
ସୁନୀତା ସାହୁ
ମୁଖ୍ୟ ଖାଦ୍ୟ ବିଶେଷଜ୍ଞ
ଆପୋଲୋ ହସ୍ପିଟାଲ୍
ଭୁବନେଶ୍ୱର
ମହିଳାମାନେ ଆଜିକାଲି ସବୁ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି । ନିଜର ବହୁମୂଖୀ ଭୂମିକା ସହ ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ମହିଳାମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ମହିଳମାନଙ୍କ ସ୍ୱାସ୍ଥ୍ୟକୁ ସୁନ୍ଦର ଏବଂ ସୁସ୍ଥ ରଖିବା ପାଇଁ କେତୋଟି ଖାଦ୍ୟ ଟିପ୍ସ ।

ସନ୍ତୁଳିତ ଆହାର ନିରୁପଣ କରନ୍ତୁ
ଦିନସାରା କାର୍ଯ୍ୟ କରିବା ପାଇଁ ଖାଦ୍ୟରେ ଶ୍ୱେତସାର ଯୁକ୍ତ ଖାଦ୍ୟ ଯଥା ଉଷୁନା ଚାଉଳ, ନାଲିଚୂଡ଼ା, ଗହମ, ଦଲିଆ, ଓଟ୍ସ, ବାଜରା ଇତ୍ୟାଦି ଉଚିତ ପରିମାଣରେ ନିଅନ୍ତୁ ।
ପ୍ରତି ମିଲ୍ ସହିତ ଡାଲି ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଖାଦ୍ୟ, ମାଛ, ଅଣ୍ଡା, ସୋୟାବିନ୍ ଇତ୍ୟାଦି ଖାଆନ୍ତୁ ।
ପ୍ରତିଦିନ ୫ ପ୍ରକାର ବିଭିନ୍ନ ରଙ୍ଗର ପନିପରିବା ଏବଂ ୩ଟି ଫଳ ଖାଆନ୍ତୁ ।
ଦିନରେ କିଛି ଲୋ ଫ୍ୟାଟ୍ କ୍ଷୀର କିମ୍ବା ଦହି ଛେନା ନିଅନ୍ତୁ ।
ତେଲ ଏବଂ ଘିଅର ପରିମାଣ ଖାଦ୍ୟରେ କମ୍ କରନ୍ତୁ । ଗଜାମୁଗ, ଆଲମଣ୍ଡ, ଅଖ୍ରୋଟ, ଫେସି ଦାନା (ଫ୍ଲାକସ୍ ସିଡ୍), ରାଶି, କିୱି ଫଳ, ପାଳଙ୍ଗ ଶାଗ, ରସୁଣ, ଅଁଳା ଭଳି ସୁପର ଫୁଡ୍କୁ ନିତିଦିନିଆ ଖାଦ୍ୟରେ ସାମିଲ କରନ୍ତୁ ।

ଆଇରନଯୁକ୍ତ ଖାଦ୍ୟ
ମାସିକ ଋତୁସ୍ରାବ ଯୋଗୁଁ ମହିଳାମାନଙ୍କର ଆଇରନର ମାତ୍ର କମିଯାଇଥାଏ । ଏମିତିକି ଉପଯୁକ୍ତ ପୋଷଣ ଅଭାବରୁ ମହିଳାମାନଙ୍କର ହିମୋଗ୍ଲୋବିନ୍ କମିଯାଇଥାଏ, ତେଣୁ ଖାଦ୍ୟରେ ଆଇରନଯୁକ୍ତ ଖାଦ୍ୟ ନେବା ଜରୁରୀ । ସମସ୍ତ ଆମିଷ ଖାଦ୍ୟ (ଯେପରିକି ମାଛ, ମାଂସ, କଲିଜା), ପାଳଙ୍ଗ ଶାଗ, ଅନ୍ୟାନ୍ୟ ଶାଗ, ଗଜାମୁଗ, ନାଲିଚୂଡ଼ା, ଗୁଡ଼, କଞ୍ଚା ଏବଂ ପାଚିଲା କଦଳୀ, ଡାଳିମ୍ବ, ଖଜୁରୀ, କିସମିସ୍, ଗାଜର, ଟମାଟୋ, କଖାରୁ ଇତ୍ୟାଦିରେ ଆଇରନ୍ ଭରପୂର ଥାଏ ।
ଆଇରନ୍ ସହ ଭିଟାମିନ୍ ସି ନେବା ଆବଶ୍ୟକ । ଭିଟାମିନ୍ ସି ଆଇରନ୍ ଉପଯୋଗ ହେବାରେ ସାହାଯ୍ୟ କରିଥାଏ । ଅଁଳା, କମଳା, ପିଜୁଳି, ମୌସମ୍ବୀ, ସେଓ, ବନ୍ଧାକୋବି, ଟମାଟୋ, ବ୍ରୋକଲି, ଲେମ୍ବୁ, ଷ୍ଟ୍ରବେରି ଇତ୍ୟାଦିରେ ମିଳିଥାଏ ।

ଫଲିକ୍ ଏସିଡ୍ଯୁକ୍ତ ଖାଦ୍ୟ
ମହିଳମ।।ନଙ୍କ କ୍ଷେତ୍ରରେ ଗର୍ଭଧାରଣ ସମୟ ବହୁତ ମୂଲ୍ୟବାନ ସମୟ । ଏହି ସମୟରେ ଖାଦ୍ୟପେୟରେ ଧ୍ୟାନ ରଖିବା ମଧ୍ୟ ନିତାନ୍ତ ଆବଶ୍ୟକ । ଫଲିକ୍ ଏସିଡଯୁକ୍ତ ଖାଦ୍ୟ ଗର୍ଭଧାରଣର କିଛି ସମୟ ପୂର୍ବରୁ ଏବଂ ପରେ ମଧ୍ୟ ଖାଇବା ଜରୁରୀ । ଫଲିକ୍ ଏସିଡ୍ ପାଇଁ ମିଳୁଥିବା ଔଷଧ ସହ ବିଭିନ୍ନ ପ୍ରକାର ଶାଗ, ମଟରଛୁଇଁ, କମଳା, ନାସପାତି, ମୌସମ୍ବୀ ଇତ୍ୟାଦି ଅଧିକ ନେବା ଜରୁରୀ ।
ଗର୍ଭଧାରଣ ସମୟରେ ମହିଳାମାନେ ପ୍ରୋଟିନଯୁକ୍ତ ଖାଦ୍ୟ ଅଧିକ ନେବା ଜରୁରୀ । ପ୍ରତି ମିଲ୍ ସହ କିଛି ମାତ୍ରାରେ ପ୍ରୋଟିନ୍ ଯେମିତି ରହୁଥିବ । କ୍ଷୀର, ଛେନା, ଅଣ୍ଡା, ଦହି, ମାଛ, ଚିକେନ୍, ଡାଲି, ମିଲମେକର୍ ଇତ୍ୟାଦିରେ ପ୍ରୋଟିନ ରହିଥାଏ ।

କ୍ୟାଲସିୟମଯୁକ୍ତ ଖାଦ୍ୟ
ଆଜିକାଲି ଅଷ୍ଟିଓପରୋସିସ୍ ଏକ ସାଧାରଣ ସମସ୍ୟା, ତା’ ସହ ଅନେକଙ୍କ ଠାରେ ଭିଟାମିନ୍-ଡି ର ମାତ୍ରା କମ୍ ଯୋଗୁଁ ନାନା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି ।
ଏସବୁ ସମସ୍ୟାର ନିରାକରଣ ପାଇଁ କ୍ୟାଲସିୟମଯୁକ୍ତ ଖାଦ୍ୟ ପ୍ରତିଦନ ଖାଇବା ଉଚିତ । ସର ବାହାରିଥିବା କ୍ଷୀର (ଲୋ ଫ୍ୟାଟ୍), ଦହି, ଛେନା, ମାଣ୍ଡିଆ, ଟୋଫୁ (ସୋୟା ପନିର୍), ଚୁନାମାଛ, ରାଜମା ଇତ୍ୟାଦି କ୍ୟାଲସିୟମରେ ଭରପୂର ।
ମେନୋପଜ୍ ସମୟରେ ଖାଦ୍ୟପେୟ
ଋତୁସ୍ରାବ ବନ୍ଦ ହେବା ସମୟ ମହିଳାମାନଙ୍କ ପାଇଁ ଏକ ମୂଖ୍ୟ ସମସ୍ୟା । ଏହି ସମୟରେ ଅନେକ ପ୍ରକାର ଶାରୀରିକ ଏବଂ ମାନସିକ ସମସ୍ୟା ମହିଳାମାନଙ୍କ ଠାରେ ଦେଖାଯାଇଥାଏ । ତେବେ ଏହି ସମୟରେ ମହିଳାମାନେ କମ୍ ଲୁଣଯୁକ୍ତ ଖାଦ୍ୟ କମ୍ ଖାଇବା ସହ, ଖାଦ୍ୟରେ ପ୍ରୋଟିନ୍ ଅଧିକ ନେବା ଜୁରୀ । ଆଲକାଲିନ୍ ଖାଦ୍ୟ ଯେପରିକି ପନିପରିବା, ଫଳ, ମଞ୍ଜିଯୁକ୍ତ ଖାଦ୍ୟ, ଆଲମଣ୍ଡ, ଅଖରୋଟ୍ ଏବଂ ଦହି ଏ ସମୟରେ ଉପକାରୀ ହୋଇଥାଏ ।

ଓଜନ ନିୟନ୍ତ୍ରଣ
ମେଦବହୁଳତା ମହିଳାମାନଙ୍କ ଅନେକ ରୋଗର ମୂଖ୍ୟ କାରଣ ଅଟେ । ଡାଇବେଟିସ୍ ଏବଂ ହୃଦରୋଗ ମଧ୍ୟ ଅଧିକ ଦେଖାଯାଉଛି । ତେବେ ଏସବୁ ପାଇଁ ଖାଦ୍ୟରେ ଚିନି, ମିଠା, ଗୁଡ଼, ତେଲଛଣା ଜିନିଷ, ଫାଷ୍ଟଫୁଡ୍, ମୃଦୁପାନୀୟ, ଛେଳିମାଂସ, ବର୍ଗର୍ ଇତ୍ୟାଦି ବର୍ଜନ କରିବା ଜରୁରୀ । ବାହାରେ ରେଷ୍ଟୁରାଣ୍ଟରେ ଖାଇବା ଛାଡ଼ିବା ସହ ନିୟମିତ ବ୍ୟାୟାମ, ଯୋଗ, ଚାଲିପାରିଲେ ମହିଳାମାନେ ସୁସ୍ଥ ଓ ସୁନ୍ଦର ରହିବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିପାରିବେ ।