
ଡା. ପ୍ରଶାନ୍ତ କୁମାର ପରିଡ଼ା । କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗରେ ଆସିଷ୍ଟାଂଟ୍ ପ୍ରଫେସର ଭାବେ କାର୍ଯ୍ୟରତ ।
ଖୁବ୍ କମ୍ ବୟସରେ ସେ ଜଣେ ସଫଳ ଚିକିତ୍ସକ ଭାବେ ଯଥେଷ୍ଟ ପ୍ରସିଦ୍ଧି ପାଇସାରିଲେଣି । ତାଙ୍କ ସହ ଥରୁଟେ ମିଶିଲେ ହିଁ ଜାଣିହୁଏ ସେ କେତେ ଶାନ୍ତ, ସରଳ ଓ ଅମାୟିକ । ନିଜର ଏହି ସ୍ୱଭାବ ପାଇଁ ରୋଗୀଙ୍କ ମହଲରେ ବେଶ୍ ପରିଚିତ । ଖୁବ୍ ସହଜରେ ସଭିଙ୍କୁ ଆପଣାର କରିପାରନ୍ତି ଡା. ପରିଡ଼ା । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ପ୍ରକାଶିତ । ନିଜର କର୍ତବ୍ୟପରାୟଣତା ତଥା ନିଷ୍ଠାପର ରୋଗୀସେବା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି ।
ତାଙ୍କର ଜୀବନ କାହାଣୀ ଏଥରର ଫ୍ଲାସ୍ବ୍ୟାକ୍ରେ ।
ମେଡ଼ିକାଲ୍ ଆଡମିସନ୍ ବେଳକୁ କଲଲେଟରଟି ହଜିଯାଇଥିଲା
– ଡା. ପ୍ରଶାନ୍ତ କୁମାର ପରିଡ଼ା
ଗୋଟିଏ ମଧ୍ୟବିତ୍ତ ପରିବାରରେ ପ୍ରଶାନ୍ତଙ୍କ ଜନ୍ମ ହୁଏ ୧୯୭୮ ମସିହା ଜାନୁଆରୀ ୫ ତାରିଖରେ । କଟକର ରାଜାବଗିଚାରେ ଘର । ବାପାଙ୍କ ନାମ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ପରିଡ଼ା ଏବଂ ମାଆଙ୍କ ନାମ ଶ୍ରୀମତୀ ରଙ୍ଗଲତା ପରିଡ଼ା । ପାଂଚ ଭଉଣୀରେ ସେ ଗୋଟିଏ ଭାଇ । ତେଣୁ ଘରଯାକର ସ୍ନେହ ଅଜାଡ଼ି ହୋଇପଡ଼େ ତାଙ୍କ ଉପରେ । ଅଭାବ ଅନଟନର ଶୈଶବ । ପିଲାଟି ଦିନରୁ କିନ୍ତୁ ସେ ମେଧାବୀ ଥିଲେ ଏବଂ ପାଠପଢ଼ାକୁ ଖୁବ୍ ଭଲ ପାଉଥିଲେ । ୧୯୯୨ ମସିହାରେ କଟକର ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୁଅନ୍ତି । ତା’ପରେ ୧୯୯୪ ମସିହାରେ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ +୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୁଅନ୍ତି ।
ଅଧିକାଂଶ ମଧ୍ୟବିତ୍ତ ପରିବାରରେ ଢୋକେ ପିଇ ଦଣ୍ଡେ ଜିଇଁବା ଭଳି ପରିସ୍ଥିତି ଥାଏ । ପ୍ରଶାନ୍ତଙ୍କ ପରିବାରର ମଧ୍ୟ ଆର୍ଥିିକ ଅବସ୍ଥା ଆଦୌ ସ୍ୱଚ୍ଛଳ ନଥିଲା । ତେଣୁ ପିଲାଟିଦିନରୁ ପାଠପଢ଼ା ସାଙ୍ଗକୁ ଘରର ଅନେକ ଦାୟିତ୍ୱ ଆପେ ଆପେ ନ୍ୟସ୍ତ ହୋଇଯାଇଥିଲା ପ୍ରଶାନ୍ତଙ୍କ ଉପରେ, ଗୋଟେ ଅଭାବୀ ମଧ୍ୟବିତ୍ତ ପରିବାରର ପୁଅ ହେବା ଦାୟରେ । ବାପା ବହି ଦୋକାନଟିଏ କରିଥାନ୍ତି ଚଣ୍ଡିଖୋଲରେ । କଷ୍ଟେମଷ୍ଟେ ଗୁଜୁରାଣ ଚଳୁଥାଏ । ଯକ୍ତ ଦୁଇରେ ପଢ଼ିଲାବେଳେ ପ୍ରଶାନ୍ତ ସକାଳୁ ସକାଳୁ ବାହାରିଯାଆନ୍ତି କଟକର ରେଲୱେ ଷ୍ଟେସନକୁ । ସେଠାରୁ ବିଭିନ୍ନ ନ୍ୟୁଜ୍ପେପର ସାଇକେଲରେ ବିଡ଼ା ବାନ୍ଧି ଆଣି ବାଦାମବାଡ଼ି ଆସନ୍ତି । ସେଠାରୁ ଚଣ୍ଡିଖୋଲ ଯାଉଥିବା ବସରେ ସେସବୁ ନ୍ୟୁଜପେପର ପଠାନ୍ତି । ଏଇଟା ଥିଲା +୨ ପଢ଼ିଲା ବେଳର ନିତିଦିନିଆ କାମ ।

ଅଭାବ ଅନାଟନ ଭିତରେ ବାପାଙ୍କ ଇଚ୍ଛା ଥାଏ ତାଙ୍କ ପୁଅ ଡାକ୍ତରଟିଏ ହେଉ, ସମାଜର ସେବା କରୁ ଏବଂ ପାଂଚଲୋକରେ ଜଣେ ହୋଇ ଠିଆ ହେଉ । ବାପାଙ୍କ କଥା ଶୁଣୁ ଶୁଣୁ କିଶୋର ପ୍ରଶାନ୍ତ ବି ସ୍ୱପ୍ନ ଦେଖନ୍ତି ଯେମିତି ହେଉ ଭବିଷ୍ୟତରେ ଡାକ୍ତରଟିଏ ହେବେ । ଆରମ୍ଭ ହେଲା ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି । ରାତି ଦିନ ଏକାକାର; କେବଳ ପାଠ, ପାଠ ଆଉ ପାଠ! ହେଲେ ପ୍ରଥମ ବର୍ଷ ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଯା’ନ୍ତି । ଏହି ଅସଫଳତା ତାଙ୍କୁ ମାନସିକ ସ୍ତରରେ ଖୁବ୍ ଗଭୀର ଭାବେ ପ୍ରଭାବିତ କରେ । ଏତେ ପରିଶ୍ରମ କଲା ପରେ ବି ମେଡ଼ିକାଲ୍ ହେଲା ନାହିଁ! ଏହି କଥା ଭାବି ଭାବି ସେ ଡିପ୍ରେସନ୍ ବା ଅବସାଦର ଶିକାର ହୋଇଯାନ୍ତି । ପୁନର୍ବାର ଜେଇଇ ଦେବାକୁ ଅନିଚ୍ଛା ପ୍ରକାଶ କରନ୍ତି । ଏହି ସମୟରେ ବାପା ହିଁ ବୁଝାନ୍ତି ଓ ସାହସ ଦିଅନ୍ତି । ବାପା କହିଲେ – ‘ତୁ ଥରେ ନୁହେଁ, ସାତ ଥର ଏଂଟ୍ରାନ୍ସ ଦେ; ପାଇବା ଯାଏଁ ଦେ । ମନକୁ ସ୍ଥିର କରି ପାଠ ପଢ଼, ଦିନେ ନା ଦିନେ ତୁ ଡାକ୍ତର ହେବୁ । ମୁଁ ତ ଅଛି, ତୁ କାହିଁ ଚିନ୍ତା କରୁଛୁ!’ ବାପାଙ୍କ ଏହି ଦି’ ଚାରିପଦ କଥା ହିଁ ତାଙ୍କୁ ପ୍ରେରଣା ଯୋଗାଇଥିଲା ଏବଂ ସେ ଆହୁରି କଠିନ ପରିଶ୍ରମ କଲେ । ପୁଣି ଚାଲିଲା ପ୍ରସ୍ତୁତି; ପୁଣି ପାଠ, ପାଠ ଆଉ ପାଠ! ଦୀର୍ଘ ଦୁଇ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଯାଇ ୧୯୯୭ ମସିହାରେ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୁଅନ୍ତି । ଘରେ ସମସ୍ତେ ଖୁସି ପୁଅର ସଫଳତାକୁ ନେଇ । ପ୍ରଶାନ୍ତ ବି ନିଜର ପରିଶ୍ରମର ଫଳ ପାଇ ବହୁତ ଆନନ୍ଦିତ ହେଲେ । ତେବେ ନାମ ଲେଖାଇବାର ଦୁଇ-ଚାରି ଦିନ ପୂର୍ବରୁ ଅଘଟଣଟିଏ ଘଟିଗଲା – ଜେଇଇ କଲ୍ ଲେଟର୍ଟି କେଉଁଠି ଗୋଟେ ହଜିଗଲା । ବଜ୍ରପାତ ହେଲା ଭଳି ଲାଗିଲା । ଏତେ ପରିଶ୍ରମ ପରେ ଯେଉଁ ସ୍ୱପ୍ନଟି ସତ ହେବାକୁ ଯାଉଥିଲା ସେ କ’ଣ ଆଉ କେବେ ସତ ହେବନି! ସେ କ’ଣ ଆଉ ଡାକ୍ତର ହୋଇପାରିବେନି! ବାପାଙ୍କ ଆଶା କ’ଣ ଚିରଦିନ ପାଇଁ ଆଶାରେ ରହିଯିବ! କ’ଣ କରାଯିବ! ପରିବାରଯାକର ଆକୁଳ ପ୍ରାର୍ଥନା- ‘ପ୍ରଭୁ ହେ… ଦୟା କର!’ ପ୍ରଭୁଙ୍କ ଦୟା ହେଲା ବୋଧେ! ଜଣେ ଶୁଭେଚ୍ଛୁଙ୍କ ପରାମର୍ଶରେ ପ୍ରଶାନ୍ତ ଖବରକାଗଜରେ କଲଲେଟର୍ ହଜିଥିବା ବିଷୟରେ ବିଜ୍ଞାପନ ଦେଇ ଦିଅନ୍ତି । ତାହାକୁ ଦେଖି ଜେଇଇ କର୍ତୃପକ୍ଷଙ୍କର ହୃଦବୋଧ ହେବାରୁ ସେମାନେ ଫୋନ୍ କରି ପ୍ରଶାନ୍ତଙ୍କୁ ଡାକନ୍ତି ଓ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ୍ କଲେଜରେ ଏମବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁମତି ଦିଅନ୍ତି ।

ସେଦିନ କି ଖୁସି! ପରିବାର ପରିଜନ ସମସ୍ତେ ଖୁସି ଯେ, ତାଙ୍କ ପ୍ରଶାନ୍ତ ଏବେ ଡାକ୍ତରଟିଏ ହେବେ, ସମାଜର ସେବା କରିବେ ଏବଂ ପାଂଚଲୋକରେ ଜଣେ ହୋଇ ଠିଆ ହେବେ!
ମେଡ଼ିକାଲ ପ୍ରସ୍ତୁତି ସମୟର କଥା କହିଲାବେଳେ ଡା. ପ୍ରଶାନ୍ତ ତାଙ୍କ ଘନିଷ୍ଠ ବନ୍ଧୁ ଡା. ଖଗେଶ୍ୱର ରାଉତଙ୍କୁ ମନେପକାନ୍ତି । ରାଜା ବଗିଚାର ସେଇ ବଖୁରିକିଆ ଆଜବେଷ୍ଟସ୍ ଘରେ ଦୁହେଁ ମିଶିକରି ରହୁଥିଲେ ଓ ପଢ଼ାପଢ଼ି କୁରୁଥିଲେ । ଦୁହେଁ ଘନିଷ୍ଠ ବନ୍ଧୁ ତଥା ପାଠପଢ଼ାରେ ଉତ୍ତମ ପ୍ରତିଯୋଗୀ ଥିଲେ । ପ୍ରତ୍ୟହ ରାତି ୨ଟା ୩ଟାଯାଏଁ ପାଠପଢ଼ା ଚାଲୁଥିଲା । ଡା. ଖଗେଶ୍ୱର ରାଉତ ଏବେ ଜଣେ ଲବ୍ଧ ପ୍ରତିଷ୍ଠିତ ଡାକ୍ତର । ରାଜାବଗିଚା ଅଂଚଳରେ ଡା. ପ୍ରଶାନ୍ତ ଖୁବ୍ ଲୋକପ୍ରିୟ । ଯାହାର ଯାହା ହେଲା ପ୍ରଥମେ ଖୋଜାପଡ଼େ ଡା. ପ୍ରଶାନ୍ତଙ୍କୁ । ଏପରିକି ଡେଥ୍ ଡିକ୍ଲାର୍ କରିବାକୁ ବି ରାତି ଅଧରେ ଯାଇଥାନ୍ତି ।

୨୦୦୩ରେ ଏମବିବିଏସ୍ ପାସ୍ କରନ୍ତି ଡା. ପ୍ରଶାନ୍ତ । ତା’ପରେ ଦିଲ୍ଲୀରେ ପିଜି ପାଇଁ ପ୍ରସ୍ତୁତି ଚାଲେ । ଏ ଭିତରେ ସେ ୨୦୦୬ରେ ସରକାରୀ ଚାକିରି ପାଇ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଏନ୍ କରନ୍ତି । କୋରାପୁଟରେ ରହିବା ସମୟରେ ପିଜି ପ୍ରସ୍ତୁତିକୁ ଆହୁରି ଜୋରଦାର କରନ୍ତି । ୨୦୦୭ରେ ଏସସିବିରେ ମେଡିସିନରେ ପିଜି ପାଆନ୍ତି । ପୁଣି କଟକ; ନିଜ ଆପଣାର ସହର । ସତରେ କଟକକୁ ଖୁବ୍ ଭଲପାଆନ୍ତି ଡା. ପ୍ରଶାନ୍ତ । ୨୦୧୦ରେ ପିଜି ଶେଷ ହୁଏ । ଡା. ପ୍ରଶାନ୍ତ କୁମାର ପରିଡ଼ା ମେଡିସିନ୍ ସ୍ପେଶାଲିଷ୍ଟ ହୋଇଗଲେ ସତ; ହେଲେ ଆହୁରି ପଢ଼ିବାକୁ ଇଚ୍ଛା । ସୁପର୍ ସ୍ପେଶାଲିଷ୍ଟଟିଏ ହେବାର ସ୍ୱପ୍ନ ବସା ବାନ୍ଧି ସାରିଥାଏ ମନରେ । କିନ୍ତୁ ସବୁ ସ୍ୱପ୍ନ କ’ଣ ପୁରଣ ହୋଇଯାଏ ସହଜରେ! ଆଦୌ ନୁହେଁ! ସ୍ୱପ୍ନ ପୂରଣ ହେବାକୁ ଆହୁରି ସମୟ ଲାଗିଲା ।

ସରକାରୀ ଚାକିରିର ଖାତିରରେ ପୁଣି ଯିବାକୁ ପଡ଼େ ମାଲକାନଗିରିର ଦୁର୍ଗମ ଅଂଚଳକୁ ।
ଡା. ପ୍ରଶାନ୍ତ ଯେଉଁଠି ରହିଲେ ବି ସେହି ଅଂଚଳକୁ ନିଜର କରିଦିଅନ୍ତି ଖୁବ୍ କମ୍ ଦିନ ଭିତରେ । ସମସ୍ତଙ୍କୁ ସବୁ ସ୍ଥାନରେ ଆପଣାର କରିପାରିବାର ଦକ୍ଷତା ଈଶ୍ୱର ଯେଉଁ କମ୍ ମଣିଷଙ୍କୁ ଦେଇଥାନ୍ତି, ସେମାନଙ୍କ ମଧ୍ୟରୁ ଡା. ପ୍ରଶାନ୍ତ ଜଣେ । ସେହି ଆଦିବାସୀବହୁଳ ଦୁର୍ଗମ ଅଂଚଳରେ ସେ ଯେଉଁ ଭଲପାଇବା ପାଇଛନ୍ତି, ତାକୁ କେବେ ବି ଭୁଲି ହେବ ନାହିଁ ବୋଲି କହନ୍ତି ସେ । ସେଠିକାର ଲୋକମାନେ ଖୁବ୍ ଶାନ୍ତ ସରଳ ବୋଲି ତାଙ୍କର ମତ ।

୨୦୧୨ରେ ପୁଣି କଟକ ଏସସବିରେ ସିନିୟର୍ ରେସିଡେଂଟ୍ (ଏସଆର୍) ଭାବେ ଜଏନ୍ କରନ୍ତି । ଏଇଠି ପୁଣି ଡିଏମ୍ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତିରେ ଲାଗିପଡ଼ନ୍ତି । ପୁଣି ଦୁଇ ବର୍ଷର କଠିନ ପ୍ରସ୍ତୁତି । ୨୦୧୪ରେ ସେଇ ଏସ୍ସିବିରେ ହିଁ ଗ୍ୟାଷ୍ଟ୍ରୋଏଂଟେରୋଲୋଜିରେ ଡିଏମ୍ କୋର୍ସରେ ଜଏନ୍ କରିବା ପାଇଁ ମନୋନିତ ହୁଅନ୍ତି । ୨୦୧୭ରେ ଡା. ପ୍ରଶାନ୍ତ ଡିଏମ୍ କୋର୍ସ ସାରିବା ପରେ ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗରେ ଆସିଷ୍ଟାଂଟ୍ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରନ୍ତି, ଯାହାକି ଅତ୍ୟାବଧି ଚାଲୁଅଛି ।

ପ୍ରକୃତରେ ସେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ କାର୍ଯ୍ୟ କରି ନିଜକୁ ବହୁତ ଭାଗ୍ୟବାନ ମନେକରନ୍ତି । ଏଇଠି ଦୈନିକ ଶହ ଶହ ରୋଗୀ, ସେମାନଙ୍କ ସମ୍ପର୍କୀୟ ତଥା ଅନେକ ବୃତି, ଅନେକ ପ୍ରବୃତିର ବ୍ୟକ୍ତିଙ୍କ ସହ ମିଶିବାକୁ ପଡ଼େ । ଅନେକ ଲୋକଙ୍କ ଆଶା ଆକାଂକ୍ଷାକୁ ସାମ୍ନା କରିବାକୁ ହୁଏ । ଅନେକ ସମସ୍ୟା, ଅନେକ ଚ୍ୟାଲେଞ୍ଜ ଭିତରେ ବି ଯେଉଁ ଜିନିଷଟି ଆଗକୁ ମାଡ଼ିଯିବାରେ ସାହାଯ୍ୟ କରେ, ତାହା ହେଲା ରୋଗୀଙ୍କ ହସ ଟିକକ, ଭଲପାଇବା ଟିକକ । ରୋଗୀ ସେବାରୁ ମିଳୁଥିବା ଆତ୍ମସନ୍ତୋଷ ଯୋଗୁଁ ଏସସିବି ପ୍ରତି ତାଙ୍କର ଆକର୍ଷଣ ଦିନକୁ ଦିନ ବେଶି ବେଶି ବଢ଼ିଯାଉଛି । ଯେହେତୁ ସମଗ୍ର ଭାରତବର୍ଷରେ ଏସ୍ସିବି ଏକ ପ୍ରସିଦ୍ଧ ସ୍ୱାସ୍ଥ୍ୟ ଅନୁଷ୍ଠାନ, ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତ୍ୟହ ଅନେକ ରୋଗୀ ଚିକିତ୍ସା ପାଇଁ ଏଠିକୁ ଆସନ୍ତି । ତେଣୁ ଏସସିବିରେ ତାଙ୍କୁ ପ୍ରତ୍ୟେକ ଦିନ କିଛି ନା କିଛି ଶିଖିବାକୁ ମିଳୁଥାଏ ବୋଲି ଡା. ପରିଡ଼ା ସ୍ୱୀକାର କରନ୍ତି ।

ସ୍ମରଣୀୟ ଘଟଣା କ’ଣ ରହିଛି ଜୀବନରେ? ପଚାରିଲେ ସେ କହନ୍ତି – ‘ଅନେକ ଘଟଣା ରହିଛି କେତେ କହିବି! ପ୍ରତ୍ୟେକ ଦିନ ରୋଗ-ମୃତ୍ୟୁ-ଭୟ-ଆରୋଗ୍ୟ-ଆନନ୍ଦ ସହ ସାମ୍ନାସାମ୍ନି ହେବାକୁ ପଡ଼େ, ତେଣୁ ଭାବନ୍ତୁ କହିବସିଲେ ଆପଣଙ୍କ ପତ୍ରିକାର ସବୁତକ ପୃଷ୍ଠା ବି ନିଅଂଟ ପଡ଼ିପାରେ! ସେସବୁକୁ ନେଇ ଭବିଷ୍ୟତରେ ଗୋଟେ ସ୍ୱତନ୍ତ୍ର ବହି ଲେଖିବି ।’
ଡା. ପ୍ରଶାନ୍ତଙ୍କୁ ଥରେ ଭେଟିଲାବେଳେ ଗୋଟିଏ ଘଟଣା ଆମ ନଜରରେ ପଡ଼ିଥିଲା । ଘଟଣାଟି ହେଲା – କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଂଚଳର ଜଣେ ବୃଦ୍ଧା ମାଂସ ଖାଇଲା ବେଳେ ବଡ ମାଂସ ଖଣ୍ଡେ ତଂଟିରେ ଲାଖି ଯାଇଥିଲା । ଯେତେ ଚେଷ୍ଟା କଲେ ମଧ୍ୟ ତାହା ଭିତରକୁ ଗଲା ନାହିଁ କି ବାହାରକୁ ବାହାରିଲା ନାହିଁ । ପ୍ରଥମେ ତାଙ୍କୁ ଚମ୍ପୁଆ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠିକାର ଡାକ୍ତର ଚେଷ୍ଟାକରି ମଧ୍ୟ ତା’କୁ କାଢ଼ି ପାରିନଥିଲେ ଏବଂ ତାଙ୍କୁ କଟକ ବଡ଼ ମେଡ଼ିକାଲ୍କୁ ରେଫର୍ କରିଦେଲେ । କଟକ ପହଂଚିଲା ବେଳକୁ ସେ ମୁର୍ମୁଷୁ ଅବସ୍ଥାରେ ପହଂଚି ସାରିଥିଲେ । ଡା. ପ୍ରଶାନ୍ତ ପରୀକ୍ଷା କରି ଦେଖିଲେ, ରୋଗୀର ଅବସ୍ଥା ଅତ୍ୟନ୍ତ ଜଟିଳ ଏବଂ ମାଂସଖଣ୍ଡଟିକୁ ବାହାରିବା ଆଦୌ ସହଜ ନୁହେଁ । ତା’କୁ ବାହାର କରିବା ବେଳେ ରୋଗୀର ଜୀବନ ପ୍ରତି ମଧ୍ୟ ବିପଦ ଆଶଙ୍କା ଥିଲା । ତଥାପି ଡା. ପ୍ରଶାନ୍ତ ସାହସ କରି ଖୁବ୍ ଦକ୍ଷତାର ସହ ରୋଗୀକୁ କୌଣସି ପ୍ରକାର କ୍ଷତି ନ ପହଂଚାଇ ବିଭିନ୍ନ ଉପକରଣ ସାହାଯ୍ୟରେ ମାଂସଖଣ୍ଡଟିକୁ ବାହାର କରିଥିଲେ । ଫଳରେ ବୃଦ୍ଧା ଜଣକ ନିଶ୍ଚିତ ମୃତ୍ୟୁମୁଖରେ ବଂଚିଯାଇଥିଲେ । ସେଦିନ ଆମେ ଦେଖିଛୁ ସେ ବୃଦ୍ଧାଙ୍କ ଝିଅ କାନ୍ଦି କାନ୍ଦି ଡା ପ୍ରଶାନ୍ତଙ୍କ ପାଦକୁ ଜାବୁଡ଼ି ଧରି କୃତଜ୍ଞତା ଜଣାଇଥିଲେ- ‘ସାର୍ … ଆପଣଙ୍କ ପାଇଁ ଆଜି ମୁଁ ମୋ ମାକୁ ଫେରିପାଇଲି … ମୁଁ ତ’ ଆଶା ଛାଡି ଦେଇଥିଲି ସାର୍ …!’
ପ୍ରକୃତରେ ଜୀବନ ଦାନଠୁ ଆଉ କ’ଣ ପୁଣ୍ୟ ଅଛି ଏ ସଂସାରରେ!
୨୦୧୮ ଅକ୍ଟୋବର୍ ମାସରେ ଆମେରିକାର୍ ଫିଲାଡ଼େଲଫିଆରେ ଆମେରିକାନ୍ ଗ୍ୟାଷ୍ଟ୍ରୋଏଂଟେରୋଲୋଜିକାଲ୍ ଆସୋସିଏସନ୍ (ଏଜିଏ) ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ଅନ୍ତର୍ଜାତୀୟ ଗ୍ୟାଷ୍ଟ୍ରୋଏଂଟେରୋଲୋଜି ସମ୍ମିଳନୀରେ ଡା. ପ୍ରଶାନ୍ତ ନିଜ ସନ୍ଦର୍ଭ ଉପସ୍ଥାପନା କରିବାର ସୁଯୋଗ ପାଇଥିଲେ । ଏହି ସମ୍ମିଳନୀରେ ବିଶ୍ୱର ପ୍ରାୟ ସମଗ୍ର ପ୍ରାନ୍ତରୁ ଶହ ଶହ ଗ୍ୟାଷ୍ଟ୍ରୋଏଂଟେରୋଲୋଜିଷ୍ଟ ଉପସ୍ଥିତ ରହିଥିଲେ । ଏହା ତାଙ୍କ ଜୀବନର ଅନ୍ୟତମ ସ୍ମରଣୀୟ ଘଟଣା ବୋଲି ସେ କହନ୍ତି ।

ଡା. ପ୍ରଶାନ୍ତ ଏବେ କଟକର ସିଡିଏରେ ପରିବାର ସହ ଅବସ୍ଥାନ କରୁଛନ୍ତି । ତାଙ୍କ ସହଧର୍ମିଣୀଙ୍କ ନାମ ରୋଶନୀ ଜୀ ଓ ଝିଅର ନାମ ଅୟାନା ସୁପ୍ରୀତି ପରିଡ଼ା (ଗୀତ୍) । ରୋଶନୀ ମ୍ୟାଡାମ୍ ହେଉଛନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜର ଅସ୍ଥିଶଲ୍ୟ ବିଭାଗ (ଅର୍ଥୋପେଡ଼ିକ୍ସ)ର ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ରବିଜୀଙ୍କ ଏକମାତ୍ର କନ୍ୟା । ବ୍ୟସ୍ତବହୁଳ ଡାକ୍ତରୀ ଜୀବନରେ ପରିବାରକୁ ଯଥେଷ୍ଟ ସମୟ ଦେବାଟା ଡା. ପ୍ରଶାନ୍ତଙ୍କ କ୍ଷେତ୍ରରେ ସମ୍ଭବପର ହୁଏନି । ତେଣୁ ତାଙ୍କ ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ ରୋଶନୀ ମ୍ୟାଡାମଙ୍କ ଉପରେ । ରୋଶନୀ ମ୍ୟାଡାମ୍ ବି ବିନା ଆପତ୍ତି ଅଭିଯୋଗରେ ହସିହସି ପରିବାରର ସବୁ ଦାୟିତ୍ୱ ବହନ କରିଛନ୍ତି । ସାରା ପରିବାର ତଥା ବିଶେଷ କରି ସ୍ତ୍ରୀଙ୍କ ବିନା ସହଯୋଗରେ ଏତେ ବାଟ ଆସି ହୋଇନଥାନ୍ତା ବୋଲି ଡା. ପ୍ରଶାନ୍ତ ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ।
ସତ କଥା, ଜଣେ ସଫଳ ବ୍ୟକ୍ତିର ସଫଳତା ପଛରେ ପରିବାରର ବହୁତ ବଡ଼ ଭୂମିକା ରହିଥାଏ ।

ଡାକ୍ତର ପ୍ରଶାନ୍ତ ବହୁ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ । ନିଜ ଉଦ୍ୟମରେ ଅନେକ ସ୍ଥାନରେ ହେଲଥ କ୍ୟାମ୍ପ୍ ସବୁ ଅନୁଷ୍ଠିତ କରି ଲୋକଙ୍କୁ ବିଭିନ୍ନ ରୋଗ ବିଷୟରେ ସଚେତନ କରିଥାନ୍ତି ତଥା ସେଇଠି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥାନ୍ତି ।
ଅନାଥମାନଙ୍କ ପ୍ରତି ଏବଂ ବୃଦ୍ଧ-ବୃଦ୍ଧାମାନଙ୍କ ପ୍ରତି ଡା. ପ୍ରଶାନ୍ତ ଖୁବ୍ ସମ୍ବେଦନଶୀଳ । ଛୁଆଟିଏ ଲାୱାରିସ୍ ହୋଇ ବୁଲୁଥିଲେ କିମ୍ବା ବୁଢ଼ା ବୁଢ଼ୀମାନେ ଅବହେଳିତ ଦୟନୀୟ ଅବସ୍ଥାରେ ପଡ଼ି ରହିଥିଲେ ଡା. ପ୍ରଶାନ୍ତ ଆଦୌ ସହିପାରନ୍ତିନି । ସେମାନଙ୍କ ଦୁଃଖ ଦୂର କରିବା ପାଇଁ ସେ ନିଜ ସାଧ୍ୟମତେ ପ୍ରଚେଷ୍ଟା କରନ୍ତି । ତେଣୁ ଭବିଷ୍ୟତରେ ଭଗବାନଙ୍କ ଆଶୀର୍ବାଦ ରହିଲେ ଗୋଟିଏ ଅନାଥାଶ୍ରମ ଓ ଗୋଟିଏ ବୃଦ୍ଧାଶ୍ରମ ମଧ୍ୟ ପ୍ରତିଷ୍ଠା କରିବାର ସ୍ୱପ୍ନ ରହିଛି, ଯେଉଁଠି ସେମାନଙ୍କ ରହିବା, ଖାଇବା, ଚିକିତ୍ସା ଆଦି ସମ୍ପୂର୍ଣ୍ଣ ମାଗଣାରେ କରାଯିବ ।
ଡା. ପ୍ରଶାନ୍ତଙ୍କ ସବୁ ସ୍ୱପ୍ନ ଈଶ୍ୱର ପୂରଣ କରନ୍ତୁ ଓ ତାଙ୍କ ଚଲାପଥ କୁସୁମିତ ହେଉ, ଏହା ହିଁ ମା’ କଟକଚଣ୍ଡୀଙ୍କ ପାଖରେ ‘ସ୍ୱାସ୍ଥ୍ୟ ସ୍ୱର’ର ପ୍ରାର୍ଥନା ।
# Humble Request to all the esteemed Readers, plz visit our SWASTHYA SWARA YOUTUBE CHANNEL & SUBSCRIBE our channel.