(ଉପସ୍ଥାପନା ଡା. ଗୌରୀଶଙ୍କର ପଣ୍ଡା)
ସାମ୍ପ୍ରତିକ ସମୟରେ ଯୋଗ ଏକ ବହୁ ଚର୍ଚ୍ଚିତ ବିଷୟ । ସମାଜର ପ୍ରାୟ ସବୁ ବର୍ଗର ଲୋକ ଯୋଗ ବିଷୟରେ ଜାଣିବାକୁ ଏବଂ ଯୋଗାଭ୍ୟାସ କରିବାକୁ ଆଗ୍ରହୀ । ନିଜ ନିଜ ଢ଼ଙ୍ଗରେ ଲୋକେ ଏହାକୁ ବିଚାର କରିବା ଫଳରେ ଏହାର ଆଧୁନିକ ସ୍ୱରୂପ ଖୁବ୍ ବ୍ୟାପକ ହୋଇଗଲାଣି । ବିଗତ କିଛି ବର୍ଷ ମଧ୍ୟରେ ଯୋଗ ନିଜର ଭାରତୀୟ ସ୍ୱରୂପରୁ ଉର୍ଦ୍ଧ୍ୱକୁ ଯାଇ ବିଶ୍ୱ ସ୍ତରରେ ଗ୍ରହଣୀୟ ହୋଇ ପାରିଛି । ବ୍ୟକ୍ତିଗତ ସାଧନାରୁ ଉଠି ସାମାଜିକ ସାଧନାରେ ପରିଣତ ହୋଇପାରିଛି ।

‘ଯୋଗ’ ଶବ୍ଦର ବୁତ୍ପତି ସଂସ୍କୃତ ଭାଷାର ‘ୟୁଜ୍’ ଧାତୁରୁ ହୋଇଛି, ଯାହାର ଅର୍ଥ ‘ଯୋଡିବା’; ଅର୍ଥାତ୍ ବ୍ୟକ୍ତିର ଶାରୀରିକ, ମାନସିକ, ବୌଦ୍ଧିକ ତଥା ଆଧ୍ୟାତ୍ମିକ ପକ୍ଷର ମିଳନ ହେବା । ଯୋଗ ବିଜ୍ଞାନ ମନୁଷ୍ୟ ଚେତନା ବିକାଶର ବିଜ୍ଞାନ ଅଟେ । ଉପନିଷଦ୍ ପରମ୍ପରାରେ ଯୋଗ ଏକ ଉଚ୍ଚ ଅବସ୍ଥା, ଯେଉଁଥିରେ ପଂଚଜ୍ଞାନେନ୍ଦ୍ରିୟ ତଥା ମନର ବୃତ୍ତି ସ୍ଥିର ହୋଇଯାଏ ତଥା ବୁଦ୍ଧିି ମଧ୍ୟ ସ୍ଥିର ହୋଇଯାଏ । ଏହି ପ୍ରକାର ଇନ୍ଦ୍ରିୟ ନିୟନ୍ତ୍ରଣ ଦ୍ୱାରା ଧ୍ୟାନ ସ୍ଥିର ହୋଇଯାଏ । ଭଗବତ୍ଗୀତା ଅନୁସାରେ ଯୋଗ ହେଛଛି ଦୁଃଖ ବା ବେଦନାରୁ ମୁକ୍ତି ଅବସ୍ଥା । ନିଜର ମୂଳ ସ୍ୱରୂପରେ ଯୋଗ ମୂଖ୍ୟତଃ ତତ୍ତ୍ୱାନୁଭୂତି, ମନୋନିର୍ବାଣ, ସ୍ଥାୟୀ ଶାନ୍ତି ଏବଂ ଆନନ୍ଦାନୁଭୂତିର ଉପାୟ ଅଟେ । ଯୋଗର ମୂଳାଧାର ଆଧ୍ୟାତ୍ମିକ ହେଲେ ହେଁ ଏବେ ଆଧ୍ୟାତ୍ମିକତା ସହ ଏହା ବିଜ୍ଞାନକୁ ମଧ୍ୟ ଆପଣାଇ ନେଇପାରିଛି । ସମୟର ପ୍ରବାହରେ ଯୋଗ ଭୌତିକ ସ୍ୱାସ୍ଥ୍ୟ ଲାଭ ତଥା ରୋଗ ପ୍ରତିଷେଧକ କ୍ଷେତ୍ରରେ ନିଜର ଉପାଦେୟତା ସାଦ୍ୟସ୍ତ କରିସାରିଲାଣି । ପରବର୍ତ୍ତି ଅବସ୍ଥାରେ ଏହା ଆହୁରି ବିକଶିତ ହୋଇ ଅଷ୍ଟାଙ୍ଗ ଯୋଗର ଉତ୍ପତି ହୋଇଥିଲା ଏବଂ ଶାରୀରିକ-ମାନସିକ ସୁସ୍ଥତା ପାଇଁ ଯୋଗର ପ୍ରୟୋଗ ହେଲା ।

ମଣିଷର ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି । ଯୋଗର ବିଭିନ୍ନ କ୍ରିୟା ଯଥା ଆସନ, ପ୍ରାଣାୟାମ ଆଦି ଶାରୀରିକ ସ୍ୱାସ୍ଥ୍ୟ ପାଇଁ ତ ନିଶ୍ଚିତ ରୂପେ ହିତକର, ତତ୍ ସଙ୍ଗେସଙ୍ଗେ ମାନସିକ ସ୍ୱାସ୍ଥ୍ୟ ତଥା ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଅନେକ ସୁଫଳ ପରିଲକ୍ଷିତ ହୋଇଥାଏ । ଯୋଗାଭ୍ୟାସ ଦ୍ୱାରା ମାନସିକ ଚାପ ଦୂର ହୁଏ ତଥା ମନୋଦୈହିକ ସାମଞ୍ଜସ୍ୟ ବୃଦ୍ଧି ଘଟେ । ମନ ଏବଂ ଶରୀରର ସନ୍ତୁଳନ ବଜାୟ ରହିଥାଏ, କାର୍ଯ୍ୟକ୍ଷମତା ବଢ଼ିଥାଏ ଏବଂ ମନରେ ଶାନ୍ତି ଆସିବା ଫଳରେ ବୁଦ୍ଧିର ବିକାଶ ମଧ୍ୟ ଘଟିଥାଏ । ବିଭିନ୍ନ ପ୍ରକାରର ଆସନ ଏବଂ ପ୍ରାଣାୟାମର ଅଭ୍ୟାସ ଦ୍ୱାରା ଶରୀର ଶୁଦ୍ଧ ହୋଇ ଅଧିକ ଜୀବନୀୟ ଶକ୍ତିଯୁକ୍ତ ହୋଇଥାଏ ତଥା ରୋଗ ହେବାର ଆଶଙ୍କା କମିଯାଏ । ହେଲେ ଯୋଗାଭ୍ୟାସ କରିବା ସମୟରେ ବୟସ, ସାମାନ୍ୟ ସ୍ୱାସ୍ଥ୍ୟ, ବସ୍ତ୍ର, ଆସନୀ, ଅଭ୍ୟାସ ସ୍ଥାନ, ଆହାର, ବ୍ରହ୍ମଚର୍ଯ୍ୟ ଓ ସମୟ ଆଦିକୁ ବିଚାର କରି ଯୋଗାଭ୍ୟାସ କରିବା ଉଚିତ । କାରଣ, ଏସବୁ ବିଷୟକୁ ଧ୍ୟାନ ନ ଦେଇ ଯୋଗାଭ୍ୟାସ କଲେ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ମହାନ ଭାରତୀୟ ପରମ୍ପରାର ଅଭିନ୍ନ ଅଙ୍ଗ ‘ଯୋଗ’କୁ ବିଶ୍ୱ ସ୍ତରରେ ପହଂଚାଇବା ପାଇଁ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ସେପ୍ଟେମ୍ବର ୨୦୧୪ରେ ମିଳିତ ଜାତିସଂଘର ସାଧାରଣ ସଭାରେ ନିଜ ଅଭିଭାଷଣରେ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ରଖିଥିଲେ । ୧୧ ଡିସେମ୍ବର ୨୦୧୪ରେ ୧୭୭ଟି ଦେଶର ସହମତି କ୍ରମେ ମିଳିତ ଜାତିସଂଘରେ ଏହି ପ୍ରସ୍ତାବ ପାରିତ ହୋଇଥିଲା । ଫଳରେ ୨୧ ଜୁନ୍ ୨୦୧୫ରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଥିଲା । ନୂଆଦିଲ୍ଲୀର ରାଜ୍ପଥ୍ରେ ୮୪ଟି ଦେଶର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀ ଏବଂ ୩୫,୯୮୫ ଜଣ ବ୍ୟକ୍ତି ୩୫ ମିନିଟ୍ର ଅବଧିରେ ୨୧ଟି ଯୋଗାସନର ଅଭ୍ୟାସ କରିଥିଲେ । ଏତେ ସଂଖ୍ୟକ ଅଂଶଗ୍ରହଣକାରୀ ଏକା ସମୟରେ ଯୋଗାଭ୍ୟାସ କରିବାଟା ରେକର୍ଡ ସୃଷ୍ଟି କରିଥିଲା ଏବଂ ଏହା ‘ଲିମ୍କା ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନ ପାଇଥିଲା । ସେଦିନ ସାନ୍ଫ୍ରାନ୍ସିସ୍କୋର ମାରିନା ଗ୍ରୀନ୍ପାର୍କରେ ମଧ୍ୟ ୫୦୦୦ ଅଂଶଗ୍ରହଣକାରୀ ଜମା ହୋଇ ଏକା ସାଙ୍ଗରେ ଯୋଗାଭ୍ୟାସ କରିଥିଲେ । ପ୍ରତିବର୍ଷ ଆନ୍ତର୍ଜାତିକ ଯୋଗ ଦିବସରେ ବିଭିନ୍ନ ସ୍ଥାନରେ ହଜାର ହଜାର ଅଂଶଗ୍ରହଣକାରୀଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ଯୋଗାଭ୍ୟାସ କରିଆସୁଛନ୍ତି । ଧିରେଧିରେ ଆନ୍ତର୍ଜାତିକ ଯୋଗ ଦିବସ ଜନାଦୃତ ହୋଇ ବିଭିନ୍ନ ଦେଶରେ ପାଳନ କରାଗଲା । ଚଳିତବର୍ଷ ନବମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେଉଛି । ଏଥର ଏହାର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍ ପାଇଁ ଯୋଗ’ । ବସୁଧୈବ କୁଟୁମ୍ବକମ୍ ମାନେ ସମଗ୍ର ସଂସାର ଗୋଟେ ପରିବାର । ତେଣୁ ଏହି ଥିମ୍ର ତାତ୍ପର୍ଯ୍ୟ ହେଉଛି ପୃଥିବୀର ସବୁ ବ୍ୟକ୍ତିଙ୍କ ସୁସ୍ୱାସ୍ଥ୍ୟ ପାଇଁ ଯୋଗର ଉପଯୋଗିତା ରହିଛି ।
ଆଜିର ବ୍ୟସ୍ତବହୁଳ ଦିନଚର୍ଯ୍ୟାରେ ଯୋଗର ଆବଶ୍ୟକତାକୁ ଅଣଦେଖା କରାଯାଇନପାରେ । ବିଭିନ୍ନ ଉପାଦେୟତା ପାଇଁ ଏହା ଦିନକୁଦିନ ବେଶୀ ବେଶୀ ଜନାଦୃତ ହେବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଯୋଗକୁ ଲୋକାଭିମୂଖୀ କରିବାରେ ଅନେକ ସନ୍ୟାସୀ ଓ କିଛି ସେଲିବ୍ରିଟିଙ୍କ ଭୁମିକା ମଧ୍ୟ ରହିଛି । ଏ ଦିଗରେ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଫେସ୍ବୁକ୍, ଟୁଇଟର୍, ହ୍ୱାଟସ୍ଆପ୍, ୟୁବ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମର ଭୂମିକା ମଧ୍ୟ ବେଶ୍ ପ୍ରଶଂସାଯୋଗ୍ୟ ।
ଯୋଗାଭ୍ୟାସ ଦ୍ୱାରା ଜଣେ ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଅନେକାଂଶରେ ସୁସ୍ଥ ରହିପାରିବ । ବ୍ୟକ୍ତି ସୁସ୍ଥ ରହିଲେ ହିଁ ଗୋଟେ ସୁସ୍ଥ ସମାଜ ତଥା ଗୋଟେ ସୁସ୍ଥ ରାଷ୍ଟ୍ରର ପରିକଳ୍ପନା ସମ୍ଭବ ।