
ପ୍ରଫେସର୍ ଡା. ସନାତନ ରଥ
ନ୍ୟୁରୋସର୍ଜନ, କଟକ
ଅପସ୍ମାର ବା ଏପିଲେପ୍ସି ରେ ସମାଜର ପ୍ରତି ହଜାରରେ ୫ ଜଣ ଆକ୍ରାନ୍ତ ହୋଇଥାଆନ୍ତି । ଗ୍ରାମାଂଚଳରେ ଏହାକୁ ମୂର୍ଚ୍ଛାରୋଗ ବା ଆକାଶମାରୀ ରୋଗ ବୋଲି କୁହାଯାଏ କାରଣ ଏହା ଯେପରି ଆକସ୍ମିକ ଭାବରେ ଆରମ୍ଭ ହୁଏ ସେପରି ଆକସ୍ମିକ ଭାବରେ ଚାଲିଯାଏ ଓ କ୍ରମାଗତ ଭାବରେ ଆକ୍ରମଣ କରିଥାଏ । ରୋଗୀ ମୂର୍ଚ୍ଛା ହେବା ପୂର୍ବରୁ ଅସ୍ୱାଭାବିକ ବ୍ୟବହାର ଦେଖାଉଥିବାରୁ ଲୋକେ ଏହାକୁ ଗୁଣି ଗାରେଡ଼ି ବୋଲି ଧରିନେଇ ଝଡ଼ାଫୁଙ୍କା ଉପରେ ନିର୍ଭର କରି ରହନ୍ତି । କିନ୍ତୁ ଅପସ୍ମାର ରୋଗ କେତେକ ସାଧାରଣ କାରଣରୁ ଆରମ୍ଭ କରି ଗୁରୁତର ମସ୍ତିଷ୍କ ବାହ୍ୟ ଲକ୍ଷଣ ହୋଇପାରେ । ସେଥିପାଇଁ ରୋଗର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ଏହାର ସଠିକ କାରଣ ନିରୂପଣ କରିବା ବିଶେଷ ଆବଶ୍ୟକ ଓ ଦେହ ଅନୁଯାୟୀ ଔଷଧ ବା ଅସ୍ତ୍ର ଚିକିତ୍ସା କଲେ ରୋଗୀ ଆରୋଗ୍ୟଲାଭ କରେ, ଚିକିତ୍ସାରେ ହେଳା କଲେ ରୋଗୀର ଜୀବନ ପ୍ରତି ବିପଦ ରହେ । ସେଥିପାଇଁ ଦୀର୍ଘଦିନ ଧରି ମୂର୍ଚ୍ଛାରୋଗର କାରଣ ନିର୍ଣ୍ଣୟ ଓ ଚିକିତ୍ସା ପ୍ରଣାଳୀ ଆବଷ୍କାର ପାଇଁ ଗବେଷଣା ହୋଇ ଆସୁଅଛି । ହିଉଲିଙ୍ଗସ ଜ୍ୟାକସନ୍ ପ୍ରଥମେ ମସ୍ତିଷ୍କ ଭିତରେ ହଠାତ୍ ପ୍ରଭୂତ ଭାବରେ ତଡ଼ିତ ପ୍ରବାହ ହୋଇ ତାହା ଫଳରେ ଅଙ୍ଗପ୍ରତ୍ୟଙ୍ଗରେ ସଂକୋଚନ ଓ ପ୍ରସାରଣ କ୍ରିୟା ଜାତ ହେଉଥିବା ଅପସ୍ମାର ରୋଗର କାରଣ ବୋଲି ଆବିଷ୍କାର କରିଥିଲେ । ପରେ ପରେ ଆଧୁନିକ ଗବେଷଣା ଦ୍ୱାରା ଏ ରୋଗ ନିର୍ଣ୍ଣୟର ବିଭିନ୍ନ କାରଣ ଓ ସଠିକ୍ ଚିକିତ୍ସା ପ୍ରଣାଳୀମାନ ଆବିଷ୍କାର କରାଯାଇଛି ।

କାରଣ :
ଅପସ୍ମାର ରୋଗରେ ନବଜାତ ଶିଶୁଠାରୁ ଆରମ୍ଭ କରି ଯେ କୌଣସି ବୟସର ମନୁଷ୍ୟ ଆକ୍ରାନ୍ତ ହୁଅନ୍ତି । ଜନ୍ମ ସମୟରେ ମସ୍ତିଷ୍କରେ ଆଘାତ ଲାଗିଲେ, ଜନ୍ମ ପରେ ମସ୍ତିଷ୍କ ଯଥାର୍ଥ ଭାବରେ ବୃଦ୍ଧି ନ ପାଇଲେ ବା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଲେ ଅପସ୍ମାର ରୋଗ ଛୋଟ ଶିଶୁମାନଙ୍କଠାରେ ଦେଖାଯାଏ । ପରବର୍ତୀ ସମୟରେ ମସ୍ତିଷ୍କରେ ଅର୍ବୁର୍ଦ ବା ଟ୍ୟୁମର୍ ହେଲେ, ମସ୍ତିଷ୍କରେ ଆଘାତ ଲାଗିଲେ, ମସ୍ତିଷ୍କର ରକ୍ତବାହୀ ନଳୀଗୁଡ଼ିକ ଅସ୍ୱାଭାବିକ ଭାବରେ ଗଠିତ ହୋଇଥିଲେ, ମସ୍ତିଷ୍କର ସୂକ୍ଷ୍ମ ସ୍ନାୟୁ ଜୀବାଣୁ ବା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ, ମସ୍ତିଷ୍କ କ୍ଷୟ ହେଲେ ଓ ଶରୀରର ଅନ୍ୟ କେତେକ ବିଭ୍ରାନ୍ତି ଯଥା ଅତ୍ୟଧିକ ମଦ୍ୟପାନ, ନିଶା ଔଷଧ ସେବନ, ଅମ୍ଳଜାନର ଅଭାବ ଇତ୍ୟାଦି ଅପସ୍ମାର ରୋଗର କାରଣ ହୋଇପାରେ ।

ଲକ୍ଷଣ :
ମୂର୍ଚ୍ଛାରୋଗ କିଛି ଦିନ ବା ମାସ ବ୍ୟବଧାନରେ ହେବାଠାରୁ ଆରମ୍ଭ କରି ବି ଅନେକଥର ଯାଏଁ ଆକ୍ରମଣ କରିପାରେ । ରୋଗ ଆରମ୍ଭ ହେବା ପୂର୍ବରୁ କେତେକ ଅସ୍ୱାଭାବିକ ଲକ୍ଷଣ ଯଥା ମାନସିକ ଅସ୍ଥିରତା ଦେଖାଯାଏ । ପେଟରେ ବେଦନା ହେବା, ପାଟିରେ ବିଭିନ୍ନ ସ୍ୱାଦ ଜଣାପଡ଼ିବା, ଆଖି ଆଗରେ ବିଭିିନ୍ନ ଆକୃତି ଦେଖାଯିବା ବା କାନ ପାଖରେ ନାନା ପ୍ରକାର ଶବ୍ଦ ଶୁଣାଯିବା ଇତ୍ୟାଦି ଦେଖାଯାଇପାରେ । ରୋଗୀ ନିଜର ଅଭିଜ୍ଞତାରୁ ଏହି ସବୁ ଲକ୍ଷଣକୁ ମୂର୍ଚ୍ଛା ହେବାର ପୂର୍ବାଭାଷ ଜାଣି ସାବଧାନ ହୋଇଥାଏ । ଅଳ୍ପ ସମୟ ଭିତରେ ରୋଗୀ ହାତ, ଗୋଡ଼ ଛାଟେ, ପାଟିରୁ ଫେଣ ବାହାରେ, ଆଖି ବଡ଼ ବଡ଼ ହୋଇଯାଏ, ଜିଭ ବାହାରକୁ ବାହାରି ଆସେ ଓ ମୁଣ୍ଡ ମୋଡ଼ି ରୋଗୀ କିଛି ସମୟ ଚେତାଶୂନ୍ୟ ହୋଇ ରହେ । କେତେକ କ୍ଷେତ୍ରରେ ଅଜାଣତରେ ଝାଡ଼ା, ପରିସ୍ରା ନିର୍ଗତ ହୋଇଯାଇପାରେ । ଏହା ବ୍ୟତୀତ ମାଇନର ଆଟାକ୍ ବା ପେଟିଟ୍ମାଲ୍ ସିଜର୍ ଛୋଟ ପିଲାକୁ ଦିନ ଭିତରେ ୧୦/୨୦ ବା ୧୦୦ ଥର ଆକ୍ରମଣ କରିପାରେ । ଏଥିରେ ପିଲା ଖାଉଥିବା, ଖେଳୁଥିବା ବା କଥା କହୁଥିବା ସମୟରେ ହଠାତ୍ କିଛି ସେକେଣ୍ଡ ଅଚଳ ରହିଯାଏ ଓ ଆଖିଡୋଳା ଉପରକୁ ବୁଲିଯାଇ ମୁହଁର ଭଙ୍ଗୀ ବଦଳି ଯାଏ ଅଥବା ହଠାତ୍ ବିନା କାରଣରେ ପଡ଼ିଯାଏ ଓ କିଛି ସେକେଣ୍ଡ ମଧ୍ୟରେ ରୋଗୀ ସାମାନ୍ୟ ଅବସ୍ଥାକୁ ଫେରିଆସେ ।

ଅପସ୍ମାର ରୋଗର ଚିକିତ୍ସା କରାନଗଲେ ଓ ତାହା ବାରମ୍ବାର ଆକ୍ରମଣ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି କରେ । ଏହା ଫଳରେ ରୋଗୀ ଦୀର୍ଘ ସମୟ ସଂଜ୍ଞହୀନ ହୋଇ ରହେ । ମସ୍ତିଷ୍କକୁ ରକ୍ତପ୍ରବାହ ବନ୍ଦ ହୋଇଯାଏ ଓ ପାକସ୍ଥଳୀର ଖାଦ୍ୟ ଶ୍ୱାସନଳୀରେ ପ୍ରବେଶ କରିବା ଫଳରେ ଶ୍ୱାସରୁଦ୍ଧ ହୋଇ ରୋଗୀର ମୃତ୍ୟୁ ହୁଏ । ଏହାଛଡ଼ା ଯାନବାହନ ଚଳାଉଥିବା ଅବସ୍ଥାରେ, ପାଣିରେ ବୁଡ଼ି ଗାଧୋଉଥିବା ସମୟରେ କିମ୍ବା ଉଚ୍ଚସ୍ଥାନରେ ଠିଆ ହୋଇଥିବା ସମୟରେ ମୂର୍ଚ୍ଛାରୋଗ ଆକ୍ରମଣ କଲେ ଆକସ୍ମିକ ଦୁର୍ଘଟଣା ଘଟି ରୋଗୀର ମୃତ୍ୟୁ ହୋଇଥାଏ ।
ଅପସ୍ମାରର କାରଣ ନିର୍ଣ୍ଣୟ ପାଇଁ ମସ୍ତିଷ୍କର ବିଭିନ୍ନ ପରୀକ୍ଷା ଯଥା- ଇଲେକ୍ଟ୍ରୋ ଏନ୍ସେଫାଲୋଗ୍ରାମ୍,ରେଡିଓ ଆଇସୋଟୋପ୍ ସ୍କାନ, ଏକ୍ସ-ରେ, ସିଟି ସ୍କାନ୍, ଏମ୍ଆର୍ଆଇ ଇତ୍ୟାଦି କରାଯାଇଥାଏ ଓ ଆବଶ୍ୟକତା ଅନୁଯାୟୀ ଔଷଧ ଚିକିତ୍ସା ବା ମସ୍ତିଷ୍କର ଶଲ୍ୟ ଚିକିତ୍ସା କରାଯାଇଥାଏ । ଏହା ସହିତ ରୋଗୀର ନିକଟ ଆତ୍ମୀୟମାନେ ବାତ ମାରୁଥିବା ସମୟରେ ନିମ୍ନୋକ୍ତ ସାବଧାନତା ଅବଲମ୍ବନ କରିବା ଦିଗରେ ସଚେତନ ରହିବା ଉଚିତ ।

(୧) ବାତ ମାରିବାକୁ ଆରମ୍ଭ କଲେ ରୋଗୀକୁ ଖୋଲା ଚଟାଣ ଉପରେ ଲମ୍ବ ଭାବରେ ଶୁଆଇ ଦିଅନ୍ତୁ ।
(୨) ବାତ ମାରୁଥିବା ଅବସ୍ଥାରେ ତା’ର ହାତଗୋଡ଼କୁ ଜୋର୍ରେ ମାଡ଼ି ନ ବସି ତା’ ଦେହର ଲୁଗା, ବିଶେଷ କରି ବେକ ପାଖରେ ଥିବା ପୋଷାକର ବୋତାମ ଖୋଲି ଦିିଆଯାଏ ଓ ଦାନ୍ତ ଫାଙ୍କରେ ଜିଭ କାମୁଡ଼ି ହୋଇ ଖଣ୍ଡିଆ ହୋଇନଯିବା ପାଇଁ ରୁମାଲ ଗୁଡ଼ାଇ ପୂରାଇ ଦିଆଯାଇପାରେ । ଏହି ସମୟରେ ରୋଗୀ ପାଟି ଭିତରେ ଆଙ୍ଗୁଠି ପୂରାଇବା ଅନୁଚିତ କାରଣ ଏହା ଫଳରେ ଦାନ୍ତ ଫାଙ୍କରେ ଜାବ ପଡ଼ି କ୍ଷତ ବିକ୍ଷତ ହୋଇଯାଇପାରେ । ରୋଗୀ ସଂଜ୍ଞାହୀନ ହୋଇଯିବା ପରେ ପାଟିରୁ ବାହାରୁଥିବା ନାଳ ଓ ଫେଣ ଶ୍ୱାସନଳୀ ମଧ୍ୟରେ ପଶି ଶ୍ୱାସରୁଦ୍ଧ କରାଇବାର ଆଶଙ୍କା ରହୁଥିବାରୁ ସଂଜ୍ଞାହୀନ ବ୍ୟକ୍ତିକୁ ଚିତ୍ କରି ନ ଶୁଆଇ ମୁଣ୍ଡକୁ ଗୋଟିଏ କଡ଼କୁ ମୋଡ଼ି ରଖିଲେ ଏହି ନାଳ ଲାଳ ପାଟିରୁ ବାହାରକୁ ବାହାରିଯାଏ ।
(୩) ରୋଗୀ ସଂଜ୍ଞା ଫେରି ପାଇବା ପରେ ଦୀର୍ଘ ସମୟ ଶୋଇରହେ ବା ଏ ସମୟରେ ଅସ୍ୱାଭାବିକ ବ୍ୟବହାର କରିପାରେ । ତେଣୁ ଏଥିପ୍ରତି ସଚେତନ ନ ରହିଲେ ରୋଗୀ ଉତ୍ୟକ୍ତ କାଣ୍ଡ ଘଟାଇପାରେ ।
ରୋଗୀ ମୂର୍ଚ୍ଛା ହେବା ସମୟରେ ଏସବୁ ସାବଧାନତା ଅବଲମ୍ବନ କରିବା ସହ ଯଥା ସମୟରେ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ପରୀକ୍ଷା ଓ ଚିକିତ୍ସା କରିବା ବିଧେୟ । ଅନେକ କ୍ଷେତ୍ରରେ ଅପସ୍ମାର ରୋଗ ଅତି ସାଧାରଣ କାରଣରୁ ହୋଇଥାଏ ଓ କିଛି ମାସ ନିୟମିତ ଔଷଧ ବ୍ୟବହାର କଲେ ରୋଗୀ ଆରୋଗ୍ୟଲାଭ କରେ । କେତେକ କ୍ଷେତ୍ରରେ ମସ୍ତିଷ୍କ ଭିତରେ ବ୍ୟାଧି, ବିଶେଷରେ ବ୍ରେନ୍ ଟ୍ୟୁମର୍ ଇତ୍ୟାଦି ଅପସ୍ମାରର କାରଣ ହୋଇଥିଲେ ତାହା ମାମୁଲି ଔଷଧ ଚିକିତ୍ସାରେ ଭଲ ହୁଏ ନାହିଁ । କେତେକ ବିଶେଷ ଔଷଧ ବ୍ୟବହାର ଦ୍ୱାରା ଏହି ରୋଗ ଶତକଡ଼ା ୯୦ କ୍ଷେତ୍ରରେ ପୂରା ଉପଶମ ହୋଇପାରେ । ଔଷଧ ଦ୍ୱାରା ଉପଶମ ନ ହେଲେ, ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇ ରୋଗ ନିରାକରଣ କରାଯାଇପାରେ । ରୋଗର ପ୍ରକୋପ କ୍ରମଶଃ ବଢ଼ିବା ସହ ମୁଣ୍ଡବିନ୍ଧା, ବାନ୍ତି, ଚକ୍ଷୁ ବକ୍ର ହେବା ବା ପକ୍ଷାଘାତ ଇତ୍ୟାଦି ମୂର୍ଚ୍ଛାରୋଗ ସହ ଦେଖାଗଲେ ବା ନିୟମିତ ଔଷଧ ଚିକିତ୍ସା ପରେ ମଧ୍ୟ ରୋଗ ଉପଶମ ନ ହେଲେ ମସ୍ତିଷ୍କ ଭିତରେ ବିଶେଷ ବ୍ୟାଧିର ଆଶଙ୍କା କରି ଅଭିଜ୍ଞ ସ୍ନାୟୁ ବିଶେଷଜ୍ଞଙ୍କର ପରାମର୍ଶ ଲୋଡ଼ିବା ଉଚିତ ।
ସାମାଜିକ କାରଣ :
ମୂର୍ଚ୍ଛାରୋଗ ବିଷୟରେ ସାମାଜିକ ଅଜ୍ଞତା ହେତୁ ରୋଗୀ କେତେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅପସ୍ମାର ରୋଗୀକୁ ମାନସିକ ବିକୃତି ବା ଶାରୀରିକ ଅକ୍ଷମ, ବିବାହ ଓ ଗର୍ଭଧାରଣ ପାଇଁ ଅନୁପଯୁକ୍ତ ବୋଲି ଭାବିବା ଏବଂ ସେମାନଙ୍କର ଭବିଷ୍ୟତ ବଂଶଧରକୁ ଏହି ରୋଗ ବ୍ୟାପିବାର ଆଶଙ୍କା କରିବା ଅନୁଚିତ । ମୂର୍ଚ୍ଛା ରୋଗରେ ହଜାରରେ ୫ ଜଣ ଆକ୍ରାନ୍ତ ହେଉଥିବାରୁ ଓ ରୋଗୀ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବାରୁ ଅପସ୍ମାର ରୋଗକୁ ଏକ ସାମାଜିକ ସମସ୍ୟା ଭାବରେ ଗ୍ରହଣ କରିବା ଉଚିତ । ମୂର୍ଚ୍ଛାରୋଗ ବିଷୟରେ ସର୍ବସାଧାରଣଙ୍କର ଅଜ୍ଞତା ହେତୁ ପିଲାମାନଙ୍କର ପାଠପଢ଼ା, କର୍ମସଂସ୍ଥାନ, ବିବାହ, ଗର୍ଭଧାରଣ ଓ ଯାନବାହନ ଯାତ୍ରାରେ କେତେକ ସାମାଜିକ ବାଧା ଦେଖାଯାଇଥାଏ । ମାତ୍ର ଚିକିତ୍ସକଙ୍କ ସହ ଆଲୋଚନା କରି ଏବିଷୟରେ କ୍ୟାରିୟର ପ୍ଲାନିଂ କରାଯାଇପାରେ ।
ପାଠପଢ଼ା (ସ୍କୁଲିଂ) :
ଶତକଡ଼ା ୮୦ ଭାଗ ମୂର୍ଚ୍ଛାରୋଗାକ୍ରାନ୍ତ ଛାତ୍ରଙ୍କର ପଢ଼ାପଢ଼ି ଓ ସ୍ମରଣଶକ୍ତିରେ ବାଧା ନଥାଏ ଓ ଛାତ୍ରକୁ ନିୟମିତ ଔଷଧ ଚିକିତ୍ସା ସହ ସ୍କୁଲକୁ ପଠାଇବା ଉଚିତ । ମାତ୍ର ଅତ୍ୟଧିକ ଶାରୀରିକ ମାନସିକ ପରିଶ୍ରମ, ଖେଳ କସରତ ବା ପହଁରା ନ କରିବା ଓ ଶ୍ରେଣୀର ଶିକ୍ଷକ ଛାତ୍ର ଉପରେ ଏ ଦିଗରେ ନଜର ରଖିବା ଆବଶ୍ୟକ ।

କର୍ମସଂସ୍ଥାନ :
ମୂର୍ଚ୍ଛାରୋଗ ଔଷଧ ଦ୍ୱାରା ୨ ବା ୩ ବର୍ଷରେ ଆରୋଗ୍ୟ ହୋଇଗଲେ ରୋଗୀ ଯେକୌଣସି କର୍ମପନ୍ଥା କରିପାରେ କିନ୍ତୁ ଉଚ୍ଚସ୍ଥାନ, ନିଆଁ ବା ପାଣି ପାଖରେ କାମ କରିବା, କଳକାରଖାନାରେ ମେସିନ୍ ବା ଯାନବାହନ ଚଳାଚଳ କରିବା ବା ନିଶାଦ୍ରବ୍ୟ ସେବନ କରିବା ଅନୁଚିତ ।
ବିବାହ :
ମୂର୍ଚ୍ଛାରୋଗୀ ଚିକିତ୍ସାରେ ଆରୋଗ୍ୟ ହେଉନଥିଲେ ବା ରୋଗୀର ମାନସିକ ବିକୃତି ଥିଲେ ବିବାହ କରିବା ଅନୁଚିତ । ଏହା ଅବଶ୍ୟ ଅତି କମ୍ କ୍ଷେତ୍ରରେ ଦରକାର ପଡ଼େ । ରୋଗୀ ଚିକିତ୍ସାରେ ଉପକୃତ ହୋଇଥିଲେ ବିବାହ ପାଇଁ କୌଣସି ବାଧା ନଥାଇପାରେ । ମାତ୍ର ଉଭୟ ପକ୍ଷ ଏ ବିଷୟରେ ସଚେତନ ରହିବା ଉଚିତ ।
ପିତାମାତା ଉଭୟଙ୍କର ଅପସ୍ମାର ଥିଲେ ମୂର୍ଚ୍ଛାରୋଗର ୫୦ % ଆଶଙ୍କା ଥାଏ । କିନ୍ତୁ ଏହା ତାଙ୍କର ଜୀବନକାଳ ମଧ୍ୟରେ ରୋଗ ଭାବେ ଦେଖା ନଯାଇପାରେ ମଧ୍ୟ । ଅପସ୍ମାର ମସ୍ତିଷ୍କ ରୋଗରୁ ହେଉଥିଲେ ବଂଶଧର ଏଥିରେ ଆକ୍ରାନ୍ତ ହୁଅନ୍ତି ନାହିଁ ।
ଗର୍ଭଧାରଣ :
ଯେଉଁ ସ୍ତ୍ରୀଲୋକ ମୂର୍ଚ୍ଛାରୋଗରେ ଆକ୍ରାନ୍ତ ହୋଇଥାନ୍ତି, ଗର୍ଭାବସ୍ଥାରେ ରୋଗ ଅଧିକ ହେବାର ଆଶଙ୍କା ରହିଥାଏ । ମାତ୍ର ଦେଖାଯାଉଛି ଯେ ଗର୍ଭାବସ୍ଥାରେ ମୂର୍ଚ୍ଛା ଔଷଧ ଅଧିକ ମାତ୍ରାରେ ଦିଆଗଲେ ଏହି ଆଶଙ୍କା ଦୂର ହୁଏ । ଗର୍ଭସ୍ଥ ଶିଶୁ ଉପରେ ଏହି ରୋଗର ବା ଔଷଧର ପ୍ରଭାବ ବିଶେଷ କ୍ଷତିକାରକ ।
ଅପସ୍ମାର ରୋଗ ବିଷୟରେ ଅଜ୍ଞତା ହେତୁ ଏହା ଏକ ସାମାଜିକ ବ୍ୟାଧି ଭାବେ ଚଳି ଆସୁଛି । ଆଧୁନିକ ପରୀକ୍ଷା ପ୍ରଣାଳୀ, ଔଷଧ ଓ ସ୍ନାୟୁ ଓ ଶଲ୍ୟ ଚିକିତ୍ସାରେ ଏ ରୋଗକୁ ଶତକଡ଼ା ଶହେ ଭାଗରେ ଆୟ କରାଯାଇପାରିଛି । ତେଣୁ ରୋଗକୁ ହେଳା ନ କରି ପ୍ରଥମରୁ ଚିକିତ୍ସକଙ୍କର ପରାମର୍ଶ ଲୋଡ଼ିବା ବିଧେୟ ।