
ଡା. ସମ୍ରାଟ କର
ମାନସିକ ରୋଗ ବିଶେଷଜ୍ଞ, କଟକ
‘ସିଜୋଫ୍ରେନିଆ’ ଏକ ବୈଜ୍ଞାନିକ ଶବ୍ଦ ହେଲେ ମଧ୍ୟ ସାଧାରଣ ଭାବରେ ଏହା ମନୁଷ୍ୟର ପାଗଳାମୀ ବା ବାତୁଳତା ଅବସ୍ଥାକୁ ବୁଝାଏ । ଏହା ମନୁଷ୍ୟର ମସ୍ତିଷ୍କରେ ଥିବା ସ୍ନାୟୁବିକ ରସ “ଡୋପାମିନ୍’’ର ବିଶୃଙ୍ଖଳା, ବଂଶଗତ କାରଣ ଓ ମାନସିକ ଚାପ ଯୋଗୁ ହୋଇପାରେ । ରୋଗୀଟି ସନ୍ଦେହ କରେ ଯେ ତା ବିରୁଦ୍ଧରେ ସମସ୍ତେ ଷଡ଼ଯନ୍ତ୍ର କରୁଛନ୍ତି, କଥା ହେଉଛନ୍ତି । ସ୍ୱାମୀ-ସ୍ତ୍ରୀର ଓ ସ୍ତ୍ରୀ-ସ୍ୱାମୀର ଚରିତ୍ର ଉପରେ ସନ୍ଦେହ କରନ୍ତି । ରୋଗୀଟିକୁ ଶୂନ୍ୟବାଣୀ ହୁଏ, ଦୈନନ୍ଦିନ କାର୍ଯ୍ୟରୁ ଆଗ୍ରହ କମିଯାଏ, ନିଜର ସ୍ୱାସ୍ଥ୍ୟପ୍ରତି ଅବହେଳା କରେ ଓ ସମାଜରୁ ଦୂରେଇ ଯାଏ । ଔଷଧ ଚିକିତ୍ସା, ମନସ୍ତାତ୍ତ୍ୱିକ ଚିକିତ୍ସା ଓ ଦରକାର ସ୍ଥଳେ ବିଜୁଳି ଚିକିତ୍ସାର ସାହାଯ୍ୟ ହେଲେ ଏହି ରୋଗ ଭଲ ହୋଇପାରିବ ।
ପ୍ରଭାବ : ବର୍ତ୍ତମାନ ଆମ ଦେଶରେ ଶତକଡ଼ା ୧ ଭାଗ ଲୋକ ଏହି ସିଜୋଫ୍ରେନିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହା ମନୁଷ୍ୟ ଜୀବନର ସବୁଠାରୁ ମୂଲ୍ୟବାନ୍ ସମୟ (୧୫ରୁ ୪୫ ବର୍ଷ ମଧ୍ୟରେ) ତଥା, ସ୍ତ୍ରୀ ପୁରୁଷ ଓ ଧନୀ ଦରିଦ୍ର ନିର୍ବିଶେଷରେ ଆରମ୍ଭ ହୋଇଥାଏ ।
କିପରି ହୁଏ ?
ଗବେଷଣାରୁ ଯାହା ଜଣାପଡ଼ିଛି ଏହା ଜୈବମନସ୍ତାତ୍ତ୍ୱିକ ଓ ସାମାଜିକ ଦୁର୍ବଳତାର ସମ୍ମିଶ୍ରଣରୁ ଆରମ୍ଭ ହୁଏ ।
(୧) ଜୈବ ଉତ୍ପତ୍ତି ସମ୍ବନ୍ଧୀୟ
ଗବେଷଣାରୁ ଜଣାପଡ଼େ ଯେ ମସ୍ତିଷ୍କରେ ଜୀବରାସାୟନିକ ପ୍ରଣାଳୀର ଅସମତା ଏ ରୋଗ ହେବାରେ ସାହାଯ୍ୟ କରେ ।
(୨) ବଂଶଗତ କାରଣ :
ଅନେକ ସମୟରେ ଏହି ରୋଗ ବଂଶାନୁଗତିକ ଭାବେ ହୋଇଥାଏ । ଯେଉଁ ପରିବାରରେ ପୂର୍ବରୁ ଏ ରୋଗ ଥାଏ ସେହି ପରିବାରର ଲୋକମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଏ ରୋଗ ବେଶି ହୋଇଥାଏ । ଉଦାହରଣସ୍ୱରୂପ ସିଜୋଫ୍ରେନିଆ ହୋଇଥିବା ପିତାମାତାଙ୍କ ପିଲାମାନଙ୍କୁ ଏ ରୋଗ ଶତକଡ଼ା ଦଶଭାଗ ହେବା ସ୍ଥଳେ ସାଧାରଣ ପରିବାରର ପିଲାମାନଙ୍କୁ ଶତକଡ଼ା ଏକଭାଗ ହେବାର ସମ୍ଭାବନା ଥାଏ ।
(୩) ମାନସିକ ଓ ସାମାଜିକ ସମ୍ବନ୍ଧୀୟ :
ସାଧାରଣ ଭାବରେ କହିବାକୁ ଗଲେ ବଂଶାନୁଗତିକ ଭାବରେ ହେଉଥିବା ସିଜୋଫ୍ରେନିଆ ରୋଗୀମାନଙ୍କ ମଧ୍ୟରେ ଯେଉଁମାନେ ଜଟିଳ ଓ ଚାପପୂର୍ଣ୍ଣ ପରିବେଶରେ ରହନ୍ତି ସେମାନଙ୍କୁ ଏ ରୋଗ ହେବାର ଅଧିକ ଆଶଙ୍କା ଥାଏ ।
ମସ୍ତିଷ୍କରେ ଜୈବ ରାସାୟନିକ ରସର ଅନିୟମିତତା, ବାହ୍ୟଚାପ, ପରିବାର ଏବଂ ସମାଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଇତ୍ୟାଦି ଯଦି ଖୁବ୍ ଅଧିକ ହୁଏ, ତେବେ ସିଜୋଫ୍ରେନିଆ ରୋଗ ସହଜରେ ହୋଇଥାଏ ।

ଲକ୍ଷଣ :
ସିଜୋଫ୍ରେନିଆ ରୋଗ ନାଟକୀୟ ଭଙ୍ଗୀରେ ହଠାତ୍ ଆରମ୍ଭ ନ ହୋଇ ପ୍ରାୟ ଧୀରେ ଧୀରେ ହୋଇଥାଏ । କିନ୍ତୁ ଅନେକ ସମୟରେ ଧୀରେ ଧୀରେ ହେଉଥିବା ଅବସ୍ଥାକୁ ଜାଣି ନ ପାରି ହଠାତ୍ ଆରମ୍ଭ ହୋଇଛି ବୋଲି ରୋଗୀର ସମ୍ପର୍କୀୟମାନେ ଅଭିଯୋଗ କରନ୍ତି । ସେ ଯାହା ହେଉନା କାହିଁକି ଏହାକୁ ଚିହ୍ନିବା ପାଇଁ କେତେକ ସାଧାରଣ ଲକ୍ଷଣ ଅଛି ।
(୧) ଆଗ୍ରହ କମିବା ଓ ସମାଜରୁ ଦୂରେଇ ରହିବା :
ପ୍ରଥମେ ଏ ପ୍ରକାର ରୋଗୀମାନଙ୍କର କାମ କରିବା, ପାଠ ପଢ଼ିବା ଇତ୍ୟାଦି କାର୍ଯ୍ୟର ଆଗ୍ରହ କମିଯାଏ । ବନ୍ଧୁ ଓ ପରିବାର ଲୋକମାନଙ୍କଠାରୁ ଦୂରେଇ ରହିବାକୁ ଭଲ ପାଆନ୍ତି ।
(୨) ଭ୍ରାନ୍ତ ଧାରଣା (ସନ୍ଦେହ କରିବା) :
ରୋଗୀ ବିରୋଧରେ ଅନ୍ୟମାନେ ଆଲୋଚନା ଓ ଷଡ଼ଯନ୍ତ୍ର କରୁଥିବାର ଏମାନଙ୍କର ସନ୍ଦେହ ହୁଏ । ଖାଦ୍ୟରେ ବିଷ ମିଶିଥିବାର ସନ୍ଦେହ କରନ୍ତି । ଏମାନେ ନିଜର ସ୍ୱାମୀ ବା ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରନ୍ତି । ଏପରିକି ଭଲ ପାଉଥିବା ଲୋକମାନଙ୍କ ଚରିତ୍ର ପ୍ରତି ମଧ୍ୟ ସନ୍ଦେହ କରନ୍ତି । ଏମାନଙ୍କ ସମସ୍ତ ଚିନ୍ତାଧାରା ଅନ୍ୟ କୌଣସି ବାହାର ଶକ୍ତିଦ୍ୱାରା ନିୟନ୍ତ୍ରିତ ବା ଆୟତ୍ତ ହେଉଥିବାର ଏମାନେ ବିଶ୍ୱାସ କରନ୍ତି । ରେଡ଼ିଓ ରିସିଭର ପରି କୌଣସି ଏକ ଯନ୍ତ୍ର ଏମାନଙ୍କ ମୁଣ୍ଡ ଭିତରେ ଥିବା ପରି ଅନୁଭବ କରନ୍ତି । ରୋଗୀମାନଙ୍କୁ ଏହି ଦୃଢ଼ ମିଥ୍ୟା ବିଶ୍ୱାସ ଗୁଡ଼ିକରୁ ବୁଝାଇ ସୁଝାଇ ଦୂର କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହେବା ସମ୍ଭବ ହୁଏ ନାହିଁ ।
(୩) ଅବାସ୍ତବ ଅନୁଭବ (ଶୂନ୍ୟବାଣୀ ହେବା) :
ରୋଗ ଅତ୍ୟଧିକ ହୋଇଗଲେ ରୋଗୀମାନଙ୍କୁ ଶୂନ୍ୟରୁ କଥା ଶୁଭେ । ପାଖରେ କିଏ କଥା ହେଉ ନ ଥିବାବେଳେ ମଧ୍ୟ ଏମାନଙ୍କୁ କଥା ଶୁଭେ । ଏମାନେ ତାହାର ଉତ୍ତର ଦିଅନ୍ତି । ମନକୁମନ ଅବାନ୍ତର କଥାବାର୍ତ୍ତା କରନ୍ତି । ଜୋରରେ ହସନ୍ତି, ମୁହଁ ଓ ହାତ ପ୍ରଭୃତିର ଅଙ୍ଗଭଙ୍ଗୀ କରନ୍ତି, ମୁରୁକି ମୁରୁକି ହସନ୍ତି । ସମୟେ ସମୟେ ଏମାନେ କୌଣସି ଭୟଙ୍କର ରୂପ ଦେଖି ଭୟଭୀତ ହୋଇ ଅଣାୟତ୍ତ ହୋଇଯାଆନ୍ତି । ବେଳେବେଳେ ରାଗିଯାଆନ୍ତି ଓ ଆତ୍ମହତ୍ୟା କରିବାକୁ ଚେଷ୍ଟା କରନ୍ତି ।
(୪) ସ୍ୱାସ୍ଥ୍ୟ ପ୍ରତି ଅବହେଳା :
ରୋଗ ବହୁଦିନ ଧରି ହେଲେ ନିଜ ଚେହେରା ଓ ପାରିପାଶ୍ୱିର୍କ ଅବସ୍ଥା ପ୍ରତି ଯତ୍ନ ନିଅନ୍ତି ନାହିଁ ।
(୫) ମନୋଭାବ ପ୍ରକାଶ କରିବାର ଅକ୍ଷମତା :
ସେମାନେ ତାଙ୍କର ଭାବନାକୁ ଉପଯୁକ୍ତ ଭାବରେ ପରିପ୍ରକାଶ କରିପାରନ୍ତି ନାହିଁ । ଫଳରେ ବାହାର ଦୁନିଆ ସହିତ ସେମାନଙ୍କର ସମ୍ପର୍କ ରହେ ନାହିଁ ।
ଏ ସମସ୍ତ ପ୍ରକାର ଲକ୍ଷଣ କୌଣସି ବ୍ୟକ୍ତିଠାରେ ଏକ ସମୟରେ ଦେଖାଯାଇ ନ ପାରେ ମାତ୍ର ଏଥିରୁ ଯଦି କୌଣସି ଗୋଟିଏ ଲକ୍ଷଣ ଦେଖାଯାଏ ତା’ହେଲେ ତାହା ରୋଗର ପ୍ରଥମାବସ୍ଥା ବା ଆରମ୍ଭ ଅବସ୍ଥା ବୋଲି ଅନୁମାନ କରାଯାଏ ।
ଚିକିତ୍ସା :
ଏ ପ୍ରକାର ରୋଗୀମାନଙ୍କୁ ପ୍ରଥମେ ମାନସିକ ରୋଗ ବିଶେଷଜ୍ଞଙ୍କ ନିକଟକୁ ନେବା ଉଚିତ । ପ୍ରଥମାବସ୍ଥାରୁ ରୋଗକୁ ଆଡ଼େଇ ନ ଦେଇ ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ । ରୋଗ ଶୀଘ୍ର ଚିହ୍ନଟ କରି ଶୀଘ୍ର ଚିକିତ୍ସା ଆରମ୍ଭ କଲେ ରୋଗ ସମ୍ପୂର୍ଣ୍ଣ ଭାବରେ ଭଲ ହେବାର ସମ୍ଭାବନା ବେଶି ଥାଏ । ଯଦି ଏହାକୁ ଚିକିତ୍ସା ନ କରି ହେଳା କରିଦିଆଯାଏ, ତା’ହେଲେ ଏହା ମସ୍ତିଷ୍କରେ ସ୍ଥାୟୀ ହୋଇଯାଏ ଓ କୌଣସି ଚିକିତ୍ସା ଫଳପ୍ରଦ ହୁଏ ନାହିଁ । ହେଳା କରି ବିଳମ୍ବରେ ଚିକିତ୍ସା କଲେ ଲକ୍ଷଣଗୁଡ଼ିକ କମ୍ ପରିମାଣରେ କମିପାରେ ।
କିପରି ଚିକିତ୍ସା କରାଯାଏ :
ସିଜୋଫ୍ରେନିଆ ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ଉପାୟରେ ଚିକିତ୍ସା କରାଯାଏ । ଯଥା-ଡାକ୍ତରୀ ଚିକିତ୍ସା, ମନସ୍ତାତ୍ତ୍ୱିକ ଚିକିତ୍ସା ଓ ସାମାଜିକ ଥଇଥାନ ସାହାଯ୍ୟରେ-
(କ) ଡାକ୍ତରୀ ଚିକିତ୍ସା :
ଏ ପ୍ରକାର ରୋଗ ପାଇଁ ଡାକ୍ତରୀ ଚିକିତ୍ସା ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା । ଯଦି ରୋଗୀ ଏହି ଚିକିତ୍ସାଦ୍ୱାରା କ୍ରମେ ଆରୋଗ୍ୟ ହେଉଥିବାର ଜଣାଯାଏ, ତେବେ ଏହି ଚିକିତ୍ସାରୁ ବିରତ ହେବା ଅନୁଚିତ । ଔଷଧ ଦ୍ୱାରା ଅତ୍ୟଧିକ ହୋଇଯାଇଥିବା ରୋଗକୁ ଆୟତ୍ତ କରାଯାଏ ଓ ଏହାର ଲକ୍ଷଣଗୁଡ଼ିକୁ ମଧ୍ୟ କମାଇ ଦିଆଯାଇଥାଏ । ସମୟେ ସମୟେ ଔଷଧ ସହିତ ବିଜୁଳି ଚିକିତ୍ସା ଦିଆଯାଏ ।
ରୋଗ ସମ୍ପୂର୍ଣ୍ଣ ଭାବରେ ଭଲ ନ ହେବା ପର୍ଯ୍ୟନ୍ତ ଚିକିତ୍ସକଙ୍କ ବିନା ପରାମର୍ଶରେ ଏ ଔଷଧ ବନ୍ଦ କରିବା ଅନୁଚିତ । ଅଧିକାଂଶ ସମୟରେ ଏ ଔଷଧ ବର୍ଷ ବର୍ଷ ଧରି ଖାଇବାକୁ ପଡ଼ିଥାଏ ।
(ଖ) ମନସ୍ତାତ୍ତ୍ୱିକ ଚିକିତ୍ସା ବା ସାଇକୋଥେରାପି :
ବହୁ ସମୟରେ ନିଜ ଶରୀରକୁ ଯତ୍ନ କରିବା ବା ହତୋତ୍ସାହ ହୋଇପଡ଼ିଥିବା ରୋଗୀ ପରିବାରର ସଦସ୍ୟ ଏବଂ ବନ୍ଧୁମାନଙ୍କଠାରୁ ଭଲ ବୁଝାମଣା, ଉତ୍ସାହ ଏବଂ ସାହାଯ୍ୟ ସହାନୁଭୂତିର ପ୍ରତିଶ୍ରୁତି ପାଇପାରିଲେ ରୋଗ କମିଯାଇପାରେ । ଏହାକୁ ମନସ୍ତାତ୍ତ୍ୱିକ ଚିକିତ୍ସା କୁହାଯାଏ । ମାନସିକ ରୋଗ ଚିକିତ୍ସକ ଓ ମନସ୍ତତ୍ତ୍ୱବିତ୍ ବ୍ୟକ୍ତିଗତ ଭାବରେ ରୋଗୀମାନଙ୍କ ସହ କଥାବାର୍ତ୍ତା କଲେ ରୋଗୀର ଅନୁଭବ, ସମସ୍ୟା ଅନୁଧ୍ୟାନ କରି ରୋଗୀକୁ ବାସ୍ତବ ଓ ଅବାସ୍ତବ ମଧ୍ୟରେ ପାର୍ଥକ୍ୟ ବୁଝାଇପାରନ୍ତି ।
(ଗ) ସାମାଜିକ ଥଇଥାନ :
ରୋଗ ଭଲ ହୋଇଯିବା ପରେ ରୋଗୀ ସ୍ୱାଭାବିକ ଭାବରେ କାର୍ଯ୍ୟ କରିପାରନ୍ତି । ସମାଜରେ ସମସ୍ତଙ୍କ ସହ ସେ ମଧ୍ୟ ଜଣେ ହୋଇ ନିଜର କାର୍ଯ୍ୟଦକ୍ଷତା ଦେଖାଇଥାଆନ୍ତି । ତେଣୁ ଏମାନଙ୍କୁ କାମରେ ନିଯୋଗ କରାଇବା ନିତାନ୍ତ ଆବଶ୍ୟକ ।
ଏସବୁ ଉପାୟ ସତ୍ତେ୍ୱ ଚିକିତ୍ସକଙ୍କ ଦ୍ୱାରା ଦିଆଯାଇଥିବା ଔଷଧର ଗୁରୁତ୍ୱ ବହୁତ ବେଶି । ଔଷଧ ଖାଇବା ଯେପରି ହେଳା ନ ହୁଏ । ଏପରିକି ରୋଗ ଆଂଶିକ ଭଲ ହୋଇଗଲେ, ଭଲ ହୋଇଗଲାଣି ଭାବି ଔଷଧ ବନ୍ଦ କରିବା ଅନୁଚିତ; କାରଣ ଏପରି କଲେ ରୋଗ ଲେଉଟିଥାଏ । ଶେଷରେ ଏତିକି ଜାଣିବା ଦରକାର ଯେ ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନିଜ କାର୍ଯ୍ୟରେ ଯୋଗ ଦେଇ ପୂର୍ବପରି ସ୍ୱାଭାବିକ କାର୍ଯ୍ୟ ନ କରିବା ଓ କଥାବାର୍ତ୍ତା ନ କରିବା ପର୍ଯ୍ୟନ୍ତ ରୋଗୀ ଭଲ ହୋଇଛି ବୋଲି ଭାବିବା ଉଚିତ ନୁହେଁ । ଚିକିତ୍ସାଦ୍ୱାରା ରୋଗୀ ନିଶ୍ଚୟ କାର୍ଯ୍ୟକ୍ଷମ ହୋଇ ନିଜ ଉପରେ ଆତ୍ମବିଶ୍ୱାସ ରଖି ସମାଜରେ ସୁସ୍ଥ ଲୋକ ପରି ଚଳିପାରିବେ ।
ପରିବାର ଲୋକଙ୍କ ଦାୟିତ୍ୱ :
ରୋଗୀମାନଙ୍କ ଚିକିତ୍ସାରେ ସାହାଯ୍ୟ ଓ ସହାନୁଭୂତି ଯୋଗାଇବା ପାଇଁ ପରିବାର ହିଁ ହେଉଛି ଉପଯୁକ୍ତ କ୍ଷେତ୍ର । ପ୍ରଥମାବସ୍ଥାରେ ରୋଗ ଚିହ୍ନିବାକୁ ହେଲେ ରୋଗୀ ପ୍ରଥମରୁ ଅଳସୁଆ ନ ହୋଇ ଏକଜିଦିଆ ହୁଅନ୍ତି ଓ ଅସ୍ୱାଭାବିକ ବ୍ୟବହାର ଦେଖାଇପାରନ୍ତି । ଏହିସବୁ ଲକ୍ଷଣଗୁଡ଼ିକ ଦେଖି ପରିବାରର ଲୋକମାନେ ଶୀଘ୍ର ବିଶେଷଜ୍ଞ ଚିକିତ୍ସକଙ୍କ ପାଖକୁ ନେଇ ରୋଗ ଚିହ୍ନିବା ଆବଶ୍ୟକ । ଚିକିତ୍ସା ପଦ୍ଧତିରେ ପରିବାରର ଲୋକମାନେ ଚିକିତ୍ସକଙ୍କର ସବୁପ୍ରକାର ଉପଦେଶ ପାଳନ କରିବା ଓ ରୋଗୀଙ୍କୁ ଚିକିତ୍ସା ପାଇଁ ଉତ୍ସାହିତ କରିବା ଏକ ଗୁରୁଦାୟିତ୍ୱ ।
ଛୋଟ ଛୋଟ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିବା : ରୋଗୀର ଉନ୍ନତି ହେଲେ ଅର୍ଥାତ୍ ଆଂଶିକ ଭାବରେ ଭଲଆଡ଼କୁ ଗତି କରିବାର ଅନୁଭବ କଲେ ସେମାନଙ୍କୁ ଘରେ ଛୋଟ ଛୋଟ ଦାୟିତ୍ୱପୂର୍ଣ୍ଣ କାମ କରିବାକୁ ଦେବା ଉଚିତ ।
ସିଜୋଫ୍ରେନିଆ ରୋଗ ଏକ ନୈରାଶ୍ୟଜନକ ରୋଗ ନୁହେଁ । ରୋଗୀର ପାରିବାରିକ ଓ ସାମାଜିକ ସ୍ଥିତି ଫେରି ପାଇବାର ଆଶା ବହୁତ ରହିଛି । କିନ୍ତୁ ଅନେକ ସମୟରେ ଖୁବ୍ ଧୀରେ ଧୀରେ ଭଲ ଆଡ଼କୁ ଗତି କରେ । ତେଣୁ ପରିବାରର ଲୋକ ଓ ସମ୍ପର୍କୀୟମାନେ ଧୈର୍ଯ୍ୟ ଧରି ରୋଗୀର ଚିକିତ୍ସା କରିବା ସହିତ ତାହା ସହ ମିଳାମିଶା କରିବା ଉଚିତ ।
ଏହା ଜାଣିବା ଦରକାର ଯେ ଏ ରୋଗ ପାଇଁ ରୋଗୀ ନିଜେ ଦାୟୀ ନୁହେଁ କିମ୍ବା ତା\’ର ପରିବାରର ଲୋକମାନଙ୍କୁ ମଧ୍ୟ ଦୋଷାରୋପ କରିବା ଅନୁଚିତ । କିନ୍ତୁ ତା’ର ଭଲ ହେବା ସାମାଜିକ ପରିବେଶ, ବନ୍ଧୁ, ସମ୍ପର୍କୀୟ ଏବଂ ପାରିବାରିକ ପରିବେଶ ଉପରେ ବହୁ ପରିମାଣରେ ନିର୍ଭର କରେ । ଏହା ସତ୍ୟ ଯେ ଏହା ଏକ କଷ୍ଟସାଧ୍ୟ ବ୍ୟାପାର । ସମୟ ଆସିବ ଯେତେବେଳେ ଆପଣ ଅନ୍ୟର ସାହାଯ୍ୟ, ସହାନୁଭୂତି ଓ ଉତ୍ସାହ ଆବଶ୍ୟକ କରିବେ । ଆପଣମାନେ ଜାଣିରଖନ୍ତୁ ଆମ୍ଭେମାନେ ଡାକ୍ତରୀ ଚିକିତ୍ସାରେ, ବୁଝାମଣା କରିବାରେ, ଥଇଥାନ କରିବାରେ ସାହାଯ୍ୟ କରିବା ପାଇଁ ଆପଣମାନଙ୍କ ପାଖରେ ସବୁବେଳେ ରହିଛୁ । ଦୟାକରି ଆପଣମାନେ ମାନସିକ ରୋଗ ବିଶେଷଜ୍ଞମାନଙ୍କ ସାହାଯ୍ୟ ନିଅନ୍ତୁ ଏବଂ ଅଧିକ ଜାଣିବାକୁ ଚାହିଁଲେ ସେମାନଙ୍କ ସହିତ ଆଲୋଚନା କରନ୍ତୁ । ଆପଣ ନିଶ୍ଚୟ ଜାଣିବେ ଯେ ସେମାନେ ଆପଣଙ୍କର ଏକାନ୍ତ ନିଜର ।