
ଡା. ପ୍ରଭାକର ସେଠୀ
ଶିଶୁ ରୋଗ ବିଶେଷଜ୍ଞ
କ୍ୟାପିଟାଲ୍ ହସ୍ପିଟାଲ୍
ଭୁବନେଶ୍ୱର
ସ୍ତନ୍ୟପାନ ହେଉଛି ମାଆର ନିଜ ପିଲା ପାଇଁ ସର୍ବଶ୍ରେଷ୍ଠ ଏବଂ ଅମୂଲ୍ୟ ଦାନ । ମା’ର କଷକ୍ଷୀର ନବଜାତକ ପାଇଁ ପ୍ରଥମ ପ୍ରତିଷେଧକ ଟୀକା । ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ ସନ୍ତ୍ୟପାନ କରାଇବା ନିହାତି ଜରୁରୀ । ଏହା ପିଲାକୁ ସୁସ୍ଥ, ନୀରୋଗ ରଖିବା ସହିତ ପିଲାର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରାଏ । ଶିଶୁକୁ ପ୍ରଥମ ଛଅ ମାସ କେବଳ ମା’ କ୍ଷୀର (ଟୋପାଏ ପାଣି ବି ନୁହଁ) ଖୁଆଇବା ଉଚିତ । ଛଅ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଖୁଆଇଲେ ପାଂଚବର୍ଷ ତଳକୁ ପିଲାମାନଙ୍କର ମୃତ୍ୟୁହାର ଶତକଡ଼ା ୧୩ ଭାଗ କମିଯାଏ ଏବଂ ଏହା ନବଜାତ ଶିଶୁ ମୃତ୍ୟୁହାର ରୋକିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ।

ସାଧାରଣତଃ ମାଆମାନଙ୍କର ବେଶି ଅଭିଯୋଗ ଥାଏ – ମୋର ଅଧିକ କ୍ଷୀର ହେଉନାହିଁ କିମ୍ବା ମୋ ପିଲାକୁ କ୍ଷୀର ହେଉନାହିଁ । ଏଭଳି ଅଭିଯୋଗ ନିୟମିତ ଶୁଣିବାକୁ ମିଳିଥାଏ । ଡାକ୍ତରବାବୁ କ’ଣ ଗୋଟିଏ ଲେଖିଦିଅ, ମୋ ପିଲାକୁ ଖୁଆଇବି । ଆଉ କିଛି ମା’ ପିଲା ଜନ୍ମ ହେବା ସଙ୍ଗେ ସଙ୍ଗେ ମହୁପାଣି, ମିଶ୍ରିପାଣି, ଗାଈକ୍ଷୀର, ଅମୂଲ ପାଣି ବିଭିନ୍ନ ଡବାଗୁଣ୍ଡ ପାଣିରେ ମିଶାଇ ବୋତଲରେ ଖୁଆନ୍ତି । ସେମାନେ ଜାଣନ୍ତି ନାହିଁ ଯେ ଏହା ପିଲାର କିଛି ବି ମଙ୍ଗଳ କରେ ନାହିଁ । ପରେ ଏହି ପିଲାମାନେ ମା’ କ୍ଷୀର ପ୍ରତି ବିମୂଖ ହୋଇଯାଆନ୍ତି । ପିଲାମାନଙ୍କର ଦେହ ଖରାପ ହୋଇଯାଏ । ତେବେ ଏଥିରୁ ରକ୍ଷା ପାଇବା କିପରି?
ମାଆ ଯେତେବେଳେ ପ୍ରଥମ ମାତୃତ୍ୱ ଲାଭ କରେ ସେ ଅତିଶୟ ଅଧିର, ବ୍ୟସ୍ତ ବିବ୍ରତ ଓ କିଛି ମାତ୍ରାରେ ପ୍ରତିକ୍ରିୟାଶୀଳ ହୋଇଥାଏ । ମା’କୁ ଉପଯୁକ୍ତ ଉପଦେଶ, କ୍ଷୀର ଖୁଆଇବାର ପୂର୍ବ ପ୍ରସ୍ତୁତି, ମାନସିକ ଭାବରେ ପ୍ରସ୍ତୁତି, ମାଆର ଖାଦ୍ୟ ପାନୀୟ ପ୍ରତି ଯଥେଷ୍ଟ ଧ୍ୟାନ, ସ୍ୱାସ୍ଥ୍ୟର ଯତ୍ନ, ଯଥେଷ୍ଟ ବିଶ୍ରାମ ଏବଂ ସର୍ବୋପରି ପରିବାରର ଅନ୍ୟ ସଦସ୍ୟମାନଙ୍କର ସାହାଯ୍ୟ ସହାନୁଭୂତି, ମାଆକୁ କ୍ଷୀର ଖୁଆଇବାରେ ଆଗ୍ରହ ଜନ୍ମାଏ । ତତ୍ସହିତ ସ୍ତନ୍ୟପାନ ସମ୍ବନ୍ଧୀୟ କିଛି କୌଶଳ ଯଥା – କ୍ଷୀର ଖୁଆଇବା ପ୍ରଣାଳୀ, ପିଲାକୁ ଧରିବାର କୌଶଳ, ସ୍ତନ ସହ ଶିଶୁକୁ ସଂଲଗ୍ନ କରାଇବାର ପ୍ରଣାଳୀ ମାଆମାନଙ୍କୁ ଶିକ୍ଷା ଦେବା ନିହାତି ଆବଶ୍ୟକ । ଯାହା ଫଳରେ ସେମାନଙ୍କ ନିଜ ଶିଶୁମାନଙ୍କୁ ଭଲ ଭାବରେ କ୍ଷୀର ଖୁଆଇପାରିବେ ଏବଂ ଆତ୍ମତୃପ୍ତି ପାଇବେ ।

ଆସନ୍ତୁ ଜାଣିବା ସ୍ତନ୍ୟପାନ ସମ୍ବନ୍ଧୀୟ କେତୋଟି ଜାଣିବା କଥା…
୧. ଅଭିଯୋଗ – ମାଆମାନେ କହୁଛନ୍ତି ଯେ, ତାଙ୍କର ଅଧିକ କ୍ଷୀର ହେଉନାହିଁ / ପିଲାକୁ ଯଥେଷ୍ଟ କ୍ଷୀର ହେଉନାହିଁ ।
ଉତର : ଯଦି ପିଲା ଭଲ ଭାବରେ କ୍ଷୀର ଶୋଷି ଖାଉଛି, ଖାଇବା ପରେ ୨-୩ ଘଂଟା ଶୋଉଛି, ୨୪ ଘଂଟା ଭିତରେ ୬-୮ ଥର ପରିସ୍ରା କରୁଛି ଏବଂ ଓଜନ ଠିକ୍ରେ ବଢ଼ୁଛି, ତେବେ ପିଲାକୁ କ୍ଷୀର ଠିକ୍ / ଯଥେଷ୍ଟ ହେଉଛି ।
ଏହା ସହିତ ମାଆ ମଧ୍ୟ ଅଧିକ ଖାଦ୍ୟ ଖାଇବେ, ଅଧିକ ତରଳ ପଦାର୍ଥ ପିଇବେ । ଚିନ୍ତାରୁ ମୁକ୍ତ ରହି ସହଜ ବାତାବରଣରେ ସ୍ତନ୍ୟପାନ କରାଇବେ । ଦିନବେଳେ କିଛି ସମୟ ବିଶ୍ରାମ ନେବେ । ଦିନ ଓ ରାତିରେ ବାରମ୍ବାର ସ୍ତନ୍ୟପାନ କରାନ୍ତୁ । ୨୪ ଘଂଟା ଭିତରେ ଅତି କମ୍ରେ ୮ ଥର ସ୍ତନ୍ୟପାନ କରାନ୍ତୁ । ଗୋଟିଏ ସ୍ତନର ସମ୍ପୂର୍ଣ୍ଣ କ୍ଷୀର ସରିବା ପର୍ଯ୍ୟନ୍ତ ଶିଶୁକୁ ଖୁଆନ୍ତୁ । ତା’ପରେ ଅନ୍ୟ ସ୍ତନରୁ ଖୁଆଇବେ ।

୨. ସ୍ତନ୍ୟପାନ କରିବାବେଳେ ଶିଶୁକୁ ସଠିକ୍ ରୂପେ କୋଳରେ ଧରିବାର ପ୍ରଣାଳୀ –
ପିଲାକୁ ପ୍ରଥମେ ପରିଷ୍କାର କପଡ଼ାରେ ଗୁଡ଼ାଇଧରି ଉଷୁମ ରଖିବେ । ଏହିପରି ଧରନ୍ତୁ –
ଶିଶୁର ଶରୀର ମାଆ ଦେହକୁ ଲାଗି ରହିବ
ଶିଶୁର ଦେହ ଓ ମୁଣ୍ଡ ଯେପରି ସିଧା ରହିବ
ଶିଶୁର ସମଗ୍ର ଶରୀରକୁ ଆଶ୍ରା ଦେଇ ମାଆ ଧରିବ
ଶିଶୁର ମୁହଁ ସ୍ତନ ସାମନାକୁ ରହିବ ଓ ନାକ ସ୍ତନାଗ୍ରର ଅପର ପାଶ୍ୱର୍କୁ ଥିବ
ଏହା ହିଁ ସଠିକ୍ ପ୍ରଣାଳୀ ।
୩. ଶିଶୁର ମୁହଁ ମାଆର ସ୍ତନ ସହ ସଂଲଗ୍ନ କରାଇବାର କୌଶଳ –
ଶିଶୁର ଥୋଡ଼ି / ଚିବୁକ ମାଆର ସ୍ତନରେ ଲାଗିବ
ଶିଶୁର ପାଟି ସମ୍ପୂର୍ଣ୍ଣ / ଅôଧକ ଖୋଲା ରହିବ
ଶିଶୁର ତଳ ଓଠ ବାହାରକୁ ବାହାରିଥିବ
ସ୍ତନର ଉପରପଟ (ଏରିଓଲା) , ତଳପଟ ତୁଳନାରେ ଅଧିକ ଦେଖାଯିବ ।
ଏପରି କଲେ ଶିଶୁ ମା’ କ୍ଷୀର ଭଲ ଭାବରେ ଶୋଷି ଖାଇପାରିବ ।
୪. ଶିଶୁର ପାଟିକୁ ସ୍ତନାଗ୍ରରେ କେମିତି ଲଗାଇବେ –
ଶିଶୁର ଓଠରେ ମା’ ତା’ର ସ୍ତନାଗ୍ରକୁ ଛୁଆଁଇବା ଉଚିତ
ଶିଶୁର ପାଟି ଭଲ ଭାବରେ ଖୋଲିଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ
ସଙ୍ଗେ ସଙ୍ଗେ ଶିଶୁର ମୁହଁକୁ ସ୍ତନାଗ୍ର ପାଖେ ରଖନ୍ତୁ ଯେପରିକି ଶିଶୁର ତଳଓଠ ସ୍ତନାଗ୍ର ତଳକୁ ରହିବ ।
୫. ଶିଶୁ ଭଲ ଭାବରେ ଶୋଷି ପାରୁଛି କି? ଜାଣିବେ କେମିତି –
ଯଦି ଶିଶୁ ଧୀରେ, ଗଭୀର ଭାବରେ ରହି ରହି ଖାଉଛି, ତେବେ ଶିଶୁଟି ଭଲଭାବରେ କ୍ଷୀର ଶୋଷି ପାରୁଛି । ଯଦି ଶିଶୁ ରହି ରହି ଖାଉଛି, ତେବେ କ୍ଷୀର ଢୋକିବାର ଶବ୍ଦ ମଧ୍ୟ ଶୁଣିହେବ । ଶିଶୁର ଠିକ୍ ଭାବରେ ପେଟ ପୂରିଗଲେ ସେ ନିଜେ ସ୍ତନରୁ ମୁହଁ କାଢ଼ିଦିଏ । ତା’ପରେ ସ୍ତନ ପ୍ରତି ଆଗ୍ରହ ନ ଦେଖାଇ ଶୋଇପଡ଼େ ।
୬. ଶିଶୁକୁ କେତେ ବ୍ୟବଧାନରେ ସ୍ତନ୍ୟପାନ କରାଇବେ ?
ପ୍ରତି ୨ ଘଂଟାରେ ଥରେ ସ୍ତନ୍ୟପାନ କରାଇବେ । ୨୪ ଘଂଟାରେ ଅତି କମ୍ରେ ୮ ଥର ସ୍ତନ୍ୟପାନ କରାନ୍ତୁ । ଦିନ ଓ ରାତିରେ ବାରମ୍ବାର ସ୍ତନ୍ୟପାନ କରାନ୍ତୁ । ଜାଣିରଖିବା ଉଚିତ, ରାତିରେ ସ୍ତନ୍ୟପାନ ନିହାତି ଜରୁରୀ । ଶିଶୁର ବିକାଶ ପାଇଁ ରାତିରେ ସ୍ତନ୍ୟପାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
୭. କ’ଣ କରିବା ଉଚିତ ନୁହେଁ –
ବୋତଲ, ଡମିଜ୍, ପ୍ୟାସିଫର୍ ବ୍ୟବହାର କରନ୍ତୁ ନାହିଁ
ଚିନିପାଣି, ମିଶ୍ରିପାଣି, ମହୁପାଣି, ଗ୍ରାଇପ୍ ୱାଟର, ଫର୍ମୂଲା ଫିଡିଙ୍ଗ୍, ଅମୂଲ ପାଣି, ଖାଲି ପାଣି ଶିଶୁକୁ ଆଦୌ ପିଆନ୍ତୁ ନାହିଁ ।
ରାତିରେ ଶିଶୁଙ୍କୁ କ୍ଷୀର ନ ଦେଇ ଶୋଇଯାଆନ୍ତୁ ନାହିଁ ।
ଏକକାଳୀନ ୨ଟି ସ୍ତନରୁ ଏପଟ ସେପଟ କରି କ୍ଷୀର ଖୁଆନ୍ତୁ ନାହିଁ ।
୮. ଶିଶୁ ମା’ କ୍ଷୀର ଠିକ୍ ଭାବରେ ନ ଖାଇବାର ଅନ୍ୟ କାରଣ –
ଥଣ୍ଡା ହୋଇଥିଲେ ନାକ ରୁନ୍ଧି ହୋଇଯାଇଥାଏ । ଶିଶୁ ଠିକ୍ରେ କ୍ଷୀର ଶୋଷିପାରେ ନାହିଁ । ନାକ ସଫା କରିଦେଇ ଖୁଆଇଲେ ସେ ଠିକ୍ରେ ଶୋଷି ପାରିବ ।
ଶିଶୁର ପାଟି ଭିତର ପଟ ଗାଲ, ପାଟି ଭିତର, ଜିଭରେ ଧଳାଦାଗ, କ୍ଷୀର ଛେନା ଛିଣ୍ଡିବା ଭଳି ବହଳ ଆସ୍ତରଣ ଦେଖାଯାଏ । ଉପଯୁକ୍ତ ଡାକ୍ତର ପରାମର୍ଶ କରି ଚିକିତ୍ସା କରାଇଲେ ଶିଶୁଟି ଠିକ୍ରେ କ୍ଷୀର ଖାଇପାରିବ ।
ମାଆ ସ୍ତନରେ ବଥ / ଭୁଣ୍ଡିରେ ଘାଆ ବା ଫାଟ ହୋଇଥିଲେ ଶିଶୁକୁ କ୍ଷୀର ଖୁଆଇବାରେ କଷ୍ଟ ଅନୁଭୂତ ହୁଏ । ତା’ର ଉପଯୁକ୍ତ ଚିକିତ୍ସା କଲେ ଅବିଳମ୍ବେ ଶିଶୁ କ୍ଷୀର ଖାଇପାରିବ ।
ମାଆ ସ୍ତନର ଭୁଣ୍ଡି ଭିତରକୁ ପଶିଯାଇଥିଲେ, ଶିଶୁ କ୍ଷୀର ଶୋଷିପାରେ ନାହିଁ । ଏହାକୁ ଠିକ୍ରେ ଚିକିତ୍ସା କରାଇ ଶିଶୁକୁ ମଧ୍ୟ କ୍ଷୀର ଖୁଆଇବାରେ ସାହାଯ୍ୟ କରିବା ନିହାତି ଜରୁରୀ ।
ଜୀବାଣୁ ସଂକ୍ରମଣ ମଧ୍ୟ ଅନ୍ୟ ଏକ ପ୍ରଧାନ ଓ ଗୁରୁତର କାରଣ । ଏହାର ଚିକିତ୍ସା ଖୁବ୍ ଶୀଘ୍ର କରିବାକୁ ପଡ଼େ । ନ ହେଲେ ପିଲା ମୃତ୍ୟୁମୁଖରେ ପଡ଼ିପାରେ । ଉପଯୁକ୍ତ ଚିକିତ୍ସା କରାଇ, ଶିଶୁକୁ ବିପଦମୁକ୍ତ ସ୍ତନ୍ୟପାନ କରାଇବା ଆବଶ୍ୟକ ।
ଆମେମାନେ ଏହିସବୁ ଦିଗ ପ୍ରତି ଧ୍ୟାନ ଦେଇ ଅନେକ ସମସ୍ୟାର ସମାଧାନ କରିପାରିବା ଏବଂ ଶିଶୁକୁ ମାଆର ଅମୂଲ୍ୟ ଦାନ, ଅମୃତଧାରା, ସ୍ତନ୍ୟପାନ କରାଇ ସୁସ୍ଥ ଶିଶୁ, ସୁସ୍ଥ ସମାଜ ଗଠନ କରିବା ସଙ୍ଗେ ସଙ୍ଗେ ଶିଶୁ ମୃତ୍ୟୁହାରକୁ ରୋକିପାରିବା ।
# Humble Request to all the esteemed Readers, plz visit our SWASTHYA SWARA YOUTUBE CHANNEL & SUBSCRIBE our channel.