
ସମଗ୍ର ବିଶ୍ୱରେ ଏବେ ମହାମାରୀ କରୋନା ବା କୋଭିଡ୍-୧୯କୁ ନେଇ ଚର୍ଚ୍ଚା । ସବୁଠି ଆଶଙ୍କା । ସମସ୍ତେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି । ଲୋକଙ୍କ ମନରେ କରୋନାକୁ ନେଇ ଏବେ ବହୁତ ପ୍ରଶ୍ନ ଉଙ୍କିମାରୁଛି ଏବଂ ଏହା ସ୍ୱାଭାବିକ ମଧ୍ୟ । କାରଣ, କରୋନା କାରଣରୁ ଅନେକ ଜୀବନ ଚାଲିଗଲାଣି । ଅନେକଙ୍କ ଜୀବିକା ପୁରା ଠପ୍ ହୋଇଯାଇଛି । ଏହି କରୋନା ସଂକ୍ରମଣକୁ ଆଖି ଆଗରେ ରଖି ହସ୍ପିଟାଲ୍ମାନଙ୍କ ପାଇଁ ସରକାର ଅନେକ ସମୟୋପଯୋଗୀ ପଦକ୍ଷେପ ନେଇଛନ୍ତି ତଥା ଆବଶ୍ୟକୀୟ ନୀତିନିୟମ ସବୁ ପ୍ରଣୟନ କରିଛନ୍ତି । କେବଳ ଗୁରୁତର ରୋଗୀ, ଆଶୁଚିକିତ୍ସା ବା ଜରୁରୀକାଳିନ ସେବା ଆବଶ୍ୟକ କରୁଥିବା ରୋଗୀଙ୍କୁ ଛାଡି ଦେଲେ ଅନ୍ୟ ରୋଗୀ ହସ୍ପିଟାଲ୍କୁ ଯାଇପାରୁନାହାନ୍ତି । ଏବେ ସରକାରୀ ଓ ବେସରକାରୀ ସ୍ତରରେ ମଧ୍ୟ ଟେଲିମେଡ଼ିସିନ୍, ଟେଲିଫୋନରେ ସ୍ୱାସ୍ଥ୍ୟ ପରାମର୍ଶ, ହ୍ୱାଟସ୍ଆପ୍, ଭିଡିଓକଲ୍ ଇତ୍ୟାଦି ମାଧ୍ୟମରେ ପାରୁପର୍ଯ୍ୟନ୍ତ ସେବା ଯୋଗାଇଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଚାଲିଛି ।
ତେବେ ଏଭଳି ଏକ ସ୍ଥିତିରେ କରୋନା ଏବଂ କିଡନି ରୋଗୀଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଉଥିବା କିଛି ପ୍ରଶ୍ନର ସମାଧାନ ପାଇଁ ଆମେ ଯୋଗାଯୋଗ କରିଥିଲୁ ଭୁବନେଶ୍ୱରସ୍ଥିତ ସମ୍ ଅଲ୍ଟିମେଟ୍ ମେଡ଼ିକେୟାର୍ ହସ୍ପିଟାଲ୍ର ପ୍ରସିଦ୍ଧ ୟୁରୋଲୋଜିଷ୍ଟ୍-କିଡନି ଟ୍ରାନ୍ସପ୍ଲାଂଟ୍ ସର୍ଜନ-ଆଣ୍ଡ୍ରୋଲୋଜିଷ୍ଟ ଡା. ବିଶ୍ୱଜିତ ନନ୍ଦଙ୍କୁ ।
ପାଠକବନ୍ଧୁ, ଆସନ୍ତୁ ସେ ବିଷୟରେ ଜାଣିବା ।

ସ୍ୱା.ସ୍ୱ.- କିଡନି ରୋଗୀଙ୍କ ଠାରେ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ କି?
ଡା. ନନ୍ଦ- ହଁ । କିଛି ରୋଗରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ, ତନ୍ମଧ୍ୟରୁ କିଡନି ରୋଗ ଅନ୍ୟତମ । ତେଣୁ କିଡନି ରୋଗୀଙ୍କୁ ସାଧାରଣ ଲୋକଙ୍କ ଅପେକ୍ଷା କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ ।
ସ୍ୱା.ସ୍ୱ.- କିଡନି ରୋଗୀ କରୋନା ସଂକ୍ରମଣରୁ କେମିତି ନିଜକୁ ରକ୍ଷା କରିପାରିବେ?
ଡା. ନନ୍ଦ- ଯେହେତୁ କିଡନି ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ, ତେଣୁ ସେମାନେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଖୁବ୍ ସତର୍କ ହୋଇ ଚଳିବା ଆବଶ୍ୟକ । ସୋସିଆଲ୍ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ । ଘରେ ହିଁ ରୁହନ୍ତୁ । ହାତକୁ ବାରାମ୍ବାର ଷ୍ଟେରିଲିୟମ୍ରେ ଧୁଅନ୍ତୁ । ତାଙ୍କ ଘରକୁ ଯେଉଁ ଜିନିଷପତ୍ର ଆସୁଛି, ତାକୁ ଘରର ଅନ୍ୟ କେହି ଲୋକ ଭଲଭାବେ ଧୂଆଧୋଇ କରି ରଖିବ । ଯଦି ଅନ୍ୟ କେହି ନାହାନ୍ତି, ତେବେ ଗ୍ଲୋବସ୍ ପିନ୍ଧି ସେଗୁଡିକୁ ଧୁଆଧୋଇ କରନ୍ତୁ । ଡିଟର୍ଜେଂଟ୍ରେ ସଫା କରି ଘରେ ବ୍ୟବହାର କରନ୍ତୁ । ସଫା ଜିନିଷ ବ୍ୟବହାର କରନ୍ତୁ । ମୁଖ୍ୟତଃ ଡାଇବେଟିସ୍, କିଡନି, ବ୍ଲଡ୍ପ୍ରେସର୍ ପାଇଁ ଯେଉଁ ସବୁ ମେଡିସିନ୍ ଖାଉଛନ୍ତି, ତାକୁ ବନ୍ଦ କରନ୍ତୁ ନାହିଁ ଏବଂ ପୂର୍ବଭଳି ନିୟମିତ ସେବନ କରନ୍ତୁ । ନିୟମିତ ବ୍ଲଡ୍ପ୍ରେସର୍, ଓଜନ ମାପ କରାନ୍ତୁ ଓ ମାସକୁ ଥରେ ଯେଉଁ ବ୍ଲଡ୍ ଟେଷ୍ଟ କରାଯାଏ, ସେସବୁକୁ ନିହାତି କରାଉଥିବେ । ଯଦି ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ଦେଖାଯାଉଛି, ତେବେ ଟେଲିମେଡିସନ୍ ଦ୍ୱାରା କିମ୍ବା ଫୋନ୍ରେ ପଚାରି ବୁଝିପାରିବେ ।
ସ୍ୱା.ସ୍ୱ.- ଡାଇଲିସିସ୍ ହେଉଥିବା ରୋଗୀ ଏବେ କିଛି ସ୍ୱତନ୍ତ୍ର ପ୍ରତିକାର ବ୍ୟବସ୍ଥା ଆପଣାଇବା ଉଚିତ କି?
ଡା. ନନ୍ଦ- ଦେଖନ୍ତୁ ଆମେ ଜାଣିଛେ ଯେ, କିଡନି ଖରାପ ହୋଇଯାଇଥିବା ରୋଗୀଙ୍କ ହିଁ ଡାଇଲିସିସ୍ କରାଯାଏ ଏବଂ ସାଧାରଣ ଲୋକଙ୍କ ଅପେକ୍ଷା ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । କିଡନି ଖରାପ ହେବାର ମୁଖ୍ୟ କାରଣ ଡାଇବେଟିସ୍ ହୋଇଥାଏ । ସେମାନଙ୍କ ବ୍ଲଡ୍ପ୍ରେସର୍ ମଧ୍ୟ ଥାଏ । ତେଣୁ ସେମାନେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ । ଆଉ ଯଦି ଆକ୍ରାନ୍ତ ହୋଇଗଲେ, ଅନ୍ୟାନ୍ୟ ଗୁୁରୁତର ରୋଗରେ ମଧ୍ୟ ପୀଡିତ ହୋଇଯିବାର ଆଶଙ୍କା ରହିଥାଏ । ଡାଇଲିସିସ୍ ରୋଗୀଙ୍କ ପାଇଁ ମୋର ପରାମର୍ଶ ହେଉଛି, ଡାଇଲିସିସ୍ ଯେମିତି ଚାଲିଥିଲା ସେମିତି ଚାଲିବ ଓ ଡାଇଲିସିସ୍ରେ କୌଣସି ପରିବର୍ତନ ହେବନାହିଁ । କିନ୍ତୁ ହସ୍ପିଟାଲ୍ରେ ଯେତେ କମ୍ ସମୟ ରହିପାରିବେ ସେତେ ଭଲ । ହସ୍ପିଟାଲ୍ କତୃପକ୍ଷ ଡାଇଲିସିସ୍ ପାଇଁ ଯେଉଁ ସମୟ ନିର୍ଦ୍ଧାରିତ କରିଥିବେ ଠିକ୍ ସେହି ସମୟରେ ପହଂଚିଯିବେ ଏବଂ ଡାଇଲିସିସ୍ ସରୁ ସରୁ ଘରକୁ ଫେରିଆସିବେ । ହସ୍ପିଟାଲ୍କୁ ଯିବା ସମୟରେ ମାକ୍ସ ପିନ୍ଧି ଯିବେ । ହସ୍ପିଟାଲ୍ରେ ଅଯଥା ବୁଲିବେ ନାହିଁ, ଗପିବେ ନାହିଁ । ହସ୍ପିଟାଲରୁ ଫେରିଲା ପରେ ପିନ୍ଧିଥିବା ପୋଷାକ ପରିବର୍ତନ କରିବେ ଓ ହାତ-ଗୋଡ ସବୁ ଧୋଇବେ । ସବୁବେଳେ ମାକ୍ସ ପିନ୍ଧି ରହିବେ । ଡାଇଲିସିସ୍ କରିବା ପାଇଁ ଦୂର ସ୍ଥାନରୁ ଭୁବନେଶ୍ୱର, କଟକ ଆସୁଥିବା ରୋଗୀମାନେ ନିଜ ଜିଲ୍ଲା ମହକୁମାରେ ଥିବା ଡିଷ୍ଟ୍ରିକ୍ଟ୍ ହେଡ୍ କ୍ୱାଟର୍ର ହସ୍ପିଟାଲ୍ ବା ନିଜ ଘର ପାଖାପାଖି ଯେଉଁ ହସ୍ପିଟାଲ୍ରେ ଡାଇଲିସିସ୍ ସୁବିଧା ଉପଲବ୍ଧ ଥିବ, ସେଇଠି ନିୟମିତ ଡାଇଲିସିସ୍ କରାନ୍ତୁ ।
ଏବେ ପ୍ରଶ୍ନ ଉଠିବ ଯେ, ସେଇଠି ସଠିକ୍ ଭାବେ ଡାଇଲିସିସ୍ ହେଉଛି କି ନାହିଁ ତାହା ରୋଗୀମାନେ ଜାଣିବେ କେମିତି? ସେଥିପାଇଁ ରୋଗୀ ନିଜର ଓଜନ ନିୟମିତ ମାପୁଥିବେ, ଓଜନକୁ ଠିକ୍ ରଖିବେ ତଥା ଦେଖିବେ, ଓଜନ ବଢୁନଥିବ । ଧଇଁସଇଁ ଲାଗୁନଥିବ । ଡାଇଲିସିସ୍ ପରେ କ୍ରିଏଟିନିନ୍ କମୁଛି ନା ନାଇଁ ତାହା ନିୟମିତ ରକ୍ତପରୀକ୍ଷାରୁ ଜାଣିହେବ । ଏସବୁକୁ ଦେଖି ଡାଇଲିସିସ୍ ଠିକ୍ରେ ହେଉଛି ନା ନାହିଁ ତାହା ଜଣାପଡିଥାଏ ।

ସ୍ୱା.ସ୍ୱ.- କୋଭିଡ୍-୧୯ ବା କରୋନାକୁ ଦୃଷ୍ଟିରେ ରଖି କିଡନି ଟ୍ରାନ୍ସପ୍ଲାଂଟ୍ (ଯକୃତ ପ୍ରତିରୋପଣ) ହୋଇଥିବା ରୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଡା. ନନ୍ଦ- ସାଧାରଣ ଲୋକଙ୍କ ସହ ତୁଳନା କଲେ କିଡନି ଟ୍ରାନ୍ସପ୍ଲାଂଟ୍ (ଯକୃତ ପ୍ରତିରୋପଣ) ହୋଇଥିବା ରୋଗୀଙ୍କ ଠାରେ କରୋନା ସଂକ୍ରମଣର ଆଶଙ୍କା ବହୁତ ଅଧିକ ଥାଏ । କରୋନା ଭାଇରସ୍କୁ ଯଦି ସେମାନେ ଏକ୍ସପୋଜ୍ ହେବେ ତେବେ କରୋନାରେ ଆଫେକ୍ଟେଡ୍ ହେବାର ଚାନ୍ସ ବହୁତ ଅଧିକ । ସେଥିପାଇଁ କିଡନି ଟ୍ରାନ୍ସପ୍ଲାଂଟ୍ ହୋଇଥିବା ରୋଗୀମାନଙ୍କୁ ମୋର ଅନୁରୋଧ, ସେମାନେ ଘରୁ ବିଲ୍କୁଲ୍ ବାହାରନ୍ତୁ ନାହିଁ । ତାଙ୍କର ଯେତିକି ରକ୍ତପରୀକ୍ଷା ଅଛି, ଘରକୁ ଟେକ୍ନିସିଆନ୍ ଡକାଇ ବ୍ଲଡ୍ ସାମ୍ପୁଲ୍ ନେବା ପାଇଁ କୁହନ୍ତୁ । ଡାକ୍ତରଙ୍କ ସହ ଟେଲିମେଡିସିନ୍ କିମ୍ବା ଫୋନ୍ରେ ଯୋଗାଯୋଗ ରଖନ୍ତୁ । ନିହାତି ଆବଶ୍ୟକ ନ ପଡ଼ିଲେ, ହସ୍ପିଟାଲ୍ ଯାଆନ୍ତୁ ନାହିଁ । ଯେଉଁ ମେଡ଼ିସିନ୍ ଚାଲିଛି, ତା’କୁ ଡାକ୍ତରଙ୍କ ପରାମର୍ଶ ବିନା କିଛି ପରିବର୍ତନ କରନ୍ତୁ ନାହିଁ କି ବନ୍ଦ କରନ୍ତୁ ନାହିଁ ।
ସ୍ୱା.ସ୍ୱ.- ଯେଉଁ ଶିଶୁମାନେ କୌଣସି ପ୍ରକାର କିଡନି ରୋଗରେ ପୀଡ଼ିତ ଥିବେ, ସେମାନଙ୍କ ପାଇଁ ବର୍ତମାନ ପରିପ୍ରେକ୍ଷୀରେ ଆପଣଙ୍କର କ’ଣ ପରାମର୍ଶ ରହିବ?
ଡା. ନନ୍ଦ- କିଡନି ରୋଗରେ ପୀଡ଼ିତ ଥିବା ଛୋଟ ପିଲାମାନେ ମଧ୍ୟ ବୟସ୍କ କିଡନି ରୋଗୀଙ୍କ ଭଳି ଖୁବ୍ ସତର୍କ ହୋଇ ରହବା ଆବଶ୍ୟକ । ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ । ବାହାରେ ବୁଲାବୁଲି କରନ୍ତୁ ନାହିଁ । ଘରେ ହିଁ ରୁହନ୍ତୁ । ସାଧାରଣତଃ ଛୋଟ ପିଲାମାନଙ୍କୁ ଥଣ୍ଡା, କାସ, ଜ୍ୱର ହେବାର ଅଧିକ ଆଶଙ୍କା ଥାଏ । ତେଣୁ ଘର ଲୋକ ସତର୍କ ଥିବେ । ଯଦି ଥଣ୍ଡା, କାସ, ଜ୍ୱର ସହ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେଉଛି, ତେବେ ତୁରନ୍ତ ହେଲ୍ପ ଲାଇନ୍କୁ ଫୋନ୍ କରନ୍ତୁ ଏବଂ ନିକଟସ୍ଥ ହସ୍ପିଟାଲ୍ରେ ପରୀକ୍ଷା କରାଇନିଅନ୍ତୁ ।
ସ୍ୱା.ସ୍ୱ.- କିଡନି ପ୍ରଦାନ କରିଥିବା ବ୍ୟକ୍ତି (ଲିଭିଙ୍ଗ୍ କିଡନି ଡୋନର୍)ଙ୍କୁ କରୋନା ସଂକ୍ରମଣର ଆଶଙ୍କା ବେଶି ଥାଏ କି? ଏଥିପାଇଁ ସେମାନେ କ’ଣ ପ୍ରତିକାର ପଦକ୍ଷେପ ନେବା ଆବଶ୍ୟକ?
ଡା. ନନ୍ଦ- ଏଇଟା ଗୋଟେ ବଢ଼ିଆ ପ୍ରଶ୍ନ ପଚାରିଲେ । କିଡନି ପ୍ରଦାନ କରିଥିବା ଲୋକ ବା କିଡନି ଡୋନର୍ଙ୍କ ଠାରେ କରୋନା ସଂକ୍ରମଣର ଆଶଙ୍କା ସାଧାରଣ ଲୋକଙ୍କ ଠାରୁ ଅଧିକ ନ ଥାଏ । ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣର ଯେତିକି ଆଶଙ୍କା ଥାଏ, କିଡନି ଡୋନର୍ଙ୍କୁ ମଧ୍ୟ ସେତିକି ଆଶଙ୍କା ଥାଏ । ସେମାନେ ଅନ୍ୟ ସାଧାରଣ ଲୋକଙ୍କ ଭଳି ସୋସିଆଲ୍ ଡିଷ୍ଟାନ୍ସିଂ ବଜାୟ ରଖନ୍ତୁ । କିଛି ଭୟ କରନ୍ତୁ ନାହିଁ । କିଡନି ଡୋନର୍ ଅନ୍ୟ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିପାରିବେ ।
ସ୍ୱା.ସ୍ୱ.- ଏଭଳି ଏକ ମହାମାରୀ ସମୟରେ କୌଣସି ପ୍ରକାର କିଡନି ରୋଗରେ ଆକ୍ରାନ୍ତ ମହିଳା ଯଦି ଗର୍ଭବତୀ ଥିବେ କିମ୍ବା ଗର୍ଭଧାରଣ ପାଇଁ ଯୋଜନା କରୁଥିବେ, ତାଙ୍କୁ କ’ଣ ପରାମର୍ଶ ଦେବେ?
ଡା. ନନ୍ଦ- କୌଣସି ପ୍ରକାର କିଡନି ରୋଗରେ ଆକ୍ରାନ୍ତ ମହିଳା ଯଦି ଗର୍ଭବତୀ ଥିବେ, ତେବେ ତାଙ୍କୁ ଖୁବ୍ ସତର୍କତାର ସହ ରହିବାକୁ ହେବ । ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ । ଘରେ ହିଁ ରୁହନ୍ତୁ । ବାହାର ଲୋକଙ୍କ ସାଙ୍ଗେ ମିଳାମିଶା କରନ୍ତୁ ନାହିଁ । କିଡନି ରୋଗରେ ଆକ୍ରାନ୍ତ ଗର୍ଭବତୀଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମିଯାଇଥାଏ । ତେଣୁ ଅତି ସତର୍କତାର ସହ ଚଳିବାକୁ ପଡିବ । କେବଳ ଅଲ୍ଟ୍ରାସାଉଣ୍ଡ୍ ବା ଅନ୍ୟ କିଛି ଅତ୍ୟାବଶ୍ୟକ ପରୀକ୍ଷା ପାଇଁ ହିଁ ହସ୍ପିଟାଲ୍ ଯାଆନ୍ତୁ, ନଚେତ୍ ଘରୁ ବିଲ୍କୁଲ୍ କୁଆଡ଼େ ବାହାରନ୍ତୁ ନାହିଁ । ଟେଲିଫୋନ୍ରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନିହାତି ଦରକାର ନ ପଡିଲେ ହସ୍ପିଟାଲ୍ ଯାଆନ୍ତୁ ନାହିଁ ।
ଅନ୍ୟ ପକ୍ଷରେ କିଡନି ରୋଗରେ ଆକ୍ରାନ୍ତ ମହିଳା ଯଦି ଗର୍ଭଧାରଣ ପାଇଁ ଯୋଜନା କରୁଥିବେ, ତେବେ ସେମାନଙ୍କୁ ମୋର ଅନୁରୋଧ ସେମାନେ ଏବେ ଏଇ କରୋନା ସମୟରେ ଦି-ଚାରି ମାସ ପର୍ଯ୍ୟନ୍ତ ଜମାରୁ ଯୋଜନା କରନ୍ତୁ ନାହିଁ । କରୋନାର ପ୍ରଭାବ କମିଲା ପରେ ଯାଇ ଗର୍ଭଧାରଣ ପାଇଁ ଯୋଜନା କରନ୍ତୁ ।
ସ୍ୱା.ସ୍ୱ.- କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ତଥା ନିଜର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ପାଇଁ କିଡନି ରୋଗୀ କେଉଁ ସବୁ ଆହାର ସେବନ କରିବା ଉଚିତ?
ଡା. ନନ୍ଦ- ଦେଖନ୍ତୁ, କିଡନି ରୋଗୀଙ୍କୁ ଆମେ ବହୁତ କିଛି ଖାଦ୍ୟ ଦେଇପାରିବା ନାହିଁ । ଖାଦ୍ୟରେ ଟିକେ କଟକଣା ମାନିବାକୁ ପଡ଼ିବ । ସେମାନଙ୍କୁ ଫଳ-ମୂଳ, ମାଛ-ମାଂସ ସବୁ ମନା । କିନ୍ତୁ ସେମାନଙ୍କୁ ମୋର ପରାମର୍ଶ ଯେ, ସେମାନେ ଚୂନାମାଛ ଖାଇପାରିବେ । ଡାକ୍ତରଙ୍କ ବିନା ପରାମର୍ଶରେ ବଜାରରେ ମିଳୁଥିବା କୌଣସି ପ୍ରକାର ରୋଗ ପତିରୋଧକ ଶକ୍ତି ବୃଦ୍ଧିକାରକ ଔଷଧ ସେମାନେ ସେବନ କରିବା ଉଚିତ ନୁହେଁ । କାରଣ, ଏଭଳି କିଛି ଔଷଧ କିଡନିକୁ ଆହୁରି ଖରାପ କରିବାର ଆଶଙ୍କା ଥାଏ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଗରୁ ଯେମିତି ସାଧାରଣ ଆହାର ବା ନର୍ମାଲ୍ ଡାଏଟ୍ ଖାଉଥିଲେ, ଏବେ ବି ସେମିତି ଖାଆନ୍ତୁ ।
ସ୍ୱା.ସ୍ୱ.- କେବଳ କିଡନି ରୋଗୀ ନୁହନ୍ତି, ଉଣା ଅଧିକେ ସମସ୍ତେ ଏଭଳି ଏକ ଅପ୍ରତ୍ୟାଶିତ ମହାମାରୀ ଯୋଗୁଁ ଅବସାଦରେ ରହୁଛନ୍ତି । ତେଣୁ ଏଭଳି ସ୍ଥିତିରେ ଅଯଥା ମାନସିକ ଚାପକୁ କେମିତି ହ୍ରାସ କରାଯାଇପାରିବ?
ଡା. ନନ୍ଦ- ଦେଖନ୍ତୁ, କରୋନାକୁ ନେଇ ଅଯଥା ଅବସାଦରେ ରୁହନ୍ତୁ ନାହିଁ କିମ୍ବା ମାନସିକ ଚାପ ବୃଦ୍ଧି କରନ୍ତୁ ନାହିଁ । କରୋନା ଲାଇଫ୍ ଥ୍ରେଟେନିଙ୍ଗ୍ ରୋଗ ନୁହେଁ; ଏଥିରେ ବହୁତ କମ୍ ଲୋକଙ୍କ ମୃତ୍ୟୁ ହେଉଛି । ତେଣୁ ଅନାବଶ୍ୟକ ଭାବେ ଭୟଭୀତ ହୁଅନ୍ତୁ ନାହିଁ । ହଁ, ଖାଲି ଯାହା ସତର୍କ ରୁହନ୍ତୁ । ସଚେତନ ରୁହନ୍ତୁ । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ଜାରି କରିଥିବା ସମସ୍ତ ନିର୍ଦ୍ଦେଶକୁ ପାଳନ କରନ୍ତୁ । ଡିପ୍ରେସନ୍ରୁ ବାହାରିବା ପାଇଁ ସକାଳୁ ସକାଳୁ ଘରେ ହିଁ ରହି ଶାରୀରିକ ବ୍ୟାୟାମ ଆରମ୍ଭ କରନ୍ତୁ । ଆମର ଲାଇଫ୍ଷ୍ଟାଇଲ୍ ବା ଜୀବନଶୈଳୀରେ ପରିବର୍ତନ ଆଣିବା ପାଇଁ ଏଇଟା ହିଁ ସଠିକ୍ ସମୟ ମିଳିଛି । ସନ୍ଧ୍ୟାରେ ଯୋଗ, ଧ୍ୟାନ, ପ୍ରାଣାୟାମ କରନ୍ତୁ । ଘର ସବୁ କାମ ନିଜେ ନିଜେ କରିବାକୁ ଚେଷ୍ଟା କରନ୍ତୁ ।

ସ୍ୱା.ସ୍ୱ.- ସମ୍ ଅଲ୍ଟିମେଟ୍ ମେଡିକେୟାର୍ ହସ୍ପିଟାଲ୍ର ୟୁରୋଲୋଜି ବିଭାଗର ଓପିଡି ବା ବର୍ହି ଚିକିତ୍ସା ବିଭାଗରେ ରୋଗୀମାନେ ଏବେ ସାଧାରଣ ଚିକିତ୍ସା ସେବା ପାଉଛନ୍ତି ନା ସେମାନେ କେବଳ ଟେଲିମେଡିସିନ୍, ହ୍ୱାଟସ୍ଆପ୍ ଉତ୍ୟାଦି ମାଧ୍ୟମରେ ଚିକିତ୍ସା ପରାମର୍ଶ ପାଉଛନ୍ତି?
ଡା. ନନ୍ଦ- ଆମର ସମ୍ ଅଲ୍ଟିମେଟ୍ ମେଡିକେୟାର୍ ହସ୍ପିଟାଲ୍ର ରେଗୁଲାର୍ ଓପିଡି ଏବେ ବନ୍ଦ ଅଛି । କିନ୍ତୁ ତା’ ଅର୍ଥ ନୁହେଁ ଯେ, ଆମେ ରୋଗୀମାନଙ୍କୁ ଦେଖୁନୁ । ଇମର୍ଜେନ୍ସି ସବୁବେଳେ ଖୋଲା ଅଛି । ଟେଲିମେଡିସିନ୍ ସୁବିଧା ମଧ୍ୟ ଉପଲବ୍ଧ ଅଛି । ରୋଗୀମାନେ କଲ୍ କରି ପରାମର୍ଶ ନେଉଛନ୍ତି । ନିହାତି ଆବଶ୍ୟକ ହେଲେ ଯାଇ ଆମେ ତାଙ୍କୁ ହସ୍ପିଟାଲ୍ ଡାକୁଛୁ, ନହେଲେ ତାଙ୍କୁ ଟେଲିଫୋନ୍ରେ ହିଁ ପରାମର୍ଶ ଦେବା ପାଇଁ ଚେଷ୍ଟା କରୁଛୁ ।
ସ୍ୱା.ସ୍ୱ.- ପ୍ରତ୍ୟେକ କିଡନି ରୋଗୀ କରୋନା ପରୀକ୍ଷା କରାଇବା ଆବଶ୍ୟକ କି? ନା, କେବଳ ଥଣ୍ଡା, କାସ ବା ଫ୍ଲୁ ଭଳି କିଛି ଲକ୍ଷଣ ପ୍ରକାଶ ପାଇଲା ପରେ ଯାଇ ପରୀକ୍ଷା କରାଇବା ଉଚିତ?
ଡା. ନନ୍ଦ- ଭଲ ପ୍ରଶ୍ନଟିଏ ପଚାରିଲେ ଆପଣ । ସବୁ କିଡନି ରୋଗୀଙ୍କୁ କରୋନା ପରୀକ୍ଷା କରାଇବାର କୌଣସି ଆବଶ୍ୟକତା ନାହିଁ । ଯଦି କାହାର ଫ୍ଲୁ ଭଳି ଲକ୍ଷଣ ପ୍ରକାଶ ପାଉଛି ବା କାହାର ଟ୍ରାଭେଲ୍ ହିଷ୍ଟ୍ରି ଅଛି (ନିକଟ ଅତୀତରେ କୁଆଡେ ଯାଇଥିବେ), ସେମାନଙ୍କ କରୋନା ପରୀକ୍ଷା କରାଇବା ଆବଶ୍ୟକ ।
ସ୍ୱା.ସ୍ୱ.- କେଉଁ ପ୍ରକାର କିଡନି ରୋଗୀ ବାହାର ଲୋକଙ୍କ ସାଙ୍ଗେ ମିଳାମିଶା ନକରି ନିଜକୁ ଏକାନ୍ତବାସରେ ରଖିବା ଉଚିତ?
ଡା. ନନ୍ଦ- ଯେଉଁ କିଡନି ରୋଗୀଙ୍କ ଠାରେ କିଡନି ରୋଗ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯଥା ଡାଇବେଟିସ୍, ବ୍ଲଡ୍ ପ୍ରେସର୍, ଏଚ୍.ଆଇ.ଭି ଅଛି କିମ୍ବା ଯେଉଁ କିଡନି ରୋଗୀଙ୍କ ବୟସ ୬୦-୭୦ ବର୍ଷରୁ ଉର୍ଦ୍ଧ୍ୱ କିମ୍ବା ଯେଉଁ ମହିଳା କିଡନି ରୋଗୀ ଏବେ ଗର୍ଭବତୀ ଅଛନ୍ତି କିମ୍ବା ଯେଉଁ କିଡନି ରୋଗୀଙ୍କ ଠାରେ ଏଇ ନିକଟ ଅତୀତରେ କୌଣସି ପ୍ରକାର ଶଲ୍ୟ ଉପଚାର ହୋଇଥିବ କିମ୍ବା କିଡନି ଟ୍ରାନ୍ସପ୍ଲାଂଟ୍ (ଯକୃତ ପ୍ରତିରୋପଣ) ହୋଇଥିବ, ସେମାନେ କାହା ସହ ମିଳାମିଶା ନ କରି ନିଜକୁ ସେଲଫ୍ ଆଇସୋଲେସନ୍ ରଖିଦେବା ଉଚିତ । ନିହାତି ଜରୁରୀ ନ ହେଲେ କାହା ସହ ମିଳାମିଶା କରନ୍ତୁ ନାହିଁ ।
ସ୍ୱା.ସ୍ୱ.- କିଡନି ରୋଗୀ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ବା ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ୟୁପ୍ମେଂଟ୍ (ପି.ପି.ଇ.) ବ୍ୟବହାର କରିବା ଉଚିତ କି?
ଡା. ନନ୍ଦ- ନା । କିଡନି ରୋଗୀ ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ୟୁପ୍ମେଂଟ୍ (ପି.ପି.ଇ.) ବ୍ୟବହାର କରିବାର ଆବଶ୍ୟକତା କିଛି ନାହିଁ । ପି.ପି.ଇ.ଟା ମଧ୍ୟ ସାଧାରଣ ବ୍ୟବହାର୍ଯ୍ୟ ସାମଗ୍ରୀ ନୁହଁ । କିଡନି ରୋଗୀଙ୍କ ପାଇଁ ସାମାଜିକ ଦୂରତ୍ୱ ଏବଂ ସେଲଫ୍ ଆଇସୋଲେସନ୍ ଯଥେଷ୍ଟ ହୋଇଥାଏ ।
ସ୍ୱା.ସ୍ୱ.- ଜଣେ ରୋଗୀ ଯଦି ଆପଣଙ୍କ ପରାମର୍ଶ ଆବଶ୍ୟକ କରିବେ, ତେବେ ସେ ଆପଣଙ୍କୁ କେଉଁ ଟେଲିଫୋନ୍ ନମ୍ବରରେ ଯୋଗାଯୋଗ କରିପାରିବେ?
ଡା. ନନ୍ଦ- ରୋଗୀମାନେ ମତେ ମୋବାଇଲ୍ ନମ୍ବର ୯୯୯୯୮୭୭୭୭୧ ଏବଂ ୯୭୭୭୭୯୭୧୧୧ ରେ ଯୋଗାଯୋଗ କରିପାରିବେ ।
________________________________________________________________________
# Humble Request to all the esteemed Readers, plz visit our SWASTHYA SWARA YOUTUBE CHANNEL & SUBSCRIBE our channel.