ଡା. ବିଘ୍ନରାଜ ପାଲ୍‌
ଚକ୍ଷୁରୋଗ ବିଶେଷଜ୍ଞ
ଏଏସ୍‌ଜି ଚକ୍ଷୁ ଚିକିତ୍ସାଳୟ
ଭୁବନେଶ୍ୱର

ଆଲର୍ଜି ସୃଷ୍ଟି କରୁଥିବା ବିଭିନ୍ନ ତତ୍ତ୍ୱ ସଂସ୍ପର୍ଶରେ ଯେତେବେଳେ ଆଖି ଆସିଥାଏ, ସେତେବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରତିକ୍ରିୟାଶୀଳ ହୋଇଉଠେ । ଫଳରେ ଆଖିରେ ଅସହ୍ୟ କୁଣ୍ଡେଇ ହୁଏ, ଫୁଲିଯାଏ, ଆଖି ନାଲି ପଡିଯାଏ ଓ ପୀଡା ହୁଏ; ଏହି ଅବସ୍ଥାକୁ ‘ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍‌’ କୁହାଯାଏ ।


କଞ୍ଜକ୍ଟିଭା ହେଉଛି ଆଖିକୁ ସମ୍ପୂର୍ଣ୍ଣ ଢ଼ାଙ୍କି ରଖୁଥିବା ଏକ ପତଳା ଆବରଣ ବା ଝିଲ୍ଲୀ । ପ୍ରକୃତରେ କଞ୍ଜକ୍ଟିଭାରେ ହିଁ ଆଲର୍ଜି କିମ୍ବା ସଂକ୍ରମଣ ପାଇଁ ଫୁଲା ସୃଷ୍ଟି ହୋଇ ଅନେକ ଆନୁଷଙ୍ଗିକ ଲକ୍ଷଣ ପ୍ରକାଶ ପାଏ ତଥା ଏହା ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍‌ର ରୂପ ନେଇଥାଏ । ଯେଉଁ ବ୍ୟକ୍ତିମାନଙ୍କୁ ଶ୍ୱାସ ରୋଗ ବା ସ୍କିନ୍ ଆଲର୍ଜି ଥାଏ, ସେମାନଙ୍କୁ ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍ ହେବାର ଆଶଙ୍କା ବେଶୀ ଦେଖାଯାଇଥାଏ । ଯଦି ଏହା ରାଇନାଇଟିସ୍ (ନାକ ମଧ୍ୟରେ ଥବା ମ୍ୟୁକସ୍ ମେମ୍ବ୍ରେନ୍ ବା ଶ୍ଳେଷ୍ମା ଝିଲ୍ଲୀ ଫୁଲିଯିବା ଦ୍ୱାରା ନାକରୁ ସିଂଘାଣି ବାହାରିବା, ଛିଙ୍କ ହେବା ଆଦି ଲକ୍ଷଣ ପ୍ରକାଶ ପାଏ) ସହ ସଂଶ୍ଳିଷ୍ଟ ଥିବ, ତେବେ ଏହାକୁ ‘ଆଲର୍ଜିକ୍ ରାଇନୋକଞ୍ଜକ୍ଟିଭାଇଟିସ୍‌’ କୁହାଯାଏ । ମାଷ୍ଟ୍ ସେଲ୍ ନାମକ ଏକ ପ୍ରକାରର ଶ୍ୱେତ ରକ୍ତ କଣିକା ଦ୍ୱାରା ହିଷ୍ଟାମିନ୍ ଓ ଅନ୍ୟାନ୍ୟ ସକ୍ରିୟ ତତ୍ୱ ସବୁ ନିର୍ଗତ ହେବା ଫଳରେ ରକ୍ତବାହୀ ନଳୀକାଗୁଡିକର ଫୁଲି ଯିବାଟା ପ୍ରୋତ୍ସାହିତ ହୁଏ, ସ୍ନାୟୁର ଅନ୍ତିମ ଭାଗ ଉତ୍ତେଜିତ ହୁଏ ତଥା ଲୁହ ଝରିବାଟା ବୃଦ୍ଧି ହେବା ଆଦି ଲକ୍ଷଣ ସବୁ ପ୍ରକାଶ ପାଇଥାଏ ।
ଆଲର୍ଜି ଉତ୍ପନ୍ନ କରୁଥିବା ବିଭିନ୍ନ ତତ୍ୱ (ଆଲର୍ଜେନ୍‌) ଦୂରୀକରଣ ପାଇଁ ବହୁବିଧ ଉପଚାର, ଆଂଟିହିଷ୍ଟାମିନ୍ ଔଷଧ (ଆଏ ଡ୍ରପ୍ କିମ୍ବା ଟାବଲେଟ୍‌) ଓ ଏନଏସଏଆଇଡି (ବ୍ୟଥାନାଶକ ଔଷଧ) ଇତ୍ୟାଦି ଦ୍ୱାରା କଞ୍ଜକ୍ଟିଭାଇଟିସର ଚିକିତ୍ସା କରାଯାଏ ।

ଲକ୍ଷଣ:
– ଆଖି କୁଣ୍ଡେଇ ହେବା
– ଆଖିରେ ସାମାନ୍ୟ ପୀଡା ହେବା
– ଆଖି ନାଲି ପଡିଯିବା
– ଆଖିପତା ଫୁଲିଯିବା
– ଲୁହ ଝରିବା
– ଆଲୁଅକୁ ଦେଖି ନ ପାରିବା
– ଅତ୍ୟଧିକ ଲେଞ୍ଜରା ବାହାରିବା
– ଆଖିରେ କିଛି ଗୋଟେ ରହିଗଲା ପରି ବିଷମ ଅନୁଭବ (ଆଖି ଗଡିବା) ଇତ୍ୟାଦି ।
୭୫%ରୁ ଅଧିକ ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍ ରୋଗୀଙ୍କ କ୍ଷେତ୍ରରେ ଲକ୍ଷ୍ୟ କରାଯାଇଛି ଯେ, ଯେତେବେଳେ ବି ସେମାନେ ଡାକ୍ତରଙ୍କ ପାଖକୁ ଆସନ୍ତି, ସେମାନେ ଆଲର୍ଜି କାରଣରୁ ହୋଇଥିବା ଆଖି କୁଣ୍ଡେଇବାରୁ ରକ୍ଷା ପାଇବା ପାଇଁ ହିଁ ଆସିଥାନ୍ତି । ବେଳେବେଳେ ଆଖିରେ ହଳଦିଆ ଚିହ୍ନ ବା ବ୍ରଣ ଭଳି ଦେଖାଯାଏ, ଯେଉଁଟା କିଛିଦିନ ପରେ ଘାଆକୁ ରୂପାନ୍ତରିତ ହୋଇ ଯାଇଥାଏ; ଏହାକୁ ‘ଫ୍ଲିକ୍ଟେନ୍ୟୁଲାର୍ କେରାଟୋକଞ୍ଜକ୍ଟିଭାଇଟିସ୍‌’ କୁହାଯାଏ । ଯଦି ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍ ଦୀର୍ଘ ଦିନ ଧରି ଲାଗି ରହେ ତେବେ ଏହା ଲିମ୍ବାଲ୍ ଷ୍ଟେମ୍ ସେଲ୍‌କୁ କ୍ଷତି ପହଂଚାଇ ଥାଏ ଏବଂ ସ୍ୱଚ୍ଛ ପଟଳ (କର୍ଣ୍ଣିଆ)କୁ ମଧ୍ୟ ଆକ୍ରାନ୍ତ କରିଥାଏ । କିଛି କ୍ଷେତ୍ରରେ ଏହା ସ୍ୱଚ୍ଛ ପଟଳରେ ଘାଆ ମଧ୍ୟ କରାଇଥାଏ ।

କାରଣ:
ଆଲର୍ଜି ଉତ୍ପନ୍ନ କରୁଥିବା ତତ୍ତ୍ୱ (ଆଲର୍ଜେନ୍‌) ପ୍ରତି ଶରୀରର ରୋଗ ପ୍ରତିରୋଧକ ଶକ୍ତିର ଅସହିଷ୍ଣ ପ୍ରତିକ୍ରିୟା ଦ୍ୱାରା ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍ ହୋଇଥାଏ । ଯେଉଁ ରୋଗୀମାନେ କୌଣସି ଆଲର୍ଜି ଜନିତ ରୋଗ ଯଥା- ଥଣ୍ଡା ଜ୍ୱର, ଶ୍ୱାସ ରୋଗ, ଏକ୍‌ଜିମା (କୁଣ୍ଡିଆ) ଆଦିରେ ଆକ୍ରାନ୍ତ ହୋଇଥିବେ, ସେମାନେ ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍‌ରେ ଆକ୍ରାନ୍ତ ହେବାର ଆଶଙ୍କା ବେଶୀ ଥାଏ ।
କଞ୍ଜକ୍ଟିଭାଇଟିସ୍ ସୃଷ୍ଟି କରୁଥିବା ଆଲର୍ଜେନ୍ ଗୁଡିକ ହେଲା
– ପରାଗ ରେଣୁ
– ପଶୁମାନଙ୍କ ଚମଡା ଏବଂ ଲାଳ ଆଦି ସ୍ରାବ
– ପର୍‌ଫ୍ୟୁମ୍‌
– କସ୍ମେଟିକ୍‌ସ (ପ୍ରସାଧନ ସାମଗ୍ରୀ)
– ବାୟୁ ପ୍ରଦୂଷଣ
– ଧୂଳି, ଧୂଆଁ, ବିଭିନ୍ନ ପ୍ରକାର ଗୁଣ୍ଡ

ନିରାକରଣ ଓ ଚିକିତ୍ସା:
ରୋଗର ଇତିହାସକୁ ଅନୁଧ୍ୟାନ କରିବା ଫଳରେ ଏହା ଆଲର୍ଜେନ୍ ଦ୍ୱାରା ସୃଷ୍ଟି ହୋଇଛି ନା ଅନ୍ୟ କିଛି କାରଣ ଦ୍ୱାରା ସୃଷ୍ଟି ହୋଇଛି, ତାହା ଜଣାପଡିଥାଏ । ଇସିନୋଫିଲ୍ ଦେଖିବାକୁ କଞ୍ଜକ୍ଟିଭାଲ୍ ସ୍କ୍ରାପିଙ୍ଗସ ଭଳି ପରୀକ୍ଷା କରାଯାଏ । ଆଂଟିହିଷ୍ଟାମିନ୍ ଔଷଧ, ଷ୍ଟିରଏଡ଼୍ ଡ୍ରପ୍‌, ଲୁବ୍ରିକେଂଟ୍ ଓ ଏନଏସଏଆଇଡି ଇତ୍ୟାଦି ବ୍ୟବହାର ଦ୍ୱାରା ସୁଫଳ ମିଳିଥାଏ । ଯେତେବେଳେ ଆଲର୍ଜେନ୍ ଜଣାପଡିଥାଏ ତଥା କଞ୍ଜକ୍ଟିଭାଇଟିସ୍ ପ୍ରାରମ୍ଭିକ ଅବସ୍ଥାରେ ଥାଏ, ସେତେବେଳେ ଆଖି ବ୍ୟଥା ଓ ଫୁଲା କମ୍ କରିବା ପାଇଁ କୋଲ୍ଡ କମ୍ପ୍ରେସନ୍ ଥେରାପି ଉପଯୋଗ କରାଯାଇପାରେ । କେତେ କ୍ଷେତ୍ରରେ ଆଲର୍ଜେନ୍ ଇମ୍ୟୁନୋଥେରାପି ଭଳି ଚିକିତ୍ସା ବିଧି ପ୍ରୟୋଗ ହୁଏ । ଏବେ ବିଭିନ୍ନ ପ୍ରକାର ଆଇ ଡ୍ରପ୍ ମଧ୍ୟ ଉପଲବ୍ଧ ହେଲାଣି । ତେବେ ଏଠାରେ ପାଠକମାନେ ମନେ ରଖିବା ଉଚିତ ଯେ, ଯଦି ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍‌ର ଲକ୍ଷଣ ପ୍ରକାଶ ପାଉଥାଏ ତେବେ ନିଜେ ନିଜେ କୌଣସି ଔଷଧ ସେବନ କରନ୍ତୁ ନାହିଁ ଏବଂ ବିଳମ୍ବ ନ କରି ଜଣେ ଅଭିଜ୍ଞ ଚକ୍ଷୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।