
ଡା. ବିଶ୍ୱଜ୍ୟୋତି ରଥ
ସ୍ନାୟୁରୋଗ ବିଶେଷଜ୍ଞ
ଭୁବନେଶ୍ୱର
ପାର୍କିନସନ୍ ରୋଗ ଏକ କ୍ରମାଗତ ଏବଂ କ୍ଷୟକାରୀ ସମସ୍ୟା ଜନିତ ରୋଗ ଯାହା ବ୍ୟକ୍ତିର ଅଙ୍ଗ ପ୍ରତ୍ୟଙ୍ଗ ସଂଚାଳନ ଉପରେ ପ୍ରଭାବ ପକାଇଥାଏ ଏବଂ ମାଂସପେଶୀର ସନ୍ତୁଳନତା ଏବଂ ନିୟନ୍ତ୍ରଣ ରକ୍ଷା କରିବାରେ ଅସୁବିଧା ହୋଇଥାଏ । ଶରୀରର ମାଂସପେଶୀକୁ ସଂଚାଳନ ଉପରେ ନିୟନ୍ତ୍ରଣ ବଜାୟ ରଖୁଥିବା ଏକ ରାସାୟନିକ ପଦାର୍ଥ ଯାହା ଡୋପାମିନ୍ ନାମରେ ମସ୍ତିଷ୍କର ସ୍ନାୟୁକୋଷରୁ ସୃଷ୍ଟି ହୋଇଥାଏ ତାହା ନଷ୍ଟ ହୋଇଗଲେ ସାଧାରଣତଃ ଏହି ରୋଗର ବିକାଶ ଘଟିଥାଏ । ୧୮୧୭ ମସିହାରେ ଜେମସ୍ ପାର୍କିନସନ୍ ପ୍ରଥମେ ଏହି ରୋଗର ଲକ୍ଷଣଗୁଡ଼ିକୁ ବର୍ଣ୍ଣନା କରିଥିଲେ । ଏହା ସାଧାରଣତଃ ମଧ୍ୟମ ବୟସ କିମ୍ବା ବୃଦ୍ଧାବସ୍ଥା ସମୟରେ ଆରମ୍ଭ ହୋଇଥାଏ । ବୟସ ବଢ଼ିବା ସହିତ ଲକ୍ଷଣଗୁଡ଼ିକ ବଢ଼ିବାରେ ଲାଗେ । ପୁରୁଷମାନଙ୍କଠାରେ ମହିଳାମାନଙ୍କ ତୁଳନାରେ ଏହି ରୋଗ ଅଧିକ ଦେଖାଯାଇଥାଏ । ଜିନ୍ରେ ବ୍ୟତିକ୍ରମ ହେଲେ ଏହି ରେଗ ମଧ୍ୟ ଦେଖା ଯାଇଥାଏ; ସେହି କ୍ଷେତ୍ରରେ ରୋଗ ସାଧାରଣତଃ ଯୁବାବସ୍ଥାରେ ମଧ୍ୟ ଦେଖାଯାଇପାରେ ।
ରୋଗର ଲକ୍ଷଣ :
ହାତ, ବାହୁ, ପାଦ କିମ୍ବା ମାଢ଼ିରେ କମ୍ପନଭାବ । ଏହା ସାଧାରଣତଃ ଦେହର ଗୋଟିଏ ପାଶ୍ୱର୍ରୁ ଆରମ୍ଭ ହୋଇଥାଏ । ସମୟାନୁକ୍ରମେ ଶରୀରର ଉଭୟ ପାଶ୍ୱର୍କୁ ମଧ୍ୟ ଆକ୍ରାନ୍ତ କରିଥାଏ । କମ୍ପନ ସାଧାରଣତଃ ସ୍ଥିତାବସ୍ଥାରେ ବି ଦେଖାଯାଇଥାଏ (ରେଷ୍ଟଂଗ୍ ଟ୍ରେମର୍) । ହାତରେ ହେଉଥିବା କମ୍ପନକୁ ପିଲ୍ ରୋଲିଂ ଟ୍ରେମର୍ କୁହାଯାଇଥାଏ ।
ମାଂସପେଶୀ ଟାଣି ଧରିବା କିମ୍ବା ଶକ୍ତ ପରି ଲାଗିବା ।
ଚଳପ୍ରଚଳରେ ଧୀରତା ଅନୁଭବ କରିବା(ବ୍ରାଡ଼ିକାଇନେସିଆ)
ଶରୀରର ସନ୍ତୁଳନ ରକ୍ଷା କରି ନପାରିବା ଏବଂ ସମୟ ସମୟରେ ବ୍ୟକ୍ତି ପଡ଼ି ମଧ୍ୟ ଯାଇଥାଆନ୍ତି ।
ସ୍ୱରଗୁଡ଼ିକ ଧୀର ହୋଇଯାଏ ଏବଂ କଥା କହିବାରେ କଷ୍ଟ ଅନୁଭବ ହୁଏ ।
ଚାଲିବା ସମୟରେ ଛୋଟ ଛୋଟ ଷ୍ଟେପ୍ ପକାଇ ଚାଲିବା ।
ମୁଖର ଏକ୍ସପ୍ରେସନ୍ ହ୍ରାସ ପାଏ ।
ପାଟିରୁ ଲାଳ ଗଡ଼ିପାରେ ।
ବ୍ରାଡ଼ିକାଇନେସିଆ ଯୋଗୁଁ ଦୈନନ୍ଦିନ କାର୍ଯ୍ୟକଳାପ ଯଥା- ଦାନ୍ତ ଘଷିବା, ମୁଣ୍ଡ କୁଣ୍ଡାଇବା, ସାର୍ଟ ବଟନ୍ ଲଗାଇବା, ଚେୟାରରୁ ଉଠିବା, ବେଡରେ କଡ଼ ଲେଉଟାଇବା ଇତ୍ୟାଦି ଅସୁବିଧା ହୋଇଥାଏ ।
ଅନ୍ୟାନ୍ୟ ଲକ୍ଷଣ ଗୁଡ଼ିକ ହେଲା :
ଦେହରେ ଯନ୍ତ୍ରଣା ଅନୁଭବ କରିବା
କ୍ଳାନ୍ତି ଅନୁଭବ କରିବା ।
ନିଦ୍ରାରେ ଅସୁବିଧା ।
କୋଷ୍ଠକାଠିନ୍ୟ
ଆଚରଣରେ ପରିବର୍ତ୍ତନ
ପରିସ୍ରା ସମସ୍ୟା
ଭୟ ବା ଉଦ୍ବେଗ ଅନୁଭବ କରିବା
ଡିମେନ୍ସିଆ ବା ସ୍ମରଣଶକ୍ତି କମିଯିବା
ରୋଗର ଚିକିତ୍ସା :
ପାର୍କର୍ିନସନ୍ ରୋଗ ପାଇଁ ଚିକିତ୍ସା ବିଧି ପ୍ରତ୍ୟେକ ରୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ହୋଇଥାଏ ଏବଂ ରୋଗୀଙ୍କର ଲକ୍ଷଣଗୁଡ଼ିକୁ ଭିତ୍ତିକରି ସର୍ବୋତ୍ତମ ଉପଚାର କରିବାକୁ ଚେଷ୍ଟା କରାଯାଏ । ଔଷଧ ଉପଚାର, ଜୀବନଶୈଳୀରେ ପରିବର୍ତ୍ତନ, ଫିଜିଓଥେରାପୀ ଓ କିଛି କ୍ଷେତ୍ରରେ ଅସ୍ତ୍ରୋପ୍ରଚାର କରାଯାଇଥାଏ । ଔଷଧ ଉପଚାରର ମୂଳ ଲକ୍ଷ୍ୟ ମସ୍ତିଷ୍କରେ ଡୋପାମିନର ମାତ୍ରାକୁ ବଢ଼ାଇବାକୁ ଚେଷ୍ଟା କରାଯାଇଥାଏ । ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଔଷଧ ଦିଆଯାଇଥାଏ । ଏଥିପାଇଁ ଜଣେ ନିଉରୋଲୋଜିଷ୍ଟ ବା ସ୍ନାୟୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ।
ରୋଗର ପ୍ରତିକାର :
ଏହାକୁ ସମ୍ପୂର୍ଣ୍ଣ ଭାବରେ ପ୍ରତିକାର କରିବା ସମ୍ଭବ ନୁହେଁ । ଅନୁଧ୍ୟାନରୁ ଦେଖାଯାଇଛି ଯେ ଯେଉଁ ସବୁ ଲୋକମାନଙ୍କ ଖାଦ୍ୟରେ ଅଧିକ ପରିମାଣରେ ଫଳ ଓ ପନିପରିବା, ମାଛ, ଉଚ୍ଚ ତନ୍ତୁଜାତୀୟ ଖାଦ୍ୟ, ତୈଳସମୃଦ୍ଧ ଓମେଗା-୩ ଓ କମ୍ ପରିମାଣର ଦୁଗ୍ଧଜାତୀୟ ପଦାର୍ଥ ରହିଥାଏ ସେମାନଙ୍କଠାରେ ଏହି ରୋଗ ବୃଦ୍ଧି ପାଇବାର ଆଶଙ୍କା କମ୍ ଥାଏ ।
ଦୈନନ୍ଦିନ ଜୀବନରେ ପାର୍କିନସନ୍ ରୋଗ ପାଇଁ କିଛି ବ୍ୟବହାରିକ ପରାମର୍ଶ :
ନିୟମିତ ରୂପେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ସକ୍ରିୟ ରୁହନ୍ତୁ । ଏକ ସକାରାତ୍ମକ ମନୋଭାବ ବଜାୟ ରଖନ୍ତୁ । ଦୈନିକ ଏକ ରୁଟିନ୍ ଜୀବନଯାପନ କରନ୍ତୁ । ପୋଷାକ ପିନ୍ଧିବା ପାଇଁ ତରବର ହୁଅନ୍ତୁ ନାହିଁ । ଏହା ପରିବର୍ତ୍ତେ ଏହାକୁ ଧୀରେଧୀରେ ଓ ଉପଯୁକ୍ତ ଭାବରେ କରିବାକୁ ଦିଅନ୍ତୁ । ଉଦାହରଣ ସ୍ୱରୂପ ଆର୍ମ ରେଷ୍ଟ ଥିବା ଏକ ଚେୟାର ଉପରେ ଆରାମରେ ବସନ୍ତୁ ଓ ସଠିକ୍ ଭାବରେ ବୋତାମ ଦିଅନ୍ତୁ । ଯଦି ବସିବା ବା ଉଠିବାରେ କଷ୍ଟ ଅନୁଭବ କରୁଥାନ୍ତି ତେବେ ହାତ ଥିବା ସଳଖ ଚେୟାରକୁ ବାଛନ୍ତୁ । ଛିଡ଼ା ହେବା ସମୟରେ ସନ୍ତୁଳନତା ବଜାୟ ରକ୍ଷା ପାଇଁ କିଛି ସେକେଣ୍ଡ ପାଇଁ ସ୍ଥିର ହୋଇ ରୁହନ୍ତୁ । ଘର ମଧ୍ୟରେ ଚଲାବୁଲା ସମୟରେ ବାଧା ସୃଷ୍ଟି ନ ହେବା ପାଇଁ ଫର୍ଣ୍ଣିଚର ବା ଅନ୍ୟାନ୍ୟ ପଦାର୍ଥଗୁଡ଼ିକୁ ବାହାର କରିଦିଅନ୍ତୁ / ପୁନଃ ବ୍ୟବସ୍ଥିତ କରନ୍ତୁ । ଯାତ୍ରା କରିବା ପୂର୍ବରୁ ଯତ୍ନପୂର୍ବକ ଯୋଜନା ପ୍ରସ୍ତୁତ କରନ୍ତୁ । ଘରୁ ବାହାରକୁ ଯିବା ସମୟରେ ଯଥେଷ୍ଟ ଔଷଧ ନେଇ ଯାଆନ୍ତୁ । ଘର ଛାଡ଼ିବା ପୂର୍ବରୁ ଏବଂ ଘରକୁ ଫେରିଲା ପରେ ଉପଯୁକ୍ତ ବିଶ୍ରାମ ନିଅନ୍ତୁ ।