ପ୍ରଫେସର ଡା. ଶୁଭେନ୍ଦୁ ନାରାୟଣ ମିଶ୍ର
ମାନସିକ ରୋଗ ବିଭାଗ
ଆଇ ଏମ୍ ଏସ୍ ଆଣ୍ଡ୍ ସମ୍ ହସପିଟାଲ୍‌

ଭୁବନେଶ୍ୱର

 

ଏକ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ ଚିହ୍ନିବା କିପରି ଏବଂ ଲକ୍ଷଣ ସବୁ କ’ଣ ? ଆସନ୍ତୁ ଜାଣିବା:
ବ୍ୟକ୍ତି ବିଶେଷ ଅନୁଯାୟୀ ବିଷାଦର ଅନେକ ଲକ୍ଷଣ ମାନ ରହିଛି ।
ଅନିଚ୍ଛୁକ, ବ୍ୟଗ୍ରତା, ନାକାରାତ୍ମକ ଚିନ୍ତାଧାରା, ନିଜକୁ ସର୍ବଦା ଦୋଷୀ ମନେ କରିବା, ଅନ୍ଧକାର କରି ଘରେ ରହିବା ।
ଜୀବନ ପ୍ରତି ନିରାଶ ଭାବନା ଆସିବା ତଥା ଆତ୍ମହତ୍ୟା ପାଇଁ ଭାବନା ଆସିବା ଅଥବା ବାରମ୍ବାର ପ୍ରୟାସ କରିବା ।
କର୍ମ କ୍ଷେତ୍ରରେ ଅନିଚ୍ଛା ପ୍ରକାଶ କରିବା ।
ନିଦ୍ରାହୀନତା ବିଶେଷ କରି ପ୍ରାତଃ ସମୟରେ ନିଦ୍ରା ଭଙ୍ଗ ହେବା ।
ଯୌନକାମନା ହ୍ରାସ ଘଟିବା ।
ଅସ୍ଥିର ମନ ବା ମାନସିକ ସ୍ଥିତି ତଥା ଚିନ୍ତା କରିବାର କ୍ଷମତାରେ ହ୍ରାସ ଘଟିବା ।
ଦୁର୍ବଳ ତଥା ବିଷାଦିତ ରହିବା ।
ନିଜର ଦୁର୍ବଳ ସ୍ୱାସ୍ଥ୍ୟବସ୍ଥା ପାଇଁ ଅସ୍ତବ୍ୟସ୍ତ ହେବା ।
ହୃତ୍‌ସ୍ପନ୍ଦନର ଗତି କ୍ରମଶଃ ବୃଦ୍ଧି ଘଟିବା ବା ଛାତି ଧଡ଼ଧଡ଼ ହେବା ।
ଚିନ୍ତା ଶକ୍ତି, ଆତ୍ମିୟ ଶ୍ରଦ୍ଧା, ଏକାଗ୍ରତା ତଥା ନିଷ୍ପତ୍ତି ନେବାରେ ସମସ୍ୟା ଉପୁଜିବା ।

ପରିବେଶ ଏବଂ ସାମାଜିକ କାରଣ:
ବିଦ୍ୟାଳୟରେ ଅତ୍ୟଧିକ ଚାପ ।
ବିଶୃଙ୍ଖଳିତ ଜୀବନଶୈଳୀ, ନିନ୍ଦା, ଅପବାଦ, ଆକସ୍ମିକ ଆଘାତ ।
ସହପାଠୀଙ୍କ ସହ ତୁଳନା, ନିକଟତର ବ୍ୟକ୍ତିଙ୍କ ଠାରୁ ଚାପ, ପ୍ରେମରେ ବିଫଳତା, ବାଲ୍ୟକାଳରେ ଘଟିଥିବା ବଡ଼ ମାନସିକ ଧକ୍କା ଆଦି ବିଷାଦଗ୍ରସ୍ତ ହେବାର ପ୍ରମୁଖ କାରଣ ।

ବୈଜ୍ଞାନିକ କାରଣ:
ସ୍ନାୟୁ ପ୍ରବାହରେ ରାସାୟନିକ ପଦାର୍ଥରେ ଭାରସାମ୍ୟ (ସେରୋଟୋନିନ୍ ଓ ଡ଼ୋପାମିନ୍‌)ରେ ଅସୁବିଧା ।
ଜୈବରସ- ଶରୀରରେ ସନ୍ତୁଳିତ ଜୈବରସ ସଂଚାରରେ ଭାରସାମ୍ୟ ହରାଇଲେ ତାହା ବିଷାଦର କାରଣ ହୁଏ ।
ଗଳଗ୍ରନ୍ଥି, ମାସିକ ଋତୁସ୍ରାବ ଜନିତ ରୋଗ ହେତୁ ଜୈବରସ ଅସନ୍ତୁଳିତ ହୁଏ ।

ବିଷାଦଗ୍ରସ୍ତ ବ୍ୟକ୍ତିଙ୍କୁ କିପରି ସାହାଯ୍ୟ କରାଯାଇ ପାରିବ ?
ମାନସିକ ଚିକିତ୍ସା ସମ୍ବନ୍ଧୀୟ ଅଜ୍ଞତା ଓ ଅନ୍ଧବିଶ୍ୱାସ ହେତୁ ନିଜକୁ ଏକ ବିଷାଦଗ୍ରସ୍ତ ରୋଗୀ ହିସାବରେ ସ୍ୱୀକାର କରିବା ଏକ କଷ୍ଟକର ବ୍ୟାପାର ।
ଜନସାଧାରଣ କିମ୍ବା ଆତ୍ମୀୟମାନେ ବିଷାଦଗ୍ରସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସାହାଯ୍ୟ କରିବାକୁ ଆଗେଇ ଆସିବା ଉଚିତ ।

କ) ବିଷାଦଗ୍ରସ୍ତ ସ୍ଥିତି ବିଷୟରେ ସମସ୍ତେ ଭଲ ଭାବରେ ଜାଣି ରଖିବା ଉଚିତ । ଏହା ଯେ କୌଣସି ବୟସର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଅଥବା ପରିବେଶର ବ୍ୟକ୍ତି ବିଶେଷଙ୍କୁ ପ୍ରଭାବିତ କରିପାରେ ।
ଖ) ହୃଦରୋଗ ଭଳି ଏହାର ତୁରନ୍ତ ଚିକିତ୍ସା ଆବଶ୍ୟକ ଓ ଏହାର ଆରୋଗ୍ୟ ସମ୍ଭବ । ଏହି ତଥ୍ୟକୁ ବୁଝି ରଖିବା ଉଚିତ ଏବଂ ଚିକିତ୍ସା ସମୟରେ ଲଜ୍ଜିତ ହେବାର ଆଶଙ୍କା ନାହିଁ । କାରଣ, ଏହା ଏକ ଅତି ସାଧାରଣ ରୋଗ ।
ଗ). ରୋଗକୁ ନିଜର ମାନସିକ ସ୍ଥିତି ଓ ଚିନ୍ତାଧାରା ଦୁର୍ବଳ ପରିସ୍ଥିତିକୁ ଆଲୋଚନା କରିବା ପାଇଁ ଉତ୍ସାହିତ କରିବା ଉଚିତ । ନଚେତ୍ ଏହା ପରିସ୍ଥିତିକୁ ଅଧିକ ଜଟିଳ କରିଥାଏ ।
ଘ). ବିଷାଦରୁ ମୁକୁଳି ଆସିଥିବା ବିଖ୍ୟାତ ବ୍ୟକ୍ତିତ୍ୱ, ଜଣାଶୁଣା ବ୍ୟକ୍ତି ବା ସୁନାମଧନ୍ୟ ବ୍ୟକ୍ତି ମାନଙ୍କର ଉଦାହରଣ ଦେବା ଉଚିତ ।
ଏହା ଜାଣି ରଖିବା ଉଚିତ ଯେ, ବିଷାଦଗ୍ରସ୍ତର ଫଳାଫଳ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପାରେ । ଠିକ୍ ସମୟରେ ଚିକିତ୍ସା ସମ୍ପୂର୍ଣ୍ଣ ନିରୋଗ କରିପାରେ । ବିଶେଷ କରି ପରୀକ୍ଷାରେ ଅକୃତକାର୍ଯ୍ୟ ବାଳିକା, ବେକାରୀ ଯୁବକ, ବିଷାଦଗ୍ରସ୍ତ ବୃଦ୍ଧ, ଦୁର୍ବଳ ଆର୍ଥିକ ସ୍ଥିତି, ଛାଡ଼ପତ୍ର ଏକ ନିଶାସକ୍ତ ବ୍ୟକ୍ତିଙ୍କର ଚିକିତ୍ସାରେ ଅବହେଳା ଜୀବନ ପ୍ରତି ବିପଦର କାରଣ ହୋଇପାରେ ।

ପ୍ରଯୁକ୍ତି ବିଜ୍ଞାନର ପ୍ରଭାବରେ ଦ୍ରୁତ ପରିବର୍ତ୍ତନଶୀଳ ପୃଥିବୀରେ ଭାରତବର୍ଷରେ କ୍ଷିପ୍ର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ଏହି ସଭ୍ୟତାର ମାନସିକ ସ୍ୱଭାବ ହୋଇ ଜୀବନର ପ୍ରମୁଖ ଅଭିଳାଷ ହୋଇ ପାରିଛି । ପରିସଂଖ୍ୟାନ ମତରୁ ଜଣାଯାଏ ଯେ, ୨୦୨୦ ମସିହା ସୁଦ୍ଧା ବିଷାଦତା ସମାଜର ଅସାମଂଜସ୍ୟତା ଦ୍ୱିତୀୟ ପ୍ରମୁଖ କାରଣ ହେବ ଏବଂ ୨୦୩୦ ସୁଦ୍ଧା ଶାରୀରିକ ଅସୁସ୍ଥତାରେ ସର୍ବାଧିକ ଅଂଶୀଦାର ରହିବ ।
ପ୍ରତିଦିନ ୩୦୦ ଆତ୍ମହତ୍ୟା ହେତୁ ପ୍ରାୟ ବାର୍ଷିକ ୧୦ ଲକ୍ଷ ଲୋକଙ୍କ ଜୀବନହାନି ଘଟୁଛି ।


ଜନସଚେତନତା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ପରିସ୍ଥିତି ଆସିଯାଇଛି । ଏହାର ଭୟଙ୍କର ପରିଣାମ ଓ ଚିକିତ୍ସାର ସାମର୍ଥ୍ୟ ସମ୍ପର୍କରେ ଅନେକ ସ୍ୱାସ୍ଥ୍ୟ ସଂସ୍ଥାନ ଓ ଗଣମାଧ୍ୟମଙ୍କ ଦ୍ୱାରା ପ୍ରତ୍ୟେକ ସାମାଜିକ ସ୍ତରରେ ପ୍ରଚାର କରାଯାଉଅଛି । ବିଶେଷ କରି ଏହା ଉପସଂହାର କରିବାରେ ଅତ୍ୟୁକ୍ତି ହେବ ନାହିଁ ଯେ, ଭାରତ ଏକ ଯୋଗ ଏବଂ ଧାର୍ମିକ ଭାବନାର ପୂଣ୍ୟ ଭୁମି ଏବଂ ଏହାର ପ୍ରଚାର ଓ ପ୍ରସାର ତଥା ଲୋକାଦୃତ୍ୟ କରାଇଲେ ଏହା ନିଶ୍ଚିତ ରୂପେ ବିଶାଦର ଆରୋଗ୍ୟ କରାଇବ ।