
ଡା. ଜ୍ୟୋତିରଞ୍ଜନ ପରିଡ଼ା
ଡି.ଏମ୍ (କ୍ଲିନିକାଲ୍ ଇମ୍ୟୁନୋଲୋଜି)
ଆସୋସିଏଟ୍ ପ୍ରଫେସର୍ ଓ ବିଭାଗୀୟ ମୁଖ୍ୟ
ଇମ୍ୟୁନୋଲୋଜି ଏବଂ ରିମାଟୋଲୋଜି ବିଭାଗ
ସମ୍ ହସ୍ପିଟାଲ୍
ଗଣ୍ଠିବାତ ଏକ ଦୀର୍ଘସ୍ଥାୟୀ ରୋଗ । ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ଏହାର ଶୀକାର ହୋଇ ନିଜର କାର୍ଯ୍ୟକ୍ଷମତା ହରାଇ ବସୁଛନ୍ତି । ଆମେରିକାର ଏକ ସର୍ଭେ ଅନୁଯାୟୀ, ପ୍ରାୟ ୫୦ ମିଲିୟନ୍ ଆମେରିକାବାସୀ ଆର୍ଥ୍ରାଇଟିସ୍ ରୋଗରେ ପୀଡ଼ିତ ଥିବାବେଳେ ଏହି ରୋଗ ବିକଳାଙ୍ଗତାର ମୁଖ୍ୟ କାରଣ ଅଟେ । ୧୮ ବର୍ଷ ବୟସ ପରେ ପ୍ରତି ୫ ଜଣରେ ଜଣେ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ପାଖାପାଖି ୫୦ ପ୍ରତିଶତ ଡାଇବେଟିସ୍ ଏବଂ ହୃଦ୍ରୋଗୀ ଗଣ୍ଠିବାତ ରୋଗର ଶୀକାର ହୋଇଥାନ୍ତି । ଯଦିଓ ଭାରତବର୍ଷରେ ଗଣ୍ଠିବାତ ରୋଗୀଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ଆକଳନ କରାଯାଇନାହିଁ, ପ୍ରାୟ ୭-୧୭ ପ୍ରତିଶତ ଲୋକ ଏହି ରୋଗରେ ପୀଡ଼ିତ ଥିବାର ଅନୁମାନ କରାଯାଏ । ଏହି ରୋଗରେ ପୀଡ଼ିତ ରୋଗୀ ନିଜର କାର୍ଯ୍ୟଦକ୍ଷତା ହରାଇ ବସୁଥିବାରୁ ଓ କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ରହୁଥିବାରୁ, ଏହାଯୋଗୁଁ ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଥାଏ । ତେଣୁ ଗଣ୍ଠିବାତ ବା ଆର୍ଥ୍ରାଇଟିସ୍ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ବିଶ୍ୱ ଗଣ୍ଠିବାତ ଦିବସ ବା ଓାଲଡ୍ ଆଥ୍ରାଇର୍ଟିସ୍ ଡେ ଭାବେ ପାଳନ କରାଯାଏ ।

ସାଧାରଣତଃ ଶରୀରର ଯେକୌଣସି ଗଣ୍ଠି ଫୁଲିଲେ ବା ଦରଜ ହେଲେ ଆମେ ଏହାକୁ ଅନୌପଚାରିକ ଭାବେ ଗଣ୍ଠିବାତ ବା ଆର୍ଥ୍ରାଇଟିସ କହିଥାଉ । ପାଖାପାଖି ୧୦୦ ରୁ ଅଧିକ ପ୍ରକାର ଗଣ୍ଠିବାତ ରହିଛି ଯାହାର କାରଣ ଭିନ୍ନ ଭିନ୍ନ । ପ୍ରତ୍ୟେକ ପ୍ରକାର ଗଣ୍ଠିବାତ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଗଣ୍ଠିଗୁଡ଼ିକୁ ବିଶେଷଭାବେ ପ୍ରଭାବିତ କରୁଥିବା ବେଳେ ଏହି ସବୁର ଚିକିତ୍ସା ପ୍ରଣାଳୀ ଏବଂ ଅନ୍ୟ ଅଙ୍ଗ ଉପରେ ଏହାର ଦୀର୍ଘସ୍ଥାୟୀ ପ୍ରଭାବ ମଧ୍ୟ ଅଲଗା ଅଲଗା । ଉଦାହରଣ ସ୍ୱରୁପ ବୃଦ୍ଧାବସ୍ଥାରେ ଗଣ୍ଠିମଧ୍ୟରେ ଥିବା କୋମଳ ଅସ୍ଥି (କାର୍ଟିଲେଜ୍) କ୍ଷୟ ଯୋଗୁଁ ଘଟୁଥିବା ଗଣ୍ଠିବାତକୁ ‘କ୍ଷୟଶୀଳ ଗଣ୍ଠିବାତ’ ବା ‘ଅଷ୍ଟିଓଆର୍ଥ୍ରାଇଟିସ୍’ କୁହାଯାଏ ଏବଂ ଏହା ସାଧାରଣତଃ ଦୁଇ ଆଣ୍ଠୁକୁ ପ୍ରଭାବିତ କରିଥାଏ । ଏହା ଯୋଗୁଁ ତଳେ ବସି ଉଠିବାରେ କଷ୍ଟହୁଏ । ରିମାଟଏଡ୍ ଆର୍ଥ୍ରାଇର୍ଟିସ୍ ନାମକ ଗଣ୍ଠିବାତ ରୋଗ ସାଧାରଣତଃ ୧୫ ରୁ ୬୫ ବର୍ଷ ବୟସ ମଧ୍ୟରେ ମହିଳାମାନଙ୍କୁ ବେଶୀ ପ୍ରଭାବିତ କରିଥାଏ । ଏଥରେ ହାତ ଓ ଗୋଡ଼ର ଛୋଟବଡ଼ ଗଣ୍ଠି ଗୁଡ଼ିକ ଦରଜ ଅନୁଭୂତ ହୁଏ ଏବଂ ଶୀଘ୍ର ଚିକିତ୍ସା କରା ନ ଗଲେ ଗଣ୍ଠିଗୁଡ଼ିକ ବଙ୍କା ହେବାର ସମ୍ଭାବନା ଥାଏ । ୟୁରିକ୍ ଏସିଡ୍ ନାମକ ସ୍ପଟିକ ଗଣ୍ଠି ଭିତରେ ଜମା ହେଲେ ଏହାକୁ ‘ଗାଉଟ୍ ରୋଗ’ କୁହାଯାଏ ଯାହା ମୁଖତଃ ପ୍ରଥମେ ଗୋଡ଼ର ବୃଦ୍ଧାଙ୍ଗୁଷ୍ଟିକୁ ପ୍ରଭାବିତ କରି ଫୁଲା ଓ ଦରଜ କରେ । ଗଣ୍ଠି ଛଡ଼ା ୟୁରିକ୍ ଏସିଡ୍ ଅନ୍ୟରୋଗ ଯେପରିକି ହୃଦ୍ରୋଗ, କିଡ୍ନୀ ଷ୍ଟୋନ୍ ଏବଂ କିଡ୍ନୀ ଫେଲୁଅର୍ ଆଦିର ସମ୍ଭାବନାକୁ ବଢ଼ାଇ ଦେଇଥାଏ । ଚର୍ମରେ ହେଉଥିବା ‘ସୋରିଆସିସ୍’ ରୋଗ ପ୍ରଭାବରେ ମଧ୍ୟ ଗଣ୍ଠିବାତ ହୋଇପାରେ ଯାହାକୁ ‘ସୋରିଆଟିକ୍ ଆର୍ଥ୍ରାଇଟିସ୍’ କୁହାଯାଏ । ଏହା ସହ ବେଳେବେଳେ ଫୁସ୍ଫୁସ୍ ଆକ୍ରାନ୍ତ ହୋଇ ଇଂଟର୍ଷ୍ଟିସିଆଲ୍ ଲଙ୍ଗ୍ସ ଡିଜିଜ୍ (ଆଇ.ଏଲ୍.ଡି.) ଦେଖାଯାଏ ଏବଂ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହୁଏ । ମସ୍ତିଷ୍ଟ ଓ ସ୍ନାୟୁ ପ୍ରଭାବିତ ହେଲେ ରୋଗୀ ଅପସ୍ମାର ଏବଂ ପକ୍ଷାଘାତ ରୋଗର ଶୀକାର ହୁଏ । ଆଖି ପ୍ରଭାବିତ ହୋଇ ଅନ୍ଧତ୍ୱ ଆସିପାରେ ।
ଆର୍ଥ୍ରାଇଟିସ୍ ରୋଗର ଚିକିତ୍ସା ପାଇଁ ଏଥିପାଇଁ ଥିବା ସଚେତନାର ଅଭାବ ହିଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି । କାଳକ୍ରମେ ଚିକିତ୍ସା ବିଜ୍ଞାନରେ ହୃଦ୍ରୋଗ, ସ୍ନାୟୁରୋଗ, ପେଟ ଓ ଯକୃତ ଆଦି ରୋଗ ଉପରେ ବିଶେଷ ପ୍ରାଧାନ୍ୟ ଦିଆଯିବା ଯୋଗୁଁ ଏହି ସବୁ କ୍ଷେତ୍ରରେ ଚିକିତ୍ସାଜ୍ଞାନ ବେଶ୍ ପ୍ରଗତି ହେବା ସହ ଏହାକୁ ଚିକିତ୍ସା କରିବା ପାଇଁ ବହୁ ସ୍ପେଶାଲିଷ୍ଟ୍ ଚିକିତ୍ସକ ମାନେ ପ୍ରତି ସହରରେ ଅଛନ୍ତି । କିନ୍ତୁ ସେହି ତୁଳନାରେ ଆର୍ଥ୍ରାଇଟିସ୍ ବିଜ୍ଞାନ ବା ରିମାଟୋଲୋଜି ବହୁ ପଛରେ ରହିଯାଇଛି । କେବଳ ଓଡ଼ିଶା ନୁହେଁ, ସାରା ଭାତରବର୍ଷରେ ଇମ୍ୟୁନୋଲୋଜି ଏବଂ ରିମାଟୋଲୋଜି ବିଷୟଟି ଏକ ପ୍ରାରମ୍ଭିକ ଅବସ୍ଥାରେ ଅଛି । ଏହି ବିଭାଗ ଗଣ୍ଠିବାତ ଚିକିତ୍ସା ପାଇଁ ଏକ ସୁପର୍ ସ୍ପେଶାଲିଷ୍ଟ ବିଭାଗ ଓ ଏହି ବିଭାଗରେ ଉଚ୍ଚ ତାଲିମପ୍ରାପ୍ତ ଡାକ୍ତରମାନେ ଗଣ୍ଠିବାତ ରୋଗୀକୁ ଉଚ୍ଚମାନର ଚିକିତ୍ସା ଯୋଗାଇ ଦେବା ସହ ସେମାନଙ୍କ ରୋଗର ଦୀର୍ଘସ୍ଥାୟୀ ଯତ୍ନ ନେବାପାଇଁ ଅଭିଜ୍ଞତା ହାସଲ କରିଥାନ୍ତି । ଅତି ଦୁଃଖର କଥା, ଆମ ଦେଶରେ ବହୁ ପରିମାଣରେ ଗଣ୍ଠିବାତ ରୋଗୀ ରହିଥରଲେ ହେଁ ସେମାନଙ୍କ ଚିକିତ୍ସା ପାଇଁ ଖୁବ୍ କମ୍ ସଂଖ୍ୟକ ରିମାଟୋଲୋଜି ବିଶେଷଜ୍ଞ ଅଛନ୍ତି ।
ଗଣ୍ଠିବାତ ରୋଗରେ ପୀଡ଼ିତ ରୋଗୀ ସଚେତନତା ଅଭାବରୁ କାହାପାଖରେ ଚିକିତ୍ସା ହେବ ଜାଣି ନପାରି ମୁଖ୍ୟତଃ ଭେଷଜ ବିଜ୍ଞାନ ଏବଂ ଅର୍ଥୋପେଡିକ୍ ବିଭାଗର ସହାୟତା ନେଇଥାଏ । ଏଥିରେ ରୋଗୀକୁ ସାମୟିକ ଲାଭ ହେଇଥିଲେ ହେଁ ଏହାର ଦୀର୍ଘସ୍ଥାୟୀ ସଠିକ୍ ଚିକିତ୍ସା ହୋଇପାରେ ନାହିଁ ।
ଗଣ୍ଠିବାତ ରୋଗର ଚିକିତ୍ସା ପୂର୍ବରୁ ଏହାର ସଠିକ୍ ପ୍ରକାରଭେଦ ହେବା ନିହାତି ଜରୁରୀ । ଏଥିପାଇଁ ଚିକିତ୍ସା କରୁଥିବା ଡାକ୍ତର ଧୈର୍ଯ୍ୟପୂର୍ଣ୍ଣ ଭାବେ ରୋଗୀର ଇତିହାସ ବିବରଣୀ ଶୁଣିବା ସହ ଆବଶ୍ୟକ କ୍ଲିନିକାଲ ଏକ୍ଜାମିନେସନ୍ କଲେ ବିନା ରକ୍ତ ପରୀକ୍ଷାରେ ପାଖାପାଖି ୯୦ ପ୍ରତିଶତ ରୋଗର ସଠିକ୍ ନିର୍ଦ୍ଧାରଣ ହୋଇପାରିବ । କିନ୍ତୁ ସାଧାରଣତଃ ସମୟ ଓ ଉପଯୁକ୍ତ ଅଭିଜ୍ଞତା ଅଭାବରୁ ବହୁ ରୋଗୀ ଓ ଡାକ୍ତର କେବଳ ରକ୍ତପରୀକ୍ଷା ଉପରେ ନିର୍ଭର କରିଥାନ୍ତି । ଏହାଯୋଗୁଁ ଚିକିତ୍ସା ପ୍ରଣାଳୀ ଅଯଥା ବ୍ୟୟବହୁଳ ହେବା ସହ ସମୟ ସମୟରେ ରୋଗ ଚିହ୍ନଟ ଭୁଲ୍ ହୋଇଥାଏ । ଉଦାହରଣ ସ୍ୱରୂପ, ବହୁ ରୋଗୀ ସେମାନଙ୍କ ରକ୍ତରେ ଏ.ଏସ୍.ଓ. ପଜିଟିଭ୍ ଯୋଗୁଁ ପେନିସିଲିନ୍ ଇଞ୍ଜେକସନ୍ ବ୍ୟବହାର କରିବା ପାଇଁ ପରାମର୍ଶ ପାଇଥାନ୍ତି । କିନ୍ତୁ ଏବେ ଜଣାପଡ଼ୁଛି ଯେ, ୯୦ପ୍ରତିଶତ ରୋଗୀ ପାଉଥିବା ପେନ୍ସିଲିନ୍ ଇଞ୍ଜେକ୍ସନ୍ ଅନାବଶ୍ୟକ । ଏହା କେବଳ ଶିଶୁ ମାନଙ୍କୁ ହେଉଥିବା ‘ରିମାଟିକ୍ ଫିଭର୍’ ନାମକ ରୋଗରେ ସାହଯ୍ୟ କରିଥାଏ । ‘ରିମାଟଏଡ୍ ଫ୍ୟାକ୍ଟର’ ନାମକ ରକ୍ତ ପରୀକ୍ଷା ‘ରିମାଟଏଡ୍ ଆର୍ଥ୍ରାଇଟିସ୍’ ନାମକ ରୋଗ ଚିହ୍ନଟ ପାଇଁ ସାହାଯ୍ୟ କରିଥାଏ । କିନ୍ତୁ ପ୍ରାୟ ଏକ ଚତୁର୍ଥାଂଶ ‘ରିମାଟଏଡ୍ ଆର୍ଥ୍ରାଇଟିସ୍’ ରୋଗୀଙ୍କ ରକ୍ତରେ ଏହା ନେଗେଟିଭ୍ ଥିବାବେଳେ ଦଶ ପ୍ରତିଶତ ସାଧାରଣ ଲୋକଙ୍କ ରକ୍ତରେ ଏହାର ମାତ୍ରା ଅଧିକ ଥାଇପାରେ । ତେଣୁ ଯେଉଁ ରୋଗୀର ରିମାଟଏଡ୍ ଆର୍ଥ୍ରାଇଟିସ୍ ରୋଗୀର ଲକ୍ଷଣ ଥାଏ, ଯେପରିକି ହାତ ଓ ଗୋଡ଼ର ଛୋଟ ଏବଂ ବଡ ଗଣ୍ଠି ଗୁଡ଼ିକ ଫୁଲି ଦରଜ ଅନୁଭୁତ ହୁଏ ଏବଂ ସକାଳେ ଆଙ୍ଗୁଠି ଗୁଡ଼ିକ ଷ୍ଟିଫ୍ (ଅନମନୀୟ)ହୋଇଯାଏ, ସେହି ରୋଗୀମାନଙ୍କୁ ଏହି ରକ୍ତ ପରୀକ୍ଷା କଲେ, ସଠିକ୍ ରୋଗ ଚିହ୍ନଟର ସମ୍ଭାବନା ବଢିଯାଏ । ନଚେତ୍ ବେଳେବେଳେ ସାଧାରଣ ଲୋକ କେବଳ ଏହି ରକ୍ତପରୀକ୍ଷା ପଜିଟିଭ୍ ଯୋଗୁଁ ବ୍ୟୟବହୁଳ ଚିକିତ୍ସା ଗ୍ରହଣ କରିଥାନ୍ତି ଏବଂ ଅସୁବିଧାରେ ପଡନ୍ତି ।
ସଠିକ୍ ରୋଗ ନିର୍ଦ୍ଧାରଣ କରିପାରିଲେ ଏବଂ ରୋଗ ଚିହ୍ନଟର ଅଳ୍ପଦିନ ଭିତରେ ଚିକିତ୍ସା ଆରମ୍ଭ କରି ପାରିଲେ ଗଣ୍ଠିବାତ ରୋଗର ଚିକିତ୍ସା ସଫଳ ହୋଇଥାଏ । ଗଣ୍ଠିବାତ ବା ଆର୍ଥ୍ରାଇଟିସ୍ ରୋଗ ହେଉଛି ଡାଇବେଟିସ୍, ରକ୍ତଚାପ ଓ ଶ୍ୱାସରୋଗ ଭଳି ଏକ ଦୀର୍ଘସ୍ଥାୟୀ ରୋଗ । ଏହି ସବୁ ରୋଗରେ ସମ୍ପୂର୍ଣ୍ଣ ଆରୋଗ୍ୟ ନହେଲେ ବି ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗମାନଙ୍କୁ ନିୟନ୍ତ୍ରଣରେ ରଖିଲେ ଏହି ରୋଗୀମାନେ ସାଧାରଣ ଜୀବନଯାପନ କରିପାରିବେ । ବହୁ ସମୟରେ ଉପଯୁକ୍ତ ଚିକିତ୍ସା ଉପଲବ୍ଧ ଥିଲେ ମଧ୍ୟ ଔଷଧର ପାଶ୍ୱର୍ ପ୍ରତିକ୍ରିୟା ପାଇଁ ରୋଗୀ ମଧ୍ୟରେ ଅହେତୁକ ଭୟ ଏବଂ ଅନେକ ଅନ୍ଧବିଶ୍ୱାସ ଯୋଗୁଁ ରୋଗୀମାନେ ଅସୁବିଧାରେ ପଡ଼ିଥାନ୍ତି । ତେଣୁ ଅଯଥା ଭୟଭୀତ ନ ହୋଇ ସଠିକ୍ ଡାକ୍ତରଙ୍କ ପରାମର୍ଶ ନେଲେ ଏବଂ ନିୟମିତ ବ୍ୟବଧାନରେ ତାଙ୍କ ପାଖରେ ଦେଖାଇଲେ ରୋଗ ନିୟନ୍ତ୍ରଣରେ ରହିବା ସହ ପାଶ୍ୱର୍ ପ୍ରତିକ୍ରିୟାର ଭୟ ନଥାଏ ।
ଗଣ୍ଠିବାତ ରୋଗ ଦୀର୍ଘସ୍ଥାୟୀ ହୋଇଥିବାରୁ ରୋଗ ବିଷୟରେ ରୋଗୀକୁ ଶିକ୍ଷା ଦିଆଯିବା ନିହାତି ଆବଶ୍ୟକ । ରୋଗୀ ଓ ଡାକ୍ତରଙ୍କ ଭିତରେ ସୁସମ୍ପର୍କ ରହିବା ଉଚିତ୍ ଏବଂ ରୋଗୀ ମନ ଖୋଲି ତାର ସବୁ ଅସୁବିଧା ଡାକ୍ତରଙ୍କ ସହ ଆଲୋଚନା କରିବା ଉଚିତ୍ । ରୋଗୀ ଚିକିତ୍ସା ଆରମ୍ଭରେ ଡାକ୍ତରଙ୍କ କଥା ମାନି ଚଳନ୍ତି, କିନ୍ତୁ ପରେ ପରେ ଅବେହେଳା କରନ୍ତି । ଠିକ୍ ମାତ୍ରାରେ ଔଷଧ ଖାଆନ୍ତି ନାହିଁ ଏବଂ ବେଳେବେଳେ ବିଭିନ୍ନ ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ଅଲଗା ଉପଚାର କରନ୍ତି । ଏଥିରେ ହୁଏତ ସାମୟିକ ଲାଭ ମିଳିପାରେ କିନ୍ତୁ ଭବିଷ୍ୟତରେ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେଣୁ ଆର୍ଥ୍ରାଇଟିସ୍ ରୋଗର ଲକ୍ଷଣ, ଉପଯୁକ୍ତ ଡାକ୍ତର ଏବଂ ଆବଶ୍ୟକ ବିଭିନ୍ନ ଚିକିତ୍ସା ପ୍ରଣାଳି ଉପରେ ଜନ ସଚେତନତା ସୃଷ୍ଟି ହୋଇପାରିଲେ ସମାଜ ବିକଳାଙ୍ଗତାରୁ ମୁକ୍ତି ପାଇବ ।