
ଡା. ପ୍ରଦୀପ କୁମାର ଗିରି
ଏମ୍ ଡି (ପଲମୋନାରୀ ମେଡିସିନ୍)
କନସଲଟାଂଟ୍ (ଚେଷ୍ଟ୍ ଆଣ୍ଡ୍ ଟିବି)
କ୍ରିଟିକାଲ୍ କେୟାର୍ ଆଣ୍ଡ୍ ଇଂଟରଭେନସନାଲ୍ ପଲମନୋଲୋଜିଷ୍ଟ
କଟକ

‘ଇନଫ୍ଲୁଏଞ୍ଜା’ ଶବ୍ଦ ସହ ଆମେମାନେ ଊଣା ଅଧିକେ ସମସ୍ତେ ପରିଚିତ । ଅନେକ କ୍ଷେତ୍ରରେ ଏହାକୁ ‘ଫ୍ଲୁ’ ବୋଲି ମଧ୍ୟ କୁହାଯାଏ । ଏହା ହେଉଛି ଏକ ଗୁରୁତର ସଂକ୍ରମକ ରୋଗ ( ଜଣକଠୁ ଆଉ ଜଣକୁ ସହଜରେ ବ୍ୟାପୁଥିବା), ଯାହା ଭୂତାଣୁ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥାଏ । ଏହି ସଂକ୍ରମଣରେ ମୁଖ୍ୟତଃ ଶ୍ୱାସନଳୀ, ନାକ, ଗଳା ଓ ଫୁସଫୁସ୍ ଆଦି ପ୍ରଭାବିତ ହୋଇଥାଏ ।
ଯେକୌଣସି ବୟସରେ ଏହା ହୋଇପାରେ । ଅଳ୍ପରୁ ଆରମ୍ଭ ହୋଇ ଗୁରୁତର ଅବସ୍ଥା ମଧ୍ୟ ଦେଖାଯାଇଥାଏ । ହେଲେ ଏଥିରେ ଶିଶୁମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।

ଇନଫ୍ଲୁଏଞ୍ଜା ବିପଜ୍ଜନକ କି?
ନିଶ୍ଚିତ ଭାବରେ ଏହା ସାଧାରଣ ଥଣ୍ଡାଠାରୁ ଅଧିକ ବିପଜ୍ଜନକ ଏବଂ ଋତୁକାଳୀନ ଇନଫ୍ଲୁଏଞ୍ଜାରେ ଅଧିକ ଲୋକ ସଂକ୍ରମିତ ହୋଇଥାନ୍ତି । ଇନଫ୍ଲୁଏଞ୍ଜାର ଚିକିତ୍ସାରେ ଅବହେଳା କିମ୍ବା ବିଳମ୍ବ ହେଲେ ଅନେକଗୁଡ଼ିଏ କମ୍ପ୍ଲିକେସନ୍ ଯଥା – ନିମୋନିଆ (ଫୁସଫୁସ୍ ସଂକ୍ରମଣ), କାନର ସଂକ୍ରମଣ, ସାଇନସର ସଂକ୍ରମଣ, ଡିହାଇଡ୍ରେସନ୍ (ଶରୀରରେ ଜଳୀୟ ଅଂଶ କମିଯିବା) ଓ କନଜେଷ୍ଟିଭ୍ ହାର୍ଟ ଫେଲ୍ୟୁଅର୍, ଆଜମା, ଡାଇବେଟିସ୍ ଭଳି ଦୀର୍ଘଦିନିଆ ରୋଗ ଆହୁରି ବୃଦ୍ଧି ପାଇଥାଏ । ଏହିସବୁ ଅସୁବିଧା ଯୋଗୁଁ ହସ୍ପିଟାଲରେ ଭର୍ତି ହେବାକୁ ପଡ଼ିଥାଏ ଓ ବେଳେବେଳେ ମୃତ୍ୟୁ ମଧ୍ୟ ହୋଇଯାଇଥାଏ ।
ଇନଫ୍ଲୁଏଞ୍ଜା କେମିତି ବ୍ୟାପେ?
ଯେଉଁ ବ୍ୟକ୍ତିମାନେ ଫ୍ଲୁରେ ଆକ୍ରାନ୍ତ ହୋଇଥିବେ ସେମାନେ ଯଦି କାଶିବେ, ଛିଙ୍କିବେ ବା କଥା କହିବେ, ତେବେ ସେମାନଙ୍କ ଡ୍ରପଲେଟ୍ସ (ନାକରୁ ସ୍ରାବ, ଗଳା ଓ ଫୁସଫୁସର ସ୍ରାବ) ଦ୍ୱାରା ପାଖରେ ଥିବା ବ୍ୟକ୍ତିମାନେ ସଂକ୍ରମିତ ହୋଇଥାନ୍ତି ।

ଫ୍ଲୁର ଲକ୍ଷଣ ସବୁ କ’ଣ ରହିଛି?
ସାଧାରଣତଃ ଫ୍ଲୁର ଲକ୍ଷଣ ସବୁ ସାଧାରଣ ଥଣ୍ଡା ଭଳି ହୋଇଥିବାରୁ ରୋଗ ନିରୂପଣରେ ଏହା କିଛିଟା ଦ୍ୱନ୍ଦ୍ୱ ଉତ୍ପନ୍ନ କରିଥାଏ, ହେଲେ ଫ୍ଲୁର ଲକ୍ଷଣ ସବୁ ପ୍ରାୟତଃ ଗୁରୁତର ହୋଇଥାଏ । ଭୂତାଣୁ ସଂକ୍ରମଣର ଦୁଇ ଦିନ ପରେ ଜ୍ୱର, ମୁଣ୍ଡବ୍ୟଥା, ହାଲିଆ ଲାଗିବା ଓ ତଂଟି ବ୍ୟଥା ହେବା (ବା ତଂଟି ଫୁଲିଲା ପରି ଲାଗିବା) ଆଦି ଦେଖାଯାଏ । ଏହା ବ୍ୟତୀତ ଦେହ ଥଣ୍ଡା ଲାଗିବା, ମାଂସପେଶୀ ବ୍ୟଥା ହେବା, ମୁଣ୍ଡ ବୁଲାଇ ହେବା ଭଳି ଲାଗିବା, ଭୋକ ନ ଲାଗିବା, କାଶ, ନାକରୁ ପାଣି ବାହାରିବା ବା ସିଂଘାଣି ବାହାରିବା, ବାନ୍ତି ବାନ୍ତି ଲାଗିବା, ବାନ୍ତି ହୋଇଯିବା, ଝାଡ଼ା ହେବା, ଦୁର୍ବଳ ଲାଗିବା ଏବଂ କାନବ୍ୟଥା ଇତ୍ୟାଦି ମଧ୍ୟ ଦେଖାଯାଇଥାଏ ।
ଆପଣ ଓ ଆପଣଙ୍କ ପରିବାରବର୍ଗ କେମିତି ଇନଫ୍ଲୁଏଞ୍ଜାରୁ ରକ୍ଷା ପାଇପାରିବେ?
ଇନଫ୍ଲୁଏଞ୍ଜାରୁ ରକ୍ଷା ପାଇବାର ସର୍ବୋତମ ଉପାୟ ହେଉଛି ଇନଫ୍ଲୁଏଞ୍ଜା ଭ୍ୟାକ୍ସିନ୍ (ଟୀକା) । ୬ ମାସ ବୟସରୁ ଊର୍ଦ୍ଧ୍ୱ ସମସ୍ତେ ଏହି ଟୀକା ନେଇପାରିବେ । ଫ୍ଲୁରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ଥିବା ବ୍ୟକ୍ତି (ଛୋଟ ଶିଶୁ, ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳା)ଙ୍କ ପାଇଁ ତ ଏହି ଟୀକା ନେବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ତେଣୁ ଫ୍ଲୁରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଥରେ ଲେଖାଏଁ ଫ୍ଲୁ ଟୀକା ନେବା ଉଚିତ ।
ଫ୍ଲୁ ଭ୍ୟାକ୍ସିନ୍ ଦ୍ୱାରା ତିନୋଟି ଫ୍ଲୁ ଭୂତାଣୁରୁ ରକ୍ଷା ମିଳିଥାଏ । ଯଥା ଇନଫ୍ଲୁଏଞ୍ଜା-ଏ (ଏଚ୧ଏନ୧), ଇନଫ୍ଲୁଏଞ୍ଜା-ଏ (ଏଚ୩ଏନ୨) ଏବଂ ଇନଫ୍ଲୁଏଞ୍ଜା-ବି ଭୂତାଣୁ ।

ଇନଫ୍ଲୁଏଞ୍ଜା ଭ୍ୟାକ୍ସିନ୍ ନେବାର ସଠିକ୍ ସମୟ କ’ଣ?
ପ୍ରତ୍ୟେକ ବର୍ଷ ବର୍ଷାଋତୁ ଆରମ୍ଭ ହେବାର ଠିକ୍ ପୂର୍ବରୁ ଫ୍ଲୁ ଭ୍ୟାକ୍ସିନ୍ ନେଇଯିବା ଉଚିତ । ଫ୍ଲୁ ଭ୍ୟାକ୍ସିନ୍ ନେବାର ପ୍ରାୟ ୨ ସପ୍ତାହ ପରେ ହିଁ ଆମ ଶରୀରରେ ଫ୍ଲୁର ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ।
ଯଦି ଆପଣଙ୍କୁ ବିଦେଶ ଯାତ୍ରା କରିବାର ଥାଏ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ଫୁ୍ଲ ଭ୍ୟାକ୍ସିନ ନେଇଯାଆନ୍ତୁ; କାରଣ ଫ୍ଲୁ ଦେଖାଯିବାର ସମୟ ଅନ୍ୟ ଦେଶରେ ଭିନ୍ନ ହୋଇପାରେ । ତେଣୁ ବିଦେଶ ଯାତ୍ରା କରିବାର ଅନ୍ୟୁନ ୨ ସପ୍ତାହ ପୂର୍ବରୁ ଏହି ଭ୍ୟାକ୍ସିନ୍ ନେଇଯିବା ଆବଶ୍ୟକ ।
ଇନଫ୍ଲୁଏଞ୍ଜା ପ୍ରତିକାର ପାଇଁ କ’ଣ କରାଯାଇପାରିବ?
ସତ କହିବାକୁ ଗଲେ ଇନଫ୍ଲୁଏଞ୍ଜାର ପୂର୍ଣ୍ଣ ପ୍ରତିଷେଧକ ବ୍ୟବସ୍ଥା (୧୦୦% ପ୍ରତିକାର ବ୍ୟବସ୍ଥା) ଏଯାଏଁ ଉଦ୍ଭାବିତ ହୋଇନାହିଁ; ଏପରିକି ଟୀକାକରଣ ମଧ୍ୟ ନୁହେଁ । ହେଲେ ବି ନିମ୍ନ ପ୍ରଦତ ପଦକ୍ଷେପ ଦ୍ୱାରା ଫ୍ଲୁକୁ ନିଶ୍ଚିତ ଭାବରେ ଅନେକାଂଶରେ ଦୂର କରାଯାଇପାରିବ ।
– ଫ୍ଲୁରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କଠାରୁ ଯଥାସମ୍ଭବ ନିଜକୁ ଦୂରେଇ ରଖିବା କିମ୍ବା ଅତି ନିକଟ ସଂସ୍ପର୍ଶରୁ ଦୂରେଇ ରହିବା ।
– ଯେତେବେଳେ ଆପଣ ଅସୁସ୍ଥ ଅଛନ୍ତି, ସେତେବେଳେ ଅନ୍ୟମାନଙ୍କ ସହ ଯେତେ ସମ୍ଭବ ସେତେ କମ୍ ମିଶନ୍ତୁ ।
– ଯେଉଁ ପୃଷ୍ଠତଳ (ବା ସରଫେସ୍) ବା ବସ୍ତୁ ଫ୍ଲୁ ଭୂତାଣୁ ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଛି, ସେସବୁକୁ ଭଲ ଭାବେ ସଫା ତଥା ବିଶୋଧିତ କରିବା ଉଚିତ ।
– କାଶିବା ଓ ଛିଙ୍କିବା ସମୟରେ ନାକ ଓ ପାଟିକୁ ଢାଙ୍କିବା ପାଇଁ ଟିସୁ ପେପର୍ ବ୍ୟବହାର କରନ୍ତୁ ଏବଂ ବ୍ୟବହାର କରିସାରିବା ପରେ ତାକୁ ଡଷ୍ଟବିନ୍ରେ ହିଁ ପକାନ୍ତୁ ।
– ଯଦି ଟିସୁ ପେପର୍ ଉପଲବ୍ଧ ନାହିଁ, ତେବେ କାଶିବା ଓ ଛିଙ୍କିବା ସମୟରେ ପାଟି ଓ ନାକକୁ ଢାଙ୍କିବା ପାଇଁ ଉପର ବାହୁ ବ୍ୟବହାର କରନ୍ତୁ ଏବଂ କେବେ ବି ହାତ ପାପୁଲିକୁ ବ୍ୟବହାର କରନ୍ତୁ ନାହିଁ ।
– ଖାଇବା ପୂର୍ବରୁ, କାଶିବା ପରେ, ଛିଙ୍କିବା ପରେ, ପାଇଖାନା ବ୍ୟବହାର ପରେ, ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ତଥା ଶିଶୁକୁ ଖୁଆଇବା ପୂର୍ବରୁ ହାତକୁ ସାବୁନ ଓ ପାଣିରେ ଭଲ ଭାବେ ସଫା କରିବା ଆବଶ୍ୟକ । ଯଦି ସାବୁନ ଓ ପାଣିର ସୁବିଧା ନାହିଁ, ତେବେ ‘ଆଲକହଲ-ବେସଡ୍ ହ୍ୟାଣ୍ଡ୍ ସାନିଟାଇଜର୍’ ବ୍ୟବହାର କରିପାରିବେ ।
ଯଦି ଫ୍ଲୁ ଭ୍ୟାକ୍ସିନ୍ ନେଲା ପରେ ମଧ୍ୟ ଫ୍ଲୁ ହୁଏ, ତେବେ କ’ଣ କରିବେ?
ଅନେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲା ପରେ ମଧ୍ୟ ବେଳେବେଳେ ଫ୍ଲୁ ହୋଇଯାଇଥାଏ । ଯଦି ଫ୍ଲୁ ହେବାର କୌଣସି ଲକ୍ଷଣ ଦେଖାଦେଉଛି, ତେବେ ଆଉ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଜ୍ୱର ନାଶକ ଓ ଭୂତାଣୁ ନାଶକ ଔଷଧ ବ୍ୟବହୃତ ହୁଏ । ଫ୍ଲୁ ହୋଇଗଲା ପରେ ଅଧିକରୁ ଅଧିକ ସମୟ ବିଶ୍ରାମ ନିଅନ୍ତୁ । ଜ୍ୱର ଛାଡ଼ିଗଲା ପରେ ମଧ୍ୟ ଅତିକମ୍ରେ ୨୪ ଘଂଟା ଯାଏଁ ଘରୁ କୁଆଡ଼େ ମଧ୍ୟ ବାହାରନ୍ତୁ ନାହିଁ ଓ ଘରେ ହିଁ ରୁହନ୍ତୁ । ଜ୍ୱର ନାଶକ ଔଷଧ ସେବନ କରନ୍ତୁ ବା ନ କରନ୍ତୁ ଜ୍ୱର ଆପେଆପେ କମିଯିବା ଉଚିତ; ଯଦି ଜ୍ୱର ନ କମେ ତେବେ ଡାକ୍ତରଙ୍କ ପରାର୍ଶ ଅନୁଯାୟୀ ପରବର୍ତୀ ପଦକ୍ଷେପ ଗ୍ରହଣ କରିବା ଉଚିତ ।