
ଡା. ଆଲୋକ କାନୁନ୍ଗୋ
ଚିଫ୍ କନ୍ସଲଟାଣ୍ଟ୍ ଡାଇବେଟୋଲିଷ୍ଟ୍
କିଡ୍ସ ହସପିଟାଲ୍
ଭୁବନେଶ୍ୱର
ରକ୍ତ ଶର୍କରା ହେଉଛି ବ୍ଲଡ଼୍ ଗ୍ଲୁକୋଜ୍ । ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି, ତାକୁ ଆପଣଙ୍କ ଦେହ ଭାଙ୍ଗି ଦେଇ ଗ୍ଲୁକୋଜରେ ପରିଣତ କରିଦେଇଥାଏ । ଗ୍ଲୁକୋଜ୍ଟି ହେଉଛି କାର୍ବୋହାଇଡ୍ରେଟ୍ ବା ଚିନି ବା ଶର୍କରା- ସାଧାରଣ ଭାଷାରେ ଶ୍ୱେତସାର ଗୋଟିଏ ରୂପ । ଏହି ଗ୍ଲୁକୋଜ୍ ରକ୍ତ ସାହାଯ୍ୟରେ ଚାଲିଯାଉଛି ଆପଣଙ୍କ ଦେହର ପ୍ରତ୍ୟେକଟି କୋଷ ବା ଜୀବକୋଷ ପାଖକୁ । କାରଣ କୋଷର ଊର୍ଜା ବା ଶକ୍ତି ଆବଶ୍ୟକତାର ଉତ୍ସ ହେଉଛି ଗ୍ଲୁକୋଜ୍ । ଆପଣଙ୍କ କୋଷ ସମୂହର ମଧ୍ୟ ଗୋଟିଏ ଗୋଟିଏ ଦେହ ବା ପିଣ୍ଡ ରହିଛି । ସେହି ପିଣ୍ଡ ଭିତରକୁ ଯିବା ପାଇଁ କିନ୍ତୁ ଗ୍ଲୁକୋଜ୍ ଗୋଟିଏ ଜୈବ-ରାସାୟନିକ ଉପାଦାନର ସାହାଯ୍ୟ ନେଇଥାଏ ସେହି ଉପାଦାନଟି ହେଉଛି ଆମର ଅତି ଜଣାଶୁଣା ଇନସୁଲିନ୍ ।

ଆପଣଙ୍କ ଭଳି ଯେଉଁମାନେ ହେଉଛନ୍ତି ମଧୁମେହୀ ବା ଡାଇବେଟିସ୍ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି, ସେମାନଙ୍କ କ୍ଷେତ୍ରରେ ଏହି ଇନସୁଲିନ୍ ସୃଷ୍ଟି ପ୍ରକ୍ରିୟାଟି ହେଉଛି ଗୋଟିଏ ମୌଳିକ ଅସୁବିଧା । ବେଳେବେଳେ ହୁଏତ ଆପଣଙ୍କ ଦେହରେ ଆଦୌ ଇନସୁଲିନ୍ ତିଆରି ହୋଇପାରୁ ନାହିଁ । (ଯେଉଁଠି ‘ଟାଇପ୍ ୧ ଡାଇବେଟିସ୍’ ବିଷୟରେ ଆଲୋଚନା କରାଯାଇଛି, ସେଠି ଏହି ସମସ୍ୟାର ପରିଚୟ ରହିଛି) । ଅନ୍ୟ ଏକ କ୍ଷେତ୍ରରେ ଆପଣଙ୍କ ଦେହରେ ଇନ୍ସୁଲିନ୍ ଅଛି- କିନ୍ତୁ ତାହାର ସ୍ତର ବା ମାତ୍ରା ଯଥେଷ୍ଟ ନୁହେଁ ଏବଂ ସେହି କାରଣରୁ ଆପଣଙ୍କ ଦେହ ଏହାକୁ ଉପଯୁକ୍ତ ଭାବରେ ବ୍ୟବହାର କରିବାରେ ସକ୍ଷମ ହୋଇ ପାରୁନାହିଁ (ଯେଉଁଠି ‘ଟାଇପ୍ ୨ ଡାଇବେଟିସ୍’ ବିଷୟରେ ଆଲୋଚନା କରାଯାଇଛି, ସେଠି ଏହି ସମସ୍ୟାର ପରିଚୟ ରହିଛି) ।
ଯେତେବେଳେ ଇନସୁଲିନ୍ ନିଜ ପ୍ରକୃତିଦତ କାର୍ଯ୍ୟକୁ ସମାହିତ କରିବାରେ ଅକ୍ଷମ ହୁଏ, ସେତେବେଳେ ଗ୍ଲୁକୋଜ୍ ଆଉ କୋଷ ଭିତରକୁ ପ୍ରବେଶ କରିବା ପାଇଁ ସମର୍ଥ ହୁଏନାହିଁ । ଏହା ପରିବର୍ତେ ଏହା ରକ୍ତରେ ଆସି ଜମିଯାଏ । ରକ୍ତରେ କେତେ ଗ୍ଲୁକୋଜ୍ ରହିଛି, ତାହାହିଁ ହେଉଛି ଆପଣଙ୍କ ରକ୍ତ ଶର୍କରା ସ୍ତର ବା ବ୍ଲଡ୍ ଗ୍ଲୁକୋଜ୍ ଲେଭ୍ଲ । ସାଧାରଣତଃ ଏହି ମାପକୁ ପ୍ରତି ଡେସିଲିଟର ମିଲିଗ୍ରାମ୍ ବା ଏମ୍ଜି/ଡିଏଲ୍ ଭାବରେ ପ୍ରକାଶ କରାଯାଇଥାଏ । ବେଳେବେଳେ ଏହାକୁ ଏମ୍ଏମ୍ଓଏଲ୍/ଲିଟର୍ ଭାବରେ ମଧ୍ୟ ସୂଚାଇ ଦିଆଯାଇଥାଏ ।
ରକ୍ତରେ ଅତ୍ୟଧିକ ମାତ୍ରାରେ ଗ୍ଲୁକୋଜ୍ ବା ଶର୍କରା ରହିବା ଅବସ୍ଥାକୁ ହାଇପରଗ୍ଲାଇସେମିଆ କିମ୍ବା ହାଇ ବ୍ଲଡ଼୍ ଗ୍ଲୁକୋଜ୍ ବୋଲି କୁହାଯାଇଥାଏ । ରକ୍ତରେ ଯଦି ଗ୍ଲୁକୋଜ ସ୍ତର ଅତି ଅଳ୍ପ ମାତ୍ରାରେ ରହିଲା, ତେବେ ସେହି ଅବସ୍ଥା ହେଉଛି କିନ୍ତୁୁ ହାଇପୋଗ୍ଲାଇସେମିଆ କିମ୍ବା ଲୋ ବ୍ଲଡ଼୍ ଗ୍ଲୁକୋଜ । ରକ୍ତରେ ଗ୍ଲୁକୋଜର ସ୍ତର ବା ମାତ୍ରା ଖୁବ୍ ଅଧିକ କିମ୍ବା ଖୁବ କମ୍ ରହିବା ହେଉଛି ଦେହପାଇଁ କ୍ଷତିକାରକ ଏବଂ ଏହାଦ୍ୱାରା ଆପଣ ଅସୁସ୍ଥ ଅନୁଭବ କରିଥାନ୍ତି । ରକ୍ତର ଏହି ଦୁଇ ସ୍ତର ବିଷୟରେ ଏହି ପୁସ୍ତକଟିରେ ଆପଣଙ୍କ ଗୋଚରାର୍ଥେ ଅନ୍ୟତ୍ର ଆଲୋଚନା କରାଯାଇଛି ।
ସ୍ୱାସ୍ଥ୍ୟବାନ ରହିବା ପାଇଁ ତଥା ଶାରୀରିକ ସୁଖ ଅନୁଭବ କରିବା ନିମନ୍ତେ ଆପଣଙ୍କୁ ଉଭୟ ହାଇ ବ୍ଲଡ଼୍ ଗ୍ଲୁକୋଜ ଏବଂ ଲୋ ବ୍ଲଡ଼୍ ଗ୍ଲୁକୋଜ ସ୍ତରଠାରୁ ନିଶ୍ଚୟ ଦୂରେଇ ରହିବାକୁ ପଡ଼ିବ । ଏଥି ନିମନ୍ତେ ଡାକ୍ତରଙ୍କ ସାହାଯ୍ୟ ଓ ପରାମର୍ଶ ନେବା ମଧ୍ୟ ହେଉଛି ଅପରିହାର୍ଯ୍ୟ ଆବଶ୍ୟକତା । ନିମ୍ନରେ ପ୍ରଦତ୍ତ ଏକ ସାରଣୀରୁ ଆପଣ ବ୍ଲଡ୍ ଗ୍ଲୁକୋଜ ସ୍ତର ବିଷୟରେ କିଛି ଆବଶ୍ୟକୀୟ ସୂଚନା ନିଶ୍ଚୟ ପାଇଯାଉଛନ୍ତି ।

ଡାଇବେଟିସ୍ଗ୍ରସ୍ତମାନଙ୍କ ପାଇଁ ଆଦର୍ଶ ରକ୍ତ ଶର୍କରା ପରିସର ବା ବ୍ଲଡ୍ ଗ୍ଲୁକୋଜ ରେଞ୍ଜ୍ (ଗର୍ଭବତୀମାନଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ନୁହେଁ)
ସମୟ ଗ୍ଲୁକୋଜ ଏମ୍ଜି /ଡିଏଲ୍
ସକାଳ ଓ ପ୍ରାତଃ ଭୋଜନ ପୂର୍ବରୁ ୭୦ରୁ ୧୩୦
ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ପୂର୍ବରୁ ୭୦ରୁ୧୩୦
ମଧ୍ୟାହ୍ନ ଏବଂ ରାତ୍ରି ଭୋଜନର ୨ ଘଂଟା ପରେ ୧୮୦ ତଳେ
ଏଠାରେ ଦିଆଯାଇଥିବା ବ୍ଲଡ୍ ଗ୍ଲୁକୋଜ ମାତ୍ରା ଆପଣ ନିଜ ଘରେ କରିଥିବା ରକ୍ତ ପରୀକ୍ଷାରୁ ମିଳିଥିବା ମାପର ସୂଚନା ଦେଉଛି- କୌଣସି ପରୀକ୍ଷାଗାରର ପରୀକ୍ଷାରୁ ମିଳୁଥିବା ମାପ ନୁହେଁ । ଏହା ହୁଏତ ଆପଣଙ୍କ ପାଇଁ ସର୍ବଶ୍ରେଷ୍ଠ ପରିସର ବା ମାତ୍ରା ନୁହେଁ । ତେଣୁ ନିଶ୍ଚିତ ହେବାପାଇଁ, ଆପଣ ଆପଣଙ୍କ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ-ରକ୍ଷା ଟିମ୍ଙ୍କଠାରୁ ବୁଝିପାରନ୍ତି ପ୍ରକୃତରେ ଆପଣଙ୍କର ରେଞ୍ଜ୍ କେତେ ହେବା ଉଚିତ୍ । ଏଠାରେ ଦିଆଯାଇଥିବା ସ୍ତର ଗୁଡ଼ିକ ଅଧିକାଂଶ ଡାଇବେଟିସ୍ଗ୍ରସ୍ତ ଲୋକଙ୍କ ପାଇଁ ପ୍ରଯୁଜ୍ୟ ସତ; କିନ୍ତୁ କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ କ୍ଷେତ୍ରରେ ଗ୍ଲୁକୋଜ୍ ସ୍ତର ୭୦ ହେଲେ ମଧ୍ୟ ତାଙ୍କର ଚଳିଯାଉଛି । ଅପର ପକ୍ଷରେ ଅନ୍ୟ କେତେକଙ୍କ କ୍ଷେତ୍ରରେ ଗ୍ଲୁକୋଜ୍ ସ୍ତର ଯଦି ୧୦୦ ଏମ୍ଜି/ଡିଏଲ୍ରୁ କମିଗଲା, ତେବେ ସେମାନେ ଅସ୍ୱସ୍ତି ଅନୁଭବ କରୁଛନ୍ତି । ଏହି ଉଭୟ ଅବସ୍ଥାରେ ରୋଗୀ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ।
ଆପଣଙ୍କ ରକ୍ତ ଶର୍କରା ବା ବ୍ଲଡ୍ ଗ୍ଲୁକୋଜ୍ ସ୍ତରକୁ ସୀମା ଭିତରେ ରଖିବା ଏବଂ କମ୍ ବେଶୀ ନ ହେବାକୁ ଦେବା ନିମନ୍ତେ ଆପଣଙ୍କୁ ନିଶ୍ଚୟ କିଛି ଉଦ୍ୟମ କରିବାକୁ ପଡ଼ିବ । ସନ୍ତୁଳିତ ଖାଦ୍ୟ ଖାଇବା, ଶରୀର ଶ୍ରମ ବା ବ୍ୟାୟାମ କରିବା, ଡାଇବେଟିସ୍ ଔଷଧ ଖାଇବା ଏବଂ ଇନ୍ସୁଲିନ୍ ନେବାଭଳି କଥାସବୁ ହେଉଛି ଏହିଭଳି କେତେକ ଉଦ୍ୟମ । ବ୍ଲଡ୍ ଗ୍ଲୁକୋଜ୍ ମିଟର ସାହାଯ୍ୟରେ ମଧ୍ୟ ଆପଣ ନିଜ ରକ୍ତ ପରୀକ୍ଷା କରିନେଇପାରନ୍ତି ।
ନିରନ୍ତର ଗ୍ଲୁକୋଜ୍ ଯାଞ୍ଚ ନିମନ୍ତେ ସାଧନସମୂହ
ଏକଥା ସତ ଯେ, ବ୍ଲଡ୍ ଗ୍ଲୁକୋଜ୍ ମିଟର ସାହାଯ୍ୟରେ ଆପଣ ନିଜ ଗ୍ଲୁକୋଜ୍ ସ୍ତରକୁ ଦିନକ ଭିତରେ ନିଶ୍ଚୟ ବହୁବାର ଯାଞ୍ଚ କରିପାରୁଛନ୍ତି । କିନ୍ତୁ ଆଜିକାଲି ଏଥିନିମନ୍ତେ ଏଭଳି ଧରଣର ସାଧନ ମିଳିଲାଣି, ଯାହାକୁ ବ୍ୟବହାର କରି ଜଣେ ମଧୁମେହୀ ବା ଡାଇବେଟିସ୍ଗ୍ରସ୍ଥ ବ୍ୟକ୍ତି ତାଙ୍କ ରକ୍ତ ଶର୍କରାର ସ୍ତର ବିଷୟରେ ଅହୋରାତ୍ର ସୂଚନା ପାଇପାରୁଛନ୍ତି । ଏଗୁଡ଼ିକୁ କୁହାଯାଉଛି କଂଟିନୁଅସ୍ ଗ୍ଲୁକୋଜ୍ ମନିଟରିଙ୍ଗ ଯନ୍ତ୍ର ବା ସିଜିଏମ୍ ବୋଲି । ଏହି ଯନ୍ତ୍ର ବା ସାଧନ ସବୁକୁ କାମରେ ଲଗାଇବାକୁ ହେଲେ ଆପଣଙ୍କ ଚର୍ମତଳେ ଖଞ୍ଜାଯାଇଥିବା ଏକ ସମ୍ବେଦନଶୀଳ ସୂଚକ ବ୍ୟବସ୍ଥାକୁ ଏସବୁ ସହିତ ସଂପୃକ୍ତ କରିବାକୁ ପଡ଼ିବ । ଏହି ସୂଚକଗୁଡ଼ିକ ରକ୍ତରେ ଥିବା ଗ୍ଲୁକୋଜ୍ର ମାତ୍ରା ବିଷୟରେ ଯେଉଁ ନିରନ୍ତର ସନ୍ଦେଶ ପଠାନ୍ତି, ତାହା ଗୋଟିଏ ସ୍କ୍ରିନ୍ ବା ଡିସ୍ପ୍ଲେରେ ପ୍ରତିଫଳିତ ହୋଇଯାଇଥାଏ ଏବଂ ଶେଷରେ ଏହି ଫଳ ସିଜିଏମ୍ ପାଖରେ ଯାଇ ପହଂଚିଯାଏ । ଭିନ୍ନ ଭିନ୍ନ ସିଜିଏମ୍ ନିର୍ମାତା ନିଜ ନିର୍ମିତ ସାଧନରେ ଏହି ସନ୍ଦେଶ ବା ସୂଚନା ପହଂଚିବା କ୍ଷଣକୁ ପ୍ରାୟତଃ ଏକରୁ ପାଂଚ ମିନିଟ୍ ଭିତରେ ସୀମିତ ରଖିଥାନ୍ତି ।
ବଜାରରେ ସ୍ୱଳ୍ପ ସଂଖ୍ୟକ ନିର୍ମାତାଙ୍କ ଦ୍ୱାରା ନିର୍ମିତାଙ୍କ ଦ୍ୱାରା ନିର୍ମିତ ସିଜିଏମ୍ ନିର୍ମାତା ଯନ୍ତ୍ର ଆଜି ଉପଲବ୍ଧ । ଯେଉଁମାନେ ସ୍ୱାସ୍ଥ୍ୟ-ବୀମା କରିଛନ୍ତି, ସେମାନେ ମଧ୍ୟ ବୁଝିନେବା ଉଚିତ୍, କେଉଁ କଂପାନୀର ନିର୍ମିତ ଯନ୍ତ୍ର ବ୍ୟବହାର କଲେ ସେମାନଙ୍କ ବୀମା ସୁରକ୍ଷା ଯୋଜନା ଅକ୍ଷୁର୍ଣ୍ଣ ରହିବ । ଟାଇପ୍ ୨ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ଅଧିକାଂଶ ବୀମା କମ୍ପାନୀ ଏହିସେବା ପ୍ରାୟତଃ ଯୋଗାଉନାହାନ୍ତି ବୋଲି ଜଣାପଡୁଛି ।

ଖାଦ୍ୟ ବା ଆହାର
ଖାଦ୍ୟ ବ୍ୟବସ୍ଥା ବା ମିଲ୍ ପ୍ଲାନ୍ ଅନୁଯାୟୀ ଆପଣ ଖାଇବା ଉଚିତ । ଏହି ପୁସ୍ତକରେ ଅନ୍ୟତ୍ର ଏଭଳି ବ୍ୟବସ୍ଥାର ଆବଶ୍ୟକୀୟ ସୂଚନା ଦିଆଯାଇଛି ।
ଆପଣଙ୍କ ହାଲୁକା ଜଳଖିଆ ବା ସ୍ନାକ୍ସ ଖାଇବା ବିଧେୟ କିମ୍ବା ବିଧେୟ ନୁହେଁ, ସେ ବିଷୟରେ ଆପଣଙ୍କ ଡାକ୍ତର କିମ୍ବା ଆହାର-ବିଶେଷଜ୍ଞ (ଡାଏଟିସିଆନ୍)ଙ୍କ ସାହାଯ୍ୟ ନିଅନ୍ତୁ ।
ଦିନ ଭିତରେ ଅତି କମ୍ରେ ତିନିଥର ମିଲ୍ସ୍ ବା ମୁଖ୍ୟ ଖାଦ୍ୟ ଖାଇବା ଉଚିତ ଏବଂ ପ୍ରତିଥର ଭୋଜନ ମଧ୍ୟରେ ଅତି କମ୍ରେ ଚାରି ଘଂଟା ବ୍ୟବଧାନ ରହିଲେ ଭଲ ।
ମିଲ୍ କିମ୍ବା ଜଳଖିଆ ଖାଇବା ଦିଗରେ ହେଳା କରନ୍ତୁ ନାହିଁ କିମ୍ବା ଏହାକୁ ଆଡ଼େଇ ଯାଆନ୍ତୁ ନାହିଁ ।
ଆପଣ ଯଦି ପ୍ରତିଦିନ ଖାଦ୍ୟର ମାତ୍ରା ବା ପରିମାଣ ବଦଳାଇବା ପାଇଁ ଉଦ୍ୟମ କରନ୍ତି, ତେବେ ସେ କ୍ଷେତ୍ରରେ ଏ ବିଷୟରେ ଆପଣଙ୍କ ଡାକ୍ତରଙ୍କ ସହିତ ଆଲୋଚନା କରିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି, କାରଣ ଏହା ଯୋଗୁଁ ତାଙ୍କୁ ହୁଏତ ଇନ୍ସୁଲିନ୍ କିମ୍ବା ଅନ୍ୟ କୌଣସି ଔଷଧର ମାତ୍ରାକୁ ବଦଳାଇବାକୁ ବା ଆଡଜଷ୍ଟ କରିବାକୁ ପଡ଼ିପାରେ ।
ଆପଣ ଯଦି ଇନ୍ସୁଲିନ୍ ନେଉଛନ୍ତି, ତେବେ ଆପଣଙ୍କ ଡାକ୍ତରଙ୍କୁ ପଚାରନ୍ତୁ, ସାଧାରଣ ଅବସ୍ଥାଠାରୁ କମ୍ ବା ବେଶୀ ଖାଇଲେ କିଭଳି ଭାବରେ ଇନ୍ସୁଲିନ୍ର ନିର୍ଦ୍ଧାରିତ ମାତ୍ରା ବା ଡୋଜ୍କୁ ନିୟନ୍ତ୍ରିତ କରାଯାଇପାରିବ । ସେ ଏ ବିଷୟରେ ଆପଣଙ୍କୁ ସୂଚାଇ ଦେଇପାରିବେ ।
କ୍ରିୟାଶୀଳତା
ନିଜେ ନିୟମିତ ବ୍ୟାୟାମ କରନ୍ତୁ ଓ ସେଭଳି ଅଭ୍ୟାସକୁ ବଜାୟ ରଖନ୍ତିୁ ।
ଆପଣ ଯଦି ଇନସୁଲିନ୍ ନେଉଛନ୍ତି କିମ୍ବା କେତେକ ନିର୍ଦ୍ଦିଷ୍ଟ ଡାଇବେଟିସ୍ ପିଲ୍ ଖାଉଛନ୍ତି ଏବଂ ଆପଣ ଯଦି ଘଣ୍ଟାକରୁ ଅଧିକ ସମୟ ପାଇଁ ବ୍ୟାୟାମ କରିବା ନିମନ୍ତେ ବାହାରିଛନ୍ତି, ତେବେ ଆପଣଙ୍କୁ କିଛି ହାଲୁକା ଜଳଖିଆ ଖାଇବାକୁ ପଡ଼ିବ । ଖଣ୍ଡେ ଫଳ, ଅଧ କପ୍ ଫଳରସ, ଗୋଟିଏ ଛୋଟିଆ ରୋଲ୍, ଖଣ୍ଡେ ପାଉଁରୁଟି କିମ୍ବା ୩-୪ ଖଣ୍ଡ ସାଦା ବିସ୍କୁଟ୍ ଏଭଳି ଜଳଖିଆର କାମ ଚଲାଇଦିଏ ।
ବ୍ୟାୟାମ କରିସାରିଲା ପରେ ଆପଣଙ୍କ ବ୍ଲଡ୍ ଗ୍ଲୁକୋଜ୍ ସ୍ତର ମାପିବା ଏକାନ୍ତ ଆବଶ୍ୟକ । କାରଣ ବ୍ୟାୟାମ କରିସାରିବାର ୧୦-୨୪ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ ଦେହର ବ୍ଲଡ୍ ଗ୍ଲୁକୋଜ୍ ସ୍ତରକୁ ନିମ୍ନଗାମୀ କରିଦେଇଥାଏ । କେତେକଙ୍କ କ୍ଷେତ୍ରରେ କିନ୍ତୁ ବ୍ୟାୟାମ କରିସାରିବାର ଠିକ୍ ପରେ ପରେ ସେମାନଙ୍କ ବ୍ଲଡ୍ ଗ୍ଲୁକୋଜ୍ ସ୍ତର ବଢିଯିବା କଥା ଦେଖାଯାଏ । ଏଭଳି ହେବାର ଭିନ୍ନ ଭିନ୍ନ କାରଣ ରହିଛି । ହୁଏତ ଅତି ମାତ୍ରାରେ ବ୍ୟାୟାମ ଆପଣ କରିଛନ୍ତି କିମ୍ବା ବ୍ୟାୟାମ କରିବାର ବହୁ ପୂର୍ବରୁ ଆପଣ ଔଷଧର ଇତ୍ୟାଦିର ଡୋଜ୍ ବା ମାତ୍ରା କମାଇ ଦେଇଛନ୍ତି । ଆପଣଙ୍କ ଡାକ୍ତର ଏ ଦିଗରେ ଆପଣଙ୍କୁ ସାହାଯ୍ୟ କରିପାରିବେ ଏବଂ କହିଦେଇ ପାରିବେ, ଏଭଳି ପରିସ୍ଥିତିରେ ଔଷଧର ମାତ୍ରାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ।
ଆପଣ ଯଦି ଇନ୍ସୁଲିନ୍ ନେଉଛନ୍ତି, ତେବେ ଆପଣଙ୍କୁ ବୁଝିବାକୁ ପଡ଼ିବ ଏହାର ନିର୍ଦ୍ଧାରିତ ମାତ୍ରା ବା ଡୋଜ୍କୁ ବ୍ୟାୟାମ କରିବା ନିମନ୍ତେ କିଭଳି ପରିବର୍ତନ କରିବାକୁ ପଡ଼ିଥାଏ ।

ଡାଇବେଟିସ୍ ଔଷଧ କିମ୍ବା ଇନ୍ସୁଲିନ୍
ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ମୁଖ୍ୟତଃ ତିନି ପ୍ରକାରର ଭେଷଜ ପ୍ରୟୋଗ କାର୍ଯ୍ୟ କରାଯାଇଥାଏ । ସେଗୁଡ଼ିକ ହେଲା ପିଲ୍ସ ବା ବଟିକା; ଇନ୍ସୁଲିନ୍ ଏବଂ ଅଣ-ଇନ୍ସୁଲିନ୍ ଇଞ୍ଜେକ୍ଟେବ୍ଲସ । ଯେଉଁମାନେ ହେଉଛନ୍ତି ଟାଇପ୍ ୨ ଡାଇବେଟିସ୍ଗ୍ରସ୍ତ, ସେମାନଙ୍କୁ ପିଲ୍ ସାହାଯ୍ୟରେ ଚିକିତ୍ସା କରାଯାଇଥାଏ । କିନ୍ତୁ ଟାଇପ୍ ୧ ଡାଇବେଟିସ୍ଗ୍ରସ୍ତଙ୍କ କ୍ଷେତ୍ରରେ ଇନ୍ସୁଲିନ୍ ହେଉଛି ଏକ ଅପରିହାର୍ଯ୍ୟ ଆବଶ୍ୟକତା । ବେଳେବେଳେ ଟାଇପ୍ ୨ ଡାଇବେଟିସ୍ଗ୍ରସ୍ତଙ୍କ ରକ୍ତ ଶର୍କରା ସ୍ତରକୁ କମାଇବା ପାଇଁ ମଧ୍ୟ ଇନ୍ସୁଲିନ୍ର ସାହାଯ୍ୟ ନିଆଯାଇଥାଏ । ଯେଉଁ ଦୁଇ ପ୍ରକାରର ଅଣ-ଇନ୍ସୁଲିନ୍ ଇଞ୍ଜେକ୍ଟେବ୍ଲସର ଆଲୋଚନା ଆଜି କରାଯାଉଛି, ସେ ଦୁଇଟି ହେଲା- ପ୍ରାମ୍ଲିଂଟାଇଡ୍ ଏବଂ ଇନ୍କ୍ରିଟିନ୍ସ୍ । ଉଭୟ ଟାଇପ୍ ୧ ଏବଂ ଟାଇପ୍ ୨ ମଧୁମେହୀଙ୍କ କ୍ଷେତ୍ରରେ ଇନ୍ସୁଲିନ୍ ସହିତ ମିଶାଇ ପ୍ରାମ୍ଲିଂଟାଇଡ୍କୁ ବ୍ୟବହାର କରାଯାଇଥାଏ । ପ୍ରାସଙ୍ଗିକ ଯେ, ଏହି ପୁସ୍ତକଟିର ପ୍ରସ୍ତୁତି ବେଳକୁ ପାମ୍ଲିଂଟାଇଡର୍ ବ୍ୟବହାର କିନ୍ତୁ ଆମ ଦେଶରେ ବ୍ୟାପକ ମାତ୍ରାରେ ହୋଇନାହିଁ । ଇନ୍କ୍ରିଟିନ୍ସ୍ର ବ୍ୟବହାର କିନ୍ତୁ ହୁଏ ଟାଇପ୍ ୨ ଡାଇବେଟିସ୍ ଗ୍ରସ୍ତଙ୍କ ବ୍ଲଡ୍ ଗ୍ଲୁକୋଜ୍ ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ । ଇନ୍କ୍ରିଟିନସ୍ କାମ କରିପାରିବ ଯଦି ଆପଣଙ୍କ ଦେହରେ ଇନ୍ସୁଲିନ୍ ସୃଷ୍ଟିକ୍ଷମ କୋଷ ସମୂହ ସତେଜ ରହିଛି ।
ଆପଣଙ୍କ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ହିଁ ଆପଣଙ୍କୁ ଇନ୍ସୁଲିନ୍ ନେବାକୁ ପଡ଼ିବ କିମ୍ବା ଅନ୍ୟ କୌଣସି ପ୍ରକାରର ଡାଇବେଟିସ୍ ଔଷଧ ଖାଇବାକୁ ପଡ଼ିବ । ଯଦି ଆପଣଙ୍କର ବ୍ଲଡ୍ ଗ୍ଲୁକୋଜ୍ ସ୍ତର ନିର୍ଦ୍ଧାରିତ ରେଞ୍ଜ ବା ପରିସର ମଧ୍ୟରେ ନାହିଁ, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଇନ୍ସୁଲିନ୍ କିମ୍ବା ଡାଇବେଟିସ୍ ଔଷଧର ଆବଶ୍ୟକୀୟ ପରିବର୍ତନ ନିମନ୍ତେ । କାରଣ ଦେଖାଯାଇଛି ଯେ, ଡୋଜ୍ର ପରିବର୍ତନ କିମ୍ବା ବଦଳ କରିଦେବା ଦ୍ୱାରା, ସେ କ୍ଷେତ୍ରରେ ପୂର୍ବ ପ୍ରୟୋଗ ତୁଳନାରେ ଇନ୍ସୁଲିନ୍ ଓ ଔଷଧ ଅଧିକ ଉପାଦେୟ ହୋଇଯାଉଛି ।
ଯଦି ଆପଣ ଇନ୍ସୁଲିନ୍ ନେଉଛନ୍ତି, ତେବେ ଆପଣଙ୍କ ଡାକ୍ତରଙ୍କୁ ପଚାରନ୍ତୁ ଆପଣଙ୍କ ଦେହର କେଉଁ ଅଂଶରେ ଏହି ଇଞ୍ଜେକ୍ସନ୍କୁ ଦେବା ଅଧିକ ଫଳପ୍ରଦ ହେବ ବା ସୁଗମ ହେବ । କେତେକ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଇଛି ଯେ, ଯଦି ସେମାନଙ୍କ ଦେହରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଦିନର ନିର୍ଦ୍ଦିଷ୍ଟ ସମୟରେ ଇନ୍ସୁଲିନ୍ ଇଞ୍ଜେକ୍ସନ୍ ଦିଆଯାଉଛି, ତେବେ ସେମାନଙ୍କର ବ୍ଲଡ୍ ଗ୍ଲକୋଜ୍ ବା ରକ୍ତ ଶର୍କରା ସ୍ତର ଅଧିକ ସ୍ଥିର ରହୁଛି ।
ଇନ୍ସୁଲିନ୍ ପମ୍ପ୍ର ବ୍ୟବହାର କରିବା କଥା ମଧ୍ୟ ଚିନ୍ତା କରାଯାଇପାରେ । ପମ୍ପ୍ସବୁ ଇନ୍ସୁଲିନ୍ର ପ୍ରାକୃତିକ କ୍ଷରଣ ପ୍ରକ୍ରିୟାକୁ ଅଧିକ ଭଲ ଭାବରେ ନକଲ କରିପାରିଥାନ୍ତି, ଯାହା ହୁଏତ ଇଞ୍ଜେକ୍ସନ୍ କରିପାରେ ନାହିଁ ।

ବ୍ଲଡ୍ ଗ୍ଲୁକୋଜ୍ ମାପ
ଆପଣଙ୍କ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜର ବ୍ଲଡ୍ ଗ୍ଲୁକୋଜ୍ ବା ରକ୍ତ ଶର୍କରାର ମାପ କରନ୍ତୁ, ଅନ୍ୟ ଅର୍ଥରେ କହିବାକୁ ଗଲେ ଚେକ୍ କରନ୍ତୁ । ସେ ଯେତେଥର ଲାଗି ଏଭଳି କରିବା ନିମନ୍ତେ ପରାମର୍ଶ ଦେବେ, ସେହି ଅନୁସାରେ ମାପ କରିବା ଆବଶ୍ୟକ । ଯେଉଁମାନେ ଦିନକୁ ଦୁଇଥରରୁ ଅଧିକ ଇନ୍ସୁଲିନ୍ ନେଉଛନ୍ତି, ସେମାନେ ପ୍ରାୟତଃ ଦିନକୁ ଅତି କମ୍ରେ ତିନିଥର ବ୍ଲଡ୍ ଗ୍ଲୁକୋଜ୍ ମାପ କରିବା ଆବଶ୍ୟକ ।
ଯଦି ଆପଣ ଦିନକୁ ମାତ୍ର ଥରେ ବ୍ଲଡ୍ ଗ୍ଲୁକୋଜ୍ ମାପ କରୁଛନ୍ତି, ତେବେ ଭଲ ହେବ ଭିନ୍ନ ଭିନ୍ନ ସମୟରେ ସେହି ମାପ ନେବାପାଇଁ । ଏହା ଫଳରେ ଆପଣ ନିଜେ ଏବଂ ଆପଣଙ୍କ ଡାକ୍ତର ଜାଣିପାରିବେ ସକାଳେ ଆପଣଙ୍କ ବ୍ଲଡ୍ ଗ୍ଲୁକୋଜ୍ ସ୍ତର କେତେ ରହୁଛି ଏବଂ ସେହି ତୁଳନାରେ ଦିନ ଭିତରେ କେତେ ରହୁଛି ।
ନିମ୍ନ ଅବସ୍ଥା ସମୂହରେ ଆପଣଙ୍କ ବ୍ଲଡ୍ ଗ୍ଲୁକୋଜ୍ ବା ରକ୍ତ ଶର୍କରା ସ୍ତରକୁ ଅଧିକ ମାତ୍ରାରେ ମାପିବା ଆବଶ୍ୟକ ।
– ଯଦି ଆପଣଙ୍କୁ ଭଲ ଲାଗୁନାହିଁ କିମ୍ବା ଆପଣଙ୍କ ବ୍ଲଡ୍ ଗ୍ଲୁକୋଜ୍ ସ୍ତର କମ୍ ଅଛି ବା ବେଶି ଅଛି, ସେକଥା ଆପଣ ନିଶ୍ଚିତ କରିପାରୁନାହାନ୍ତି ।
– ଯଦି ଆପଣ ଅତି ଅଧିକ ମାତ୍ରାର କିମ୍ବା ଅତି ଅଳ୍ପ ପରିମାଣର ଖାଦ୍ୟ ଖାଇଛନ୍ତି କିମ୍ବା କୌଣସି ନୂଆ ପ୍ରକାରର ଖାଦ୍ୟ ଖାଇଛନ୍ତି ।
– ଯଦି ଆପଣ କୌଣସି ମିଲ୍ କିମ୍ବା ଜଳଖିଆ ନିୟମିତ ସମୟ ତୁଳନାରେ ଡେରିରେ ଖାଇଛନ୍ତି ଅଥବା ଆଦୌ ଖାଇନାହାନ୍ତି ।
– ଯଦି ଆପଣ ଅସୁସ୍ଥ ଅଛନ୍ତି ।
– ଯଦି ଆପଣ ଚାପରେ ଅଛନ୍ତି ।
– ଯଦି ଆପଣ ଇନ୍ସୁଲିନ୍ ନେଇନାହାନ୍ତି କିମ୍ବା ଡାଇବେଟିସ୍ ଔଷଧ ଖାଇନାହାନ୍ତି ।
– ଯଦି ଆପଣ ମାତ୍ରାଧିକ ଇନ୍ସୁଲିନ୍ ନେଇଯାଇଛନ୍ତି ।
– ଯଦି ଆପଣ ଏକାଧିକ ଡାଇବେଟିସ୍ ଔଷଧ ଖାଇଦେଇଛନ୍ତି ।
– ଯଦି ଆପଣ ଆପଣଙ୍କର ନିୟମିତ ବ୍ୟାୟାମ କରିପାରିନାହାନ୍ତି ।
– ଯଦି ଆପଣ ସାଧାରଣ ଅବଧି ତୁଳନାରେ ଅଧିକ ସମୟ ଲାଗି ବ୍ୟାୟାମ କରିପକାଇଛନ୍ତି କିମ୍ବା ଜବରଦସ୍ତ ମାତ୍ରାରେ ବ୍ୟାୟାମ କରିଛନ୍ତି ।
(ଏହି ଆଲେଖ୍ୟଟି ଡା. ଆଲୋକ କାନୁନ୍ଗୋ ରଚିତ ଓ ଡ. ମମତା ତ୍ରିପାଠୀ ପ୍ରକାଶିତ ‘ଡାଇବେଟିସ୍ ପରିଚୟ’ ପୁସ୍ତକରୁ ଉଦ୍ଧୃତ ହୋଇଛି । ଏହାକୁ ଆମ ‘ସ୍ୱାସ୍ଥ୍ୟ ସ୍ୱର’ ପତ୍ରିକାରେ ପ୍ରକାଶିତ କରିବାକୁ ଅନୁମତି ଦେଇଥିବାରୁ ଆମେ ଡା. ଆଲୋକ କାନୁନ୍ଗୋ ଓ ଡ. ମମତା ତ୍ରିପାଠୀଙ୍କ ପାଖରେ କୃତଜ୍ଞ ।)
# Humble Request to all the esteemed Readers, plz visit our SWASTHYA SWARA YOUTUBE CHANNEL & SUBSCRIBE our channel.