
ଡା. ଅଖିଳ କୁମାର ପଣ୍ଡା
ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ
ଆମ୍ରି ହସ୍ପିଟାଲ୍, ଭୁବନେଶ୍ୱର
ଆଲ୍ଜାଇମର୍ ରୋଗ କ’ଣ?
ଆଲ୍ଜାଇମର୍, ମସ୍ତିଷ୍କର ଏକ ରୋଗ । ଏହି ରୋଗ କାରଣରୁ ମସ୍ତିଷ୍କର ଅନେକ ତନ୍ତ୍ରିକା କୋଷ ମୃତ୍ୟୁବରଣ କରିଥାନ୍ତି । ଏହା ଦ୍ୱାରା ବିଭିନ୍ନ ବସ୍ତୁକୁ ଚିହ୍ନିବା, ସ୍ପଷ୍ଟ ଚିନ୍ତା କରିବା ଓ ଉପଯୁକ୍ତ ନିଷ୍ପତି ନେବା ଆଦି ମାନସିକ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଏହା ଧୀରେ ଧୀରେ ବୃଦ୍ଧି ପାଇଥାଏ ଏବଂ ବୟସ ବଢ଼ିବା ସହ ଏହି ଲକ୍ଷଣଗୁଡ଼ିକ (ଭୁଲିଯିବା, ପରିଚିତ ଲୋକଙ୍କୁ ବି ଚିହ୍ନି ନ ପାରିବା, ଭ୍ରମ ହେବା ଆଦି) ତୀବ୍ର ହେବାରେ ଲାଗେ ।
ଆଲ୍ଜାଇମର୍ର ଲକ୍ଷଣ ସବୁ କ’ଣ?
ଏହାର ଲକ୍ଷଣ ପ୍ରାରମ୍ଭିକ ଅବସ୍ଥାରେ ଅଳ୍ପ ମାତ୍ରାରେ ଦେଖାଯାଏ । କିନ୍ତୁ କ୍ରମଶଃ ତୀବ୍ର ହେବାରେ ଲାଗେ । ଏହା ରୋଗୀକୁ ଅନେକ ପ୍ରକାରରେ ପ୍ରଭାବିତ କରିଥାଏ ଏବଂ ଏହାର ତୀବ୍ରତାର କ୍ରମିକ ବିକାଶ ସବୁ ରୋଗୀଙ୍କଠାରେ ସମାନ ନ ହୋଇ ଭିନ୍ନ ପ୍ରକାର ମଧ୍ୟ ହୋଇପାରେ । ପ୍ରାରମ୍ଭିକ ଅବସ୍ଥାରେ ନିମ୍ନଲିଖିତ ଲକ୍ଷଣ ଦେଖାଯାଏ ।
– ସଠିକ୍ ଶବ୍ଦ ବା ସଠିକ୍ ନାମ ମନେପକାଇ ନ ପାରିବା
– ନୂଆ ଲୋକଙ୍କ ସହ ପରିଚିତ ହେଲେ ତାଙ୍କ ନାମ ମନେରଖିବାରେ କଷ୍ଟ ହେବା
– ନିଜର କର୍ମକ୍ଷେତ୍ରରେ ବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜ କାମ କରିବାରେ କଷ୍ଟ ହେବା
– କିଛି ନୂଆ ଯୋଜନା କରି ନ ପାରିବା
– ମୂଲ୍ୟବାନ ବସ୍ତୁ ହଜାଇଦେବା
ଆଲ୍ଜାଇମର୍ର ମଧ୍ୟମ ଅବସ୍ଥାର ଅବଧି ବେଶି ଏବଂ ଏହା ଅନେକ ବର୍ଷ ଯାଏଁ ମଧ୍ୟ ଦେଖାଯାଇପାରେ । ରୋଗୀ ଧୀରେ ଧୀରେ ଅନ୍ୟ ଉପରେ ନିର୍ଭରଶୀଳ ହେବାରେ ଲାଗେ । ଏହି ଅବସ୍ଥାରେ ନିମ୍ନଲିଖିତ ଲକ୍ଷଣ ପ୍ରକାଶ ପାଇଥାଏ । ଯଥା –
– ପ୍ରତିକୂଳ ପରିସ୍ଥିିତିରେ ଉଦାସ ହେବା ବା ବିରକ୍ତ ହେବା ବା ବିଚଳିତ ହେବା
– ‘ମୁଁ କେଉଁଠି ଅଛି’ ବା ‘ଆଜି କି ବାର’ ଆଦି ଭ୍ରମ ହେବା ଭଳି ପ୍ରଶ୍ନ ପଚାରିବା
– ମଳ ମୂତ୍ରକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବା
– ବାଟ ଭୁଲିଯିବା
– ନିଜ ବ୍ୟକ୍ତିଗତ ଜୀବନର ଇତିହାସ ବା ଘଟଣା-ଦୁର୍ଘଟଣା ସମ୍ପର୍କରେ ଭୁଲିଯିବା
– ନିଜର ଘର ଠିକଣା, ମୋବାଇଲ୍ ନମ୍ବର, ସ୍କୁଲ-କଲେଜର ନାମ ଇତ୍ୟାଦିକୁ ମନେପକାଇ ନ ପାରିବା
– ପାଗ ଅନୁସାରେ ବା କାର୍ଯ୍ୟକ୍ରମ ଅନୁସାରେ ନିଜର ପୋଷାକ ଚୟନ କରି ନ ପାରିବା
– ନିଦ୍ରା ସମୟରେ ପରିବର୍ତନ ଆସିବା ଯଥା – ରାତ୍ରି ସମୟରେ ବିଚଳିତ ରହିବା ଓ ଦିନ ସମୟରେ ଶୋଇପଡ଼ିବା
– ବ୍ୟକ୍ତିତ୍ୱ ବା ବ୍ୟବହାରରେ ପରିବର୍ତନ ଆସିବା ଯଥା – ଶଙ୍କାକୁଳ ହେବା ବା ଭୟଭୀତ ହୋଇପଡ଼ିବା, ଭ୍ରମିତ ହେବା, ଜିଦ୍ଖୋର ହେବା, ବାରମ୍ବାର ହାତ ଘଷିବା, ପେପର୍ ଚିରିବା ଇତ୍ୟାଦି ।
ଶେଷରେ ଏହି ରୋଗ ଗମ୍ଭୀରାବସ୍ଥା ବା ଗୁରୁତର ଅବସ୍ଥାକୁ ଗତି କରେ । ନିଜର ପାରିପାଶ୍ୱିର୍କ ପରିସ୍ଥିତି ଅନୁଯାୟୀ ପ୍ରତିକ୍ରିୟା ବ୍ୟକ୍ତ କରି ନ ପାରିବା, ଅଯଥାରେ କଥାବାର୍ତା ଜାରି ରଖିବା ଓ ନିଜର ଗତିକୁ ନିୟନ୍ତ୍ରଣ କରିବାର କ୍ଷମତା ହରାଇବା ଆଦି ଲକ୍ଷଣ ପରିଲକ୍ଷିତ ହୋଇଥାଏ ।ଏହି ଅବସ୍ଥାରେ ରୋଗୀ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ ଧୀରେ ଧୀରେ ଅଧିକ ନିର୍ଭରଶୀଳ ହୋଇଯାଏ । ଏହି ସମୟରେ ନିମ୍ନଲିଖିତ ସମସ୍ୟା ଉତ୍ପନ୍ନ ହୋଇଥାଏ । ଯଥା –
– ସବୁ ସମୟରେ ରୋଗୀକୁ ପ୍ରତ୍ୟକ୍ଷ ନିରୀକ୍ଷଣରେ ରଖିବାକୁ ପଡ଼ିଥାଏ
– ଚତୁଃପାଶ୍ୱର୍ର ସ୍ଥିତି ବିଷୟରେ ରୋଗୀ ସଚେତନ ହୋଇପାରେ ନାହିଁ
– ରୋଗୀର ଦୈନନ୍ଦିନ କାର୍ଯ୍ୟ ପାଇଁ ପରିବାର ଲୋକଙ୍କ ସହାୟତା ଆବଶ୍ୟକୀୟ ହୋଇଉଠେ
– ରୋଗୀର ବସିବା, ଉଠିବା, ଖାଇବା, ବୁଲିବା ଆଦି ଅଭ୍ୟାସରେ ପରିବର୍ତନ ଘଟିଥାଏ
– କୌଣସି ଘଟଣା ସମ୍ପର୍କରେ ବଖାଣିଲାବେଳେ ଅସୁବିଧା ହୁଏ
– ନିମୋନିଆ ଭଳି ସଂକ୍ରମଣର ଆଶଙ୍କା ବୃଦ୍ଧି ପାଏ ଇତ୍ୟାଦି ।

ଆଲ୍ଜାଇମର୍ର ନିରାକରଣ ପାଇଁ କ’ଣ କରାଯାଏ?
ଯଦି ଆଲ୍ଜାଇମର୍ର ଲକ୍ଷଣ ଦେଖୁଛନ୍ତି ତେବେ ଜଣେ ଅଭିଜ୍ଞ ସ୍ନାୟୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ । ଆଲ୍ଜାଇମର୍ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ପରିବାର ଲୋକ ବା ପରିଜନଙ୍କ ଭୂମିକା ଖୁବ୍ ମହତ୍ୱପୂର୍ଣ୍ଣ ହୋଇଥାଏ । ପରିବାର ଲୋକ ସ୍ନେହୀ, ସହଯୋଗୀ ତଥା ସବୁବେଳେ ପାଖରେ ଉପସ୍ଥିତ ରହିବା ଆବଶ୍ୟକ । ଦରକାର ପଡ଼ିଲେ ରୋଗୀଙ୍କ କାର୍ଯ୍ୟ, ଭବିଷ୍ୟତ ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରନ୍ତୁ । ରୋଗୀର ଖାଇବା, ପିଇବା, ପିନ୍ଧିବା, ନିତ୍ୟକର୍ମ କରିବା ଆଦି ବିଷୟରେ ତାଙ୍କୁ ବାରମ୍ବାର ମନେପକାନ୍ତୁ । ରୋଗୀଙ୍କୁ ଆଶ୍ୱାସନା ଦିଅନ୍ତୁ । ଯେତେ ଅଧିକ କାମ ସେ ନିଜେ କରିପାରୁଛନ୍ତି, ତାଙ୍କୁ ସେତେ ଉତ୍ସାହିତ କରନ୍ତୁ । ରୋଗୀଙ୍କ ସହ ମିଶିକରି ଗୀତ ଶୁଣନ୍ତୁ, ରୋଷେଇ କରନ୍ତୁ ବା ବୁଲାବୁଲି କରନ୍ତୁ । ରୋଗୀ ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରି ପାରନ୍ତି, ତେଣୁ ପରିବାର ଲୋକ ବିଲ୍କୁଲ ବି ନ ରାଗି ଶାନ୍ତିରେ, ସ୍ଥିର ଚିତରେ ଉତର ଦିଅନ୍ତୁ । ଯଦି ରୋଗୀ ପଢ଼ାପଢ଼ି କରିବାରେ ସକ୍ଷମ ହେଉଥାନ୍ତି ତେବେ ତାଙ୍କୁ ସରଳ ଶବ୍ଦରେ କିଛି କିଛି ଲେଖି ପଢ଼ିବାକୁ ଦିଅନ୍ତୁ ଓ ମନେପକାଇବାରେ ସହାୟତା କରନ୍ତୁ । ରୋଗୀ ଜୀବନର ଗୁଣବତା ତଥା ସାମାଜିକ ମର୍ଯ୍ୟାଦାର ନିରୀକ୍ଷଣ ମଧ୍ୟ ଏକାନ୍ତ ଆବଶ୍ୟକ । ରୋଗୀର ଯତ୍ନ ଭଲ ଭାବେ ନେବା ଜରୁରୀ । ନରମ ଆହାର ଦିଅନ୍ତୁ, ଯେମିତିକି ଏହାକୁ ସହଜରେ ଚୋବାଇ ହେଉଥିବ ତଥା ଏହା ସହଜରେ ହଜମ ହୋଇପାରୁଥିବ । ମେଦବହୁଳତା ଦୂରେଇବାର ପ୍ରଯତ୍ନ କରନ୍ତୁ । ରୋଗୀର ସ୍ୱାଭାବିକ ଦିନଚର୍ଯ୍ୟା ଅନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ ।