ଡା. ଶୁଭ୍ରାଂଶୁ ଶେଖର ଜେନା
(ଡିଏମ୍‌, ଡିଏନ୍‌ବି) ନ୍ୟୁରୋଲୋଜି
ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ
କେୟାର୍ ହସ୍ପିଟାଲ, ଭୁବନେଶ୍ୱର

ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ବ୍ରେନ୍ ବା ମସ୍ତିଷ୍କ । ଏହା ନିରବଚ୍ଛିନ୍ନ ଭାବେ କାମ କରିବା ଫଳରେ, ଆମେ ସମସ୍ତ କାମ କରିପାରୁ । ଏହା ଶରୀରର ଅନ୍ୟ ସବୁ ଅଙ୍ଗକୁ ନିୟନ୍ତ୍ରଣ ମଧ୍ୟ କରିଥାଏ । ବ୍ରେନ୍‌କୁ ଆମ ଶରୀରର କଂଟ୍ରୋଲ୍ ରୁମ୍ ବୋଲି କୁହାଯାଏ । ବ୍ରେନ୍ ନ୍ୟୁରନ କୋଷିକା ମାଧ୍ୟମରେ ତିଆରି ହୋଇଥାଏ । ଏହି କୋଷିକାଗୁଡ଼ିକ ଅହରହ ଅମ୍ଳଜାନ, ଗ୍ଲୁକୋଜ୍ ବା ଅନ୍ୟାନ୍ୟ ସାର ପଦାର୍ଥ ଉପରେ ନିର୍ଭର କରିଥାଆନ୍ତି । ମାତ୍ର ଯେତେବେଳେ ବ୍ରେନକୁ ନିଜ କାମ କରିବା ଭିତରେ ଅର୍ଟି ବା ଧମନୀରେ ଆବଶ୍ୟକ ହେଉଥିବା ରକ୍ତ ଓ ଅମ୍ଳଜାନ ମିଳେ ନାହିଁ, ତାହାକୁ ବ୍ରେନ୍ ଷ୍ଟ୍ରୋକ୍ କୁହାଯାଏ । ବ୍ରେନ୍ ଭିତରେ ରକ୍ତ ପ୍ରବାହ ଠିକ୍ ଭାବରେ ନ ହେଲେ ମିନିଟକୁ ୨ ଲକ୍ଷରୁ ଅଧିକ କୋଷ ବ୍ରେନ୍ ଭିତରେ ମରିବାକୁ ଲାଗେ, ଯାହା ଫଳରେ ରୋଗୀର ଜୀବନ ପ୍ରତି ମଧ୍ୟ ବିପଦ ଥାଏ ।


ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଆମ ଦେଶରେ ମୃତ୍ୟୁର ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବ୍ରେନଷ୍ଟ୍ରୋକ୍ । ଆମ ଦେଶର ରାଜ୍ୟମାନଙ୍କ ମଧ୍ୟରେ ପଶ୍ଚିମ ବଙ୍ଗଳା ପରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକ ଷ୍ଟ୍ରୋକଦ୍ୱାରା ଆକ୍ରାନ୍ତ ହୁଅନ୍ତି । ୧୫ ମିଲିୟନ୍ ଲୋକ ପୃଥିବୀରେ ପ୍ରତି ବର୍ଷ ଷ୍ଟ୍ରୋକର ଶିକାର ହୁଅନ୍ତି । ସେଥିରୁ ୬ ମିଲିୟନ୍ ରୋଗୀ ମୃତ୍ୟୁମୁଖରେ ପଡ଼ନ୍ତି ଏବଂ ୫ ମିଲିୟନ୍ ରୋଗୀ ଜୀବନସାରା ଅକର୍ମଣ୍ୟ ହୋଇଯାଆନ୍ତି । ପ୍ରତି ୬ ସେକେଣ୍ଡରେ ପୃଥିବୀରେ ଜଣେ ଲୋକ ଷ୍ଟ୍ରୋକ୍ ଦ୍ୱାରା ଆକ୍ରାନ୍ତ ହୁଅନ୍ତି ।
ବ୍ରେନରେ ହେଉଥିବା ଅନ୍ୟାନ୍ୟ ରୋଗ ଅପେକ୍ଷା ବ୍ରେନ୍ ଷ୍ଟ୍ରୋକ୍ ଏକ ସାଧାରଣ ସମସ୍ୟା, ଯାହାକି କେତେବେଳେ ବି ହୋଇପାରେ । ତୁରନ୍ତ ଏହାର ଚିକିତ୍ସା କରାନଗଲେ ରୋଗୀ ପାରାଲିସିସ୍ ବା ପକ୍ଷାଘାତର ଶିକାର ମଧ୍ୟ ହୋଇପାରନ୍ତି ।


ଚିକିତ୍ସା ବିଜ୍ଞାନରେ ବ୍ରେନଷ୍ଟ୍ରୋକକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଲା ଇସକେମିକ୍ ଷ୍ଟ୍ରୋକ୍ ଆଉ ଅନ୍ୟଟି ହେଲା ହେମୋରେଜିକ୍ ଷ୍ଟ୍ରୋକ୍ । ବ୍ରେନକୁ ରକ୍ତ ପ୍ରବାହ ବନ୍ଦ ହୋଇଗଲେ, ତାହାକୁ ଇସକେମିକ୍ ଷ୍ଟ୍ରୋକ୍ କୁହାଯାଏ ଏବଂ ବ୍ରେନ୍ ଭିତରେ ଥିବା ଧମନୀଗୁଡ଼ିକ ଫାଟିଯାଇ ରକ୍ତ ଜମିବା ଫଳରେ ହେଉଥିବା ଷ୍ଟ୍ରୋକକୁ ହେମୋରେଜିକ୍ ଷ୍ଟ୍ରୋକ୍ କୁହାଯାଏ ।

କେଉଁମାନଙ୍କୁ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥାଏ ?
ଆଜିକାଲିର ସହରୀ ଜୀବନଶୈଳୀରେ ଆମ ଭିତରୁ କାହାକୁ ବି କେତେବେଳେ ବି ହୋଇପାରେ ବ୍ରେନଷ୍ଟ୍ରୋକ୍ । ତେବେ ଯେଉଁମାନଙ୍କର ଡାଇବେଟିସ୍‌, ଉଚ୍ଚରକ୍ତଚାପ, ରକ୍ତରେ କୋଲେଷ୍ଟୋରେଲ୍ ସମସ୍ୟା ଅଛି ଏବଂ ତାହାକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ଔଷଧ ଖାଆନ୍ତି ନାହିଁ, ସେମାନଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥାଏ । ଏହା ବୟସ୍କ ବ୍ୟକ୍ତି, ଅତ୍ୟଧିକ ମୋଟା ବ୍ୟକ୍ତି, ନିୟମିତ ଧୂମପାନ କିମ୍ବା ମଦ୍ୟପାନ କରିଲେ, ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏବଂ ଆଦୌ ଶାରୀରିକ ପରିଶ୍ରମ ନ କଲେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥାଏ । ଏହାଛଡ଼ା ପରିବାରରେ କାହାକୁ ଏ ସମସ୍ୟା ଥିଲେ, ଜନ୍ମଗତ ତ୍ରୁଟି, ବ୍ରେନ୍ ଭିତରେ ଥିବା ସ୍ନାୟୁଗୁଡ଼ିକର କୌଣସି ଅସୁବିଧା ଥିଲେ, ବ୍ରେନ୍ ଭିତରେ କୌଣସି ସଂକ୍ରମଣ ଥିଲେ ମଧ୍ୟ ବ୍ରେନ୍ ଷ୍ଟ୍ରୋକ୍ ହୋଇପାରେ ।


ବ୍ରେନ୍‌ଷ୍ଟ୍ରୋକ୍‌ର ଲକ୍ଷଣ:
ବିଶ୍ୱ ଷ୍ଟ୍ରୋକ୍ ଅର୍ଗାନାଇଜେସନ୍ ଷ୍ଟ୍ରୋକ୍‌ର ଲକ୍ଷଣକୁ ସହଜରେ ମନେରଖିବା ପାଇଁ ଦେଇଛନ୍ତି – ‘ଫାଷ୍ଟ’ ।
ଏଫ୍ (ଫେସ୍ )- ମୁହଁଟି ବଙ୍କା ହୋଇଗଲେ ବା ବଧିରା ହୋଇଗଲେ
ଏ (ଆର୍ମ) – ହାତ ଦୁର୍ବଳ ବା ବଧିରା ହେଲେ
ଏସ୍ (ସ୍ପିଚ୍‌) – କହିବାବେଳେ ଖନି ମାରିଲେ ବା କଥା ଅସ୍ପଷ୍ଟ ହେଲେ
ଟି (ଟାଇମ୍‌) – ଶୀଘ୍ର ଡାକ୍ତରଙ୍କର ପରାମର୍ଶ କରନ୍ତୁ ।
ଅନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡବ୍ୟଥା ହେଲେ, ହଠାତ୍ ମୁଣ୍ଡ ବୁଲେଇ ହେଲେ, ଆଖି ଆଗରେ ଅନ୍ଧାର, ଧୀରେଧୀରେ ସ୍ମରଣଶକ୍ତି କମିଗଲେ ବା ବାତ ମାରିଲେ ଷ୍ଟ୍ରୋକର ଲକ୍ଷଣ ହୋଇପାରେ । ବ୍ରେନଷ୍ଟ୍ରୋକ୍ ହେଲେ ଆଦୌ ସମୟ ନଷ୍ଟ ନ କରି, ତୁରନ୍ତ ଡାକ୍ତରଙ୍କର ପରାମର୍ଶରେ ସିଟିସ୍କାନ୍ ଏବଂ ଆବଶ୍ୟକ ହେଲେ ଏମଆରଆଇ ସ୍କାନ୍ କରିବାକୁ ପଡ଼ିଥାଏ । ଏହାଦ୍ୱାରା ବ୍ରେନ୍ ଭିତରେ କେଉଁ ସ୍ଥାନରେ ସମସ୍ୟା ହୋଇଛି ଏବଂ ଏହା କେଉଁ ପ୍ରକାରର ଷ୍ଟ୍ରୋକ୍ ତାହା ଜଣା ପଡ଼ିଥାଏ । ଏହା ବ୍ୟତୀତ ଚିକିତ୍ସା ଆରମ୍ଭ କରିବା ପାଇଁ କିଛି ରକ୍ତ ପରୀକ୍ଷା କରିବା ସହିତ କିଡନି ଓ ଲିଭର୍ ପରୀକ୍ଷା, ରକ୍ତ ଶର୍କରା, ଲିପିଡ୍ ପ୍ରୋଫାଇଲ୍‌, ହାର୍ଟର ପରୀକ୍ଷା ଇତ୍ୟାଦି କରିବାକୁ ପଡ଼ିଥାଏ ।

 

ଚିକିତ୍ସା ପଦ୍ଧତି
ବ୍ରେନ୍ ଷ୍ଟ୍ରୋକ୍ ହେବାର ପ୍ରଥମ ୪/୫ ଘଂଟା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ସଠିକ୍ ଚିକିତ୍ସା ଆରମ୍ଭ କଲେ ସଫଳତା ମିଳିଥାଏ । ଏହି ସମୟ ମଧ୍ୟରେ ଇସ୍‌କେମିକ୍ ଷ୍ଟ୍ରୋକ୍ ପାଇଁ ସାଧାରଣତଃ ଥ୍ରମ୍ବୋଲାୟସିସ୍ ସାହାଯ୍ୟରେ ଚିକିତ୍ସା ଆରମ୍ଭ କରାଯାଇଥାଏ । ଏହି ଚିକିତ୍ସା ପଦ୍ଧତିରେ ବ୍ରେନ୍ ଭିତରେ ରକ୍ତ ପ୍ରବାହରେ କୌଣସି ବାଧା ସୃଷ୍ଟି ହୋଇଥିଲେ, ଇଞ୍ଜେକସନ୍ ସାହାଯ୍ୟରେ ବ୍ଲକେଜକୁ ପରିଷ୍କାର କରାଯାଇଥାଏ । ଠିକ୍ ସେହିପରି ବ୍ରେନ୍ ଭିତରେ ହେମୋରେଜିକ୍ ଷ୍ଟ୍ରୋକ୍ ହୋଇଥିଲେ ସ୍ନାୟୁ ଶଲ୍ୟ ବିଭାଗର ପରାମର୍ଶ ଆବଶ୍ୟକ ହୋଇଥାଏ । ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ପ୍ରତି ସେକେଣ୍ଡ ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆଦୌ ସମୟ ନଷ୍ଟ ନ କରି, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ଆରମ୍ଭ କରନ୍ତୁ । ବ୍ରେନ୍ ଷ୍ଟ୍ରୋକ୍ ଭଳି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଏକ ପାଖ କିମ୍ବା ଦୁଇ ପାଖରେ ହାତ, ଗୋଡ଼ର ବଳ କମିଯାଇଥାଏ । ସେଇଥିପାଇଁ ଏହି ରୋଗୀମାନଙ୍କର ନିୟମିତ ଫିଜିଓଥେରାପୀ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି । ପରିବାରର ଲୋକମାନେ ଫିଜିଓଥେରାପୀ ବ୍ୟାୟାମକୁ ଶିଖି, ନିୟମିତ ରୋଗୀଙ୍କଠାରେ କରିବା ଫଳରେ ଅନେକ ସୁଫଳ ମିଳିଥାଏ ।

ପ୍ରତିକାର
୧. ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଓ କୋଲେଷ୍ଟୋରେଲର ନିୟମିତ ପରୀକ୍ଷା କରନ୍ତୁ ଓ ନିୟମିତ ଔଷଧ ସେବନ କରି ନିୟନ୍ତ୍ରଣରେ ରଖନ୍ତୁ ।
୨. ଡାକ୍ତରଙ୍କର ପରାମର୍ଶରେ ଔଷଧକୁ ନିୟମିତ ସେବନ କରନ୍ତୁ ।
୩. ନିୟମିତ ବ୍ୟାୟାମ କରନ୍ତୁ ।
୪. ଖାଇବା ସମୟରେ ବାଲାନସ ଡାଏଟ୍ (ସନ୍ତୁଳିତ ଆହାର) ଖାଆନ୍ତୁ । ଅଧିକ ସବୁଜ ପନିପରିବା ଓ ଫଳ ଖାଆନ୍ତୁ ।
୫. ଅଧିକ ତେଲ, ମସଲାଯୁକ୍ତ ଖାଦ୍ୟ ଓ ଫାଷ୍ଟଫୁଡ୍ ଖାଆନ୍ତୁ ନାହିଁ ।
୬. ତମାଖୁ ସେବନ, ଧୂମପାନ ଓ ମଦ୍ୟପାନରୁ ବିରତ ରୁହନ୍ତୁ ।
୭. ଓଜନ ଅଧିକ ଥିଲେ, କମ୍ କରିବା ପାଇଁ ଚେଷ୍ଟା କରନ୍ତୁ ।
୮. ମାନସିକ ଚାପଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।
୯. ରାତିରେ ଅତି କମ୍‌ରେ ୬ରୁ ୮ ଘଂଟା ଶୁଅନ୍ତୁ ।
୧୦. ବୟସ ଅଧିକ ଥିଲେ, ନିୟମିତ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା କରନ୍ତୁ ।
ଏହି ସବୁ ସତର୍କତା ଏବଂ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେଲେ ଏବଂ ସ୍ୱାସ୍ଥ୍ୟ ସଚେତନ ହୋଇପାରିଲେ, ବ୍ରେନ୍ ଷ୍ଟ୍ରୋକ୍ ଭଳି ମାରାତ୍ମକ ରୋଗଠାରୁ ଆପଣ ମଧ୍ୟ ସୁରକ୍ଷିତ ରହିପାରିବେ ।