ଡା. ସୌରଭ କୁମାର ମିଶ୍ର
ଡିଏମ୍ (ମେଡ଼ିକାଲ୍ ଅଙ୍କଲୋଜି)
କର୍କଟ ରୋଗ ବିଶେଷଜ୍ଞ
ଭୁବନେଶ୍ୱର

(୧) କେମୋଥେରାପି କ’ଣ?
କ୍ୟାନସର୍ (କର୍କଟ) ଆକ୍ରାନ୍ତ କୋଷମାନଙ୍କ ବିନାଶ କରିବା ପାଇଁ ଯେଉଁ ଔଷଧ ପ୍ରୟୋଗ କରାଯାଏ ତାହାକୁ ‘କେମୋଥେରାପି’ କୁହାଯାଏ । ଏଗୁଡ଼ିକ ଇଞ୍ଜେକସନ୍ ଏବଂ ଟାବଲେଟ୍ ରୂପରେ ଉପଲବ୍ଧ ।

(୨) ସମସ୍ତ ପ୍ରକାର କ୍ୟାନସରରେ କେମୋଥେରାପିର ପ୍ରୟୋଗ ବାଧ୍ୟତାମୂଳକ ଅଟେ କି?
ପ୍ରାୟ ଅଧିକାଂଶ କ୍ୟାନସର ରୋଗୀ ସେମାନଙ୍କ କ୍ୟାନସର୍ ଚିକିତ୍ସାର ଅଂଶବିଶେଷ ଭାବେ କେମୋଥେରାପିର ଆବଶ୍ୟକତା ରହିଥାଏ । କିନ୍ତୁ ଯେଉଁ କ୍ଷେତ୍ରରେ କ୍ୟାନସର୍ ବହୁତ ଆଡ଼େ ମାଡ଼ିଯାଇଥିବ ବା ଆଡଭାନ୍ସଡ ଷ୍ଟେଜରେ ଥିବ, ସେ କ୍ଷେତ୍ରରେ ତ’ ନିଶ୍ଚିତ ଭାବେ କେମୋଥେରାପି ପ୍ରୟୋଗ କରାଯାଇଥାଏ । ପ୍ରକୃତରେ ଚତୁର୍ଥ ପର୍ଯ୍ୟାୟ (ଷ୍ଟେଜ୍ ୪)ର କ୍ୟାନସରରେ କେମୋଥେରାପି ହିଁ ଚିକିତ୍ସାର ପ୍ରାଥମିକ ସାଧନ । କିଛି କ୍ୟାନସରର ପ୍ରାରମ୍ଭିକ ଅବସ୍ଥା (ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ)ରେ କେମୋଥେରାପି ଆବଶ୍ୟକ ହୁଏ ନାହିଁ ।

(୩) କେମୋଥେରାପିର ଇତିହାସ କ’ଣ?
୧୯୪୦ ମସିହା ପର୍ଯ୍ୟନ୍ତ କ୍ୟାନସର୍ ଚିକିତ୍ସାର ମୂଳ ସାଧନ ଥିଲା ଶଲ୍ୟ ଚିକିତ୍ସା ଏବଂ ରେଡିଓ ଥେରାପି । ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦେଖାଯାଇଥିଲା ଯେ ମଷ୍ଟାର୍ଡ ଗ୍ୟାସ୍ ଦ୍ୱାରା ଅସ୍ଥି ମଜ୍ଜା ଅବରୋଧ ହୋଇ ରକ୍ତ କଣିକା କମିଯାଏ ଏବଂ ଏହା ଘାତକ ହୋଇଥାଏ । ପରବର୍ତ୍ତୀ ଅବସ୍ଥାରେ ଏହି ନିୟମ ରକ୍ତ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଲା । କିନ୍ତୁ ଯେତେବେଳେ ବୋଷ୍ଟନରେ କାର୍ଯ୍ୟରତ ଥିବା ଭାରତୀୟ ବୈଜ୍ଞାନିକ ଡକ୍ଟର ୟେଲ୍ଲାପ୍ରଗଦା ସୁବାରାଓ ‘ଆମିନୋ ପ୍ରୋଟିନ୍‌’ ଆବିଷ୍କାର କରିଥିଲେ, ସେତେବେଳେ ହିଁ କେମୋଥେରାପିର ପ୍ରକୃତ ପ୍ରଗତି ଆରମ୍ଭ ହୋଇଥିଲା । କ୍ୟାନସର୍ ଆକ୍ରାନ୍ତ କୋଷର ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ପୋଷକତତ୍ତ୍ୱ ଯଥା ଫଲିକ୍ ଏସିଡ୍ ଆଦିରୁ ବଞ୍ôଚତ କରି କ୍ୟାନସର୍ କୋଷକୁ ଏହି ଉପାଦାନ ମୂଳୋତ୍ପାଟନ କରିଦେଇଥାଏ । ଆଧୁନିକ କେମୋଥେରାପିର ଜନକ କୁହାଯାଉଥିବା ଡାକ୍ତର ସିଡନି ଫାର୍ବର ଏହି ଉପାଦାନକୁ ଶିଶୁମାନଙ୍କ ରକ୍ତକର୍କଟରେ ଉପଯୋଗ କରି ସଫଳତା ପାଇଥିଲେ ।
ପରବର୍ତ୍ତୀ ସମୟ କେମୋଥେରାପିର ଉଚ୍ଚତର ଗବେଷଣା ପାଇଁ ବହୁଳ ଅର୍ଥ ବିନିଯୋଗ କରାଯାଇଥିଲା । ୧୯୭୦ମସିହାରେ ବ୍ରେଷ୍ଟ କ୍ୟାନସରର ଚିକିତ୍ସା ପାଇଁ ବୋନାଡୋନ୍ନା କେମୋଥେରାପି ମିଶ୍ରଣ ବ୍ୟବହାର କରିଥିଲେ । ଡେଭିଟା ଲିମ୍ଫୋମା ରୋଗରେ ଏମଓପିପି ରେଜିମେନ୍ ଭାବେ ବ୍ୟବହୃତ କରିଥିଲେ ।

(୪) କ୍ୟାନସର୍ କେମୋଥେରାପି ପାଇଁ ସ୍ୱତନ୍ତ୍ର ବିଶେଷଜ୍ଞ ଥାଆନ୍ତି କି?
ହଁ ଥାଆନ୍ତି । ମେଡିସିନ୍‌ର ଏହି ବିଭାଗକୁ ‘ମେଡ଼ିକାଲ୍ ଅଙ୍କଲୋଜି’ କୁହାଯାଏ । ମେଡ଼ିସିନ୍ କିମ୍ବା ରେଡିଓଥେରାପିରେ ପୋଷ୍ଟ ଗ୍ରାଜୁଏସନ୍ ସରିବା ପରେ ଏହି ସୁପରସ୍ପେଶାଲିଷ୍ଟ କୋର୍ସ କରିବାକୁ ପଡ଼ିଥାଏ ଏବଂ ଏହି କୋର୍ସର ଅବଧି ତିନି ବର୍ଷ ।
ଏଥିରେ ସଲିଡ୍ କ୍ୟାନ୍‌ସର (ଯଥା- ପାକସ୍ଥଳୀ, ଫୁସ୍‌ଫୁସ୍ ଓ ସ୍ତନରେ ହେଉଥିବା କ୍ୟାନ୍‌ସର) ଏବଂ ବ୍ଲଡ୍ କ୍ୟାନ୍‌ସରରେ ଉପଯୋଗ ହେଉଥିବା କେମୋଥେରାପି ତଥା ବୋନ୍‌ମ୍ୟାରୋ ଟ୍ରାନ୍‌ସପ୍ଲାଣ୍ଟେସନ୍ (ଅସ୍ଥିମଜ୍ଜା ପ୍ରତିରୋପଣ) ବିଷୟରେ ଶିକ୍ଷା ଦିଆଯାଏ ।

(୫) ଲୋକମାନଙ୍କ ମଧ୍ୟରେ ଏକ ଧାରଣା ରହିଛି ଯେ, କେମୋଥେରାପି ଦ୍ୱାରା ରୋଗୀକୁ ସୁଫଳ ଅପେକ୍ଷା କ୍ଷତି ପହଂଚିଥାଏ, ଏହା ସତ୍ୟ କି?
ଆମକୁ ଏଠାରେ ମନେରଖିବାକୁ ହେବ ଯେ, ପ୍ରତ୍ୟେକ ଚିକିତ୍ସା ପଦ୍ଧତିର ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ରହିଥାଏ । କେମୋଥେରାପି ପଦ୍ଧତି ପାଇଁ ମଧ୍ୟ ଏହା ସତ୍ୟ ।
ଅନେକ କ୍ୟାନ୍‌ସର ଯଥା – ଲିମ୍ଫୋମା / ରକ୍ତ କର୍କଟ / ଜର୍ମ ସେଲ୍ ଟ୍ୟୁମର୍ ଆଦିରୁ କେମୋଥେରାପି ଦ୍ୱାରା ଆରୋଗ୍ୟ ମିଳିଥାଏ । ଅଧିକାଂଶ କ୍ୟାନ୍‌ସରରେ କେମୋଥେରାପି ହିଁ ରୋଗୀଙ୍କ ଜୀବନ ରକ୍ଷା କରିଥାଏ । ତେବେ କେମୋଥେରାପି ଔଷଧର ଉପଯୁକ୍ତ ବ୍ୟବହାର ରୋଗମୁକ୍ତ କରିଥାଏ ଏବଂ ଏହାର ବିଷାକ୍ତତାକୁ କମ୍ କରିଥାଏ ।

(୬) କେମୋଥେରାପି କେମିତି ଦିଆଯାଏ?
ବଟିକା ରୂପରେ ପାଟିରେ ଖାଇବାକୁ ଦିଆଯାଏ କିମ୍ବା ସାଲାଇନ୍ ସହ ମିଶାଇ ଇଣ୍ଟ୍ରାଭେନ୍‌ସ (ଶିରାରେ) ଇଞ୍ଜେକ୍‌ସନ ରୂପେ କେମୋଥେରାପିକୁ ଦିଆଯାଇଥାଏ । ହାଲୁକା ଜଳଖିଆ ଖାଇକରି ରୋଗୀଙ୍କୁ ଆସିବାକୁ କୁହାଯାଏ । ଇନ୍‌ଫ୍ୟୁଜନ୍‌ର ପ୍ରତିକ୍ରିୟା, ବାନ୍ତି ବାନ୍ତି ଲାଗିବା ଏବଂ ବାନ୍ତି ହେବା ଆଦିକୁ ରୋକିବା ପାଇଁ କେମୋଥେରାପି ପ୍ରୟୋଗ ପୂର୍ବରୁ ରୋଗୀଙ୍କୁ ପ୍ରିମେଡିକେସନ୍ ଦିଆଯାଇଥାଏ । କେମୋଥେରାପି ଯତ୍ନ ସହକାରେ ଶୀରା ମଧ୍ୟରେ ଦିଆଯାଇଥାଏ ଏବଂ ଶୀରା ବାହାରକୁ ଯେମିତି ନ ଯିବ, ସେଥିପାଇଁ ବିଶେଷ ଧ୍ୟାନ ରଖାଯାଏ । ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ଷ୍ଟାଫ୍‌ମାନଙ୍କ ଦ୍ୱାରା ହିଁ ଇଣ୍ଟ୍ରାଭେନ୍‌ସ କେମୋଥେରାପି ଦିଆଯାଇଥାଏ ।
କେମୋଥେରାପି ଦେବା ଦ୍ୱାରା ୱାର୍ଡରେ ରୋଗୀକୁ ପର୍ଯ୍ୟବେକ୍ଷଣ କରାଯାଏ । ଯଦି କିଛି ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ପାଏ, ସଙ୍ଗେ ସଙ୍ଗେ ଚିକିତ୍ସା କରାଯାଏ ।

(୭) କେମୋଥେରାପି ନେଇସାରିଥିବା ରୋଗୀ କେଉଁ ପ୍ରକାରର ପ୍ରତିଷେଧମୂଳକ ପଦକ୍ଷେପ ନେବା ଜରୁରୀ?
କେମୋଥେରାପି ପରେ ବାନ୍ତି ବାନ୍ତି ଲାଗିବା ଏବଂ ବାନ୍ତି ହେବା ଆଦି ଲକ୍ଷଣକୁ ପ୍ରତିହତ କରିବା ପାଇଁ ରୋଗୀଙ୍କୁ ଆଣ୍ଟାସିଡ୍ ଏବଂ ଆଣ୍ଟିଏମିଟିକ୍ ଔଷଧ ଦିଆଯାଇଥାଏ ।
ହାତ ହେଉଛି ସଂକ୍ରମଣର ମୁଖ୍ୟ ଉତ୍ସ । ତେଣୁ ରୋଗୀମାନଙ୍କୁ ସାବୁନରେ ଭଲ ଭାବେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଥାଏ । ଦୈନିକ ଦୁଇରୁ ତିନି ଲିଟର ପାଣିରେ ହାତ ଧୋଇବା ଉଚିତ । ଉଷୁମ ପାଣିରେ ପାଟି ଧୋଇବା ଉଚିତ । ଅତି ଅଳ୍ପ ଲୁଣ ଓ ମସଲା ମିଶିଥିବା ବ୍ଲାଣ୍ଡଫୁଡ୍ (କୋମଳ ଖାଦ୍ୟ) ଖାଇବା ଆବଶ୍ୟକ । ରନ୍ଧା ପରିବା ଓ କଅଁଳ ଭାତ ଖାଇବା ଉଚିତ । କଞ୍ଚା ପନିପରିବା ଓ ଫଳରେ ତିଆରି କରାଯାଇଥିବା ସାଲାଡ୍ ସେବନ କରନ୍ତୁ ନାହିଁ । ଯଦି ସାଲାଡ୍ ଖାଇବାକୁ ଇଚ୍ଛା ହେଉଥାଏ, ତେବେ ପନିପରିବାକୁ ଛୋଟ ଛୋଟ କରି କାଟି ଭଲ ଭାବେ ଧୁଅନ୍ତୁ । ଫଳର ଚୋପା ଛଡ଼େଇ ଖାଆନ୍ତୁ । ଅତ୍ୟଧିକ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ ଏବଂ ବେଶି ଗହଳି ଅଞ୍ଚଳ ବା ଭିଡ଼ ଥିବା ସ୍ଥାନକୁ ଯାଆନ୍ତୁ ନାହିଁ । ଯଦି ପୂର୍ବରୁ କୋଷ୍ଠକାଠିନ୍ୟ ଦୋଷ ଥାଏ, ତେବେ ବିରେଚକ (ଲାକ୍‌ଜେକ୍ଟିଭ୍‌) ଔଷଧ ରାତିରେ ଶୋଇଲାବେଳେ ଖାଆନ୍ତୁ ।
ଯେଉଁ ରୋଗୀମାନେ ଡାଇୟୁରେଟିକ୍ସ (ମୂତ୍ରଳ) ଏବଂ ଆଣ୍ଟି ହାଇପଟେନ୍ସିଭ୍ (ଉଚ୍ଚ ରକ୍ତଚାପ ନାଶକ) ଔଷଧ ସେବନ କରୁଥିବେ, ସେମାନେ ମେଡ଼ିକାଲ୍ ଅଙ୍କଲୋଜିଷ୍ଟଙ୍କୁ ପରାମର୍ଶ କରି ତାକୁ ସେବନ କରିପାରିବେ ।

(୮) କେମୋଥେରାପିର ସାଧାରଣ ପାଶ୍ୱର୍ ପ୍ରତିକ୍ରିୟା ସବୁ କ’ଣ?
କେମୋଥେରାପି ଚିକିତ୍ସା ପାଉଥିବା ଅଧିକାଂଶ ରୋଗୀ କେମୋଥେରାପି ଜନିତ ପାଶ୍ୱର୍ପ୍ରତିକ୍ରିୟା କିଛି ନା କିଛି ପରିମାଣରେ ଭୋଗିଥାନ୍ତି; କିନ୍ତୁ ଏହା ତାଙ୍କର ଦୈନନ୍ଦିନ ଦିନଚର୍ଯ୍ୟାରେ କିଛି ପ୍ରଭାବ ପକାଇ ନଥାଏ । ଏହି ରୋଗୀମାନେ ସାଧାରଣତଃ ତାଙ୍କର କେମୋଥେରାପିର ପୂରା ମାତ୍ର ନେଇଥାନ୍ତି ।
୫-୧୦ ପ୍ରତିଶତ ରୋଗୀଙ୍କଠାରେ ମଧ୍ୟମରୁ ଅତିଶୟ ପାଶ୍ୱର୍ପ୍ରତିକ୍ରିୟା ପରିଲକ୍ଷିତ ହୋଇଥାଏ ଏବଂ ଏମାନଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡ଼ିଥାଏ, ଅଧିକ ଯତ୍ନ ନେବାକୁ ପଡ଼ିଥାଏ, କେମୋଥେରାପିର ମାତ୍ରା ବଦଳେଇବାକୁ ପଡ଼ିଥାଏ କିମ୍ବା କେମୋଥେରାପିକୁ କିଛି ଦିନ ପାଇଁ ବିରତି ଦେବାକୁ ପଡ଼ିଥାଏ ।
ସାଧାରଣତଃ କେମୋଥେରାପିର ପାଶ୍ୱର୍ପ୍ରତିକ୍ରିୟା ଭାବେ ଇନ୍‌ଫ୍ୟୁଜନ୍ ରିଆକ୍‌ସନ, ବାନ୍ତି ବାନ୍ତି ଲାଗିବା ଓ ବାନ୍ତି ହେବା, ଚୁଟି ଝଡ଼ିଯିବା, ଥକ୍କା ଲାଗିବା, ତରଳ ଝାଡ଼ା ହେବା, କୋଷ୍ଠକାଠିନ୍ୟ ହେବା, କ୍ଷୁଧା ନ ଲାଗିବା, ପାଟି ଘାଆ, ଜ୍ୱର, ରକ୍ତସ୍ରାବ ତଥା ରକ୍ତକଣିକା କମିଯିବା ଆଦି ଦେଖାଯାଇଥାଏ ।

ଯଦି ରୋଗୀଙ୍କ ନିମ୍ନଲିଖିତ ଲକ୍ଷଣମାନ ପ୍ରକାଶ ପାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କାରଣ ଏଗୁଡ଼ିକ ‘ରେଡ୍ ଫ୍ଲାଗ୍ ସାଇନ୍‌’ ଅଟନ୍ତି ।
ଜ୍ୱର
ପାଟିଘାଆ
ମୁଣ୍ଡ ବୁଲାଇବା
ତରଳ ଝାଡ଼ା ହେବା
ବାନ୍ତି
ରକ୍ତ କଣିକା କମିଯିବା
ରକ୍ତସ୍ରାବ ।

କେମୋଥେରାପି ନେଉଥିବା ରୋଗୀ ଯଥେଷ୍ଟ ପରିମାଣରେ ପାଣି ପିଇବା ଉଚିତ ।
ମନେରଖନ୍ତୁ କେମୋଥେରାପି ଜନିତ ପାଶ୍ୱର୍ପ୍ରତିକ୍ରିୟାର ବିଳମ୍ବରେ ସୂଚନା ଏବଂ ବିଳମ୍ବରେ ଚିକିତ୍ସା ରୋଗୀ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଅଧିକାଂଶ ଟାର୍ଗେଟେଡ୍ ଥେରାପି ଓ ମନୋକ୍ଲୋନାଲ୍ ଆଣ୍ଟିବଡ଼ିର ପାଶ୍ୱର୍ପ୍ରତିକ୍ରିୟା କମ୍ ଥାଏ । ଫଳରେ ରୋଗୀମାନେ ଏହାକୁ ସହ୍ୟ କରିପାରନ୍ତି ।

(୯) ସାଧାରଣତଃ କେମୋଥେରାପି ଖର୍ଚ୍ଚବହୁଳ । ତେବେ ଏହାକୁ ସାଧାରଣ ରୋଗୀଙ୍କୁ ସୁଲଭ ମୂଲ୍ୟରେ ବା ଅଳ୍ପ ମୂଲ୍ୟରେ ଯୋଗାଇ ଦେବା ପାଇଁ କ’ଣ ପଦକ୍ଷେପ ନେବା ଆବଶ୍ୟକ?
ଆମ ରାଜ୍ୟ ତଥା ଦେଶରେ ଅନେକ ରୋଗୀ ଚିକିତ୍ସା ଅଧାରୁ କେମୋଥେରାପି ବନ୍ଦ କରିବାକୁ ବାଧ୍ୟ ହୋଇଥାନ୍ତି । କାରଣ ଏଗୁଡ଼ିକୁ କିଣିବା ପାଇଁ ବେଳେବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।
ଏହି ବିଷୟକୁ ତୁରନ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ସରକାରୀ ସହାୟତା – ସରକାରୀ ମେଡ଼ିକାଲ୍ କଲେଜମାନଙ୍କରେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ଅଧିକାଂଶ କେମୋଥେରାପି ଔଷଧ ମାଗଣାରେ ମିଳିଥାଏ । ତେବେ ଏହି ଯୋଜନାରେ ବେସରକାରୀ ହସ୍ପିଟାଲମାନଙ୍କୁ ମଧ୍ୟ ସାମିଲ କରାଗଲେ ଅଧିକରୁ ଅଧିକ ରୋଗୀ ଉପକୃତ ହୋଇପାରନ୍ତେ ।
ଇନ୍‌ସ୍ୟୁରାନ୍ସ – ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ), ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା (ଆର୍‌ଏସ୍‌ବିୱାଇ) ଆଦି ସରକାରୀ ଇନ୍‌ସ୍ୟୁରାନ୍ସ ତଥା ଓଡ଼ିଶା ଷ୍ଟେଟ ଟ୍ରିଟମେଣ୍ଟ ଫଣ୍ଡ (ଓଏସ୍‌ଟିଏଫ୍‌) ଭଳି ସରକାରୀ ଯୋଜନା ମାଧ୍ୟମରେ ଉପଭୋକ୍ତାମାନେ ମାଗଣା ଚିକିତ୍ସା ସେବା ପାଇ ପାରୁଛନ୍ତି ।
କିନ୍ତୁ ବେସରକାରୀ ଇନ୍‌ସ୍ୟୁରାନ୍ସ କମ୍ପାନୀ ଓ ଅନ୍ୟାନ୍ୟ କର୍ପୋରେଟ୍ ଇନ୍‌ସ୍ୟୁରାନ୍ସର ଭୂମିକା ଏ କ୍ଷେତ୍ରରେ ଖୁବ୍ କମ୍ । ଏହି କମ୍ପାନୀଗୁଡ଼ିକ ଯଦି ଅଧିକ ଲୋକାଭିମୁଖୀ ହୁଅନ୍ତି ତେବେ ସାଧାରଣ ଜନତା ନିଶ୍ଚିତ ଭାବରେ ଉପକୃତ ହେବେ ।
ଜେନେରିକ୍ ଔଷଧ – ଡାକ୍ତରମାନଙ୍କ ମଧ୍ୟରେ ଜେନେରିକ୍ ଔଷଧ ବ୍ୟବହାର ପାଇଁ ସଚେତନତା ତଥା ଉତ୍ସାହ ବୃଦ୍ଧି ହେବା ଆବଶ୍ୟକ । ହେଲେ ଏଥିପାଇଁ ଔଷଧର ଗୁଣବତ୍ତା ନିର୍ଦ୍ଧାରିତ ହେବା ନିହାତି ଜରୁରୀ ।
ରୋଗୀ ସହାୟତା ଯୋଜନା – ଔଷଧ ନିର୍ମାଣ କରୁଥିବା କମ୍ପାନୀମାନେ ରୋଗୀଙ୍କ ସହାୟତା ପାଇଁ ମାଗଣା ଔଷଧ ତଥା ଇନ୍‌ଭେଷ୍ଟିଗେସନ୍ କିଟ୍ ଯୋଗାଇ ଦିଅନ୍ତି ।
ଦାତବ୍ୟ ଅନୁଷ୍ଠାନ – ଓଡ଼ିଶାରେ ଅନେକ ଦାତବ୍ୟ ଅନୁଷ୍ଠାନ ଅଛନ୍ତି, ଯେଉଁମାନେ କ୍ୟାନ୍‌ସର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି ଯଥା – ଜଗତଜନନୀ ସେବା ଟ୍ରଷ୍ଟ, କ୍ୟାନ୍ କିଡ୍‌ସ, ଆଇସିଏସ୍ ଓ ଜୀବଦୟା ଆଦି ।

(୧୦) ଓଡ଼ିଶାରେ କ୍ୟାନ୍‌ସର କେମୋଥେରାପିର ସ୍ଥିତି କ’ଣ ରହିଛି?
ଏହା ଏକ ଖୁସିର ବିଷୟ ଯେ, କ୍ୟାନ୍‌ସର କେମୋଥେରାପିରେ ଆମ ରାଜ୍ୟ ଅନ୍ୟ ରାଜ୍ୟଠାରୁ କୌଣସି ଗୁଣରେ କମ୍ ନୁହେଁ । ସଠିକ୍ କ୍ୟାନ୍‌ସର କେମୋଥେରାପି ପାଇଁ ଆମ ରାଜ୍ୟରେ ମେଡ଼ିକାଲ୍ ଅଙ୍କଲୋଜିଷ୍ଟ ଅଛନ୍ତି । ଅତ୍ୟାଧୁନିକ ଔଷଧ ଏଠି ମଧ୍ୟ ମିଳୁଛି । ତଥାପି ଅନେକ ରୋଗୀ ରାଜ୍ୟ ବାହାରକୁ କେମୋଥେରାପି ପାଇଁ ଯାଉଛନ୍ତି, ଯଦ୍ୱାରା ସେମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ତେବେ ଭାରତର ଅନ୍ୟ ସ୍ଥାନ ଭଳି ଆମ ରାଜ୍ୟରେ ବି କେମୋଥେରାପି କୌଣସି ନୀତି ନିୟମରେ ପରିଚାଳିତ ନ ହୋଇ ପ୍ରଦାନ କରାଯାଉଛି । କେମୋଥେରାପି ଦେବା ବେଳେ ନିୟମ କାନୁନର ଦାୟରା ଭିତରେ ରହି ହିିଁ ଦେବା ନିହାତି ଆବଶ୍ୟକ । କେମୋଥେରାପିର ଅନୁଚିତ ଉପଯୋଗ ମାରାତ୍ମକ ହୋଇଥାଏ । ଯଦି ଏହା ଭୁଲ୍ ଭାବେ ଦିଆଯାଏ, ତେବେ ଏହା ଭଲ ପରିବର୍ତ୍ତେ ଅଧିକ କ୍ଷତି ପହଞ୍ଚାଇଥାଏ ।
ମନେକରନ୍ତୁ ଯଦି ସଠିକ୍ ସମୟରେ କ୍ୟାନ୍‌ସର ଜଣାପଡିଥାଏ, ତେବେ ଏହା ଚିକିତ୍ସାସାଧ୍ୟ ।

(୧୧) ଓଡ଼ିଶାରେ କ୍ୟାନ୍‌ସର କେମୋଥେରାପିର ଉନ୍ନତି କେମିତି ହୋଇପାରିବ?
ଓଡ଼ିଶାରେ କେମୋଥେରାପିର ଉନ୍ନତି ସାଧନ ପାଇଁ ଅନେକ କିଛି କରିବାକୁ ପଡ଼ିବ ।
ଜନସଚେତନତା – ମେଡ଼ିକାଲ ଅଙ୍କଲୋଜିଷ୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେମୋଥେରାପି ନେବା ପାଇଁ କ୍ୟାନ୍‌ସର ରୋଗୀଙ୍କୁ ବୁଝାଇବାକୁ ପଡ଼ିବ । ସେମାନଙ୍କୁ ସଚେତନ ହେବାକୁ ପଡ଼ିବ ଯେ ଓଡ଼ିଶାରେ ମଧ୍ୟ ସେମାନେ ଉତ୍ତମ ଚିକିତ୍ସା ପାଇ ଆରୋଗ୍ୟ ହୋଇପାରିବେ ଏବଂ ତାଙ୍କୁ ଚିକିତ୍ସା ପାଇଁ ବାହାରକୁ ଯିବାର କୌଣସି ଆବଶ୍ୟକତା ହିଁ ନାହିଁ ।
କେମୋଥେରାପି ପ୍ରଦାନର ଅଧିନିୟମ – ମେଡ଼ିକାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ଏମସିଆଇ)ର ମାର୍ଗଦର୍ଶିକା ଅନୁଯାୟୀ ଜଣେ ଯୋଗ୍ୟତାପ୍ରାପ୍ତ ମେଡ଼ିକାଲ୍ ଅଙ୍କଲୋଜିଷ୍ଟ ହିଁ କେମୋଥେରାପି ଦେବା ଉଚିତ ।
ସୁପରସ୍ପେଶାଲିଷ୍ଟ ଶିକ୍ଷା – ପ୍ରତ୍ୟେକ ମେଡ଼ିକାଲ କଲେଜରେ ମେଡ଼ିକାଲ ଅଙ୍କଲୋଜି ପାଠ୍ୟକ୍ରମ ଆରମ୍ଭ ହୋଇପାରିଲେ ଆମ ରାଜ୍ୟରେ କ୍ୟାନ୍‌ସର ରୋଗ ଚିକିତ୍ସାରେ ଆହୁରି ଉନ୍ନତି ଘଟିବ ତଥା ଓଡ଼ିଶାବାସୀ ଏହାର ସୁଫଳ ପାଇପାରିବେ ।