ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଆଲେଖ୍ୟ ‘ତମାଖୁ ବର୍ଜନ: ସୁସ୍ଥ ଜୀବନ’
(ଉପସ୍ଥାପନା: ଡା. ଗୌରୀଶଙ୍କର ପଣ୍ଡା)

ବର୍ତମାନ ସାରା ବିଶ୍ୱରେ ‘ତମାଖୁ ସେବନ’ ଏକ ଗୁରୁତର ସମସ୍ୟା ରୂପେ ମୁଣ୍ଡ ଟେକିଲାଣି । ତମାଖୁ ସେବନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମଇ ମାସ ୩୧ ତାରିଖରେ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ କରାଯାଏ ।

ପ୍ରତି ବର୍ଷ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଥିମ୍‌କୁ ନେଇ ଏହି ଦିବସ ପାଳିତ ହୁଏ । ପରିବେଶ ଉପରେ ତମାଖୁ ଉତ୍ପାଦନର ଭୟାବହତା ଏବଂ ମଣିଷ ଶରୀରରେ ତମାଖୁ ସେବନ ଜନିତ କୁପ୍ରଭାବକୁ ନେଇ ଚଳିତ ବର୍ଷର ଥିମ୍ ପ୍ରସ୍ତୁତ ହୋଇଛି । ତମାଖୁର ଉତ୍ପାଦନ ଠାରୁ ଉପଯୋଗ ଯାଏଁ ପରିବେଶ ପ୍ରଚୁର ମାତ୍ରାରେ ପ୍ରଦୂଷିତ ହେବା ସହ ଅନେକ ପ୍ରାକୃତିକ ସମ୍ପଦକୁ ବି ନଷ୍ଟ ହୋଇଥାଏ । ଏହା ସହ ମନୁଷ୍ୟର ସ୍ୱାସ୍ଥ୍ୟ ମଧ୍ୟ ପ୍ରତକ୍ଷ୍ୟରୂପେ କ୍ଷତିଗ୍ରସ୍ତ ହୋଇଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ କହେ, ସିଗାରେଟ୍ ତିଆରି ପାଇଁ ପ୍ରତିବର୍ଷ ପ୍ରାୟ ୬୦ କୋଟି ଗଛ କଟାଯାଇଥାଏ ଓ ୮.୪ କୋଟି ଟନ୍ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶି ଏହାକୁ ପ୍ରଦୂଷିତ କରିଥାନ୍ତି; ଯାହାକି ପୃଥିବୀର ତାପମାତ୍ରା ବୃଦ୍ଧିର ମଧ୍ୟ ଅନ୍ୟତମ କାରଣ ପାଲଟେ । ଏହା ବ୍ୟତୀତ ସିଗାରେଟ୍ ପ୍ରସ୍ତୁତିରେ ପ୍ରତିବର୍ଷ ପ୍ରାୟ ୨୨୦୦ କୋଟି ଟନ୍ ପାଣି ବ୍ୟବହୃତ ହୋଇଥାଏ । ଏଥିରୁ ଚିନ୍ତା କରନ୍ତୁ, ଆମ ପ୍ରକୃତି ଏଥିରେ କେତେ କ୍ଷତିଗ୍ରସ୍ତ ହେଉଛି ତଥା ଏହା ଦ୍ୱାରା ପରିବେଶ ସନ୍ତୁଳନ ବି କେତେ ବିଗିଡିଯାଉଛି!

ତମାଖୁକୁ ଅନେକ ପ୍ରକାରରେ ସେବନ କରାଯାଇଥାଏ । ଯଥା – ସିଗାରେଟ୍‌, ସିଗାର୍‌, ହୁକ୍କା, ଚିଲମ, ବିଡ଼ି ଭଳି ଧୂଆଁଯୁକ୍ତ ତମାଖୁ ଏବଂ ଖଇନି, ଗୁଟ୍‌ଖା, ଭାଙ୍ଗ, ଗୁଡ଼ାଖୁ ଭଳି ଧୂଆଁବିହୀନ ତମାଖୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟାନୁଯାୟୀ ତମାଖୁ ସେବନ କାରଣରୁ ପ୍ରତିବର୍ଷ ୮ ମିଲିୟନ୍ ଲୋକ ମୃତ୍ୟୁମୁଖରେ ପଡ଼ନ୍ତି ଏବଂ ସେଥିରୁ ୧.୨ ମିଲିୟନ୍ ବ୍ୟକ୍ତି ସେକେଣ୍ଡ୍ ହ୍ୟାଣ୍ଡ୍ ସ୍ମୋକ୍ (ନିଜେ ଧୂମପାନ ନ କଲେ ମଧ୍ୟ ତମାଖୁ ଧୂଆଁ ସଂସ୍ପର୍ଶରେ ଆସିବା)ର କୁପ୍ରଭାବ ଦ୍ୱାରା ମୃତ୍ୟୁବରଣ କରିଥାନ୍ତି ।

ଭାରତରେ ତମାଖୁ ସେବନ ସମସ୍ୟା ଅତି ଉତ୍କଟ । ୧୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଭାରତୀୟମାନଙ୍କ ମଧ୍ୟରୁ ୨୯% ବ୍ୟକ୍ତି କିଛି ନା କିଛି ତମାଖୁ ବ୍ୟବହାର କରୁଛନ୍ତି । ୨୦୧୬-୧୭ରେ ହୋଇଥିବା ‘ଗ୍ଲୋବାଲ୍ ଆଡଲ୍ଟ ଟବାକୋ ସର୍ଭେ’ ନାମକ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଭାରତରେ ପ୍ରାୟ ପ୍ରତି ୧୦ ଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଧୂମପାନ କରନ୍ତି ଏବଂ ପ୍ରାୟ ପ୍ରତି ୫ ଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଧୂଆଁବିହୀନ ତମାଖୁ ସେବନ କରନ୍ତି । ପ୍ରାୟ ୩.୨ କୋଟି ଭାରତୀୟ ଉଭୟ ଧୂଆଁବିହୀନ ଓ ଧୂଆଁଯୁକ୍ତ ତମାଖୁ ସେବନ କରନ୍ତି ।

ତମାଖୁ ସେବନ ଦ୍ୱାରା ଶାରୀରିକ କ୍ଷତି
ତମାଖୁ ଭାରି ମାରାତ୍ମକ । ଶରୀରର ବିଭିନ୍ନ ଅଙ୍ଗକୁ ଏହା ପ୍ରଭାବିତ କରିପାରେ । ତମାଖୁ ସେବନ ଦ୍ୱାରା ମୁଖଗହ୍ୱର କର୍କଟ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଏ । ଭାରତରେ ମୁଖଗହ୍ୱର କର୍କଟ ରୋଗ ବହୁଳ ପରିମାଣରେ ଦେଖାଯାଏ । ଧୂମପାନ କରିବା ଦ୍ୱାରା ହୃତ୍‌ଘାତ, ବିଭିନ୍ନ ପ୍ରକାରର ହୃଦ୍‌ରୋଗ, ନିମୋନିଆ, ଦୀର୍ଘଦିନ ଧରି ଫୁସ୍‌ଫୁସ୍ ଜନିତ ସମସ୍ୟା, କାସ, ଶ୍ୱାସରୋଗ ଆଦି ଦୀର୍ଘସ୍ଥାୟୀ ରୋଗ ଏବଂ ବିଭିନ୍ନ ପ୍ରକାର କର୍କଟ ରୋଗ ଦେଖାଯିବାର ଆଶଙ୍କା ରହିଥାଏ । ଚକ୍ଷୁସମସ୍ୟା ଓ ଗଳା ସମସ୍ୟା ବି ଦେଖାଯାଇପାରେ । ମହିଳାମାନଙ୍କଠାରେ ବନ୍ଧ୍ୟାତ୍ୱ, ଗର୍ଭାବସ୍ଥାରେ ବିଭିନ୍ନ ଅସୁବିଧା, ସମୟ ପୂର୍ବରୁ ଛୁଆ ଜନ୍ମ ହେବା, ଓ ଅଳ୍ପ ଓଜନ ବିଶିଷ୍ଟ ଛୁଆ ଆଦି ସମସ୍ୟା ଦେଖାଯିବାର ଆଶଙ୍କା ଥାଏ । ତମାଖୁରେ ‘ନିକୋଟିନ୍‌’ ଭଳି ଅନେକ ରାସାୟନିକ ତତ୍ତ୍ୱ ରହିଛି, ଯାହାକି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ତମାଖୁର ଅନେକ ଉପାଦାନ କର୍କଟ ରୋଗ ହେବାର ଆଶଙ୍କା ବୃଦ୍ଧି କରିଥାନ୍ତି । କ୍ଷୁଧା ନାଶ ଓ ଓଜନ ହ୍ରାସ ଭଳି ସମସ୍ୟା ଉପୁଜେ । ଯୌନ ଅକ୍ଷମତା ଦେଖାଯାଏ । ତମାଖୁ ଧୂଆଁ ସଂସ୍ପର୍ଶରେ ଆସିଲେ ଶିଶୁମାନଙ୍କ ଶ୍ୱାସକ୍ରିୟା ସମସ୍ୟା ଓ ଶ୍ୱାସରୋଗ ପରି ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥାଏ । ନିଦ ଭଲ ହୁଏ ନାହିଁ ତଥା ମାନସିକ ଚାପ ବୃଦ୍ଧି ପାଏ । ଏତଦ୍‌ବ୍ୟତୀତ ଆହୁରି ଅନେକ ଶାରୀରିକ ଓ ମାନସିକ ସମସ୍ୟା ଦେଖାଯାଏ ।

ଭାରତରେ ତମାଖୁ ସେବନ ନିୟନ୍ତ୍ରଣର ଆଇନଗତ ଦିଗ
ଭାରତୀୟ ସମ୍ବିଧାନରେ ବିଭିନ୍ନ ସମୟରେ ଆଇନ ପ୍ରଣୟନ ହୋଇଛି । ତଥାପି ତମାଖୁ ବିକ୍ରୟ ଓ ସେବନ ଆଶାମୁତାବକ କମିନାହିଁ । ୨୦୦୩ ମସିହାରେ କୋଟ୍‌ପା (ସିଗାରେଟ୍‌ସ ଆଣ୍ଡ୍ ଅଦର୍ ଟବାକୋ ପ୍ରଡକ୍ଟସ୍‌) ଆଇନ ପ୍ରଣୟନ ହୋଇଥିଲା । ଏଥିରେ ସିଗାର୍‌, ବିଡ଼ି, ହୁକ୍‌କା, ତମାଖୁ ଚୋବାଇବା, ପାନମସଲା ଏବଂ ଗୁଟଖା ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତମାଖୁ ସେବନ ବିରୁଦ୍ଧରେ ଜନସଚେତନତା ସୃଷ୍ଟି ପାଇଁ ଏବଂ କୋଟ୍‌ପା ଆଇନ (୨୦୦୩)ର ସଠିକ୍ ପ୍ରଣୟନ ପାଇଁ ‘ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ’ (ଏନ୍‌ଟିସିପି) ୨୦୦୭-୦୮ରୁ ଆରମ୍ଭ ହୋଇଛି ।

ଦୁଃଖର ବିଷୟ, ତମାଖୁ ସେବନ ନିୟନ୍ତ୍ରଣରେ ଏହି ସବୁ ଆଇନ ଓ ଯୋଜନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । କେବଳ କିଛି ସର୍ବସାଧାରଣ ସ୍ଥଳ ଯଥା ସିନେମାହଲ୍‌, ରେଳ ଷ୍ଟେସନ୍‌, ହସ୍ପିଟାଲ୍‌, ସପିଙ୍ଗ୍ ମଲ୍‌, କୋର୍ଟ ଆଦିରେ ତମାଖୁ ସେବନ ନିୟନ୍ତ୍ରିତ ହୋଇପାରିଛି ଏବଂ ତମାଖୁ ପ୍ୟାକେଟ୍ ଉପରେ ବୈଧାନିକ ସତର୍କତା ଲେଖା ହୋଇପାରିଛି । ମାତ୍ର ଏବେ ବି ୧୮ ବର୍ଷ ବୟସରୁ କମ୍ ପିଲା ତମାଖୁ କିଣି ପାରୁଛନ୍ତି ଓ ସର୍ବସମ୍ମୁଖରେ ସେବନ ବି କରିପାରୁଛନ୍ତି । ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର୍ ବ୍ୟାସାର୍ଦ୍ଧ ଭିତରେ ମଧ୍ୟ ଖୁଲମ୍‌ଖୁଲ୍ଲା ତମାଖୁ ବିକ୍ରି ଚାଲିଛି । ଏପରିକି ଟ୍ରେନ୍ ଭିତରେ ବି ତମାଖୁ ବିକ୍ରି ଚାଲିଛି । ପ୍ରକୃତରେ ତମାଖୁର ଅବାଧ ବିକ୍ରି ଏବଂ ଅବାଧ ସେବନ ହିଁ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ପ୍ରତିପାଦିତ କରୁଛନ୍ତି ।

ସରକାରୀ ସ୍ତରରେ ତମାଖୁ ସେବନ ନିୟନ୍ତ୍ରଣର ସମସ୍ତ ନୀୟମକୁ କଡାକଡି ଭାବେ ପାଳନ କଲେ ନିଶ୍ଚିତ ଭାବରେ ତମାଖୁର ବ୍ୟବହାର କମିବ ବୋଲି ଆଶା କରାଯାଏ । କିନ୍ତୁ ଏଥିରେ ଜନସାଧାରଣଙ୍କ ସହଯୋଗ ମଧ୍ୟ ରହିବା ନିହାତି ଆବଶ୍ୟକ ।

ତମାଖୁ ବର୍ଜନ କରିବେ କିପରି?
କୌଣସି ଏକ ବଦଭ୍ୟାସକୁ ତ୍ୟାଗ କରିବା ନିଷ୍ପତି ନିଶ୍ଚିତ ଭାବେ କଷ୍ଟକର; କିନ୍ତୁ ଅସମ୍ଭବ ନୁହେଁ । ଏଥିପାଇଁ ଆତ୍ମସଂଯମ ତଥା ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ । ନିଜେ ହିଁ ପ୍ରଥମେ ଦୃଢ଼ ସଂକଳ୍ପ ନିଅନ୍ତୁ- ‘ମୁଁ ଆଜିଠୁ ତମାଖୁ ସେବନ କରିବି ନାହିଁ ।’ ତମାଖୁ ସେବନ ଭଳି ବଦଭ୍ୟାସ ଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କର ମଧ୍ୟ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ଯେତେ ସମ୍ଭବ ତମାଖୁ ସେବନ କରୁଥିବା ବ୍ୟକ୍ତିଙ୍କୁ ବୁଝାନ୍ତୁ । ତମାଖୁ ସେବନ କରୁଥିବା ବ୍ୟକ୍ତଙ୍କ ଠାରୁ ଦୂରେଇ ରୁହନ୍ତୁ । ଜୀବନ ପ୍ରତି ସକାରାତ୍ମକ ମନୋଭାବ ବୃଦ୍ଧି କରନ୍ତୁ । ଆବଶ୍ୟକ ପଡ଼ିଲେ ନିକଟସ୍ଥ ନିଶାମୁକ୍ତି କେନ୍ଦ୍ରକୁ ଯାଇ ନିଜର ଚିକିତ୍ସା କରାନ୍ତୁ ।

 

‘ନିକୋଟିନ୍ ରିପ୍ଲେସ୍‌ମେଣ୍ଟ ଥେରାପି (NRT)’ ଏ କ୍ଷେତ୍ରରେ ଉପଯୋଗୀ; ଯେଉଁଥିରେ ପ୍ୟାଚ୍‌, ଚ୍ୟୁଇଙ୍ଗ୍ ଗମ୍‌, ନାଜାଲ୍ ସ୍ପ୍ରେ ତଥା ଇନ୍‌ହେଲର୍ ଆଦି ଅନ୍ତର୍ଭୁକ୍ତ । ଡାକ୍ତରଙ୍କ ପରାମର୍ଶ ନେଇ ନିକୋଟିନ୍ ରିପ୍ଲେସ୍‌ମେଣ୍ଟ ଥେରାପି ଆରମ୍ଭ କରନ୍ତୁ । ସୁଷମ ଖାଦ୍ୟ ଖାଆନ୍ତୁ । ମାନସିକ ଚାପରୁ ଦୂରେଇ ରହିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରନ୍ତୁ ଏବଂ ଆବଶ୍ୟକସ୍ଥଳେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ । ଯୋଗ, ପ୍ରାଣାୟାମ କରି ମନକୁ ସ୍ଥିର ରଖନ୍ତୁ । ଶାରୀରିକ ବ୍ୟାୟାମ କରନ୍ତୁ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାନ୍ତୁ । ତମାଖୁ ସେବନର ଅପକାରିତା ସମ୍ବନ୍ଧରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ ।

ଜୀବନ ବହୁତ ମୂଲ୍ୟବାନ । ତମାଖୁ ପାଇଁ ଏହାକୁ ଅକାଳରେ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ । ଜୀବନକୁ ସରସ ସୁନ୍ଦର କରିବା ଆପଣଙ୍କ ହାତରେ । ତମାଖୁ ବର୍ଜନ କରନ୍ତୁ, ସୁସ୍ଥ ରୁହନ୍ତୁ ।