
ଡା. ଏ. ଶାରଦା । କାର୍ଡିଓ ଥୋରାସିକ୍ ଆଣ୍ଡ୍ ଭାସ୍କୁଲାର ସର୍ଜନ । ୧୯୯୬ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କାର୍ଡିଆକ୍ ସର୍ଜରୀରେ ଏମ୍ସିଏଚ୍ କରିସାରିବା ପରେ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ହେବ ସେ କାର୍ଡିଆକ୍ ସର୍ଜରୀ କ୍ଷେତ୍ରରେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଛନ୍ତି । ଅନେକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି ।
ଆସନ୍ତୁ ଭେଟିବା ତାଙ୍କୁ ଏଥରର ସାକ୍ଷାତକାରରେ ।
ସ୍ୱା.ସ୍ୱ. – ଚିକିତ୍ସା କ୍ଷେତ୍ରକୁ ଆସିବାର କାରଣ କ’ଣ ଥିଲା?
ଡା. ଶାରଦା – ମୋର ଶୈଶବ କଟିଥିଲା ବାଲେଶ୍ୱରରେ । ଆମ ନିଜ ଘର ବିଶାଖାପଟ୍ଟନମ୍ରେ । ହେଲେ ବାପାଙ୍କ ଚାକିରି ଯୋଗୁଁ ଆମେ ରହୁଥିଲୁ ବାଲେଶ୍ୱରରେ । ସେତେବେଳେ ମୋ ମା’ଙ୍କ ଦେହ ପ୍ରାୟତଃ ଖରାପ ରହୁଥିଲା । ସେତେବେଳେ ବାଲେଶ୍ୱରରେ ମେଡ଼ିକାଲ୍ ଫ୍ୟାସିଲିଟି କିଛି ନାହିଁ କହିଲେ ଚଳେ । ମୁଁ କହୁଛି ୧୯୭୦ ମସିହା ବେଳର କଥା । ଚିକିତ୍ସା ପାଇଁ ମା’ଙ୍କୁ ପ୍ରାୟ ସବୁବେଳେ ବିଶାଖାପଟ୍ଟନମ୍ରେ ରହିବାକୁ ପଡ଼ୁଥିଲା । ବାପା ଅଫିସ୍ କାମରେ ପ୍ରାୟତଃ ବ୍ୟସ୍ତ ରହୁଥିଲେ । ଫଳରେ ଘରର ବଡ଼ଝିଅ ଭାବରେ ମୋ ଉପରେ ପରିବାରର ପୂରା ଦାୟିତ୍ୱ ରହୁଥିଲା । ତେଣୁ ସେଇ ଛୁଆବେଳୁ ହିଁ ଗୋଟେ ଡାକ୍ତର ହେବାର ଇଚ୍ଛା ମୋର ରହିଥିଲା । ଡାକ୍ତରଟିଏ ହୋଇପାରିଲେ ମା’ଙ୍କ କଷ୍ଟକୁ ଦୂର କରିପାରିବି ବୋଲି ଭାବୁଥିଲି । ତା’ପରେ ଯେହେତୁ ମୁଁ ଭଲ ପଢ଼ୁଥିଲି, ମେଡିସିନ୍ ପଢ଼ିବା ମୋର ଲକ୍ଷ୍ୟ ହୋଇଯାଇଥିଲା । ତା’ ଛଡ଼ା ମୋ ପୂର୍ବରୁ ଆମ ପରିବାରରୁ କେହି ଡାକ୍ତର ହୋଇନଥିଲେ ।
ସ୍ୱା. ସ୍ୱ.- ଜଣେ ମହିଳା କାର୍ଡିଆକ୍ ସର୍ଜନ ଭାବେ କେବେ କିଛି ପ୍ରତିବନ୍ଧକର ସମ୍ମୁଖୀନ ହୋଇଛନ୍ତି କି?
ଡା. ଶାରଦା – (ହସି) ମୋର ସର୍ଜରୀରେ ବହୁତ ଆଗ୍ରହ ଥିଲା । ଯେତେବେଳେ ସର୍ଜରୀରେ ପୋଷ୍ଟଗ୍ରାଜୁଏସନ୍ କରିବା ପାଇଁ ଗଲି, ସେତେବେଳେ ସାଙ୍ଗମାନେ ଓ ଅନ୍ୟମାନେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ ତଥା ସହଜରେ ଗ୍ରହଣ କରି ପାରି ନଥିଲେ । କିନ୍ତୁ ମୋର ଜିଦ୍ ଥିଲା ମୁଁ ଜଣେ ଭଲ ସର୍ଜନ ହେବି । କାର୍ଡିଆକ୍ ସର୍ଜରୀ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ତଥା ବହୁତ ଡିମାଣ୍ଡିଙ୍ଗ୍ ବିଷୟ । ମହିଳାମାନଙ୍କ ଦକ୍ଷତାକୁ ନେଇ ସମାଜରେ ମାନସିକତା ଏଯାଏଁ ବିଶେଷ ବଦଳି ନାହିଁ । ତେଣୁ ସଫଳତାର ବାଟ ମୋ ପାଇଁ ଏତେ ସହଜ ନଥିଲା । ଆଉ ଗୋଟେ ବି କଥା, ସହଜ ବାଟରେ ସଫଳତା ଆସେନି । ବୈଷୟିକ ଜ୍ଞାନରେ ଦକ୍ଷତା ହାସଲ କରିବାକୁ ମତେ ବହୁତ ପରିଶ୍ରମ କରିବାକୁ ପଡ଼ିଛି । ଝିଅମାନଙ୍କୁ ଏଇଠି ମୋର କୋଟିଏ କଥା କହିବାର ଅଛି- ଆମକୁ ପ୍ରମାଣିତ କରିବାକୁ ହେବ ଯେ ‘ୱି ଆର୍ ବେଟର୍ ଦେନ୍ ଦି ବେଷ୍ଟ୍ ।’
ସ୍ୱା. ସ୍ୱ. – ଓଡ଼ିଶାରେ ବର୍ତ୍ତମାନ କାର୍ଡିଓଲୋଜିର କେଉଁ ସବୁ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ହେଲାଣି?
ଡା. ଶାରଦା – ଏବେ କାର୍ଡିଓଲୋଜିରେ ପ୍ରାୟ ସବୁ ପ୍ରକାରର ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ହେଲାଣି । ପ୍ରାୟ ସବୁ ପ୍ରକାରର କାର୍ଡିଆକ୍ ସର୍ଜରୀ ହୋଇପାରୁଛି । ବାଇପାସ୍ ସର୍ଜରୀ, ଏଓର୍ଟା ସର୍ଜରୀ ମଧ୍ୟ ସଫଳତାର ସହ କରାଯାଉଛି । ନବଜାତ ଶିଶୁଠାରୁ ଆରମ୍ଭ କରି ସବୁ ବୟସର ରୋଗୀଙ୍କୁ କାର୍ଡିଓଲୋଜିର ଆଡଭାନ୍ସଡ ଚିକିତ୍ସା ସେବା ଯୋଗାଇ ଦିଆହେଉଛି । ରୋଗୀମାନେ ଓଡ଼ିଶା ବାହାରକୁ ଯିବା ମଧ୍ୟ ଅନେକାଂଶରେ କମିଗଲାଣି ।
ସ୍ୱା. ସ୍ୱ. – ହୃଦରୋଗର ପ୍ରତିକାର କେମିତି କରାଯାଇପାରିବ?
ଡା. ଶାରଦା – କିଛି ହୃଦ୍ରୋଗ ଆମ ଖରାପ ଜୀବନଶୈଳୀ ଯୋଗୁଁ ହୋଇଥାଏ । ଓଡ଼ିଶାରେ ଉତ୍ତମ ଜୀବନଶୈଳୀ ପାଇଁ ସଚେତନତା ବିଶେଷ ନାହିଁ । ତେଣୁ ହୃଦ୍ରୋଗ ନ ହେବା ପାଇଁ ଆମକୁ ପ୍ରଥମେ ଏକ ଶୃଙ୍ଖଳିତ ଜୀବନଶୈଳୀ ଆପଣେଇବାକୁ ପଡ଼ିବ । ସକାଳୁ ଚାଲିବା, ତେଲ ମସଲା ଜାତୀୟ ଖାଦ୍ୟ ନ ଖାଇବା, ଧଳା ଖାଦ୍ୟ (ମିଠା, ଚିନି, ଲୁଣ, ଲହୁଣି ଆଦି) ନ ଖାଇବା, ଫାଷ୍ଟଫୁଡ୍ ଆଦୌ ନ ଖାଇବା, ଧୂମପାନ ନ କରିବା, ମଦ୍ୟପାନ ନ କରିବା, ସନ୍ତୁଳିତ ଆହାର ସେବନ ଆଦି ଅଭ୍ୟାସ ଆପଣେଇବାକୁ ପଡ଼ିବ । ଏହାଛଡ଼ା ନିୟମିତ କିଛି ନା କିଛି ଶାରୀରିକ ପରିଶ୍ରମ କରିବା ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଥରେ ‘ରେଗୁଲାର ହେଲ୍ଥ ଚେକ୍ଅପ୍’ କରାଇନେବା ଅତ୍ୟନ୍ତ ଜରୁରୀ ।
ସ୍ୱା. ସ୍ୱ. – ଓଡ଼ିଶାର ସାମ୍ପ୍ରତିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ବନ୍ଧରେ ଆପଣଙ୍କ ମତ?
ଡା. ଶାରଦା – ଏବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଶ୍ଚିତ ଭାବରେ ଯଥେଷ୍ଟ ଉନ୍ନତି ଘଟିଲାଣି । ଏଥିରେ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆର ଭୂମିକା ମଧ୍ୟ ପ୍ରଶଂସନୀୟ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜନସଚେତନତା ବୃଦ୍ଧି ହେଉଛି । ଏଥିପାଇଁ ସରକାରୀ ସ୍ତରରେ ମଧ୍ୟ ନିରନ୍ତର ବହୁତ ପ୍ରୟାସ କରାଯାଉଛି । ଭୁବନେଶ୍ୱର ଓ କଟକ ଭଳି ସହରରେ ଆତ୍ୟାଧୁନିକ ଚିକିତ୍ସା ସବୁ ଉପଲବ୍ଧ ହେଲାଣି । ତେବେ ମୋର କହିବା କଥା ହେଲା ଯେ ଓଡ଼ିଶାର ସବୁ ବଡ଼ ବଡ଼ ହସ୍ପିଟାଲ୍ ଭୁବନେଶ୍ୱରରେ । ସମସ୍ତେ ଲାଗିଛନ୍ତି ଭୁବନେଶ୍ୱରକୁ ଗୋଟେ ‘ହେଲ୍ଥ ହବ୍’ରେ ପରିଣତ କରିବାକୁ । ଏଥିରେ ମୋର ଟିକେ ବି ଆପତ୍ତି ନାହିଁ । କିନ୍ତୁ, ଏହି ଉନ୍ନତମାନର ସ୍ୱାସ୍ଥ୍ୟସେବାର ବିକେନ୍ଦ୍ରୀକରଣ ମଧ୍ୟ ନିହାତି ଆବଶ୍ୟକ । ଓଡ଼ିଶାର ସବୁ ସହରରେ, ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହେବା ଉଚିତ ବୋଲି ମୋର ମତ । ଖାଲି ସରକାରଙ୍କ ସହାୟତାକୁ ଚାହିଁ ରହିଲେ ହେବ ନାହିଁ, ବିଭିନ୍ନ ବେସରକାରୀ ଅନୁଷ୍ଠାନ ମଧ୍ୟ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ । ଏହା ଫଳରେ ଓଡ଼ିଶାର ସବୁ ସ୍ଥାନରେ ଲୋକେ ସଠିକ୍ ଚିକିତ୍ସା ସୁବିଧା ପାଇପାରିବେ ।
ସ୍ୱା. ସ୍ୱ. – ଆପଣଙ୍କ ସଫଳତାର ରହସ୍ୟ ଆମ ପାଠକମାନଙ୍କୁ ଟିକେ କହିବେ କି?
ଡା. ଶାରଦା – ମୋ ସ୍ୱାମୀ ଡା. ଜେଡ୍.ଏଚ୍. ଖାନ୍ଙ୍କ ପୂର୍ଣ୍ଣ ସହଯୋଗ ହିଁ ମତେ ଏତେ ବାଟ ଆଗେଇ ଆଣିଛି । ଆମେ ଦୁହେଁ ଦୁହିଁଙ୍କୁ ଖୁବ୍ ବୁଝିପାରୁ । ଆମ ଘରେ ଦୀପାବଳୀକୁ ଯେତେ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳନ କରାଯାଏ, ଇଦ୍କୁ ମଧ୍ୟ ସେତେ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳନ କରାଯାଏ । ଦୁହେଁ ଦୁହିଁଙ୍କ ପ୍ରତି ବହୁତ ଯତ୍ନବାନ ।
ସଫଳତା ପାଇଁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼େ ।
କିଛି ଘଟଣା ମଧ୍ୟ ପ୍ରେରିତ କରିଥିଲା ଜଣେ ଭଲ କାର୍ଡିଆକ୍ ସର୍ଜନ ହେବାକୁ । ବ୍ରହ୍ମପୁରରେ ମେଡ଼ିକାଲ୍ ପଢ଼ିଲାବେଳେ ଦିନେ ରାତିରେ ହସ୍ପିଟାଲର କାମ ସାରି ମୁଁ ଓ ମୋ ସ୍ୱାମୀ ଘରକୁ ଫେରିଲାବେଳେ ବାରଣ୍ଡାରେ ଲୋକଟିଏ କାନ୍ଦୁଥିବାର ଦେଖିଲୁ । ପାଖରେ ତା’ର ଚାରି/ ପାଞ୍ଚ ବର୍ଷର ଛୋଟ ଛୁଆଟେ । ବାପଟି ମୁଣ୍ଡରେ ହାତ ଦେଇ କାନ୍ଦୁଥାଏ ଓ ଛୁଆଟି ତାକୁ ନୀରବରେ ଦେଖୁଥାଏ । ତାକୁ ଆମେ ପଚାରିଲୁ କାନ୍ଦିବାର କାରଣ । ଲୋକଟି କାନ୍ଦୁ କାନ୍ଦୁ କହିଥିଲା ଯେ ଛୁଆଟାର ହାର୍ଟ ବେମାରୀ ଅଛି ଓ ସେ ଆଉ ବେଶିଦିନ ବଞ୍ôଚବନି । ତା’ ପାଖରେ ପଇସା ମଧ୍ୟ ନାହିଁ ଚିକିତ୍ସା କରିବାକୁ । ଯେଉଁ ବୟସରେ ଛୁଆଟାର ପକେଟ୍ରେ ଚକୋଲେଟ୍ ରହିବା କଥା, ସେହି ବୟସରେ ତା’ ପକେଟରେ ପୁଳାଏ ଔଷଧ ଥାଏ । ସେହିଦିନୁ ମୁଁ ପ୍ରତଜ୍ଞା କଲି, ‘ମୁଁ କାର୍ଡିଆକ୍ ସର୍ଜନ ହେବି ଏବଂ ରୋଗୀଙ୍କ ସେବା କରିବି ।’ ମତେ ଭାରି ପ୍ରଭାବିତ କରିଥିଲା ସେ ଘଟଣା ।
ଆଉ ଥରେ ରେଲୱେ ଷ୍ଟେସନ ଯାଇଛି ବାପା, ମା’ଙ୍କୁ ଆଣିବା ପାଇଁ । କୁଲି ଜଣେ ମୋ ପାଖକୁ ଆସି ନମସ୍କାର କଲା ଓ ଟିକେ ହସିଦେଲା । ତା’ପରେ ସେଠୁ ଚାଲିଗଲା ଓ କିଛି ସମୟ ପରେ ପୁଣି ଆସି ହସିଦେଲା । ସେ ଯାଉଥାଏ, ଆସୁଥାଏ, ହସୁଥାଏ । ମତେ ଭାରି ଅଡ଼ୁଆ ଲାଗିଲା ତା’ର ବ୍ୟବହାର । ମୁଁ ତାକୁ ପଚାରିଲି, ‘କ’ଣ ହେଲା? ଜିନିଷ ନେଇ ମୋ ଗାଡ଼ିରେ ଥୋଇଦେବ? କେତେ ନେବ ଥରକରେ କୁହ । ବେଶି ଏପଟ ସେପଟ କହନି ।’ ସେ ହାତ ଯୋଡ଼ି କହିଲା, ‘ମ୍ୟାଡାମ୍, ଆପଣ ମୋ ବାପାର ହାର୍ଟ ଅପରେସନ୍ କରି ତାକୁ ବଞ୍ଚେଇଲେ । ନ ହେଲେ ସେ ମରିଯାଇଥାଆନ୍ତା । ଆପଣଙ୍କ ପାଇଁ ମୁଁ ମୋ ବାପାଙ୍କୁ ଦେଖିପାରୁଛି । ଆପଣଙ୍କଠୁ ଆଦୌ ପଇସା ନେବି ନାହିଁ ।’ କହିସାରିଲା ବେଳକୁ ସେ କାନ୍ଦୁଥାଏ । ଯେତେ ବାଧ୍ୟ କଲି ପଇସା ନେବାକୁ ସେ ନେଲା ନାହିଁ; ଖୁସିରେ ଜିନିଷ ଆଣି ରଖିଦେଲା ମୋ ଗାଡ଼ିରେ । ଜୀବନ ରକ୍ଷା କରିଥିବାର କୃତଜ୍ଞତା ଜଣାଇଥିଲା ସେ ତା’ ନିଜ ଭାଷାରେ ।
ଏଭଳି ଆହୁରି ଅନେକ ଘଟଣା ଘଟିଛି ଜୀବନରେ; ଯାହା ପାଇଁ ମୁଁ କାର୍ଡିଆକ୍ ସର୍ଜନ୍ ହେବାର ପ୍ରେରଣା ପାଇଛି ।
ସ୍ୱା. ସ୍ୱ. – ଅବସର କେମିତି କଟେ?
ଡା. ଶାରଦା – ବଗିଚା କାମରେ ମୋର ବହୁତ ରୁଚି । ୟା’ ଛଡ଼ା ଭଲ ରୋଷେଇ ମଧ୍ୟ କରେ । ଆମ ଘରେ ଯେତେ ଉତ୍ସବ ପାଳନ ହୁଏ ମୁଁ ନିଜେ ରୋଷେଇ କରି ବନ୍ଧୁମାନଙ୍କୁ ଖାଇବାକୁ ଦିଏ ।
ସ୍ୱା. ସ୍ୱ. – ସବୁଠୁ ଖୁସିର ମୁହୂର୍ତ୍ତ?
ଡା. ଶାରଦା- ଯେତେବେଳେ ଗୁରୁତର ଅବସ୍ଥାରେ ଥିବା ରୋଗୀଟିଏ ଭଲ ହୋଇ ଘରକୁ ଫେରେ, ସେତେବେଳେ ତା’ ଆଖିରେ ଥିବା କୃତଜ୍ଞତାର ଭାଷା ଦେଖି ମୁଁ ଭାବ ବିହ୍ୱଳ ହେଇପଡ଼େ । ରୋଗୀଟିଏ ଆରୋଗ୍ୟ ହେବାଟା ମୋ ପାଇଁ ସବୁଠୁ ବଡ଼ ଖୁସି ।
ସ୍ୱା. ସ୍ୱ. – ‘ସ୍ୱାସ୍ଥ୍ୟ ସ୍ୱର’ ସମ୍ପର୍କରେ ପଦେ?
ଡା. ଶାରଦା – ଆପଣମାନେ ନିଶ୍ଚିତ ଭାବରେ ଏକ ଭଲ କାମ କରୁଛନ୍ତି । ଆମ ମନର କଥା, ଆମର କାମ, ଆମର ବାର୍ତ୍ତା, ଆମର ସଫଳତାର କାହାଣୀ ସବୁକୁ ସାରା ଓଡ଼ିଶାରେ ଆପଣ ପହଞ୍ଚଉଛନ୍ତି । ଏହା ଦ୍ୱାରା ଜନସଚେତନତା ବୃଦ୍ଧି ପାଉଛି । ‘ସ୍ୱାସ୍ଥ୍ୟ ସ୍ୱର’ ଆହୁରି ଆଗକୁ ଯାଉ ।