ଜୀବନକୁ ଭୋଗିବା ଭଳି ଭୋଗିଥିବା ଲୋକର ରୋଚକ କାହାଣୀଟିଏ ଥାଏ । ଅନେକ କ୍ଷେତ୍ରରେ ଦେଖାଯାଇଛି ଜୀବନର ପ୍ରାରମ୍ଭିକ ଅବସ୍ଥାରେ ଦୁଃଖ, ଦାରିଦ୍ର‌୍ୟରେ କାଟିଥିବା ମଣିଷ ଭବିଷ୍ୟତରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଏ । ଅଭାବ ଅନଟନରେ ହିଁ ସେ ଘଷିମାଜି ଚିକ୍କଣ କରୁଥାଏ ତା’ର ସ୍ୱପ୍ନ । ଯେକୌଣସି ପରିସ୍ଥିତିରେ ବି ପାଠ ପଢ଼ିବାକୁ ସ୍ୱପ୍ନ ଦେଖୁଥିବା ସେ ମଣିଷ ଆଜି ଜଣେ ପ୍ରଖ୍ୟାତ ଚିକିତ୍ସକ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସିଦ୍ଧି ପାଇସାରିଲେଣି ନିଜର କର୍ତବ୍ୟପରାୟଣତା ଯୋଗୁଁ ତଥା ରୋଗୀସେବାରେ ନିଜର ନିଷ୍ଠା ଯୋଗୁଁ । ଏଣ୍ଡୋସ୍ପାଇନ୍ ସର୍ଜରୀ କୁହନ୍ତୁ କି ଆର୍ଥ୍ରୋସ୍କୋପି କୁହନ୍ତୁ କିମ୍ବା ଆଣ୍ଠୁ ପ୍ରତ୍ୟାରୋପଣ ସର୍ଜରୀ କୁହନ୍ତୁ ଅସ୍ଥିଶଲ୍ୟ ରୋଗର ପ୍ରାୟ ସବୁକ୍ଷେତ୍ରରେ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବିଖ୍ୟାତ ଅସ୍ଥିଶଲ୍ୟ ଚିକିତ୍ସକ ଡା. ପରେଶ ଚନ୍ଦ୍ର ଦେ ।
ବ୍ୟକ୍ତିଗତ ଜୀବନରେ ସେ ବେଶ୍ ମାର୍ଜିତ, ଶୃଙ୍ଖଳିତ ଏବଂ ଖୁବ୍ କମ୍ କଥା କହୁଥିବା ଶାନ୍ତ ସରଳ ମଣିଷ ଜଣେ । ଅବଶ୍ୟ ତାଙ୍କର ଏ କମ୍ କହିବା ଗୁଣ ଯୋଗୁଁ କିଛି ଲୋକ ତାଙ୍କୁ ଅନ୍ୟ ପ୍ରକାର ଭାବନ୍ତି; ହେଲେ ମିଶିଲା ପରେ ଜାଣନ୍ତି ଯେ, ଡା. ପି.ସି. ଦେ କେତେ କୋମଳ ହୃଦୟର ତଥା କେତେ ଆପଣାର ଲାଗୁଥିବା ଛଳଛଳ ମଣିଷ ଜଣେ ।
ଆସନ୍ତୁ ପଢ଼ିବା ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକର ଏକ ଅଖ୍ୟାତ ପଲ୍ଲୀ ବାରବାଟିଆରେ ଏକ ଅଭାବୀ ପରିବାରରେ ପରେଶଙ୍କ ଜନ୍ମ । ବାପାଙ୍କ ନାମ ସ୍ୱର୍ଗତଃ ପ୍ରାଣକୃଷ୍ଣ ଦେ ଓ ମାଆଙ୍କ ନାମ ସୁବର୍ଣ୍ଣ । ପାଂଚ ଭାଇରେ ପରେଶ ଚତୁର୍ଥ । ପ୍ରକୃତ ଗରିବ ଯାହାଙ୍କୁ କୁହାଯାଏ, ପରେଶଙ୍କ ପରିବାର ଠିକ୍ ସେମିତି ଗରିବ । ଝାଟିମାଟିର ଛୋଟ କୁଡ଼ିଆରେ ସାତ ପ୍ରାଣୀ କୁଟୁମ୍ବ । ଖାଇବାକୁ ନାହିଁ, ପିନ୍ଧିବାକୁ ନାହିଁ, ରହିବାକୁ ନାହିଁ । ନାହିଁ ନାହିଁର ସଂସାର । ଅଭାବ ଅନଟନଭରା ଜୀବନ । ବହୁ କଷ୍ଟରେ ପାଠପଢ଼ା । ପାଠ ପଢ଼ିବା ପାଇଁ ସର୍ବନିମ୍ନ ଆବଶ୍ୟକତା ବି ଉପଲବ୍ଧ ହେଉନଥାଏ । ହେଲେ ବି ଭଗବାନଙ୍କ କରୁଣାରୁ ପିଲାଦିନରୁ ପରେଶ ମେଧାବୀ । ଲୋକଙ୍କ ସେବା କରିବାର ମନୋବୃତି ସେଇ ପିଲାଟି ଦିନରୁ ହିଁ ଥାଏ । ନବମ ଶ୍ରେଣୀ ଯାଏଁ ଖାଲି ହାଫ୍ପ୍ୟାଂଟ୍ ଓ ଗାମୁଛାରେ କାମ ଚଳିଛି । ନବମ ଶ୍ରେଣୀରେ ଯାଇ ଦେହରେ ସାର୍ଟଟିଏ ପଡ଼ିପାରେ । କି ଖୁସି ସେଦିନ! ପିନ୍ଧିବାକୁ ସାର୍ଟଟିଏ ଯେ ତାଙ୍କୁ ମିଳିଛି । ଚପଲ ହଳେ କି ଯୋତା ହଳେ ପାଦରେ ଲଗାଇବା ଥିଲା ସେ ସମୟରେ ଗୋଟିଏ ଅପହଂଚ ସ୍ୱପ୍ନର ନାଁ । ହେଲେ ଭାଗ୍ୟ ଜୋର୍ ଥାଏ ବୋଧେ । ସେ ଅପହଂଚ ସ୍ୱପ୍ନଟି ବି ଦିନେ ସତ ହୋଇଯାଏ । ଦଶମ ଶ୍ରେଣୀ ବେଳକୁ ପାଦକୁ ଚପଲ ହଳେ ମିଳେ । ପାଠପଢ଼ା ବ୍ୟତୀତ ସେ ବ୍ୟସ୍ତ ରହୁଥାନ୍ତି ବିଲକାମ, ଗୁହାଳକାମ ଆଦିରେ । କାଳିଆ କଷରା ବଳଦଙ୍କୁ ନେଇ ବିଲରେ ଭଲ ହଳ ବି କରୁପାରୁଥାନ୍ତି । ଏହି ହଳ କରିବା କାମଟି ଏମ୍ବିବିଏସ୍ ସରିବା ଯାଏଁ ମଝି ମଝିରେ କରିବାକୁ ପଡ଼ୁଥାଏ । ବନ୍ୟାପ୍ଳାବିତ ଗାଁ । ଅନେକ ସମୟରେ ବନ୍ୟା ଆସି ଧୋଇ ନିଏ ଚାଷବାସ । ଅନେକ ଦିନ ଯାଏଁ ପାଣି ରହେ ଗାଁରେ । ସାପ, ବିଛା ମାଳମାଳ । କେତେବେଳେ ମରଣ ଛୁଇଁଦେବ ଜାଣି ହେବନି । ମାଛ ବୋଲି ଧରୁ ଧରୁ ଧରି ହୋଇଯାଉଥିବ ନାଗ । ପାଣିରୁ ଟେକୁ ଟେକୁ ସେ ଫଣା ଟେକି ସାରିଥିବ । ଡରରେ ଛାଟି ହୋଇଯିବ । ଛାଟି ନ ପାରିଲେ ଚୋଟ!


ଭାରି କଷ୍ଟକର ଜୀବନ । ବାଳକ ପରେଶ ବାରମ୍ବାର ଠାକୁରଙ୍କୁ ଡାକୁଥାନ୍ତି ନିର୍ବାଣ ପାଇଁ । ତାଙ୍କୁ କିଏ ଜଣେ କହିଥାନ୍ତି- ‘ଭଲକାମ କଲେ ନିର୍ବାଣ ମିଳେ ଏବଂ ଏ ପୃଥିବୀରେ ଆଉ ପୁନର୍ଜନ୍ମ ହୁଏ ନାହିଁ ।’ କୋମଳମତି ପରେଶଙ୍କୁ ଏକଥା ଗଭୀର ଭାବେ ପ୍ରଭାବିତ କରିଥାଏ । ଭାବୁଥାନ୍ତି ରୋଗୀସେବାଠାରୁ ଆଉ ଭଲକାମ ହିଁ ନାହିଁ । ଡାକ୍ତରଟିଏ ହୋଇ ରୋଗୀସେବା କଲେ ଆଉ ପୁନର୍ଜନ୍ମ ହେବ ନାହିଁ । ପ୍ରକୃତରେ ଅଭାବର ଯନ୍ତ୍ରଣା ଖୁବ୍ ଅସହ୍ୟ ଥାଏ ପରେଶଙ୍କ ପାଇଁ । ମନକୁ ଶାନ୍ତ କରିବା ପାଇଁ ସେ ଏକାଦିକ୍ରମେ ୭/୮ ଘଂଟା ଯାଏଁ ଧ୍ୟାନ କରୁଥାନ୍ତି । ସେହି ଅଭ୍ୟାସ କାରଣରୁ ସେ ଏବେ ବି ଦୀର୍ଘ ସମୟ ଧରି ନିରବଚ୍ଛିନ୍ନ ଭାବରେ ଧ୍ୟାନରେ ବସିପାରନ୍ତି ।
ଏ ମଧ୍ୟରେ ତାଙ୍କର ମାଟ୍ରିକ୍ ସରେ । ଅଧିକ ପଢ଼ିବାକୁ ଇଚ୍ଛା । ହେଲେ ଘରର ଆର୍ଥିକ ପରିସ୍ଥିତି ଏଥିପାଇଁ ଅନୁମତି ଦିଏ ନାହିଁ । ଘରେ ଉପର ବଡ଼ ତିନି ଭାଇ ବସିଛନ୍ତି । ପାଠ ପଢ଼ି ଚାକିରି ପାଇନାହାନ୍ତି । ତେଣୁ ବାପା କହନ୍ତି ଦୋକାନଟିଏ କରିବାକୁ । ଗାଁରୁ ୧୫ କିଲୋମିଟର ଦୂର ଚନ୍ଦନେଶ୍ୱର ବଜାରରେ ଜରିପାଲ ଟାଣି ଗୋଟିଏ ଛୋଟ ତେଜରାତି ଦୋକାନ କରାଯାଏ । ବଡ଼ଭାଇ ବସନ୍ତି ସେଠି । ତାଙ୍କୁ ସାହାଯ୍ୟ କରିବାକୁ ପରେଶ ବି ସେ କାମ ସବୁ ବୁଝାବୁଝି କରନ୍ତି । ଜଳେଶ୍ୱରରୁ ଜିନିଷ ନେଇ ଚନ୍ଦନେଶ୍ୱରରେ ବିକନ୍ତି । ଟ୍ରକରୁ ଦୋକାନଯାଏଁ ବସ୍ତା ସବୁକୁ ନିଜ ପିଠିରେ ଲଦି କରି ନେଇଯାଆନ୍ତି । କୁଲିଙ୍କ ମଜୁରୀ ଦେବାକୁ ପଡ଼ିବ ନାହିଁ ବୋଲି ସବୁ ବୁହାବୁହି କାମ ନିଜେ ହିଁ କରନ୍ତି । ଦୋକାନ ଧୀରେଧୀରେ ଭଲ ଚାଲିବାକୁ ଲାଗେ । ମାସିକ ପ୍ରାୟ ୧୫୦୦/୧୭୦୦ଟଙ୍କା ଯାଏଁ ରୋଜଗାର ହୁଏ । ଫଳରେ ଆଉ କିଛି ହେଉ ନ ହେଉ ଖାଇବାକୁ ମୁଠେ ମିଳେ ।
ଥରେ ବର୍ଷାଦିନେ ଘରୁ ଚନ୍ଦନେଶ୍ୱର ଦୋକାନକୁ ପରେଶ ସାଇକେଲରେ ବାଉଁଶ ବାନ୍ଧି ଆସୁଥାନ୍ତି । ସନ୍ଧ୍ୟା ସମୟ । ବର୍ଷା ଆରମ୍ଭ ହେଲା । ପାଣି ଧୀରେ ଧୀରେ ବଢ଼ିବାକୁ ଲାଗେ । ଚାରିଆଡ଼େ ଅନ୍ଧକାରମୟ, ପାଣିମୟ । ଆଉ କିଛି ଦେଖାଗଲା ନାହିଁ । ଖାଲି ଗୋଡ଼ ଅଣ୍ଡାଳି ଅଣ୍ଡାଳି ଯିବାକୁ ହେଉଥାଏ । ବନ୍ୟାପାଣି ସ୍ରୋତ ବଢ଼ିବାରେ ଲାଗିଥାଏ । ତାଙ୍କୁ ସାପ ବିଛାର ଭୟ । ଲାଗୁଥାଏ ସେଇ ପାଣିର ସ୍ରୋତରେ ସେ ଯେମିତି ଭାସିଯିବେ । ସମ୍ଭାଳି ହେଉନଥାଏ ପାଣି ସ୍ରୋତ । ସତେ ଅବା ମୃତ୍ୟୁ ସହ ସାମ୍ନାସାମ୍ନି! ଦୋକାନଯାଏଁ ପହଂଚି ପାରିବେ ବୋଲି ଆଉ ଆଶା ନାହିଁ । ସେଇ ବର୍ଷା ଅନ୍ଧାର ରାତିରେ ପାଣି ଭିତରେ ହିଁ ମରିଯିବେ ବୋଲି ଧରିନିଅନ୍ତି ସେ । ପାଖାପାଖି କେହି ବି ନାହାନ୍ତି । ସାହାଯ୍ୟ ପାଇଁ ଡାକିଲେ ବି କେହି ଶୁଣିବାକୁ ନାହିଁ । ଅନ୍ଧାରରେ ଶୁଭୁଥାଏ ଖାଲି ପାଣିର କାନଫଟା ଘୋ ଘୋ ଶବ୍ଦ । ବଂଚିବାର ଆଶା ମରି ମରି ଆସୁଥାଏ । ଗୋଡ଼ ଟିକିଏ ଟିକିଏ ଚାଲିଥାଏ । ଯାହା ବି ହେଉ ଈଶ୍ୱରଙ୍କ କରୁଣାରୁ ରାତି ଏଗାରଟାରେ ଚନ୍ଦନେଶ୍ୱର ବଜାରଯାଏଁ ପହଂଚିଯାନ୍ତି । ପହଂଚିବା ବେଳେ କିନ୍ତୁ ଆଉ ଅବସ୍ଥା ନଥାଏ ପରେଶଙ୍କର । ଆସନ୍ନ ମୃତ୍ୟୁରୁ ରକ୍ଷା ପାଇଯାଇଥାନ୍ତି ।
ସେଇ କାଳରାତ୍ରି କଥା କହିଲାବେଳେ ଏବେ ବି ଭୟରେ ଶିହରି ଉଠନ୍ତି ସେ ।


ଦୋକାନରେ କାମ କରୁଥିଲେ ବି କଲେଜରେ ପଢ଼ିବାକୁ ତାଙ୍କର ଖୁବ୍ ଇଚ୍ଛା । ହେଲେ ସମ୍ବଳର ଘୋର ଅଭାବ । କ’ଣ କରିବେ? ଦିନେ କ୍ଷେତରେ ହଳ କରୁଥାନ୍ତି ପରେଶ । ସେଇ ବାଟ ଦେଇ ସାଇକେଲରେ ଯାଉଥାନ୍ତି ବାଲିଆପାଳ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଅବିନାଶ ଦେ, ଯିଏ ଲେଖାଯୋଖାରେ ପରେଶଙ୍କ ବଡ଼ଭାଇ ହେବେ । ଅବିନାଶ ଭାଇଙ୍କ ଘର ବି ତାଙ୍କ ଗାଁରେ ଓ ପରେଶଙ୍କ ବାପାଙ୍କୁ ସେ ମାମୁ ଡାକନ୍ତି । ପରେଶଙ୍କୁ ହଳ କରୁଥିବାର ଦେଖି ସେ ଅଟକିଯାଆନ୍ତି ସେଠି । ପରେଶଙ୍କ ସହ କଥାବାର୍ତା କରିବା ପରେ ପରେଶଙ୍କ ବଡ଼ଭାଇ ରମେଶଙ୍କୁ କହନ୍ତି- ‘ଆରେ ରମେଶ, କୁନା (ପରେଶଙ୍କ ଡାକ ନାଁ)କୁ କିସ ପାଇଁ କଲେଜ ଛାଡ଼ୁନରେ? ସେ ତ ମାଟ୍ରିକ୍ରେ ଭଲ ମାର୍କ ରଖିଛି ।’ ରମେଶ ଭାଇ କହନ୍ତି ଘରର ପରିସ୍ଥିତି ବିଷୟରେ । ସବୁ ଶୁଣି ଅବିନାଶ ଭାଇ ସେଠୁ କହନ୍ତି-‘ମାମୁଙ୍କୁ କହିବୁ ମୁଁ ସନ୍ଧ୍ୟାରେ ଘରକୁ ଯାଇ କଥା ହେବି ।’ ତା’ପରେ ଅବିନାଶବାବୁ କଲେଜ ଯାଆନ୍ତି । ସନ୍ଧ୍ୟାରେ ସତକୁ ସତ ସେ ପରେଶଙ୍କ ଘରକୁ ଆସନ୍ତି । ବାପା ନ ଥାନ୍ତି ଘରେ, ବିଲକୁ ଯାଇଥାନ୍ତି । ସେଠି କ୍ଷୀର ମୁଢ଼ି ଖାଇ ଅବିନାଶବାବୁ ପରେଶଙ୍କ ବାପାଙ୍କୁ ଅପେକ୍ଷା କରନ୍ତି । ଘଂଟାଏ ପରେ ବାପା ଆସନ୍ତି । ଅବିନାଶଭାଇ ଅଧଘଂଟା ଧରି ବୁଝାଇଲା ପରେ ପରେଶଙ୍କ କଲେଜ ପଢ଼ାକୁ ନେଇ ରାଜି ହୁଅନ୍ତି ବାପା । ଅବଶ୍ୟ ବାପାଙ୍କ ଅସହାୟତାର ମୂଖ୍ୟ କାରଣ ଥିଲା ଅଭାବ । ସାତ ପ୍ରାଣୀ କୁଟୁମ୍ବଙ୍କୁ ଭଲ ଭାବେ ଖାଇବାକୁ ମୁଠାଏ ଦେଇପାରୁନଥିବା ବାପା ଜଣକୁ କେମିତି ଦେଇପାରନ୍ତେ କଲେଜ ଫି ତଥା ତୁଲେଇ ପାରନ୍ତେ ଆନୁଷଙ୍ଗିକ ଖର୍ଚ୍ଚ! ହେଲେ ଏସବୁର ସମାଧାନ ବାଟ ବାହାର କରନ୍ତି ଅବିନାଶବାବୁ । କଲେଜର ପ୍ରେସିଡେଂଟ୍ଙ୍କୁ କହି କୁନାର କଲେଜ ଫି, ହଷ୍ଟେଲ ଫି ଛାଡ଼ କରିବା ପାଇଁ କହିଦେବି ବୋଲି କହନ୍ତି । ଅଗତ୍ୟା ବାପା ରାଜି ହୁଅନ୍ତି ।
ଏଠାରେ ବାଲିଆପାଳର ସୁବର୍ଣ୍ଣରେଖା ମହାବିଦ୍ୟାଳୟର କଥା ଟିକେ ଉଲ୍ଲେଖ କରବା ଉଚିତ ହେବ । ତକ୍ରାଳୀନ ଏମ୍ଏଲ୍ଏ ଶ୍ରୀ ଗଦାଧର ଗିରିଙ୍କ ଉଦ୍ୟମରେ ଏ କଲେଜ୍ ଆରମ୍ଭ ହୋଇଥାଏ । ସେତେବେଳେ ସେ ଖୁବ୍ ଲୋକପ୍ରିୟ । କଲେଜ୍ ପାଇଁ ୧୦୦ ଏକର ଜାଗା ଯୋଗାଡ଼ କରି ଆରମ୍ଭ କରିଥାନ୍ତି ସୁବର୍ଣ୍ଣରେଖା ମହାବିଦ୍ୟାଳୟ । ସେଇ ସମୟରେ ବାଳିଆପାଳ ଅଂଚଳରେ ବିଶେଷ କଲେଜ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଘୋର ଅସୁବିଧା ହେଉଥାଏ । ଏହି ଅସୁବିଧାକୁ ଦୂର କରିବା ପାଇଁ ତଥା ଉନ୍ନତ ମାନର ପାଠପଢ଼ା ଯୋଗାଇଦେବାକୁ ସେ ଏଇ କଲେଜ ଆରମ୍ଭ କରନ୍ତି । ଗଦାଧର ବାବୁ ଲେଖିଦେଲେ ଛାତ୍ରଛାତ୍ରୀଙ୍କ କଲେଜ୍ ଫି ଛାଡ଼ ହୁଏ । ତାଙ୍କ ଜୀବନଶୈଳୀ ଅତି ସରଳ ତଥା ସିଧାସାଦା । ନିର୍ବାଚନମଣ୍ଡଳୀର ଯୁଆଡ଼େ ବି ସଭାସମିତି ପାଇଁ ଯିବାକୁ ପଡ଼େ, ସେ ସାଇକେଲରେ ହିଁ ଯାଉଥାନ୍ତି । ଲୋକଙ୍କ ସୁଖଦୁଃଖରେ ସମ୍ପୂର୍ଣ୍ଣ ସାମିଲ୍ ହେଉଥାନ୍ତି । ଗର୍ବ ଅହମିକାଠୁ ଖୁବ୍ ଦୂରରେ ଥାଆନ୍ତି ଗଦାଧରବାବୁ ।
ଏବେ ଫେରିବା ମୂଳ କଥାକୁ । ଅବିନାଶ ଭାଇ ଖବର ନିଅନ୍ତି ଗଦାଧରବାବୁଙ୍କ କାର୍ଯ୍ୟକ୍ରମ ବିଷୟରେ । ଯୋଗକୁ ତା’ ପରଦିନ ପାଖ ଗାଁରେ ମିଟିଂ ଥାଏ ଗଦାଧରବାବୁଙ୍କର । ସେଠିକି ଛୁଟନ୍ତି ଅବିନାଶ ଭାଇ ଓ ପଛେ ପଛେ ପରେଶ । ସମୟ ସୁବିଧା ଦେଖି ସେଠି ଗଦାଧରବାବୁଙ୍କୁ ସବୁ କଥା କହନ୍ତି ଅବିନାଶ ଭାଇ ତଥା କଲେଜ ଫି ଓ ହଷ୍ଟେଲ୍ ଫି ଛାଡ଼ କରିଦେବା ପାଇଁ ଅନୁରୋଧ କରନ୍ତି । ସବୁ ଶୁଣି ଗଦାଧରବାବୁ ପରେଶଙ୍କ ସହ କିଛି ସମୟ କଥାବାର୍ତା କରନ୍ତି । ବୋଧହୁଏ ଗଦାଧରବାବୁ ଦେଖିପାରନ୍ତି ପରେଶଙ୍କ ଭବିଷ୍ୟତ । ପରେଶଙ୍କ ଦରଖାସ୍ତରେ ଫି ଛାଡ଼ କରାଗଲା ବୋଲି ଗଦାଧର ବାବୁ ଦସ୍ତଖତ କରିଦିଅନ୍ତି ।


କଲେଜ୍ରେ ପଢ଼ିବା ସ୍ୱପ୍ନରେ ବିଭୋର ପରେଶ । ଗଦାଧରବାବୁକୁ ଭେଟିବା ପରଦିନ ହିଁ ଅବିନାଶ ଭାଇଙ୍କ ସହ ସେ ସୁବର୍ଣ୍ଣରେଖା କଲେଜ ଯାଆନ୍ତି ଆଡମିଶନ୍ ନେବା ପାଇଁ । ପିନ୍ଧିଥାନ୍ତି ଧୋତି ଓ ସାର୍ଟ । ଫୁଲ୍ ପ୍ୟାଂଟ୍ ନଥାଏ । ଗଦାଧରବାବୁଙ୍କ ଦସ୍ତଖତ ଥିବା ଦରଖାସ୍ତ ଧରି ଅବିନାଶ ଭାଇ ପ୍ରିନ୍ସିପାଲଙ୍କ ଅଫିସ ଭିତରକୁ ଗଲେ । ବାହାରେ ଅପେକ୍ଷା କରନ୍ତି ପରେଶ । ପ୍ରାୟ ୧୫ ମିନିଟ୍ ପରେ ପ୍ରିନ୍ସିପାଲ୍ ଡକାନ୍ତି ପରେଶଙ୍କୁ । ପରେଶ ଭିତରକୁ ଯାଇ ପ୍ରିନ୍ସିପାଲଙ୍କୁ ନମସ୍କାର କରି ନିରବରେ ଗୋଟେ କୋଣରେ ଛିଡ଼ା ହୁଅନ୍ତି । ପ୍ରିନ୍ସିପାଲ୍ ଧୋତିପିନ୍ଧା ପରେଶଙ୍କୁ ଆପାଦ ମସ୍ତକ ଦୁଇ ଚାରି ଥର ଚାହିଁ ଆଶ୍ଚର୍ଯ୍ୟରେ ପଚାରନ୍ତି-‘ତୁମେ ପରେଶ ଦେ? ତୁମେ ପଢ଼ିବ?’ ତାଙ୍କୁ ହୁଏତ ବିଶ୍ୱାସ ହେଉନଥାଏ ଯେ ଏଇ ଧୋତିପିନ୍ଧା ଟୋକାଟି ମ୍ୟାଟ୍ରିକରେ ଏତେ ଭଲ ମାର୍କ ରଖିଛି!
ପରେଶ ନିରୀହ ଉତର ଦିଅନ୍ତି – ‘ହଁ ସାର୍, ମୁଁ ପରେଶ ଦେ । ମୁଁ ଏଇଠି ଆଡମିଶନ୍ ପାଇଁ ଆସିଛି ।’ ପ୍ରକୃତରେ ସେତବେଳକୁ ଆଡମିଶନ୍ ନେବାର ସମୟ ଅତିକ୍ରାନ୍ତ ହୋଇସାରିଥାଏ । ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ ଆଡମିଶନ୍ ନେଇଥିବା ସବୁ ଛାତ୍ରଛାତ୍ରୀଙ୍କ ତାଲିକା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥାଏ ଏବଂ ଖାଲି ଯାହା ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ପଠାଇବାଟା ବାକି ଥାଏ; ଯେଉଁଟାକି ସେଇଦିନ କିମ୍ବା ତା’ ପରଦିନ ହିଁ ପଠାଇଥାନ୍ତେ । ତେଣୁ ପ୍ରିନ୍ସିପାଲ୍ ବଡ଼ କଷ୍ଟରେ ଖାଲି ଅବିନାଶବାବୁଙ୍କ ମୁହଁକୁ ଚାହିଁ ରାଜି ହୁଅନ୍ତି । ଅବିନାଶ ଭାଇ ସାହାଯ୍ୟ କରିନଥିଲେ ହୁଏତ ଇତିହାସ ଅଲଗା ହୋଇଯାଇଥାଆନ୍ତା!
ପ୍ରିନ୍ସିପାଲ୍ ରାଜି ହେଲା ପରେ ଆଡମିଶନ୍ ବେଳକୁ କିରାଣୀ ନାଟ କରେ । ବିଭିନ୍ନ ଆଳ ଦେଖାଇ ତଥା ଆଡମିଶନ୍ରେ ସମୟ ଅତିକ୍ରାନ୍ତ ହୋଇଯାଇଥିବାରୁ ମନା କରେ । ପୁଣି ଅବିନାଶ ଭାଇ ଅନୁରୋଧ କରନ୍ତି ଓ ତାଙ୍କର ସନ୍ତୁଷ୍ଟି ପାଇଁ କିଛି ଗୋଟେ ବ୍ୟବସ୍ଥା କରନ୍ତି । ତା’ପରେ ଯାଇ ପରେଶଙ୍କର ଆଡମିଶନ୍ ହୁଏ । ହଷ୍ଟେଲରେ ସବା ଶେଷ କୋଠରୀରେ ରହିବାର ବନ୍ଦୋବସ୍ତ ହୁଏ ।
ଅବିନାଶ ଭାଇଙ୍କୁ କି ଭାଷାରେ କୃତଜ୍ଞତା ଜ୍ଞାପନ କରିବେ ଜାଣିପାରନ୍ତିନି ପରେଶ । ସନ୍ଧ୍ୟାରେ ଅବିନାଶଭାଇଙ୍କୁ ଭେଟିଲା ପରେ ଅବିନାଶ ଭାଇ କହନ୍ତି – ‘ଦେଖ କୁନା, ଆହୁରି ଭଲ ପାଠ ପଢ଼ି ବାପାଙ୍କ ନାଁ ରଖ ।’
ଏଇଠି ହିଁ ପରେଶ ପ୍ରଥମେ ଦେଖନ୍ତି ‘ସମାଜ’ ଖବରକାଗଜ । ସେତେବେଳ ଯାଏଁ ତାଙ୍କର ଗୋଟେ ଧାରଣା ଥିଲା ଯେ ନ୍ୟୁଜ୍ପେପର୍ର ଓଡ଼ିଆ ଅର୍ଥ ‘ସମାଜ’ ବୋଲି!
ତା’ପରେ ସେ ସେଇଠି ପଢ଼ନ୍ତି +୨ ବିଜ୍ଞାନ । ଭଲ ପଢ଼ନ୍ତି । ସେଇଠି ଫାଷ୍ଟ ଇୟର୍ରେ ସେ ଟପ୍ପର ହୁଅନ୍ତି । ସବୁ ବିଷୟରେ ୮୦ ମାର୍କରୁ ୬୫ ମାର୍କ ବା ତଦୁଦ୍ଧ୍ୱର୍ ରଖନ୍ତି । ସବୁ ଅଧ୍ୟାପକ ପରେଶଙ୍କ ଉପରେ ଖୁସି । ହେଲେ ଏହି ସମୟରେ ଆଉ ଗୋଟିଏ ଘଟଣା ଘଟେ । ଲଙ୍ଗଳେଶ୍ୱର ସିଟି ସ୍କୁଲରେ ଆଡମିଶନ୍ ପାଇଁ ଚିଠି ଆସେ । ଚିଠିଟିକୁ ଧରି ବାପା ଆସନ୍ତି ବାଲିଆପାଳ କଲେଜକୁ ଓ ପରେଶଙ୍କୁ କହନ୍ତି +୨ ପଢ଼ା ଛାଡ଼ି ସିଟି ପଢ଼ିବାକୁ । ପରେଶଙ୍କ ମୁଣ୍ଡରେ ଚଡ଼କ ପଡ଼େ । +୨ ପଢ଼ିବାକୁ ଖୁବ୍ ଇଚ୍ଛା, କାରଣ ବହୁତ କଷ୍ଟରେ ଆଡମିଶନ୍ ମିଳିଛି । ହେଲେ ଘରର ଆର୍ଥିକ ଦୁରାବସ୍ଥା ସୁଧାରିବାକୁ ବି ଚାକିରିଟିଏ ଲୋଡ଼ା ଏବଂ ସିଟି କରିସାରିବା ପରେ ଶିକ୍ଷକ ଚାକିରି ମିଳିବା ଥୟ । ତେଣୁ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ପରେଶ । କ’ଣ କରିବେ ସେ? ଠିକ୍ ଏହି ସମୟରେ ରସାୟନ ବିଜ୍ଞାନର ଅଧ୍ୟାପକ ଦେଖା ହୁଅନ୍ତି ତାଙ୍କୁ ଓ ସମସ୍ତ ବିଷୟ ଜାଣି ପ୍ରଥମେ ତ ଖୁବ୍ ଜୋର୍ରେ ଗାଳି କରନ୍ତି ଓ ପରେ ବୁଝାଇ କହନ୍ତି- ‘ତୁମେ ଭଲ ପଢ଼ୁଛ ଓ ନିଶ୍ଚୟ ଭାବେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବ । ତୁମର ଭବିଷ୍ୟତ ନିଶ୍ଚିତ ଭାବେ ଉଜ୍ଜ୍ୱଳ । ତେଣୁ ସିଟି ଆଡ଼େ ମନ ନ ଲଗାଇ ଏଇଠି ହିଁ +୨ ପଢ଼ ।’ ପରେଶଙ୍କୁ ବୁଝାଇ ସାରିବା ପରେ ବାପାଙ୍କୁ ଭେଟନ୍ତି ଓ ତାଙ୍କୁ ବି ବୁଝାଇ କହନ୍ତି- ‘ଦେଖନ୍ତୁ ମଉସା, ପରେଶ ଭଲ ପଢ଼ୁଛି । ଏଣୁ ତା’ ଉପରେ କଲେଜର ବହୁତ ଆଶା । ତାକୁ ସିଟି ପଢ଼ିବା ପାଇଁ କୁହନ୍ତୁ ନାହିଁ । ଆଉ ତଥାପି ବି ଯଦି ଆପଣ ତାକୁ ନେବା ପାଇଁ ଚାହିଁବେ ତା’ହେଲେ ମୁଁ ବି ଏ କଲେଜ ଛାଡ଼ି ଆଉ କେଉଁ କଲେଜକୁ ପଳାଇବି । କାରଣ ତା’ ଭଳିଆ ଛାତ୍ର ଅଛନ୍ତି ବୋଲି ମତେ ପଢ଼ାଇବାକୁ ବି ଭଲ ଲାଗୁଛି । ଆଉ ସେ ଯଦି ପଳେଇବ, ଆମେ ଆଉ କାହିଁକି ପଡ଼ିରହିବୁ ଏଠି?’
ବାପା ଗୁମ୍ ହୋଇଯାନ୍ତି ଏକଥା ଶୁଣି । ତା’ପରେ କିଛି ସମୟ ନିରବ ରହିଲା ପରେ ପରେଶଙ୍କୁ କହନ୍ତି- ‘ଚାଲ୍ ବସ୍ଷ୍ଟାଣ୍ଡରେ ଛାଡ଼ିଦେବୁ । ସଅଳ ପଳାଇବି । ନ ହେଲେ ଘାଟରେ ପହଂଚୁ ପହଂଚୁ ବେଶି ଅନ୍ଧାର ହୋଇଗଲେ ଘାଟରେ ଡଙ୍ଗା ବନ୍ଦ ହୋଇଯିବ । ରବିବାର ଦିନ ତୁ ଘରକୁ ଆସିବୁ । ସବୁ ବନ୍ଧୁବାନ୍ଧବ ଥିବେ, ସେଠି କହିବୁ ତୋ ପଢ଼ିବା କଥା । ଚାକିରି ହାତଛଡ଼ା କରି ତୁ ଯଦି ପଢ଼ିବୁ, ତା’ ହେଲେ ସେ କଥା ନିଜେ ସମସ୍ତଙ୍କୁ ବୁଝାଇ କହିବୁ ।’


ରବିବାର ଦିନ ପରେଶ ଯାଆନ୍ତି ଘରକୁ । ସତକୁ ସତ ଘରେ ସବୁ ବନ୍ଧୁବାନ୍ଧବ ଥାଆନ୍ତି । ସେମାନଙ୍କ ପ୍ରଶ୍ନବାଣରେ ପରେଶ ପୁରା ଘାଇଲା । ପୂରା ଦୁଇ ଘଂଟାର ଆଲୋଚନା । ପରେଶଙ୍କ କାନ୍ଦ କାନ୍ଦ ଅବସ୍ଥା । ଶେଷରେ ରାଗିଯାଆନ୍ତି । ମଝିଆ ଭାଇ ତା’ପରେ କହନ୍ତି- ‘ସେ ନିଜ ଇଚ୍ଛାରେ ଯାହା ପଢ଼ିବା କଥା ପଢ଼ୁ । ଘର ଡିହ ବିକ୍ରି କରିବାକୁ ପଡ଼ିଲେ ବି ବିକ୍ରି କରିଦେବା । ମୁଁ ତାକୁ ପଢ଼ାଇବି । ଶେଷରେ କିଛି ନ ହେଲେ ହଳ କରି ପେଟ ପୋଷିବା ।’ ବାପା ଏସବୁ ଅବସ୍ଥା ଦେଖି କହନ୍ତି – ‘ତାକୁ ଛାଡ଼ିଦିଅ । ସେ ପଢ଼ୁ ।’ ମଝିଆ ଭାଇ କହିଲେ- ‘ହାତ ଗୋଡ଼ ଭଗବାନ ଦେଇଛି; ଖଟିବା- ଖାଇବା । ବାପା-ମାଆ ତ ଅଛନ୍ତି ଡର କାହାକୁ । ପେଟ ଅପୋଷା ରହିବନି । ସେ ପଢ଼ୁ, ଆମେ ଅଛୁ ।’
ତା’ପରେ ପୁଣି ପୂର୍ବବତ୍ ପାଠପଢ଼ା ଚାଲେ । +୨ରେ ଭଲ ଫଳ ହୁଏ । ଛୋଟ ବେଳୁ ଯେହେତୁ ଡାକ୍ତରଟିଏ ହେବାର ଇଚ୍ଛା ଥାଏ, ଏବେ ମେଡ଼ିକାଲ୍ ପାଇଁ ଚେଷ୍ଟା ଚାଲେ । ଇଶ୍ୱରଙ୍କ ଆର୍ଶିବାଦରୁ ସଫଳ ହୁଅନ୍ତି ପରେଶ । କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲରେ ଏମ୍ବିବିଏସ୍ ପଢ଼ା ଆରମ୍ଭ ହୁଏ । ବହୁତ କଷ୍ଟରେ ପାଠପଢ଼ା ହୁଏ । ଆର୍ଥିକ ଅନଟନ ଲାଗି ରହିଥାଏ । ଛୁଟିରେ ଯେତେବେଳେ ବି ଘରକୁ ଯାଆନ୍ତି, ଚାଷକାମ ଯଥା – ହଳ କରିବା, ଚାଷ ଜମିରୁ ଘାସ ବାଛିବା, ଧାନକଟା, ଧାନ ମଡ଼ାଇବା ଇତ୍ୟାଦିରେ ସାହାଯ୍ୟ କରନ୍ତି । ଏମ୍ବିବିଏସ୍ ସରିବା ଯାଏଁ ଏସବୁ ଚାଷ କାମ କରିଛନ୍ତି । ଯେତେବେଳେ ବି ମାନସିକ ସ୍ତରରେ ସେ ଦୁର୍ବଳ ଅନୁଭବ କରନ୍ତି, ଘରକୁ ଯାଆନ୍ତି । ବାପାଙ୍କୁ ଥରେ ଦେଖିଦେଲେ ଖୁବ୍ ଶାନ୍ତି ମିଳେ ତଥା ଆତ୍ମବିଶ୍ୱାସ ପୁଣି ଥରେ ଜାଗିଉଠେ । କାରଣ ବାପା ଥିଲେ ପରେଶଙ୍କ ପ୍ରେରଣାର ଉତ୍ସ । ବାପା କେବେ କୌଣସି ବି ପରିସ୍ଥିତିରେ ହାର୍ ମାନିନାହାନ୍ତି । ସଂଗ୍ରାମୀ ମଣିଷ । ବାପାଙ୍କଠୁ ସେ ଶିଖିଛନ୍ତି ପରିସ୍ଥିତି ସହ ଲଢ଼ିବା ଓ ଲଢ଼ିକରି ଜିତିବା ।
ବାପା ଚାହୁଁଥିଲେ ତାଙ୍କର ପାଂଚ ପୁଅ ମଧ୍ୟରୁ କିଏ ଜଣେ ଡାକ୍ତର ହେଉ । ଭଗବାନଙ୍କ କେମିତି ଆଶୀର୍ବର୍ାଦ ଦେଖନ୍ତୁ ପରେଶ ଅର୍ଥୋପେଡିକ୍ସ (ଅସ୍ଥିଶଲ୍ୟ)ରେ ପିଜି କଲା ସମୟରେ ସାନଭାଇ ମଧ୍ୟ ସେହି ଏସ୍ସିବିରେ ଏମ୍ବିବିଏସ୍ ପାଇଯାଇଥାନ୍ତି । ଗୋଟେ ଘରୁ ଦୁଇ ଭାଇ ଡାକ୍ତର । ସାନଭାଇ ଡା. ସୁରେଶ ଦେ ଏବେ ରାୟଗଡ଼ାରେ ମେଡ଼ିସିନ୍ ସ୍ପେଶାଲିଷ୍ଟ ଭାବେ ବେଶ୍ ପରିଚିତ ।
ସାନଭାଇ ଏମ୍ବିବିଏସ୍ ପଢ଼ୁଥିଲାବେଳେ ଦିନେ ମେସ୍ ବନ୍ଦ ଥିବାରୁ ପରେଶଙ୍କୁ କିଛି ଟଙ୍କା ମାଗନ୍ତି ଖାଇବା ପାଇଁ । ପରେଶ ବହୁତ ଖୋଜାଖୋଜି କଲା ପରେ ମାତ୍ର କୋଡ଼ିଏ ଟଙ୍କା ପାଆନ୍ତି ଓ ତାକୁ ସାନଭାଇକୁ ଦେଇଦିଅନ୍ତି । ସାନଭାଇକୁ ଦେଇ ଦିଅନ୍ତି ସିନା ତାଙ୍କ ପାଖରେ ଆଉ କିଛି ନାହିଁ । ପୂରା କପର୍ଦ୍ଦକ ଶୂନ୍ୟ । ମେସ୍ ତ ବନ୍ଦ । ଭୋକ ହେଉଥାଏ, ପଇସା ନଥାଏ ହୋଟେଲରେ ଖାଇବା ପାଇଁ । ତିନି ଚାରି ଜଣ ସାଙ୍ଗଙ୍କୁ ପଚାଶ ଟଙ୍କା ଉଧାର ମାଗନ୍ତି । କେହି ଦିଅନ୍ତିନି । ସେଦିନ ପୂରା ଖାଡ଼ା ଉପାସ । ପାଣି ପିଇ କାଟିବାକୁ ପଡ଼େ ପୂରା ଦିନ । ତା’ ଆରଦିନ ମେସ୍ ଚାଲେ ଓ ପରେଶ ଖାଆନ୍ତି ।
ଡା. ପରେଶ ପାଠପଢ଼ା ଓ ରୋଗୀ ସେବା ଛାଡ଼ିଦେଲେ ଆଉ କିଛି ଜାଣନ୍ତି ନାହିଁ । ସେ ନିଜ ପାଇଁ କିଛି ଜିନିଷ କିଣନ୍ତି ନାହିଁ । ସାର୍ଟ, ପ୍ୟାଂଟ୍, ଜୋତା ତଥା ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସ୍ତ୍ରୀ ହିଁ କିଣିଦିଅନ୍ତି ତାଙ୍କ ପାଇଁ । ତାଙ୍କ ସ୍ତ୍ରୀ ହେଉଛନ୍ତି ପ୍ରଫେସର ଡା. ରାଜଲକ୍ଷ୍ମୀ ପାଣିଗ୍ରାହୀ, ଯିଏ ହାଇଟେକ୍ ମେଡ଼କାଲ୍ କଲେଜ ଆଣ୍ଡ୍ ହସ୍ପିଟାଲରେ କର୍ଣ୍ଣ-ନାସା-ଗଳା (ଇଏନ୍ଟି) ବିଭାଗର ବିଭାଗୀୟ ମୁଖ୍ୟ ଏବଂ ଜଣେ ପ୍ରସିଦ୍ଧ ଇଏନ୍ଟି ସ୍ପେଶାଲିଷ୍ଟ ଭାବେ ଖୁବ୍ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ ସଫଳତାର ଶ୍ରେୟ ତାଙ୍କ ପତ୍ନୀଙ୍କୁ ଦିଅନ୍ତି । ଡା. ପରେଶ ଘରକଥା ବୁଝନ୍ତିନି, ସବୁ କଥା ତାଙ୍କ ପତ୍ନୀ ହିଁ ବୁଝନ୍ତି ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି । ବାହାଘର ପୂର୍ବରୁ ବା ମେଡ଼ିକାଲ୍ କଲେଜରେ ପଢ଼ିବାବେଳେ ହସ୍ପିଟାଲର ଆଟେଣ୍ଡାଂଟ୍ ହେଉ ବା ସୁଇପର୍, କେହି ନା କେହି ପରେଶଙ୍କ ପାଇଁ ଚପଲ, ଗାମୁଛା, ସାର୍ଟ, ପ୍ୟାଂଟ୍ କିଣି ଆଣି ଦିଅନ୍ତି । ଅବଶ୍ୟ ଏକଥା ସବୁ ବିଶ୍ୱାସ କରିବା ଆମମାନଙ୍କ ପାଇଁ କଷ୍ଟକର ହୋଇପାରେ; ହେଲେ ବି ଏହା ନିରାଟ ସତକଥା ।


ଅସ୍ଥିଶଲ୍ୟ ବିଭାଗରେ ପିଜି କରିସାରିବା ପରେ ଆହୁରି ଶଖିବାକୁ ତାଙ୍କର ଇଚ୍ଛା । ସେଥିପାଇଁ ଯାଆନ୍ତି ବମ୍ବେ । ବମ୍ବେ ହସ୍ପିଟାଲ୍ରେ ଡା. କେ.ଟି. ଢୋଲକିଆଙ୍କ ପାଖରେ ଜଏଂଟ୍ ରିପ୍ଲେସ୍ମେଂଟ୍ ଶିଖନ୍ତି । ଡା. ଢୋଲକିଆଙ୍କୁ ଭାରତରେ ‘ଫାଦର୍ ଅଫ୍ ଅର୍ଥୋପେଡିକ୍ ସର୍ଜରୀ’ ବୋଲି ମଧ୍ୟ କୁହାଯାଏ । ଏହି ସମୟରେ ସେ ଡା. ଅନନ୍ତ ଯୋଶୀଙ୍କ ସଂସ୍ପର୍ଶରେ ମଧ୍ୟ ଆସନ୍ତି । ଡା. ଜୋଶୀଙ୍କ ଭଳି ଜଣେ ପ୍ରସିଦ୍ଧ ଆର୍ଥ୍ରୋସ୍କୋପି ସର୍ଜନଙ୍କ ପାଖରୁ ମଧ୍ୟ ଅନେକ ବିଷୟ ଶିଖିବାକୁ ମିଳେ । ପ୍ରଖ୍ୟାତ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ଟେନିସ୍ ଏଲ୍ବୋର ଚିକିତ୍ସା କରିଥିଲେ ଡା. ଯୋଶୀ । ଡା. ଯୋଶୀଙ୍କ ସହ ଡା. ପରେଶ ଅନେକ ଥର ତେନ୍ଦୁଲକରଙ୍କ ନିକଟକୁ ଯିବାର ସୁଯୋଗ ପାଇଛନ୍ତି ।
ବମ୍ବେରେ ୬ ମାସ ରହିବା ପରେ ଓଡ଼ିଶା ଫେରନ୍ତି ଡା. ପରେଶ । ଆର୍ଥ୍ରୋସ୍କୋପି ସର୍ଜରୀ କନ୍ସେପ୍ଟ ସେତେବେଳେ ଓଡ଼ିଶାରେ ପୂରା ନୂଆ । ଆଣ୍ଠୁ ଭିତରେ ଟେଲିସ୍କୋପ ପଶିବ ଓ ଆଣ୍ଠୁ ଭିତରର ସବୁ ସଂରଚନା କମ୍ପ୍ୟୁଟର୍ ମନିଟରରେ ୪୦ ଗୁଣ ବଡ଼ ଦେଖାଯିବ । ସର୍ଜନଙ୍କ ଦୃଷ୍ଟି ମନିଟରରେ ଥାଇ ସର୍ଜରୀ କରିବାକୁ ହୁଏ ।
ବାଲେଶ୍ୱରରେ କିଛି ଦିନ ପ୍ରାକ୍ଟିସ୍ କଲା ପରେ ସେ ପୁଣି ଯାଆନ୍ତି କୋଏମ୍ବାଟୁର୍ । ସେଠି ୬ ମାସ ରହି ଡା. ଡେଭିଡ୍ ଭି. ରାଜନ୍ଙ୍କ ପାଖରେ ଲିଗାମେଂଟ୍ ରିପାୟାର୍ର ପ୍ରଶିକ୍ଷଣ ନିଅନ୍ତି ।‘ଇଣ୍ଡିଆନ୍ ମେଡ୍ ଇକ୍ୟୁପମେଂଟ୍ସ’ରେ ଉନ୍ନତ ଆର୍ଥ୍ରୋସ୍କୋପି ପଦ୍ଧତି ଶିଖନ୍ତି । ୬ ମାସ ଶିଖିଲା ପରେ ପୁଣି ଓଡ଼ିଶା । ସେଇ ମେସିନ୍ର ଦାମ୍ ୧୦ ଲକ୍ଷ ଟଙ୍କା । ଲୋନ୍ ପାଇଁ ଖୁବ୍ ପ୍ରଚେଷ୍ଟା ଚାଲେ । ହେଲେ କେଉଁଠୁ ବି ମିଳେ ନାହିଁ । ଏ ସମୟରେ ପରେଶଙ୍କ ଜଣେ ବେଶ୍ ଘନିଷ୍ଠ ସାଙ୍ଗ ଡା. ଅନୀଲଙ୍କ ବାପା ଖୁବ୍ ସାହାଯ୍ୟ କରନ୍ତି । ସେ ଥିଲେ ଜଣେ ସୁପରିନ୍ଟେଣ୍ଡେଂଟ୍ ଇଞ୍ଜିନିୟର । ତାଙ୍କ ସୁପାରିଶ୍ରେ ୧୦ ଲକ୍ଷ ଟଙ୍କା ପରେଶଙ୍କୁ ଆର୍ଥ୍ରୋସ୍କୋପି ମେସିନ୍ କିଣିବାକୁ ବ୍ୟାଙ୍କରୁ ଲୋନ୍ ମିଳେ । ତା’ପରେ କିଣାହୁଏ ମେସିନ୍ ଓ କଳ୍ପନା ଛକରେ ଘରଭଡ଼ା ନେଇ ଅଶୀ ହଜାର ଖର୍ଚ୍ଚ କରି ନୂଆ କ୍ଲିନିକ୍ ଆରମ୍ଭ ହୁଏ । ତାହା ହେଉଛି ଓଡ଼ିଶାର ପ୍ରଥମ ଆର୍ଥ୍ରୋସ୍କୋପି କ୍ଲିନିକ୍ । ଧୀରେଧୀରେ ଏହି କ୍ଲିନିକ୍ର କଳେବର ବଢ଼େ । କଟକରେ ବି ସପ୍ତାହକୁ ଦୁଇ ଦିନ କ୍ଲିନିକ୍ ଚାଲେ ।


ଡା. ପରେଶଙ୍କ ଆର୍ଥିକ ସ୍ଥିତି ତଥାପି ବି ସେତେଟା ସ୍ୱଚ୍ଛଳ ହୋଇନଥାଏ । ତାଙ୍କର ଆୟର ମୁଖ୍ୟଭାଗ ଖର୍ଚ୍ଚ ହୋଇଯାଉଥାଏ ବିଭିନ୍ନ କନ୍ଫରେନ୍ସରେ, ବିଭିନ୍ନ ପାଠ୍ୟକ୍ରମରେ ତଥା ନିଜକୁ ଅପଗ୍ରେଡ୍ କରିବାରେ ।
ହେଲେ ବି ସିଙ୍ଗାପୁର ଯାଆନ୍ତି ଆର୍ଥ୍ରୋସ୍କୋପି ସର୍ଜରୀ ଶିଖିବାକୁ । ପତ୍ନୀ ଡବାରେ ଦେଇଥାନ୍ତି ଚୁଡ଼ାଗୁଣ୍ଡ, ଅମୁଲ । ସେଠି ଖାଇବା ମଧ୍ୟ ବ୍ୟୟବହୁଳ । ଦିନବେଳା ସେଠିକାର ସରକାରୀ ହସ୍ପିଟାଲ୍ର କ୍ୟାଂଟିନ୍ରେ ଖାଇଦିଅନ୍ତି । ରାତିରେ ପାଖରେ ଥିବା ଗୁରୁଦ୍ୱାରକୁ ଯାଇ ପେଟପୂରା ଖାଇଦିଅନ୍ତି । ଆସିଲାବେଳେ ସେଠୁ ପକେଟରେ ପୂରାଇ ଗୋଟେ ଦୁଇଟା କଦଳୀ ନ ହେଲେ ଗୋଟେ ଦି’ଟା ସେଓ ନେଇ ଆସନ୍ତି, ଯାହାକି ସକାଳ ଜଳଖିଆ ଭାବେ ବ୍ୟବହୃତ ହୁଏ ।
କଳିଙ୍ଗ ହସ୍ପିଟାଲ୍ରେ ସେ ଆର୍ଥ୍ରୋସ୍କୋପି ପଦ୍ଧତି ଆରମ୍ଭ କରନ୍ତି । ବାଲେଶ୍ୱରରେ ବି ଜ୍ୟୋତି ହସ୍ପିଟାଲ୍ରେ କାମ କରୁଥାନ୍ତି । ସେତେବେଳେ ବି କଷ୍ଟକର ସମୟ । ଘର ଘର ବୁଲି ପ୍ରାକ୍ଟିସ୍ ଚାଲେ । ହେଲେ କେବେ ବି ହିମ୍ମତ ହାରନ୍ତି ନାହିଁ ଡା. ପରେଶ । ଏଲିଜାରୋଭ୍ ଟେକ୍ନିକ୍ ଦ୍ୱାରା ବି ଅପରେସନ୍ କରନ୍ତି । ତାହା ସେ ସମୟରେ ବାଲେଶ୍ୱରରେ ଚହଳ ପକାଇଦିଏ । ଏ ଖବର କିଛି କିଛି ଖବରକାଗଜରେ ପ୍ରକାଶିତ ହୁଏ । ତା’ପରେ ରୋଗୀଙ୍କ ଭିଡ଼ ବଢ଼େ । ଧୀରେ ଧୀରେ ଡା. ପରେଶ ବାଲେଶ୍ୱରରେ ଏକ ପରିଚିତ ଚେହେରା ହୋଇଯାଆନ୍ତି ।
ଏ ଭିତରେ ସେ କିଣି ସାରିଥାନ୍ତି ଗୋଟିଏ ମାଟିଜ୍ କାର୍ । କାର୍ରେ ଲଦାହୁଏ ମେସିନ୍ ଓ ଓଡ଼ିଶାର ବିଭିନ୍ନ ନର୍ସିଂହୋମ୍ ଓ କ୍ଲିନିକ୍କୁ ଅପରେସନ୍ କରିବା ପାଇଁ ଯାଆନ୍ତି । ଦଶ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ଆଉ କେହି ଆର୍ଥ୍ରୋସ୍କୋପି କରୁନଥିଲେ । ୨୦୦୮ ମସିହା ବେଳକୁ ଆଉ କିଛି କିଛି ହସ୍ପିଟାଲରେ ଆରମ୍ଭ ହୁଏ ଆର୍ଥ୍ରୋସ୍କୋପି ସର୍ଜରୀ । ୨୦୧୭ରେ ‘ଓଡ଼ିଶା ଆର୍ଥ୍ରୋସ୍କୋପି ସୋସାଇଟି’ ଗଢ଼ାହୁଏ ଓ ଡା. ପରେଶ ଏହାର ପ୍ରେସିଡେଂଟ୍ ନିର୍ବାଚିତ ହୋଇ ଦୁଇ ଥର ଜାତୀୟ ସମ୍ମିଳନୀ ଆୟୋଜନ କରିଛନ୍ତି ।
୨୦୦୬ ମସିହାରେ ଡା. ପରେଶ ଗୋଟିଏ ନ୍ୟାସନାଲ୍ କନ୍ଫରେନ୍ସରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଇଥାନ୍ତି । ସେଇଠି ସେ ଷ୍ଟର୍ଚ କମ୍ପାନୀର ଗୋଟେ ମେସିନ୍ ଦେଖନ୍ତି; ଯେଉଁଥିରେ ଖୁବ୍ ସହଜରେ ମେରୁଦଣ୍ଡର ସର୍ଜରୀ କରାଯାଇପାରେ । ଘଂଟାଏ କାଳ ନିରୀକ୍ଷଣ କରିବା ପରେ ତଥା କମ୍ପାନୀ କର୍ମକର୍ତାଙ୍କ ଦ୍ୱାରା କିଛି ଭିଡିଓ ଦେଖିବା ପରେ ତା’ ବିଷୟରେ ଜାଣିବାକୁ ସେ ଖୁବ୍ ଆଗ୍ରହୀ ହୋଇଯାନ୍ତି । ସେହି ପଦ୍ଧତି ହେଉଛି ଏଣ୍ଡୋସ୍ପାଇନ୍ ସର୍ଜରୀ ବା ଏଣ୍ଡୋସ୍କୋପିକ୍ ସ୍ପାଇନ୍ ସର୍ଜରୀ । ଏହା ଖୁବ୍ ଅତ୍ୟାଧୁନିକ ପଦ୍ଧତି ତଥା ଦ୍ରୁତ ଆରୋଗ୍ୟକାରୀ ଚିକିତ୍ସା ପଦ୍ଧତି । ତାଙ୍କର ହୃଦବୋଧ ହୁଏ ଯେ, ସେ ଏହି ପଦ୍ଧତି ଭଲ ଭାବେ ଶିଖିପାରିବେ । ଏହି ଏଣ୍ଡୋସ୍ପାଇନ୍ ସର୍ଜରୀକୁ ଉଦ୍ଭାବନ କରିଥିଲେ ଫ୍ରାନ୍ସର ଜଣାଶୁଣା ଚିକିତ୍ସକ ଡା. ଜିନ୍ ଡେଷ୍ଟାଣ୍ଡ୍ୟୁ, ଯାହାଙ୍କୁ ‘ଫାଦର୍ ଅଫ୍ ଏଣ୍ଡୋସ୍ପାଇନ୍ ସର୍ଜରୀ’ କୁହାଯାଏ ।
ଯୋଗକୁ ଏହାର ୬ ମାସ ପରେ ଡା. ଜିନ୍ କୋହ୍ଲାପୁର ଆସନ୍ତି ଗୋଟେ କନ୍ଫରେନ୍ସରେ ମୁଖ୍ୟ ବକ୍ତା ହୋଇ । ଏକଥା ଶୁଣିଲା ପରେ ଡା. ପରେଶ କୋହ୍ଲାପୁରରେ ଯାଇ ହାଜର । ୩ ଦିନ ପଛରେ ପଡ଼ିଲା ପରେ ଯାଇ ଡା. ଜିନ୍ ଡେଷ୍ଟାଣ୍ଡ୍ୟୁଙ୍କ ସହ ସାକ୍ଷାତ ହୁଏ । ସେ ଏଣ୍ଡୋସ୍ପାଇନ୍ ସର୍ଜରୀ ପ୍ରଶିକ୍ଷଣ ଦେବା ପାଇଁ ରାଜି ହୁଅନ୍ତି । ଫଳରେ ୨୦୦୭ ମସିହାରେ ଫ୍ରାନ୍ସ ଯାଇ ଏଣ୍ଡୋସ୍ପାଇନ୍ ସର୍ଜରୀ ପ୍ରଶିକ୍ଷଣ ନେଇ ଓଡ଼ିଶା ଫେରନ୍ତି ।

ସେଠୁ ପ୍ରଶିକ୍ଷଣ ସରିଲା ପରେ ଓଡ଼ିଶା ଫେରି କଳିଙ୍ଗ ହସ୍ପିଟାଲ୍ରେ ଚିକିତ୍ସା ଆରମ୍ଭ କରିବାକୁ ପ୍ରସ୍ତାବ ଦିଅନ୍ତି । ଏଣ୍ଡୋସ୍ପାଇନ୍ ମେସିନ୍ ସେତେବେଳେ ୫ ଲକ୍ଷ ଟଙ୍କା ପଡ଼ୁଥାଏ । କଳିଙ୍ଗ ହସ୍ପିଟାଲ୍ କତୃପକ୍ଷ ଟିକେ ଦ୍ୱନ୍ଦ୍ୱରେ ରହିଲେ ଯେ, ଏତେ ଟଙ୍କା ବ୍ୟୟ କଲେ ରିଟର୍ଣ୍ଣ ଆସିବ କି ନାହିଁ । କାରଣ ଓଡ଼ିଶାରେ ସେତେବେଳେ ଏଣ୍ଡୋସ୍ପାଇନ୍ ସର୍ଜରୀ ସମ୍ପୂର୍ଣ୍ଣ ନୂଆ ଏବଂ ଯେହେତୁ ଏହି ଚିକିତ୍ସା ଅପେକ୍ଷାକୃତ ଟିକିଏ ବ୍ୟୟବହୁଳ ତେଣୁ ରୋଗୀ ରାଜି ହେବେ କି ନାହିଁ ବୋଲି ଚିନ୍ତା ଆସେ । ତଥାପି ଡା. ପରେଶ ଆଶା ଛାଡ଼ିନଥାନ୍ତି । ଶେଷରେ ନିଜେ ୫ ଲକ୍ଷ ଲୋନ୍ ନେଇ ଏଣ୍ଡୋସ୍ପାଇନ୍ ମେସିନ୍ କିଣି କଳିଙ୍ଗ ହସ୍ପିଟାଲରେ ଏଣ୍ଡୋସ୍ପାଇନ୍ ସର୍ଜରୀ ଆରମ୍ଭ କରନ୍ତି । ପ୍ରଥମେ ୨୦୦୮ ମସିହାରେ ଆରମ୍ଭ ହୁଏ ଏବଂ ଏହି ବର୍ଷ ଏହା ଦ୍ୱାରା ୫୦ଟି ସଫଳ ଅସ୍ତ୍ରୋପଚାର କରାଯାଏ । ଆତ୍ମବିଶ୍ୱାସ ବଢ଼େ ଡା. ପରେଶଙ୍କର । ସେହି ୨୦୦୮ ମସିହାରେ ଏକ ଜାତୀୟ କର୍ମଶାଳାର ଆୟୋଜନ କରନ୍ତି । ଦେଶର ବହୁ ପ୍ରତିଷ୍ଠିତ ଅର୍ଥୋପେଡିକ୍ ସର୍ଜନ ଓ ନ୍ୟୁରୋସର୍ଜନ ଏଥିରେ ଯୋଗ ଦିଅନ୍ତି । ପ୍ରଫେସର ଡା. ସନାତନ ରଥ ଏବଂ ପ୍ରଫେସର ଡା. ଭବାନୀ ଶଙ୍କର ଦାସ ମଧ୍ୟ ଏଥିରେ ଯୋଗ ଦିଅନ୍ତି ।
୨୦୧୦ ମସିହା ବେଳକୁ ଡା. ପରେଶ ୩୦୦ଟି ଏଣ୍ଡୋସ୍ପାଇନ୍ ସର୍ଜରୀ କରିସାରିଥାନ୍ତି । ସେହି ବର୍ଷ ସେ ଭୁବନେଶ୍ୱରରେ ଆୟୋଜନ କରନ୍ତି ଏକ ଅନ୍ତର୍ଜାତୀୟ କର୍ମଶାଳା । ଏହି କର୍ମଶାଳା ମଧ୍ୟ ଖୁବ୍ ସଫଳ ହୁଏ । ୨୦୧୨ରେ ୱାର୍ଲ୍ଡ ଏଣ୍ଡୋସ୍କୋପିକ୍ ସ୍ପାଇନ୍ ସର୍ଜରୀ ଅନୁଷ୍ଠାନ ଗଢ଼ାହୁଏ ଏବଂ ପରବର୍ତି କାଳରେ ଡା. ପରେଶ ଏହାର ଅନରାରୀ ସେକ୍ରେଟାରୀ ହୁଅନ୍ତି ଏବଂ ଏବେ ମଧ୍ୟ ଅଛନ୍ତି । ୨୦୧୩ରେ ସେ କଳିଙ୍ଗ ହସ୍ପିଟାଲ୍ରେ ଆୟୋଜନ କରନ୍ତି ଆଉ ଏକ ଅନ୍ତର୍ଜାତୀୟ କର୍ମଶାଳା । ୨୦୧୬ରେ ସେ ଆମ୍ରି ହସ୍ପିଟାଲ୍ରେ ଆଉ ଏକ ଅନ୍ତର୍ଜାତୀୟ କର୍ମଶାଳାର ଆୟୋଜନ କରନ୍ତି, ଯେଉଁଥିରେ ୭ଟି ଦେଶର ୧୬୪ ଜଣ ଡାକ୍ତର ଅଂଶଗ୍ରହଣ କରନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଡା. ପରେଶ ଚନ୍ଦ୍ର ଦେ ନାଁଟି ଏବେ ସମଗ୍ର ବିଶ୍ୱରେ ଏଣ୍ଡୋସ୍ପାଇନ୍ ସର୍ଜରୀରେ ଏକ ଶ୍ରଦ୍ଧାସ୍ପଦ ଉଚ୍ଚାରଣ । ଏଣ୍ଡୋସ୍ପାଇନ୍ ସର୍ଜରୀରେ ସେ ଖୁବ୍ ଦକ୍ଷ । ଅନେକ ଡାକ୍ତରଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି । ହେଲେ ଏଥିପାଇଁ କୌଣସି ପଇସା ନିଅନ୍ତିନି । ସେ ନିଜେ ଯେହେତୁ ମାଗଣାରେ ସବୁ ପ୍ରଶିକ୍ଷଣ ପାଇଛନ୍ତି, ତେଣୁ ସେ ମଧ୍ୟ ମାଗଣା ପ୍ରଶିକ୍ଷଣ ଦେଉଛନ୍ତି । ଏପରିକି ଦେଶ ବିଦେଶର ଅନେକ ସ୍ଥାନକୁ ନିଜ ଖର୍ଚ୍ଚରେ ଯାଇ ଯୁବ ଚିକିତ୍ସକଙ୍କୁ ଶିକ୍ଷା ଦେଇ ଆସୁଛନ୍ତି । ସେ ଆମ୍ରି ହସ୍ପିଟାଲରେ ଏଣ୍ଡୋସ୍ପାଇନ୍ ଫେଲୋସିପ୍ କୋର୍ସ ଆରମ୍ଭ କରିଥିଲେ । ପ୍ରତି ବର୍ଷ ୨ ଜଣ ଡାକ୍ତରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଅସ୍ଥିଶଲ୍ୟର ଅନ୍ୟାନ୍ୟ ବିଭାଗ ଯଥା – ଆଣ୍ଠୁ ପ୍ରତିରୋପଣ, ଅଷ୍ଟିଓପୋରୋସିସ୍, ଆଦିରେ ମଧ୍ୟ ସେ ବେଶ୍ ଦକ୍ଷ । ସେ ଏବେ ଭୁବନେଶ୍ୱର ସ୍ଥିତ କେୟାର୍ ହସ୍ପିଟାଲ୍ରେ ଅସ୍ଥିଶଲ୍ୟ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।
ଡା. ପରେଶ ସ୍ୱୀକାର କରିବାରେ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ ଯେ, ତାଙ୍କୁ ଏତେ ବାଟ ପର୍ଯ୍ୟନ୍ତ ଆସିବାରେ ଅନେକ ଲୋକଙ୍କ ସ୍ନେହ, ସାହାଯ୍ୟ ଓ ସାହଚର୍ଯ୍ୟ ରହିଛି । ଜଣେ ଭଲ ମଣିଷ ଭାବେ ଗଢ଼ାହେବାରେ ଅନେକ ଲୋକଙ୍କ ଭଲପାଇବା ଥାଏ ବୋଲି ତାଙ୍କର ମତ । ଗଭୀର ଈଶ୍ୱର ବିଶ୍ୱାସ ଓ ଅତ୍ୟନ୍ତ ପରିଶ୍ରମ ଦ୍ୱାରା ସେ ଆଜି ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ । ଅବସର ପାଇଲେ ସେ ଧ୍ୟାନ କରନ୍ତି, ପଢ଼ନ୍ତି, ଷ୍ଟଡି ମ୍ୟାଟେରିଆଲ୍ ପ୍ରସ୍ତୁତ କରନ୍ତି, ୟୁଟ୍ୟୁବ୍ରେ ବିଭିନ୍ନ ଭିଡିଓ ଦେଖନ୍ତି ।
ତାଙ୍କ ଜୀବନରେ ଅନେକ ଅଲୌକିକ ଘଟଣା ଘଟିଛି । ସେଥିମଧ୍ୟରୁ ସେ ଗୋଟିଏ ଆମକୁ କହିଥିଲେ ।
ଥରେ ଗୋଟିଏ କନ୍ଫରେନ୍ସରେ ଯୋଗ ଦେବାକୁ ସେ ଫ୍ରାନ୍ସ ଯାଇଥାନ୍ତି । କନ୍ଫରେନ୍ସ ସରୁ ସରୁ ରାତି ୧୧ଟା ହୋଇଯାଏ । କନ୍ଫରେନ୍ସ ହଲ୍ରୁ ସେ ରହୁଥିବା ହୋଟେଲକୁ ଯିବା ପାଇଁ କାର୍ କି ବସ୍ କିଛି ଖୋଜନ୍ତି । ହେଲେ ରାତି ଅଧିକ ହୋଇସାରିଥିବାରୁ କିଛି ମିଳେନି । ଅବଶ୍ୟ ସେ ରହୁଥିବା ହୋଟେଲରୁ କନ୍ଫରେନ୍ସ ହଲ୍ ବେଶି ଦୂର ନଥାଏ । ତେଣୁ ଡା. ପରେଶ ବାଧ୍ୟ ହୋଇ ଚାଲି ଚାଲି ହୋଟେଲକୁ ଫେରିବାକୁ ନିଷ୍ପତି ନିଅନ୍ତି । ଧୀରେ ଧୀରେ ଚାଲିବା ଆରମ୍ଭ କରନ୍ତି । ଚାଲୁଥାନ୍ତି ତ ଚାଲୁଥାନ୍ତି । ଅନେକ ବାଟ ଚାଲିଲା ପରେ ସେ ଜାଣନ୍ତି ଯେ, ସେ ବାଟ ଭୁଲିଯାଇଛନ୍ତି! କି ଆଶ୍ଚର୍ଯ୍ୟ, ତାଙ୍କୁ ଚାରିପଟ ସବୁ ସମାନ ଲାଗେ । ସେ ଜାଣୁଥାନ୍ତି ହୋଟେଲ ପାଖରେ ଅଛି, ହେଲେ ସେ ପାଉନଥାନ୍ତି । ରାସ୍ତାରେ ଯାଉଥିବା କାଁ ଭାଁ ଲୋକଙ୍କୁ ପଚାରିଲେ ବି କେହି କହିପାରୁ ନଥାନ୍ତି । କ’ଣ କରିବେ ସେ? ଆଉ ଧୈର୍ଯ୍ୟ ନଥାଏ । ଚାଲିବା ଶକ୍ତି ସରିଯାଇଥାଏ, ଅବଶ ପାଦକୁ ଘୋଷାରି ଘୋଷାରି ଆଗକୁ ନେଉଥାନ୍ତି । ଭୟଙ୍କର ଥକ୍କା ଲାଗୁଥାଏ । ରାସ୍ତା ମଝିରେ ଶୋଇପଡ୍ ଭଳି ଲାଗୁଥାଏ । ସେତେବେଳକୁ ରାତି ୩ଟା ହୋଇଯାଇଥାଏ । ଗୋଟେ ଗୋଲେଇ ଛକରୁ ଡାହାଣକୁ ଲମ୍ବିଥିବା ରାସ୍ତାରେ ଯିବି ବୋଲି ଭାବନ୍ତି । କିଛି ବାଟ ଗଲା ପରେ ଦେଖିଲେ ସେପଟେ ରାସ୍ତା ଖରାପ ଅଛି ଓ ଆଗକୁ ପୂରା ଅନ୍ଧାର, ଷ୍ଟ୍ରିଟ୍ ଲାଇଟ୍ ବି ନାହିଁ । ଆଗକୁ ରାସ୍ତାଟି ବୋଧେ ସରିଯାଇଥାଏ । ରାସ୍ତାର ଗୋଟିଏ ପଟେ ବଡ଼ ପୋଖରୀ ଓ ଆରପଟେ ଧାଡ଼ି ଧାଡ଼ି ପୁରୁଣା ଭଙ୍ଗା କୋଠାଘର । ଭାରି ଭୟଙ୍କର ପରିବେଶ । ସେ ଫେରିଆସନ୍ତି ପୂର୍ବର ଗୋଲେଇ ଛକ ଆଡ଼କୁ । ଶାରୀରିକ ଓ ମାନସିକ ସ୍ତରରେ ପୂରା ଦୁର୍ବଳ ହୋଇପଡ଼ିଥାନ୍ତି । ଅତି ବିକଳରେ ସତ୍ୟ ସାଇବାବାଙ୍କୁ ସ୍ମରଣ କରନ୍ତି – ‘ହେ ପ୍ରଭୁ, ତୁମେ ଯଦି ଅଛ ମତେ ବାଟ ଦେଖାଇଦିଅ ପ୍ରଭୁ …!’
ବୋଧହୁଏ ଈଶ୍ୱର ଭକ୍ତକୁ ପରୀକ୍ଷା କରୁଥାନ୍ତି । ଯେତେବେଳେ ମଣିଷର ପ୍ରଚେଷ୍ଟା କରିବାର ଶକ୍ତି ସମାପ୍ତ ହୋଇଯାଏ, ସେତେବେଳେ ସେ ମଣିଷକୁ ବିଭିନ୍ନ ରୂପରେ ପ୍ରକଟ ହୋଇ ବିପଦରୁ ଉଦ୍ଧାର କରନ୍ତି । ଠିକ୍ ଏମିତି କିଛି ଚମକ୍ରାର ଘଟେ ଡା.ପରେଶଙ୍କ କ୍ଷେତ୍ରରେ । ଯେଉଁ ଗୋଲେଇ ଛକରେ ପନ୍ଦର ମିନିଟ୍ ପୂର୍ବରୁ କେହି ନଥିଲେ, ଏବେ ସେଠି ଗୋଟେ ପୁରୁଣାକାଳିଆ କାର୍ ଧରି ଛିଡ଼ା ହୋଇଥାଏ କଳା ହୋଇ ଲମ୍ବା ଟୋକାଟିଏ । ଭାରତୀୟ ଭଳି ଦେଖାଯାଉଥାଏ । ଆଉ ପାଦେ କି ଦୁଇ ପାଦ ବି ଚାଲିବା ଅବସ୍ଥାରେ ନଥିଲେ ଡା. ପରେଶ । ସେ ଟୋକାଟି ପାଖକୁ ଆସି ପଚାରିଲା- ‘ମେ ଆଇ ହେଲ୍ପ ୟୁ?’ ଡା. ପରେଶ ପଚାରନ୍ତି ତାଙ୍କ ହୋଟେଲ୍ର ଠିକଣା । ଟୋକାଟା କହେ – ‘ପ୍ଲିଜ୍ କମ୍… ଆଇ ଉଇଲ୍ ଡ୍ରପ୍ ୟୁ ।’ ତା’ପରେ ପରେଶଙ୍କ ‘ହଁ’ ବା ‘ନାଇଁ’କୁ ସେ ଅପେକ୍ଷା ନ କରି ତା’ର ସେଇ ପୁରୁଣାକାଳିଆ ଧତରା କାର୍ ପାଖକୁ ତାଙ୍କୁ ନେଇ ଆସି ଗେଟ୍ ଖୋଲି କହେ-‘ପ୍ଲିଜ୍…’ ।
ଆଉ କିଛି ଆଗପଛ ବିଚାର ନ କରି ଡା. ପରେଶ ବସିପଡ଼ନ୍ତି ସେ କାର୍ରେ । କାର୍ ଚାଲେ ଆଗକୁ । ସେଇଠୁ ମାତ୍ର ଶହେ କି ଦୁଇ ଶହ ମିଟର ପରେ ପରେ ହିଁ ତାଙ୍କ ହୋଟେଲ ଥିଲା, ଅଥଚ ସେ ଦୀର୍ଘ ପାଂଚ ଘଂଟା ଚାଲିବା ପରେ ବି ପାଉନଥାନ୍ତି! ହୋଟେଲ ଚାରିପଟେ ହିଁ ରାତିସାରା ବୁଲୁଥାନ୍ତି, ହେଲେ ବାଟ ପାଉନଥାନ୍ତି । ଛାଡ଼, ଯାହା ହେବାର କଥା ହେଲା, ଏବେ ଯାଇ ଆରାମରେ ଟିକେ ଶୋଇ ହେବ; ମନେମନେ ସେ ଚିନ୍ତା କରନ୍ତି । ହୋଟେଲର ମେନ୍ ଏଂଟ୍ରାନ୍ସରେ କାର୍ ଅଟକେ । ସେ ଟୋକାଟା ପଚାରେ- ‘ଇଜ୍ ଦିସ୍ ୟୋର୍ ହୋଟେଲ୍?’ ଡା. ପରେଶ ମୁଣ୍ଡ ହଲାଇ ସମ୍ମତି ଜଣାନ୍ତି । ସେଇଠି ସବୁ ରେସିଡ଼େନ୍ସିଆଲ୍ ହୋଟୋଲ୍ । ଗ୍ରାହକଙ୍କ ପାଖରେ ଡୁପ୍ଲିକେଟ୍ ଚାବି ଥାଏ, ଯେତେବେଳେ ଯିଏ ଆସିବେ ନିଜେ ହିଁ ଖୋଲିବେ । ଡା. ପରେଶ କାର୍ରୁ ଓହ୍ଲାଇ ତାଲା ଖୋଲିବା ଯାଏଁ ସେ ଟୋକା ଅପେକ୍ଷା କରିଥାଏ । ତାଲାରେ ଚାବି ପୂରାଇବା ଯାଏଁ ରାସ୍ତାରେ କାର୍ ସହ ଅପେକ୍ଷାରତ ଥାଏ ସେ ଟୋକା । ତାଲା ଖୋଲି ରାସ୍ତାକୁ ଅନଉ ଅନଉ ସେ ନାହିଁ! କାର୍ ବି ନାହିଁ! ହଠାତ୍ କିନା ଉଭେଇଗଲା! କାର୍ ଷ୍ଟାର୍ଟ ହେବାର ଶବ୍ଦ ତ ହୋଇଥାନ୍ତା! ମାତ୍ର ପାଂଚ ଦଶ ସେକେଣ୍ଡରେ ମୁହଁ ବୁଲାଉ ବୁଲାଉ ସେ ଆଉ ନାହିଁ । କି ଆଶ୍ଚର୍ଯ୍ୟ!! କୁଆଡ଼େ ଗଲା!!
ସେ ଆଉ ଭାବିପାରନ୍ତିନି । ଖାଲି ଯାହା ଉପରକୁ ଅନେଇ ସତ୍ୟ ସାଇବାବାଙ୍କ ଉଦ୍ଦେଶ୍ୟରେ ଥରୁଟେ ପ୍ରଣାମ କରନ୍ତି ଓ ସେଇ ଈଶ୍ୱରୀୟ ସତ୍ତାକୁ ମର୍ମେ ମର୍ମେ ଉପଲବ୍ଧି କରି ନିଜକୁ କୃତାର୍ଥ ମନେକରନ୍ତି ।
ଲେଖି ବସିଲେ ଲମ୍ବି ଲମ୍ବି ଯାଉଥିବ ଡା. ପରେଶ ଚନ୍ଦ୍ର ଦେଙ୍କ କାହାଣୀ । ସଂଘର୍ଷ ଓ ସଫଳତାର ଏ କାହାଣୀ ବୋଧେ ସରିବନି । କିନ୍ତୁ ଆମକୁ କାହାଣୀଟିକୁ ସାରିବାକୁ ହୁଏ ଅନିଚ୍ଛା ସତ୍ତେ୍ୱ ।
ଡା. ପରେଶଙ୍କ ଏ ଜୀବନ କାହାଣୀ ପାଠକଙ୍କୁ ଆମୋଦିତ କରିଥିବ ଏବଂ ନିଶ୍ଚିତ ଭାବେ କିଛି ପ୍ରେରଣା ଦେଇଥିବ ବୋଲି ଆମର ବିଶ୍ୱାସ ।
ଡା. ପରେଶ ଚନ୍ଦ୍ର ଦେଙ୍କ ଚଲାପଥ କୁସୁମିତ ହେଉ, ପ୍ରଭୂ ଜଗନ୍ନାଥଙ୍କ ପାଖରେ ଏତିକି ହିଁ ଆମର କାମନା ।


# Humble Request to all the esteemed Readers, plz visit our SWASTHYA SWARA YOUTUBE CHANNEL  & SUBSCRIBE our channel.