
ଓଡିଶାରେ ପ୍ରଥମଥର ପାଇଁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ଜଣେ ରୋଗୀଙ୍କଠାରେ ସଫଳତାର ସହ ଲିଭର୍ ଟ୍ରାନ୍ସପ୍ଲାଂଟେସନ୍ ବା ଯକୃତ ପ୍ରତିରୋପଣ କରାଯାଇଛି । ସମ୍ ହସପିଟାଲ୍ ପକ୍ଷରୁ ଏହି ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣାରେ କରାଯାଇଛି । ଆମ ରାଜ୍ୟରେ ଏଭଳି ଅସ୍ତ୍ରୋପଚାର କରିବା ପାଇଁ ଦୀର୍ଘବର୍ଷ ଧରି ଉଦ୍ୟମ ଚାଲିଥିଲା । ଖବରରୁ ପ୍ରକାଶ ଯେ, ପୁଅଙ୍କ ଯକୃତର ଗୋଟିଏ ଅଂଶ ନିଆଯାଇ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି । ଜଣେ ଜୀବନ୍ତ ବ୍ୟକ୍ତିଙ୍କଠାରୁ ଯକୃତର କେବଳ ଏକ ନିଦ୍ଦିଷ୍ଟ ଅଂଶ ଆଣି ରୋଗୀ ଦେହରେ ପ୍ରତିରୋପଣ କରିବା ପଦ୍ଧତିକୁ ‘ଲିଭିଙ୍ଗ୍ ଡୋନର୍ ଲିଭର୍ ଟ୍ରାନ୍ସପ୍ଲାଂଟେସନ୍’ (ଏଲଡିଏଲଟି) କୁହାଯାଏ । ସମ୍ ହସପିଟାଲର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଂଟେରୋଲୋଜି ଓ ମେଡିକାଲ୍ ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗର ବିଶେଷଜ୍ଞ ଏବଂ ହାଇଦ୍ରାବାଦସ୍ଥିତ ଯଶୋଦା ହସପିଟାଲର ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ଟିମ୍ ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଛି । ଯକୃତ ପ୍ରଦାନକାରୀ ବ୍ୟକ୍ତି ଓ ଯକୃତ ପ୍ରତିରୋପଣ ହୋଇଥିବା ରୋଗୀ ଉଭୟଙ୍କୁ ଲିଭର୍ ଟ୍ରାନ୍ସପ୍ଲାଂଟେସନ୍ ଆଇସିୟୁରେ ରଖାଯାଇଛି ଏବଂ ଏବେ ସେମାନେ ବିପଦମୁକ୍ତ ଅଛନ୍ତି ।