ଡା. ଗୌରୀଶଙ୍କର ପ୍ରସାଦ ମିଶ୍ର
ଏମଡି, ଏଫ୍‌.ଆଇ.ପି.ଏସ୍‌.
ଭୁବନେଶ୍ୱର

କଥାରେ ଅଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତମ ସ୍ୱାସ୍ଥ୍ୟ ହିଁ ଜୀବନର ଜରୁରୀ ଉପଲବଧି । ତେଣୁ ସୁସ୍ଥ ରହିବା ନିଜର ଏକ ସାମାଜିକ ଅଧିକାର ଏବଂ ନୈତିକ ମୂଲ୍ୟବୋଧ ଅଟେ । ଏହି ପ୍ରସଙ୍ଗରେ ଆୟୁର୍ବେଦର ଆଭିମୁଖ୍ୟ ଖୁବ୍ ସ୍ପଷ୍ଟ ଏବଂ ଉପଯୋଗୀ । ଏହାର ମୁଖ୍ୟ ଉଦ୍ଦେଶ୍ୟ ସୁସ୍ଥ ଲୋକର ସ୍ୱାସ୍ଥ୍ୟରକ୍ଷା ଏବଂ ରୋଗୀର ରୋଗ ଦୂର କରିବା । ଏହି ଉଦ୍ଦେଶ୍ୟକୁ ଆଧାର କରି ଆୟୁର୍ବେଦୀୟ ଚିକିତ୍ସା ମୂଳତଃ ଦୁଇ ଭାଗରେ ବିଭକ୍ତ । ଯଥା- ବୃଂହଣ ଚିକିତ୍ସା ଓ ଲଂଘନ ଚିକିତ୍ସା ।


ଏଥିମଧ୍ୟରୁ ଅଧିକାଂଶ ରୋଗ ଲଂଘନ ଚିକିତ୍ସା ଦ୍ୱାରା ଭଲ ହୋଇଥାଏ । ଏହି ଲଘଂନ ଚିକିତ୍ସା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଯଥା: ଶମନ ଚିକିତ୍ସା ଓ ଶୋଧନ ଚିକିତ୍ସା ।
ଶମନ ଚିକିତ୍ସା :
ଶରୀରସ୍ଥ ଦୋଷ ସଂଚୟ ଅବସ୍ଥାରେ ଥିଲେ ତାହାକୁ ଦୀପନ ପାଚନ ଦ୍ରବ୍ୟ ଦ୍ୱାରା ଶମନ ଚିକିତ୍ସା ମାଧ୍ୟମରେ ଦୂର କରାଯାଇ ପାରିବ । ଏହି ସମୟରେ ଅଗ୍ନି, ବାୟୁ, ଆତପ ଏବଂ ଉପବାସକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ । ଯେହେତୁ ଏହି ଚିକିତ୍ସା ମାଧ୍ୟମରେ ସମ୍ପୂର୍ଣ୍ଣ ଦୋଷ ନିହରଣ ହୋଇନଥାଏ ତେଣୁ ରୋଗର ପୁନଃ ଉତଥାନ ହେବା ଯଥେଷ୍ଟ ସମ୍ଭାବନା ରହିଥାଏ ।
ଶୋଧନ ଚିକିତ୍ସା :
ଯେତେବେଳେ ଶରୀରର ଦୋଷମାନେ ଅତ୍ୟଧିକ ମାତ୍ରାରେ ବ୍ୟାପ୍ଳୁତ ହୋଇଯାନ୍ତି ସେହି ସମୟରେ ବିଭିନ୍ନ ଉପାୟରେ ଏହି ବିକୃତ ଦୋଷମାନଙ୍କୁ ବାହାରକୁ ବାହାର କରାଯାଏ । ଯଥା, ବମନ, ବିରେଚନ, ନସ୍ୟ, ନିରୂହ, ଅନୁବାସନ ।


ଆୟୁର୍ବେଦରେ ପଞ୍ଚକର୍ମ ଏକ ଉପାଦେୟ ଚିକିତ୍ସା ହିସାବରେ ସାରା ପୃଥିବୀରେ ଆଦୃତ ହୋଇଅଛି । ଏହି ଚିକିତ୍ସାକୁ ଶୋଧନ ଚିକିତ୍ସା ମଧ୍ୟ କୁହାଯାଏ । ଏହା ୫ ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା :
୧) ବମନ (ଏମିସିସ୍ ଥେରାପି)
୨) ବିରେଚନ (ପର୍ଗେସନ୍ ଥେରାପି)
୩) ଅନୁବାସନ (ଅଏଲ୍ ଏନିମା ଥେରାପି)
୪) ନିରୂହ (ଡିକକସନ୍ ଏନିମା ଥେରାପି)
୫) ନସ୍ୟ (ନାଜାଲ୍ ଥେରାପି)
ଏତଦବ୍ୟତୀତ ସୁଶ୍ରୁତ ମଧ୍ୟ ପଞ୍ଚକର୍ମ ବିଷୟରେ ଉଲ୍ଲେଖ କରି ରକ୍ତ ମୋକ୍ଷଣକୁ ପଞ୍ଚକର୍ମରେ ଅନ୍ତର୍ଭୁକ୍ତ କରି ନିରୁହ ଏବଂ ଅନୁବାସନକୁୁ ଗୋଟିଏ ଚିକିତ୍ସା ପଦ୍ଧତି ବା ବସ୍ତି ଚିକିତ୍ସା ହିସାବରେ ମାନ୍ୟତା ଦେଇ ରକ୍ତ ମୋକ୍ଷଣ (ବ୍ଲଡ଼୍ ଲେଟିଙ୍ଗ୍‌)କୁ ପଂଚକର୍ମରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହି ଚିକିତ୍ସା ପଦ୍ଧତିରେ ଶରୀରରେ ଥିବା ଶ୍ରୋତସ୍‌ମାନଙ୍କରେ ଲୁଚି ରହିଥବା ବିକୃତ ଦୋଷ ସମୂହକୁ ବାହାର କରାଯାଇଥାଏ ।
ଏହି କ୍ରିୟା ସମୂହକୁ ମୁଖ୍ୟ କ୍ରିୟା ହିସାବରେ ବର୍ଣ୍ଣନା କରାଯାଇଥିବାରୁ ଏହି କ୍ରିୟା ନିମିତ ରୋଗୀକୁ ପ୍ରସ୍ତୁତ କରିବା ପାଇଁ କେତେକ ପୂର୍ବ ଓ ପଶ୍ଚାତ୍ କର୍ମର ମଧ୍ୟ ବିଧାନ ବା ଆବଶ୍ୟକତା ଉପଲବ୍ଧ କରାଯାଇଅଛି । ଏମାନଙ୍କ ମଧ୍ୟରେ ସ୍ନେହନ ଓ ସ୍ୱେଦନ ପୂର୍ବ କର୍ମର ଦୁଇ ମୁଖ୍ୟ ଅଙ୍ଗ । ସ୍ୱେଦନ କର୍ମ ଦ୍ୱାରା ଏହି ଦୋଷ ଶାଖାରୁ ବାହାରି ମହାସ୍ର୍ରୋତସ୍ ବା ଆମାଶୟକୁ ଆସିଥାଏ । ଏହାପରେ ପଞ୍ଚକର୍ମ ପଦ୍ଧତି ଦ୍ୱାରା ଦୋଷ ନିକଟବର୍ତୀ ମାର୍ଗଦେଇ ବାହାରକୁ ନିହରଣ କରାଯାଇଥାଏ । ତତପରେ ବିଶିଷ୍ଟ ଚିକିତ୍ସା ଦ୍ୱାରା ବିଭିନ୍ନ ରୋଗର ପଶ୍ଚାତ୍ କର୍ମ କରଯାଇ, ଶରୀରକୁ ନୀରୋଗ ଅବସ୍ଥାକୁ ଅଣାଯାଏ ।

 

ସ୍ନେହନ : ଦୁଇ ଭାଗରେ ବିଭକ୍ତ ହୋଇଛି ।
୧) ଆଭ୍ୟନ୍ତର (ଇଂଟର୍‌ନାଲ୍‌)
୨) ବାହ୍ୟ (ଏକ୍ସଟର୍‌ନାଲ୍‌)
ଆଭ୍ୟନ୍ତର ସ୍ନେହନ୨ ଭାଗରେ ବିଭକ୍ତ ହୋଇଛି । ଯଥା: ପାନ (ଓରାଲ୍‌) ଓ ବସ୍ତି (ଏନିମା) ।
ବାହ୍ୟ ସ୍ନେହନ ୭ ପ୍ରକାରର । ଯଥା: ଅଭ୍ୟଙ୍ଗ, ପରିଷେକ, ଗଣ୍ଡୁଷ, ମୁର୍ଦ୍ଧ ତୈଳ, ଆଖି ତର୍ପଣମ୍‌, କର୍ଣ୍ଣପୁରଣମ୍ ଓ ସ୍ନେହବାଗହନମ୍‌
ସ୍ୱେଦନ : ଏହା ପଞ୍ଚକର୍ମର ଏକ ପୂର୍ବକର୍ମ ପଦ୍ଧତି ଯାହା ଦ୍ୱାରା ରୋଗୀର ଶରୀର ସ୍ୱେଦକାରକ ଦ୍ରବ୍ୟମାନଙ୍କ ଉପଯୋଗ ଦ୍ୱାରା ଦେହରେ ସନ୍ତାପ ବଢ଼ାଯାଇ ରକ୍ତ ସଞ୍ଚାଳନ ଏବଂ ସ୍ୱେଦଗ୍ରନ୍ଥିକୁ କ୍ରିୟାଶୀଳ କରାଯାଇ ଲୋମକୂପକୁ ବିସ୍ଫାରିତ କରିବା ସହ ଦୋଷକୁ ଆମାଶୟରେ ପହଞ୍ଚାଇ ଥାଏ ।
ସ୍ୱେଦନକୁ ୪ ପ୍ରକାରରେ ବିଭକ୍ତ କରାଯାଇଛି । ଯଥା: ଉଷ୍ଣ ସ୍ୱେଦ, ଦ୍ରବ ସ୍ୱେଦ, ତାପ ସ୍ୱେଦ ଓ ଉପନାହ ସ୍ୱେଦ ।

ପ୍ରଧାନକର୍ମ
ବମନ
ବିଭିନ୍ନ ପ୍ରକାର କଫ ରୋଗ ଆଧିକ୍ୟରେ ଦୋଷ ନିରହରଣ ପାଇଁ ବମନ କର୍ମ ପରାମର୍ଶ ଦିଆଯାଇଥାଏ । ମୁଖ ଗହ୍ୱର ମାଧ୍ୟମରେ ବିଭିନ୍ନ ପ୍ରକାରର ବାମକ ଦ୍ରବ୍ୟର ଚୂର୍ଣ୍ଣ କିମ୍ବା କଷାୟ ହିସାବରେ ପାନ କରିବା ପାଇଁ ଦିଆଯାଏ । ଏହା ଦ୍ରବ୍ୟ ଏବଂ ପାନୀୟର ବିଶେଷ ଭାବରେ କଫ ଦୋଷକୁ ନିରହରଣ କରାଯାଇ ଶରୀରକୁ ଶୋଧନ କରାଯାଏ । ଏହି କାର୍ଯ୍ୟକ୍ରମ ଅଭିଜ୍ଞ ଓ କୁଶଳୀ ଚିକିତ୍ସକଙ୍କ ଦ୍ୱାରା କରାଯାଇଥାଏ । ଅନ୍ୟଥା ବିିଭିନ୍ନ ପ୍ରକାର ଉପଦ୍ରବ ସୃଷ୍ଟି ହେବାର ଆଶଙ୍କା ରହିଥାଏ ।


ଉପଯୋଗ – କାଶ, ଶ୍ୱାସ ଓ ଚର୍ମରୋଗ ।

ବିରେଚନ
ବିରେଚନ ଦ୍ରବ୍ୟ ଦ୍ୱାରା ମଳଦ୍ୱାର (ଅଧୋମାର୍ଗ) ଦେଇ ପିତ ଓ ମଳଜଳର ବର୍ହିନିଷ୍କାସନ ପ୍ରକ୍ରିୟାକୁ ବିରେଚନ କୁହାଯାଏ । ଏହାଦ୍ୱାରା ବିଭିନ୍ନ ବାତ ପିତ୍ତଜ ରୋଗ, ଚର୍ମରୋଗ, ମୂତ୍ରରୋଗ ଓ ପକ୍ଷାଘାତ ଆଦି ରୋଗ ଉପଶମ ହୋଇଥାଏ ।

ବସ୍ତି
ଗୁଦ ବା ମଳମାର୍ଗ ଦେଇ ତରଳ ଔଷଧିୟ ଦ୍ରବ୍ୟକୁ ଶରୀରରେ ବସ୍ତି ଦ୍ୱାରା ପ୍ରବେଶ କରାଇବା କର୍ମକୁ ବସ୍ତିକର୍ମ କୁହାଯାଏ । ଯଦିଓ ବିଭିନ୍ନ ପ୍ରକାର ବସ୍ତିର ବର୍ଣ୍ଣନା କରାଯାଇଛି । ତେବେ ଏହାକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇଛି ।
କ) ଅନୁବାସନ (ତୈଳ ବସ୍ତି)
ଖ) ନିରୂହ (କଷାୟ ବସ୍ତି)
କ) ଅନୁବାସନ – ଏହି ବସ୍ତିର ନାମକରଣ ଏପରି ହେବାର କାରଣ ଏହା ଖାଦ୍ୟ ନେବା ପରେ ବା ପଶ୍ଚାତ୍ (ଅନୁ)ରେ ଗୁଦ ମାର୍ଗରେ ଦିଆଯାଏ । ଏହି ଔଷଧିୟ ଦ୍ରବ୍ୟ ସାଧାରଣତଃ ଘୃତ ବା ତୈଳରେ ପ୍ରସ୍ତୁତ ହୋଇଥାଏ ଏବଂ ବିଶେଷ ଧରଣର ଯନ୍ତ୍ର ଯାହାକୁ ବସ୍ତି ଯନ୍ତ୍ର କୁହାଯାଏ, ତାହା ମାଧ୍ୟମରେ ଦିଆଯାଏ ।
ଖ) ନିରୁହ – ଏହି ବସ୍ତି ସାଧାରଣତଃ ଅନୁବାସନ ବସ୍ତି ନେବା ପରେ ଦିଆଯାଏ । ଏହାକୁ ମଧ୍ୟ ଆସ୍ଥାପନ ବସ୍ତି ଭାବରେ ଅଭିହିତ କରାଯାଇଛି । ଏଥିରେ କଷାୟ ଦ୍ରବ୍ୟର ପରିମାଣ ଅଧିକ ଥିବାରୁ ଏହାକୁ ମଧ୍ୟ କଷାୟ ବସ୍ତି ନାମରେ ନାମିତ କରାଯାଇଛି । ଏହି ବସ୍ତି ଚିକିତ୍ସା ତୈଳବସ୍ତି ବା ଅନୁବାସନ ବସ୍ତିଠାରୁ ବହୁଗୁଣରେ ଉତ୍ତମ ଅଟେ ।

ନସ୍ୟ
ଏହି କର୍ମ ଏକ ବିଶେଷ କ୍ରିୟା, ଯେଉଁଥିରେ କି ଊର୍ଦ୍ଧ୍ୱଜତ୍ରୁଗତ ରୋଗର ନିରାକରଣ କରାଯାଏ । ଏଥିରେ ବିଶେଷ ଭାବରେ ପ୍ରସ୍ତୁତ ତୈଳ, ଚୂର୍ଣ୍ଣ ବା ରସ ନାସାମାର୍ଗରେ ପ୍ରୟୋଗ କରାଯାଏ । ବିଭିନ୍ନ ରୋଗ ଯଥା – ଶିରପୀଡ଼ା, ଶୂଳ, କର୍ଣ୍ଣ ନାସା, ଶିରପଦରୋଗ, ପକ୍ଷାଘାତ ଏବଂ ଅର୍ଜିତ ଇତ୍ୟାଦିରେ ବିଶେଷ ଉପଯୋଗ ହୋଇଥାଏ ।
ଏତଦବ୍ୟତୀତ ଅଧୁନା ଦେଖା ଯାଉଥିବା ଜୀବନଶୈଳୀ ପରିବର୍ତନଜନିତ ରୋଗ, ମାନସିକ ବିକାର, ରସାୟନ ଏବଂ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଏହା ବିଶେଷ ଆଦୃତିଲାଭ କରିଛି । ମାତ୍ର ଏହି ଚିକିତ୍ସା କରିବାକୁ ହେଲେ ବିଶିଷ୍ଟ ଚିକିତ୍ସା ପ୍ରକ୍ରିୟା ବା ପ୍ରଣାଳୀ ବା ଜ୍ଞାନ ରହିବା ଯଥେଷ୍ଟ ଆବଶ୍ୟକ । ଯଥା –
୧) ବମନ ଏବଂ ବିରେଚନ ମଧ୍ୟରେ ୧୫ ଦିନ ବ୍ୟବଧାନ ଅନ୍ତର ଆବଶ୍ୟକ ।
୨) ବିରେଚନର ୧୫ ଦିନ ପରେ ନିରୂହ ବସ୍ତି ଦିଆଯାଇପାରେ ।
୩) ନିରୂହ ବସ୍ତି ପ୍ରଦାନର ଦ୍ୱିତୀୟ ଦିନ ବା ପର ଦିନ ମଧ୍ୟ ଅନୁବାସନ ବସ୍ତି ଦିଆଯାଇପାରେ ।
୪) ବିରେଚନର ୭ ଦିନ ବ୍ୟବଧାନ ପରେ ଅନୁବାସନ ବସ୍ତି ଦିଆଯାଇପାରେ ।

ରୋଗ ବା ଆତୁରଙ୍କ ନିମିତ ବିଭିନ୍ନ ପରାମର୍ଶ ବା ନିୟମ –
୧) ଅଭିଜ୍ଞ ପଞ୍ଚକର୍ମ ଚିକିତ୍ସକଙ୍କ ପରାମର୍ଶ ନେବା ବାଂଛନୀୟ ।
୨) ଅଭିଜ୍ଞ ଚିକିତ୍ସକ ଏବଂ କୁଶଳୀ ପରିଚାରକଙ୍କ ଦ୍ୱାରା ଚିକିତ୍ସା କରାଇବା ବିଧେୟ ।
୩) ପଞ୍ଚକର୍ମ ଗୃହ ଏବଂ ଆବଶ୍ୟକ ଉପକରଣ ଥିବା ବିଧେୟ ।
୪) ସର୍ବଦା ଉଷ୍ଣଦ୍ରବ୍ୟ ବ୍ୟବହାର କରିବା ଉଚିତ ।
୫) ରାତ୍ର ଉଜାଗର, ବେଗଧାରଣ କରିବା ଅନୁଚିତ ।
୬) ଶୋକ, ଭୟ, ମୈଥୁନ ଏବଂ ଅତ୍ୟଧିକ ପରିଶ୍ରମ ତ୍ୟାଗ କରିବା ଆବଶ୍ୟକ ।
୭) ଦୂର ସ୍ଥାନ ବା ଯାନବାହନରେ ଗମନାଗମନ ଅବାଂଛନୀୟ ।
ଏହି ସବୁ ନିୟମ ପଞ୍ଚକର୍ମ ଚିକିତ୍ସାର ଅବଧି ମଧ୍ୟରେ ଏବଂ ପରେ ମଧ୍ୟ ସେହି ପରିମାଣର ଅବଧି ମଧ୍ୟରେ ମାନି ଚଳିବା ଉଚିତ ।


# Humble Request to all the esteemed Readers, plz visit our SWASTHYA SWARA YOUTUBE CHANNEL  & SUBSCRIBE our channel.