ପ୍ରଫେସର ଡା. ରାଜଲକ୍ଷ୍ମୀ ପାଣିଗ୍ରାହୀ
କର୍ଣ୍ଣ-ନାସା-ଗଳା ବିଶେଷଜ୍ଞ
ଭୁବନେଶ୍ୱର

କାନ ବ୍ୟଥା ଏକ ଅତି ସାଧାରଣ ସମସ୍ୟା । ଏହା ପ୍ରତି ବୟସରେ ଦେଖାଦିଏ । ଛୋଟ ପିଲା ପାଖରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ । ଏହା ଦିନ ଅବା ରାତି – ଯେ କୌଣସି ସମୟରେ ଦେଖା ଦେଇପାରେ । ଯେ କୌଣସି ଋତୁରେ ବି ଦେଖାଯାଇପାରେ । ଏଣୁ ଏହା ଏକ ନିତିଦିନିଆ କଷ୍ଟ, କିନ୍ତୁ ଆଶ୍ଚର୍ଯ୍ୟର କାରଣ ଏହି କି ଯେ ପ୍ରତ୍ୟେକ କାନ ବ୍ୟଥାର ଭିନ୍ନ କାରଣ ଥାଏ ।
ଛୋଟ ପିଲାଙ୍କର କାନ ବ୍ୟଥା ପ୍ରାୟତଃ ଥଣ୍ଡା, ମଇଳା ଜମିବାରୁ ହୋଇଥାଏ । କିଛି ସମୟରେ କାନରୁ ଯଦି ଟିକେ ଗନ୍ଧ ପାଣି ଭଳି ବାହାରେ ତା’ହେଲେ କାନରେ ଫିମ୍ପି ହେବାର ଆଶଙ୍କା ମଧ୍ୟ ଥାଏ । ୩-୪ ବର୍ଷ ପରେ ଯଦି ଟିକେ ବି ଥଣ୍ଡା ହେଲେ କାନରୁ ପାଣି ବାହାରେ, ତା’ହେଲେ ପରଦା ଫାଟିବାର ଆଶଙ୍କା ଥାଏ ।

ମଧ୍ୟ ବୟସରେ ଯଦି କାନ ବ୍ୟଥା ହୁଏ – ଏହାର କାରଣ ଥଣ୍ଡା, ମଇଳା, ଫିମ୍ପି ସହିତ କାନରେ ବଥ ଉଠିବା କଥା ଚିନ୍ତା କରିବା ଉଚିତ । ଛୋଟ ପିଲା ଅର୍ଥାତ୍ ୫ବର୍ଷ ବୟସରୁ ଊଦ୍ଧ୍ୱର୍ ପିଲାଙ୍କର ବି କାନରେ ବଥ ଦେଖାଯାଇଥାଏ । ଏହା ପ୍ରାୟତଃ ବହୁତ ଦିନ ଧରି ମଇଳା ରହିଲେ ଦେଖା ଯାଇଥାଏ । କିନ୍ତୁ ମଧ୍ୟବୟସ୍କ ଲୋକର ଯଦି ବାରମ୍ବାର ବଥ ହୁଏ ବା ଫିମ୍ପି ହୁଏ ତା’ହେଲେ ତାଙ୍କର ମଧୁମେହ ରୋଗ ଅଛି କି ନା – ତା’ ପାଇଁ ପରୀକ୍ଷା କରିବା ଉଚିତ । ସମୟ ସମୟରେ କାନ ବ୍ୟଥା ହୋଇ ଯଦି ଗନ୍ଧ, ପୂଜ ବା ପାଣି ବାହାରେ ତା’ହେଲେ ବିଶେଷଜ୍ଞଙ୍କୁ ଦେଖାଇବା ନିତାନ୍ତ ଆବଶ୍ୟକ । ଭିତର କାନ ଓ ମସ୍ତିଷ୍କ ମଧ୍ୟରେ କେବଳ ହାଡ଼ର ପାର୍ଟିସନ୍ ଥାଏ । ଏଣୁ ବହୁ ସମୟରେ କାନରୁ ରୋଗ ସଂକ୍ରମିତ ହେଇ ମସ୍ତିଷ୍କକୁ ଯାଇଥାଏ । ହାଡ଼ ଖାଇଯିବା ବା ହାଡ଼ ସଂକ୍ରମିତ ହେଲେ ପୂଜ ଗନ୍ଧ ହୋଇଥାଏ । କିନ୍ତୁ ଏହି କ୍ଷେତ୍ରରେ ପୂଜ ବା ପାଣି କମ୍ ବାହାରିଥାଏ । ଏଥିପାଇଁ ଲୋକେ ଏହାକୁ ହେଳା କରିଥାନ୍ତି । କିନ୍ତୁ ଏହି ରୋଗ ହିଁ ଚିନ୍ତାର କାରଣ, ଏହା ଜୀବନ ପ୍ରତି ବିପଜ୍ଜନକ । ଏଣୁ ଏହାକୁ ‘ଅନ୍ସେଫ ଅଟାଇଟିସ୍ ମିଡିଆ’ ବୋଲି କୁହାଯାଇଥାଏ ।


ବୟସ୍କ ଲୋକମାନଙ୍କର ସାଧାରଣ ଥଣ୍ଡାରୁ କାନ ବିନ୍ଧା ହୁଏ, କିନ୍ତୁ ଯଦି ବିନ୍ଧା ହେବା ସହିତ ପାଣି ବାହାରିଥାଏ ତା’ହେଲେ ଏହା କାନର ପରଦା ଫାଟିଥିବାର ଲକ୍ଷଣ ହୋଇଥାଏ । ଯଦି କମ୍ ପାଣି ଭଳି ଧଳା କଳା ମିଶ୍ରିତ କିଛି ବାହାରେ, ତେବେ ତାହାକୁ ଫିମ୍ପି ବୋଲି ଭାବିବା; ଯାହାକି ଆଜିକାଲି ପ୍ରାୟ ଦେଖାଯାଏ କାରଣ ଅଧିକାଂଶ ବୟସ୍କ ଲୋକଙ୍କ ମଧୁମେହ ରୋଗ ଦେଖାଦେଉଛି । ଏହା ମଧୁମେହ ରୋଗୀଙ୍କଠାରେ ଖୁବ୍ ଦେଖାଯାଇଥାଏ ଏବଂ କାନ ଯେତେ ସଫା କଲେ ବି ମଧୁମେହ ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ଏହା ପୂରାପୂରି ଭଲ ହୁଏନା ।

ଅତଏବ କାନ ବ୍ୟଥା ଏକ ଖୁବ୍ ସାଧାରଣ ସମସ୍ୟା ହେଲେ ମଧ୍ୟ ପରବର୍ତୀ ସମୟରେ ଏକ ଗମ୍ଭୀର ସମସ୍ୟା ହୋଇପାରେ । ତେଣୁ ଏହାକୁ ଆଦୌ ଅବହେଳା କରିବା ଉଚିତ ନୁହେଁ । ବ୍ୟଥା ହେଲାବେଳେ କାନରେ ତେଲ ପକାଇବା ଅଭ୍ୟାସ ଅନୁଚିତ । ଗରମ ତେଲ ପକାଇ ଲୋକେ ଚମଡ଼ା ପୋଡ଼ି ଆସିବାର ଆମେ ଦେଖିଛୁ । ଯଦି ମଇଳା ଦେଖି ପାରୁଛନ୍ତି – ମଇଳା ନରମ କରିବାକୁ ମିଳୁଥିବା ଔଷଧ ଆଣି ପକାନ୍ତୁ । ଅଥବା କାନକୁ ଶୁଖିଲା ଗରମ କପଡ଼ାରେ ସେକି ଦିଅନ୍ତୁ । ଥଣ୍ଡା ଜନିତ କାନ ବ୍ୟଥା କମିଯିବ । ଯଦି ନ କମେ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି ବାରମ୍ବାର ହେଉଥାଏ – ଏହାକୁ ହେଳା କରନ୍ତୁ ନାହିଁ । ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

ମନେରଖନ୍ତୁ ଶ୍ରବଣେନ୍ଦ୍ରିୟ ଏକ ଗୁରୁତ୍ୱପୂର୍ଣ୍ଣ ଇନ୍ଦ୍ରିୟ- ଏହାର ଉଚିତ ରକ୍ଷଣାବେକ୍ଷଣ କରନ୍ତୁ ।