୍ଦର୍ଯ୍ୟକୁ ମଧ୍ୟ ସୁରକ୍ଷିତ ରଖାଯାଇପାରିବ ।
‘ପ୍ଲାଷ୍ଟିକ୍ ସର୍ଜରୀ’ ଶବ୍ଦଟି ଗ୍ରୀକ୍ ଶବ୍ଦ ‘ପ୍ଲାଷ୍ଟିକୋସ୍’ରୁ ଆସିଛି, ଯାହାର ଅର୍ଥ ହେଉଛି ଗଢ଼ିବା ବା ଆକାର ପ୍ରଦାନ କରିବା । ଉଦାହରଣ ସ୍ୱରୂପ ଗ୍ରହଣ ଖଣ୍ଡିଆରେ ଓଠରେ ଶଲ୍ୟ ଉପଚାର କରି ତାକୁ ସ୍ୱାଭାବିକ ଆକାର ପ୍ରଦାନ କରାଯାଏ । କିମ୍ବା ସ୍ତନ କର୍କଟରେ ସ୍ତନ କାଟିଦେଲା ପରେ ସେଠି ଆଉ ଗୋଟେ କୁତ୍ରିମ ସ୍ତନ ଆକୃତିର ମାଂସପିଣ୍ଡୁଳା ପ୍ରତିରୋପଣ କରିବା ଇତ୍ୟାଦି । ପ୍ଲାଷ୍ଟିକ ସର୍ଜରୀକୁ ଆଧୁନିକ ଚିକିତ୍ସା ବିଜ୍ଞାନର ଗୋଟିଏ ଚମତ୍କାର କହିଲେ ବି ଅତ୍ୟୁକ୍ତି ହେବ ନାହିଁ ।
ଏ ବିଷୟରେ ସଚେତନତା ଆହୁରି ବ୍ୟାପକ ହେବା ଆବଶ୍ୟକ । ଏଥିପାଇଁ ଗଣମାଧ୍ୟମ ଓ ସରକାର ସମସ୍ତଙ୍କର ଦାୟିତ୍ୱ ରହିଛି ।

(With Mother)
ସ୍ୱାସ୍ଥ୍ୟ ସ୍ୱର : ବର୍ତ୍ତମାନ ଭାରତବର୍ଷର ବର୍ଣ୍ଣ ଇନ୍ଜ୍ୟୁରି ଚିକିତ୍ସାର ସ୍ଥିତି ସମ୍ବନ୍ଧରେ କିଛି କୁହନ୍ତୁ ।
ଡା. ଦାଶ : ‘ବର୍ଣ୍ଣ ଇନଜ୍ୟୁରି’ ବା ‘ପୋଡ଼ିଯିବା ଜନିତ କ୍ଷତ’ ବହୁଳ ଭାବେ ଦେଖାଯାଏ । ଭାରତରେ ପ୍ରତିବର୍ଷ ୬୦ରୁ ୭୦ ଲକ୍ଷ ଲୋକ ପୋଡ଼ା ଘା’ର ଶିକାର ହୋଇଥାନ୍ତି ବା ପୋଡ଼ିଯା’ନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ମାତ୍ର ୬୭ଟି ବର୍ଣ୍ଣ ସେଂଟର୍ ଅଛି, ଯେଉଁଥିରୁ ୩୦ଟି ସରକାରୀ ଚିକିତ୍ସାଳୟରେ ଏବଂ ୩୭ଟି ବେସରକାରୀ ଚିକିତ୍ସାଳୟରେ ଅଛି । ତେଣୁ ଦେଖିବାକୁ ଗଲେ ଲକ୍ଷେ ପୋଡ଼ା ରୋଗୀରେ ଗୋଟିଏ ମାତ୍ର ବର୍ଣ୍ଣ ସେଂଟର୍ । ଭାବି ଦେଖନ୍ତୁ ତ’ ବର୍ଣ୍ଣ ଇନଜ୍ୟୁରି ଟ୍ରିଟମେଂଟର ଅବସ୍ଥା ଆଜି ବି କେଉଁ ସ୍ତରରେ ଅଛି! ସମୟ ଆସିଯାଇଛି ଏବେ ଅଧିକରୁ ଅଧିକ ସଂଖ୍ୟାରେ ବର୍ଣ୍ଣସେଂଟର୍ ସ୍ଥାପିତ ହେଉ । ଆହୁରି ‘ସ୍କିନ୍ ବ୍ୟାଙ୍କ’ ପ୍ରତିଷ୍ଠା ହେଉ ।

ସ୍ୱାସ୍ଥ୍ୟ ସ୍ୱର : ‘ସ୍କିନ୍ ବ୍ୟାଙ୍କ’ ବିଷୟରେ ପାଠକଙ୍କ ଜାଣିବା ପାଇଁ କ’ଣ କହିବେ?
ଡା. ଦାଶ : ସ୍କିନ୍ ବ୍ୟାଙ୍କ୍ ହେଉଛି ଏପରି ଏକ ବିଭାଗ, ଯେଉଁଥିରେ ଚର୍ମକୁ ସୁରକ୍ଷିତ ଭାବେ ସଂରକ୍ଷିତ ରଖାଯାଇଥାଏ ଏବଂ ପୋଡ଼ାକ୍ଷତ ସ୍ଥାନରେ ଆବଶ୍ୟକୀୟ ମାତ୍ରାର ଚର୍ମ ପ୍ରତିରୋପଣ କରାଯାଇଥାଏ ।
ଶରୀରକୁ ସଂକ୍ରମିତ କରୁଥିବା ବିଭିନ୍ନ ପ୍ରକାର ବୀଜାଣୁ, ଭୂତାଣୁ, କୀଟାଣୁ ଆଦିକୁ ଚର୍ମ ହିଁ ବାଧା ଦେଇଥାଏ । ଫଳରେ ଏଗୁଡ଼ିକ ଶରୀର ମଧ୍ୟକୁ ସହଜରେ ପ୍ରବେଶ କରିପାରନ୍ତି ନାହିଁ ଓ ଶରୀର ସୁରକ୍ଷିତ ରହେ । ଯେତେବେଳେ ପୋଡ଼ା ଜଳା ହୋଇ ଚର୍ମ ନଷ୍ଟ ହୋଇଥାଏ, ଶରୀରରେ ସଂକ୍ରମଣ ଦେଖାଯାଏ । ତେଣୁ ଚର୍ମ ପ୍ରତିରୋପଣ ଆବଶ୍ୟକ ହୋଇଥାଏ । ସ୍କିନ୍ ବ୍ୟାଙ୍କରେ ସଂରକ୍ଷିତ ରଖାଯାଇଥିବା ଚର୍ମକୁ ଏଥିରେ ବ୍ୟବହାର କରାଯାଏ । ସ୍କିନ୍ ବ୍ୟାଙ୍କରେ ୫ ବର୍ଷ ଯାଏଁ ଚର୍ମକୁ ସଂରକ୍ଷିତ କରି ରଖାଯାଇପାରେ ।
ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲ୍ରେ ୨୦୧୬ ମସିହାରେ ଏକ ସ୍କିନ୍ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ. ମନୋରଞ୍ଜନ ନାୟକ ଧନ୍ୟବାଦର ପାତ୍ର । ସେ ହିଁ ଆମ ଉପରେ ଆସ୍ଥା ରଖି ସ୍କିନ୍ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇଥିଲେ । ଫଳରେ ଅନେକ ରୋଗୀ ଉପକୃତ ହୋଇପାରୁଛନ୍ତି ।

ସ୍ୱାସ୍ଥ୍ୟ ସ୍ୱର : ଆପଣ ତ ଦିଲ୍ଲୀରେ ଥିଲେ । ପୁଣି ଓଡ଼ିଶାକୁ ଫେରିଲେ କେମିତି?
ଡା. ଦାଶ : ମୁଁ ପ୍ରଥମରୁ ଓଡ଼ିଶା ପାଇଁ କିଛି କରିବାକୁ ଚାହୁଁଥିଲି । ମୋ ରାଜ୍ୟ, ମୋ ମାଟି ମାଆ ପାଇଁ ମୋର ସାଧ୍ୟମତେ ଭଲ କାମ କରିବାକୁ ମୂଳରୁ ଇଚ୍ଛା ଥିଲା । ମୁଁ ଦେଖିଛି ଅନେକ ଓଡ଼ିଆ ଲୋକ ଅନ୍ୟ ରାଜ୍ୟରେ ବା ଅନ୍ୟ ଦେଶରେ ଆଜୀବନ ରହିଲା ପରେ ଶେଷବେଳକୁ ବା ବୃଦ୍ଧାବସ୍ଥାରେ ଚିନ୍ତା କରନ୍ତି ନିଜ ରାଜ୍ୟ ପାଇଁ କିଛି କରିବାକୁ । ହେଲେ ସେତେବେଳକୁ ବୟସ ବାଧକ ହୋଇସାରିଥାଏ ବା ପରିସ୍ଥିତି ତାଙ୍କ ଅନୁସାରେ ଅନୁକୂଳ ସାବ୍ୟସ୍ତ ହୋଇନଥାଏ । ସେଥିପାଇଁ ମୁଁ ଚିନ୍ତା କଲି ଆରମ୍ଭରୁ ହିଁ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ, ଯେମିତିକି ପଛରେ ଆଉ ମତେ ମନସ୍ତାପ କରିବାକୁ ପଡ଼ିବ ନାହିଁ । ୨୦୧୧ ମସିହାରେ ସମ୍ ହସପିଟାଲରେ ଯୋଗଦାନ କଲି ଏବଂ ଏଇଠି ଆମ ଉଦ୍ୟମରେ ଏକ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ସ୍ଥାପିତ ହୋଇଥିଲା । ଆମ ୟୁନିଟ୍ ବର୍ତ୍ତମାନ ପୂର୍ବ ଭାରତର ଏକ ପ୍ରମୁଖ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଭାବରେ ପ୍ରସିଦ୍ଧି ପାଇସାରିଲାଣି ।

ସ୍ୱାସ୍ଥ୍ୟ ସ୍ୱର : ଓଡ଼ିଶାର ସାମ୍ପ୍ରତିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପର୍କରେ ଆପଣଙ୍କ ମତ କ’ଣ?
ଡା. ଦାଶ : ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଆହୁରି ପରିବର୍ତ୍ତନ ଆବଶ୍ୟକ । ମୋ ମତରେ ପ୍ରତି ଜିଲ୍ଲା ସଦର ମହକୁମାରେ ଗୋଟିଏ ‘ଡିଷ୍ଟ୍ରିକ୍ଟ ହେଲଥ୍ କ୍ୟାମ୍ପସ୍’ ସ୍ଥାପନ କରିବା ଉଚିତ; ଯେଉଁଠି ସ୍ୱାସ୍ଥ୍ୟ କର୍ମଚାରୀଙ୍କ କ୍ୱାର୍ଟର ସହିତ ସ୍କୁଲ, କଲେଜ୍, ମାର୍କେଟ୍ କମ୍ପେ୍ଲକ୍ସ ଆଦି ସବୁ ଆବଶ୍ୟକୀୟ ସୁବିଧା ଗୋଟିଏ କ୍ୟାମ୍ପସ୍ ଭିତରେ ରହିବା ଆବଶ୍ୟକ । ଏଠାରେ ସବୁ ପ୍ରକାରର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହେଉଥିବ । ଆଉ ଗୋଟିଏ ବିଷୟ ମୁଁ ଲକ୍ଷ୍ୟ କରିଛି । ଏବେ ବି ଓଡ଼ିଶାର ଅନେକ ଗାଁରେ ଭଲ ରାସ୍ତାଟିଏ ନାହିଁ । ଫଳରେ ଆମ୍ବୁଲାନ୍ସ ଠିକ୍ ସମୟରେ ପହଂଚି ପାରୁନାହିଁ ଓ ଉଚିତ ସମୟରେ ଚିକିତ୍ସା ସେବା ପାଇ ନ ପାରି ରୋଗୀର ଜୀବନହାନୀ ହେଉଛି । ଗ୍ରାମାଂଚଳରେ ରାସ୍ତାଘାଟ ଠିକ୍ କରିବା ପାଇଁ ସରକାରୀ ସ୍ତରରେ ଆହୁରି ପଦକ୍ଷେପ ନିଆଯିବା ଆବଶ୍ୟକ । ଅବଶ୍ୟ ଏସବୁ ସତ୍ତ୍ୱେ ବି ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ, ଓଡ଼ିଶାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ପୂର୍ବାପେକ୍ଷା ଯଥେଷ୍ଟ ଉନ୍ନତି ଘଟିଛି ।

ସ୍ୱାସ୍ଥ୍ୟ ସ୍ୱର : ଆପଣଙ୍କ ସଫଳତାର ରହସ୍ୟ?
ଡା. ଦାଶ : ପ୍ଲାଷ୍ଟିକ୍ ସର୍ଜରୀ ପ୍ରତି ମୋର ଆଗ୍ରହ କାରଣରୁ ମୁଁ ଏଇ ବିଭାଗରେ ନିଷ୍ଠାର ସହ କାର୍ଯ୍ୟ କରିଆସୁଛି । ପ୍ରଭୂ ଜଗନ୍ନାଥଙ୍କ ଉପରେ ଗଭୀର ବିଶ୍ୱାସ ଅଛି । ମୋ କାମକୁ ମୁଁ ଖୁବ୍ ଉପଭୋଗ କରୁଛି । ଉଭୟ ନିଷ୍ଠା ଓ ଆଗ୍ରହ ହିଁ ମୋତେ ଏ କ୍ଷେତ୍ରରେ ଯତ୍ କିଂଚିତ୍ ସଫଳତା ପ୍ରଦାନ କରିଛି ।

ସ୍ୱାସ୍ଥ୍ୟ ସ୍ୱର : କିଛି ସ୍ମରଣୀୟ ମୁହୂର୍ତ୍ତ?
ଡା. ଦାଶ : ସାଧାରଣତଃ ଡାକ୍ତର ଜୀବନରେ ଅନେକ ସ୍ମରଣୀୟ ଘଟଣା ରହିଥାଏ, ଯେହେତୁ ରୋଗ, ଦୁଃଖ, ମୃତ୍ୟୁ, ଆରୋଗ୍ୟ, ଆନନ୍ଦ ଆଦି ସବୁକୁ ଆମେ ଖୁବ୍ ନିକଟରୁ ଉପଲବ୍ଧି କରୁ । ମୋ ଜୀବନରେ ମଧ୍ୟ ବହୁତ ଅଭିଜ୍ଞତା ଅଛି । (ହସି) କେତେଟା କହିବି! ତଥାପି କିଛି ଘଟଣା ଉଲ୍ଲେଖ କରୁଛି । ଥରେ ଗୋଟିଏ ଅନାଥ କୁନିଝିଅ ପୋଡ଼ିଯାଇ ଅତି ଗୁରୁତର ଅବସ୍ଥାରେ ଆସିଥିଲା । ତା’ର ଗାଲ, ବେକ ଏବଂ ଛାତି ଲାଗି ଯାଇଥିଲା । ଖୁବ୍ ଜଟିଳ ଅସ୍ତ୍ରୋପଚାର ହେଲା । ଅନେକ ଦିନ ପରେ ସେ ଭଲ ହୋଇଗଲା ଓ ତା’ର ଚେହେରାକୁ ଅନେକାଂଶରେ ସ୍ୱାଭାବିକ କରାଯାଇପାରିଲା । ତା’ର ସବୁ ଚିକିତ୍ସା ଖର୍ଚ୍ଚ ଆମ ଅନୁଷ୍ଠାନ ବହନ କରିଥିଲା । ତା’ପରେ ସେ ତା’ର ଅନାଥାଶ୍ରମକୁ ଫେରିଯାଇଥିଲା । ସେ ଏବେ ବି ମତେ ବେଳେବେଳେ ଭେଟିବାକୁ ଆସେ । ସେ କୁନିଝିଅର ଆଖିରେ କୃତଜ୍ଞତାର ଭାଷା ମୁଁ ବେଶ୍ ପଢ଼ିପାରେ ।
ଆଉ ଥରେ ଗୋଟିଏ ରାସ୍ତା ଦୁର୍ଘଟଣାରେ ଜଣଙ୍କ ଗୋଇଠି ପୂରା ଛିଣ୍ଡି ଯାଇଥିଲା । ଅସ୍ଥିଶଲ୍ୟ ଡାକ୍ତର ଓ ଆମର ପ୍ଲାଷ୍ଟିକ୍ ସର୍ଜନଙ୍କ ଏକ ଟିମ୍ ଅନେକ କଷ୍ଟ ସ୍ୱୀକାର କରି ସେଇ ଗୋଇଠିକୁ ଲଗାଇ ପୁନଶ୍ଚ କାର୍ଯ୍ୟକ୍ଷମ କରାଇପାରିଲୁ । ସେ ଯେତେବେଳେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ଘରକୁ ଫେରିଲେ, ଖୁସିରେ କାନ୍ଦି ପକେଇଥିଲେ । ତାଙ୍କର ବିଶ୍ୱାସ ମଧ୍ୟ ନ ଥିଲା ଯେ, ସେ ଆଉ ଥରେ ନିଜ ଗୋଡ଼ରେ ସ୍ୱାଭାବିକ ଭାବେ ଚାଲିପାରିବେ ।
୨୦୧୫ ମସିହାର ଆଉ ଏକ ଘଟଣା । ଜଣେ ମହିଳାଙ୍କ ଶରୀରରେ ୫୦% ନିଆଁରେ ପୋଡ଼ି ଯାଇଥିଲା । ତାଙ୍କର ଅବସ୍ଥା ଖୁବ୍ ଗୁରୁତର ଥିଲା । ତାଙ୍କର ଚର୍ମ ପ୍ରତିରୋପଣ (ସ୍କ୍ରିନ୍ ଗ୍ରାଫ୍ଟିଙ୍ଗ୍) କରିବାର ଆବଶ୍ୟକତା ପଡ଼ିଲା । ଚର୍ମ କେଉଁଠୁ ପାଇବୁ? କିନ୍ତୁ ସେତେବେଳେ ସେଇ ମହିଳାଙ୍କ ସ୍ୱାମୀ ହିଁ ସମସ୍ୟାର ସମାଧାନ କରିଦେଲେ । ତାଙ୍କ ସ୍ୱାମୀ ନିଜ ଶରୀରରୁ ଆବଶ୍ୟକୀୟ ଚର୍ମ ସ୍ତ୍ରୀଙ୍କୁ ଦାନ କରିଦେଇଥିଲେ । ଫଳରେ ଚର୍ମ ପ୍ରତିରୋପଣ ସମ୍ଭବପର ହୋଇଥିଲା ଓ ସେହି ମହିଳା ଜଣଙ୍କ ଶରୀର ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରିଥିଲା । କି ଭଲପାଇବା ଆଜ୍ଞା! ଚିନ୍ତା କରନ୍ତୁ ତ’ ଥରେ! ସ୍ତ୍ରୀ ପ୍ରତି ସ୍ୱାମୀର ଭଲପାଇବା କେତେ ଅଧିକ ହୋଇପାରେ!
ଏହାଛଡ଼ା ଆହୁରି ଅନେକ ଘଟଣା ଅଭୁଲା ହୋଇ ରହିଛି । (ହସି) ସେ ସବୁ କହିବସିଲେ ଆପଣଙ୍କ ପତ୍ରିକାର ସବୁ ପୃଷ୍ଠା ନିଅଂଟ ପଡ଼ିପାରେ!

ସ୍ୱାସ୍ଥ୍ୟ ସ୍ୱର : ଅବସର କେମିତି କଟାନ୍ତି?
ଡା. ଦାଶ : ରବିବାର ଦିନଟି ବ୍ୟତୀତ ଅନ୍ୟ ଦିନରେ ମତେ ବିଶେଷ ଅବସର ମିଳେ ନାହିଁ । ଅବସର ମିଳିଲେ ମୁଁ ପରିବାରକୁ ସମୟ ଦିଏ । ପ୍ରଚୁର ଫିଲ୍ମ ଦେଖେ । ମୋର ଆଉ ଗୋଟିଏ ରୁଚି ହେଉଛି ଚିତ୍ର ଆଙ୍କିବା । ସମୟ ମିଳିଲେ ମୁଁ ଚିତ୍ର ଆଙ୍କିବାରେ ମଜ୍ଜି ଯାଏ । ବିଭିନ୍ନ ବହି ପଢ଼ିବାକୁ ବି ଭଲ ପାଏ ।

ସ୍ୱାସ୍ଥ୍ୟ ସ୍ୱର : ଆପଣଙ୍କ ଭବିଷ୍ୟତ ଯୋଜନା କ’ଣ ରହିଛି?
ଡା. ଦାଶ : ଓଡ଼ିଶାରେ ଅନ୍ତର୍ଜାତୀୟ ମାନର ଗୋଟିଏ ଦୁର୍ଘଟଣାଜନିତ ଚିକିତ୍ସା ସେବା ଓ କସ୍ମେଟିକ୍ ସର୍ଜରୀ କେନ୍ଦ୍ର ସ୍ଥାପନ କରିବାକୁ ମୋର ଲକ୍ଷ୍ୟ ରହିଛି ।

ସ୍ୱାସ୍ଥ୍ୟ ସ୍ୱର : ‘ସ୍ୱାସ୍ଥ୍ୟ ସ୍ୱର’ ସମ୍ପର୍କରେ ପଦେ କହିବେକି?
ଡା. ଦାଶ : ପ୍ରଥମେ ତ’ ଧନ୍ୟବାଦ ଦେବି ‘ସ୍ୱାସ୍ଥ୍ୟ ସ୍ୱର’ ପତ୍ରିକାର ସମ୍ପାଦନା ମଣ୍ଡଳୀକୁ । ସେମାନେ ଖୁବ୍ ଶ୍ରମ ସ୍ୱୀକାର କରି ପତ୍ରିକା ସମ୍ପାଦନା ଭଳି ଏକ ମହତ୍ କାର୍ଯ୍ୟରେ ବ୍ରତୀ ହୋଇଛନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ଆମେମାନେ ମଧ୍ୟ ଏହାରି ମାଧ୍ୟମରେ ଆମ ବାର୍ତ୍ତା ପାଠକମାନଙ୍କ ନିକଟରେ ପହଂଚାଇ ପାରୁଛୁ । ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ‘ସ୍ୱାସ୍ଥ୍ୟ ସ୍ୱର’ର ଉତ୍ତରୋତ୍ତର ଉନ୍ନତି ହେଉ ।