ଡା. ଅଶୋକ କୁମାର ବଡ଼ମାଳୀ
ବରିଷ୍ଠ ନିଶ୍ଚେତନ ବିଶେଷଜ୍ଞ
କିମ୍‌ସ ହସ୍‌ପିଟାଲ, ଭୁବନେଶ୍ୱର

କାର୍ଡିଓ ପଲ୍‌ମୋନାରୀ ରିସସିଟେସନ୍ (ସି.ପି.ଆର୍‌.) ହେଉଛି ଏକ ଜୀବନରକ୍ଷାକାରୀ ପଦ୍ଧତି, ଯାହାକି କୌଣସି ବ୍ୟକ୍ତିର ହୃତସ୍ପନ୍ଦନ ବା ଶ୍ୱାସକ୍ରିୟା ବନ୍ଦ ହୋଇଯିବା ଭଳି ଆପାତକାଳୀନ ସ୍ଥିତିରେ ଉପଯୋଗ କରାଯାଇଥାଏ । ସିପିଆର୍ ପଦ୍ଧତିରେ ରୋଗୀକୁ କୁତ୍ରିମ ଉପାୟରେ ବାୟୁ ଦିଆଯାଏ ଯ’ଦ୍ୱାରା ଫୁସଫୁସ୍ ଅମ୍ଳଜାନ ପାଇଥାଏ ଏବଂ ହୃତସ୍ପନ୍ଦନ ସ୍ୱାଭାବିକ ଅବସ୍ଥାକୁ ଫେରିବା ଯାଏଁ ବକ୍ଷ ବା ଛାତିରେ ମଝି ଅଂଶରେ ଚାପ ପ୍ରୟୋଗ କରାଯାଇଥାଏ ।


ହୃତପିଣ୍ଡ ବା ହୃଦୟର ମୂଖ୍ୟ କାର୍ଯ୍ୟ ହେଉଛି ନିରନ୍ତର ସ୍ପନ୍ଦିତ ହୋଇ ଶରୀରର ସମସ୍ତ ଅଙ୍ଗ ବା ଅବୟବକୁ ରକ୍ତ ପହଂଚାଇବା । ଆମ ହୃଦୟ ପ୍ରତି ମିନିଟ୍‌ରେ ୭୦-୮୦ ଥର ସ୍ପନ୍ଦିତ ହୋଇଥାଏ, ଏହାକୁ ‘ହାର୍ଟ ରେଟ୍‌’ କୁହାଯାଏ । ଯେତେବେଳେ କୌଣସି କାରଣରୁ ହୃଦୟର ସ୍ପନ୍ଦନ ବନ୍ଦ ହୋଇଯାଏ, ସେତେବେଳେ ଶରୀରର ରକ୍ତ ସଂଚାଳନ ମଧ୍ୟ ବନ୍ଦ ହୋଇଥାଏ । ରକ୍ତ ନମିଳିବା କାରଣରୁ ମସ୍ତିଷ୍କ ଭଳି ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅବୟବ ମଧ୍ୟ ୬ ମିନିଟ୍ ପରେ ସମ୍ପୂର୍ଣ୍ଣ ଅକାମୀ ହୋଇଯାଏ । ବାସ୍ତବିକ ଦେଖିବାକୁ ଗଲେ ସବୁ କ୍ଷେତ୍ରରେ ରୋଗୀକୁ ଏହି ୬ ମିନିଟ୍ ମଧ୍ୟରେ ହିଁ ନିକଟସ୍ଥ କୌଣସି ଗୋଟିଏ ହସ୍‌ପିଟାଲ୍‌କୁ ନେଇ ଚିକିତ୍ସା ଆରମ୍ଭ କରିବା ସମ୍ଭବପର ହୋଇନଥାଏ । ସେଥିପାଇଁ ରୋଗୀର ସମ୍ପର୍କୀୟ କିମ୍ବା ପାଖରେ ଥିବା ବ୍ୟକ୍ତି ସି.ପି.ଆର୍‌. ଦେଲେ ଯାଇ ମେଡ଼ିକାଲ୍ ସହାୟତା ଟିମ୍ ପହଂଚିବା ପର୍ଯ୍ୟନ୍ତ କିମ୍ବା ରୋଗୀକୁ ହସପିଟାଲରେ ପହଂଚାଇବା ପର୍ଯ୍ୟନ୍ତ ରୋଗୀର ରକ୍ତ ସଂଚାଳନ ଜାରି ରହିବ । ଭାରତ ଭଳି ଦେଶ, ଯେଉଁଠି ଜନସଂଖ୍ୟା ଖୁବ୍ ଅଧିକ, ହସପିଟାଲ୍ ସଂଖ୍ୟା ଅତି ଅଳ୍ପ ଏବଂ ରାସ୍ତାର ଟ୍ରାଫିକ୍ ଏତେ ଅଧିକ ସେଇଠି ସାଧାରଣ ଲୋକ ସି.ପି.ଆର୍‌. ବିଷୟରେ ପ୍ରଶିକ୍ଷଣ ନେବା ଅତ୍ୟନ୍ତ ଜରୁରୀ । ବ୍ୟକ୍ତି ଜଣକ ହଠାତ୍ ପଡ଼ିଗଲେ (ବା କୋଲାପସ୍ କରିଗଲେ) କିମ୍ବା ସଜ୍ଞାହୀନ ହୋଇଗଲେ, ସାଧାରଣତଃ ହୃତପିଣ୍ଡର କ୍ରିୟାଶୀଳତା ବନ୍ଦ ହୋଇଗଲା ବୋଲି ବୁଝାପଡ଼େ ।

ଉପଲବ୍ଧ ସଂସାଧାନ ଓ ପ୍ରଶିକ୍ଷଣ ଅନୁସାରେ, ସି.ପି.ଆର୍‌. ମୂଖ୍ୟତଃ ୩ ପ୍ରକାରର ହୋଇଥାଏ । ଯଥା-
୧. ହ୍ୟାଣ୍ଡସ୍ ଓନଲି ସି.ପି.ଆର୍‌. /କମ୍ପ୍ରେସନ୍ ଓନଲି ଲାଇଫ୍ ସପୋର୍ଟ (ସି.ଓ.ଏଲ୍‌.ଏସ୍‌.)
୨. ୩୦:୨ ସିପିଆର୍
୩. ମଲ୍‌ଟି–ରେସକ୍ୟୁଅର୍ କୋଅର୍ଡ଼ିନେଟେଡ଼୍ ସି.ପି.ଆର୍‌.

ହଠାତ୍ ପଡ଼ିଯିବା (ସଡ଼ନ୍ କୋଲାପସ୍‌)ର କାରଣ-
୧. ହାର୍ଟ ଆଟାକ୍‌
୨. କାର୍ଡ଼ିଆକ୍ ଆରେଷ୍ଟ
୩. ଇଲେକ୍ଟ୍ରିକ୍ ସକ୍‌
୪. ଡ୍ରାଉନିଙ୍ଗ୍ ବା ପାଣିରେ ଡୁବିଯିବା
୫. ବିଜୁଳି ମାରିବା
୬. ପାଣି ବା ଖାଦ୍ୟ ଶ୍ୱାସନଳୀରେ ପଶିଯିବା
୭. ଅତ୍ୟଧିକ ଧୂଆଁମୟ ପରିବେଶ
୯୫% କ୍ଷେତ୍ରରେ ଉପରୋକ୍ତ ସମସ୍ତ ପରିସ୍ଥିତି ହସ୍‌ପିଟାଲ୍ ବାହାରେ ହିଁ ହୋଇଥାଏ । ତେଣୁ ଥରେ ଚିନ୍ତା କରନ୍ତୁ ବେସିକ୍ ଲାଇଫ୍ ସର୍ପୋଟ୍ ଦେବାର ପ୍ରଶିକ୍ଷଣ ଗ୍ରହଣ କରିବା ଜଣେ ସାଧାରଣ ନାଗରିକ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ!

ଏଭଳି ପରିସ୍ଥିତିରେ କ’ଣ କରିବା ଆବଶ୍ୟକ ?
ନିୟମ ହେଉଛି ପରୀକ୍ଷା କରିବା (ଚେକ୍‌), ସାହାଯ୍ୟ ପାଇଁ ସହାୟତା ଲୋଡ଼ିବା (କଲ୍‌) ଏବଂ ଛାତିରେ ଚାପ ପ୍ରୟୋଗ କରିବା (କମ୍ପ୍ରେସ୍‌) ।
୧. ପରୀକ୍ଷା କରିବା (ଚେକ୍‌)- ପ୍ରଥମେ ସେହି ସ୍ଥାନକୁ ଭଲ ଭାବେ ଯାଂଚ କରନ୍ତୁ । ଇଲେକ୍‌ଟ୍ରିକ୍ ସକ୍ କିମ୍ବା ଡ୍ରାଉନିଙ୍ଗ୍ କିମ୍ବା ଧୂଆଁ କିମ୍ବା ନିଆଁ ଲାଗିଛି କି ନାହିଁ ତାହା ପରୀକ୍ଷା କରି ଦେଖନ୍ତୁ । ପ୍ରଥମେ ଆପଣ ନିଜକୁ ସୁରକ୍ଷିତ ରଖନ୍ତୁ ଏବଂ ତା’ପରେ ରୋଗୀକୁ ଇଲେକ୍ଟ୍ରି ତାର, ନିଆଁ କିମ୍ବା ଧୂଆଁ ଆଦି ସ୍ଥାନରୁ ଦୂରକୁ ନେଇଯାନ୍ତୁ । ରୋଗୀର ପ୍ରତିକ୍ରିୟା ପରୀକ୍ଷା କରନ୍ତୁ, ତା’ର କାନ୍ଧକୁ ଥାପୁଡ଼ାନ୍ତୁ ଏବଂ ତା’ର ଭଲମନ୍ଦ ବିଷୟରେ ଜୋରରେ ପାଟିକରି ପଚାରନ୍ତୁ କିମ୍ବା ଆଖି ଖୋଲିବାକୁ କୁହନ୍ତୁ ।
୨. ସହାୟତା ପାଇଁ ଡ଼ାକନ୍ତୁ (କଲ୍‌)- ଆଗପଛ କିଛି ନଭାବି ସହାୟତା ପାଇଁ ପାଟି କରନ୍ତୁ କିମ୍ବା ଯେଉଁ ସ୍ଥାନରେ ଅଛନ୍ତି ସେହି ସ୍ଥାନର ପୁରା ବିବରଣୀ ଓ ରୋଗୀର ବୟସକୁ ଆନୁମାନିକ ଆକଳନ କରି ୧୦୮ ଆମ୍ବୁଲାନ୍ସ୍‌କୁ ଫୋନ୍ କରନ୍ତୁ । ଏହା ଦ୍ୱାରା ଆପାତକାଳୀନ ମେଡ଼ିକଲ୍ ଟିମ୍ ଆପଣଙ୍କ ପାଖରେ ଶୀଘ୍ର ପହଂଚି ପାରିବେ ।
୩. ଛାତିରେ ଚାପ ପ୍ରୟୋଗ କରିବା (କମ୍ପ୍ରେସ୍‌)- ଯଦି ରୋଗୀ ଆପଣଙ୍କ କଥାରେ କିମ୍ବା କାନ୍ଧକୁ ଥାପୁଡ଼ାଇଲା ପରେ ବି କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହିଁ ତେବେ ରୋଗୀ ଛାତିର ମଧ୍ୟଭାଗରେ ମିନିଟ୍ ପିଛା ୧୨୦ ଥର ହିସାବରେ ଚାପ ପ୍ରୟୋଗ କରନ୍ତୁ ।

ଏତଦବ୍ୟତୀତ ନିମ୍ନଲିଖିତ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।
୧. ରୋଗୀକୁ ଉପର ମୁହାଁ କରି ଗୋଟିଏ ସମତଳ ପୃଷ୍ଟଭୂମିରେ ଶୁଆଇ ଦିଅନ୍ତୁ ।
୨. ରୋଗୀର ଛାତି ପାଖରେ ଆପଣ ଆଣ୍ଠୁମାଡ଼ି (ନିଲଡାଉନ୍‌) ବସି ପଡ଼ନ୍ତୁ ।
୩. ଆପଣଙ୍କ ଗୋଟିଏ ପାପୁଲିକୁ ରୋଗୀର ଛାତି ମଝିରେ ରଖନ୍ତୁ । ଅନ୍ୟ ପାପୁଲିକୁ ପ୍ରଥମ ପାପୁଲି ଉପରେ ରଖନ୍ତୁ । ଏହି ସମୟରେ ଆପଣଙ୍କ କହୁଣୀକୁ ସିଧା ରଖନ୍ତୁ ।
୪. ରୋଗୀର ଛାତିରେ ଆପଣଙ୍କ ଉପରେ ଶରୀରର ଓଜନର ଚାପ ପ୍ରୟୋଗ କରନ୍ତୁ । ରୋଗୀର ଛାତିକୁ ଅତିକମ୍‌ରେ ୫ ସେ.ମି. ବା ୨ଇଂଚ୍ ପର୍ଯ୍ୟନ୍ତ ଚାପନ୍ତୁ । ଏପରି ଭାବେ ପ୍ରତି ମିନିଟ୍ ପିଛା ୧୨୦ ଥର କରନ୍ତୁ ।
୫. ଯେତେବେଳେ ଯାଏଁ ଆପାତକାଳୀନ ମେଡ଼ିକାଲ୍ ଟିମ୍ ପହଂଚି ନାହାନ୍ତି କିମ୍ବା ଯେତେବେଳେ ଯାଏଁ ଏପରି ସମାନ ଢଙ୍ଗରେ ଛାତିରେ ଚାପ ପ୍ରୟୋଗ କରିଚାଲନ୍ତୁ ।
୬. ଯଦି ଆପଣଙ୍କ ପାଖରେ ଆଉ କିଏ ଜଣେ ଅଛନ୍ତି ତେବେ ପ୍ରତି ଦୁଇ ମିନିଟ୍ ପରେ ଆପଣ ଥକ୍କା ହୋଇଗଲେ ସେ ମଧ୍ୟ ଏଭଳି ସି.ପି.ଆର୍‌. ଦେଇପାରନ୍ତି ।
ମନେ ରଖନ୍ତୁ ଆମମାନଙ୍କ ଟିକିଏ ପ୍ରଚେଷ୍ଟା କାହାର ଜୀବନ ବଂଚାଇ ଦେଇପାରେ! ତେଣୁ ଆମେମାନେ ସମସ୍ତେ ସି.ପି.ଆର୍‌. ବିଷୟରେ ପ୍ରଶିକ୍ଷଣ ନେବା ଅତ୍ୟନ୍ତ ଜରୁରୀ ।