
ଡା. ସୁଜିତ କୁମାର ମହାନ୍ତି
କନସଲ୍ଟାଣ୍ଟ୍, କାର୍ଡିଆକ୍ ସର୍ଜରୀ
ଆପୋଲୋ ହସ୍ପିଟାଲ୍
ବିଶାଖାପଟନମ୍
ସାମ୍ପ୍ରତିକ ସମୟରେ ଅନ୍ୟ ରୋଗ ତୁଳନାରେ ହୃଦରୋଗ କାରଣରୁ ମହିଳାମାନେ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି । ଯଦିଓ ପୁରୁଷଙ୍କ ପରି ମହିଳାମାନଙ୍କୁ ମଧ୍ୟ ହୃଦରୋଗ ହେବାର ଆଶଙ୍କା ଥାଏ, ହେଲେ ମେନୋପଜ୍ (ରଜନିବୃତି) ହେବା ପର୍ଯ୍ୟନ୍ତ ହରମୋନ୍ କାରଣରୁ ସେମାନେ ସୁରକ୍ଷିତ ରହିଥାନ୍ତି । ଏବେ ତ’ ଶାରୀରିକ ବ୍ୟାୟାମ ଅଭାବରୁ, ଜଙ୍କଫୁଡ୍ ଅଧିକ ଖାଇବା ଯୋଗୁଁ ଓ ଧୂମପାନ ଅଭ୍ୟାସ କାରଣରୁ ମହିଳାମାନଙ୍କଠାରେ ଅନେକ ସମସ୍ୟା ଦେଖାଯାଉଛି ଯଥା – ମଧୁମେହ, ମେଦବହୁଳତା, ଅନିମୟିତ ରକ୍ତଚାପ, କୋଲେଷ୍ଟ୍ରଲ ଓ ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧି ହେବା ଓ ସ୍ୱାଭାବିକ ବୟସ ପୂର୍ବରୁ ମେନୋପଜ୍ ଦେଖାଯିବା ଇତ୍ୟାଦି ।

ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ପ୍ରଥମ ହୃଦଘାତରେ ୫୦% ମହିଳା ମୃତ୍ୟୁବରଣ କରୁଥିବାବେଳେ ପୁରୁଷଙ୍କଠାରେ ଏହା ୩୦% ହୋଇଥାଏ । ଚିନ୍ତାର ବିଷୟ ହେଉଛି ଯେ, ପୁରୁଷମାନଙ୍କଠାରେ ଯେମିତି ହୃଦଘାତର ସାଧାରଣ ଲକ୍ଷଣ ଭାବେ ଛାତିରେ ସାଂଘାତିକ ଯନ୍ତ୍ରଣା (ଯାହାକି ଧୀରେ ଧୀରେ ବାହୁ ଆଡ଼କୁ ପ୍ରସାରିତ ହୁଏ) ସେମିତି ନିର୍ଦ୍ଦିଷ୍ଟ ଲକ୍ଷଣ ମହିଳାଙ୍କଠାରେ ପରିଲକ୍ଷିତ ହୁଏ ନାହିଁ । ମହିଳାଙ୍କଠାରେ ଅଣନିଶ୍ୱାସୀ ଲାଗିବା, ବାନ୍ତି ହେବା, ବାନ୍ତି ବାନ୍ତି ଲାଗିବା, ବେକରେ ଯନ୍ତ୍ରଣା ହେବା, ହାଲିଆ ଲାଗିବା ଏବଂ ନିଦ ନ ହେବା ଭଳି ଲକ୍ଷଣ ଦେଖାଦେଲେ ହୃଦଘାତରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ । ବାଇପାସ୍ ସର୍ଜରୀ ପରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ମୃତ୍ୟୁବରଣର ଆଶଙ୍କା ଦୁଇଗୁଣ ଥାଏ । ଏହା ପଛରେ ଅବଶ୍ୟ ଅନେକ କାରଣ ରହିଥାଏ, ଯଥା – ପୁରୁଷଙ୍କ ତୁଳନାରେ ଅତି କ୍ଷୀଣ କରୋନାରୀ ଆଟେରୀ, ଆକ୍ରାନ୍ତ ଭେସେଲସ, ଭଙ୍ଗୁର ଟିସୁ ହୋଇଥିବା କାରଣରୁ ତଥା ଶଲ୍ୟ ଉପଚାର ଉପରାନ୍ତ ଅନିୟନ୍ତ୍ରିତ ମଧୁମେହ କାରଣରୁ । ଏହା ମଧ୍ୟ ଦେଖାଯାଇଛି ଯେ, ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ କରୋନାରୀ ଷ୍ଟେଂଟିଙ୍ଗ୍ ଅଧିକ ବିପଦଶଙ୍କୁଳ ହୋଇଥାଏ ଏବଂ ଏହାର ନିଦାନ ମଧ୍ୟ କଷ୍ଟକର ହୋଇଥାଏ ।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୪୪ମିଲିୟନ୍ ମହିଳା ହୃଦରୋଗରେ ଆକ୍ରାନ୍ତ । ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ହୃଦରୋଗ ତଥା ହୃଦଘାତ କାରଣରୁ ମୃତ୍ୟୁବରଣ କରିଥାନ୍ତି ପ୍ରତି ୮୦ ସେକେଣ୍ଡରେ । ଭାରତରେ ମଧ୍ୟ ମହିଳାମାନଙ୍କ ମୃତ୍ୟୁର ମୁଖ୍ୟ କାରଣ ହେଉଛି ହୃଦରୋଗ । ୪୬ରୁ ୬୦ ବର୍ଷ ବୟସର ମହିଳାଙ୍କ ମଧ୍ୟରୁ ୪୮% ମହିଳା ହୃଦରୋଗରେ ଆକ୍ରାନ୍ତ । ଭାରତରେ ପ୍ରତିବର୍ଷ ଘଟୁଥିବା ୧୦ ମିଲିୟନ୍ ମୃତ୍ୟୁରୁ ୨ ମିଲିୟନ୍ ମୃତ୍ୟୁ ହୃଦରୋଗ କାରଣରୁ ହୋଇଥାଏ ଏବଂ ଏଥିରୁ ୪୦% ମହିଳା ହୋଇଥାନ୍ତି ।

ପ୍ରତିକାର
– ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଠିକ୍ ସଚେତନତା (ସେମାନେ ନିଜ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ଉଚିତ) ।
– ମେନୋପଜ୍ ପରେ ନିୟମିତ ନିଜର ପରୀକ୍ଷା କରାନ୍ତୁ । ହେଲେ ଯଦି ମେନୋପଜ୍ ପୂର୍ବରୁ ବି ହୃଦରୋଗର ଲକ୍ଷଣ ଦେଖାଯାଏ ତେବେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।
– କୋଲେଷ୍ଟ୍ରଲ୍, ରକ୍ତଚାପ ଓ ମଧୁମେହର ନିୟନ୍ତ୍ରଣ ପାଇଁ ପ୍ରଚେଷ୍ଟା କରନ୍ତୁ ।
– ଓଜନ ନିୟନ୍ତ୍ରଣ ମଧ୍ୟ ଜରୁରୀ ।
– ମାନସିକ ଚାପରୁ ଯେତେ ଦୂରେଇ ରହିବେ ଆପଣଙ୍କ ପାଇଁ ସେତେ ଭଲ ।
– ନିୟମିତ ଫଳ ଖାଆନ୍ତୁ ତଥା ସନ୍ତୁଳିତ ଆହାର ଭୋଜନ କରନ୍ତୁ ।
– ଘରର ପୁରୁଷ ଲୋକ ବା ବୟୋଜ୍ୟେଷ୍ଠ ଲୋକ ଘରର ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବର୍ଷକୁ ଅତି କମ୍ରେ ଥରୁଟେ ହେଲେ ବି କରାଇବାର ବ୍ୟବସ୍ଥା କରାନ୍ତୁ ।
– ମହିଳାମାନଙ୍କର ହେଲଥ ଇନସ୍ୟୁରାନସ (ସ୍ୱାସ୍ଥ୍ୟ ବୀମା) କରାଇବା ଉଚିତ ।
– ବିବାହ ପୂର୍ବରୁ ପ୍ରତ୍ୟେକ ଝିଅ ନିଜର ହାର୍ଟ ଚେକଅପ୍ (ହୃତପିଣ୍ଡ ପରୀକ୍ଷା) କରାଇନେବା ଉଚିତ । କାରଣ କିଛି ହୃଦରୋଗ ଗର୍ଭାବସ୍ଥାରେ ଜଣା ପଡ଼ିଥାଏ ବା ତୀବ୍ର ହୋଇଥାଏ, ଯାହାକି ଉଭୟ ମାଆ ଓ ଶିଶୁ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ ।
# Humble Request to all the esteemed Readers, plz visit our SWASTHYA SWARA YOUTUBE CHANNEL & SUBSCRIBE our channel.