ଡା. ଅମରେନ୍ଦ୍ର ସାମଲ
ଚକ୍ଷୁରୋଗ ବିଶେଷଜ୍ଞ
ଏଏସ୍‌ଜି ଆଇ ହସ୍‌ପିଟାଲ୍‌
ଭୁବନେଶ୍ୱର

 

ଗ୍ଲୁକୋମା ହେଉଛି ଏକ ଶ୍ରେଣୀୟ ଚକ୍ଷୁ ରୋଗ ସମୂହ, ଯାହା ନୀରବରେ ସ୍ଥାୟୀ ଅନ୍ଧତ୍ୱ ଆଡ଼କୁ ନେଇଯାଏ । କୌଣସି ପୁର୍ବ ଲକ୍ଷଣ ବିନା ଗ୍ଲୁକୋମା ହୋଇଥାଏ । ବିନା କୌଣସି ପୀଡ଼ା କି କିଛି ଅସହଜ ନ ଲାଗି କିମ୍ବା ଅସ୍ପଷ୍ଟ (ଧୂଆଁଳିଆ) ଦେଖାଯିବା ଭଳି ସମସ୍ୟା ଦେଖା ସମସ୍ୟା ଦେଖା ନଯାଇ ମଧ୍ୟ ଏହା ହୋଇପାରେ । ସାମ୍ପ୍ରତିକ ସମୟରେ ୬୭ ମିଲିୟନ୍ ଲୋକ ଗ୍ଲୁକୋମାରେ ଆକ୍ରାନ୍ତ । କିନ୍ତୁ ଦୁଃଖର ବିଷୟ ୫୦% ଲୋକ ଏ ବାବଦରେ ଜାଣିନ୍ତି ବି ନାହିଁ । ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସମଗ୍ର ବିଶ୍ୱରେ ଦେଖାଯାଉଥିବା ଅନ୍ଧତ୍ୱର କାରଣଗୁଡ଼ିକ ମଧ୍ୟରୁ ଗ୍ଲୁକୋମା ଦ୍ୱିତୀୟରେ ରହିଛି । ତେଣୁ ଆମେମାନେ ଗ୍ଲୁକୋମା ବିଷୟରେ ଜାଣିବା ନିହାତି ଆବଶ୍ୟକ ।

ଚକ୍ଷୁ ଭିତରେ ଥିବା ତରଳ ପଦାର୍ଥ ଯେତେବେଳେ ଚକ୍ଷୁରେ ଚାପ ବୃଦ୍ଧି କରେ ସେତେବେଳେ ଗ୍ଲୁକୋମା ଆରମ୍ଭ ହୋଇଥାଏ । ଯ’ଦ୍ୱାରା ଚକ୍ଷୁରେ ଥିବା ସ୍ୱାୟୁ ତନ୍ତ୍ରିକା (ନର୍ଭ ଫାଇବର୍‌) ଗୁଚ୍ଛକୁ ନେଇ ଗଠିତ ହୋଇଥିବା ଅପଟିକ୍ ନର୍ଭ କ୍ଷତିଗ୍ରସ୍ତ ହୋଇଥାଏ । ଏହି ଅପଟିକ୍ ନର୍ଭ ହିଁ ଭିଜୁଆଲ୍ ଇମେଜ୍ (ଚକ୍ଷୁ ସାମ୍ନାରେ ଥିବା ବସ୍ତୁର ଚିତ୍ର)କୁ ମସ୍ତିଷ୍କରେ ପହଂଚାଇଥାଏ । ଏଥିପାଇଁ ଅପଟିକ୍ ନର୍ଭ ନଷ୍ଟ ହେଲେ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ । ରୋଗ ଯେତେ ବଢ଼ି ବଢ଼ି ଯିବ, ଦୃଷ୍ଟିଶକ୍ତି ସେତେ କମି କମି ଯିବ; ଶେଷରେ ଦୃଷ୍ଟିଶକ୍ତି ସବୁଦିନ ପାଇଁ ନଷ୍ଟ ହୋଇଥାଏ ବା ଅନ୍ଧତ୍ୱ ଦେଖାଯାଇଥାଏ ।

କେଉଁମାନଙ୍କୁ ଗ୍ଲୁକୋମା ହେବାର ଆଶଙ୍କା ବେଶି ଥାଏ?
– ପରିବାରରେ କାହାକୁ ଗ୍ଲୁକୋମା ହୋଇଥିବାର ଇତିହାସ ଥିଲେ
– ଏସିଆ ଓ ଆଫ୍ରିକା ମହାଦେଶର ବାସିନ୍ଦା
– ୫୦ ବର୍ଷରୁ ଅଧିକ ବୟସର ଭାରତୀୟ
– ମଧୁମେହ ରୋଗୀ
– ହାଇ ମାୟୋପିଆରେ ଆକ୍ରାନ୍ତ ବ୍ୟକ୍ତି
– ଦୂର ଦୃଷ୍ଟିଦୋଷରେ ଆକ୍ରାନ୍ତ ବ୍ୟକ୍ତି
– ଅକ୍ୟୁଲାର୍ ପ୍ରେସର୍ ଅଧିକ ଥିଲେ
– ଚକ୍ଷୁରେ ଆଘାତ ହେଲେ
– ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହୋଇଥିଲେ
ଗ୍ଲୁକୋମାର ବିଶେଷ ପୂର୍ବ ଲକ୍ଷଣ ନ ଥାଏ । ହେଲେ ଅଳ୍ପ କିଛି ଲୋକଙ୍କ ଚକ୍ଷୁ ପୀଡ଼ା, ଧୂଆଁଳିଆ ଦେଖାଯିବା, ଆଖି ନାଲି ପଡ଼ିଯିବା, ମୁଣ୍ଡବ୍ୟଥା, ବାନ୍ତି ହେବା ଏବଂ ଆଖିଆଗରେ ଇନ୍ଦ୍ରଧନୁ ଭଳି ଦେଖାଯିବା ଆଦି ସମସ୍ୟା ବେଶ୍ କିଛିଦିନ ଧରି ପରିଲକ୍ଷିତ ହୋଇଥାଏ ।

ରୋଗ ନିରୂପଣ :
ଗ୍ଲୁକୋମା ନିରୂପଣ କରିବାକୁ ଚକ୍ଷୁରୋଗ ବିଶେଷଜ୍ଞଙ୍କୁ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା କରିବାକୁ ପଡ଼ିଥାଏ । ଯଥା- ଡାଇଲେଟେଡ୍ ଫଣ୍ଡସ୍ ଟେଷ୍ଟ୍‌, ଭିଜୁଆଲ୍ ଫିଲଡ୍ ଟେଷ୍ଟ୍‌, କର୍ଣ୍ଣିଆଲ୍ ଥିକନେସ୍ ଟେଷ୍ଟ୍‌, ଫଣ୍ଡସ୍ ଫଟୋଗ୍ରାଫି ଟେଷ୍ଟ୍‌, ନର୍ଭ ଫାଇବର୍ସ ଆନାଲିସିସ୍ ଏବଂ ସିରିଆଲ୍ ଇଣ୍ଟରଭାଲ୍ ଏକଜାମିନେସନ୍ ଇତ୍ୟାଦି । ନିୟମିତ ବ୍ୟବଧାନରେ ପରୀକ୍ଷା କରାଇବା ଏକାନ୍ତ ଜରୁରୀ ।

ଚିକିତ୍ସା :
ନର୍ଭ ଡେମେଜ୍ (ସ୍ନାୟୁ ନଷ୍ଟ) ହୋଇଗଲେ ଏହା ଚିରସ୍ଥାୟୀ ହୋଇଥାଏ । ତେଣୁ ଚିକିତ୍ସାର ମୂଳ ଲକ୍ଷ୍ୟ ହେଉଛି ସ୍ନାୟୁ ନଷ୍ଟର ତୀବ୍ରତାକୁ ହ୍ରାସ କରିବା ତଥା ବଳକା ସ୍ନାୟୁ ତନ୍ତ୍ରିକା (ନର୍ଭ ଫାଇବର୍‌) ଗୁଡିକ ସୁରକ୍ଷିତ ରଖିବା । ଏବେ ତ’ ଗ୍ଲୁକୋମାର ଅନେକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପଲବ୍ଧ ହେଲାଣି । ଚିକିତ୍ସାରେ ଗ୍ଲୁକୋମା ଡ୍ରପ୍‌ସର ଉପଯୋଗ କରାଯାଏ । ଲେଜର୍ ପଦ୍ଧତିରେ ମଧ୍ୟ ଉପଚାର କରାଯାଏ । ଆବଶ୍ୟକ ସ୍ଥଳେ ଶଲ୍ୟ ଚିକିତ୍ସା କରାଯାଏ । କିଛି କ୍ଷେତ୍ରରେ ଗ୍ଲୁକୋମା ଭାଲ୍‌ଭର ଉପଯୋଗ ମଧ୍ୟ କରାଯାଏ ।
ଗ୍ଲୁକୋମାର ସେଭଳି କିଛି ନିଦ୍ଦିଷ୍ଟ ପ୍ରତିଷେଧକ ବ୍ୟବସ୍ଥା (ପ୍ରିଭେନଟିଭ୍ ମେଜର୍‌) ଏଯାଏଁ ବାହାରି ନାହିଁ । କେବଳ ଶୀଘ୍ର ନିରୂପଣ ହିଁ ଏହାର ଏକମାତ୍ର ପ୍ରତିଷେଧକ ଉପାୟ । ଯଦି ଚକ୍ଷୁଜନିତ କିଛି ବି ସମସ୍ୟା ଦେଖାଯାଉଛି, ତେବେ ଏହାକୁ ଆଦୌ ଅବହେଳା ନ କରି ଜଣେ ଅଭିଜ୍ଞ ଚକ୍ଷୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।