ଡା. ଶୁଭାଶିଷ ବେହେରା
(ରୁଟ୍ କେନାଲ୍ ସ୍ପେସାଲିଷ୍ଟ୍‌)
ଆସୋସିଏଟ୍ ପ୍ରଫେସର୍‌
ହାଇଟେକ୍ ଡେଂଟାଲ୍ କଲେଜ୍‌
ଭୁବନେଶ୍ୱର

ଆମେ ସମସ୍ତେ ଜାଣୁ, ଗର୍ଭାବସ୍ଥା ହେଉଛି ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ନୈସର୍ଗିକ ଆନନ୍ଦ ଉପଲବ୍ଧି କରିବାର ସମୟ । ଗର୍ଭସଂଚାର ପରଠାରୁ ପ୍ରସବ ଯାଏଁ ହର୍‌ମୋନ୍ ସମ୍ବନ୍ଧୀୟ ଅନେକ ପରିବର୍ତନ ଘଟିଥାଏ । ଏହି ସମୟରେ ବିଭିନ୍ନ କାରଣରୁ ଦାନ୍ତ ଓ ମାଢ଼ିର ଟିସୁ ମଧ୍ୟ ପ୍ରଭାବିତ ହୋଇଥାଏ । ତେଣୁ ଗର୍ଭବତୀ ମହିଳାମାନେ ନିଶ୍ଚିତ ଭାବେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ ।


ମୁଖଗହ୍ୱରର ଭୂମିକା ସାଧାରଣ ସ୍ୱାସ୍ଥ୍ୟରକ୍ଷାରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଗର୍ଭାବସ୍ଥାରେ ଏହା ଆହୁରି ବୃଦ୍ଧି ପାଏ । କିନ୍ତୁ ବାସ୍ତବରେ ଦେଖାଯାଇଛି ଯେ, ଗର୍ଭବତୀ ମହିଳାମାନେ ସାଧାରଣତଃ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେଇନଥାନ୍ତି; ଏପରିକି କିଛି ମୁଖଗହ୍ୱର ସମସ୍ୟା ଭୋଗୁଥିଲେ ମଧ୍ୟ ସହଜରେ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଇନଥାନ୍ତି । ଆମେମାନେ ମନେରଖିବା ଉଚିତ୍ ଯେ,ଯେହେତୁ ପାଟି ହେଉଛି ଆମ ଶରୀର ଭିତର ପାଇଁ ଏକ ମୂଖ୍ୟ ପ୍ରବେଶ ଦ୍ୱାର, ତେଣୁ ଏହା ଅନେକ ସଂକ୍ରମଣ ତଥା ବହୁବିଧ ବ୍ୟାଧିର ଉତ୍ସ ହୋଇପାରେ ତଥା ଏହା ଶରୀରର ଅନ୍ୟ ଅଂଶକୁ ମଧ୍ୟ ପ୍ରଭାବିତ କରିପାରେ । ଗର୍ଭବତୀ ମହିଳାଙ୍କ ଠାରେ ମୁଖ ଗହ୍ୱର ଜନିତ ସମସ୍ୟା ଏକ ସାଧାରଣ ସମସ୍ୟା । ମୁଖ ଗହ୍ୱରର ଉପଯୁକ୍ତ ଯତ୍ନ ତଥା ସଠିକ୍ ଉପଚାର ଦ୍ୱାରା ଗର୍ଭବତୀ ମହିଳାଙ୍କ ଅନେକ ଦନ୍ତ ରୋଗର ପ୍ରତିକାର କରାଯାଇପାରେ । ସମ୍ପ୍ରତି ବିଭିନ୍ନ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଦନ୍ତରୋଗ, ମୂଖ୍ୟତଃ ମାଢିଜନିତ ଏବଂ ଗର୍ଭାବସ୍ଥା ଜନିତ ସମସ୍ୟା ତଥା ଅନେକ ପ୍ରସବ ସମ୍ବନ୍ଧୀୟ ସମସ୍ୟା ମଧ୍ୟରେ ସମ୍ବନ୍ଧ ରହିଛି ଯା’ ଫଳରେ ଉପଯୁକ୍ତ ସମୟ ପୂର୍ବରୁ ପ୍ରସବ ହୋଇଯିବା (ପ୍ରି ଟର୍ମ ବାର୍ଥ) କମ୍ ଓଜନର ଶିଶୁ ଜନ୍ମ ହେବା (ଲୋ ବାର୍ଥ ୱେଟ୍‌) ଭଳି ବିଭିନ୍ନ ଅସୁବିଧା ହୋଇଥାଏ । ମାଢିରୋଗ ଦ୍ୱାରା ମାଢି ଫୁଲିଯାଇ ରକ୍ତ ସଂଚାଳନ ଜନିତ ସମସ୍ୟା ପରିଲକ୍ଷିତ ହୁଏ, ଯାହାର କି ପ୍ରସବ ସମୟରେ ମଧ୍ୟ ଏକ ଭୂମିକା ରହିଥାଏ । ଏହି ସମୟରେ ଶାରୀରିକ ପରିବର୍ତନ ସହ ଆହାରରେ ମଧ୍ୟ ପରିବର୍ତନ ଘଟିଥାଏ । ଯଥା କିଛି ନିର୍ଦ୍ଧିଷ୍ଟ ଖାଦ୍ୟ ପ୍ରତି ଆସକ୍ତି ବୃଦ୍ଧି ପାଇଥାଏ ବା ବାରମ୍ବାର ବିଭିନ୍ନ ରକମର ସ୍ନାକ୍ସ ଖାଇବାକୁ ଇଚ୍ଛା ଲାଗିଥାଏ । ଗର୍ଭାବସ୍ଥାରେ ମୁଖଗହ୍ୱରକୁ ଠିକ୍ ରହିବାକୁ ହେଲେ ଦାନ୍ତର ଉପଯୁକ୍ତ ଯତ୍ନ ତଥା କିଛି ଘରୋଇ ଉପଚାରର ଆବଶ୍ୟକତା ରହିଛି । ଗର୍ଭାବସ୍ଥାରେ ମୁଖ ଗôହର ଚିକିତ୍ସା ଅତ୍ୟନ୍ତ ସୁରକ୍ଷିତ ତଥା ଏଥିରେ ବିଳମ୍ବ ହେଲେ ମାଆକୁ ସିଧାସଳଖ କ୍ଷତି ପହଂଚିବା ସହ ଗର୍ଭସ୍ଥ ଶିଶୁ ମଧ୍ୟ ପରୋକ୍ଷରେ ପ୍ରଭାବିତ ହୋଇଥାଏ ।

ଏବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ସଧାରଣତଃ କେଉଁ ସବୁ ମୁଖଗହ୍ୱର ରୋଗ ଦେଖାଯାଏ ।
୧. ଡ଼େଂଟାଲ୍ କ୍ୟାରିସ୍
କଥିତ ଭାଷାରେ ଦାନ୍ତରେ ପୋକ ଖାଇବା ବା ଦାନ୍ତ ନଷ୍ଟ ହେବା ବୋଲି କହିଥାଉ । ଗର୍ଭାବସ୍ଥାରେ ଦାନ୍ତ ନଷ୍ଟ ହେବା ଅନେକ କାରଣରୁ ହୋଇଥାଏ । ଦୀର୍ଘଦୀନ ଧରି ଡ଼େଂଟାଲ କ୍ୟାରସ୍ ରହିଲେ କିମ୍ବା ଏହାର ଚିକିତ୍ସାରେ ଅବହେଳା କଲେ ଏହା ଗୁରୁତର ସମସ୍ୟା ସୃଷ୍ଟି କରେ । ମିଠା ଖାଦ୍ୟ ଅଧିକ ଖାଇବା ଦ୍ୱାରା, ବାରମ୍ବାର ଖାଇବା ଦ୍ୱାରା, ବାନ୍ତିବାନ୍ତ ଲାଗିବାକୁ ବନ୍ଦ କରିବା ପାଇଁ କାର୍ବୋନେଟେଡ଼ ଡ୍ରିଙ୍କ୍‌ସ୍ (କୋଲଡ୍ରିଙ୍କ୍‌ସ୍‌, କଫି, ଜୁସ୍‌, ଏନର୍ଜି ଡ୍ରିଙ୍କ୍‌ସ୍‌, ସୋଡ଼ା ପାଣି ଇତ୍ୟାଦି) ଅତ୍ୟଧିକ ପିଇବା ଦ୍ୱାରା ଡ଼େଂଟାଲ୍ କ୍ୟାରିସ୍ ଦେଖାଯିବାର ଆଶଙ୍କା ବୃଦ୍ଧି ପାଇଥାଏ ।
୨.ଜିଞ୍ଜିଭାଲ୍ ଆଣ୍ଡ୍ ପେରିଓଡୋ଼ଂଟାଲ୍ ଡ଼ିଜିଜ୍‌
ଗର୍ଭାବସ୍ଥାରେ ବୀଜାଣୁ ସଂକ୍ରମଣ ଦ୍ୱାରା ଜିଞ୍ଜିଭାଇଟିସ୍ ହୋଇଥାଏ । ଏହି ଅବସ୍ଥାରେ ଦାନ୍ତର ମଇଳା ବା ପ୍ରତି ମାଢିର ପ୍ରତିକ୍ରିୟା ବଢିଯାଇଥାଏ ଏବଂ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ । ଏ ସବୁ ପରିବର୍ତନ ହିଁ ମୁଖଗହ୍ୱର ସଂକ୍ରମଣ ପ୍ରତି ସମ୍ବେଦନଶୀଳତା ବୃଦ୍ଧି କରିଦିଅନ୍ତି ଏବଂ ପାଟି ଭିତରେ ଥିବା କୋମଳ ଟିସୁର ସଂରକ୍ଷଣରେ ଶରୀରକୁ ବାଧା ପହଂଚାଇଥାଆନ୍ତି । ଗର୍ଭାବସ୍ଥାରେ ମାଢିରେ ଫୁଲା ଦେଖାଯାଏ ଯାହାକୁ ‘ପ୍ରେଗ୍ରାନ୍ସି ଜିଞ୍ଜିଭାଇଟିସ୍‌’ କୁହାଯାଏ ଏବଂ ସମୁଦାୟ ଗର୍ଭବତୀ ମହିଳାଙ୍କ ମଧ୍ୟରେ ୩୦% ରୁ ୧୦୦% ମହିଳାଙ୍କ ଠାରେ ଏହା ଦେଖାଯାଇଥାଏ । ଏହି ପ୍ରେଗ୍ରାନ୍ସି ଜିଂଜିଭାଇଟସ୍ ସାଧାରଣତଃ ଗର୍ଭାବସ୍ଥାର ପ୍ରଥମ ତିନିମାସ ମଧ୍ୟରେ ଦେଖାଯାଏ । ପ୍ରୋଜେଷ୍ଟିରନ୍ ଓ ଇଷ୍ଟ୍ରୋଜେନ୍ ହର୍‌ମୋନ୍ ସ୍ତର ବୃଦ୍ଧି ପାଇବାଦ୍ୱାରା ମାଢି ଫୁଲିଯାଇ ଏହି ଜିଞ୍ଜିଭାଇଟିସ୍ ହୋଇଥାଏ । ଜିଞ୍ଜିଭାଇଟିସ୍‌ର ଚିକିତ୍ସା ଅବହେଳା କଲେ ଏହା ପେରିଓଡ଼ୋଂଟାଇସ୍ ଆଡ଼କୁ ଗତି କରେ, ଯାହାକି ୫% ରୁ ୨୦% ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ପେରିଓଡ଼ୋଂଟାଇଟିସ୍‌ରେ ଦାନ୍ତ ଚାରିପଟେ ଥିବା ଅସ୍ଥି ଓ ଅନ୍ୟାନ୍ୟ ସଂରଚନା (ଯାହାକୁ ଆଧାର କରି ଦାନ୍ତ ପାଟି ସହ ସଂଲଗ୍ନ ହୋଇରହିଥାଏ) ସବୁ ନଷ୍ଟ ହୋଇପାରେ; ଯ’ଦ୍ୱାରା ଦାନ୍ତ ଭାଂଗିଯିବାର ଆଶଙ୍କା ମଧ୍ୟ ରହିପାରେ ।
ଏହାଛଡ଼ା ଗର୍ଭାବସ୍ଥାରେ ୦.୨ ରୁ ୯.୬ ପ୍ରତିଶତ ମହିଳାଙ୍କ ଠାରେ ପାୟୋଜେନିକ୍‌, ଗ୍ରାନ୍ୟୁଲୋମା, ପ୍ରେଗ୍ନାନ୍ସିଟ୍ୟୁମର, ପ୍ରେଗ୍ରାନ୍ସିଏପ୍ୟୁଲିସ୍ ଭଳି ମୁଖଗହ୍ୱର ରୋଗ ମଧ୍ୟ ଦେଖାଯାଏ । ଗର୍ଭବତୀ ହୋଇଥିବା ମହିଳାଙ୍କ ବ୍ୟତୀତ ଅନେକ ସମୟରେ ପୁରୁଷଙ୍କ ଠାରେ ମଧ୍ୟ ପାୟୋଜେନିକ୍ ଗ୍ରାନ୍ୟୁଲୋମା ଠାରୁ ସେଗୁଡ଼ିକୁ ଲକ୍ଷଣ ଅନୁସାରେ ନିରୁପଣ କରିବା କାଠିକର ପାଠ ହୋଇଥାଏ । ଏଗୁଡ଼ିକ ଗର୍ଭାବସ୍ଥାରେ ଦ୍ୱିତୀୟ କିମ୍ବା ତୃତୀୟ ମାସରେ ଦେଖାଯାଏ । ମାଢିର କୌଣସି ଗୋଟିଏ ଅଂଶ ହିଁ ମୁଖ୍ୟତଃ ନାଲି ହୋଇ ଫୁଲିଯାଏ । ମୁଖ ଗହ୍ୱରର ଯତ୍ନ ନ ନେବା ଓ କାଲକ୍ୟୁଲସ୍ ସହ ଏହା ସମ୍ବନ୍ଧିତ ରହିଥାଏ ।
ଦାନ୍ତ ମାଢିର ସମସ୍ୟା କାରଣରୁ ହେଉ ବା ଲାମିନାଡ଼୍ୟୁରାରେ ଖଣିଜ ଲବଣ କାରଣରୁ ଯଦି କିଛି ପେରିଓଡ଼ୋଂଟାଲ୍ ଡ଼ିଜିଜ୍ ଦେଖାଯାଏ, ତେବେ ଏହାର ମୁଖ୍ୟ ଲକ୍ଷଣ ହେଉଛି ଦାନ୍ତ ହଲିବା । ଭିଟାମିନ୍‌-‘ସି’ର ଅଳ୍ପତା ଯୋଗୁଁ ଏଭଳି ସମସ୍ୟା ଦେଖାଯାଏ; ସେଥିପାଇଁ ଭିଟାମିନ୍ ସି ଯୁକ୍ତ ଆହାର ଓ ଔଷଧ ସେବନ କରିବାକୁ ପଡ଼ିଥାଏ । ଦାନ୍ତ ମାଢିରେ ଉତେଜନା କିମ୍ବା ପ୍ରତିକ୍ରିୟା ସୃଷ୍ଟି କରୁଥିବା ଖାଦ୍ୟ ପଦାର୍ଥର ବର୍ଜନ ଓ ଭିଟାମିନ୍‌-‘ସି’ର ପ୍ରୟୋଗ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।


୩. ଇନ୍‌ଫେକ୍‌ସନ୍‌
ଗର୍ଭାବସ୍ଥାରେ ଦାନ୍ତରେ ଦେଖାଯାଉଥିବା ସଂକ୍ରମଣ (ଓଡ଼ୋଂଟୋଜେନିକ୍ ଇନ୍‌ଫେକ୍‌ସନ୍‌) ଅନେକ ସମସ୍ୟା ସୃଷ୍ଟି କରିଥାଏ, ତେଣୁ ଏହାର ଶୀଘ୍ର ଚିକିତ୍ସା କରିବା ଉଚିତ୍ । ଏହି ସଂକ୍ରମଣ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୁଏ ଏବଂ କୋଷ ନଷ୍ଟ ହୋଇଯାଏ; ସେଥିପାଇଁ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ଫୁଲା (ଆବ୍‌ସେସ୍‌) ଥିଲେ ଅଭିଜ୍ଞ ଦନ୍ତ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ସେଥିରୁ ପାଣି ବାହାର କରିଦିଅନ୍ତୁ ଏବଂ ଆବଶ୍ୟକ ସ୍ଥଳେ ନଷ୍ଟ ହୋଇଯାଇଥିବା ଦାନ୍ତକୁ କାଢିଦିଅନ୍ତୁ ।
୪. ଡ଼େଂଟାଲ୍ ଇରୋଜନ୍
ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରେ ବାନ୍ତି ହେବା (ଭୋମିଟିଙ୍ଗ୍‌) ଓ ବାନ୍ତି ବାନ୍ତି ଲାଗିବା (ନସିଆ) ଭଳି କିଛି ପ୍ରମୁଖ ସମସ୍ୟା ଦେଖାଯାଇଥାଏ । ସର୍ବେକ୍ଷଣରୁ ଜଣାଯାଇଛି ଯେ ସମୁଦାୟ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ମହିଳାଙ୍କ ଠାରେ ବାନ୍ତିବାନ୍ତି ଲାଗିବା ସହ ବାନ୍ତି ହୋଇଯାଏ ଅଥବା ଖାଲି ବାନ୍ତି ବାନ୍ତି ଲାଗୁଥାଏ । ହେଲେ ତନ୍ମଧ୍ୟରୁ ୮୦% ମହିଳାଙ୍କ କିନ୍ତୁ ବାନ୍ତିବାନ୍ତି ଲାଗିବା ସମସ୍ୟା ନିଶ୍ଚିତ ଭାବେ ରହିଥାଏ । ୯.୨% ଗର୍ଭବତୀ ମହିଳାଙ୍କ ଉଭୟ ବାନ୍ତି ଲାଗିବା ଓ ବାନ୍ତି ହୋଇଯିବା ସମସ୍ୟା ଥାଏ । ଦୀର୍ଘ ଦିନ ଧରି ବାନ୍ତି ଲାଗି ରହିଲେ ଦନ୍ତ ସଂରଚନାରେ ଏହାର କୁପ୍ରଭାବ ପଡ଼ିଥାଏ । ସେଥିପାଇଁ ଗର୍ଭବତୀ ମହିଳା ମାନେ ବାନ୍ତି ପରେ ପରେ କ୍ଷୀର କିମ୍ବା ପାଣି ପିଇବା ଉଚିତ । ଏହା ସହ ଆଉ ଗୋଟେ ବିଷୟ ପ୍ରତି ସତର୍କ ରହିବେ- ବାନ୍ତି ହେବା ପରେ ସଙ୍ଗେ ସଙ୍ଗେ ବ୍ରସ୍ କରିବା ଉଚିତ୍ ନୁହେଁ ।
ଆଉ ଗୋଟେ କଥା, ଗର୍ଭାବସ୍ଥାରେ କୌଣସି ପ୍ରକାର ଏକ୍ସ-ରେ କରିବା ଅନୁଚିତ୍‌, ନହେଲେ ଏହାର ଗର୍ଭସ୍ଥ ଶିଶୁ ପ୍ରତି ଅନେକ କୁପ୍ରଭାବ ରହିଥାଏ । ଯେ କୌଣସି ଡାକ୍ତରଙ୍କ ପାଖକୁ ପରାମର୍ଶ ପାଇଁ ଯାଉଥିଲେ, ତାଙ୍କୁ ଆପଣ ଗର୍ଭବତୀ ଥିବାର ସ୍ପଷ୍ଟ ଭାବେ କୁହନ୍ତୁ, ଯାହା ଫଳରେ ସେ ତଦନୁଯାୟୀ ଔଷଧ ଦେବେ ।

ପାଠକବନ୍ଧୁ, ତେଣୁ ଗର୍ଭାବସ୍ଥାରେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କଲେ ଅନେକ ମୁଖଗହ୍ୱର ସମସ୍ୟାକୁ ପ୍ରତିହତ କରାଯାଇପାରିବ ତଥା ଗର୍ଭାବସ୍ଥାର ଏକ ସୁସ୍ଥ ଅବଧିକୁ ଉପଲବ୍ଧି କରିହେବ ।


# Humble Request to all the esteemed Readers, plz visit our SWASTHYA SWARA YOUTUBE CHANNEL  & SUBSCRIBE our channel.