ଡା. ଏସ୍‌.ଏନ୍‌. ପଣ୍ଡା
ଇଣ୍ଟରଭେନସାଲ୍ କାର୍ଡିଲୋଜିଷ୍ଟ ଆଣ୍ଡ୍ କାର୍ଡିଆକ୍ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ୍‌
ଆମ୍ରି ହସ୍‌ପିଟାଲ୍‌, ଭୁବନେଶ୍ୱର

‘ଇଲେକ୍ଟ୍ରୋଫିଜିଓଲୋଜି (ଇପି) ଷ୍ଟଡି’ ହେଉଛି ଏକ ନୈଦାନିକ ପରୀକ୍ଷା, ଯେଉଁଥିରେ ଇଲେକ୍ଟ୍ରୋଡ୍ କ୍ୟାଥେଟର୍ (ଲମ୍ବା ତାର)କୁ ଏକ୍ସରେର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିରା (ବା ଭେନ୍‌)ରେ ପ୍ରବେଶ କରାଇ ହାର୍ଟ (ବା ହୃତପିଣ୍ଡ) ପର୍ଯ୍ୟନ୍ତ ନିଆଯାଏ ।
ହୃତପିଣ୍ଡର ବୈଦ୍ୟୁତିକ ବ୍ୟବସ୍ଥା (ଇଲେକ୍ଟ୍ରିକାଲ୍ ସିଷ୍ଟମ୍‌) ଜନିତ ଦେଖାଯାଉଥିବା ଅସାଧାରଣ ବା ଅସନ୍ତୁଳିତ ବା ଅନିୟମିତ ହୃତସ୍ପନ୍ଦନର ପ୍ରକୃତ କାରଣ ନିର୍ଦ୍ଧାରଣ କରିବାକୁ ଏହି ପରୀକ୍ଷା କରାଯାଇଥାଏ । ଏହାର ବିଶେଷତ୍ୱ ହେଉଛି ରୋଗ ପରୀକ୍ଷଣ ସହ କେଉଁ ଔଷଧ ସର୍ବୋତମ ତାହା ଦେଇହୁଏ ତଥା କନଜକସନରେ ରେଡିଓଫ୍ରିକ୍ୱେନ୍ସି ଆବ୍ଲେସନ୍ (ପୃଥକୀକରଣ) କରାଯାଇପାରେ ।


ହୃତପିଣ୍ଡର ବୈଦ୍ୟୁତିକ ବ୍ୟବସ୍ଥା ଯୋଗୁଁ ହୃତପିଣ୍ଡ ମାଂସପେଶୀର ସ୍ପନ୍ଦନ ସଂଚାଳିତ ହୋଇଥାଏ । ବିଶେଷ ଭାବେ କହିବାକୁ ଗଲେ, ଏହି ବୈଦ୍ୟୁତିକ ବ୍ୟବସ୍ଥା ହିଁ ହୃତପିଣ୍ଡର ଚାରୋଟି କକ୍ଷ (ବାମ ଅଳିନ୍ଦ, ଦକ୍ଷିଣ ଅଳିନ୍ଦ, ବାମ ନିଳୟ, ଦକ୍ଷିଣ ନିଳୟ)ର ମାଂସପେଶୀ ଏକ ସଙ୍ଗରେ କାର୍ଯ୍ୟ କରୁଥିବାର ପ୍ରତିପାଦିତ କରେ; ଯ’ଦ୍ୱାରା ହୃତପିଣ୍ଡର ମାଂସପେଶୀର କାର୍ଯ୍ୟ କ୍ଷମତା ସର୍ବାଧିକ ଅଛି ବୋଲି ଜଣାପଡ଼ିଥାଏ । ଯେଉଁ ରୋଗୀମାନଙ୍କ ମୂର୍ଚ୍ଛା ରୋଗ, ବାରମ୍ବାର ଅଚେତ ହେଲା ଭଳି ଅବସ୍ଥା ଦେଖାଯାଉଥିବ, ହୃତସ୍ପନ୍ଦନ ବଢ଼ିଯାଉଥିବ ବା ହୃତସ୍ପନ୍ଦନ କ୍ଷୀଣ ହୋଇଯାଉଥିବ, ସେଭଳି କ୍ଷେତ୍ରରେ ହୃତସ୍ପନ୍ଦନ ଅନିୟମିତତାର ପ୍ରକୃତ କାରଣ ଜାଣିବାକୁ ଇଲେକ୍ଟ୍ରୋଫିଜିଓଲୋଜି ଷ୍ଟଡି କରାଯାଇଥାଏ । ଏହି ପରୀକ୍ଷା ଦ୍ୱାରା ପରବର୍ତୀ ଚିକିତ୍ସା ପଦ୍ଧତି ର୍ନିଦ୍ଧାରିତ ହୋଇଥାଏ ଯେ, ରୋଗୀର ପେସ୍‌ମେକର୍ ଲାଗିବ କି ଡିଫିବ୍ରିଲେଟର ଉପଚାର ଆବଶ୍ୟକ ହେବ କି କ୍ୟାଥେଟର ଆବ୍ଲେସନ୍ କରିବାକୁ ହେବ ।


ଇଲେକ୍ଟ୍ରୋଫିଜିଓଲୋଜି ଷ୍ଟଡି ଦ୍ୱାରା କିଛି ନିର୍ଦ୍ଦିଷ୍ଟ ପ୍ରକାରର ହାର୍ଟ ଆରିଦମିଆ (ଅନିୟମିତ ବା ଅସ୍ୱାଭାବିକ ହୃତସ୍ପନ୍ଦନ)ର ପ୍ରକୃତ ଉଦଗମ ସ୍ଥଳ ଜଣାପଡ଼ିଥାଏ ଏବଂ ତା’ପରେ ଅଲଟରନେଟିଙ୍ଗ୍ କରେଂଟ୍ (ଏସି) ବା ପ୍ରତ୍ୟାବର୍ତୀ ଧାରାର ବିଦ୍ୟୁତ ବ୍ୟବହାର କରି ଏହି ଇଲେକ୍ଟ୍ରିକାଲ୍ ସର୍ଟ ସର୍କିଟକୁ ଦୂର କରିବା ପାଇଁ ପ୍ରଚେଷ୍ଟା କରାଯାଏ । ଇଲେକ୍ଟ୍ରିକାଲ୍ ହାର୍ଟ ଷ୍ଟଡିର ଏହି ବିଭାଗକୁ ‘ରେଡିଓ ଫ୍ରିକ୍ୟୁଏନସି କ୍ୟାଥେଟର୍ ଆବ୍ଲେସନ୍‌’ କୁହାଯାଏ । ଅସ୍ୱାଭାବିକ ହୃତସ୍ପନ୍ଦନ ଉଦଗମ ସ୍ଥଳରେ କ୍ୟାଥେଟରକୁ ରଖାଯାଏ ଏବଂ ତା’ପରେ କ୍ୟାଥେଟରର ଅଗ୍ର ଭାଗରେ ବିଦ୍ୟୁତ ଶକ୍ତି ପ୍ରବାହିତ କରି ସେହି ସର୍ଟସର୍କିଟକୁ ପୋଡ଼ି ଦିଆଯାଏ । ଏହିପରି ଭାବରେ ଅସ୍ୱାଭାବିକ ହୃତସ୍ପନ୍ଦନ ଦେଖାଯାଉଥିବା ରୋଗୀଙ୍କଠାରେ କ୍ୟାଥେଟର୍ ଆବ୍ଲେସନ୍ ଦ୍ୱାରା ଚିକିତ୍ସା କରାଯାଇଥାଏ, ଯ’ଦ୍ୱାରା ଆଉ ଏଥିପାଇଁ କିଛି ଔଷଧ ଖାଇବାକୁ ଏଡ଼ାଇ ଦିଆଯାଇପାରେ । ସେ ଯାହା ବି ହେଉ, ଏଇଠି ଗୋଟେ କଥା ମନେରଖିବାକୁ ହେବ ଯେ, ଯଦି ବି ଅସ୍ୱାଭାବିକ ହୃତସ୍ପନ୍ଦନ ଥିବାର ଜଣାପଡ଼େ ତଥାପି ସବୁ ହୃତସ୍ପନ୍ଦନ ସମସ୍ୟାକୁ ଆବ୍ଲେସନ୍ ପଦ୍ଧତି ମାଧ୍ୟମରେ ଉପଚାର କରାଯାଇପାରେ ନାହିଁ ।

ପ୍ରକ୍ରିୟା
‘ଇଲେକ୍ଟ୍ରିକାଲ୍ ହାର୍ଟ ଟେଷ୍ଟିଙ୍ଗ୍‌’ ପାଇଁ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ପ୍ରକୋଷ୍ଠ ବା ଇଲେକ୍ଟ୍ରୋଫିଜିଓଲୋଜିକାଲ୍ ଲାବୋରାଟୋରୀ ଥାଏ । ଯେତେବେଳେ ରୋଗୀ ପରୀକ୍ଷା ପାଇଁ ସେଠି ପହେଂଚ ସେଠି ଇଲେକ୍ଟ୍ରୋଫିଜିଓଲୋଜିରେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ହୋଇଥିବା ଜଣେ ରୋଗୀ ସହାୟିକା ବା ନର୍ସ ପରୀକ୍ଷା ସକାଶେ ସମସ୍ତ ପ୍ରକାର ବ୍ୟବସ୍ଥା କରନ୍ତି । ରୋଗୀର ଛାତିରେ ସ୍ୱତନ୍ତ୍ର ଅଠାଳିଆ ପ୍ୟାକ୍ ଲଗାଯାଏ ଏବଂ ରକ୍ତରେ ଅମ୍ଳଜାନ ସ୍ତର ଜାଣିବାକୁ ଗୋଟେ ମନିଟର୍ ସଂଶ୍ଳିଷ୍ଟ ଥାଏ । ରୋଗୀ ଶରୀରରେ କ୍ୟାଥେଟର୍ ପ୍ରବେଶ କରାଇବାର ପ୍ରକ୍ରିୟା ପାଇଁ ପଦକ୍ଷେପ ନିଅନ୍ତି ।
ସାଧାରଣତଃ, ଡାହାଣ ଜଙ୍ଘ ସନ୍ଧି କିମ୍ବା ବାମ ଜଙ୍ଘ ସନ୍ଧିରେ ଥିବା ଶିରାରେ କ୍ୟାଥେଟର୍ ପ୍ରବେଶ କରାଯାଏ । ତେଣୁ କ୍ୟାଥେଟର୍ ପ୍ରବେଶ କରାଇବା ପୂର୍ବରୁ ସେହି ସ୍ଥାନକୁ ଉତମ ରୂପେ କ୍ଷୌର (ସେଭିଙ୍ଗ୍‌) କରି ପରିଷ୍କାର ରଖିବା ବାଞ୍ଛନୀୟ ।


ଏହି ସବୁ ପରେ ସେହି ସ୍ଥାନକୁ ଏକ ସ୍ୱତନ୍ତ୍ର କପଡ଼ା (ଡ୍ରେପ୍‌) ଦ୍ୱାରା ଆଚ୍ଛାଦିତ କରି ଜଣେ ଅଭିଜ୍ଞ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ୍ ଲୋକାଲ୍ ଆନାସ୍ଥେସିଆ (ସ୍ଥାନୀୟ ନିଶ୍ଚେତକ) ପ୍ରୟୋଗ କରନ୍ତି । ଇଲେକ୍ଟ୍ରିକାଲ୍ ସିଷ୍ଟମକୁ ମୂଲ୍ୟାଙ୍କନ କରୁଥିବା ଏକ ବିଶେଷ ପ୍ରକାରର ଇଲେକ୍ଟ୍ରୋଡ୍ କ୍ୟାଥେଟର୍ ହିଁ ଏକ୍ସରେର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଗକୁ ଯାଇଥାଏ । ତା’ପରେ ହୃତ୍‌ପିଣ୍ଡର ବିଭିନ୍ନ କକ୍ଷରେ ଇଲେକ୍ଟ୍ରୋଡଗୁଡ଼ିକୁ ସ୍ଥାପନ କରାଯାଏ ।
ଯେହେତୁ ଏହି କ୍ୟଥେଟରଗୁଡ଼ିକ ରକ୍ତବାହୀ ନଳୀକା ମାଧ୍ୟମରେ ଆଗକୁ ଯାଇ ହୃତପିଣ୍ଡରେ ସ୍ଥାପିତ ହୁଅନ୍ତି, ସେଥିପାଇଁ ଏହି ପଦ୍ଧତି ସମୟରେ କ୍ୟାଥେଟରଗୁଡ଼ିକ ପୀଡ଼ା ଉତ୍ପନ୍ନ କରିନଥାନ୍ତି ବା ଯଦି ବି ପୀଡ଼ା ହୁଏ ତାହା ଅତି କ୍ଷୀଣ ପୀଡ଼ା ହୋଇଥାଏ ।
ସାଧାରଣତଃ କହିବାକୁ ଗଲେ ଇଲେକ୍ଟ୍ରୋଫିଜିଓଲୋଜି ଷ୍ଟଡି ଏକ ସୁରକ୍ଷିତ ପ୍ରକ୍ରିୟା ଏବଂ ଏହା ଦ୍ୱାରା କୌଣସି ପ୍ରକାର ଗୁରୁତର କମ୍ପ୍ଲିକେସନ୍ ବା ଜଟିଳ ଅବସ୍ଥା ଦେଖାଯିବା ଆଶଙ୍କା ୧%ରୁ ମଧ୍ୟ କମ୍ । ଯେତେବେଳେ ଏହି ପ୍ରକ୍ରିୟା ଶେଷ ହୁଏ ସେତେବେଳେ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ, ରୋଗୀ ତଥା ତାଙ୍କ ସମ୍ପର୍କୀୟଙ୍କୁ ଫଳାଫଳ ବା ରେଜଲ୍ଟ ବିଷୟରେ ସବିଶେଷ ବୁଝାଇ ଦିଅନ୍ତି ।

ପ୍ରକ୍ରିୟା ପରବର୍ତ୍ତୀ ପଦକ୍ଷେପ
ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଏହା ଏକ ବହିଃରୋଗ ବିଭାଗ ପ୍ରକ୍ରିୟା (ବା ଆଉଟ୍ ପେସେଂଟ୍ ପ୍ରସିଡ୍ୟୁର୍‌) ହୋଇଥାଏ ଏବଂ ପ୍ରାୟ ୩ ଘଂଟା ପରେ ରୋଗୀ ହସ୍ପିଟାଲ୍‌ରୁ ଘରକୁ ଯାଇପାରିବେ । ହେଲେ ଯଦି କିଛି ଅସୁବିଧା ଜଣାପଡ଼େ, ତେବେ ପରବର୍ତୀ ପରୀକ୍ଷା ପଦ୍ଧତି, ଔଷଧ ନିର୍ଦ୍ଧାରଣ ପାଇଁ ରୋଗୀକୁ ଦିନେ ଦୁଇ ଦିନ ହସ୍ପିଟାଲରେ ଭର୍ତି ହୋଇଯିବା ପାଇଁ ପରାମର୍ଶ ଦିଆଯାଇଥାଏ ।
ସାଧାରଣତଃ ଇଲେକ୍ଟ୍ରିକାଲ୍ ଷ୍ଟଡି କରାଯିବାର ୨୪ ଘଂଟା ପର୍ଯ୍ୟନ୍ତ ରୋଗୀ ଗାଡ଼ି ଚଳାଇବା ଉଚିତ ନୁହେଁ । ଏହି ପ୍ରକ୍ରିୟା ପରବର୍ତ୍ତୀ ପାଂଚ ଦିନ ଯାଏଁ ରୋଗୀକୁ ୧୫ ପାଉଣ୍ଡ୍ ଓଜନରୁ ଅଧିକ ଓଜନ ଉଠାଇବା ମନା । ରୋଗୀ ଚାଲିବା, ସିଡ଼ି ଚଢ଼ିବା, ଗଛରେ ପାଣିଦେବା ଆଦି କାମ କରିପାରିବେ; କିନ୍ତୁ ଅଳ୍ପ କଲେ ଭଲ । ୫ଦିନ ଯାଏଁ ପାଣିରେ ଗୋଡ଼ ବୁଡ଼ାଇ ରଖିବା ଉଚିତ ନୁହେଁ ।