
ଡା. ସମୀର ସାହୁ । କ୍ରିଟିକାଲ୍ କେୟାର୍ ଏବଂ ପଲମନୋଲୋଜି କ୍ଷେତ୍ରରେ ଏକ ପରିଚିତ ନାମ । ସେ ହେଉଛନ୍ତି ଓଡିଶାର ପ୍ରଥମ ଇଣ୍ଟେସିଭିଷ୍ଟ । ୧୯୯୮ ମସିହାରେ ଓଡିଶାରେ ପ୍ରଥମ କରି କଳିଙ୍ଗ ହସପିଟାଲରେ କ୍ରିଟିକାଲ୍ କେୟାର୍ ବିଭାଗ ଆରମ୍ଭ କରିବାରେ ତାଙ୍କର ଭୁମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ୨୦୦୪ ମସିହାରେ ସେ କଳିଙ୍ଗ ହସ୍ପିଟାଲ୍ରେ ଆରମ୍ଭ କରିଥିଲେ କ୍ରଟିକାଲ୍ କେୟାର୍ ଟ୍ରେନିଂ କୋର୍ସ । କ୍ୟାପିଟାଲ୍ ହସ୍ପିଟାଲ୍ ଓ ଅନ୍ୟାନ୍ୟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଗୁଡିକରେ ଆଇସିୟୁ ଆରମ୍ଭ କରିବା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଗଢ଼ା ଯାଇଥିବା କମିଟିରେ ସେ ଉପଦେଷ୍ଟା ଅଛନ୍ତି ଏବଂ ରିସୋର୍ସ ପର୍ସନ ମଧ୍ୟ ଅଟନ୍ତି । ଇଣ୍ଡିଆନ୍ ସୋସାଇଟି ଫର୍ କ୍ରିଟିକାଲ୍ କେୟାର୍ ମେଡିସିନ୍୍, ଭୁବନେଶ୍ୱର ଶାଖାର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବେ ୨୦୦୭ ମସିହାରୁ ୨୦୧୨ ମସିହାଯାଏଁ କାର୍ଯ୍ୟ ତୁଲାଇଛନ୍ତି । ଓଡିଶାର ବିଭିନ୍ନ ପ୍ରାନ୍ତରେ ଅନେକ ସମ୍ମିଳନୀ ଏବଂ କର୍ମଶାଳା ଅନୁଷ୍ଠିତ କରି କ୍ରିଟିକାଲ୍ କେୟାର୍ ମେଡିସିନ୍୍ ସମ୍ବନ୍ଧରେ ସଚେତନତା ସୃଷ୍ଟି କରୁଛନ୍ତି । ଡା. ସାହୁ ଅଧୁନା ଆମ୍ରି ହସ୍ପିଟାଲ୍, ଭୁବନେଶ୍ୱରରେ କ୍ରିଟିକାଲ୍ କେୟାର ଏବଂ ପଲ୍ମନୋଲୋଜି ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ।
ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ହେଡ୍ କ୍ୱାର୍ଟର ହସ୍ପିଟାଲରେ ଉନ୍ନତମାନର ଆଇସିୟୁ ସ୍ଥାପନ ହେବା ଆବଶ୍ୟକ
-ଡା. ସମୀର ସାହୁ

ସ୍ୱା.ସ୍ୱ.- ଚିକିତ୍ସା କ୍ଷେତ୍ରକୁ ଆସିଲେ କେମିତି?
ଡା. ସାହୁ- ମୋ ବାପା ଓଡିଶା ସରକାରଙ୍କ ଅଧିନରେ ଇଞ୍ଜିନିୟର୍ ଭାବେ ଚାକିରି କରୁଥିଲେ । କାର୍ଯ୍ୟକ୍ଷେତ୍ରରେ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ସେ ଚାହିଁଲେ, ତାଙ୍କ ପିଲାମାନେ ଡାକ୍ତର ହୋଇ ଲୋକଙ୍କ ସେବା କରନ୍ତୁ ଓ ସ୍ୱାଧୀନ ଭାବେ ଜୀବନ ନିର୍ବାହ କରନ୍ତୁ । ତେଣୁ ବାପାଙ୍କ ସ୍ୱପ୍ନ ପୁରା କରିବାକୁ ଡାକ୍ତର ହେଲି ।
ସ୍ୱା.ସ୍ୱ.- ମେଡିସିନର ଏତେ ବିଭାଗ ଥାଉ ଥାଉ କ୍ରିଟିକାଲ୍ କେୟାର୍ ମେଡିସିନକୁ ବାଛିବାର କିଛି ନିଦ୍ଦିଷ୍ଟ କାରଣ ରହିଛି କି?
ଡା. ସାହୁ- ନବେ ଦଶକ ପୂର୍ବରୁ ସିରିୟସ୍ ଥିବା ରୋଗୀଙ୍କ ଆବଶ୍ୟକୀୟ ଚିକିତ୍ସା ପାଇଁ ଓଡିଶାରେ ଆଇସିୟୁର ସୁବିଧା ଉପଲବ୍ଧ ନ ଥିଲା । ସରକାରୀ ବା ବେସରକାରୀ ସ୍ତରରେ କେହି ବି ଏ ବିଷୟରେ ଚିନ୍ତା କରୁ ନ ଥିଲେ ବା କିଛି ଧାରଣା ନ ଥିଲା । ଯଦିଓ ସିରିୟସ୍ ରୋଗୀର ଜୀବନରକ୍ଷାରେ ଆଇସିୟୁର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ୧୯୯୦ ମସିହାରେ ମୁଁ ଚେନ୍ନାଇ ଆପୋଲୋ ହସ୍ପିଟାଲରୁ କ୍ରିଟିକାଲ୍ କେୟାରରେ ଟ୍ରେନିଙ୍ଗ୍ ନେଇ ଫେରିଲି । ୧୯୯୮ ମସିହାରେ ଓଡିଶାରେ ପ୍ରଥମ କରି କଳିଙ୍ଗ ହସ୍ପିଟାଲରେ ଆଇସିୟୁ ଆରମ୍ଭ କରାଗଲା । ତା ପରେ ଅନେକ ସିରିୟସ୍ ରୋଗୀଙ୍କୁ ବଞ୍ଚାଇଲୁ । ଫଳରେ ଲୋକଙ୍କ ବିଶ୍ୱାସ ମଧ୍ୟ ବଢ଼ିଲା ।
ସ୍ୱା.ସ୍ୱ.- ଓଡିଶାରେ ଆଇସିୟୁ ବ୍ୟବସ୍ଥା ସର୍ମ୍ପକରେ କ’ଣ କହିବେ?
ଡା. ସାହୁ– ସରକାରୀ ମେଡିକାଲ୍ କଲେଜ୍ ମାନଙ୍କରେ ଏଯାଏଁ କ୍ରିଟିକାଲ୍ କେୟାର୍ ଟ୍ରେନିଂ ଉପଲବ୍ଧ ହୋଇପାରିନାହିଁ । କ୍ରିଟିକାଲ୍ କେୟାର୍ ଟ୍ରେନିଂ ଆହୁରି ଆବଶ୍ୟକ । ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ହେଡ୍ କ୍ୱାର୍ଟର ହସ୍ପିଟାଲ୍ରେ ଉନ୍ନତମାନର ଆଇସିୟୁ ସ୍ଥାପନ ହେବା ଆବଶ୍ୟକ ।
ସ୍ୱା.ସ୍ୱ.- ଗୋଟେ ଉନ୍ନତମାନର ଆଇସିୟୁ ସ୍ଥାପନ ପାଇଁ ମୂଖ୍ୟତଃ କେଉଁ ସବୁ ଜିନିଷ ଆବଶ୍ୟକ?
ଡା. ସାହୁ– ମୋ ମତରେ ମୂଖ୍ୟତଃ ୩ଟା ଜିନିଷ ଅତ୍ୟନ୍ତ ଆବଶ୍ୟକ । ପ୍ରଥମ ହେଲା ଭଲ ବିଲଡିଙ୍ଗ୍ । ଦ୍ୱିତୀୟ ହେଲା ଉନ୍ନତ ମାନର ଅତ୍ୟାଧୁନିକ ଉପକରଣ । ତୃତୀୟରେ ଆଇସିୟୁ ଟ୍ରେଣ୍ଡ୍ ଡାକ୍ତର ଏବଂ ନର୍ସ । ଏହା ଛଡା ଆଇସିୟୁ ମ୍ୟାନେଜ୍ମେଣ୍ଟ୍ ପାଇଁ ଗୋଟେ ‘ଟିମ୍ କନ୍ସେପ୍ଟ’ ନିହାତି ଆବଶ୍ୟକ । ଗୋଟେ ଆଇସିୟୁରେ ଅତି କମ୍ରେ ୪ଟି ବେଡ୍ ଏବଂ ଅତି ବେଶୀରେ ୧୪ଟି ବେଡ୍ ରହିବା ଉଚିତ । ୧୫ରୁ ଅଧିôକ ଆଇସିୟୁ ବେଡ୍ ରହିଲେ ମ୍ୟାନେଜ୍ କରିବା କଷ୍ଟ ।
ସାଧାରଣତଃ ଆଇସିୟୁର ତିନୋଟି ଷ୍ଟେଜ୍ ଥାଏ । ଯଥା- ପ୍ରିଲିମିନାରି, ମିଡିଲ୍ ଏବଂ ଟର୍ସିଆରି । ପ୍ରିଲିମିନାରି ଆଇସିୟୁ ହେଉଛି ହାଇ ଡିପେନଡାନସି ୟୁନିଟ୍ । ଟର୍ସିଆରି ଆଇସିୟୁରେ ରୋଗୀକୁ ଆର୍ଟିଫିସିଆଲ୍ ସପୋର୍ଟରେ ରଖି ହେବ । ଟର୍ସିଆରି କେୟାର୍ ହସପିଟାଲରେ ମୋଟ ବେଡ୍ ସଂଖ୍ୟାର ୧୦% ରୁ ୨୫% ବେଡ୍ ଆଇସିୟୁ ପାଇଁ ରହିବା ଆବଶ୍ୟକ ।
ସ୍ୱା.ସ୍ୱ.- ଆଇସିୟୁର ସଂକ୍ରମଣ ନିୟନ୍ତ୍ରଣ ପାଇଁ କେଉଁ ସବୁ ପଦକ୍ଷେପ ଅପରିହାର୍ଯ୍ୟ?
ଡା. ସାହୁ– ଦେଖନ୍ତୁ, ଆଇସିୟୁରେ କେବଳ ସିରିୟସ୍ ରୋଗୀ ଭର୍ତ୍ତି ହୁଅନ୍ତି । ଆମକୁ ରୋଗୀଙ୍କୁ ଛୁଇଁବାକୁ ପଡେ, ସ୍କିନ୍ ପଙ୍କଚର୍ କରିବାକୁ ପଡେ ତଥା ବିଭିନ୍ନ ପ୍ରକାରର ଟ୍ରିଟ୍ମେଣ୍ଟ୍ ପ୍ରସିଡ୍ୟୁର୍ କରିବାକୁ ପଡେ । ତେଣୁ ଅନେକ ସମୟରେ ସଂକ୍ରମଣର ସମ୍ଭାବନା ଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେବାକୁ ପଡେ । ସଫାସତୁରା ପ୍ରତି ବିଶେଷ ଧ୍ୟାନ ଦେବାକୁ ହୁଏ । ହ୍ୟାଣ୍ଡ୍ ହାଇଜିନ୍ ଗାଇଡଲାଇନକୁ ଭଲ ଭାବେ ପାଳନ କରିବାକୁ ହୁଏ । ଭିଜିଟର୍ ମାନଙ୍କୁ ନେଇ ବିଶେଷ ସତର୍କତା ଅବଲମ୍ବନ କରିବାକୁ ହୁଏ । ସଂକ୍ରମଣ ନିୟନ୍ତ୍ରଣ ଟ୍ରେନିଂ ବାରମ୍ବାର ଦେବାକୁ ହୁଏ । ମାଇକ୍ରୋବାଇଲୋଜି ବିଭାଗ ସହାୟତାରେ ସଂକ୍ରମଣ ବିଷୟରେ ସବୁ ତଥ୍ୟ ମିଳେ ଓ ସେ ଅନୁସାରେ ସଂକ୍ରମଣ ନିବାରଣ କାର୍ଯ୍ୟକ୍ରମ କରିବାକୁ ହୁଏ ।
ସ୍ୱା.ସ୍ୱ.- ଆପଣଙ୍କ ମତରେ ନିରୋଗ ରହିବାର ସୂତ୍ର?
ଡା. ସାହୁ– ମୋ ମତରେ ବ୍ୟାୟାମ ବହୁତ ଜରୁରୀ । ପ୍ରତ୍ୟେକ ଦିନ କିଛି ସମୟ ବ୍ୟାୟାମ କରିବା ଉଚିତ । ଖାଦ୍ୟପେୟରେ ସର୍ତକତା ଅବଲମ୍ବନ ଅପରିହାର୍ଯ୍ୟ । ଆପଣ ଜାଣନ୍ତି ଆମ ଓଡିଆ ଖାଦ୍ୟରେ ତେଲ, ଘିଅ ଓ ମସଲାର ପରିମାଣ ଟିକେ ବେଶୀ । ତେଣୁ ଖାଦ୍ୟରେ ତେଲ, ଘିଅ ଓ ମସଲା କମ୍ କରିବା ଉଚିତ । ଏହା ଛଡା ଯଦି ଆପଣଙ୍କର କୌଣସି ରୋଗ ଥାଏ, ତେବେ ତା’ର ଚିକିତ୍ସାରେ ଅବହେଳା କରନ୍ତୁ ନାହିଁ ।
ସ୍ୱା.ସ୍ୱ.- ବ୍ୟସ୍ତ ବହୁଳ ଦିନଚର୍ଯ୍ୟାରେ ମାନସିକ ଚାପକୁ କେମିତି ମ୍ୟାନେଜ୍ କରନ୍ତି?
ଡା. ସାହୁ– ସତ କହିବାକୁ ଗଲେ ଆଇସିୟୁ ଟ୍ରେନିଂ ଦେବାକୁ ମତେ ଭଲ ଲାଗେ । ଆଇସିୟୁରେ ଡାକ୍ତର ଓ ନର୍ସ ମାନଙ୍କୁ ପାଠ ପଢ଼ାଇବା ଦ୍ୱାରା ମୋ’ର ଟେନସନ୍ ଦୂର ହୁଏ ।
ସ୍ୱା.ସ୍ୱ.- ଅବସର କେମିତି ବିତେ?
ଡା. ସାହୁ– ବିଭିନ୍ନ ପ୍ରକାର ମେଡିକାଲ୍ ଜର୍ଣ୍ଣାଲ୍ ପଢ଼ି ମୋ’ର ସମୟ ଅତିବାହିତ ହୁଏ ।
ସ୍ୱା.ସ୍ୱ.- ଭବିଷ୍ୟତ ଯୋଜନା?
ଡା. ସାହୁ– ଆଇସିୟୁ ଟ୍ରେନିଂ ଦେଇ ଆହୁରି ଡାକ୍ତର ଓ ନର୍ସମାନଙ୍କୁ ଟ୍ରେଣ୍ଡଡ୍ କରିବା, ଯା’ ଫଳରେ ଆଇସିୟୁ ପାଇଁ ଆଉ ଡାକ୍ତର ଓ ନର୍ସମାନଙ୍କ ଅଭାବ ରହିବ ନାହିଁ ।
ସ୍ୱା.ସ୍ୱ.- ‘ସ୍ୱାସ୍ଥ୍ୟ ସ୍ୱର’ ପାଇଁ ପଦେ …?
ଡା. ସାହୁ– ବହୁତ ଭଲ ପଦକ୍ଷେପ । ସମାଜରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଉଛି । ସ୍ୱାସ୍ଥ୍ୟ ସମ୍ପର୍କରେ ଅନ୍ୟମାନଙ୍କୁ କହିବାର ଏକ ସୁଯୋଗ ଦେଉଛି । ଆଗାମୀ ଦିନରେ ‘ସ୍ୱାସ୍ଥ୍ୟ ସ୍ୱର’ ନିଶ୍ଛିତ ଭାବରେ ବହୁତ ଆଗକୁ ଯିବ ।