ପୋଲିସ୍ ବାବୁଙ୍କ ପୁରୁଣା ପ୍ୟାଂଟ୍‌ରୁ ୟୁନିଫର୍ମ କରିଥିଲି
– ଡା. ଅକ୍ଷୟ କୁମାର ରାଉତ

କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ଅଧ୍ୟବସାୟ, ଦୃଢ଼ ଆତ୍ମବିଶ୍ୱାସ ଏବଂ ଭିନ୍ନ କିଛି କରିବାର ନିଶା ଆଗରେ କୌଣସି ବାଧା ପ୍ରତିବନ୍ଧକ ସବୁଦିନ ତିଷ୍ଠେ ନାହିଁ । ଦିନେ ହଟିଯାଏ କଂଟା, ରାସ୍ତା ହୋଇଯାଏ କୁସୁମିତ ଓ ସାଫଲ୍ୟ ମଣ୍ଡିତ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କର୍ମ ଏବଂ ନିଜର ନିଷ୍ଠାରୁ ବିଚ୍ୟୁତ ହୁଅନ୍ତି ନାହିଁ । ଅନେକ ମହାମନିଷୀମାନଙ୍କ ଜୀବନ କାହାଣୀ ସମ୍ଭବତଃ ଏହା ହିଁ ବଖାଣେ । ଆମ ଆଖପାଖରେ ମଧ୍ୟ ଏଭଳି ଉଦାହରଣ କିଛି କମ୍ ନାହିଁ! ଓଡ଼ିଶା ପ୍ଲାଷ୍ଟିକ୍ ଆଣ୍ଡ୍ କସ୍‌ମେଟିକ୍ ସର୍ଜରୀ କ୍ଲିନିକ୍ ଏବଂ ସୁଶ୍ରୁତ ହସ୍ପିଟାଲ୍ ଆଣ୍ଡ୍ ଟ୍ରମା କେୟାର୍‌ର ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ପ୍ଲାଷ୍ଟିକ୍ ଆଣ୍ଡ୍ କସ୍‌ମେଟିକ୍ ସର୍ଜନ୍ ଡା. ଅକ୍ଷୟ କୁମାର ରାଉତ ସେହିଭଳି ଜଣେ ଆଦର୍ଶସ୍ଥାନୀୟ ଉଦାହରଣ, ଯାହାଙ୍କ ଜୀବନକାହାଣୀ ଯେତିକି ରୋମାଂଚକର, ସେତିକି ପ୍ରେରଣାଦାୟକ ମଧ୍ୟ । ଏଥର ଫ୍ଲାସ୍‌ବ୍ୟାକ୍‌ରେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ । (ଉପସ୍ଥାପନା: ଗୌରୀଶଙ୍କର ପଣ୍ଡା)

ବାଲେଶ୍ୱର ଜିଲ୍ଲାର ବୋଇତା ଗ୍ରାମରେ ୧୯୬୯ରେ ରମାକାନ୍ତ ରାଉତ ଓ ରମାମଣି ରାଉତଙ୍କ କୋଳରେ ଅକ୍ଷୟଙ୍କ ଜନ୍ମ । ଅକ୍ଟୋବର ମାସ । ଜନ୍ମ ତାରିଖ, ତିଥି କି ସମୟ କିଛି ଲେଖା ହୋଇ ରହିନାହିଁ । କାରଣ ସେ ସମୟରେ ହୁଏତ ଏସବୁ ଲିପିବଦ୍ଧ କରି ରଖିବାର ଗୁରୁତ୍ୱ ଏତେ ନଥିଲା । ସେତେବେଳେ ବାର୍ଥ ସାର୍ଟିଫିକେଟ୍‌ର ପ୍ରଚଳନ ବି ନଥିଲା । ବାପା, ମା’ ଅନୁମାନ କରି ଯାହା କହିଥିଲେ, ତାହାକୁ ଅକ୍ଷୟଙ୍କ ଜନ୍ମ ତାରିଖ ବୋଲି ଧରିନିଆଗଲା । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଖୁବ୍ ଅଭାବ ଅନାଟନରେ କଟିଛି ତାଙ୍କ ପିଲାଦିନ ।

ତିନି ଥର ବଦଳିଥିଲା ଜାତକ
ଅକ୍ଷୟଙ୍କ ଜନ୍ମବେଳକୁ ଅର୍ଥାତ୍ ସତୁରୀ ଦଶକରେ ଘଂଟା, କ୍ୟାଲେଣ୍ଡର ଏସବୁର ପ୍ରଚଳନ ଏତେ ବେଶି ନ ଥିଲା । ଜନ୍ମ ପ୍ରମାଣପତ୍ର ବି ପ୍ରସ୍ତୁତ କରିବା ଦରକାର ହେଉନଥିଲା କହିଲେ ଭୁଲ୍ ହେବ ନାହିଁ । ତେବେ ବାପା, ମା’ ଅନୁମାନ କରି ଯାହା କହିଥିଲେ, ସେ ଅନୁସାରେ ଗୋଟିଏ ଜନ୍ମ ଦିନ ଧାର୍ଯ୍ୟ କରି ଜାତକ ପ୍ରସ୍ତୁତ କରିଥିଲେ ପଣ୍ଡିତ । ହେଲେ ମଝିରେ ଦିନେ ଆସି ସେ ‘ଏ ପିଲା ପାଠ ପଢ଼ିବ ନାହିଁ’ କହି ତାହାକୁ ବଦଳେଇଦେଇ ଗଲେ । ସେତେବେଳେ ସେ ସ୍କୁଲକୁ ନ ଯାଇ ଘରେ ବଦମାସି କରୁଥିଲେ । ସ୍କୁଲ ଯିବା ପାଇଁ ଇଚ୍ଛା ବି ବିଶେଷ ନଥିଲା । ଆଉ ଦିନେ ପୁଣି ଘରକୁ ଆସି ସେଇ ପଣ୍ଡିତ କହିଲେ- ‘ଜାତକରେ ଟାଇମ୍‌ଟା ଠିକ୍ ନାହିଁ, ତେଣୁ ଏଟା ବି ବଦଳିବା ଦରକାର ।’ ଏଭଳି କହି ସେ ପୁଣି ଜାତକ ବଦଳେଇଥିଲେ ।
ତାଙ୍କ ଗାଁରେ ନବେ ପ୍ରତିଶତ ବ୍ରାହ୍ମଣ ଓ ଅବଶିଷ୍ଟ ଖଣ୍ଡାଏତ ଓ ଅନ୍ୟ ଜାତିର । ପଂଚମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଅକ୍ଷୟ ଗଣିତରେ ଶହେରୁ ଶହେ ରଖିଥିଲେ । ଗାଁରେ ଏହା ଥିଲା ଚର୍ଚ୍ଚାର ବିଷୟ । ଯେତେବେଳେ ସେ ଗାଁ ଭିତର ଦେଇ ଯାଉଥିଲେ, ‘ଏଇ ପିଲା ଗଣିତରେ ଶହେରୁ ଶହେ ମାର୍କ ଆଣିଛି’ ବୋଲି ସେମାନଙ୍କ ଆଲୋଚନା ତାଙ୍କ କାନରେ ପଡ଼ୁଥିଲା । ଏହା ସତ୍ୱେ ବି ସେ ଷଷ୍ଠ ଶ୍ରେଣୀର ଛାତ୍ର ଥିବାବେଳେ ‘ଇଏ ଭଲ ପାଠ ପଢ଼ିବ ନାହିଁ’ କହି ତାଙ୍କ ଜାତକ ପୁଣି ଥରେ ବଦଳାଇଥିଲେ ସେହି ପଣ୍ଡିତ । ଏମିତି ମୋଟ ତିନିଥର ସେ ବଦଳେଇଛନ୍ତି ଅକ୍ଷୟଙ୍କ ଜାତକ । ଏସବୁ ଘଟଣାରୁ ଜାତକ ପ୍ରତି ତାଙ୍କ ବିଶ୍ୱାସ କମିଆସିଛି । ତେବେ ନିୟତି ପ୍ରତି ତାଙ୍କ ବିଶ୍ୱାସ ଅତୁଟ । ସେ କହନ୍ତି-‘ ନିୟତିର ଖେଳ ଅନୁସାରେ ହିଁ ଆମେ ନିୟନ୍ତ୍ରିତ ହୋଇଥାଉ । କର୍ମ ଅନୁସାରେ ଫଳ ମିଳିଥାଏ । ମୁଁ ଦେଖିଛି ଅନେକ ସମୟରେ କଠିନ ପରିଶ୍ରମ କରୁଥିଲେ ହେଁ ସମସ୍ତେ ସଫଳତା ପାଆନ୍ତି ନାହିଁ । ଏଥିରେ ନିୟତିର ଏକ ବଡ଼ ଭୂମିକା ରହିଛି ବୋଲି ମୋର ବିଶ୍ୱାସ ।’

ସପ୍ତମରେ ‘ଓ’ ଗ୍ରେଡ୍
ପଂଚମରେ ତ’ ଅକ୍ଷୟ ବୃତି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ପାଠ ପ୍ରତି ତାଙ୍କର ଖୁବ୍ ଆଗ୍ରହ ଆସିଯାଇଥିଲା । ସେତେବେଳକୁ ସପ୍ତମ ଶ୍ରେଣୀରେ ବୋର୍ଡ ପରୀକ୍ଷା ଥିଲା ଓ ଗ୍ରେଡ୍ ସିଷ୍ଟମ୍ ଥିଲା । ସପ୍ତମ ଶ୍ରେଣୀ ବୋର୍ଡରେ ସେ ଗାଁ ସ୍କୁଲରୁ ‘ଓ’ ଗ୍ରେଡ୍ ଲାଭ କରିଥିଲେ । ତାଙ୍କ ଗାଁରେ ସପ୍ତମ ଶ୍ରେଣୀ ଯାଏଁ ଥିଲା । ଏହାପରେ ପ୍ରାୟ ସବୁ ପିଲା ପଂଚାୟତ ହାଇସ୍କୁଲରେ ପଢ଼ୁଥିଲେ । ଅକ୍ଷୟଙ୍କ କ୍ଷେତ୍ରରେ କିନ୍ତୁ ଏଭଳି ହୋଇନଥିଲା । ସେ ପଢ଼ିଥିଲେ ନୀଳଗିରିର ବରୁଣ ସିଂ ହାଇସ୍କୁଲରେ । ସେହି ସମୟରେ ଏଇ ସ୍କୁଲ ପକ୍ଷରୁ ଏକ ପ୍ରକାର ଟ୍ୟାଲେଂଟ୍ ହଂଟ୍ ବା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ହେଉଥିଲା । ସପ୍ତମ ଶ୍ରେଣୀରେ ଖୁବ୍ ଭଲ କରୁଥିବା ଆଖପାଖ ଅଂଚଳର ପିଲାଙ୍କୁ ସେମାନେ ନିଜ ସ୍କୁଲରେ ପଢ଼ିବା ପାଇଁ ଉତ୍ସାହିତ କରୁଥିଲେ । ସେତେବେଳେ ବରୁଣ ସିଂ ହାଇସ୍କୁଲ ଥିଲା ବାଲେଶ୍ୱର ଜିଲ୍ଲାର ଏକ ନାମକରା ଶିକ୍ଷାନୁଷ୍ଠାନ । ଏଇ ସ୍କୁଲରେ ପଢ଼ିବା ପାଇଁ ତାଙ୍କୁ ଡାକରା ଆସିଲା । ଯେହେତୁ ସ୍କୁଲ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯାଉଥିଲା, ତେଣୁ ପରିବାର ଲୋକ ଏଥିରେ ସହଜରେ ରାଜି ହୋଇଥିଲେ । ମାତ୍ର ଗାଁ ଛାଡ଼ିବାକୁ ତାଙ୍କ ଇଚ୍ଛା ନଥିଲା । ତେବେ ସେ ଯାହା ହେଉ ଶେଷରେ ମାମୁଁଘରେ ରହି ବରୁଣ ସିଂ ହାଇସ୍କୁଲରେ ନାମ ଲେଖାଇ ପରବର୍ତୀ ପର୍ଯ୍ୟାୟ ପାଠପଢ଼ା ଆରମ୍ଭ କଲେ ।

ଅଭାବ ଅସୁବିଧାର ପିଲାଦିନ
ପରିବାରର ଅବସ୍ଥା ଥିଲା ଅତ୍ୟନ୍ତ ଶୋଚନୀୟ । ଆର୍ଥିକ ଦିଗ କଥା ନ କହିବା ଭଲ । ତେଣୁ ପିଲାଦିନଟି ତାଙ୍କର ଖୁବ୍ ଦୁଃଖରେ କଟିଛି । ଦୁଃଖ କହିଲେ ଟଙ୍କା ପଇସାର ଘୋରଅଭାବ । ଏମିତିକି ଖାଇବା ପିଇବାରେ ବି ଖୁବ୍ ଅସୁବିଧା ଥିଲା ।
ପଂଚମ ଶ୍ରେଣୀରେ ପଢ଼ୁଥିବାବେଳର କଥା । କ’ଣ ଗୋଟେ ପୂଜାପର୍ବାଣି ଥାଏ । ସାହି ପଡ଼ିଶାଙ୍କ ଘରେ ଅରୁଆ ଚାଉଳ ପିଠା ହେଉଥାଏ । ସେମାନଙ୍କ ଘରର ପିଲାମାନଙ୍କଠାରୁ ପିଠା କଥା ଶୁଣି ଅକ୍ଷୟଙ୍କ ବି ପିଠା ଖାଇବାକୁ ମନ ବଳିଲା । ମା’ଙ୍କ ଆଗରେ କହିଲେ ଏଇ କଥା । ମା ନିଜର ଅସହାୟତା ପ୍ରକାଶ କରି କାନ୍ଦ କାନ୍ଦ ହୋଇ କହିଲେ-‘ଆମ ଘରେ ତ ଅରୁଆ ଚାଉଳ ନାହିଁ, ପିଠା କେମିତି ହେବ? ତୁ ଯଦି ପିଠା ଖାଇବାକୁ ଇଚ୍ଛା କରୁଛୁ, ତା’ହେଲେ ଯା କେଉଁଠୁ କାମ କରି ଅରୁଆ ଚାଉଳ ଆଣ ।’ ମା’ଙ୍କର ଏଇ ଅସହାୟତା ଭରା କଥା ପଦକ ତାଙ୍କ ପିଲାମନକୁ ବେଶ୍ ବାଧିଥିଲା । ସେତେବେଳକୁ ତାଙ୍କ ଗାଁ ସଡ଼କ ତିଆରି କାମ ଚାଲିଥାଏ । ସେଥିରେ କାମ କରୁଥିବା ଲୋକଙ୍କୁ ମଜୁରୀ ବା ଟଙ୍କା ବଦଳରେ ମିଳୁଥାଏ ଅରୁଆ ଚାଉଳ । ପିଠା ଖାଇବାର ନିଶା ତ ତାଙ୍କୁ ଘାରିଥିଲା । ତେଣୁ ସେଦିନ ସଡକ କାମରେ ମୂଲିଆ ସାଜିଲେ । ଅନ୍ୟ ଶ୍ରମିକମାନଙ୍କ ସହିତ ମିଶି ଅକାତରରେ ଝୁଡ଼ିରେ ମାଟି ବୋହି ଚାଲିଲେ । ପାଉଣା ସ୍ୱରୂପ ଯେଉଁ ଅରୁଆ ଚାଉଳ ମିଳିଲା, ସେଥିରେ ମା’ ପିଠା ତିଆରି କଲେ ଓ ତାଙ୍କ ମନ ତୋଷ ହୋଇଥିଲା । ସେତେବେଳେ ତାଙ୍କ ଗାଁ କିମ୍ବା ତାଙ୍କ ପରିବାର କାହିଁକି, ସମଗ୍ର ଭାରତବର୍ଷର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା । ସେଇ ସମୟରେ ଖନ୍ତାପଡ଼ା ଥାନା ପାଖରେ ଖାଇବାକୁ ପାଉନଥିବା ଲୋକଙ୍କୁ ବାଜରା ଗୁଣ୍ଡ ଓ ଉଷୁମ କ୍ଷୀର ବଂଟା ଯାଉଥିଲା । ବାଜରା ଗୁଣ୍ଡ ଓ ଉଷୁମ କ୍ଷୀର ପାଇଁ ଅକ୍ଷୟ ବି ଅନେକଦିନ ସେଠି ଲାଇନ୍‌ରେ ଛିଡା ହେଉଥିଲେ । କ୍ଷୀରଟା ସେଇଠି ପିଇଦେଉଥିଲେ । ଆଉ ବାଜରା ଗୁଣ୍ଡ ଘରକୁ ନେଇ ଆସୁଥିଲେ । ଏବର ଅଙ୍ଗନବାଡ଼ି ଭଳି ସେତେବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଏକ ବ୍ୟବସ୍ଥା ଥିଲା ।

ପୋଲିସ୍ ବାବୁଙ୍କ ପୁରୁଣା ପ୍ୟାଂଟ୍‌ରୁ ୟୁନିଫର୍ମ
ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପିଲାଟି ଦିନରୁ ହିଁ ତ ଅକ୍ଷୟଙ୍କୁ ସଂଘର୍ଷ କରିବାକୁ ପଡ଼ିଛି । ପାଠ ପଢ଼ିବା ପାଇଁ, କ୍ୟାରିୟର କରିବା ପାଇଁ ବା ଭବିଷ୍ୟତ ତିଆରି କରିବା ପାଇଁ ପ୍ରକୃତ ସଂଘର୍ଷ ଆରମ୍ଭ ହେଲା ତାଙ୍କର ନୀଳଗିରି ବରୁଣ ସିଂ ହାଇସ୍କୁଲରୁ । ଏହି ଅଂଚଳ ଥିଲା ସେମି-ଅର୍ବାନ୍ ଅର୍ଥାତ୍ ପୂରାପୂରି ଗାଁ ନୁହେଁ କି ପୂରାପୂରି ସହର ବି ନୁହେଁ । ଗାଁଠୁ ବଡ଼ ସହରଠୁ ସାନ । ସୁଯୋଗ ପାଇ ସେଇ ସ୍କୁଲରେ ଜଏନ୍ ତ କରିଗଲେ, ମାତ୍ର ବିଭିନ୍ନ ଦୃଷ୍ଟିକୋଣରୁ ସେଠାରେ ପଢ଼ୁଥିବା ଅନ୍ୟ ପିଲାଙ୍କ ସହିତ ଖାପ ଖୁଆଇ ଚଳିବା ତାଙ୍କ ପାଇଁ ଆଦୌ ସହଜ ନ ଥିଲା ।
ସ୍ୱାଧୀନତା ଦିବସ ପାଖେଇ ଆସୁଥାଏ । ଏହି ଦିନ ଛାତ୍ରମାନଙ୍କ ପାଇଁ ୟୁନିଫର୍ମ ଥାଏ ଖାକି କଲରର୍ ପ୍ୟାଂଟ୍ ଓ ଧଳା ସାର୍ଟ । ସମସ୍ତେ ଏହା ପିନ୍ଧିବାକୁ ବାଧ୍ୟ । ଏତକ ଯୋଗାଡ଼ କରିବା ପାଇଁ ଅକ୍ଷୟ ଘରେ କହିଲେ । ବାପା ସିଧାସଳଖ ଶୁଣାଇଦେଲେ – ‘ପଇସା ତ ନାହିଁ, କୁଆଡୁ ଦେବି? ତୁ ତୋର ଯାହା ଯେମିତି କରୁଛୁ କର ।’ ଶେଷକୁ ତାଙ୍କ ଦାଦାଙ୍କ କାନରେ ପଡ଼ିଲା ଏଇ କଥା । ଦାଦା ତାଙ୍କର ପରିଚିତ ଜଣେ ପୋଲିସ ବନ୍ଧୁଙ୍କର ପୁରୁଣା ପ୍ୟାଂଟ୍ ନେଇ ଆସିଲେ । ଟେଲର୍ ପାଖରେ ତାହାକୁ ଦେଇ ଅକ୍ଷୟଙ୍କ ସାଇଜର ପ୍ୟାଂଟ୍ ତିଆରି କରାହେଲା ଓ ସ୍ୱାଧୀନତା ଦିବସରେ ସେ ପିନ୍ଧିଲେ ।
ସେଇ ସ୍କୁଲକୁ ସାଧାରଣତଃ ସହରାଂଚଳ ବା ସେଇ ଆଖପାଖର ପିଲାଏ ପଢ଼ିବାକୁ ଆସୁଥିଲେ । ସେମାନେ ବେଶ୍ ଚାଲାକ ଚତୁର ଥିଲେ । ଅନେକ ବିଷୟ ଜାଣୁଥିଲେ । ଆଖପାଖ ଅଂଚଳର ପିଲା ହୋଇଥିବାରୁ ସେମାନଙ୍କ ଭିତରେ ଏକତା ଥିଲା । ସେମାନଙ୍କ ସହିତ କଥାବାର୍ତା କରିବା, ଖାପ ଖୁଆଇ ଚଳିବା ତାଙ୍କ ପାଇଁ ଅଡ଼ୁଆ ହେଉଥିଲା । ସେ ନିଜକୁ ନ୍ୟୁନ ମନେକରୁଥିଲେ; କହିପାରନ୍ତି ହୀନମନ୍ୟତାର ଶୀକାର ହୋଇଥିଲେ । ଅଭାବରେ ପଡିଲେ ମଣିଷ ଏମିତି ଦବିଯାଏ । ପାଠପଢ଼ାରେ ଆଉ ତାଙ୍କର ମନ ଲାଗୁନଥିଲା ଓ ଅଷ୍ଟମ ଶ୍ରେଣୀରେ ରେଜଲ୍ଟ ଭଲ ହୋଇନଥିଲା ।

ଶିକ୍ଷକ ବଢ଼ାଇଲେ ସହଯୋଗର ହାତ
ଅକ୍ଷୟଙ୍କ ଶିକ୍ଷକମାନେ ଖୁବ୍ ଭଲ ପାଉଥିଲେ ତାଙ୍କୁ । ଜଣେ ମେଧାବୀ ଛାତ୍ର ପରିସ୍ଥିତି ସହ ଖାପ ଖୁଆଇ ନ ପାରି ରେଜଲ୍ଟ ଭଲ କରିନାହିଁ ବୋଲି ସେମାନେ ଭଲ ଭାବରେ ହୃଦୟଙ୍ଗମ କରିଥିଲେ । ତେଣୁ ସମସ୍ତେ ମିଳିମିଶି ତାଙ୍କ ଆଡ଼କୁ ବଢ଼ାଇଥିଲେ ସହଯୋଗର ହାତ । ସେତେବେଳେ ନିଗମାନନ୍ଦ ପାଣିଗ୍ରାହୀ ନାମରେ ଜଣେ ସାର୍ ଥିଲେ ସେଇ ସ୍କୁଲରେ । ସେ ସାର୍ ଖୁବ୍ ସାହସ ଦେଇଥିଲେ । ଦିନେ ତାଙ୍କୁ ପାଖକୁ ଡାକି କହିଥିଲେ –‘ତୋର ଯୋଉଠି ଯାହା ଅସୁବିଧା ଆମକୁ କହିବୁ । ଆମେ ତୋଠୁ ପଇସାପତ୍ର କିଛି ନବୁନି । ମାଗଣାରେ ସବୁ ବିଷୟ ପଢ଼ାଇବୁ ।’ ଏହାପରେ ନିଗମାନନ୍ଦ ସାର୍ ଓ ଅନ୍ୟମାନେ ତାଙ୍କୁ ଇଂରାଜୀ, ମ୍ୟାଥ୍‌, ଓଡ଼ିଆ ଓ ସାଇନ୍ସ ପଢ଼ାଇଲେ । ସ୍କୁଲ ସରିବା ପରେ ସେମାନେ ତାଙ୍କୁ ମାଗଣା ଟ୍ୟୁସନ୍ ପଢ଼ାନ୍ତି । ଟ୍ୟୁସନ୍ ପଢ଼ିସାରି ସେ ମାମୁଁଘରକୁ ଯାଆନ୍ତି । ଫଳରେ ନବମ ଶ୍ରେଣୀରେ ସେ ଖୁବ୍ ଭଲ ମାର୍କ ଆଣିଲେ । ତାଙ୍କର କଠିନ ପରିଶ୍ରମ ଓ ସାର୍‌ମାନଙ୍କର ସଦିଚ୍ଛାର ଫଳ ତାଙ୍କୁ ମିଳିଲା । ଦଶମ ଶ୍ରେଣୀରେ ସେ ଟପ୍ପର ହେଲେ ତଥା ଇଂରାଜୀ, ବିଜ୍ଞାନ ଏବଂ ଓଡ଼ିଆ ବିଷୟରେ ସମଗ୍ର ଜିଲ୍ଲାରେ ସର୍ବାଧିକ ନମ୍ବର ରଖିଥିଲେ ।

ସଂଘର୍ଷର ଦ୍ୱିତୀୟ ଅଧ୍ୟାୟ
ମାଟ୍ରିକ୍‌ରେ ଏତେ ଭଲ ରିଜଲ୍ଟ କରିବା ପରେ ବି ଆଗକୁ ପଢ଼ିବା ନେଇ ସେ ସନ୍ଦିହାନ ଥିଲେ । ତା’ର ଏକମାତ୍ର କାରଣ ଥିଲା ଘରର ଆର୍ଥିକ ଅସ୍ୱଚ୍ଛଳତା । ତେଣୁ ପାଠ ପଢ଼ା ଜାରି ରଖିବା ପାଇଁ ପୂର୍ବରୁ ଯେଭଳି ସଂଘର୍ଷ କରିଆସିଛନ୍ତି, ତାହା ଆଗକୁ ମଧ୍ୟ ଚାଲୁ ରହିବ ବୋଲି ସେ ନିଶ୍ଚିତ ଥିଲେ ଓ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ରେଭେନ୍ସା କିମ୍ବା ବିଜେବିରେ ବିଜ୍ଞାନ ବିଷୟ ନେଇ ପଢ଼ିବାକୁ ତାଙ୍କ ପ୍ରବଳ ଇଚ୍ଛା ଥିଲା । ସେ ଚାହିଁବା ମୁତାବକ ଘଟଣା ମଧ୍ୟ ଘଟିଥିଲା । +୨ ପଢ଼ିବା ପାଇଁ ପ୍ରଥମେ ବିଜେବି କଲେଜରୁ ଇଂଟିମେସନ୍ ଲେଟର୍ ଆସିଲା । ମାତ୍ର ବାପା, ମା’ ରୋକ୍‌ଠୋକ୍ ମନା କଲେ – ‘ଭୁବନେଶ୍ୱର ଏତେ ବାଟ! ସେଠି ରହିବା ଖାଇବା, ପାଠପଢ଼ିବାରେ ଢେର୍ ଖର୍ଚ୍ଚ । ଆମର ସମ୍ବଳ ନାହିଁ ତତେ ସେଠି ପଢ଼େଇବା ପାଇଁ ।’ ପରେ ପରେ କଟକ ରେଭେନ୍ସାରୁ ଆସିଲା ଚିଠି +୨ ପଢ଼ିବା ପାଇଁ । ଏଥର ମଧ୍ୟ ସେଇଆ ହେଲା । ସେଇ ଅର୍ଥାଭାବକୁ ଆଳ କରି ବାପା ମନା କରିଦେଲେ । ଭୁବନେଶ୍ୱର କିମ୍ବା କଟକରେ ପଢ଼ିବା ଅସମ୍ଭବ ବୋଲି ଶୁଣାଇଦେଲେ ସ୍ପଷ୍ଟ ଭାବରେ । ଏହାପରେ ବାଧ୍ୟ ହୋଇ ସେ ନାଁ ଲେଖାଇଲେ ବାଲେଶ୍ୱରର ଫକୀର ମୋହନ କଲେଜରେ । ସେତେବେଳେ ତ ଗାଡ଼ି ମଟରର ଏତେ ସୁବିଧା ନ ଥିଲା । ତାଙ୍କ ଗାଁ ପାଖରୁ ଗୋଟିଏ ଦି’ଟା ଗାଡ଼ି ଯିବା ଆସିବା କରୁଥିଲା ବାଲେଶ୍ୱରକୁ । ସେଥିରେ ଯିବାକୁ ତ ପୁଣି ପଇସା ଦରକାର । ସେତକ ଯୋଗାଡ଼ କରିବା ଯେହେତୁ ତାଙ୍କ ପାଇଁ କଷ୍ଟକର ଥିଲା, ତେଣୁ ସାଇକେଲ୍‌ରେ ଯିବା ଆସିବା କରି ସେ +୨ ପଢ଼ିଲେ । ଫାଇନାଲ୍ ଇଅର୍‌ରେ ମେସ୍‌ରେ ରହୁଥିଲେ । ତା’ର ଖର୍ଚ୍ଚ ବଡଭାଇ ଟ୍ୟୁସନ୍ କରି ଏବଂ ଦାଦା ବସ୍ ଡ୍ରାଇଭିଂ କରି ଦେଉଥିଲେ । ମୁଢ଼ି ନ ଥିଲେ ଚାଉଳ ଭଜା ଖାଇ କ୍ଲାସ୍ କରିବାକୁ ପଡୁଥିଲା ।

ବୃତି ପଇସାରେ ପାଠପଢ଼ା
ଦଶମ ଶ୍ରେଣୀରେ ଅକ୍ଷୟ ସ୍କୋଲାର୍‌ସିପ୍ ପାଇଥିଲେ । ତାଙ୍କୁ ଷ୍ଟାଇପେଣ୍ଡ୍ ମିଳିଥିଲା ୧୨୫ ଟଙ୍କା । ତାହାକୁ ସେ କୋଟିନିଧି ପରି ସାଇତି ରଖିଥିଲେ ଓ +୨ ଆଡମିଶନ୍‌ବେଳେ ତାହା ଖୁବ୍ ଦରକାରରେ ଆସିଥିଲା । ଆଡମିଶନ୍ ଫି ଥିଲା ୫୦ ଟଙ୍କା । ଅବଶିଷ୍ଟ ୭୫ ଟଙ୍କା ଖର୍ଚ୍ଚ ହୋଇଥିଲା ନୂଆ ପ୍ୟାଂଟ୍ ସାର୍ଟ କିଣିବାରେ । ୧୯୮୬ରେ ଏଫ୍‌ଏମ୍ କଲେଜରୁ ପ୍ରଥମ ଶ୍ରେଣୀରେ ଯୁକ୍ତ ଦୁଇ ପାଶ୍ କଲେ । ଏହାପରେ ତାଙ୍କ ସାମ୍ନାରେ ଥିଲା ତିନୋଟି ବିକଳ୍ପ – ଇଞ୍ଜିନିୟରିଂ, ଆଇଆଇଟି ଓ ମେଡିକାଲ୍ । ଇଞ୍ଜିନିୟରିଂ ପଢ଼ିବାକୁ ସେ ସେତେଟା ଆଗ୍ରହୀ ନ ଥିଲେ । ମ୍ୟାଥ୍‌ମେଟିକ୍ସ ସେତେଟା ଭଲ ହୋଇନଥିବାରୁ ଆଇଆଇଟି ତାଙ୍କୁ ଏକ ପ୍ରକାର ଅସମ୍ଭବ ମନେ ହୋଇଥିଲା । ବାୟୋଲୋଜିରେ ସେ ଖୁବ୍ ଭଲ କରିଥିଲେ । ତେଣୁ ତାଙ୍କୁ ଲାଗିଥିଲା ଯେ, ସେ ମେଡିକାଲ୍ ଏଂଟ୍ରାନ୍ସ ପାଇଁ ପ୍ରିପେୟାର୍ ହେବା ଉଚିତ । ସେତେବେଳେ ବାଲେଶ୍ୱରର ଜଣେ ଡାକ୍ତର ଡା. ବେହେରାଙ୍କ ତତ୍ୱାବଧାନରେ ‘ୟୁରେକା’ ନାମରେ ଏକ ମେଡିକାଲ୍ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍ ଖୋଲିଥିଲା । ସେଠାରେ କୋଚିଂ ନେବା ପାଇଁ ତାଙ୍କର କିଛି ସାଙ୍ଗ ତାଙ୍କୁ ପ୍ରବର୍ତାଇଥିଲେ । ସେ ଘରେ ଜଣାଇଲେ ସେଇ କଥା । ସେଇଠି ବି ସେଇ ଗୋଟିଏ ବିଷୟ ହିଁ ପ୍ରତିବନ୍ଧକ ହୋଇ ଠିଆ ହୋଇଥିଲା ତାଙ୍କ ସାମନାରେ – ଟଙ୍କା । ଘରେ ତାଙ୍କୁ ସିଧାକଥା ଶୁଣାଇଦେଲେ – ‘ସେଠି କୋଚିଂ ନେଲେ ଆମେ ତତେ ଟଙ୍କା ଦେଇପାରିବୁନି । ତୁ ପିଲାଙ୍କୁ ଟ୍ୟୁସନ୍ ପଢ଼ା ଓ ସେଇ ପଇସାରେ ନିଜେ ପାଠ ପଢ଼ ।’ ଟ୍ୟୁସନ୍ ପଢ଼ାଇ ମେଡିକାଲ୍ ପାଇଁ ପ୍ରିପେୟାର୍ ହେବା ସହଜ କାମ ନୁହେଁ ବୋଲି ସେ ଭାବିଲେ । ତେଣୁ ଟିକିଏ ପଛଘୁଂଚା ଦେଲେ । ଏହାପରେ ଘରେ ତାଙ୍କୁ ପରାମର୍ଶ ଦେଲେ କଟକର ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା ଜଏନ୍ କର । ସେତେବେଳକୁ ମାର୍କ ଅନୁସାରେ ସିଲେକ୍‌ସନ ହେଉଥିଲା । ତାଙ୍କୁ ଏକ ପ୍ରକାର ଜବରଦସ୍ତ ସେଠାକୁ ପଠାଇ ଦିଆଗଲା । ସେଠିକୁ ସେ ଆସିଲେ । ମାତ୍ର ତାଙ୍କ ଇଚ୍ଛା ନଥିଲା ସେଠି ଜଏନ୍ କରିବାକୁ । ସେତେବେଳେ ହାତଲେଖା ମାଟ୍ରିକ୍ ସାର୍ଟିଫିକେଟ୍ ମିଳୁଥିଲା । ପିଲାମାନେ ବାହାର କରୁôଥଲେ । ସେ ଆଡ୍‌ମିସନ୍ ନ କରି ଘରକୁ ପଳାଇଲେ । ଘରେ ଯାଇ କହିଲେ- ‘ମୋର ମାଟ୍ରିକ୍ ସାର୍ଟିଫିକେଟ୍ ମିଳିଲାନି ତେଣୁ ନାମଲେଖା ହୋଇପାରିଲା ନାହିଁ ।’ ଏହାପରେ ଘରେ ତାଙ୍କୁ କହିଲେ ଯେ ତୁ ତା’ହେଲେ କୋଉଠି ହୋଟେଲ ଫୋଟେଲରେ ଚାକିରି କର । ତା’ପରେ ପାଠ ପଢ଼ିବା କଥା ଦେଖିବା । ଘରେ ତ ଟଙ୍କା ପଇସା କିଛି ନାହିଁ ତତେ ମେଡିକାଲ କେମିତି ପଢ଼େଇବୁ? ଏହାପରେ ତାଳଚେରର ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇଞ୍ଜିନିୟରିଂ କଲେଜରେ ସିଭିଲ୍ ଇଞ୍ଜିନିୟରିଂ ପଢ଼ିବା ପାଇଁ ଜଏନ୍ କଲେ । ମାତ୍ର ଦୁଇ ବର୍ଷ ତଳେ ଖୋଲିଥାଏ ସେଇ କଲେଜ । ଯିବା ଆସିବାର ଆଦୌ ସୁବିଧା ନ ଥାଏ । ପୁଣି ସେଠି ପ୍ରବଳ ର‌୍ୟାଗିଂ ହେଉଥାଏ ସେତେବେଳେ । ଦିନେ ରାତିରେ ଜଣେ ପିଲାକୁ ଛାତରୁ ଠେଲିଦେଲେ ସିନିୟର ପିଲାମାନେ । ସେଇଦିନ ରାତିରେ ହିଁ ସେ ଲୁଚି ପଳାଇ ଆସିଲେ ସେଠୁ । ଅନୁଗୁଳସ୍ଥିତ ପ୍ରଶାନ୍ତି ହୋଟେଲରେ ରହିଲେ ରାତିରେ । ସକାଳେ ବସ୍ ଯୋଗେ ପହଂଚିଲେ ବାଲେଶ୍ୱରରେ ।

ମା’ଙ୍କର ଇଚ୍ଛା ଥିଲା ଅକ୍ଷୟ ଡାକ୍ତର ହୁଅନ୍ତୁ
ପରିବାରର ଆର୍ଥିକ ଅସ୍ୱଚ୍ଛଳତା ସତ୍ୱେ ମା’ଙ୍କର ଏକାନ୍ତ ଇଚ୍ଛା ଥିଲା ଅକ୍ଷୟ ଯେମିତି ହେଉ ଜଣେ ଡାକ୍ତରଟିଏ ହୁଅନ୍ତୁ । ତେଣୁ ଇଞ୍ଜିନିୟରିଂ ପଢ଼ିବାକୁ ଅନାଗ୍ରହ, ପୁଣି ବାଧ୍ୟବାଧକତାରେ ସରାଙ୍ଗ କଲେଜରେ ଆଡମିଶନ୍ – ଏସବୁ ଭିତରେ ସେ ମେଡିକାଲ୍ ଏଂଟ୍ରାନ୍‌ସ ପାଇଁ ଭଲଭାବେ ପଢ଼ାପଢ଼ି କରିପାରିନଥିଲେ । ଏଂଟ୍ରାନ୍‌ସ ପାଇଁ ଫର୍ମ କିଣିକି ପକେଇବାକୁ ଦିନେ ମା’ କହିଲେ । ଏହାପରେ ସେ ଫର୍ମ ପକାଇଲେ । ତାଙ୍କ ହାତରେ ଥିଲା ମାତ୍ର ପନ୍ଦର ଦିନ ସମୟ । ସେଇଟା ପୁଣି ଦୁର୍ଗାପୂଜା ସମୟ । ବାଲେଶ୍ୱରରେ ଖୁବ୍ ବଡ଼ ଆକାରରେ ଦୁର୍ଗାପୂଜା ହୁଏ । ଅନ୍ୟମାନେ ଉତ୍ସବର ଧୁମ୍‌ଧାମରେ ମାତିଥିବାବେଳେ ସେ ଚେୟାରରେ ବସି ରହି ଖାଲି ପଢ଼ୁଥିଲେ । ଦଶହରା ପରାଦିନ ଥାଏ ଏଂଟ୍ରାନ୍‌ସ । ସେତେବେଳକୁ ମେଡିକାଲ୍ ପ୍ରିପାରେସନ୍ ପାଇଁ ‘ଅରୁଣ୍‌ସ ଗାଇଡ୍‌’ ନାମରେ ଗୋଟାଏ ଗାଇଡ୍ ମିଳୁଥିଲା । ସେ ସେଇଟାକୁ ପୂରାପୂରି ଘୋଷି ଦେଇଥିଲେ । ସୌଭାଗ୍ୟର କଥା, ପରୀକ୍ଷାରେ ପ୍ରାୟ୯୦ ପ୍ରତିଶତ ପ୍ରଶ୍ନ ଆସିଥିଲା ସେଇ ଗାଇଡ୍‌ରୁ । ତେଣୁ ତାଙ୍କ ପାଇଁ ଉତର ଦେବା ଖୁବ୍ ସହଜ ହୋଇଯାଇଥିଲା ଓ ଅଳ୍ପ ସମୟ ଭିତରେ ସମସ୍ତ ପ୍ରଶ୍ନର ଉତର ଦେଇ ସେ ବାହାରି ଆସିଥିଲେ ପରୀକ୍ଷା କେନ୍ଦ୍ରରୁ । ଏ ଘଟଣାର ମାସେ ପରେ ଦିନେ ସାଇକେଲ୍ ନେଇ ଯାଉଥାନ୍ତି ବାଲେଶ୍ୱର । ଜଣେ ସାଙ୍ଗଙ୍କଠାରୁ ଶୁଣିଲେ ଏଂଟ୍ରାନ୍ସ ରେଜଲ୍ଟ ବାହାରିଛି । ୟୁରେକା କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌କୁ ଯାଇ ଦେଖନ୍ତି ତ’ ସାରା ଓଡ଼ିଶାରେ ସେ ୨୬ତମ ସ୍ଥାନରେ ରହିଛନ୍ତି । ସେତେବେଳେ କଟକ ଏସ୍‌ସିବି ମେଡିକାଲ୍ କଲେଜରେ ଶହେ ସିଟ୍ ରହୁଥିବାରୁ ସେଇଠି ସ୍ଥାନ ପାଇବା ନେଇ ନିଶ୍ଚିତ ହୋଇଯାଇଥିଲେ ।
କୁ-ପରାମର୍ଶ ବଢ଼ାଇଥିଲା ଚିନ୍ତା
ମେଡିକାଲ୍ ଏଂଟ୍ରାନ୍‌ସରେ ଭଲ କରିବା ସତ୍ୱେ କିଛି ଲୋକଙ୍କ କୁ-ପରାମର୍ଶ ବା ମନ୍ଦ ପରାମର୍ଶ ତାଙ୍କର ଓ ପରିବାରର ଚିନ୍ତା ବଢ଼ାଇ ଦେଇଥିଲା । ତାଙ୍କୁ ମେଡିକାଲ୍ ନ ପଢ଼ାଇବାକୁ ଘରଲୋକଙ୍କୁ ପ୍ରବର୍ତାଇଥିଲେ ଏହି ଲୋକମାନେ । ଡାକ୍ତରୀ ପଢ଼ିବା ପାଇଁ ବହୁତ ଟଙ୍କା ଦରକାର । ତମେ ବର୍‌ବାଦ ହୋଇଯିବ । ଏମିତିକି ଜମିବାଡ଼ି ସବୁ ବିକିବାକୁ ପଡ଼ିବ ବୋଲି ବି ବାପା, ମା’ଙ୍କୁ କହିବା ପାଇଁ ପଛେଇନଥିଲେ । ଏମିତିକି କିଛି ବର୍ଷ ଆଗରୁ ତାଙ୍କ ପଂଚାୟତର ଜଣେ ଡାକ୍ତରୀ ପଢ଼ିବା ପାଇଁ ଜମିବାଡ଼ି ବିକ୍ରି କରିଦେଇଥିବା ଉଦାହରଣ ବି ସେମାନେ ଥୋଇଥିଲେ ତାଙ୍କ ବାପାଙ୍କ ସାମ୍ନାରେ । ଲୋକଙ୍କ ଏଭଳି ମନ୍ଦ ପରାମର୍ଶ ସାଙ୍ଗକୁ ଟଙ୍କା ପଇସାର ଅଭାବ ତାଙ୍କ ପରିବାରର ଦୁଶ୍ଚିନ୍ତାକୁ ଆହୁରି ବଢ଼ାଇ ଦେଇଥିଲା ।
ମେଡିକାଲ୍ ପଢ଼ିପାରିବେ କି ନାହିଁ, ଆଗକୁ କ’ଣ ହେବ, କ’ଣ ନାଇଁ ଏଭଳି ଦ୍ୱନ୍ଦ୍ୱରେ ଥିବାବେଳେ ଅକ୍ଷୟଙ୍କ ପାଇଁ ଏକ ଅଭିନବ ପ୍ରସ୍ତାବ ଆସି ପହଂଚିଥିଲା ତାଙ୍କ ଘରେ; ଯେଉଁ ବିଷୟ ମନେପଡ଼ିଲେ ଆଜି ବି ତାଙ୍କୁ ଅଡ଼ୁଆ, ଅବାନ୍ତର ଲାଗେ । ମନେମନେ ସେ ଆଜି ହସନ୍ତି । ଅର୍ଥାଭାବ ଅକ୍ଷୟଙ୍କ ଡାକ୍ତରୀ ପଢ଼ାରେ ଅନ୍ତରାୟ ହେଉଛି ଜାଣି ଗାଁର ବ୍ରାହ୍ମଣ ସାହିର ଜଣେ ଲୋକ ରଖିଥିଲେ ଏ ପ୍ରସ୍ତାବ । ଘର ଲୋକଙ୍କୁ ସେ କହିଥିଲେ- ‘ଜଣେ ଲୋକକୁ ମୁଁ ଠିକ୍ କରିଛି । ଅକ୍ଷୟର ପଢ଼ା ପାଇଁ ଯାହା ଖର୍ଚ୍ଚ ହେବ, ସବୁ ସେ ଲୋକ ଦେବ । ବଦଳରେ ଅକ୍ଷୟ ତା’ର ଝିଅକୁ ବାହା ହେବ । ଏବେ ନିର୍ବନ୍ଧଟା ସାରିଦେବା । ଅକ୍ଷୟର ପଢ଼ା ସରିଲେ ବାହାଘର ହେବ । ଏହାକୁ ନେଇ ଗୋଟିଏ ଏଗ୍ରିମେଂଟ୍ ହେବ ।’ ଏଭଳି ପ୍ରସ୍ତାବ ଶୁଣି ଅକ୍ଷୟ ଆଚମ୍ବିତ ହୋଇଯାଇଥିଲେ । ଦୁଃଖ ବି ଲାଗିଥିଲା ତାଙ୍କୁ । ସେତେବେଳକୁ ତାଙ୍କୁ ଜମାରୁ ସତର ବର୍ଷ । ସେଇ ଝିଅକୁ ବି ସେଇ ପାଖାପାଖି ବୟସ । ଭବିଷ୍ୟତ ଅନିର୍ଦ୍ଦିଷ୍ଟ । ପୁଣି ଆଜିର କଥା କାଲିକୁ ନାଇଁ! ଏତିକି ସାନ ବେଳରୁ ଏତେ ବଡ଼ ନିଷ୍ପତିଟେ ସେ କେମିତି ନେଇପାରିଥାନ୍ତେ? ଏହାପରେ ସେ ନିଜକୁ ଦୃଢ଼ କଲେ ଓ ପ୍ରସ୍ତାବ ଆଣିଥିବା ଲୋକକୁ ରୋକ୍‌ଠୋକ୍ ଶୁଣାଇଦେଲେ- ‘ମେଡ଼ିକାଲ୍ ପଢ଼ିବି ନାହିଁ ପଛେ, ଭବିଷ୍ୟତକୁ ନେଇ ଏଭଳି ସଉଦା ମୁଁ କରିପାରିବି ନାହିଁ ।’

ଦାଦା ବଢ଼ାଇଥିଲେ ମନୋବଳ
ହଁ-ନାହିଁ, ସମ୍ଭବ-ଅସମ୍ଭବର ଏଇ ଘଡ଼ିସନ୍ଧି ମୁହୂର୍ତରେ ନିଜ ଦାଦା ହିଁ ମନୋବଳ ବଢ଼ାଇଥିଲେ ତାଙ୍କର, ବୃତିରେ ଯିଏ ଥିଲେ ଜଣେ ବସ୍ ଡ୍ରାଇଭର । ଦିନେ ସେ କହିଲେ – ‘ଅକ୍ଷୟ ମେଡିକାଲ୍ ପଢ଼ୁ, ଯାହା ଖର୍ଚ୍ଚ ହେବ ମୁଁ ଦେବି ।’ ଦେଇପାରନ୍ତୁ କି ନ ଦେଇପାରନ୍ତୁ, କିନ୍ତୁ ଦାଦାଙ୍କ ଏଇ କଥା ପଦକରେ ଅକ୍ଷୟଙ୍କ ମନୋବଳ ବଢ଼ିଥିଲା । ନିଜ କଥା ରଖି ତାଙ୍କ ସାମର୍ଥ୍ୟ ଅନୁସାରେ ସେ ସାହାଯ୍ୟ କରିଥିଲେ । ବିନା ଦରମାରେ ଏକ ପ୍ରାଇଭେଟ୍ ହାଇସ୍କୁଲରେ ଶିକ୍ଷକତା କରୁଥିବା ଅକ୍ଷୟଙ୍କ ବଡ଼ଭାଇ ବି କହିଥିଲେ- ‘ଅକ୍ଷୟ ଏସ୍‌ସିବିରେ ମେଡିକାଲ୍ ପଢ଼ୁ । ଯାହା ହେବ ଦେଖାଯିବ ।’ ତା’ପରେ ଘରର ସମସ୍ତେ ମିଶି ତାଙ୍କ ବିଷୟରେ ନିଷ୍ପତି ନେଲେ ଯେ, ସେ ମେଡିକାଲ୍ ପଢ଼ିବାକୁ କଟକ ଯିବେ । ସେତେବେଳେ ଏସ୍‌ସିବିରେ ମେଡିକାଲ୍ ଆଡମିଶନ୍ ଫି ଥିଲା ଶହେ ଟଙ୍କା । ସେ ଆଡ୍‌ମିଶନ୍ କଲେ ଏସ୍‌ସିବିରେ । ମାତ୍ର ତାଙ୍କୁ ହଷ୍ଟେଲ୍ ମିଳିଲାନି । ରହିବେ କୋଉଠି, ତାହାକୁ ନେଇ ପୁଣି ଚିନ୍ତା । ସେତେବେଳେ ଏସ୍‌ସିବିରେ ତାଙ୍କର ଜଣେ ସମ୍ପର୍କୀୟ କକା ମାଳି ଥିଲେ । ଠିକ୍ ହେଲା ଯେ, ଘରୁ ଚାଉଳପତ୍ର ପଠାଯିବ ଏବଂ ଅକ୍ଷୟ ତାଙ୍କ କ୍ୱାର୍ଟରରେ ରହିବେ । ତାଙ୍କ ଘରେ ଅକ୍ଷୟଙ୍କ ବର୍ଷଟିଏ କଟିଲା । ତେବେ ସେଇଠି ପାଠପଢ଼ିବା ପାଇଁ ବିଶେଷ ସୁବିଧା ହେଉନଥିଲା । ଘରେ ଜଣାଇଲେ । ଘରେ ପୁଣି ସେଇ କଥା କହିଲେ- ‘ଆମର ସମ୍ବଳ ନାହିଁ । ତତେ ସେଇଠି ହିଁ ରହିବାକୁ ହେବ ।’ ବଡ଼ଭାଇ ବ୍ୟାଙ୍କ ଲୋନ୍ ପାଇଁ ବହୁତ ଧାଁ ଦଉଡ଼ କଲେ । ମାତ୍ର ଲୋନ୍ ମିଳିଲା ନାହିଁ । ଭାଇ ଟିଉସନ୍ ପଢ଼ାଇ କିଛି କିଛି ରୋଜଗାର କରୁଥାନ୍ତି । ମୋ ପାଖକୁ ଦୁଇ ତିନି ମାସ ଅନ୍ତରରେ ପାଁଶ ତିନିଶ ପଠାଉଥାନ୍ତି । ସେତିକିରେ ମୁଁ ଚଳାଇ ନେଉଥାଏ । ମୋର କିଛି ସାଙ୍ଗ ସେତେବେଳକୁ ଚାକିରି କରିସାରିଥାନ୍ତି । ସେମାନେ ବି କିଛି କିଛି ସହଯୋଗ କରୁଥାନ୍ତି । ଜଣେ ଇଞ୍ଜିନିୟର, ଆଉ ଜଣେ ଆସିଷ୍ଟାଂଟ୍ ଇଞ୍ଜିନିୟର ହୋଇସାରିଥାନ୍ତି । ମୁଁ ସେମାନଙ୍କୁ ମୋ ଅସୁବିଧା କଥା କହିବା ପରେ ସେମାନେ ବି ସାହାଯ୍ୟ କଲେ । ମୋର ଜଣେ ଶିକ୍ଷକ ମତେ ଅନେକ ସମୟରେ ସହାୟତା କରିଛନ୍ତି । ଏମିତି ବିଭିନ୍ନ ବ୍ୟକ୍ତିଙ୍କଠାରୁ ପ୍ରତ୍ୟେକ ମାସରେ କିଛି କିଛି ସାହାଯ୍ୟ ରାଶି ଆସି ପହଂଚିଥିଲା । କିନ୍ତୁ କେବେ ଜମି ବିକିବାକୁ ପଡ଼ିନାହିଁ । ଏମିତିରେ ଚାଲିଲା ଏମ୍‌ବିବିଏସ୍ ପାଠପଢ଼ା ।

ଜୀବନର ଭଲ ସମୟ
୧୯୯୩ରେ ଆରମ୍ଭ ହେଲା ତାଙ୍କ ହାଉସ୍‌ପେନ୍‌ସିପ୍ । ଦୀର୍ଘ ଦିନର ସଂଘର୍ଷ ପରେ ତାଙ୍କୁ ଲାଗିଲା ଯେମିତି ଜୀବନର ଭଲ ସମୟ ଆସି ଉପନୀତ ହୋଇଛି । ଷ୍ଟାଇପେଣ୍ଡ୍ ଭାବରେ ୧୨୦୦ ଟଙ୍କା ମିଳୁଥିଲା । ସେହି ସମୟରେ ଏତିକି ଟଙ୍କା ବି କିଛି କମ୍ ନଥିଲା । ଖାଇବା ପିଇବା, ପଢ଼ାପଢ଼ି ଓ ଅନ୍ୟାନ୍ୟ ଖର୍ଚ୍ଚ ପରେ ମଧ୍ୟ କିଛି କିଛି ବଳୁଥିଲା । ପୁଣି ଯେହେତୁ ସମସ୍ତଙ୍କୁ ସେତିକି ଟଙ୍କା ମିଳୁଥିଲା, ସାଙ୍ଗମାନେ ପରସ୍ପର ମଧ୍ୟରେ ସେୟାରିଂ କରୁଥିଲେ । ହାଉସ୍‌ପେନ୍‌ସିପ୍‌ବେଳେ ପୋଷ୍ଟଗ୍ରାଜୁଏସନ୍ ପାଇଁ ସେ ଦିନକୁ ପ୍ରାୟ ଅଠର ଘଂଟା ପଢ଼ାପଢ଼ି କରୁଥିଲେ । ହାଉସ୍‌ପେନ୍‌ସିପ୍ ସରିବା ବେଳକୁ ତାଙ୍କ ପାଖରେ ସଂଚିତ ଥିଲା ୫ ହଜାର ଟଙ୍କା । ମାତ୍ର ଖୁବ୍ ଶୀଘ୍ର ସରିଗଲା ସେଇ ଟଙ୍କା । ଯେମିତି ହେଉ ପିଜି କରିବାକୁ ସେ ସ୍ଥିର କରିଥିଲେ । ସେତେବେଳେ ପ୍ଲାଷ୍ଟିକ୍ ସର୍ଜରୀ ବିଷୟରେ ଜମାରୁ ଭାବିନଥଲେ । ଯେମିତି ହେଉ ପିଜି କରିବା ହିଁ ତାଙ୍କ ଲକ୍ଷ୍ୟ ଥିଲା । ପିଜି ଏଂଟ୍ରାନ୍‌ସ ଦେଲେ । ତିନି ମାସ ପରେ ଯାଇ ରେଜଲ୍ଟ ବାହାରିବାର ଥାଏ । ଘରେ ବି ଅସୁବିଧା ଲାଗି ରହିଥାଏ । ତେଣୁ ଘରଲୋକ ତାଙ୍କୁ ଚାକିରି କରିବାକୁ ପ୍ରବର୍ତାଉଥାନ୍ତି । ଅଭାବରେ ରହିବା ଅପେକ୍ଷା ଚାକିରି କରିବାଟା ଶ୍ରେୟସ୍କର ବୋଲି ସେ ଚିନ୍ତା କରନ୍ତି ।

ଜଙ୍ଗିରାରେ ଆରମ୍ଭ ଚାକିରି ଜୀବନ
ସେତେବେଳକୁ କମଳା ଦାସ ଥାଆନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଏସ୍‌ସିବିରେ ପଢ଼ିଲାବେଳେ ସେ ଅକ୍ଷୟଙ୍କ ଟିଚର୍ ଥିଲେ । ଦିନେ ଯାଇ ଡା. ଅକ୍ଷୟ ତାଙ୍କୁ ଭେଟିଲେ ଓ ଯେଉଁ ହସ୍‌ପିଟାଲ୍‌ରେ ହେଉ ପଛେ, ଚାକିରି ଖଣ୍ଡେ ଦେବା ପାଇଁ ତାଙ୍କୁ ଅନୁରୋଧ କଲେ । ଖଣ୍ଡେ ଦରଖାସ୍ତ ଲେଖିବା ପାଇଁ ମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଲେ । ଦରଖାସ୍ତ ଦେବା ପରଦିନ ହିଁ ସେ କେନ୍ଦୁଝର ଗଲେ । କେନ୍ଦୁଝର ହେଡ୍‌କ୍ୱାର୍ଟରରେ ତାଙ୍କ ପୋଷ୍ଟିଂ ହୋଇଥାଏ । ସେତେବେଳେ ସେଠାରେ ସିଡିଏମ୍‌ଓ ଥାଆନ୍ତି ଡା. ଝସକେତନ ସାହୁ । କେନ୍ଦୁଝର ହେଡ୍‌କ୍ୱାର୍ଟରରେ ନ ହୋଇ ଜଙ୍ଗିରାରେ ତାଙ୍କର ପୋଷ୍ଟିଂ ହୋଇଛି ବୋଲି ସିଡିଏମ୍‌ଓ ସଫା ସଫା ତାଙ୍କୁ କହିଦେଲେ । ହେଲେ ସେଠାକୁ ଯିବା ପାଇଁ ସେଇ ସମୟରେ ଭଲ ରାସ୍ତା ନ ଥିଲା । ଅଗଷ୍ଟ ମାସ । ପ୍ରବଳ ବର୍ଷା ହେଉଥାଏ । ସେତେବେଳକୁ ସେଇ ପାଖାପାଖି ଗୋଟିଏ ଯାତ୍ରୀବାହି ଭିଲେଜର୍ ଗାଡି ଯାଉଥାଏ । ଛେଳି କୁକୁଡ଼ା ଆଦି ଲଦା ହେଇଥିବା ଭିଲେଜର୍ ଗାଡିରେ ସେ ଯାଇ ପହଂଚିଲେ । ସେତବେଳକୁ ସନ୍ଧ୍ୟା ହୋଇସାରିଥାଏ । ସେଠି ପହଂଚି ‘ହସ୍ପିଟାଲ କୋଉଟା’ ବୋଲି ଜଣକୁ ପଚାରିଲାରୁ ସେ ଉତର ଦେଲା – ‘ହସ୍ପିଟାଲ୍ ବିଲ୍‌ଡିଙ୍ଗ୍ ବୋଲି ସେମିତି କିଛି ନାହିଁ; ପଂଚାୟତ ଘରେ ଚାଲିଛି । ନିଉ ପିଏଚ୍‌ସି । କେହି ତ’ ଡାକ୍ତର ଏଠିକି ଆସୁନାହାନ୍ତି । ଆପଣ ଆସିଲେ ଭଲ ହେଲା ।’ ତା’ପରେ ଡା. ଅକ୍ଷୟଙ୍କୁ ଦେଖି ଗାଁର କିଛି ଲୋକ ଜମା ହେଲେ । ସେମାନଙ୍କୁ ସେ ପଚାରିଲେ- ‘କେଉଠି ଗୋଟେ ରହିବାର ବ୍ୟବସ୍ଥା ହୋଇପାରିବ ?’ ସେମାନେ କହିଲେ- ‘ଆପଣଙ୍କୁ ପଂଚାୟତ ଘରେ ହିଁ ରହିବାକୁ ପଡ଼ିବ, ଆଉ କେଉଁଠି ସୁବିଧା ନାହିଁ ।’ ଏହାପରେ ସେ ପଚାରିଥିଲେ- ‘ହସ୍‌ପିଟାଲ୍ ଷ୍ଟାଫ୍ ସବୁ କିଏ କିଏ ଅଛନ୍ତି?’ ‘ଷ୍ଟାଫ୍ କେହି ନାହାନ୍ତି ଆଜ୍ଞା, ଆପଣ ଏକୁଟିଆ ଷ୍ଟାଫ୍‌’ ବୋଲି ସେମାନେ ହସି ହସି ଉତର ଦେଲେ । ତା’ପରେ ଗାଁ ଲୋକେ ଡା. ଅକ୍ଷୟଙ୍କ ଖାଇବା ବ୍ୟବସ୍ଥା କରିଦେଲେ । ପଂଚାୟତ ଅଫିସ୍ ପାଖରେ ରହୁଥିବା ଜଣେ ଫରେଷ୍ଟ ଗାର୍ଡ ରୋଷେଇ କରିବେ ଓ ଆପଣ ସେଠାରେ ଖାଇବେ ବୋଲି ସେମାନେ କହିଲେ । ସେଦିନ ନୂଆକରି ଯାଇଥିବାରୁ ତାଙ୍କୁ ଫରେଷ୍ଟ ଗାର୍ଡ ଜଣକ ଚିକେନ୍ ରାନ୍ଧି ଖୁଆଇଥିଲେ । ପଂଚାୟତ ଘରକୁ ଶୋଇବାକୁ ଆସି ଦେଖନ୍ତି ତ ସେଇଟା ଗୋଟେ ମାଟିଘର । ଧାନ, ଚାଉଳ ଭର୍ତି ହୋଇଛି ତା’ ଭିତରେ । ରାତିସାରା ମୂଷାଙ୍କ ଉପଦ୍ରବ । ରାତି ସାରା ମୂଷା କିଲିକିଲି ହେଉଥାନ୍ତି । ସେ ଶୋଇବେ କ’ଣ ମଶାରି ଭିତରେ ବସି ବସି ବିତେଇ ଦେଲେ ସାରା ରାତି । ସେଠି ରହିବା ଅସମ୍ଭବ ଭାବି ଚିନ୍ତାରେ ପଡ଼ିଲେ । ଏହାପରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ତାଙ୍କର ରହିବା ଠିକ୍ ହେଲା । ସେ ମହାଶୟ ଜଣକ ଘୋଡ଼ା ମଦୁଆ । ଡା. ଅକ୍ଷୟଙ୍କୁ ଭାରି ଅଡ଼ୁଆ ଲାଗୁଥାଏ । ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ଚାକିରି ଛାଡ଼ିଦେବେ ବୋଲି କହିଲେ ସିଡିଏମ୍‌ଓଙ୍କୁ । ମନ୍ତ୍ରୀ ପଠାଇଥିବାରୁ ସେ ଚାକିରି ଛାଡନ୍ତୁ଼ ନାହିଁ ବୋଲି ଚାହୁଁଥାନ୍ତି ସିଡିଏମ୍‌ଓ । ତେଣୁ ଚାକିରି ନ ଛାଡ଼ି କଟକରେ ରହି ମଝିରେ ମଝିରେ ସେଠାକୁ ଯିବା ପାଇଁ ସେ ତାଙ୍କୁ କହିଥିଲେ । ସେତେବେଳକୁ ସେହି ଏରିଆରେ ପ୍ରତିବର୍ଷ ହଇଜାରେ ଅନେକ ଲୋକ ମରୁଥାନ୍ତି । କେନ୍ଦୁଝରରେ ରହିବା ପାଇଁ ଘର ଖୋଜିଲେ । ଘର ପାଇଲେ, ହେଲେ ଘରଭଡ଼ା ମାସକୁ ଦେଢ଼ ହଜାର ଟଙ୍କା । ଡା. ଅକ୍ଷୟଙ୍କୁ ସେତେବେଳେ ଦରମା ମିଳୁଥାଏ ଜମାରୁ ଅଠେଇଶ ଶହ ଟଙ୍କା । ଘରଭଡ଼ା ନେବା କଷ୍ଟକର ହେଲା । ତେଣୁ ବାଧ୍ୟ ହୋଇ ସେ ତାଙ୍କର ଜଣେ ସିନିୟର ଡା. ଲାଲମୋହନ ନାୟକଙ୍କ ଘରେ ରହିଲେ । ସେ ଏବେ ବୁର୍ଲା ଭିଏସ୍‌ଏସ୍ ମେଡିକାଲ୍ କଲେଜରେ ଗାଏନିକ୍ ଏଚ୍‌ଓଡି ଅଛନ୍ତି । ତାଙ୍କ ଘରେ ରହିଲେ । ତାଙ୍କର ଜଣେ ପୁତୁରା ବାଇକ୍ ଯୋଗେ ଡା. ଅକ୍ଷୟଙ୍କୁ ଜଙ୍ଗିରା ନେବା ଆଣିବା କରୁଥାନ୍ତି । ଏମିତିରେ ମାସେ ବିତିଗଲା । ଡା. ଅକ୍ଷୟ ଚାକିରି ଛାଡ଼ିଦେବାକୁ ଚାହୁଁଥାନ୍ତି, ମାତ୍ର ତାହା ଏକ ସମ୍ବେଦନଶୀଳ ଏରିଆ ଓ ସେଠାରେ ଡାକ୍ତର ନ ରହିଲେ ତାଙ୍କୁ ଉତର ଦେବାକୁ ପଡ଼ିବ ବୋଲି ସିଡିଏମ୍‌ଓ କହୁଥାନ୍ତି । ଏହା ଛଡା ବିଧାନସଭାରେ ପ୍ରଶ୍ନ ବି ଉଠିପାରେ । ତାଙ୍କୁ ପୁଣି ପଠାଇଥାନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ତେଣୁ ବାଧ୍ୟ ହୋଇ ସେଠାରେ କଂଟିନିଉ କଲେ । ତିିନି ମାସ ପରେ ରେଜଲ୍ଟ ବାହାରିଲା । ଡା. ଅକ୍ଷୟଙ୍କ ସର୍ଜରୀ ପିଜି ହୋଇଯାଇଥିଲା । ଖୁବ୍ ଖୁସି ହେଲେ ସେ, ଯାହାବି ହେଉ ପୁଣି ଏସ୍‌ସିବିକୁ ଫେରିବାର ସୁଯୋଗ ଆସିଲା ।
ଏହାପରେ ସେ ପିଜିରେ ଜଏନ୍ କଲେ । ପିଜି ପିରିୟଡ୍ ଥିଲା ତାଙ୍କ ପାଇଁ ଖୁବ୍ ସୁନ୍ଦର ସମୟ । କିଛି କିଛି ଟଙ୍କା ଆସୁଥିଲା ହାତକୁ । ସେତବେଳଯାଏଁ ତାଙ୍କର ଯେଉଁ ଲକ୍ଷ୍ୟ ଥିଲା, ତାହା ପୂରା ହୋଇସାରିଥିଲା । ପିଜି ସରିବା ପରେ କ’ଣ କରିବେ, ସେନେଇ ଅନେକ ଚିନ୍ତା କରୁଥିଲି । ପିଜି କରୁଥିବା ସମୟରେ ସେ ଛାତ୍ର ରାଜନୀତି ସହ ସମ୍ପୃକ୍ତ ଥିବାରୁ ସରକାରୀ ବ୍ୟବସ୍ଥାର କିଛି ନକାରାତ୍ମକ ଦିଗ ଜାଣିପାରିଥିଲେ ଏବଂ ଡାକ୍ତରମାନେ ଅଫିସ୍‌ରେ କିଭଳି ଦୁର୍ବ୍ୟବହାରର ଶିକାର ହୁଅନ୍ତି, ତାହା ସେ ଦିନେ ନିଜ ଆଖିରେ ଦେଖିଲେ । ତେଣୁ ଭବିଷ୍ୟତରେ ଆଉ ସରକାରୀ ଚାକିରି କରିବେ ନାହିଁ ବୋଲି ସେ ସ୍ଥିର କରିସାରିଥିଲେ ।

ଦିଲ୍ଲୀ ଯାତ୍ରା
ଯେହେତୁ ସରକାରୀ ଚାକିରି କରିବେ ନାହିଁ, ତେଣୁ ପୁଣି କିଛି ପଢ଼ିବାକୁ ପଡ଼ିବ ବୋଲି ଡା. ଅକ୍ଷୟ ଏକପ୍ରକାର ନିଶ୍ଚିତ ହୋଇସାରିଥିଲେ । ସେତେବେଳକୁ କଟକ ଛଡ଼ା ଓଡିଶାରେ ଆଉ କେଉଁଠି କିଛି ବିଶେଷ ମେଡିକାଲ୍ ସୁବିଧା ନ ଥିଲା କହିଲେ ଚଳେ । ଭୁବନେଶ୍ୱରରେ କଳିଙ୍ଗ ହସ୍ପିଟାଲ୍ ଆରମ୍ଭ ହେଉଥାଏ । ଏହାପରେ ଘରେ କାହାକୁ କିଛି ନ କହି ସେ ଦିଲ୍ଲୀ ଚାଲିଗଲେ । ଘରୁ ଯେହେତୁ ଟଙ୍କା ପଇସା କିଛି ମିଳିବାର ନାହିଁ, ତେଣୁ ଟଙ୍କା ପଇସାକୁ ନେଇ ସେ ସର୍ବଦା ସତର୍କ ଥାଆନ୍ତି । ତାଙ୍କର ଗୋଟିଏ ଭଲ ଅଭ୍ୟାସ ଥିଲା; ସେ ଯେତେବେଳେ ଯେଉଁଠି ଯାହା ରୋଜଗାର କରୁଥିଲେ, ସେଥିରୁ କିଛି ନା କିଛି ସଂଚୟ କରୁଥିଲେ, ଅଭାବ ସମୟରେ ତାହା ଯେମିତି କାମରେ ଆସିବ । ଏମିତିକି ପିଜି କରିବାବେଳେ ଷ୍ଟାଇପେଣ୍ଡ୍ ପଇସାରେ ସାନଭାଇକୁ ପାଠ ବି ପଢ଼େଇଛନ୍ତି । ପିଜି ବେଳେ ତାଙ୍କୁ ମାସିକ ୨୫୦୦ ଟଙ୍କା ମିଳୁଥାଏ । ସେତେବେଳକୁ ତାହା ଯଥେଷ୍ଟ । ହଷ୍ଟେଲରେ ରହୁଥିଲେ । ଖିଆପିଆ କରୁଥିଲେ ମେସ୍‌ରେ । ତେଣୁ ବିଶେଷ ଖର୍ଚ୍ଚ ହେଉନଥାଏ । ଯାହା ସଂଚୟ କରିଥିଲେ, ସେଥିରେ ଦିଲ୍ଲୀ ଗଲେ । ଦିଲ୍ଲୀ ଯାଇ ଗଙ୍ଗାରାମ ହସ୍ପିଟାଲ୍‌ରେ ଜଏନ୍ କଲେ ପ୍ଲାଷ୍ଟିକ୍ ସର୍ଜରୀରେ ଡିପାର୍ଟମେଂଟ୍‌ରେ । ଏହା ପରେ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ପ୍ରତି ଆଗ୍ରହ ସୃଷ୍ଟି ହେଲା ଓ ଏଥିରେ ସୁପର୍ ସ୍ପେସାଲିଷ୍ଟ ହେବାକୁ ଲକ୍ଷ୍ୟ ରଖିଲେ । ସେଠି ଥିବା ସମୟରେ ପିଜିଆଇ ଚଣ୍ଡିଗଡ ପାଇଁ ଏଂଟ୍ରାନ୍‌ସ ଦେଲେ । ଗୋଟିଏ ସିଟ୍ ଥାଏ । ତାଙ୍କର ଫାଷ୍ଟ ୱେଟିଂରେ ରହିଲା । ଏହା ହେଉଛି ୧୯୯୭ ମସିହାର କଥା । ଦିଲ୍ଲୀରେ ବହୁତ ଓଡ଼ିଆ ଡାକ୍ତର ଥିଲେ । ସେଠାରେ ଜଣେ ସାଙ୍ଗ ଥିଲେ ଡା. ପ୍ରକାଶ ଦେ । ତାଙ୍କୁ କର୍ଣ୍ଣଟପ୍ଲେସ୍ ନିକଟସ୍ଥ ଲେଡି ହାର୍ଡିଂଲେରେ କ୍ୱାର୍ଟର ମିଳିଥାଏ । ସେଠି ସେମାନେ ସାତ ଜଣ ରହୁଥିଲେ ।

ଏମ୍‌ସିଏଚ୍ ପାଠ୍ୟକ୍ରମ ଓ ବିଜୟୱାଡାରେ ଚାକିରି
୨୦୦୦ ମସିହାରେ ଡା. ଅକ୍ଷୟ ପିଜିଆଇ ଏଂଟ୍ରାନ୍‌ସରେ ସଫଳ ହେଲେ । ଏହାପୂର୍ବରୁ ଗଙ୍ଗାରାମ ହସ୍‌ପିଟାଲ୍‌ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ସେ ଅଢ଼େଇ ବର୍ଷ କାମ କରି ବହୁତ କିଛି ଶିଖିସାରିଥିଲେ । ହେଲେ ବି ତାଙ୍କର ଫର୍ମାଲ୍ ଏଜୁକେସନ୍ ଦରକାର ଥିଲା । ୨୦୦୩ରେ ଏମ୍‌ସିଏଚ୍ ସରିଲା । ଏହାପରେ କ’ଣ କରିବେ ବୋଲି ପୁଣି ଚିନ୍ତା ପଶିଲା । ତେବେ ଏହି ସମୟରେ ଚିହ୍ନା ପରିଚୟ ଅନେକ ବଢ଼ିଯାଇଥିବାରୁ ଆଉ ବିଶେଷ ଚିନ୍ତା କରିନଥିଲେ ସେ । ଏମ୍‌ସିଏଚ୍ ସରିବା ପରେ ସିଲିଗୁଡ଼ିର ଗୋଟେ ହସ୍‌ପିଟାଲ୍‌ରୁ ଅଫର୍ ଆସିଥିଲା । ମାତ୍ର ସେଠାକୁ ସେ ନ ଯାଇ ପୁଣି ଦିଲ୍ଲୀ ଫେରିଲେ, ସେଇ ଗଙ୍ଗାରାମ ହସ୍‌ପିଟାଲ୍‌କୁ । ହେଲେ କିଛି ମାସ ଅତିକ୍ରାନ୍ତ ହେଲା ପରେ ଆଗକୁ ଆଉ ବଢ଼ିବାର ବିଶେଷ ସୁଯୋଗ ନଥିବା ଉପଲବ୍ôଧ କରି ସେଇଠୁ ଛାଡିଦେଲେ ଏବଂ ମୌଲାନା ଆଜାଦ୍ ମେଡିକାଲ୍ କଲେଜରେ ଜଏନ୍ କଲେ । ସେଠି କାମ କରୁଥିବା ସମୟରେ ବିଜୟୱାଡାର ଗୋଟେ ସୁନାମଧନ୍ୟ ହସ୍‌ପିଟାଲ୍‌ରୁ ଅଫର୍ ଆସିଲା । ଖୁବ୍ ଭଲ ଦରମା ଥିଲା । ତେଣୁ ଖୁବ୍ ଖୁସି ହୋଇ ସେଠାରେ ଯୋଗଦେଲେ । ବିଜୟୱାଡାରେ ଖୁବ୍ ଭଲ ରୋଜଗାର ଥିଲା ।

 

ଆମେରିକାରେ ଛଅ ମାସ ଟ୍ରେନିଂ
ଡା. ଅକ୍ଷୟଙ୍କ ସବୁବେଳେ କିଛି ନା କିଛି ନୂଆ ଶିଖିବାର ଆଗ୍ରହ ଥାଏ । ଆମେରିକା ଯାଇ କସ୍‌ମେଟିକ୍ ସର୍ଜରୀରେ ଟ୍ରେନିଂ ନେବା ପାଇଁ ଖୁବ୍ ଇଚ୍ଛା ଥାଏ, କାରଣ ଅନ୍ୟାନ୍ୟ ଦେଶମାନଙ୍କ ଅପେକ୍ଷା ଆମେରିକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଯଥେଷ୍ଟ ଉନ୍ନତ । ଚଣ୍ଡୀଗଡ଼ରେ ଥିବାବେଳେ ଅନେକ ସମୟରେ ଅନ୍ୟ ଦେଶରୁ ମଧ୍ୟ ଡାକ୍ତରମାନେ ଆସି କ୍ଲାସ୍ କରୁଥିଲେ । ସେମିତି ଜଣେ ଆମେରିକାନ୍ ଡାକ୍ତର ମଝିରେ ମଝିରେ ଆସି କ୍ଲାସ୍ କରୁଥିଲେ । ଡା. ଅକ୍ଷୟ ତାଙ୍କର ଇମେଲ୍ ଆଇଡି ରଖିଥିଲେ । ଦିନେ ସେଇ ଆମେରିକାନ୍ ଡାକ୍ତରଙ୍କୁ ସେ ଇମେଲ୍ କରି ଆମେରିକାରେ ଟ୍ରେନିଂର ବ୍ୟବସ୍ଥା କରିଦେବାକୁ ଅନୁରୋଧ କଲେ । ସୌଭାଗ୍ୟର କଥା, ସେ ଡା. ଅକ୍ଷୟଙ୍କ ପାଇଁ ନ୍ୟୁୟର୍କର ବଫଲୋର ମର୍ସି ହସ୍ପିଟାଲରେ ଟ୍ରେନିଂ ବ୍ୟବସ୍ଥା କରିଦେଲେ । ତା’ପରେ ସେଠୁ ଟ୍ରେନିଂ ପାଇଁ ଅଫର୍ ଆସିଲା । ହେଲେ ଇଆଡେ ଡା. ଅକ୍ଷୟଙ୍କ ଭିସା ନଥାଏ । ତେଣୁ ଟେରିଟୋରି ଇଷ୍ଟଜୋନ୍ କଲିକତାରେ ଭିସା ପାଇଁ ଆବେଦନ କଲେ । ତେବେ ଭିସା ପାଇଁ ଯେଉଁ ପ୍ରସ୍ତୁତି ଦରକାର ଥାଏ, ସେ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ଲୋକମାନେ ଯେ ଭିସା ପାଇବା ପାଇଁ ପୂର୍ବରୁ ପ୍ରସ୍ତୁତି ହୋଇ ଯାଇଥାନ୍ତି, ସେକଥା ତାଙ୍କୁ ମାଲୁମ୍ ନଥାଏ । ତେଣୁ ସେଠିକାର ଜଣେ ଆମେରିକାନ୍ ଅଫିସର୍ ଯାହା ପଚରାପଚରି କଲେ, ଡା. ଅକ୍ଷୟ ବିନା ପ୍ରସ୍ତୁତିରେ ଯାହା କହିବା କଥା କହିଲେ । ସେଇ ଅଫିସର୍‌ଜଣକ ଡା. ଅକ୍ଷୟଙ୍କ କଥାରେ ପ୍ରଭାବିତ ହେଲେ ନାହିଁ ଏବଂ ଭିସା ପାଇଁ ମନା କରିଦେଲେ । ଭିସା ମିଳିଲାନି । ହେଲେ ଡା. ଅକ୍ଷୟ ଆମେରିକାରେ ଟ୍ରେନିଂ ନେବାର ସୁଯୋଗକୁ ହାତଛଡା କରିବାକୁ ଚାହୁଁନଥିଲେ । ତେଣୁ ପରେ ଦିଲ୍ଲୀରେ ଭିସା ପାଇଁ ଆପ୍ଳାଏ କଲେ । ସେଠି ବି ଜଣେ ବିଦେଶୀ ଅଫିସର୍ ତାଙ୍କ ଇଂଟର୍‌ଭ୍ୟୁ ନେଲେ ଏବଂ ତାଙ୍କୁ ମାଡ୍ରାସକୁ ଯାଇ ଭିସା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଲେ । ଡା. ଅକ୍ଷୟ ସେଠୁ ମାଡ୍ରାସ ଗଲେ । ଠାକୁରଙ୍କ ଆର୍ଶିବାଦରୁ ମାଡ୍ରାସରେ ତାଙ୍କୁ ଭିସା ମିଳିଗଲା । ତା’ପରେ ଡା. ଅକ୍ଷୟ ଗଲେ ଆମେରିକା । ସେଇଠି କସ୍‌ମେଟିକ୍ ସର୍ଜରୀରେ ଛ’ ମାସ ଟ୍ରେନିଂ ନେଲେ । ଆମେରିକାର ଟ୍ରେନିଂ ଏବଂ ରହଣି ଉଭୟ ଖୁବ୍ ସୁନ୍ଦର ଥିଲା ବୋଲି କହନ୍ତି ଡା. ଅକ୍ଷୟ । ଛ’ ମାସ ପରେ ଟ୍ରେନିଂ ସାରି ସେ ଫେରିଲେ ବିଜୟୱାଡା ।

ଓଡ଼ିଶା ଫେରିଲେ
ଆମେରିକାରୁ ଆସି ବିଜୟୱାଡାରେ ମାସଟିଏ ରହିବା ପରେ ୨୦୦୬ରେ ଓଡ଼ିଶା ଫେରିଆସିଲେ ଡା. ଅକ୍ଷୟ । କର କ୍ଲିନିକ୍‌ର ଡା. ସନ୍ତୋଷ ରଥଙ୍କ ସହ ତାଙ୍କର ପୂର୍ବରୁ ପରିଚିତ ଥାଏ । ଭୁବନେଶ୍ୱରର କୌଣସି ଏକ ହସ୍ପିଟାଲରେ ଯୋଗଦେବାକୁ ଚାହୁଁଛନ୍ତି ବୋଲି ତାଙ୍କୁ କହିବା ପରେ ସେ ଅଶ୍ୱିନୀ ହସ୍ପିଟାଲ ସହିତ ଯୋଗାଯୋଗ କଲେ । ସେତେବେଳକୁ ଅଶ୍ୱିନୀ ହସ୍ପିଟାଲ ତିଆରି ଚାଲିଥାଏ । ସ୍ୱଳ୍ପ ଦରମାରେ ହେଉ ପଛେ ଅଶ୍ୱିନୀ ହସ୍ପିଟାଲରେ ଜଏନ୍ କଲେ ଡା. ଅକ୍ଷୟ । ଭୁବନେଶ୍ୱରରେ ଶ୍ୱଶୁରଘର ଥିଲା, ପତ୍ନୀ ଭୁବନେଶ୍ୱରରେ ରହୁଥିଲେ । ଭୁବନେଶ୍ୱରରୁ କଟକ ଯିବା ଆସିବା କରି ସେ ଅଶ୍ୱିନୀ ହସ୍ପିଟାଲରେ କାମ କଲେ । ଭାରି ଅସୁବିଧା ହେଉଥାଏ । ତା’ ପରେ ଅଶ୍ୱିନୀ ହସ୍ପିଟାଲ ସହ ଫାୟାରଷ୍ଟେସନ୍‌ସ୍ଥିତ ବିବେକାକନନ୍ଦ ହସ୍ପିଟାଲରେ ମଧ୍ୟ କାମ କଲେ । ତେବେ ସେହି ସମୟରେ ପ୍ଲାଷ୍ଟିକ୍ ସର୍ଜରୀ ତଥା କସ୍‌ମେଟିକ୍ ସର୍ଜରୀ ଆଦିର ଟ୍ରେଣ୍ଡ୍ ଓଡିଶାରେ ସେତେଟା ନଥିଲା । ତେଣୁ ବିଶେଷ ରୋଗୀ ଆସୁନଥିଲେ ।

ଯାହା ଭୁଲିପାରିବେ ନାହିଁ
ଦିନେ ଭୁବନେଶ୍ୱରର ଏକ ପେଟ୍ରୋଲ ପମ୍ପରେ କୌଣସି କାରଣରୁ ଜଣେ କର୍ମଚାରୀଙ୍କ ସହ ବାହାରର ଦୁଇଜଣ ବ୍ୟକ୍ତିଙ୍କ ଗଣ୍ଡଗୋଳ ହେଲା । ସେହି ଦୁଇଜଣଙ୍କର ଖଣ୍ଡା ଆକ୍ରମଣରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ କହୁଣୀ ପାଖରୁ ହାତ କଟି ଅଲଗା ହୋଇଗଲା । ଲୋକେ ତାଙ୍କୁ ନେଇ ଆସି ପହଂଚିଲେ ବିବେକାନନ୍ଦ ହସ୍ପିଟାଲରେ । ଯଦିଓ ସେତେବେଳେ ଆନୁଷଙ୍ଗିକ ବ୍ୟବସ୍ଥା ଏତେ ସୁଦୃଢ଼ ନଥିଲା ତଥାପି ତାହାକୁ ଚ୍ୟାଲେଞ୍ଜ ଭାବରେ ନେଇ ସାରାରାତି ଲାଗି ତାଙ୍କ କଟାହାତ ଯୋଡ଼ିବାରେ ସଫଳ ହେଲେ ଡା. ଅକ୍ଷୟ । ପୂରା ରାତି ଅନିଦ୍ରା, ପୁଣି ସକାଳୁ କାର୍ ଚଳାଇ କଟକଗଲେ ଓ ଅଶ୍ୱନୀରେ କାମ ସାରି ସନ୍ଧ୍ୟାରେ ଫେରିଲେ ବିବେକାନନ୍ଦ ହସ୍ପିଟାଲ୍ । ଦୁଇଦିନ ହେଲା ରେଷ୍ଟ ନଥିଲା । ସାଂଘାତିକ ଥକ୍କା ଲାଗୁଥିଲା । ଠିକ୍ ବିବେକାନନ୍ଦ ହସ୍ପିଟାଲର ଗେଟ୍ ପାଖରେ ପହଂଚି ଗାଡି ନ୍ୟୁଟ୍ରାଲ୍ କରୁକରୁ ଗାଡ଼ି ଭିତରେ ହିଁ ଅଚେତ ହୋଇଗଲେ ସେ । ସୌଭାଗ୍ୟକୁ ଠିକ୍ ସେତିକିବେଳେ ସେଇଠି ପହଂଚିଲେ ସମ୍ ହସ୍‌ପିଟାଲ୍‌ର ମେଡିସିନ୍ ସ୍ପୋସାଲିଷ୍ଟ ଡା. ଚନ୍ଦନ ଦାସ । ଡା. ଦାସ ଦେଖିଲେ ଗାଡ଼ି ଭିତରେ କ’ଣ ଡା. ଅକ୍ଷୟ ଶୋଇଯାଇଛନ୍ତି! କାଚ ଠକ୍ ଠକ୍ କରି ସେ ଡାକିଲେ- ‘ସାର୍ ସାର୍‌.. ।’ କିଛି ଉତର ନ ଆସିଲାରୁ ଘଟଣା ଠଉରାଇ ନେଲେ ଡା. ଦାସ । ସାଙ୍ଗେ ସାଙ୍ଗେ ସମସ୍ତଙ୍କୁ ଡାକ ପକାଇଲେ ଡା. ଦାସ । ଗାଡ଼ି କାଚ ଭାଙ୍ଗି ଡା. ଅକ୍ଷୟଙ୍କୁ ବାହାର କରାହେଲା ଓ ହସ୍‌ପିଟାଲ୍‌ରେ ଭର୍ତି କରାହେଲା । ଦୁଇ ତିନି ଦିନ ଲାଗିଲା ସୁସ୍ଥ ହେବାକୁ ।
ସେଇ ଘଟଣା ପରଠାରୁ ଡା. ଅକ୍ଷୟ ନିଜର ରେଷ୍ଟ ପ୍ରତି ଟିକେ ଧ୍ୟାନ ଦେଲେ ଏବଂ ଅଶ୍ୱନୀ ହସ୍‌ପିଟାଲ୍‌କୁ ଏଥର କେବଳ ଅନ୍‌କଲ୍‌ରେ ଗଲେ ।
ଧୀରେଧୀରେ ବିବେକାନନ୍ଦ ହସ୍ପିଟାଲରେ ପେସେଂଟ୍‌ଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା । ଲୋକଙ୍କ ଭିତରେ ପ୍ଲାଷ୍ଟିକ ଓ କସ୍ମେଟିକ୍ ସର୍ଜରୀ ପ୍ରତି ସଚେତନତା ବୃଦ୍ଧି ହେଲା । ଏହାରି ଭିତରେ ଆଉ କେତୋଟି କେସ୍‌ରେ ତାଙ୍କୁ ସଫଳତା ମିଳିଲା, ଯାହାକି ତାଙ୍କୁ ଜଣେ କସ୍‌ମେଟିକ୍ ସର୍ଜନ ଭାବରେ ପ୍ରସିଦ୍ଧି ମିଳିବାରେ ସାହାଯ୍ୟ କଲା ।
ଡା. ଅକ୍ଷୟ ତାଙ୍କ ଜୀବନରେ ଅନେକ ଘଟଣା ଦୁର୍ଘଟଣାକୁ ସାମ୍ନା କରିଛନ୍ତି, ସେଥିରୁ ଅନେକ ଅଭୁଲା ହୋଇ ରହିଛି ତାଙ୍କ ମାନସପଟରେ । ଡା. ଅକ୍ଷୟ କହନ୍ତି-‘ଏ ଜୀବନରେ ଅନେକ ଘଟଣା ରହିଛି, ଯାହାକୁ କେବେ ଭୁଲିପାରିବି ନାହିଁ । ସେସବୁ କହି ବସିଲେ ଗୋଟେ ଲମ୍ବା ଉପନ୍ୟାସ ହୋଇଯିବ । ତେବେ କିଛି ବର୍ଷ ତଳର ସେମିତି ଏକ ଘଟଣା ସମ୍ପର୍କରେ ଏଠି ଉଲ୍ଲେଖ କରିବି । ଥରେ ଦୁଇଜଣ ଯୁବକ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ବାଇକ୍‌ରେ ଆସୁଥାନ୍ତି । ବାଇକ୍ ଦ୍ରୁତ ଗତିରେ ଥାଏ । ହଠାତ୍ ରାସ୍ତା ଡିଭାଇଡର୍‌ରେ ପଛରେ ବସିଥିବା ଯୁବକଙ୍କ ଗୋଡ଼ ଲାଗିଗଲା । ବାଇକ୍ ଏତେ ସ୍ପିଡ୍‌ରେ ଥିଲା ଯେ, ତାଙ୍କର ପାଦଟି ଗୋଡ଼ର ବଳାଗଣ୍ଠିଠାରୁ ପୂରା ଛିଣ୍ଡିଗଲା । ତାଙ୍କର ମାମୁ ଜଣେ ଡାକ୍ତର । ସେ ମୋତେ ତତ୍‌୍‌କ୍ଷଣାତ୍ ଫୋନ୍ କରି ସବୁ ବିଷୟ ଜଣାଇଲେ । ରୋଗୀ ବିବେକାନନ୍ଦ ହସ୍ପିଟାଲରେ ପହଂଚିବା ବେଳକୁ ଆମର ଟିମ୍ ରେଡି ହୋଇ ଅପେକ୍ଷା କରିଥିଲୁ । ସାଙ୍ଗେ ସାଙ୍ଗେ ତାଙ୍କୁ ଓଟିକୁ ନେଇ ଅପରେସନ୍ ଆରମ୍ଭ ହେଲା । ଦୀର୍ଘ ଆଠ ଘଂଟା ଧରି ଅପରେସନ୍ ଚାଲିଲା ଓ ଅପରେସନ୍ ସଫଳ ହେଲା । ଉପଯୁକ୍ତ ସମୟ ଭିତରେ ତାଙ୍କର ଗୋଡ଼ଟା ଯୋଡି ଦେଇଥିବାରୁ କିଛି ଦିନ ପରେ ସେ ଧିରେ ଧିରେ ଠିକ୍ ହୋଇଗଲେ । ଚଲାବୁଲା, ଧାଁ ଦୌଡ କୌଣସିଥିରେ ତାଙ୍କର ସମସ୍ୟା ରହିଲାନାହିଁ ଏବଂ ସେ ଗୋଟିଏ ସ୍ୱାଭାବିକ ଜୀବନଯାପନ କରିପାରିଲେ । ଆଉ ଥରେ ଜଣେ ବ୍ୟକ୍ତି ଆସିଥାନ୍ତି ନଗଡ଼ାରୁ । ତାଙ୍କ ମୁହଁ ସାରା ବଡ଼ ବଡ଼ ଆବୁ ହୋଇଯାଇଥାଏ । ମାସେ ଖଣ୍ଡେ ଚିକିତ୍ସା କରିବା ପରେ ତାଙ୍କ ମୁହଁରୁ ଏସବୁ ଦୂର ହୋଇଗଲା । ଏବେ ସେ ବି ଭଲରେ ଅଛନ୍ତି । ଚିକିତ୍ସକ ଜୀବନରେ ଏସବୁ ଘଟଣା ଗୋଟିଏ ଗୋଟିଏ ଚ୍ୟାଲେଞ୍ଜ ଓ ତାହାକୁ ସଠିକ୍ ଭାବେ ସାମ୍ନା କରିବାରେ ହିଁ ଆମ ବୃତିର ସାର୍ଥକତା ବୋଲି ମୁଁ ବିଚାର କରେ ।’
୨୦୧୭ରେ ବିବେକାନନ୍ଦ ହସ୍ପିଟାଲ୍ ଛାଡି କଳିଙ୍ଗ ହସ୍‌ପିଟାଲ୍‌ର ପ୍ଲାଷ୍ଟିକ୍ ସର୍ଜରୀରେ ଜଏନ୍ କଲେ । ସେଠି ହଜାର ହଜାର ଗ୍ରହଣଖଣ୍ଡିଆ ଅପରେସନ୍ ମାଗଣାରେ କରୁଛନ୍ତି ।

ଓଡ଼ିଶା କସ୍‌ମେଟିକ୍ ସର୍ଜରୀ କ୍ଲିନିକ୍ ଓ ସୁଶ୍ରୁତ ହସ୍ପିଟାଲ୍‌
ଭୁବନେଶ୍ୱରରେ କାମର ଚାପ ବଢ଼ିବା ପରେ ଡା. ଅକ୍ଷୟଙ୍କୁ କଟକ ଯିବା ପାଇଁ ଆଉ ସମୟ ହେଲାନାହିଁ । ଫଳରେ ଅଶ୍ୱିନୀ ହସ୍ପିଟାଲ ଛାଡ଼ିଲେ । ୨୦୦୮ରେ ପ୍ରଥମେ ଭୁବନେଶ୍ୱର ବିଜେବି ନଗରର ବରଗଡ଼ ହାଟ ସାମ୍ନାରେ ଓଡ଼ିଶା କସ୍‌ମେଟିକ୍ ସର୍ଜରୀ ନାମରେ ଏକ କ୍ଲିନିକ୍ ଆରମ୍ଭ କଲେ । ଏହାର ଦୁଇ ବର୍ଷ ପରେ କ୍ଲିନିକ୍‌କୁ ଶିଶୁ ଭବନ ଛକକୁ ସ୍ଥାନାନ୍ତର କଲେ ।
ହେଲେ ଡା. ଅକ୍ଷୟଙ୍କ ଗୋଟିଏ ହସ୍‌ପିଟାଲ୍ ସ୍ଥାପନ କରିବାର ସ୍ୱପ୍ନଟେ ଥିଲା, ଯେଉଁ ହସ୍‌ପିଟାଲ୍‌ରେ ରୋଗୀମାନେ ସୁବିଧାରେ ଏବଂ ସୁଲଭ ମୂଲ୍ୟରେ ପ୍ଲାଷ୍ଟିକ୍ ଓ କସ୍ମେଟିକ୍ ସର୍ଜରୀର ସମସ୍ତ ପ୍ରକାରର ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ । ପ୍ରଭୂ ଜଗନ୍ନାଥଙ୍କ ଆର୍ଶିବାଦରୁ ୨୦୨୦ରେ ଭୁବନେଶ୍ୱରର ପୁରୁଣା ଏୟାର୍‌ପୋର୍ଟ ଛକ ନିକଟରେ ତାଙ୍କ ସ୍ୱପ୍ନର ହସ୍‌ପିଟାଲ୍ ‘ସୁଶ୍ରୁତ ହସ୍ପିଟାଲ୍‌’ ଆରମ୍ଭ ହୋଇଛି । ‘ସୁଶ୍ରୁତ ହସ୍ପିଟାଲ୍‌’ରେ ପ୍ଲାଷ୍ଟିକ୍ ଓ କସ୍ମେଟିକ୍ ସର୍ଜରୀର ପ୍ରାୟ ସମସ୍ତ ପ୍ରକାରର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ଅଛି ।

ଭବିଷ୍ୟତ ଲକ୍ଷ୍ୟ
ଡା. ଅକ୍ଷୟଙ୍କ ଅନେକ ଲକ୍ଷ୍ୟ, ଅନେକ ସ୍ୱପ୍ନ ରହିଛି । ତାଙ୍କର ଇଚ୍ଛା, ଏମିତି ହସ୍ପିଟାଲଟିଏ କରିବେ, ଯେଉଁଠି କିଡ୍‌ନି ରୋଗୀମାନଙ୍କର ଫ୍ରି ଡାଏଲିସିସ୍ ହେବ । ବିଭିନ୍ନ ସ୍ୱାସ୍ଥ୍ୟ ସେବା ଶିବିରରେ ଯୋଗଦେଇ ମାଗଣା ଚିକିତ୍ସା ଯୋଗାଇ ଦେବା, ସ୍ୱାସ୍ଥ୍ୟ ସଚେତନତାଧର୍ମୀ କାର୍ଯ୍ୟକ୍ରମରେ ସାମିଲ୍ ହେବା, ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା କାର୍ଯ୍ୟ ଏବେ ବି ଜାରି ରଖିଛନ୍ତି ଡା. ଅକ୍ଷୟ । ଆଗକୁ ଏହାକୁ ଆହୁରି ବ୍ୟାପକ କରିବା ତାଙ୍କର ଇଚ୍ଛା । ଡା. ଅକ୍ଷୟ କୁହନ୍ତି-‘ କେହି ବି ନିଜର ଅତୀତକୁ ଭୁଲିଯିବା ଉଚିତ ନୁହେଁ । ଅତୀତ ହେଉଛି ସେହି ପାହାଚ, ଯାହା ଉପରେ ପାଦରଖି ଆମେ ବର୍ତମାନରେ ପହଂଚିଛୁ । ଆଜିର ସମୃଦ୍ଧ ବର୍ତମାନ ଛିଡ଼ା ହୋଇଛି ସେହି ଶକ୍ତ-ଅତୀତ ନିଅଁ ଉପରେ । ମୋ ପିଲାଦିନଠୁ ଆରମ୍ଭ କରି ଡାକ୍ତର ହେବା ଯାଏଁ; ସାଙ୍ଗସାଥୀ, ସମ୍ପର୍କୀୟ, ଶୁଭେଚ୍ଛୁ ଆଦି ଅନେକଙ୍କର ସାହାଯ୍ୟ ସହଯୋଗ ରହିଛି । କହିବାକୁଗଲେ ଆଜି ଯେଉଁଠି ବି ପହଞ୍ôଚଛି, ତା’ ପଛରେ ଏମାନଙ୍କର ଏକ ବଡ଼ ଅବଦାନ ରହିଛି । ଏମାନଙ୍କର ନିସ୍ୱାର୍ଥପର ସାହାଯ୍ୟ ମିଳି ନଥିଲେ ହୁଏତ ଆଜି ମୁଁ ଜଣେ କସ୍‌ମେଟିକ୍ ସର୍ଜନ୍ ହୋଇପାରିନଥାନ୍ତି । ତେଣୁ ସମାଜ ପ୍ରତି, ଗରିବ ଲୋକ, ମେଧାବୀ ଛାତ୍ରଙ୍କ ପ୍ରତି ମୋର ଗୋଟାଏ ବଡ଼ କର୍ତବ୍ୟ ରହିଛି ବୋଲି ମୁଁ ମନେକରେ । ନିଷ୍ଠାପର ଭାବେ ସେହି ଦାୟିତ୍ୱ ତୁଲାଇବାକୁ ମୁଁ ପ୍ରତିଶ୍ରୁତିବଦ୍ଧ ନିଜ ପାଖରେ । ଅନେକ ସମୟରେ ରୋଗୀଟିଏ ମୋ ପାଖକୁ ଆସିବା ପୂର୍ବରୁ କେତେ କ’ଣ ଖର୍ଚ୍ଚ ହେବ ସେ ବାବଦରେ ମୋ ହସ୍ପିଟାଲର କତୃପକ୍ଷଙ୍କ ସହ କଥାବବର୍ତା କରେ । ତା’ପରେ ମୋତେ ପଚାରେ । ମୁଁ ଯେତିକି କହେ, ତାହା ସେମାନେ କହିଥିବା ପରିମାଣଠୁ ତିନି ଚାରି ହଜାର କମ୍ ଥାଏ । ସେମାନେ ମୋତେ ପଚାରନ୍ତି ସାର୍‌, ଆପଣ କାହିଁକି କମ୍ ଟଙ୍କା କହୁଛନ୍ତି? ମୋର ପତ୍ନୀ ଓ ବନ୍ଧୁମାନେ ମଧ୍ୟ ଅନେକଥର ମୋତେ ଏଇ ପ୍ରଶ୍ନ ପଚାରିଛନ୍ତି । ଉତରରେ ମୁଁ କେବଳ ହସିଦିଏ । ଅନେକ ସମୟରେ ମୋର ଅନ୍ତରାତ୍ମା କହେ, ହସ୍ପିଟାଲ୍ ଚଳିବା, ଷ୍ଟାଫ୍‌ଙ୍କ ଦରମା ଦେବା, ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଟଙ୍କା ଦରକାର । ମାତ୍ର ଟଙ୍କା ହିଁ ସବୁକିଛି ନୁହେଁ । ରୋଗୀଟିଏଠାରୁ ନେବାକୁ ଥିବା ଟଙ୍କାରୁ ସାମାନ୍ୟ କିଛି କମ୍ କରିଦେଲେ କ୍ଷତି କ’ଣ? ଏହି ‘ସାମାନ୍ୟ ପରିମାଣ’ ହୁଏତ ସେମାନଙ୍କ ବଡ଼ ହୋଇପାରେ । ସେମାନଙ୍କ ମୁହଁର ହସ, ହୃଦୟର ସନ୍ତୋଷ କ’ଣ କମ୍ ମୋ ପାଇଁ?’

 

ପରିବାର ଓ ଅବସର
ଡା. ଅକ୍ଷୟ କୁମାର ରାଉତଙ୍କ ପତ୍ନୀ ଚିଦାତ୍ମିକା ଖଟୁଆ ‘ଆଜିର ଖବର’ ନ୍ୟୁଜ୍ ଚ୍ୟାନେଲ୍ ସହ ସମ୍ପୃକ୍ତ ଅଛନ୍ତି । ସେ ଜଣେ ସମାଜସେବୀ ଭାବେ ବନ୍ଧୁ ମହଲ, ଆଖପାଖ ଅଞ୍ଚଳରେ ସେ ବେଶ୍ ଜଣାଶୁଣା । ଭୁବନେଶ୍ୱର ସ୍ଥିତ ସାଇ ଇଂଟର୍‌ନ୍ୟାସନାଲ୍ ବଡଝିଅ ଝଙ୍କୃତା ସ୍କୁଲ୍‌ରେ ଦଶମ ଶ୍ରେଣୀ ପଢ଼ୁଥିବାବେଳେ ସାନଝିଅ ହଂସିକା ପଢ଼ୁଛନ୍ତି ଚତୁର୍ଥ ଶ୍ରେଣୀରେ । ଅବସର ମିଳିଲେ ପରିବାର ସହ ସମୟ ବିତାଇବାକୁ ପସନ୍ଦ କରନ୍ତି ଡା. ଅକ୍ଷୟ । ଏହା ସହ ଗାଁକୁ ଯାଇ ନାନା ପ୍ରକାର ଜନହିତକର କାମରେ ଯୋଗଦାନ କରନ୍ତି । ସ୍ୱାସ୍ଥ୍ୟ ସଚେତନତା ପାଇଁ ନିବନ୍ଧ ଲେଖନ୍ତି । ତାଙ୍କର ଅନେକ ଲେଖା ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇ ବେଶ୍ ଆଦୃତିଲାଭ କରିଛି ।

ଡା. ଅକ୍ଷୟ କୁମାର ରାଉତଙ୍କ ଚଲାପଥ କୁସୁମିତ ହେଉ, ପ୍ରଭୂ ଜଗନ୍ନାଥଙ୍କ ପାଖରେ ଆମର ଏତିକି ପ୍ରର୍ଥନା ।