ପ୍ରଫେସର ଡା. ବୀରେନ୍ଦ୍ର କିଶୋର ଦାସ
ଡାଇରେକ୍ଟର,
ଉତ୍କଳ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ହସ୍‌ପିଟାଲ୍‌
ଭୁବନେଶ୍ୱର

ଏକ ସୁସ୍ଥ ଜୀବନ ପାଇଁ ଉତ୍ତମ ଓ ସୁଷମ ଖାଦ୍ୟର ପ୍ରୟୋଜନ ହୋଇଥାଏ । ଦୈନନ୍ଦିନ ଜୀବନରେ ଖାଦ୍ୟ ଗ୍ରହଣ କରିବା ଏକ ପ୍ରଧାନ କାର୍ଯ୍ୟ ହୋଇଥାଏ । ଖାଦ୍ୟ ବିନା ଜୀବନ ରକ୍ଷା ଅସମ୍ଭବ । ଅନେକ ସମୟରେ ଆମେ କ’ଣ ଖାଇବା, କ’ଣ ନଖାଇବା, ତାହା ପାଇଁ ବ୍ୟସ୍ତ ହୋଇଥାଉ । ଶରୀର ଉତ୍ତମ ରୂପେ କାର୍ଯ୍ୟକ୍ଷମ ହେବା ପାଇଁ ସୁଷମ ଖାଦ୍ୟର ପ୍ରୟୋଜନ ହୋଇଥାଏ । ଶରୀରର ସମସ୍ତ କାର୍ଯ୍ୟ ପାଇଁ ଦରକାର ହେଉଥିବା ଶକ୍ତି ଆମେ ଖାଦ୍ୟରୁ ହିଁ ପାଇଥାଉ । ତେଣୁ ବଞ୍ଚିଥିବା ପର୍ଯ୍ୟନ୍ତ ଶରୀର ଓ ମନର ସମସ୍ତ କାର୍ଯ୍ୟ ପାଇଁ ପ୍ରକାରାନ୍ତରେ ଖାଦ୍ୟ ହିଁ ପ୍ରଥମ ବାଂଛନୀୟ ବସ୍ତୁ । ସୁଷମ ଖାଦ୍ୟ କାହିଁକି ଦରକାର ସେଥିପାଇଁ ଅନେକ କାରଣ ରହିଛି । ତନ୍ମଧ୍ୟରୁ ରୋଗ ନିବାରଣ ଓ ସନ୍ତୁଳିତ ଓଜନ ରକ୍ଷା ପ୍ରଧାନ । ଏକ ନିରାଡମ୍ବର ଜୀବନ ଯାପନ ହିଁ ବିଶେଷ ଭାବେ ପ୍ରଣିଧାନ ଯୋଗ୍ୟ ।


କୌଣସି ଖାଦ୍ୟରେ ରହିଥିବା ଶକ୍ତିର ମାତ୍ରା ‘କ୍ୟାଲୋରୀ’ ଆକାରରେ ମପା ଯାଇଥାଏ । ଖାଦ୍ୟରୁ ପ୍ରାପ୍ତ ହେଉଥିବା କ୍ୟାଲୋରୀ, ବିଚାର କରିବା ଶକ୍ତି, ଶାରୀରିକ କାର୍ଯ୍ୟକ୍ରମ, ଶରୀର ବୃଦ୍ଧି ଏବଂ କ୍ଷତ ଶୁଖିବା ଆଦି ଶରୀରର ସମସ୍ତ କାର୍ଯ୍ୟ ପାଇଁ ଜରୁରୀ ହୋଇଥାଏ । ଖାଦ୍ୟରେ ଏହି ଶକ୍ତିର ଉତ୍ସ ହେଲା ଶ୍ୱେତସାର, ପଷ୍ଟିସାର ଓ ଚର୍ବି । ଖାଦ୍ୟ ପାକ ହେଲାପରେ ଶ୍ୱେତସାର ଖଣ୍ଡ ବିଖଣ୍ଡିତ ହୋଇ ଗ୍ଳୁକୋଜରେ ପରିଣତ ହୋଇଥାଏ, ଯାହାକି ଶକ୍ତିରେ ରୂପାନ୍ତରିତ ହୋଇ ତୁରନ୍ତ କାର୍ଯ୍ୟରେ ଲାଗିଥାଏ ଅଥବା ମାଂସପେଶୀର ସଂରକ୍ଷିତ ହୋଇ ପରେ ବ୍ୟବହାରରେ ଆସିଥାଏ । ଜଟିଳ ଶ୍ୱେତସାର ଯଥା ଶସ୍ୟ ଜାତୀୟ ଖାଦ୍ୟ, ପନିପରିବା ଏବଂ ଫଳରୁ ସମତୁଲ କ୍ୟାଲୋରୀ ପ୍ରାପ୍ତ ହୋଇଥାଏ ଏବଂ ଖାଦ୍ୟପ୍ରାଣ ମିଳିଥାଏ । ଅପରପକ୍ଷରେ ସାଧାରଣ ଚିନି ଏବଂ ମଇଦାରୁ ଉଚ୍ଚ ପରିମାଣର କ୍ୟାଲୋରି ପ୍ରାପ୍ତ ହେବା ସହ କମ୍ ପରିମାଣର ଖାଦ୍ୟ ପ୍ରାଣ ରହିଥାଏ, ଯଦ୍ୱାରା ଶକ୍ତି ଆହରଣ ପାଇଁ ଏହା ବିଶେଷ ଫଳପ୍ରଦ ହୋଇନଥାଏ । ସୁଷମ ଖାଦ୍ୟ ଶରୀର ଓଜନ ଠିକ୍ ରଖିବା ସହ ମେଦବୃଦ୍ଧି କରାଇନଥାଏ । ଯେଉଁ ଖାଦ୍ୟରେ ଅଧିକ ପରିମାଣର ସଂତୃପ୍ତ ଚର୍ବି ଓ ଶର୍କରା ରହିଥାଏ ତାହା ଓଜନ ବଢାଇବା ସହ ମେଦବୃଦ୍ଧି କରିଥାଏ । କ୍ୟାଲୋରୀ ଶକ୍ତି ପାଇଁ ଅପରିହାର୍ଯ୍ୟ ହୋଇଥିବା ବେଳେ, ଯେଉଁ ଖାଦ୍ୟରେ ଖାଦ୍ୟ ପ୍ରାଣ କମ ରହିବା ଯୋଗୁଁ କମ୍ କ୍ୟାଲୋରୀ ମିଳିଥାଏ, ତାହା ଓଜନ ବୃଦ୍ଧି କରିଥାଏ । ଏପରି ଖାଦ୍ୟ ଖାଇବା ଉଚିତ, ଯେଉଁଥିରେ କ୍ୟାଲୋରୀ ଓ ଖାଦ୍ୟପ୍ରାଣ ସମପରିମାଣର ରହିବା ଆବଶ୍ୟକ, ଯାହା ଶରୀରର ଓଜନ ସମତୁଲ ରଖିବା ସହ ମୋଟାପଣ ରୋକିଥାଏ ।
ନିମ୍ନମାନର ଖାଦ୍ୟ ଯୋଗୁଁ ମଧୁମେହ, ହୃଦ୍‌ରୋଗ ଓ ବିଭିନ୍ନ ପ୍ରକାର କର୍କଟ ହୋଇପାରେ । ବଦଳି ପାରୁଥିବା ଚର୍ବି ଏବଂ ଦ୍ରବୀଭୂତ ଚର୍ବି ଧମନୀକୁ ରୁଦ୍ଧ କରେ । ଫଳରେ ଏହା ହୃଦଘାତ ପାଇଁ ନିଶ୍ଚିତ ବିପଦର କାରଣ ହୋଇପଡ଼େ । ଯେଉଁ ଖାଦ୍ୟରେ କୋଲୋଷ୍ଟିରଲ୍ ମାତ୍ରା ଅଧିକ ରହିଥାଏ, ତାହା ରକ୍ତରେ ଖରାପ କୋଲୋଷ୍ଟିରଲ୍ ମାତ୍ରା ବଢାଇ ଧମନୀ ମାନଙ୍କରେ ଚର୍ବି ଜମାଇଦିଏ ଓ ଧମନୀକୁ ରୁଦ୍ଧ କରିଥାଏ । ଯେଉଁ ଖାଦ୍ୟ ମେଦବହୁଳତା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ, ପ୍ରକାରାନ୍ତରେ ତାହା କର୍କଟ ସୃଷ୍ଟିର ଆଶଙ୍କା ସୃଷ୍ଟି କରିଥାଏ ।
ଯେଉଁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ମାତ୍ରା ଅଧିକ ଥାଏ, ତାହା ନ୍ୟୁରନ୍ ନାମକ ମସ୍ତିଷ୍କର ସ୍ନାୟୁବିକ ଜୀବକୋଷ ନୂଆ କରି ତିଆରି କରେ, ଅର୍ଥାତ୍ ନ୍ୟୁରନର ଜନନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ତଦ୍ୱାରା ସେଠାରେ ରହିଥିବା ଜୀବକୋଷ ମାନଙ୍କ ମଧ୍ୟରେ ସଂଯୋଗୀକରଣ ଘଟିଥାଏ । ତେଣୁ କୋଷ କୋଷ ମଧ୍ୟରେ ବ୍ୟାବହାରିକ ସଂପର୍କ ବୃଦ୍ଧି ହୋଇଥାଏ । ଖାଦ୍ୟ ମଧ୍ୟ ଲୋକର ମାନସିକ ସ୍ୱାସ୍ଥ୍ୟ ରକ୍ଷା କରି, ଚିତ୍ତବୃତ୍ତି ସଠିକ୍ ମାର୍ଗରେ ପରିଚାଳିତ କରିଥାଏ । ସୁଷମ ଖାଦ୍ୟ ଖାଇଲେ ଜଣେ ମାନସିକ ଚାପରେ ପଡ଼େ ନାହିଁ । ମାନସିକ ଚାପ ଓ ମାନସିକ ବିକୃତି ମଧ୍ୟ କମ୍ ହୋଇଥାଏ । ଅନ୍ୟପକ୍ଷରେ ଖାଦ୍ୟରେ ଶର୍କରା ଯଦି ଅଧିକ ଥାଏ, ପ୍ରକ୍ରିୟାକୃତ ଖାଦ୍ୟ ଅଧିକ ଖିଆଯାଏ, କିମ୍ବା ମଦ୍ୟପାନ କରାଯାଏ, ତାହେଲେ ଉପରୋକ୍ତ ରୋଗର ବୃଦ୍ଧି ଘଟିଥାଏ ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜଣକୁ ସନ୍ତୁଳିତ ଖାଦ୍ୟ ସହ ଶାରୀରିକ ପରିଶ୍ରମ ବା ବ୍ୟାୟାମ କରିବା ଦରକାର ଏବଂ ମଦ୍ୟ ଓ ଧୂମପାନଠାରୁ ଦୂରରେ ରହିବା ଆବଶ୍ୟକ । ଉତ୍ତମ ଖାଦ୍ୟ କହିଲେ ଜଣକୁ ଉଚ୍ଚମାନର ପ୍ରୋଟିନ୍‌, ଶ୍ୱେତସାର, ହୃତ୍‌ପିଣ୍ଡ ଉପଯୋଗୀ ଚର୍ବିଳ ଖାଦ୍ୟ, ଭିଟାମିନ୍‌, ମିନେରାଲ (ଖଣିଜ ପଦାର୍ଥ)ରେ ପରିପୂର୍ଣ୍ଣ ହେବା ଆବଶ୍ୟକ । ଏହା ସହ କୌଣସି ପ୍ରକ୍ରିୟାକୃତ ଖାଦ୍ୟ, ଦ୍ରବୀଭୂତ ଚର୍ବିଳ ଖାଦ୍ୟ ଓ ମଦ ପିଇବା ଉଚିତ ନୁହେଁ ।
ଖାଦ୍ୟରେ ଯେଉଁ ଖାଦ୍ୟସାର ଥାଏ ତାହା ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ସାହାଯ୍ୟ କରିବା ସହ ଜୀବକୋଷକୁ ପାରିପାଶ୍ୱିର୍କ ବିପଦରୁ ରକ୍ଷା କରିଥାଏ ଏବଂ ଯଦି କିଛି ଜୀବକୋଷରେ କ୍ଷତି ଘଟିଥାଏ ସେଥିରେ ସୁଧାର ଆଣିଥାଏ । ତନ୍ତୁରେ ହୋଇଥିବା କ୍ଷତକୁ ପ୍ରୋଟିନ୍ ପୁନଃନିର୍ମାଣ କରିବା ସହ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିଥାଏ । ଉଭୟ ଶ୍ୱେତସାର ଓ ଚର୍ବି ଶରୀରକୁ ଶକ୍ତି ଯୋଗାଇଥାଏ । ଭିଟାମିନ୍ ଓ ମିନେରାଲ୍ ଶରୀରକୁ କାର୍ଯ୍ୟକ୍ଷମ କରିଥାନ୍ତି । ଭିଟାମିନ୍ ଏ, ସି ଏବଂ ଇ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରି ଜୀବକୋଷଗୁଡ଼ିକ ବିଷକ୍ରିୟା ଠାରୁ ରକ୍ଷା କରିଥାନ୍ତି । ଭିଟାମିନ୍‌-ବି ଖାଦ୍ୟରୁ ଶକ୍ତି ଆହରଣ କରିବାରେ ସାହାଯ୍ୟ କରିଥାଏ । ଖାଦ୍ୟରେ ଥିବା କ୍ୟାଲସିୟମ୍ ଓ ଫସଫରସ୍ ଶରୀରର ଅସ୍ଥିକୁ ମଜବୁତ୍ ରଖିଥାନ୍ତି । ଯଦି ଜଣେ ଉତ୍ତମ ଖାଦ୍ୟ ଗ୍ରହଣ ନକରେ, ଶରୀରର ଉପରୋକ୍ତ କାର୍ଯ୍ୟପ୍ରଣାଳୀରେ ବାଧା ସୃଷ୍ଟି ହୁଏ ।
ଯେଉଁ ଖାଦ୍ୟ ଆମେ ଖାଇଥାଉ ସେଥିରେ ଥିବା କ୍ୟାଲୋରୀ ପରିମାଣରୁ ଖାଦ୍ୟରେ କେତେ ମାତ୍ରାରେ ଶକ୍ତି ମାତ୍ରା ରହିଛି ତାହା ମାପ କରାଯାଇଥାଏ । ଶରୀର, ଚାଲିବା, ଭାବିବା, ଶ୍ୱାସ ଓ ହୃଦକ୍ରିୟା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କ୍ୟାଲୋରୀ ଉପଯୋଗ କରିଥାଏ । ଜଣକର କ୍ୟାଲୋରୀ ଚାହିଦା, ତା’ର ବୟସ, ଲିଙ୍ଗ, ଶାରୀରିକ ପରିଶ୍ରମ ଉପରେ ନିର୍ଭର କରିଥାଏ । ସାଧାରଣତଃ ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ କ୍ୟାଲୋରୀ ଦରକାର କରିଥାନ୍ତି । ଯେଉଁମାନେ କାର୍ଯ୍ୟରତ ବା ସକ୍ରିୟ ସେମାନେ ବସି ରହିଥିବା ଲୋକଙ୍କଠାରୁ ଅଧିକ କ୍ୟାଲୋରୀ ଆବଶ୍ୟକ କରିଥାନ୍ତି । ଯଦି ଜଣେ ଉତ୍ତମ ଖାଦ୍ୟ ଖାଇବରେ ଅଭ୍ୟସ୍ତ ନଥାନ୍ତି, ତେବେ ସେ ଧୀରେଧୀରେ ନିଜର ଖାଦ୍ୟାଭ୍ୟାସ ବଦଳାଇ ଉତ୍ତମ ଖାଦ୍ୟ ଖାଇବା ଉଚିତ୍ । ଉଚ୍ଚ କ୍ୟାଲୋରୀଯୁକ୍ତ ମୃଦୁପାନୀୟକୁ ପରିହାର କରି ପ୍ରଚୁର ପାଣି ପିଇବା ଆବଶ୍ୟକ । ଦ୍ରବୀଭୂତ ଚର୍ବିଳ ଖାଦ୍ୟ ନଖାଇ କମ୍ ଚର୍ବି ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । ଜଣେ ରେଡ୍ ମିଟ୍ (ପଶୁ ମାଂସ) ନ ଖାଇ, କମ୍ ଚର୍ବିଯୁକ୍ତ କୁକୁଡ଼ା ମାଂସ ଖାଇପାରନ୍ତି । ଏପରିକି ଗୋଟା ଗହମର ଅଟା ଅଧିକ ହିତକାରକ । କାରଣ, ଏହାଦ୍ୱାରା ଜଣେ ଅଧିକ ପରିମାଣର ଫାଇବର୍ ଖାଦ୍ୟ ପାଇଥାଏ । ପଲିସ୍ ହୋଇଥିବା ମଇଦା ହିତକର ନୁହେଁ । ଡବାରେ ଥିବା ଖାଦ୍ୟ ଓ ଫଳରେ, ସତେଜ ଫଳ ଓ ପନିପରିବା ଅପେକ୍ଷା ଅଧିକ ମାତ୍ରାରେ ସୋଡ଼ିୟମ୍ ରହିଥାଏ । ସେହି ହେତୁ ସତେଜ କାକୁଡ଼ି, ମୂଳା, ଗାଜର, ଟମାଟୋ ଆଦି ବଜାରରେ ମିଳୁଥିବା ଚିପ୍‌ସ ଅପେକ୍ଷା ଶହେ ଗୁଣ ସ୍ୱାସ୍ଥ୍ୟକର ।

ଖାଦ୍ୟ କିପରି ସୁଷମ କରିବା?
ଏକ ସନ୍ତୁଳିତ ବା ସୁଷମ ଖାଦ୍ୟ କହିଲେ ସେଥିରେ ଖାଦ୍ୟସାର ପୂରା ମାତ୍ରାରେ ରହିବା ସହ ଉପଯୁକ୍ତ ପରିମାଣର ଭିଟାମିନ୍ ଏବଂ ମିନେରାଲ୍ ଆବଶ୍ୟକ । ତାହା ମଧ୍ୟ ଅଦରକାରୀ ଚର୍ବି ଶୂନ୍ୟ ହେବା ଉଚିତ୍ । ଶର୍କରା ମାତ୍ରା ସୀମିତ ହେବା ପ୍ରୟୋଜନ । ଏସବୁକୁ ଧ୍ୟାନ ଦେଇ ଖାଦ୍ୟର କିସମ ମନୋନୟନ କଲେ ଶରୀର ସବୁବେଳେ ସୁଷମ ଖାଦ୍ୟ ପାଇପାରିବ, ଯାହା ଶରୀରର ଉଚିତ ଅଭିବୃଦ୍ଧି ଓ ମାନସିକ ସମୃଦ୍ଧିରେ ସାହାଯ୍ୟ କରିବ ।
ସୁଷମ ଖାଦ୍ୟରେ ଯାହାସବୁ ରହିବା ଉଚିତ, ତାହା ହେଲା,
ଫଳ: ଫଳ ଖାଦ୍ୟସାରରେ ଭରପୁର । ଜଣେ ବ୍ୟକ୍ତି ନିଜେ ରହୁଥିବା ଅଞ୍ଚଳରେ ଉତ୍ପାଦିତ ହେଉଥିବା ଫଳ ଖାଇବା ଉଚିତ୍ । କାରଣ ସେଗୁଡ଼ିକ ନିଜସ୍ୱ ପରିବେଶରୁ ଉତ୍ପାଦିତ ଏବଂ ବାହାରୁ ମଗାଯାଉଥିବା ଫଳ ତୁଳନାରେ ଅଧିକ ସତେଜ । ତେଣୁ ଅଧିକ ଖାଦ୍ୟସାର ଯୋଗାଏ ।
ପନିପରିବା: ଖାଦ୍ୟରେ ଭିଟାମିନ୍ ଓ ମିନେରାଲ୍ ଯୋଗାଇବାର ପ୍ରମୁଖ ଉତ୍ସ ହେଲା ପନିପରିବା । ଆମର ସ୍ଥାନୀୟ ବଜାରରେ ମିଳୁଥିବା ବନ୍ଧାକୋବି, ବ୍ରକୋଲି ଆଦି ପତ୍ରଯୁକ୍ତ ପରିବା ଏବଂ ବିଭିନ୍ନ ରକମର ଶାଗ, ଭିଟାମିନ୍‌, ମିନେରାଲ୍ ଓ ଆଇରନ୍‌ରେ ପରିପୂର୍ଣ୍ଣ । ତେଣୁ ଏସବୁକୁ ସବୁଦିନେ ଯଥେଷ୍ଟ ପରିମାଣରେ ଖାଇବା ଉଚିତ୍ । ବିନ୍‌, କଲରା, କଦଳୀ ଆଦିରେ ମଧ୍ୟ ଭିଟାମିନ୍ ଓ ମିନେରାଲ୍ ଯଥେଷ୍ଟ ଅଛି । ତେଣୁ ଏସବୁକୁ ମଧ୍ୟ ନିୟମିତ ଖାଇବା ଉଚିତ ।
ଶସ୍ୟ: ଆଜିକାଲି କିଛି ଲୋକ ଶସ୍ୟ ଜାତୀୟ ଖାଦ୍ୟ ମଧ୍ୟରୁ ମଇଦା ତିଆରି ଖାଦ୍ୟକୁ ପସନ୍ଦ କରୁଛନ୍ତି । ସେମାନେ ଭୁଲି ଯାଉଛନ୍ତି ଯେ ମଇଦାକୁ ପ୍ରସ୍ତୁତ କରିବା ସମୟରେ ଶସ୍ୟର ବାହ୍ୟ ଆବରଣ କାଢିଦିଆଯାଏ । ପ୍ରକୃତରେ ଏହି ବାହ୍ୟ ଆବରଣରେ ହିଁ ଶସ୍ୟର ଅଧିକାଂଶ ଖାଦ୍ୟସାର ମହଜୁତ୍ ରହିଥାଏ । ତେଣୁ ମଇଦା ତିଆରି ଖାଦ୍ୟ ଆମକୁ ଖାଦ୍ୟସାରରୁ ବଂଚିତ କରିଥାଏ । ଗହମକୁ ପେଷି ଅଟା କଲେ ଏହାର ଖାଦ୍ୟସାର ପରିମାଣ ଅନେକ ମାତ୍ରାରେ ବୃଦ୍ଧି ଘଟିଥାଏ । ତେଣୁ ଅଟାର ରୁଟି ଓ ପାସ୍ତା ଖାଇବା ଉଚିତ ।
ପ୍ରୋଟିନ୍‌: ବିନ୍ ଓ ମାଂସରୁ ପ୍ରଚୁର ପରିମାଣର ପ୍ରୋଟିନ୍ ମିଳିଥାଏ, ଯାହା ମାଂସପେଶୀ ଓ ମସ୍ତିଷ୍କ ବିକାଶରେ ସାହାଯ୍ୟ କରିଥାଏ । ଚର୍ବି ରହିତ ମାଂସ (ଯଥା ଚିକେନ୍‌, ମାଛ) ପ୍ରୋଟିନରେ ଭରପୁର । କୁକୁଡ଼ାର ଚମଡ଼ା, ଏପରିକି ମାଂସର ଚର୍ବି ସ୍ତର ବାହାର କରିଦେଇ ଖାଇବା ଉଚିତ ।
କୋଳି ବା ମଞ୍ଜି ଜାତୀୟ ଖାଦ୍ୟ ଯଥା ମସୁର ଓ ଅନ୍ୟାନ୍ୟ ଡ଼ାଲି, ମଟର, ଆଲମଣ୍ଡ୍‌, ସୂର୍ଯ୍ୟମୂଖୀ ମଞ୍ଜି, ବାଦାମ ମଧ୍ୟ ପ୍ରୋଟିନ୍‌ରେ ଭରପୁର । ପ୍ରୋଟିନ୍ ପାଇଁ ବିନା ଦ୍ୱିଧାରେ ମାଂସ ପରିବର୍ତ୍ତେ ସୋୟାବିନ୍ ଜାତୀୟ ଖାଦ୍ୟ ଓ ଡ଼ାଲି ଜାତୀୟ ଖାଦ୍ୟ ଖିଆଯାଇ ପାରେ । ବାସ୍ତବରେ ନିରାମିଷାଶୀମାନେ ଅଧିକ ପରିମାଣର ଡ଼ାଲି ଓ ସୋୟାବିନ୍ ଖାଇବା ଉଚିତ ।
ଦୁଗ୍ଧ ଜାତୀୟ ଖାଦ୍ୟ: ଦୁଗ୍ଧ ଜାତୀୟ ଖାଦ୍ୟରୁ କ୍ୟାଲ୍‌ସିୟମ୍‌, ଭିଟାମିନ୍‌-ଡି ଏବଂ ଅନ୍ୟାନ୍ୟ ପୃଷ୍ଟିସାର ମିଳିଥାଏ । ତେବେ ଏସବୁ ମଧ୍ୟ ଚର୍ବିରେ ଭରପୁର ହୋଇଥାଏ । ତେଣୁ ଚର୍ବି ରହିତ ଦୁଗ୍ଧ ଓ ଛେନା ସେବନ କରିବା ଦରକାର ।
ତେଲ: ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ତେଲ ବ୍ୟବହାର କରାଯାଉଛି । କିନ୍ତୁ ଅତ୍ୟଧିକ ତେଲ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ନୁହେଁ । ତେଣୁ ଦେଖି ଚାହିଁ ବ୍ୟବହାର କରିବା ଦରକାର । କମ୍ ଚର୍ବିଥିବା ତେଲ ଖାଇବା ଉଚିତ । ସବୁଠୁ ଉତ୍ତମ ହେଲା ଅଲିଭ୍ ତେଲ । ବୀକଜ ଜାତୀୟ ତେଲ ବଦଳରେ ଏହାର ବ୍ୟବହାର କରାଯାଇପାରେ । ଫାଷ୍ଟ୍ ଫୁଡ୍‌, ପ୍ରକ୍ରିୟାକୃତ ପ୍ୟାକେଟ୍ ଖାଦ୍ୟ ଓ ଅତ୍ୟଧିକ ତେଲ ଛଣା ଖାଦ୍ୟ ସର୍ବଦା ବର୍ଜନୀୟ । କାରଣ ଏଥିରେ ଗୁଡାଏ ଅଦରକାରୀ କ୍ୟାଲୋରୀ ରହିଥାଏ ।
ଉତ୍ତମ ଓ ସୁଷମ ଖାଦ୍ୟ ପାଇଁ ଆମ ଖାଦ୍ୟାଭ୍ୟାସ ଅନୁରୂପ ହେବା ଉଚିତ । ଜଣେ ବ୍ୟକ୍ତି ଯେତିକି କାର୍ଯ୍ୟକ୍ଷମ, ସେ ସେହି ଅନୁପାତରେ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଜଣେ ଯେଉଁ ପରିମାଣର ଶକ୍ତି ଖର୍ଚ୍ଚ କରୁଛନ୍ତି, ସେ ସେହି ପରିମାଣର ଶକ୍ତି ଆହରଣ କରିବା ଆବଶ୍ୟକ । ଅତ୍ୟଧିକ ଖାଦ୍ୟ ଓ ପାନୀୟ ଶରୀରର ଓଜନ ବଢ଼ାଇଦିଏ । ଅନ୍ୟପକ୍ଷରେ ଖାଦ୍ୟ ଓ ପାନୀୟର ପରିମାଣ କମ୍ ରହିଲେ, ଜଣକର ଓଜନ ହ୍ରାସ ଘଟେ । ତେଣୁ ସୁଷମ ଖାଦ୍ୟ ଓ ପାନୀୟ ଆବଶ୍ୟକ । ଜଣେ ପୁରୁଷ ଦୈନିକ ୨୫୦୦ କ୍ୟାଲୋରୀ ଓ ଜଣେ ମହିଳା ୨୦୦୦ କ୍ୟାଲୋରୀ ଆବଶ୍ୟକ କରିଥାନ୍ତି । ଅଧିକ ମାତ୍ରାରେ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା କିମ୍ବା ଖୁବ୍ ବେଶୀ ଖାଇବାରେ ଲାଳସା ନ ରଖିବା ଉଚିତ ।
ଖାଦ୍ୟ ସହ ବିଭିନ୍ନ କିସମର ଫଳ, କୋଳି ଓ ମଞ୍ଜି ନିୟମିତ ଖାଇବା ଉଚିତ । କାରଣ ଏହା ଖାଦ୍ୟସାର ଯୋଗାଇବା ସହ କ୍ୟାଲୋରୀ ମଧ୍ୟ ଦେଇଥାନ୍ତି । ସୁଷମ ଖାଦ୍ୟ ଉତମ ସ୍ୱାସ୍ଥ୍ୟର ପରିପୂରକ ଏବଂ ଉତମ ସ୍ୱାସ୍ଥ୍ୟ ହିଁ ସୁଖୀ ଜୀବନ କରାଇଥାଏ ।
(ଏହି ଆଲେଖ୍ୟଟି ପ୍ରଫେସର ଡା. ବୀରେନ୍ଦ୍ର କିଶୋର ଦାସ ରଚିତ ଓ ଲକ୍ଷ୍ମୀ ପ୍ରକାଶନ୍ସ ପ୍ରକାଶିତ ‘ସ୍ୱାସ୍ଥ୍ୟ ହିଁ ଜୀବନ’ ପୁସ୍ତକରୁ ଉଦ୍ଧୃତ ହୋଇଛି ।)