
ଡା. ବିଶ୍ୱଜିତ ନନ୍ଦ
କନ୍ସଲ୍ଟାଂଟ୍
ୟୁରୋଲୋଜି ଆଣ୍ଡ୍ ରେନାଲ୍ ଟ୍ରାନ୍ସପ୍ଳାଂଟ୍
ସାଧାରଣ ଯୌନକ୍ରିୟା ସମୟରେ ଇରେକ୍ସନ ନ ହେବା ବା ଅଧିକ ସମୟ ଧରି ଇରେକ୍ସନ ନ ହେବାକୁ ‘ଇରେକ୍ଟାଇଲ୍ ଡିସ୍ଫଙ୍କସନ୍’ (ଲିଙ୍ଗ ଉତ୍ଥିତ ନହେବା) କୁହାଯାଏ । ଅଧିକାଂଶ ପୁରୁଷ ସେମାନଙ୍କ ଜୀବନରେ କେବେ କେବେ ଏହି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଯେତେବେଳେ ଏହା ଦୀର୍ଘକାଳ ଧରି ଲାଗିରହେ ସେମାନଙ୍କ ଆତ୍ମବିଶ୍ୱାସ ଏବଂ ସମ୍ପର୍କ ପ୍ରଭାବିତ ହୋଇଥାଏ । ପୂର୍ବ କାଳରେ ଏହା ଆବେଗଜନିତ ସମସ୍ୟା ରୂପେ ପରିଗଣିତ ହେଉଥିଲା, କିନ୍ତୁ ବର୍ତମାନ ମେଡ଼ିକାଲ୍ ରିସର୍ଚ୍ଚରେ ଜଣାପଡ଼ିଛି ଯେ, ଏହା ଏକ ଜଟିଳ ସମସ୍ୟା ଓ ଅନେକଗୁଡ଼ିଏ ସମ୍ଭାବିତ କାରଣରୁ ଏହା ହୋଇଥାଏ ।
ପୁରୁଷମାନଙ୍କ ପକ୍ଷରେ ଏହା ବିଷୟରେ ଜଣାଇବା ବହୁତ କଷ୍ଟକର ହୋଇଥାଏ ଏବଂ ଏହାକୁ ନେଇ ଏବେ ମଧ୍ୟ ଅନେକ ଭ୍ରାନ୍ତ ଧାରଣା ରହିଛି । ଏବେ ଆସନ୍ତୁ, ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ଉପରେ ଅନେକ ଜଣା ଅଜଣା କଥା ଉପରେ ଆଲୋଚନା କରିବା ।
ଧାରଣା : ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ଗୋଟିଏ ସାଧାରଣ ଲକ୍ଷଣ ନୁହେଁ ।
ସତ୍ୟ : ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ଯାହାକୁ ମୁଖ୍ୟତଃ ‘ନପୁଂସକତା’ କୁହାଯାଏ, ପୁରୁଷମାନଙ୍କ କ୍ଷେତ୍ରରେ ଏକ ସାଧାରଣ ସମସ୍ୟା ଅଟେ । ବର୍ତମାନ ଦେଖାଯାଉଥିବା ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ଏକ ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା ଦ୍ୱାରା ସୃଷ୍ଟି ହୋଇଥାଏ । ଅନେକ ସମସ୍ୟା, ଯାହାକି ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ସହ ସମ୍ବନ୍ଧିତ ଥାଏ, ରକ୍ତ ବାହିକାମାନଙ୍କୁ ପ୍ରଭାବିତ କରିଥାଏ ଏବଂ ଲିଙ୍ଗକୁ ରକ୍ତ ସଂଚାଳନ କମିଯାଇଥାଏ ।
ଧାରଣା : ବୟସ ବୃଦ୍ଧିର ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ଏକ ସାଧାରଣ ଅଂଶ ଏବଂ ପୁରୁଷମାନଙ୍କୁ ଏହା ସହ ବଂଚିବା ଶିଖିବାକୁ ହୋଇଥାଏ ।
ସତ୍ୟ : ଯଦିଓ ଏହା ବୃଦ୍ଧାବସ୍ଥାରେ ସାଧାରଣତଃ ଦେଖିବାକୁ ମିଳିଥାଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ‘ଏହା ସାଧାରଣ’ ବା ଏହା ସହ ଆପଣଙ୍କୁ ସାଧାରଣ ଭାବେ ବଂଚିବାକୁ ହେବ ।
ଧାରଣା : ଅଧିକାଂଶ ପୁରୁଷ କେବେ ବି ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ର ସମ୍ମୁଖୀନ ହୋଇନାହାନ୍ତି ।
ସତ୍ୟ : ୪୦ରୁ ୭୦ ବର୍ଷ ବୟସ ମଧ୍ୟରେ ବେଶିରୁ ବେଶି ୫୨% ପୁରୁଷ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
ଧାରଣା : ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ହେଉଛି ଏକ ବ୍ୟକ୍ତିଗତ ସମସ୍ୟା ।
ସତ୍ୟ : ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ମୁଖ୍ୟତଃ ଚିନ୍ତା ବୃଦ୍ଧି କରେ, ବିଷାଦ ବଢ଼ାଏ, ଆତ୍ମସମ୍ମାନ ହାନି କରେ ଏବଂ ଜୀବନର ଗୁଣବତା କମାଇ ଦେଇଥାଏ । ଏହା ମାନସିକ ଚାପ ବୃଦ୍ଧି କରିଥାଏ, ଯାହା ଫଳରେ ନିଜର ପରିବାର ଓ ସମାଜ ସହ ଜଣେ ପୁରୁଷର ସମ୍ପର୍କ ପ୍ରଭାବିତ ହୋଇଥାଏ ଏବଂ ନିଜର ଜୀବନସାଥୀ ସହ ସମ୍ପର୍କ ଖରାପ ହୋଇଥାଏ । ପୁରୁଷ ଓ ତା’ର ଜୀବନସାଥୀ ଉଭୟଙ୍କୁ ଏହା ପ୍ରଭାବିତ କରିଥାଏ, ତେଣୁ ଏହାକୁ କେବଳ ଏକ ପୁରୁଷର ସମସ୍ୟା ବୋଲି ବିଚାର କରିବା ଉଚିତ ନୁହେଁ ।
ଧାରଣା : କେବଳ ସମ୍ପର୍କ ଜନିତ ସମସ୍ୟା ସକାଶେ ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ହୋଇଥାଏ ।
ସତ୍ୟ : ଜଣେ ପୁରୁଷର ଯୌନକାଂକ୍ଷାକୁ ସମ୍ପର୍କ କିଛି ମାତ୍ରାରେ ପ୍ରଭାବିତ କରିଥାଏ, ତେବେ ଅଧିକାଂଶ ସ୍ଥଳରେ ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ମାନସିକ କାରଣରୁ ନ ହୋଇ ଶାରୀରିକ କାରଣରୁ ହୋଇଥାଏ ।

ଧାରଣା : ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ବିପଜ୍ଜନକ ହୋଇନଥାଏ; ଏହା ଖାଲି ଗୋଟାଏ ବ୍ୟକ୍ତିଗତ ସମସ୍ୟା ।
ସତ୍ୟ : ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ଏକୁଟିଆ ବିପଜ୍ଜନକ ନୁହେଁ; କିନ୍ତୁ ଏହା ଅନେକ ଚିକିତ୍ସା ସ୍ଥିତିର ସଙ୍କେତ ସାଜିଥାଏ (ଯେଉଁମାନଙ୍କୁ ଚିକିତ୍ସା ନ କଲେ ବିପଜ୍ଜନକ ହୋଇଯା’ନ୍ତି) । ଯଥା – ହୃଦ୍ରୋଗ ଏବଂ ଉଚ୍ଚ ରକ୍ତଚାପ । ତେଣୁ ଯେତେବେଳେ ଆପଣ ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ର ସମ୍ମୁଖୀନ ହେଉଛନ୍ତି, ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯାହା ଫଳରେ ସମ୍ଭାବିତ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ନିରୂପିତ ହୋଇପାରିବ ଏବଂ ଚିକିତ୍ସା ହୋଇପାରିବ ।
ଧାରଣା : ‘ପରାମର୍ଶ’ ହେଉଛି ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ର କେବଳ ଗୋଟିଏ ହିଁ ଚିକିତ୍ସା ।
ସତ୍ୟ : ‘ଇରେକ୍ଟାଇଲ୍ ଡିସ୍ଫଙ୍କସନ୍’ ଭୋଗୁଥିବା ଅନେକ ପୁରୁଷ ଏବଂ ସେମାନଙ୍କ ଜୀବନସାଥୀଙ୍କ ପାଇଁ ପରାମର୍ଶ ମଧ୍ୟ ସୁପାରିଶ କରାଯାଏ, କାରଣ ଉଭୟଙ୍କ ପାଇଁ ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ର ଅନେକ ଭାବନାତ୍ମକ ପରିଣାମ ରହିଥାଏ ।
ଧାରଣା : ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ରେ କିଛି ଚିକିତ୍ସା ନାହିଁ – ଏହା ସହ ସାଲିସ୍ କରିବାକୁ ହେବ ।
ସତ୍ୟ : ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ର କାରଣ ଅନୁସାରେ ଅନେକ ପ୍ରକାରର ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଅଛି । ଉଦାହରଣ ସ୍ୱରୂପ – ଯଦି ଆପଣ କୌଣସି ରୋଗ ପାଇଁ ଔଷଧ ସେବନ କରୁଛନ୍ତି ଓ ସେହି ଔଷଧ ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ର କାରଣ ହେଉଥିବ, ତେବେ ଆପଣଙ୍କ ଡାକ୍ତର ସେହି ଔଷଧ ପରିବର୍ତନ ପାଇଁ ପରାମର୍ଶ ଦେଇପାରନ୍ତି । ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ର ଚିକିତ୍ସାରେ ଓରାଲ୍ ଟ୍ୟାବଲେଟ୍, ଇଞ୍ଜେକ୍ସନ (ଲିଙ୍ଗରେ) ବା ଗୋଟିଏ ହରମୋନ୍ ଥିବା ପେଲେଟ୍କୁ ମୂତ୍ରମାର୍ଗରେ ପ୍ରବିଷ୍ଟ କରାଯାଏ, ଫଳରେ ମାଂସପେଶୀ ଟିସକୁ ରିଲାକ୍ସ ହୋଇଥାଏ ଓ ରକ୍ତ ସଂଚାଳନ ସଠିକ୍ ହୋଇଥାଏ । ଏହାଛଡ଼ା ଚିକିତ୍ସା ସକାଶେ ସୁପରାମର୍ଶ ଦିଆଯାଏ, ହରମୋନ୍ ରିପ୍ଲେସ୍ମେଂଟ୍ ଥେରାପି ଦିଆଯାଏ ଏବଂ ପେନିସ୍ ପମ୍ପ ଆଦି ବ୍ୟବହାର କରାଯାଏ । ଯେତେବେଳେ ସବୁ ପ୍ରକାର ଚିକିତ୍ସା ଅସଫଳ ହୁଏ, ସେତେବେଳେ ‘ପେନାଇଲ୍ ଇମ୍ପ୍ଲାଂଟ୍ ସର୍ଜରୀ’ ଭଳି ଶଲ୍ୟ ଉପଚାର କରାଯାଏ ।
ଧାରଣା : ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ପାଇଁ ପାଟିରେ ସେବନ କରୁଥିବା ଔଷଧ ଆପଣଙ୍କୁ ଯୌନକ୍ରିୟା ସମୟରେ ଗୋଟିଏ ନିରନ୍ତର ଇରେକ୍ସନ ଦେଇଥାଏ ।
ସତ୍ୟ : ସତ କହିବାକୁ ଗଲେ ଓରାଲ୍ ମେଡ଼ିକେସନ୍ ବା ପାଟିରେ ସେବନ କରୁଥିବା ଔଷଧ ପ୍ରାକୃତିକ ଯୌନସୁଖର ଅନୁଭବର ସୁବିଧା ଦେଇଥାଏ । ଅନ୍ୟ ଶବ୍ଦରେ କହିଲେ, କେବଳ ଯୌନ ପ୍ରେରିତ ହେଲେ ଯାଇ ଇରେକ୍ସନ ହୋଇଥାଏ । ଯେତେବେଳେ ଆପଣ ଉତେଜିତ ହୋଇନାହାନ୍ତି, ସେତେବେଳେ ଆପଣ ନିରନ୍ତର ଇରେକ୍ସନ ବିଷୟରେ ଭାବି ବ୍ୟସ୍ତ ହୁଅନ୍ତୁ ନାହିଁ । ଦୀର୍ଘ ସମୟ ଧରି ନିରନ୍ତର ଇରେକ୍ସନ କ୍ୱଚିତ ଦେଖାଯାଏ । ଯଦି ଏହି ଇରେକ୍ସନ ୪ ଘଂଟାରୁ ଅଧିକ ସମୟ ରହିଲା, ତେବେ ଆଦୌ ବିଳମ୍ବ ନ କରି ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ ହେଉଛି ଏକ ସାଧାରଣ ଏବଂ ଚିକିତ୍ସାସାପେକ୍ଷ ରୋଗ । ତେଣୁ ଏହି ରୋଗରେ ପୀଡ଼ିତ ବ୍ୟକ୍ତି ଲଜ୍ଜା ଅନୁଭବ ନ କରି ଜଣେ ୟୁରୋଲୋଜିଷ୍ଟଙ୍କ ପରାମର୍ଶ ନିଅନ୍ତୁ ।
କଳିଙ୍ଗ ହସ୍ପିଟାଲ୍, ଭୁବନେଶ୍ୱର