(ଉପସ୍ଥାପନା: ଡା. ଗୌରୀଶଙ୍କର ପଣ୍ଡା)

Dr. Gourishankar Panda

ସେବନ କରିଥିବା ଭୋଜନ ଯଦି ଠିକ୍ ଢଙ୍ଗରେ ପାଚନ / ହଜମ ହେଲା ନାହିଁ, ତାହା ହେଉଛି ‘ଅଜୀର୍ଣ୍ଣ’ (ଇନ୍‌ଡାଇଜେସନ୍‌) । ଜଠରାଗ୍ନିର ମନ୍ଦତା ଯୋଗୁଁ ଭୋଜନର ପରିପାକ ହୋଇପାରେ ନାହିଁ ଏବଂ ଏହି ଭୋଜନର ଅପରିପକ୍ୱତାକୁ ‘ଅଜୀର୍ଣ୍ଣର୍’ କୁହାଯାଇଥାଏ । ଭୋଜନ ଯେତେବେଳେ ହଜମ ହୁଏ ନାହିଁ, ସେହି ଅପକ୍ୱ ଅନ୍ନମାନଙ୍କୁ ‘ଆମ’ କୁହାଯାଏ । ଅଜୀର୍ଣ୍ଣକୁ ଅନେକ ରୋଗର ମୂଳ କୁହାଯାଇଥାଏ ।

 

ଅଜୀର୍ଣ୍ଣର କାରଣ
ଉପବାସ କରିବା, ଅଜୀର୍ଣ୍ଣ ହୋଇଥିଲେ ବି ଭୋଜନ କରିବା, ଅଧିକ ଭୋଜନ କରିବା, କେତେବେଳେ ଅଳ୍ପ ଅଥବା କେତେବେଳେ ଅଧିକ ଅଥବା ଅନିୟମିତ ଭୋଜନ କରିବା, ଅତି ଗୁରୁ ଭୋଜନ କରିବା, ଅତି ଶୀତଳ ଭୋଜନ କରିବା, ରାତ୍ରି ଜାଗରଣ କରିବା, ଭୟରେ ରହିବା, କୌଣସି ରୋଗରେ ପୀଡ଼ିତ ହୋଇଥିଲେ, ଚିନ୍ତାଗ୍ରସ୍ତ ରହିବା ଓ ଶୋକାତୁର ରହିବା ଇତ୍ୟାଦି ଶ।।ରୀରିକ ଓ ମାନସିକ କାରଣ ଯୋଗୁଁ ଅଜୀର୍ଣର୍ ହେବାର ଆଶଙ୍କା ରହିଥାଏ । ଯେତେବେଳେ ଆହାର ବିହାର ତଥା ମାନସିକ କାରଣରୁ ଜଠରାଗ୍ନି ମନ୍ଦ ହୋଇଯାଏ, ଆହାରର ଉପଯୁକ୍ତ ମାତ୍ରାରେ ପାଚନ ହୁଏ ନାହିଁ ଏବଂ ଅଜୀର୍ଣ୍ଣ ହୋଇଥାଏ । ଅଜୀର୍ଣ୍ଣର୍ କାରଣରୁ କଫ ଓ ବାତଦୋଷର ବୃଦ୍ଧି ହୋଇଥାଏ । କଫର ବୃଦ୍ଧି ହେବା ଦ୍ୱାରା ପାଚକ ରସ ସହିତ ଜଳୀୟ ଅଂଶ / ଜଳାଂଶର ଆଧିକ୍ୟତା କାରଣରୁ ପାଚନ କ୍ଷମତାରେ ହ୍ରାସ ଘଟିଥାଏ ଏବଂ ଆହାରର ଉପଯୁକ୍ତ ପାକ ନ ହୋଇ ଅଜୀର୍ଣ୍ଣ ସୃଷ୍ଟି ହୋଇଥାଏ ।

ଅଜୀର୍ଣ୍ଣର ଲକ୍ଷଣ
ଭଲ ଭାବେ ମଳତ୍ୟାଗ ନ ହେବା, ମଳର ଅତିପ୍ରବୃତ୍ତି ହେବା ବା ଅଧିକ ଥର ମଳତ୍ୟାଗ, ଅଧୋବାୟୁର ଅବରୁଦ୍ଧ ହେବା, ଦେହ ଓଜନିଆ ଲାଗିବା, ମୁଣ୍ଡ ବୁଲାଇ ହେବା, ଅଙ୍ଗ ଶିଥିଳତା, ମୁଣ୍ଡ ବ୍ୟଥା ହେବା, ମୂର୍ଚ୍ଛା ହେବା, ବାରମ୍ବାର ହାଇ ମାରିବା, ଅଙ୍ଗ ବେଦନା, ଶୋଷ ଲାଗିବା ତଥା ଜ୍ୱର ହେବା, ବାନ୍ତି ହେବା, ବାନ୍ତି ବାନ୍ତି ଲାଗିବା, ବାରମ୍ବାର ଝାଡ଼ା ଲାଗିବା, ଅମ୍ଳ ହାକୁଟି ଆସିବା, ଭୋଜନରେ ଅରୁଚି ବା ଖାଇବାକୁ ଇଚ୍ଛା ନ ଲାଗିବା ଇତ୍ୟାଦି ଲକ୍ଷଣ ଅଜୀର୍ଣ୍ଣରେ ଦେଖାଯାଇଥାଏ ।


ଅଜୀର୍ଣ୍ଣର ଚିକିତ୍ସା
ସବୁ ପ୍ରକାର ଅଜୀର୍ଣ୍ଣରେ ସାଧାରଣତଃ ଉପବାସ କରିବା ବା ଲଘୁ ସୁପାଚ୍ୟ ଭୋଜନ ଦେବା ଉପଯୁକ୍ତ ହୋଇଥାଏ । ଅଳ୍ପ ଆମଦୋଷ ଥିଲେ ଉପବାସ ହିତକର ହୋଇଥାଏ । ଆମଦୋଷ ମଧ୍ୟମ ହୋଇଥିଲେ ଉପବାସ ସହ ପାଚନ ଔଷଧ ବି ଖାଇବା ଉଚିତ । ଆମଦୋଷ ତୀବ୍ରାବସ୍ଥାରେ ଥିଲେ ବମନ (ବାନ୍ତି କରାଇବା), ବିରେଚନ (ଝାଡ଼ା କରାଇବା) ଦ୍ୱାରା ଆମ ସଂଶୋଧନ କରାଯାଇଥାଏ । ଏହି ସବୁ ଶୋଧନ ବିଧି ଦ୍ୱାରା ଦୋଷର ମୂଳୋତ୍ପାଟନ ହୋଇଥାଏ । ଶୀତଳ ଜଳ ପାନ କରନ୍ତୁ । ଅଳ୍ପ ଅଳ୍ପ ମାତ୍ରାରେ ବାରମ୍ବାର ଶୀତଳ ଜଳ ପାନ କରିବା ଦ୍ୱାରା ବିଦଗ୍ଧ ଅନ୍ନର ପରିପାକ ହୋଇଯାଇଥାଏ । ରୋଗୀ ଯେତେ ଶୋଇବେ, ସେତେ ଭଲ । ତେଣୁ ଭଲ ଭାବେ ଶୋଇବାକୁ ଚେଷ୍ଟା କରନ୍ତୁ । ଯଦି କିଛି ଖାଇବାର ଥାଏ, ତେବେ ଖାଇବା ପୂର୍ବରୁ ଅଦାରସ, ଲେମ୍ବୁରସ, ସୈନ୍ଧବ ଲବଣ, ରସୁଣ, ଧନିଆ ପତ୍ର, ଭଜା ହୋଇଥିବା ହେଙ୍ଗୁ ଓ ଭଜା ଜିରାକୁ ମିଶାଇ ସେହି ଚୂର୍ଣ୍ଣକୁ ସେବନ କରନ୍ତୁ । ଯଦି ଉପବାସ କରିବାର ଥାଏ, ତେବେ ଅଦା ଓ ଲୁଣ ମିଶାଇ ଚୋଷନ୍ତୁ । ଉପବାସ ପରେ ଯେତେବେଳେ ଭୋଜନ କରିବେ, ତେବେ ରୋଗୀର ରୁଚିକୁ ଧ୍ୟାନରେ ରଖି ମୁଗ ଡାଲି, ପୋଟଳ, କଲରା, ଅଁଳା, ଅଦା, ସାଗୁ ଓ ବାର୍ଲି ଇତ୍ୟାଦି ଖାଇବାକୁ ଦିଅନ୍ତୁ । ବୈଶ୍ୱାନର ଚୂର୍ଣ୍ଣ, ହିଙ୍ଗ୍‌ାଷ୍ଟକ ଚୂର୍ଣ୍ଣ, ଲବଣ ଭାସ୍କର, ଅବିପତ୍ତିକର ଚୂର୍ଣ୍ଣ, ଅଗ୍ନିତୁଣ୍ଡୀ ବଟୀ, ଆରୋଗ୍ୟବର୍ଦ୍ଧନୀ ବଟୀ, ଚିତ୍ରକାଦି ବଟୀ, ଶଙ୍ଖ ବଟୀ, ସଞ୍ଜିବନୀ ବଟୀ, ଅଜୀର୍ଣ୍ଣକଣ୍ଟକ ରସ, କୁମାର୍ଯ୍ୟାସବ, ଲୋହାସବ, ଦ୍ରାକ୍ଷାସବ ଇତ୍ୟାଦି ଔଷଧ ଚକିତ୍ସକଙ୍କ ପରାମର୍ଶ ନେଇ ସେବନ କରିବେ । ପିପ୍ପଳୀ, ବଚ ଓ ସୈନ୍ଧବ ଲବଣର ଚୂର୍ଣ୍ଣକୁ ଶୀତଳ ଜଳ ସହ ପିଇବା ଉଚିତ । ଗୋଟିଏ ଲିଟର ପାଣିରେ ୧୫ ଗ୍ରାମ ଧନିଆ ଓ ୧୫ ଗ୍ରାମ ଶୁଣ୍ଠିକୁ ଅଧା ଲିଟର ପାଣି ହେବା ଯାଏ ଫୁଟାନ୍ତୁ ଓ ସେହି ପାଣିକୁ ଛାଣି ଅଳ୍ପ ଅଳ୍ପ ପିଅନ୍ତୁ ।
ଯଦି ପ୍ରାତଃକାଳରେ ଶୋଇକରି ଉଠିବା ପରେ ଅଜୀର୍ଣ୍ଣ ଅନୁଭବ ହେଉଛି, ତେବେ ହରିତକୀ ଚୂର୍ଣ୍ଣ, ଶୁଣ୍ଠିଚୂର୍ଣ୍ଣ ଓ ସୈନ୍ଧବ ଲବଣକୁ ମିଶାଇ ଥଣ୍ଡା ପାଣି ସହ ପିଇ ଦିଅନ୍ତୁ । ତା’ପରେ ଯାଇ ଭୋଜନ କାଳରେ ହାଲୁକା ତଥା ଅଳ୍ପ ମାତ୍ରାରେ ଭୋଜନ ସେବନ କରନ୍ତୁ ।

ଅଜୀର୍ଣ୍ଣରେ ପଥ୍ୟ
ଅନେକ ପ୍ରକାରର ବ୍ୟାୟାମ, ଅଗ୍ନିଦୀପକ ଲଘୁ ଆହାର ସେବନୀୟ । ପୁରୁଣା ଉଷୁନା ଚାଉଳ, ମୁଗ, ମୂଳା, ସଜନା, ପୋଟଳ, ଅଁଳା, ଅଦା, ଜୁଆଣୀ, ଗୋଲ ମରିଚ, ମେଥି, ଧନିଆ, ଜୀରା, ଚୂନାମାଛ, ଓ ନିମ୍ବ ଇତ୍ୟାଦି ଅଜୀର୍ଣ୍ଣ ରୋଗରେ ହିତକର ହୋଇଥାନ୍ତି ।


ଅଜୀର୍ଣ୍ଣରେ ଅପଥ୍ୟ
ମଳମୂତ୍ର ତଥା ଅପାନବାୟୁକୁ ତ୍ୟାଗ ନ କରି ଅଧିକ ସମୟ ଚାପି ରଖିବା, ଶିମ୍ବ, ମଟର, ମାଂସ, ଅତ୍ୟଧିକ ପାଣି ପିିଇବା, ଆଳୁ, ଗୁରୁ ଦ୍ରବ୍ୟ ବା ଗରିଷ୍ଠ ଖାଦ୍ୟ, ଦୂଷିତ ଜଳ ଏବଂ ବିରୁଦ୍ଧ ଆହାର ଇତ୍ୟାଦି ଅଜୀର୍ଣ୍ଣ ରୋଗରେ ଅହିତକର ହୋଇଥାନ୍ତି ।