ଡା. କ୍ଷୀତିଶ ଚନ୍ଦ୍ର ମିଶ୍ର
କର୍କଟ ରୋଗ ବିଶେଷଜ୍ଞ, କଟକ

୧. କ୍ୟାନ୍‌ସର ନ ହେବା ପାଇଁ ଆମେ କ’ଣ କରିବା ଉଚିତ?
କ୍ୟାନ୍‌ସର ନ ହେବାକୁ ଦେବା, କ୍ୟାନ୍‌ସର ଚିକିତ୍ସା କରି ଠିକ୍ କରିବାଠାରୁ ଯଥେଷ୍ଟ ସୁବିଧା । ଅଧାରୁ ଅଧିକ କ୍ୟାନ୍‌ସରକୁ ଆମେ ହେବା ଆଗରୁ ଅଟକାଇ ପାରିବା । ବହୁତ କ୍ୟାନ୍‌ସର ତମାଖୁ ସେବନ ପାଇଁ ହୋଇଥାଏ । ତମ୍ବାଖୁ ସେବନ ବନ୍ଦ ହେଲେ କ୍ୟାନ୍‌ସରରେ ଆକ୍ରାନ୍ତ ହେବାର ଆଶଙ୍କା ଯଥେଷ୍ଟ କମିଯିବ । ବିନା ମଦ୍ୟପାନ କିମ୍ବା ସ୍ୱଳ୍ପ ମଦ୍ୟପାନର ଶୈଳୀ କ୍ୟାନ୍‌ସର ହିସାବରେ ଭଲ । ଆମେ ବିନା ଚର୍ବି କିମ୍ବା କମ୍ ଚର୍ବି ଏବଂ ଅଧିକ ସବୁଜ ପନିପରିବା ଜାତୀୟ ଖାଦ୍ୟ ଖାଇବା କଥା । ଏଥିରେ କ୍ୟାନ୍‌ସର ହେବାର ଆଶଙ୍କା କମ୍ । କ୍ୟାନ୍‌ସରର କୌଣସି ଲକ୍ଷଣ ଦେଖା ଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

୨. ପ୍ରିକ୍ୟାନ୍‌ସର ରୋଗ କ’ଣ ଏବଂ ଏହା କେତେ ବିପଜ୍ଜନକ?
କ୍ୟାନ୍‌ସର ହେବା ପାଇଁ ଦିନେ କିମ୍ବା ସପ୍ତାହେ ଲାଗେ ନାହିଁ । ଏକ ସାଧାରଣ କୋଷ କ୍ୟାନ୍‌ସର ହେବା ପାଇଁ ବର୍ଷ ବର୍ଷ ଧରି ସମୟ ଲାଗେ । ଏକ ପରିବର୍ତିତ କୋଷକୁ ଯଦି ଆମେ ବଢ଼ିବାକୁ ଦେଉ ତା’ହେଲେ ସମୟ ସାଙ୍ଗରେ ତାହା କ୍ୟାନ୍‌ସର କୋଷରେ ପରିଣତ ହେବ । ପ୍ରିକ୍ୟାନ୍‌ସର୍ ରୋଗ ହେଲା ସେହି ରୋଗ ଯାହାର ନିରାକରଣ କରା ନ ଗଲେ କିମ୍ବା ବଢ଼ିବାକୁ ଦିଆଗଲେ ଯାହା ନିଶ୍ଚୟ କ୍ୟାନ୍‌ସର ରୋଗ ହେବ ।
କିଛିଟା ପ୍ରିକ୍ୟାନ୍‌ସର ରୋଗ :
(କ) ପାଟିରେ ହେଉଥିବା ଧଳା ଦାଗ (ଲିଉକୋପ୍ଲାକିଆ)
(ଖ) ବାରବାର ଦାନ୍ତ ଘଷି ହୋଇ ପାଟିର ଘା ।
(ଗ) ରକ୍ତ ବୋହୁଥିବା କିମ୍ବା କୁଣ୍ଡାଇ ହେଉଥିବା କଳାଜାଇ ।
(ଘ) ସବ୍‌ମ୍ୟୁକସ୍ ଫାଇବ୍ରୋସିସ୍ (ପାଟି ନ ଖୋଲିବା ରୋଗ)
(ଙ) ଅନ୍ତଃନଳୀର ପଲିପ୍ ।
ଏହି ସବୁ ରୋଗ ହେଲେ ଡାକ୍ତରଙ୍କ ସାଙ୍ଗରେ ପରାମର୍ଶ କରି ଏହାର ପ୍ରତିକାରର ବ୍ୟବସ୍ଥା କରିବା କଥା ଏବଂ ଆଗକୁ ଏହା ନ ହେଉ କିମ୍ବା ନ ବଢ଼ୁ, ତାହାର ବ୍ୟବସ୍ଥା କରିବା କଥା ।

୩. ମୁଖ ଗହ୍ୱର କ୍ୟାନ୍‌ସରରୁ କେମିତି ବଂଚିବା?
ମୁଖ ଗହ୍ୱର କ୍ୟାନ୍‌ସର ଏକ ଏମିତି କ୍ୟାନ୍‌ସର ଯାହାକୁ ଆମେ ଚାହିଁଲେ ଅଟକାଇ ପାରିବା ।
– ତମ୍ବାଖୁ (ସିଗାରେଟ୍‌, ପାନ, ଗୁଟ୍‌ଖା, ଗୁଡ଼ାଖୁ)ସେବନ ବନ୍ଦ କରନ୍ତୁ ।
– ପାଟିର କୌଣସି ଘାଆ ଦୁଇରୁ ତିନି ସପ୍ତାହ ମଧ୍ୟରେ ନ କମିଲେ ଡାକ୍ତରଙ୍କୁ ଦେଖାନ୍ତୁ ଏବଂ ସେ ଜାଗାର ମାଂସ ପରୀକ୍ଷା କରାନ୍ତୁ ।
– ଯେଉଁ ଦାନ୍ତ ଗାଲରେ ବେଶି ଘଷି ହେଉଛି, ତାକୁ ବାହାର କରିଦିଅନ୍ତୁ କିମ୍ବା ଦାନ୍ତ ଡାକ୍ତରଙ୍କୁ ଦେଖାଇ ତା’ର ଏପରି ବ୍ୟବସ୍ଥା କରନ୍ତୁ ଯେପରିକି ତାହା ଘଷି ହେବ ନାହିଁ ।
– ଠିକ୍ ଫିଟ୍ ହେଉ ନଥିବା କୃତ୍ରିମ ଦାନ୍ତ ବ୍ୟବହାର କରନ୍ତୁ ନାହିଁ, ଏହା ମାଢ଼ିରେ ଘା’ କରିପାରେ ।
– ପାଟିରେ ଧଳା ଦାଗ ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ ଏବଂ ଯଦି ଏହା ମାସେ ମଧ୍ୟରେ ନ କମେ ତା’ର ମାଂସ ପରୀକ୍ଷା କରାଇ ନିଅନ୍ତୁ ।
– ପାଟି ସଫା ରଖନ୍ତୁ ।

୪. ଚର୍ମ କ୍ୟାନ୍‌ସରରୁ ବଂଚିବା କେମିତି?
ରଙ୍ଗ ବଦଳୁଥିବା କଳାଜାଇ ଏବଂ ଭାତୁଡ଼ିରେ ଯଦି କୁଣ୍ଡେଇ ହୁଏ କିମ୍ବା ରକ୍ତସ୍ରାବ ହୁଏ ଅଥବା ଘା’ ହୋଇଯାଏ ତାକୁ ଅପରେସନ୍ ଜରିଆରେ ବାହାର କରିଦେବା ଉଚିତ ଏବଂ ତାହାର ମାଂସ ପରୀକ୍ଷା କରିନେବା କଥା । ଶ୍ୱେତବର୍ଣ୍ଣ ଲୋକମାନେ ଖରାରେ ଅତ୍ୟଧିକ ନ ବାହାରିଲେ ଭଲ ।

୫. ସମସ୍ତ କଳାଜାଇ ବାହାର କରିଦିଆଯିବା କଥା କି?
ନା । ଚଟକା ଓ ରଙ୍ଗହୀନ ଜାଇ ପ୍ରାୟତଃ ଖରାପ ନୁହେଁ । ନୀଳ-କଳା କେଶ ଶୂନ୍ୟ ଜାଇ କୁଣ୍ଡାଇ ହେଉଥିଲେ, ତାହାକୁ ଅପରେସନ ଜରିଆରେ ବାହାର କରିଦିଆଯିବା କଥା । ଆକାର ଓ ରଙ୍ଗ ପରିବର୍ତନଶୀଳ ଜାଇ ବା ଭାତୁଡ଼ିକୁ ତୁରନ୍ତ ବାହାର କରିଦିଆଯିବା କଥା । ଏହି ମାଂସଗୁଡ଼ିକ କ୍ୟାନ୍‌ସର୍ ପାଇଁ ପରୀକ୍ଷା ହେବା ଜରୁରୀ ।

୬. ଡିପ୍‌ଥେରିଆ ଏବଂ ଆନ୍ତ୍ରିକ ଜ୍ୱର ପରି କ୍ୟାନ୍‌ସରର ପ୍ରତିଷେଧକ ଅଛି କି?
ଜୀବାଣୁ ଜନିତ ରୋଗରେ ପ୍ରତିଷେଧକ ସମ୍ଭବ । କ୍ୟାନ୍‌ସର ଜୀବାଣୁ ଜନିତ ନୁହେଁ, ତେଣୁ ଏହା ପାଇଁ ପ୍ରତିଷେଧକ ବିକାଶ କଷ୍ଟକର । ତଥାପି ବୈଜ୍ଞାନିକମାନେ କର୍କଟ ରୋଗର ଟିକା ଆବିଷ୍କାର ପାଇଁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି ।

୭. କର୍କଟ ରୋଗ ଥିବା ସନ୍ଦେହ ପରେ ମଧ୍ୟ ଲୋକମାନେ କାହିଁକି ଡାକ୍ତରଙ୍କୁ  ଦେଖାଇବାକୁ ଡେରି କରନ୍ତି?
ସବୁଠାରୁ ବଡ଼ କାରଣ ହେଲା ଭୟ । କର୍କଟ ରୋଗ ହେଲେ ସାମାଜିକ ସମ୍ମାନକୁ ଡରି ଲୋକ ଡାକ୍ତର ପାଖକୁ ଯାଆନ୍ତି ନାହିଁ । ଏପରି ମନୋଭାବ ଠିକ୍ ନୁହେଁ କାହିଁକି ନା ଲୋକମାନେ ଜାଣିବା କଥା ଯେ ଆରମ୍ଭରୁ ଚିକିତ୍ସା ହେଲେ କର୍କଟ ରୋଗ ଭଲ ହୋଇପାରିବ । ଏଭଳି ଭୟଭୀତ ହୋଇ ଡେରି କଲେ ରୋଗ ବଢ଼ିଯାଏ ଏବଂ ଚିକିତ୍ସାଯୋଗ୍ୟ ରହେ ନାହିଁ ।

୮. ଯକ୍ଷ୍ମା ରୋଗୀଙ୍କୁ କର୍କଟ ରୋଗ ହେବାର ଆଶଙ୍କା ଅଛି କି?
ନିଶ୍ଚୟ ଆଶଙ୍କା ରହିଛି । ଯକ୍ଷ୍ମା କିମ୍ବା ଅନ୍ୟ କୌଣସି ରୋଗ ଦେହରେ ଥିଲେ ସେ କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ହେବ ନାହିଁ, ଏହା ଭରସା ନାହିଁ ।

୯. ରକ୍ତର ଶ୍ୱେତରକ୍ତ କଣିକା କର୍କଟ ରୋଗ ନଷ୍ଟ କରିପାରିବ କି?
ଶ୍ୱେତରକ୍ତ କଣିକାର ମୁଖ୍ୟ କାମ ହେଲା ଶରୀରକୁ ଜୀବାଣରୁ ରକ୍ଷା କରିବା । କର୍କଟ କୋଷ ମାରିବା ପାଇଁ ଶ୍ୱେତରକ୍ତ କଣିକାର ତିଆରି ସମ୍ବନ୍ଧରେ ଗବେଷଣା ଚାଲୁ ରହିଛି ।

୧୦. ଆମେ କିପରି କର୍କଟ ରୋଗକୁ ନିୟନ୍ତ୍ରଣ କରିବା?
(କ) ଲକ୍ଷଣର ସନ୍ଦେହ ହେଲା କ୍ଷଣି ଡାକ୍ତରଙ୍କ ପରାମର୍ଶ ନେବା କଥା । ସତର୍କତା ଓ ସାବଧାନତା ବ୍ୟକ୍ତିର ଜୀବନ ରକ୍ଷା କରିପାରିବ ।
(ଖ) ନିୟମିତ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ ।
(ଗ) ଶୀଘ୍ର ରୋଗ ନିରୂପଣ ଓ ଶୀଘ୍ର ଚିକିତ୍ସା ଜରୁରୀ ।
(ଘ) ସମସ୍ତଙ୍କୁ କର୍କଟ ରୋଗ ସମ୍ବନ୍ଧରେ ଅବଗତ କରାଇବା ।
(ଙ) ସର୍ବୋପରି ଜୀବନ ପ୍ରଣାଳୀର ପରିବର୍ତନ କରି କର୍କଟ ରୋଗରୁ ରକ୍ଷା ପାଇବା ।