
ଡା. ପ୍ରଜ୍ଞା ପାରମିତା ମିଶ୍ର
ଦନ୍ତ ଚିକିତ୍ସକ
କଟକ
ସୁନ୍ଦର ହସଟେ କିଏ ବା ନ ଚାହେଁ! ବ୍ୟକ୍ତିତ୍ୱ ବୃଦ୍ଧିରେ ହସର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଏଇ ସୁନ୍ଦର ହସ ପାଇଁ ମୁଖ ଗହ୍ୱରର ଉପଯୁକ୍ତ ଯତ୍ନ ନେବା ଏକାନ୍ତ ଅପରିହାର୍ଯ୍ୟ । ମୁଖ ଗହ୍ୱରର ସଠିକ୍ ଯତ୍ନ ନ ନେଲେ ଏହା ଅନେକ ଦନ୍ତରୋଗ ଏବଂ ମାଢ଼ି ରୋଗର କାରଣ ହୋଇଥାଏ । ଏହା ସହ ଅସ୍ଥିକ୍ଷୟ, ବିଭିନ୍ନ ପ୍ରକାରର ସଂକ୍ରମଣ ଏବଂ ହୃଦରୋଗ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ । ମୁଖ ଗହ୍ୱରର ଉପଯୁକ୍ତ ସ୍ୱଚ୍ଛତା ତଥା ନିୟମିତ ପରୀକ୍ଷା ଦ୍ୱାରା ଏସବୁ ରୋଗର ଆଶଙ୍କାକୁ ପ୍ରତିହତ କରାଯାଇପାରେ ଏବଂ ମୁଖ ଗହ୍ୱରର ସୁସ୍ଥତା ବଜାୟ ରଖିହୁଏ । ତେଣୁ ନିଜ ଦାନ୍ତ, ମାଢ଼ି ଓ ପାଟିର ସଠିକ୍ ଯତ୍ନା ନେବା ଅତ୍ୟନ୍ତ ଆବଶ୍ୟକ; ଯା’ ଫଳରେ ପାଟି ଦୁର୍ଗନ୍ଧ, ଦାନ୍ତରେ ପୋକ ଲାଗିବା, ଦାନ୍ତ ସଢ଼ିବା, ବିଭିନ୍ନ ପ୍ରକାର ମାଢ଼ି ରୋଗ ଦୂର ହୋଇଥାଏ ।

ମୁଖ ଗହ୍ୱର ରୋଗର ଅନେକ କାରଣ ରହିଛି । ଯଥା –
ଆନୁବଂଶିକୀ ପ୍ରବୃତ୍ତି : ଶାରୀରିକ ବିକାଶ ବାଧାପ୍ରାପ୍ତ ହେବା, ମୁଖ ଗହ୍ୱରର ଉପଯୁକ୍ତ ଯତ୍ନ ନେବାରେ ଅବହେଳା କରିବା ଓ ଦୁର୍ଘଟଣାରେ ଆଘାତପ୍ରାପ୍ତ ହେବା । ମୁଖ ଗହ୍ୱରରେ ସାଧାରଣତଃ ଡେଣ୍ଟାଲ୍ କ୍ୟାରିସ୍, ଜିଞ୍ଜଭାଇଟିସ୍ ଓ ପେରିଓ ଡେଂଟାଇଟିସ୍ ଆଦି ରୋଗ ହୋଇଥାଏ ।
ଜନସାଧାରଣଙ୍କ ମଧ୍ୟରେ ମୁଖଗହ୍ୱରରେ ହେଉଥିବା ରୋଗଗୁଡ଼ିକ ବିଷୟରେ ତଥା ମୁଖ ଗହ୍ୱରର ସ୍ୱଚ୍ଛତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ବିଶ୍ୱ ମୁଖଗହ୍ୱର ଦିବସ ପାଳିତ ହେଉଛି ।

ଦନ୍ତ ରୋଗ ଓ ମାଢ଼ି ରୋଗ
ଏହି ରୋଗଗୁଡ଼ିକର ଚିକିତ୍ସା ସମ୍ପୂର୍ଣ୍ଣ ମାତ୍ରାରେ ସଠିକ୍ ନିରୁପଣ ଓ ସଠିକ୍ ନିଦାନ (କାରଣ) ଉପରେ ନିର୍ଭରଶୀଳ । ନିଦାନ ଓ ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ ।
ଦାନ୍ତ ଭଲ ଭାବେ ସଫା ନ କଲେ ମଇଳା ଲାଖି ରହେ, ଯେଉଁଠି ବୀଜାଣୁମାନେ ସଂକ୍ରମଣ ସୃଷ୍ଟି କରିଥାନ୍ତି । ଆମେମାନେ ଖାଉଥିବା ସୁଗାର (ଶର୍କରା ବା କୌଣସି ମିଠା ଜାତୀୟ ଦ୍ରବ୍ୟ) ଉପରେ ଏହି ବୀଜାଣୁ ବା ବ୍ୟାକ୍ଟେରିଆମାନେ ପୋଷଣ ପାଇଁ ପୂରାପୂରି ନିର୍ଭରଶୀଳ । ଏହି ବୀଜାଣୁମାନେ ଏସିଡ୍ ଉତ୍ପନ୍ନ କରିଥାନ୍ତି, ଯାହାକି ପରବର୍ତୀ ଅବସ୍ଥାରେ ଦନ୍ତକ୍ଷୟ ତଥା ଦାନ୍ତ ସଢ଼ିବା ଭଳି ସମସ୍ୟା ସୃଷ୍ଟି କରିଥାନ୍ତି ।

ଦନ୍ତ ରୋଗ ମୁଖ୍ୟତଃ ତିନି ଭାବରେ ବିଭକ୍ତ –
(କ) ଦନ୍ତଶୂଳ (ଦାନ୍ତରେ ପୀଡ଼ା ହେବା) – ଯଦି ପୀଡ଼ା ପଲ୍ପକୁ ଆକ୍ରାନ୍ତ କରିଥାଏ ତେବେ ରୁଟ୍ କେନାଲ୍ ଟ୍ରିଟମେଣ୍ଟ୍ (ଆର୍ସିଟି) କରାଯାଇଥାଏ । ଯଦି ଦାନ୍ତ ସଢ଼ି ଯାଇଥାଏ କିନ୍ତୁ ଅତ୍ୟଧିକ ପୀଡ଼ା ହେଉନଥାଏ ତେବେ କମ୍ପୋଜିଟ୍ ଫିଲିଙ୍ଗ୍ କରାଯାଇଥାଏ ।
(ଖ) ଜିଞ୍ଜିଭାଇଟିସ୍ (ମାଢ଼ି ବି ଆକ୍ରାନ୍ତ ହୋଇଥାଏ)- ଏହା ଉପଯୁକ୍ତ ମୁଖଗହ୍ୱର ଯତ୍ନ ଏବଂ ପ୍ରଫେସନାଲ୍ କେୟାର୍ (ଦନ୍ତ ଚିକିତ୍ସକଙ୍କ ଦ୍ୱାରା ଦାନ୍ତ ସଫା କରିବା ଭଳି ଚିକିତ୍ସା) ଦ୍ୱାରା ଭଲ ହୋଇଥାଏ । ଏହି ଜିଞ୍ଜିଭାଇଟିସର ଚିକିତ୍ସାରେ ଅବହେଳା କଲେ ଏହା ପେରିଓଡେଣ୍ଟାଲ୍ ଭଳି ଗୁରୁତର ରୋଗ ସୃଷ୍ଟି କରେ ତଥା ଦାନ୍ତ ଭାଙ୍ଗିଯାଏ ।
(ଗ) ଓରାଲ୍ କ୍ୟାନ୍ସର (ମୁଖଗହ୍ୱର କର୍କଟ)- ଏହା ମୁଖ ଓ ଗ୍ରୀବାର ନିର୍ଦ୍ଦିଷ୍ଟ ଭାବେ କୌଣସି ଏକ ଅଂଶ ଯଥା – ଗାଲ, ଓଠ, ମାଢ଼ି, ଜିଭ ଓ ସ୍ୱରପେଟିକାକୁ ଆକ୍ରାନ୍ତ କରିଥାଏ । ଦୀର୍ଘଦିନ ଧରି ଗଳା ବସିଯିବା, ନିରନ୍ତର ରକ୍ତକ୍ଷରଣ ହେବା, ବେକ ମୋଟା ଲାଗିବା ଓ ପାଟିରେ ନାଲି ବା ଧଳା ଚକଡ଼ା ଦେଖାଯିବା ଆଦି କର୍କଟ ରୋଗର ଲକ୍ଷଣ ହୋଇଥାଏ । ଧୂମପାନ, ମଦ୍ୟପାନ, ତମାଖୁ ସେବନ ଓ ହୁକ୍କା ପାନ କରୁଥିବା ବ୍ୟକ୍ତିଙ୍କୁ ମୁଖ ଗହ୍ୱର କର୍କଟ ହେବାର ଆଶଙ୍କା ବେଶି ଥାଏ । ସେଥିପାଇଁ ଏସବୁ ବଦଭ୍ୟାସରୁ ନିଜକୁ ଯେତେ ମୁକ୍ତ ରଖିହେବ ସେତେ ଭଲ ।

କିଣ୍ୱନ ଯୋଗ୍ୟ ଶ୍ୱେତସାର (ଫର୍ମେେଂଟବୁଲ୍ କାର୍ବୋହାଇଡ୍ରେଟ)ର କ୍ଷତିକାରକ ପ୍ରଭାବକୁ ପ୍ରତିହତ କରିବା ପାଇଁ କିଛି ଖାଦ୍ୟ ରହିଛି । ଚର୍ବିଜାତୀୟ ଖାଦ୍ୟ ଓ ପୋଷକତତ୍ତ୍ୱ ଥିବା ଖାଦ୍ୟ ଦାନ୍ତକୁ ଶର୍କରା ଠାରୁ ସୁରକ୍ଷା ପ୍ରଦାନ କରିଥାନ୍ତି । ଦୁଗ୍ଧଜାତୀୟ ଦ୍ରବ୍ୟ ଖାଇବା ଦ୍ୱାରା ଲାଳରେ କ୍ୟାଲସିୟମ୍ ଓ ଫସଫରସ୍ ବୃଦ୍ଧି ହୋଇ ଦାନ୍ତକୁ ଉପଯୁକ୍ତ ଖଣିଜତତ୍ତ୍ୱ ମିଳିଥାଏ ତଥା ଦାନ୍ତ ସଢ଼ିବାରୁ ରକ୍ଷା ମିଳିଥାଏ ।
ସୁଷମ ଖାଦ୍ୟ ଖାଇବା ଦ୍ୱାରା ପେରିଓଡେଣ୍ଟାଲ୍ ସଂକ୍ରମଣ ବିରୁଦ୍ଧରେ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଅନ୍ୟପକ୍ଷରେ ପୁଷ୍ଟିହୀନତାରେ ଏହି ସଂକ୍ରମଣ ଆହୁରି ବଢ଼ିଯାଏ । ଖାଦ୍ୟ ଓ ପାଣିରେ ଯଦି ଫ୍ଲୋରାଇଡ୍ ରହିଥାଏ, ତେବେ ଏହା ଦାନ୍ତକୁ ଉପକାରୀ ଖଣିଜ ତତ୍ତ୍ୱ ପ୍ରଦାନ କରିଥାଏ ।
ମୁଖଗହ୍ୱରର ଟିସୁ ତଥା ମୁଖଗହ୍ୱରର ଆକୃତିର ସୁରକ୍ଷା ପାଇଁ ତଥା ସଂକ୍ରମଣ ବିରୁଦ୍ଧରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସମସ୍ତ ପ୍ରକାରର ପୋଷକତତ୍ତ୍ୱ ଆବଶ୍ୟକ । କ୍ରଂଚି ଏବଂ ଫାଇବ୍ରସ୍ ଖାଦ୍ୟ ଲାଳ ସ୍ରାବ ବୃଦ୍ଧି କରେ ତଥା ଆଂଟିବ୍ୟାକ୍ଟେରିଆଲ୍ (ବୀଜାଣୁନାଶକ ଶକ୍ତି) ଗୁଣ ବଢ଼ିଥାଏ ।
ମୁଖ ଗହ୍ୱରର ସୁରକ୍ଷା ସକାଶେ ପ୍ରଚୁର ପାଣି ପିଇବା ଉଚିତ । କମଳା, ଲେମ୍ବୁ ଆଦି ଫଳ; ଯେଉଁଥିରେ ଭିଟାମିନ୍-ସି ବେଶି ପରିମାଣରେ ଥିବ, ତାକୁ ଖାଇବା ଆବଶ୍ୟକ । ଖାଦ୍ୟରେ ସବୁଜ ପନିପରିବା ଯେତେ ଅଧିକ ହେବ, ସେତେ ଭଲ ।

ଦାନ୍ତ ସଫା କରିବାର ଉପଯୁକ୍ତ ବିଧି ଆପଣାଇବାକୁ ପଡ଼ିବ । ତେଣୁ ବ୍ରସ୍ କଲାବେଳେ ସଠିକ୍ ଭାବରେ ତଥା ଯତ୍ନବାନ ହୋଇ କରିବା ଆବଶ୍ୟକ । ଦନ୍ତ ଚିକିତ୍ସକଙ୍କ ପରାମର୍ଶ କ୍ରମେ ସଠିକ୍ ଇଣ୍ଟରଡେଣ୍ଟାଲ୍ ଫ୍ଲସ୍ ବ୍ୟବହାର କରିବା ଉଚିତ ଏବଂ ଯାବତୀୟ ଟୁଥପିକ୍ ବ୍ୟବହାର କରିବା ଅନୁଚିତ । ଧୂମପାନ ଓ ମଦ୍ୟପାନ ଭଳି କୁଅଭ୍ୟାସ ସମ୍ପୂର୍ଣ୍ଣ ବର୍ଜନୀୟ ।
ଦନ୍ତ ଚିକିତ୍ସକଙ୍କ ପାଖରେ ନିୟମିତ ମୁଖଗହ୍ୱର ପରୀକ୍ଷା କରାନ୍ତୁ । ମୁଖଗହ୍ୱରର ଉପଯୁକ୍ତ ଯତ୍ନ ନେବା ଦ୍ୱାରା ମୁଖଗହ୍ୱର ରୋଗ ଅନେକାଂଶରେ ଦୂର ହୋଇପାରିବ ।
ମନେରଖନ୍ତୁ, ନିଜର ମୁଖଗହ୍ୱରର ଯତ୍ନ ନିଜ ହାତରେ । ଆପଣଙ୍କ ସଚେତନତା ହିଁ ଆପଣଙ୍କୁ ସୁସ୍ଥ ରଖିବ ।