ଡା. କ୍ଷୀତିଶ ଚନ୍ଦ୍ର ମିଶ୍ର
କର୍କଟ ରୋଗ ବିଶେଷଜ୍ଞ, କଟକ

କ୍ୟାନସର୍ ମାନେ କ’ଣ?
ଏହା ଏକ କିମ୍ବା କିଛିଟା ପରିବର୍ତିତ କୋଷ, ଯାହାକି ଅମାନିଆ ଭାବେ ବଢ଼ିଚାଲେ । ଏହା ନିଜେ ନିଜେ ନଷ୍ଟ ହୁଏ ନାହିଁ କିମ୍ବା ଶରୀରର କିଛି କାମରେ ଆସେ ନାହିଁ ବରଂ କ୍ଷତି କରେ ।

ସାଧାରଣ କୋଷ ଏବଂ କ୍ୟାନସର୍ କୋଷ ମଧ୍ୟରେ ତଫାତ୍ କ’ଣ?
ଆମ ଶରୀରରେ ଲକ୍ଷାଧିକ କୋଷ ଥାଏ, ଯାହାକି ସ୍ୱୟଂଚାଳିତ ପ୍ରଣାଳୀରେ ବଂଶ ବୃଦ୍ଧି କରିଥାନ୍ତି । କ୍ୟାନସର୍ କିନ୍ତୁ ଏମିତିକା କୋଷ ସମୂହ, ଯାହା ନିଜ ମନ ମୁତାବକ ବୃଦ୍ଧି କରିଥାନ୍ତି ।

କେତେ ପ୍ରକାର ଟ୍ୟୁମର୍ ଅଛି?
ଦୁଇ ପ୍ରକାର ଟ୍ୟୁମର୍ ଥାଏ । ସାଧାରଣ (ବେନାଇନ୍‌) ଏବଂ କ୍ୟାନ୍‌ସରଯୁକ୍ତ (ମାଲିଗ୍‌ନାଂଟ୍‌) । ସାଧାରଣ ଟ୍ୟୁମର୍ କେବେ କେବେ କିଛି ବୃଦ୍ଧି କରି ଅଟକି ଯାଇପାରନ୍ତି ଏବଂ ଅନ୍ୟ ସ୍ଥାନକୁ ବ୍ୟାପନ୍ତି ନାହିଁ । ଏହା ବିପଜ୍ଜନକ ନୁହେଁ । କିନ୍ତୁ କ୍ୟାନସର୍ ଟ୍ୟୁମର୍ ନ ଅଟକି ବଢ଼ି ଚାଲେ ଏବଂ ଅନ୍ୟସ୍ଥାନକୁ ବ୍ୟାପିପାରେ ।

କ୍ୟାନସର୍ ସଂକ୍ରାମକ ରୋଗ କି?
କ୍ୟାନସର୍ ଯେହେତୁ କୌଣସି ଜୀବାଣୁ ଜନିତ ରୋଗ ନୁହେଁ, ଏହା ସଂକ୍ରାମକ ନୁହେଁ ।

କ୍ୟାନସର୍ ରକ୍ତ ଜନିତ କି?
କ୍ୟାନସର୍ କୋଷ ରକ୍ତ ପ୍ରବାହ ଦ୍ୱାରା ଶରୀରରେ ବିଭିନ୍ନ ସ୍ଥାନକୁ ବ୍ୟାପି ପାରିବ କିନ୍ତୁ ସାଧାରଣତଃ ରକ୍ତରୁ ତିଆରି ହୁଏ ନାହିଁ । କିନ୍ତୁ ଯେହେତୁ କ୍ୟାନସର୍ ଶରୀରର ଯେକୌଣସି କୋଷରେ ହୋଇପାରିବ; ରକ୍ତର କୋଷରେ ମଧ୍ୟ କ୍ୟାନସର୍ ସୃଷ୍ଟି ହୋଇପାରିବ ।

କ୍ୟାନସର୍ କିପରି ବ୍ୟାପେ?
ତିନୋଟି ପ୍ରଧାନ ଉପାୟରେ କ୍ୟାନସର୍ ବ୍ୟାପେ ।
(କ) ରକ୍ତ : ରକ୍ତ ପ୍ରବାହ ଜରିଆରେ କ୍ୟାନସର୍ କୋଷ ଗୋଟିଏ ଅଙ୍ଗରୁ ଅନ୍ୟ ଅଙ୍ଗ ପର୍ଯ୍ୟନ୍ତ ପହଂଚି ପାରିବ ।
(ଖ) ଲିମ୍ଫ୍ : ଆମ ଶରୀରରେ ରକ୍ତ ପ୍ରବାହ ସାଙ୍ଗରେ ଏକ ଲିମ୍ଫାଟିକ୍ ପ୍ରବାହ ମଧ୍ୟ ଅଛି । ଯାହା କ୍ୟାନସର୍ ବ୍ୟାପିବାରେ ସାହାଯ୍ୟ କରେ ।
(ଗ) ନିଜସ୍ୱ : କ୍ୟାନସର୍ କୋଷ ନିଜେ ବଢ଼ି ଆଖପାଖରେ ଥିବା ଅଙ୍ଗକୁ ବ୍ୟାପିପାରେ ।

କ୍ୟାନସର୍ କେତେ ଜୋରରେ ବଢ଼େ?
କ୍ୟାନସର୍ କୋଷ ବଢ଼ିବାରେ ସେମିତି କିଛି ସଠିକ୍ ବେଗ ନାହିଁ । କିଛିଟା କ୍ୟାନସର୍ ଧୀର ଗତିରେ ଏବଂ କିଛିଟା ପ୍ରଖର ବେଗରେ ବଢ଼ିଥାନ୍ତି । ସ୍ତନ କର୍କଟ ବଢ଼ିବା ପାଇଁ ପ୍ରାୟତଃ ଛ’ ମାସରୁ ୨ ବର୍ଷ ଲାଗିଲାବେଳେ ଗର୍ଭାଶୟ କ୍ୟାନସର୍ ବଢ଼ିବା ପାଇଁ ୧୦ ବର୍ଷ ସମୟ ନିଏ ।

କ୍ୟାନସର୍ ହେଲେ କେମିତି ଜାଣିବେ?
ସାଧାରଣତଃ କ୍ୟାନସରର ୭ଟି ଲକ୍ଷଣ ରହିଛି ।
(କ) ଝାଡ଼ା ଏବଂ ପରିସ୍ରା ଅଭ୍ୟାସରେ ପରିବର୍ତନ ।
(ଖ) ଉପଶମ ହେଉନଥିବା ଘା’ ।
(ଗ) ଅସ୍ୱାଭାବିକ ରକ୍ତସ୍ରାବ ।
(ଘ) ସ୍ତନ କିମ୍ବା ଅନ୍ୟ କେଉଁଠି ମାଂସ ପିଣ୍ଡୁଳା ।
(ଙ) ବଦହଜମି ବା ଗିଳିବାରେ କଷ୍ଟ ।
(ଚ) ଭାତୁଡ଼ି ବା ଜାଇରେ ପରିବର୍ତନ ।
(ଛ) ବାରମ୍ବାର କାଶ ବା ସ୍ୱର ଗମ୍ଭୀରତା ।
ଏଥିରୁ ଯେ କୌଣସି ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।

କ୍ୟାନ୍‌ସରର କାରଣ
ଏହା ସଠିକ୍ ରୂପରେ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ସାଧାରଣତଃ ତମାଖୁ (ପାନ, ବିଡ଼ି, ଗୁଟ୍‌ଖା, ହୁକା, ସିଗାରେଟ୍‌, ଗୁଡ଼ାଖୁ ଇତ୍ୟାଦି) ସେବନ କରୁଥିବା ବ୍ୟକ୍ତିମାନେ ବେଶି ଗଳା, ମୁଖଗହ୍ୱର, ଫୁସଫୁସ୍ କ୍ୟାନସର୍‌ରେ ଆକ୍ରାନ୍ତ ହୋଇଥାନ୍ତି । ଦୂଷିତ ବାୟୁ, ଜଙ୍କଫୁଡ୍‌, ଅଧିକ ଚର୍ବିଜାତୀୟ ଖାଦ୍ୟ ଏବଂ ସୂର୍ଯ୍ୟରଶ୍ମିକୁ ମଧ୍ୟ କ୍ୟାନସର୍ ସୃଷ୍ଟି ହେବା ସାଙ୍ଗରେ ଯୋଡ଼ାଯାଇଥାଏ ।

କ୍ୟାନସର୍ କୌଣସି ଜୀବାଣୁ ଦ୍ୱାରା ହୁଏକି?
ପ୍ରାୟତଃ ନୁହେଁ । ୨ %ରୁ କମ୍ କ୍ୟାନସର୍ ଭୂତାଣୁଜନିତ ।

କିଛି ଖଣ୍ଡିଆ ଖାବରା ହେଲେ କ୍ୟାନସର୍ ହେବାର ଆଶଙ୍କା ବଢ଼ିଥାଏ କି?
ଦେହର କୌଣସି ଭାଗରେ କିଛି ଖଣ୍ଡିଆ ହେଲେ ତାହା ଠିକ୍ ହୋଇଗଲେ କ୍ୟାନସର୍ ହୁଏ ନାହିଁ ।

ଖାଦ୍ୟ ପଦାର୍ଥର କ୍ୟାନସର୍ ସାଙ୍ଗରେ କ’ଣ ସମ୍ପର୍କ?
ଅଧିକ ଚର୍ବି, କମ୍ ଫାଇବର୍ ଥିବା ଖାଦ୍ୟ ଖାଇଲେ ଅନ୍ତଃନଳୀ କ୍ୟାନସର୍ ହୋଇପାରେ । ଅଧିକ ପଶୁଚର୍ବି ଥିବା ଖାଦ୍ୟ ଖାଇଲେ ସ୍ତନ କର୍କଟ ହୋଇପାରେ । ସବୁଜ ପନିପରିବା, ସତେଜ ଫଳ, ଟମାଟୋ ଓ ଅଦା ଶରୀର ପାଇଁ ହିତକର । ଏଥିରେ କ୍ୟାନ୍‌ସର କମ୍ କରିବା ପାଇଁ ଶକ୍ତି ଅଛି । ସ୍ମୋକ୍‌ଡ ଫୁଡ୍‌, ପ୍ରିଜର୍ଭଡ୍ ଫୁଡ୍‌, ଜଙ୍କ୍ ଫୁଡ୍ କମ୍ ଖାଇଲେ କିମ୍ବା ନ ଖାଇଲେ ଆହୁରି ଭଲ ।

ଡାକ୍ତରଙ୍କ ପରାମର୍ଶ ବିନା କର୍କଟ ହୋଇଛି କି ନାହିଁ କିପରି କହିପାରିବେ?
କେବଳ ସନ୍ଦେହ କରାଯାଇପାରେ । ନିୟମିତ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କର୍କଟ ରୋଗର ଉତ୍ତମ ରକ୍ଷାକାରୀ । ଉପରେ ବର୍ଣ୍ଣିତ ସାତ ବିପଦ ଲକ୍ଷଣ ଦେଖିଲାକ୍ଷଣି ପରୀକ୍ଷା କରାଇନେବା ଉଚିତ । ଜଣେ ନିଜେ ହିଁ ବିପଦ ସଙ୍କେତ ଜାଣିପାରିବ ଏବଂ ନିଜେ ହିଁ ପ୍ରଥମ ପ୍ରହରୀ ।

ଯନ୍ତ୍ରଣା କର୍କଟ ରୋଗର ପ୍ରଥମ ଲକ୍ଷଣ କି?
ନା । କେବଳ ହାଡ଼ କିମ୍ବା ଶୀରାରେ କର୍କଟ ହେଲେ ଆରମ୍ଭରୁ ଯନ୍ତ୍ରଣା ହୋଇପାରେ । ପ୍ରାୟତଃ ଅନ୍ୟ କର୍କଟ ରୋଗଗୁଡ଼ିକରେ ବହୁତ ବଢ଼ିଗଲେ ଯନ୍ତ୍ରଣା ହୋଇଥାଏ ।

କର୍କଟ ରୋଗ ଶୀଘ୍ର ଜଣାପଡ଼ିବା ଏବଂ ଚିକିତ୍ସା ହେବା କାହିଁକି ଜରୁରୀ?
ଶୀଘ୍ର ଜଣାପଡ଼ିଲେ କର୍କଟ ରୋଗ ଅନ୍ୟ ଅଙ୍ଗକୁ ସଂକ୍ରମିତ ହେବା ଆଗରୁ ଚିକିତ୍ସା ଦ୍ୱାରା ସମ୍ପୂର୍ଣ୍ଣ ଭଲ ହୋଇପାରିବ । ସାମୟିକ ପରୀକ୍ଷା ଦ୍ୱାରା କର୍କଟ ରୋଗ ପ୍ରଥମାବସ୍ଥାରେ ଚିହ୍ନଟ କରାଯାଇପାରିବ ରୋଗୀ ଜାଣିବା ପୂର୍ବରୁ ମଧ୍ୟ ।

କର୍କଟ ରୋଗ ପରୀକ୍ଷା କେଉଁଠାରେ ଉପଲବ୍ଧ?
ସବୁ ସରକାରୀ ଏବଂ ବେସରକାରୀ ମେଡିକାଲ୍ କଲେଜ ଏବଂ କର୍କଟ ରୋଗର ଚିକିତ୍ସା କେନ୍ଦ୍ରରେ ଏହା ଉପଲବ୍ଧ ।

ସମ୍ପୂର୍ଣ୍ଣ କର୍କଟ ରୋଗ ପରୀକ୍ଷା କହିଲେ କ’ଣ ବୁଝାଯାଏ?
ସମ୍ପୂର୍ଣ୍ଣ କର୍କଟ ରୋଗ ପରୀକ୍ଷାର ଅର୍ଥ ଦେହର ବାହ୍ୟ ଅଙ୍ଗ ପ୍ରତ୍ୟଙ୍ଗ (ଯଥା – ମସ୍ତକ, ଗଳା, ପାଟି ଭିତର, ଛାତି, ପେଟ, ସ୍ତନ, ଲିଙ୍ଗ, ମୂତ୍ରନଳୀ ଓ ମଳଦ୍ୱାର)ର ପରୀକ୍ଷା ଏବଂ ଏଥି ସହିତ କିଛିିଟା ପରୀକ୍ଷା ଯେପରିକି ଏକ୍ସରେ, ଅଲ୍‌ଟ୍ରାସାଉଣ୍ଡ୍‌, ମାମୋଗ୍ରାମ, ପାପସ୍ମିୟର୍‌, କଫ ପରୀକ୍ଷା, ମଳ ପରୀକ୍ଷା ଏବଂ ପିଏସଏ ପରୀକ୍ଷା କରାଯାଏ ।

ପରୀକ୍ଷା ଯନ୍ତ୍ରଣାଦାୟକ କି?
ପରୀକ୍ଷା କମ୍ ସମୟ ନେବ ଏବଂ ଯନ୍ତ୍ରଣାଦାୟକ ନୁହେଁ ।

ମାମୋଗ୍ରାଫି କ’ଣ?
ସ୍ତନ ତନ୍ତୁର ଏକ ବିଶେଷ ଏକ୍ସରେର ନାମ ମାମୋଗ୍ରାଫି । ଏହାଦ୍ୱାରା ସ୍ତନ କର୍କଟ ପ୍ରାରମ୍ଭିକ ଅବସ୍ଥାରୁ ଜଣାପଡ଼େ ।

ପାପସ୍ମିୟର୍ ପରୀକ୍ଷା କ’ଣ?
ଏଥିରେ ଗର୍ଭାଶୟର ତଳଭାଗରୁ କିଛିଟା କୋଷ ପରୀକ୍ଷା ପାଇଁ ନିଆଯାଏ ଏବଂ ସେଥିରେ କର୍କଟର ପ୍ରାରମ୍ଭ ଅବସ୍ଥା କିମ୍ବା ପୂର୍ବାବସ୍ଥା ଜାଣିହୁଏ । ଏହି ପରୀକ୍ଷା ଯନ୍ତ୍ରଣାଦାୟକ ନୁହେଁ ।